ଫିରୋଜାବାଦ: ଉତ୍ତରପ୍ରଦେଶର ଲକ୍ଷ୍ନୌ ଏକ୍ସପ୍ରେସୱେରେ ଗୁରୁବାର ରାତି ପ୍ରାୟ ୨ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କାନପୁରରୁ ଗୁରୁଗ୍ରାମ ଯାଉଥିବା ଏକ ଯାତ୍ରୀବାହୀ ବସ୍ ମାଟସେନା ଥାନା ଅଞ୍ଚଳର ମାଇଲଷ୍ଟୋନ୍ ୪୬ରେ ଆଗକୁ ଥିବା ଏକ କଣ୍ଟେନର ସହିତ ଧକ୍କା ହୋଇଥିଲା। ଏକ୍ସପ୍ରେସୱେରେ ଏକ ଟ୍ରକ୍ ସହିତ ଧକ୍କା ହେବା ପରେ ଏକ ସ୍ଲିପର୍ ବସ୍ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ବସ୍ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଛି । ତେବେ ବସରେ ଥିବା କୋଡିଏ ଜଣ ଯାତ୍ରୀ ମଧ୍ୟ ନିଆଁର ପ୍ରଭାବରେ ଆସିଛନ୍ତି । ଗୁରୁତର ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ଆଗ୍ରା ମେଡିକାଲ୍ କଲେଜକୁ ରେଫର କରାଯାଇଛି । ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ ଟି ଓଲଟି ପଡ଼ିଲା ଏବଂ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଏବଂ ଯାତ୍ରୀଙ୍କ ଚିତ୍କାର ଶୁଣି ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ପହଞ୍ଚିଥିଲେ। ବହୁ ଚେଷ୍ଟା ପରେ ପାଞ୍ଚଟି ଅଗ୍ନିଶମ ବାହିନୀ ଗାଡ଼ି ନିଆଁକୁ ଆୟତ୍ତ କରିଥିଲା।


