Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀଙ୍କ ସହ 5T ସଚିବଙ୍କ ଆଲୋଚନା, ୬ଟି ଜିଲ୍ଲାରେ ଗଡିବ ବସ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନାରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ ମିଶାଇ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ କରିବ । ଏହି ଜିଲ୍ଲା ଗୁଡିକ ହେଲା – ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ। ଚଳିତ ମାସ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍‌ ଗୁଡିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି।

କର୍ମଚାରୀ ମାନଙ୍କୁ ସମ୍ବୋଧନ କରି 5T ସଚିବ ଶ୍ରୀ ପାଣ୍ଡିଆନ କହିଲେ ଯେ ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର। ତେଣୁ ଲୋକମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଆମର ପ୍ରଥମ ଦାୟିତ୍ବ ହେବା ଉଚିତ। ଏହି ବସ୍‌ ଯୋଜନାରେ ଛୋଟ ପିଲା ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ ଶକ୍ତି ମା ମାନେ, ସମସ୍ତେ ଉପକୃତ ହେବେ।

ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ। ମିଶନ ଶକ୍ତି ମା ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟତ କରିବା ସହଜ ହେବ।

ଶ୍ରୀ ପାଣ୍ଡିଆନ ପୁଣି କହିଥିଲେ ଯେ, ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ। ତେଣୁ ଏହି ପରିବହନ ସେବା ଗାଁ ଗାଁରେ ସମୃଦ୍ଧି ଆଣିବ। ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ। ଗ୍ରାମାଞ୍ଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ। ତେଣୁ ବସ୍‌ର କର୍ମଚାରୀ ମାନେ ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ପରିବାରର ସଦସ୍ୟ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।

ଏଥିରେ ସେ ୩-ଏସ୍‌ ଉପରେ ଗୁରୁତ୍ବ ଦେଇଥିଲେ। ଏହି ତିନୋଟି ଏସ୍‌ ହେଲା – ସୁରକ୍ଷା, ସୁବିଧା ଓ ସମ୍ମାନ। ସମସ୍ତଙ୍କ ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ପ୍ରତ୍ୟେକ ଯେପରି ସମ୍ମାନର ସହିତ ଯାତାୟତ କରିବେ, ସେଥିପ୍ରତି ଧ୍ୟାନ ଦେବା ହେଉଛି କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଆଲୋଚନା ପରେ ସମସ୍ତ କର୍ମଚାରୀମାନେ 5T ସଚିବଙ୍କୁ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗା ଘାଟିରେ ବସ୍‌ ଟ୍ରକ୍‌ ମୁହାଁମୁହିଁ ଧକ୍କା : 5 ଆହତ

ରାଜକିଶୋର ବିଶୋୟୀ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ସହ ଏକ ଚାଉଳ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 5 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ବସରେ ବସିଥିବା ଅନ୍ୟ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ସୂଚନା ଅନୁଯାୟୀ ବସ୍‌ଟି ବ୍ରହ୍ମପୁରରୁ ଭଞ୍ଜନଗର ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକଟି ମୁହାଁମୁହିଁ ଧକ୍କା ଦେବାରୁ ଉଭୟ ଗାଡି ଓଲଟି ପଡିଥିଲା । ଅନ୍ୟ ଏକ ଗାଡି ସାହାଯ୍ୟରେ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚା ଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ରାଜ୍ୟରେ ଚାଲିବ ଘରୋଇ ବସ୍‌

ଭୁବନେଶ୍ବର : ରାଜ୍ୟରେ ଆସନ୍ତାକାଲିଠାରୁ ବସ୍‌ ଚାଲିବ । ଏ ସମ୍ପର୍କରେ ଘୋଷଣା କରିଛନ୍ତି ବସ୍‌ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ବୁଧବାର ବସ୍‌ ମାଲିକ ସଂଘର ବୈଠକ ପରେ ଏହି ଘୋଷଣା କରାଯାଇଛି । ବସ୍‌ରେ ଯେତିକି ସିଟ୍‌ ଥିବ ସେତିକି ଯାତ୍ରୀ ଯିବେ । କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି । ବସ୍‌ରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଚାରି ରାଜ୍ୟକୁ ବାଦ୍‌ ଦେଇ ଟ୍ରେନ୍‌ ଓ ବସ୍‌ ସେବା ଆରମ୍ଭ କରିବ ଏହି ରାଜ୍ୟ

ବେଙ୍ଗାଲୁରୁ : ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ କୋହଳ କରାଯାଉଛି । କର୍ଣ୍ଣାଟକ ସରକାର ଏହା ମଧ୍ୟରେ ନିଜ ରାଜ୍ୟରେ ଲକ୍‌ଡାଉନ୍‌କୁ କୋହଳ କରିବା ସହିତ ବସ୍‌ ଏବଂ ଟ୍ରେନ୍‌ ଚାଳନାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ସମୟରେ 4ଟି ରାଜ୍ୟକୁ ବାଦ ଦେଇ ଅନ୍ୟ ରାଜ୍ୟ ମାନଙ୍କ ସହିତ ଟ୍ରେନ୍‌ ଏବଂ ବସ୍‌ ସେବା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ମହାରାଷ୍ଟ୍ର, ତାମିଲନାଡୁ, କେରଳ ଏବଂ ତାମିଲନାଡୁକୁ ବାଦ୍‌ ଦେଇ ଅନ୍ୟ ରାଜ୍ୟ ମାନଙ୍କ ସହିତ ବସ୍‌ ଏବଂ ଟ୍ରେନ୍‌ ସେବା ଆରମ୍ଭ କରାଯିବ ।

ଏହା ସହିତ କର୍ଣ୍ଣାଟକର ସମସ୍ତ ଦୋକାନ ବଜାର ଖୋଲିବାର ନିଷ୍ପତ୍ତି ନେଇଛନ୍ତି ୟେଦ୍ୟୁରପ୍ପା ସରକାର। ଆସନ୍ତା ମେ 31 ପର୍ଯ୍ୟନ୍ତ ରାଜ୍ୟରେ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଘୋଷଣା କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଗ୍ରୀନ୍‌ ଜୋନ୍‌ରେ ଚାଲିବ ବସ୍‌, ହେଲେ ଦେବାକୁ ପଡିବ ଦୁଇଗୁଣ ଭଡା

ଭୁବନେଶ୍ବର: ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବାର ବ୍ୟବସ୍ଥା କରାଯାଉଛି। କିନ୍ତୁ ଭଡା ଦୁଇଗୁଣ କରାଯିବ ବୋଲି ସୂଚନା ରହିଛି। ବସ୍‌ରେ ସାମାଜିକ ଦୂରତ୍ବକୁ ପାଳନ କରାଯିବା ପୂର୍ବକ ବସ୍‌ର କ୍ଷମତା ମୁତାବକ ସିଟ୍‌ରେ ଅଧା ଲୋକେ ବସିବାର ନିର୍ଦ୍ଦେଶ ରହିଥିବାରୁ କ୍ଷତି ହ୍ରାସ ପାଇଁ ଭଡା ଦୁଇଗୁଣା କରାଯିବ ବୋଲି ସୂଚନା ରହିଛି। ଭଡା ଦୁଇଗୁଣ ଦ୍ବାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେ ନାହିଁ। ସେପରି ଜରୁରୀ କାମ ଥିବା ଲୋକ ବି ଦୁଇଗୁଣ ଭଡା ଦେବାକୁ ପଛେଇବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦିନେ ଦୁଇ ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଗ୍ରୀନ୍‌ ଜୋନ୍‌ରେ ଯାତ୍ରୀବାହୀ ବସ୍‌ ଚଳାଚଳକୁ ଅନୁମତି ମିଳିଥିଲା। ତେବେ ବସରେ 50% ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ବସ୍‌ ମାଲିକମାନେ କ୍ଷତି ଆଶଙ୍କାରେ ବସ୍‌ ନ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ବସରେ ଥିବା ଧାର୍ଯ୍ୟ ସିଟ୍‌ ଠାରୁ ଅଧା ସଂଖ୍ୟକ ଯାତ୍ରୀଙ୍କୁ ନେବା ଆଣିବାରେ ବସ୍‌ ମାଲିକଙ୍କ କ୍ଷତି ହେଉଥିବା ଯୋଗୁଁ ସେମାନେ ବସ୍‌ ନ ଚଳାଇବାକୁ  ନିଷ୍ପତ୍ତି ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବସ୍‌ରେ ହେବ କୋଭିଡ୍‌ ଟେଷ୍ଟ, କର୍ଣ୍ଣାଟକରେ ଆରମ୍ଭ ହେଲା ମୋବାଇଲ୍‌ ଫିଭର୍‌ କ୍ଲିନିକ୍

‌କର୍ଣ୍ଣାଟକ : କରୋନା ଭାଇରସ୍‌ ମୁକାବିଲା ପାଇଁ ନୂତନ ପଦକ୍ଷେପ ସ୍ବରୂପ କର୍ଣ୍ଣାଟକ ସରକାର ମୋବାଇଲ୍‌ ଫିଭର୍‌ କ୍ଲିନିକ୍‌ର ଆରମ୍ଭ କରିଛନ୍ତି । କର୍ଣ୍ଣାଟକ ସରକାର ବସ୍‌ଗୁଡିକୁରେ ମୋବାଇଲ୍‌ ଫିଭର୍‌ କ୍ଲିନିକ୍‌ ବନାଇଛନ୍ତି। ଏହି ବସ୍‌ରେ କୋଭିଡ୍‌ 19 ପାଇଁ ସ୍ବାବ ସଂଗ୍ରହ ହେବା ସହିତ ସିବିସି, ସିଆରପି ଓ ଇଏସଆରର ମଧ୍ୟ ସୁବିଧା ରହିବ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆଜି ଏହି ବସ୍‌ର ଉଦ୍‌ଘାଟନ କରିଥିବାବେଳେ ଆଗାମୀ ସମୟରେ ଆଉ ତିନୋଟି ମୋବାଇଲ ଫିଭର୍‌ କ୍ଲିନିକର ଆରମ୍ଭ କରାଯିବ । ପୂର୍ବରୁ କର୍ଣ୍ଣାଟକ ସରକାର ଏକ ଅଭିନବ ଉପାୟ ଜରିଆରେ ବେଙ୍ଗାଲୁରୁରେ 96ଟି ଫିଭର କ୍ଲିନିକ୍‌ ଖୋଲିଥିଲେ ଯାହା ଫର୍ଷ୍ଟ ଲାଇନ୍‌ ଅଫ୍‌ ଡିଫେନ୍ସ ରୂପେ କାର୍ଯ୍ୟ କରୁଛି ।

ଥଣ୍ଡା, କାଶ, ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଲୋକଙ୍କୁ ଏହି ମୋବାଇଲ୍‌ ଫିଭର୍‌ କ୍ଲିନିକ୍‌ରେ ଯାଞ୍ଚ କରିବା ପାଇଁ ଅପିଲ୍‌ କରିଛନ୍ତି । ଏହି ବସ୍‌ ଗୁଡିକ ରେଡ୍‌ ଜୋନ୍‌ରେ ଥିବା ବସଷ୍ଟାଣ୍ଡଗୁଡିକରେ ରହିବ । ଏଠାରେ ଲୋକମାନଙ୍କୁ ପରୀକ୍ଷା କରାଯିବା ପରେ ଆକ୍ରାନ୍ତ ଚିହ୍ନଟ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲ ନିଆଯିବ । ସୂଚନାଯୋଗ୍ୟ, କର୍ଣ୍ଣାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା 800 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 31 ଟପିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପରିତ୍ୟକ୍ତ କୂଅକୁ ଖସିଲା ବସ୍‌ : 7 ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ ପରିତ୍ୟକ୍ତ କୂଅ ମଧ୍ୟକୁ ବସ୍‌ ଖସି ପଡିବାରୁ 7 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ନାସିକ ସ୍ଥିତ ମାଲେଗାଓଁରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ 25ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏକ ଅଟୋ ସହିତ ଧକ୍କା ଫଳରେ ଭାରସାମ୍ୟ ହରାଇ ବସ୍‌ଟି କୂଅ ମଧ୍ୟକୁ ଖସି ପଡିଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକ ଗୁରୁତର ଅଛନ୍ତି । ବସ୍‌ଟିକୁ କ୍ରେନ୍‌ ଯୋଗେ ବାହାର କରାଯାଇଛି ।

Categories
ଆଜିର ଖବର

ଭୁବନେଶ୍ବରରେ ଜଳିଗଲା ବସ୍‌, କାରଣ ଅସ୍ପଷ୍ଟ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,25/12 : ଭୁବନେଶ୍ବରରେ ଜଳିଗଲା ବସ୍‌ । ସହିଦ ନଗରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବସ୍‌ଟି ହୁତୁହୁତ ହୋଇ ଜଳିଛି । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସହିଦ ନଗରରେ ଛିଡା ହୋଇଥିବା ଅବସ୍ଥାରେ ବସ୍‌ରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିକାଣ୍ଡର ତଦନ୍ତ ଜାରି ରହିଛି ।

Categories
ଆଜିର ଖବର

ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ : 15 ମୃତ, 20ରୁ ଅଧିକ ଆହତ

କରାଚୀ, 13/12 : ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ ଘଟି 15 ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଏକ ବସ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟି 15 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ପାକିସ୍ତାନର ବେଲୁଚିସ୍ତାନରେ ଏହି ଦୁର୍ଘଟଣା ଘଟିଥିଲା । ଭ୍ୟାନ୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ବସ୍‌ରେ ପିଟି ଦେଇଥିଲେ । ଭ୍ୟାନ୍‌ରେ ତେଲ ଟ୍ୟାଙ୍କର ରହିଥିବା କାରଣରୁ ନିଆଁ ସହଜରେ ବ୍ୟାପୀ ଯାଇଥିଲା । କ୍ବେଟ୍ଟାରୁ ଡେରା ଘାଜି ଯାଉଥିବା ବସ୍‌ରେ 44 ଜଣ ବ୍ୟକ୍ତି ବସିଥିଲେ । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଫାନି ପ୍ରଭାବ : ପର୍ଯ୍ୟଟକଙ୍କ ନିମନ୍ତେ ସ୍ବତନ୍ତ୍ର ବସ୍‌ ଓ ଟ୍ରେନ୍‌

ସାମୁଦ୍ରିକ ଝଡ ଫାନି ଧିରେ ଧିରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହା ଓଡିଶାରୁ ମାତ୍ର ୪୫୦ କିମି ଦୂରରେ ରହିଛି। ଆସନ୍ତାକାଲି ସଂଧ୍ୟାରେ ଏହା ପୁରୀ ନିକଟବର୍ତ୍ତୀ କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ଅନୁମାନ କରାଯାଉଛି। ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ପୁରୀରେ ରହିଥିବା ବାହାର ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ପୁରୀ ଜିଲ୍ଲାପାଳ ଆଜି ସୁଧା ପର୍ଯ୍ୟଟକଙ୍କୁ ପୁରୀ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଏବଂ ବସ ଆରମ୍ଭ ହୋଇଛି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ୫ଟି ଓଏସଆରଟିସି ବସ କରାଯାଇଛି। ଏଥିରେ ୬୫୦ଟଙ୍କା ଦେଇ କୋଲକାତା ଯାଇପାରିବେ। ଏହା ସକାଳ ୧୦ଟାରେ ଛାଡିବ। ସେହିପରି ପୁରୀରୁ ସାଲିମାର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହା ଦିନ ୧୨ ଟାରେ ପୁରୀ ଛାଡିବା ସହ ଦିନ ଦେଢଟାରେ ଭୁବନେଶ୍ୱରରେ ପହଁଚିବ। ଏହାପରେ ଟ୍ରେନ କଟକ, ଯାଜପୁର, କେନ୍ଦୁଝର ରୋଡ, ଭଦ୍ରକ ଏବଂ ବାଲେଶ୍ୱର ଦେଇ ଖଡଗପୁର ଯିବ।

Categories
ଆଜିର ଖବର

ସିଆରପିଏଫ୍‌ ବସ୍‌ ଉଡାଇବାକୁ କୁହାଯାଇଥିଲା

ବନିହାଲରେ ସିଆରପିଏଫ୍‌ ବସ୍‌ ଉପରେ ଆକ୍ରମଣର ୩୬ ଘଣ୍ଟା ମଧ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଥିବା ନେଇ ଜମ୍ମୁ ଏବଂ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ନିଜ ବୟାନରେ କହିଛନ୍ତି ଯେ, ମୋତେ ବିସ୍ଫୋରଣ କରିବା ନିମନ୍ତେ ଫୋନ୍‌ ଜରିଆରେ ଆଦେଶ ମିଳିଥିଲା। ମୋ କାମ ଥିଲା କେବଳ ଗାଡି ଚଳାଇ ଯିବା ଏବଂ ବିସ୍ଫୋରଣ ନିମନ୍ତେ ସ୍ବିଚ୍‌ ଦବାଇବା। ପୋଲିସ୍‌ ପକ୍ଷରୁ ଅପରାଧୀଙ୍କ ନାମ ଗୋପନ ରଖାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଡିଜିପି ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୩୦ ତାରିଖରେ ସିଆରପିଏଫ୍‌ ବସ୍‌ ନିକଟରେ ଏକ କାର ବୋମା ବିସ୍ଫୋରଣ କରାଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।

Categories
ଆଜିର ଖବର

ପର୍ଯ୍ୟଟକ ବସ୍‌ରେ ନିଆଁ, 26 ମୃତ

ବେଜିଂରେ ପର୍ଯ୍ୟଟକଙ୍କ ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟି ୨୬ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୮ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ରହିଥିବା ଜଣାପଡିଛି। ବେଜିଂର ହ୍ୟୁନାନ୍‌ ପ୍ରଦେଶରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ୫୯ ସିଟ୍‌ର ଏହି ବସ୍‌ରେ ୫୩ ଜଣ ଯାତ୍ରୀ ଏବଂ ୨ ଜଣ ଡ୍ରାଇଭର ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲାେ। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବିଦେଶୀ ନାଗରିକ ରହିଥିବା ଜଣାପଡିଛି। ଦୁଇ ଡ୍ରାଇଭରଙ୍କୁ ଗିରଫ କରାଯାଇ ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଘଟିଥିବା ବିସ୍ଫୋରଣରେ ୬୪ ଲୋକ ମୃତାହତ ହେବା ସହିତ ୬୪୦ରୁ ଅଧିକ ଲୋକ ଆହତ ହାେଇଥିଲେ।

Categories
ଆଜିର ଖବର

ଜମ୍ମୁ ବସ୍ ଷ୍ଟାଣ୍ଡରେ ବିସ୍ଫୋରଣ, ୧ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

ଜମ୍ମୁରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଭୟାନକ ବୋମା ବିସ୍ଫୋରଣ ହୋଇଛି । ସୂତ୍ରାନୁସାରେ ଏହା ଏକ ଗ୍ରେନେଡ୍ ଆକ୍ରମଣ ବୋଲି କୁହାଯାଉଛି ।  ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।  ୫ଜଣଙ୍କର ସ୍ବାସ୍ଥ୍ୟବସ୍ଥା ବେଶ୍‌ ଗମ୍ଭୀର ରହିଛି ।   ପାଖାପାଖି ୩୦ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ଆଖପାଖରେ ଥିବା ପ୍ରାୟ ୧୦ଟି ବସ୍ କ୍ଷତିଗ୍ରସ୍ତ ହୋଇଛି । ବର୍ତମାନ ପୋଲିସ ସେଠାରେ ପହଁଚି ଯାଂଚ ଆରମ୍ଭ କରିଦେଇଛି  । ଏହାସହ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି  । ପୋଲିସ୍‌ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ସୂଚନା ରହିଛି ।