Categories
ଆଜିର ଖବର ଜାତୀୟ ଖବର

ବିଦ୍ୟୁତ ତାର ଖସିଯିବା କାରଣରୁ ଯାତ୍ରୀବାହୀ ବସ୍‌ରେ ଭୀଷଣ ଅଗ୍ନିକାଣ୍ଡ: ୫ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ଏକ ହାଇ ଟେନସନ୍ ଲାଇନ୍ ତାର ବୋଲି କୁହାଯାଉଛି। ୧୧ ହଜାର ଭୋଲ୍ଟ ହାଇ ଟେନସନ୍ ତାରକୁ ଛୁଇଁବା ପରେ ବସ୍ ରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ବସ୍ ଧୁଧୁ ହୋଇ ଜଳିବାକୁ ଲାଗିଲା। କିଛି ସମୟ ମଧ୍ୟରେ ନିଆଁ ଏକ ଭୀଷଣ ରୂପ ନେଇଥିଲା।

ଏହି ଦୁଃଖଦ ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଏବଂ ମାଗଣା ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ୟୁପି ମନ୍ତ୍ରୀ ଅନିଲ ରାଜଭର କହିଛନ୍ତି ଯେ, ଏହି ଘଟଣା ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି।

Categories
ଆଜିର ଖବର ଜାତୀୟ ଖବର

ଭୋପାଳ ସଚିବାଳୟ ଭବନରେ ଭୀଷଣ ଅଗ୍ନିକାଣ୍ଡ, ନିଆଁ ଲିଭାଇବାରେ ନିୟୋଜିତ ଅଗ୍ନିଶମ ବାହିନୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ସଚିବାଳୟରେ ହଠାତ୍ ନିଆଁ ଲାଗିବାର ଖବର ଆସିଛି। ଆଜି ସକାଳେ ସଚିବାଳୟ ଭବନରୁ ପ୍ରବଳ ମାତ୍ରାର ଧୂଆଁ ବାହାରିଥିଲା। ଧୂଆଁରୁ ଏହା ବିଚାର କରାଯାଇପାରେ ଯେ ନିଆଁ ଭୟଙ୍କର ଅଟେ। ଏଭଳି ପରିସ୍ଥିତିରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ଭୋପାଳର ବଲ୍ଲଭ ଭବନ ରାଜ୍ୟ ସଚିବାଳୟରେ ଅଗ୍ନିକାଣ୍ଡ ଘଟଣାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ, ‘ବଲ୍ଲଭ ଭବନର ପୁରୁଣା କୋଠାର ତୃତୀୟ ମହଲାରେ ନିଆଁ ଲାଗିଥିବାର ମୋତେ ଶୁକନା ମିଳିଛି। କଲେକ୍ଟରଙ୍କଠାରୁ ପ୍ରାପ୍ତ ସୂଚନା ଉପରେ ଆଧାର କରି, ମୁଁ ଏହାକୁ CS ଉପରେ ନଜର ରଖିବାକୁ କହିଛି। ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ଦାଖଲ କରିବାକୁ CS କୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ ମାଛ ବଜାରରେ ଅଗ୍ନିକାଣ୍ଡ: ଗୋଦାମରେ ଆସବାବପତ୍ର ପୋଡି ପାଉଁଶ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାଛ ବଜାରର ନିଆଁ ଲାଗି ଏକ ଗୋଦାମରେ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ବାଲୁଗାଁ ଅଗ୍ନିଶମ ବିଭାଗ ସୂଚନା ମୁତାବକ ଶାନ୍ତି ନଗରର ଗୋପାଳ ରାୟ ମାଛ ବଜାରରେ ଭଡା ସୂତ୍ରରେ ଏକ ଗୋଦାମ ଘର ନେଇ ବେପାର କରିଆସୁଥିଲେ। ଗତକାଲି ରାତିରେ କାମଦାମ ସାରି ଘରକୁ ଯାଇଥିଲେ।

ଆଜି ସକାଳୁ ନିଜ ଗୋଦାମ ଖୋଲି ପୂଜା କରିବା ପାଇଁ ଦୀପ ଲଗାଇଥିଲେ। ତେବେ କୌଣସିକ୍ରମେ ପୂଜା ଦୀପରୁ ନିଆଁ ଲାଗି ଘର ଭିତର ସମସ୍ତ ଆସବାବପତ୍ର ସହ କମ୍ପୁଟର ଓଜନ ଯନ୍ତ ପୋଡି ପାଉଁଶ ହୋଇଯାଇଛି। ଏଥିସହିତ ନିଆଁ ଲାଗି ଘର ଆଜବେଷ୍ଟେସ ଭାଙ୍ଗି ଯିବା ସହ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ପଡୋଶୀ ଦାମୋଦର ପାତ୍ରଙ୍କ ଦୋକାନ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା।

ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ରାଜସ୍ବ ନିରୀକ୍ଷକ ନିକୁଞ୍ଜ ପ୍ରଧାନ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ପ୍ରମୁଖ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ବେଳେ ଯୁବ ନେତା ସନ୍ତୋଷ ପାଇକରାୟ ସାନ୍ତ୍ୱନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Video News: ଭୁବନେଶ୍ବରରେ ଏକ କୋରିୟର ଗାଡିରେ ଲାଗିଗଲା ନିଆଁ, ଦେଖନ୍ତୁ ଏହି ଭିଡିଓ

ଭୁବନେଶ୍ବର: ଆଜି ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ଅନେକ ବଞ୍ଚିଯାଇଛନ୍ତି।  ଆଜି ଭୁବନେଶ୍ବରର ହଂସପାଳଠାରେ ଠିଆ ହୋଇଥିବା ଏକ କୋରିୟର ଗାଡିରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁର ପ୍ରଭାବ ଏପରି ରହିଲା ଯେ, ଚାହୁଁଚାହୁଁ ଗାଡିଟି ସଂପୂର୍ଣ୍ଣ ପୋଡିଗଲା। ଭାଗ୍ୟବସତଃ ସେହି ଗାଡିରେ କେହି ନ ଥିଲେ।

ତେବେ ନିକଟସ୍ଥ ପାହାଳ ଏବଂ ଭୁବନେଶ୍ବର ଅଗ୍ନିଶମ ବିଭାଗ ଆସି ଏହି ଗାଡିଟିରୁ ନିଆଁ ଲିଭାଇଥିଲେ। ତେବେ ଏହି ଗାଡିରେ ନିଆଁ ଲାଗିବା ପରେ ସାରା ଅଞ୍ଚଳ ପୁରା ଧୂଆଁମୟ ହୋଇଯାଇଥିଲା। ଏପରିକି ପାଖରେ ଥିବା ତିନୋଟି ମୋଟରସାଇକେଲ ଏହି ନିଆଁ ଯୋଗୁଁ ଆଂଶିକ ପୋଡିଯାଇଥିବାର ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

କଟକ ଚୌଧୁରୀ ବଜାର ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୬ ଘଣ୍ଟା ପରେ ନିଆଁ ଆୟତ

କଟକ: ଆଜି ସକାଳେ କଟକ ଚୌଧୁରୀ ବଜାରର ଏକ ଶାଢୀ ଦୋକାନରେ ଭୟାବହ ଅଗ୍ନିକାଣ ଘଟିଯାଇଛି। ତିନୋଟି ଦମ କଳ ଲାଗି ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିଲା। ଫଳରେ ହାଇଡ୍ରୋଲିକ ଦମକଳ ସାହାଯ୍ୟରେ ଏହି ନିଆଁକୁ ଆୟତ କରାଯାଇଥିଲା। ଏହି ନିଆଁ ଯୋଗୁଁ ପୁରା ବଜାର ଧୂଆଁମୟ ହୋଇପଡିଥିଲା। ଲୋକମାନେ ଭୟଭିତ ହୋଇପଡିଥିଲେ।

ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଚୌଧୁରୀ ବଜାରରେ ଏକ ପାଞ୍ଚ ମହଲା ଦୋକାନର ତଳ ମହଲାରେ ନିଆଁ ଦେଖାଯାଉଥିଲା। ଲୋକେ ଦମକଳକୁ ଫୋନ କରୁକରୁ ନିଆଁ ତୀବ୍ର ବେଗରେ ବ୍ୟାପି ଯାଇଥିଲା। ତୃତୀୟ ମହଲାରେ ଏହି ନିଆଁ ତୀବ୍ର ଆକାରର ଧାରଣ କରିଥିଲା। ସେହି ଦୋକାନରେ କେବଳ ଶାଢୀ ଥିବାରୁ ସେଥିରେ ନିଆଁ ଲାଗି ପୁରା ବଜାରକୁ ଧୂଆଁମୟ କରିଦେଇଥିଲା।

ଅଗ୍ନିଶମ ବିଭାଗର ପ୍ରଥମେ ଗୋଟିଏ ଗାଡି ପରେ ଆଉ ଗୋଟିଏ ଗାଡି ଆସି ଏହା ଲିଭାଇବାରେ ନିୟୋଜିତ ହୋଇଥିଲା। ପ୍ରଥମେ କର୍ମଚାରୀମାନେ ନିଶୁଣୀ ସାହାଯ୍ୟରେ ଉପରକୁ ଉଠି ଦୋକାନ ଗ୍ଲାସ ଭାଙ୍ଗି ଭିତରକୁ ପାଣି ପକାଇଥିଲେ। ହେଲେ ଦୀର୍ଘ ସମୟ ଧରି ତାହା ଲିଭି ନ ଥିଲା। ଏପରିକି ନିଆଁର ପ୍ରକୋପ ଅଧିକ ହେବାରୁ କର୍ମଚାରୀମାନେ ନିଶୁଣି ଉପରେ ଛିଡା ହୋଇ କିଛି କରିପାରି ନ ଥିଲେ।

ସେମାନେ ତଳକୁ ଆସି ପୁଣି ଥରେ ଦୂରରୁ ପାଣି ସ୍ପ୍ରେ କରିଥିଲେ। ତଥାପି ନିଆଁ ନ ଲିଭିବାରୁ ହାଇଡ୍ରୋଲିକ ଦମକଳକୁ ଘଟଣା ସ୍ଥଳକୁ ଅଣାଯାଇଥିଲା। ଏହା ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା। ଏହାକୁ ଆୟତ କରିବା ପାଇଁ ପ୍ରାୟ ୬ ଘଣ୍ଟା ସମୟ ଲାଗିଯାଇଥିଲା। ତେବେ ନିଆଁର ପ୍ରକୋପ ଏପରି ଥିଲା ଯେ, ତା ପାଖ ଦୋକାନକୁ ଏହା ବ୍ୟାପିବାର ଭୟ ରହିଥିଲା। ହେଲେ ସୌଭାଗ୍ୟ ବସତଃ ତାହା ଆଉ କୁଆଡେ ମାଡି ନ ଥିଲା।

ଆସନ୍ତା ପୂଜା ପାଇଁ ଦୋକାନୀ ନୂଆ ଶାଢୀ ଆଣି ବିକ୍ରି ପାଇଁ ରଖିଥିଲେ। ତାହା ତୃତୀୟ ମହଲାରେ ମହଜୁଦ ଥିଲା। ହେଲେ ଏହି ପାଞ୍ଚ ମହଲା କୋଠାର ଏହି ତୃତୀୟ ମହଲା ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଆଉ ତଳ ଦୁଇଟି ମହଲା ଆଂଶିକ କ୍ଷତି ହୋଇଥିବାର ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି। ତେବେ ଅଗ୍ନୀଶମର ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବାର ଜାଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ତେଲେଙ୍ଗାନା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ଅଗ୍ନିକାଣ୍ଡ : ଫସି ରହିଛନ୍ତି 9 କର୍ମଚାରୀ

ହାଇଦ୍ରାବାଦ : ତେଲେଙ୍ଗାନାରେ ରହିଥିବା ଏକ ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ଗତରାତିରେ ଅଗ୍ନିକାଣ୍ଡ ଘଟିବା ସହିତ ବ୍ୟାପକ କ୍ଷତି ଘଟିଛି । ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଅଗ୍ନିକାଣ୍ଡରେ 9 ଜଣ କର୍ମଚାରୀ ଫସି ରହିଥିବା ଜଣାପଡିଛି । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ନିଆଁ ଲାଗିବା ସମୟରେ 19 ଜଣ ଲୋକ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ସମୟରେ 10 ଜଣ ଲୋକ ଜୀବନ ବଞ୍ଚାଇ ପଳାଇ ଆସିଥିବା ବେଳେ ଅନ୍ୟ 9 ଜଣ ଫସି ରହିଥିଲେ ।  ଫସି ରହିଥିବା 9ଜଣଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ଚାରି ଜଣ ସହକାରୀ ଇଞ୍ଜିନିୟର, ଦୁଇ ଜଣ ଅଫିସ କର୍ମଚାରୀ ଏବଂ ଅମର ରାଜା ବ୍ୟାଟେରୀର ଦୁଇ ଜଣ କର୍ମଚାରୀ ଉପସ୍ଥିତ ରହିଥିଲେ । ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶକ୍ତିମନ୍ତ୍ରୀ ଜଗଦୀଶ ରେଡ୍ଡୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ନିଆଁରେ ପୋଡି ହୋଇ ଗୋଟିଏ ପରିବାରର 5 ଗୁରୁତର

କେନ୍ଦ୍ରାପଡା : ନିଆଁରେ ପୋଡି ହୋଇ ଗୋଟିଏ ପରିବାରର 5 ଜଣ ଗୁରୁତର ହୋଇଛନ୍ତି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘର ଲୋକେ ଶୋଇଥିବାବେଳେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ କାଣ୍ଡ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଘଟିଛି । ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା 20 ଦିନର ଶିଶୁ ସହ ପରିବାରର 5 ଜଣ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମରେ ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘରର ଉଭୟ ପଟରେ ତାଲା ପଡିଥିବାବେଳେ ଘର ଜଳି ଯାଇଛି । ପୂର୍ବ ଶତ୍ରୁତାରୁ କେହି ନିଆଁ ଲଗାଇଥିବାର ଅଭିଯୋଗ ହୋଇଛି । ଘରେ 8 ଜଣ ସଦସ୍ୟ ଥିବାବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ସ୍କାଏ ଲାଇଟ୍‌ ଭାଙ୍ଗି ଗ୍ରାମବାସୀମାନେ ଉକ୍ତ ପରିବାରକୁ ଉଦ୍ଧାର କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଲକଡାଉନ୍‌ ନିୟମ ଭାଙ୍ଗିବାରୁ ଯୁବକଙ୍କ ଗାଡିକୁ ଜବତ‌ କଲା ପୋଲିସ୍‌ : ରାଗରେ ନିଜକୁ ନିଆଁ ଲଗାଇଲେ ଯୁବକ

ତାମିଲନାଡୁ : କରୋନା ମହାମାରୀ ଯୋଗୁଁ ଦେଶ ସାରା ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଜୁଲାଇର ପ୍ରଥମାର୍ଦ୍ଧରୁ ଅନେକ ସ୍ଥାନରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ କରୋନା ମାମଲା ବୃଦ୍ଧି ଦେଖି କିଛି କଟକଣା ଜାରି କରାଯାଇଛି । କିନ୍ତୁ ଦେଖାଯାଉଛି କେହି କେହି ଏହାର କଟକଣା ପାଳନ କରୁନାହାନ୍ତି । ନିକଟରେ ତାମିଲନାଡୁର ତିରୁପଟ୍ଟୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଲକ୍‌ଡାଉନ୍‌ ନିୟମର କଟକଣାକୁ ଠିକ୍‌ ରୂପେ ପାଳନ ନ କରିବାରୁ ପୋଲିସ୍‌ ଉକ୍ତ ଯୁବକକୁ ଅଟକ ରଖିବା ସହ ତାଙ୍କ ଗାଡିକୁ ଜବତ କରିଥିଲା କିନ୍ତୁ ଯୁବକ ଜଣକ ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଜକୁ ନିଆଁ ଲଗାଇଦେଇଛି ।

ମିଳିଥିବା ସୂଚନା ଅନୁସାରେ ଯୁବକଟିର ନାମ ମୁଗଲିନ୍‌ । 27 ବର୍ଷୀୟ ମୁଗଲିନ୍‌ ଅମ୍ବୁର୍‌ର ଅାନ୍ନା ନଗରରେ ରହୁଥିଲେ । ରବିବାର ଦିନ ସେ ତାଙ୍କ ଦୁଇ ଚକିଆ ଯାନରେ ମଟଗରସ୍ତି ଯିବା ସମୟରେ ଧରାପଡିଥିଲେ । ତାମିଲନାଡୁରେ ଜୁଲାଇ 31 ପର୍ଟ୍ରନ୍ତ ସମସ୍ତ ରବିବାରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । କିନ୍ତୁ ମୁଗଲିନ୍‌ ଏହି ନିୟମର ପାଳନ କରିନଥିଲେ । ସ୍ଥାନୀୟ ପୋଲିସ୍‌ ଜିଲ୍ଲାରେ ବହୁ ସ୍ଥାନରେ ଚେକ୍‌ ପୋଷ୍ଟ କରିଛନ୍ତି ।

ମଗୁଲିନ୍‌କୁ ଅଟକ ରଖିଥିଲେ ପୋଲିସ୍‌ । ଏହା ପରେ ପୁଲିସ୍‌ ତାଙ୍କ ଦୁଇଚକିଆ ଗାଡିକୁ ଜବତ କରିବା ସହ ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା 269 ଓ 188, କରୋନା ମହାମାରୀ ଅନ୍ତର୍ଗତ ସେକ୍ସନ 2 ଓ 3ଅନ୍ତର୍ଗତ ବିପର୍ଯ୍ୟୟ ଆଇନ 51 (ବି) ଆଧାରରେ ମାମଲା ରୁଜୁ କରିଥିଲା ।

ଏହା ପରେ ମୁଗଲିନ୍‌ ପୋଲିସ୍‌ ସହ ଯୁକ୍ତିତର୍କ କରିଥିଲେ । ପୋଲିସ୍‌ ତାଙ୍କ ଗାଡି ଦେବାକୁ ମନା କରିଥିଲ । ଏହା ପରେ ମୁଗଲିନ୍‌ ରାଗରେ ଘରକୁ ଫେରି କିରୋସିନି ଆଣି ପୋଲିସ୍‌ ଚେକ୍‌ ପୋଷ୍ଟର କିଛି ଦୂରରେ ନିଜକୁ ନିଆଁ ଲଗାଇ ଦେଇଥିଲା । ଏହାର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି ।

ମଗୁଲିନ୍‌ଙ୍କୁ ତୁରନ୍ତ ଅମ୍ବୁରର ସରକାରୀ ହସ୍ପିଟାଲ ନିଆଯାଇଥିଲା । ଏହା ପରେ ତାଙ୍କୁ ବେଲ୍ଲୋର ସିଏମ୍‌ସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ତାଙ୍କ ଶରୀରର 80 ପ୍ରତିଶତ ଜଳି ଯାଇଛି ।  ତିରୁପଟ୍ଟୁରର ଏସ୍‌ପି ବିଜୟ କୁମାର ଡିଏସ୍‌ପି ପ୍ରବୀଣ କୁମାର ବିଭାଗୀୟ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ : ନିଶାରେ ଘରେ ନିଆଁ ଲଗାଇ ଫେରାର

କନ୍ଦର୍ପ ବେହେରା
ରେଢାଖୋଲ : ମଦ କାରଣରରୁ ଅନେକ ସ୍ଥାନରେ ସାମାଜିକ ବିଶୃଙ୍ଖଳା ଦେଖା ଦେଉଛି ତ କେଉଁଠି ପାରିବାରିକ ଝଗଡା । ଏପରି ଏକ ଘଟଣାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରେଢାଖୋଲରେ । ରେଢାଖୋଲର ଲୁହାପଙ୍କ ଗ୍ରାମରେ ଏକ ଅଭବାନୀୟ ଘଟଣା ଘଟିଛି । ମଦ ନିଶାରେ ଚୁର ପୁଅ ନିଜ ଘରେ ନିଆଁ ଲଗାଇ କେଉଁ ଆଡେ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମରେ ।

ଶନିବାର ସନ୍ଧ୍ୟାରେ ଗ୍ରାମର ବଲ୍ଲଭ ପ୍ରଧାନଙ୍କ ପୁଅ ବନ୍ଧୁଆ ପ୍ରଧାନ (୩୩) ଅତ୍ୟଧିକ ମଦ୍ୟପାନ କରି ବାପା ମାଙ୍କୁ ଗାଳି ଗୁଲଜ ଦେବା ସହ , ଘରେ ନିଆଁ ଲଗାଇ ସେଠାରୁ ଫେରାର ହୋଇଯାଇଛି । ଘରେ ନିଆଁ ଲାଗିବା ପରେ ସୌଭାଗ୍ୟ ବଶତଃ ବାପା ମା ଘର ଭିତରୁ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ । ପୁଅର ଏପରି କାର୍ଯ୍ୟରେ ବାପା ମା ଭୟଭୀତ ହୋଇଯାଇଥିଲେ । ମଦୁଆ ପୁଅକୁ କିଛି ବି କହିବାକୁ ସାହାସ ବାନ୍ଧି ପାରି ନ ଥିଲେ । ରେଢାଖୋଲରୁ ଦମକଳ ଗାଡି ଯାଇ ନିଆଁକୁ ଆୟତ କରିଥିଲା । ବହୁ ଜିନିଷ ପତ୍ର ନିଆଁରେ ଜଳିପୋଡି ନଷ୍ଟ ହୋଇଯାଇଥିଲା । ବାପା ବଲ୍ଲଭ ପ୍ରଧାନ ପୁଅ ନାଁରେ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ରେଢାଖୋଲ ଥାନାଧିକାରୀ ସୂତ୍ରରୁ ପ୍ରକାଶ । କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୁରଣ ଦେବାକୁ ଦାବି ହେଉଛି ।

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇର ହୋଟେଲ୍‌ରେ ଅଗ୍ନିକାଣ୍ଡ : 25 ଜଣ ଡାକ୍ତରଙ୍କୁ ଉଦ୍ଧାର କଲେ ଦମକଳ ବାହିନୀ

ମୁମ୍ବାଇ : କରୋନାର ମହାସଂକଟ ସମୟରେ ଦେଶର କିଛି ଜାଗାରେ ପ୍ରତ୍ୟେକ ଦିନ ଅଗ୍ନିକାଣ୍ଡର ଘଟଣା ସାମ୍ନାକୁ ଆସୁଛି। ମୁମ୍ବାଇର ମରିନ୍‌ ଡ୍ରାଇଭ୍‌ ନିକଟସ୍ଥ ହୋଟେଲ୍‌ ଫର୍ଚ୍ୟୁନ୍‌ରେ ନିଆଁ ଲାଗିଥିବାର ସୂଚନା ମିଳିଛି ।  ବୁଧବାର ବିଳମ୍ବିତ ରାତି ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି । ହୋଟେଲର ଦ୍ବିତୀୟ ମହଲାରେ ନିଆଁ ଲାଗି ଏହା ଚତୁର୍ଥ ମହଲା ପର୍ଯ୍ୟନ୍ତ ବ୍ୟାପିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ହୋଟେଲ୍‌ରେ ରହୁଥିବା 25 ଜଣ ରେସିଡେଣ୍ଟ ଡାକ୍ତରଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି  ନିଆଁ ଲାଗିବାର ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥି ସହିତ ହୋଟେଲରେ ରହୁଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇ ନଥିବା ଜଣାଯାଇଛି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର: ଅଭିଯୁକ୍ତ ଗିରଫ

ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର: ନରସିଂହପୁର ଥାନା ଅନ୍ତର୍ଗତ ବାଲିସାହି ପଞ୍ଚାୟତ ନଖପଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଘଟଣା ସମ୍ପର୍କରେ ଦମକଳ ବାହିନୀକୁ ଖବର ଦିଆଯିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ତେବେ ସେତେବେଳକୁ ୪ ବଖରା ଘର ପାଉଁଶ ହୋଇଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଜମିବାଡି ବିବାଦକୁ ନେଇ ଏହି ଘଟଣା ଘଟିଥିବା ଅଭିଯୋଗ କରାଯାଇଛି। ନଖପଡା ଗ୍ରାମର ସାରଙ୍ଗ ଅମାନ୍ତ, ବୈକୁଣ୍ଠ ଅମାନ୍ତ ଏବଂ ବିରଞ୍ଚି ଅମାନ୍ତ ତିନି ସମ୍ପର୍କୀୟ ଭାଇ। ତେବେ ଜମିଜମା ବିବାଦ କାରଣରୁ ସାରଙ୍ଗ ଏବଂ ବୈକୁଣ୍ଠଙ୍କ ସହିତ ବିରଞ୍ଚି ଅମାନ୍ତଙ୍କ ଝଗଡା ଲାଗିଥିଲା। ବିରଞ୍ଚି ଉଭୟଙ୍କ ଘରେ କିରୋସିନି ଢାଳି ନିଆଁ ଲଗାଇ ଦେବାରୁ ୪ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଥିଲା। ଏହା ସହିତ ଝିଅ ବାହାଘର ପାଇଁ ସାରଙ୍ଗଙ୍କ ଘରେ ରହିଥିବା ୧ ଲକ୍ଷ ଟଙ୍କା ପୋଡି ପାଉଁଶ ହୋଇଯାଇଥିବା ନେଇ ସାରଙ୍ଗଙ୍କ ପତ୍ନୀ ତିଳୋତ୍ତମା ପ୍ରକାଶ କରିଛନ୍ତି। ସାରଙ୍ଗ ଅମାନ୍ତ ଏବଂ ବୈକୁଣ୍ଠ ଅମାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ବିରଞ୍ଚିଙ୍କୁ ଗିରଫ କରିଛି। ଏଡି ଘଟଣା ପରେ ଗ୍ରାମର ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଚେୟାରମ୍ୟାନ ଘଟଣା ସ୍ଥଳରେ ପହଞ୍ଚି ପୀଡିତ ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦୁଇ ଶିଶୁଙ୍କ ସହିତ ନିଜକୁ ନିଆଁ ଲଗାଇଲେ ମହିଳା

ମଣିପୁରୀ : ଉତ୍ତରପ୍ରଦେଶର ମଣିପୁରୀରେ ଜଣେ ମହିଳା ନିଜ ଦୁଇ ଶିଶୁଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ନିଜର ଦୁଇ ଶିଶୁଙ୍କୁ ନିଆଁ ଲଗାଇବା ପରେ ମହିଳା ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶର ଭାତୁଆ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ମହିଳାଙ୍କ ପତି ଉପସ୍ଥିତ ନଥିବା ବେଳେ ପଡୋଶୀ କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଅଧିକ ପୋଡି ଯାଇଥିବାରୁ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା । ତିନି ଜଣଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭୁବନରେ ଅଗ୍ନିକାଣ୍ଡ : ଜଳିଗଲା 13 ବଖରା ଘର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଢେଙ୍କାନାଳର ଭୁବନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ପ୍ରଭାବରେ 13 ବଖରା ଘର ଜଳିଯାଇଛି । କୌଣସି ଜୀବନହାନି ଘଟିନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁରେ ପୋଡି ହୋଇ ପାଉଁଶ ହୋଇଛି । ଭୁବନ ବ୍ଲକ୍‌ ଅନ୍ତର୍ଗତ ମାଟିଆ ସାହିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପୋଲସରା ଶିଶୁ ମୃତ୍ୟୁ ମାମଲା : ମୃତକଙ୍କ ପରିବାରକୁ 4 ଲକ୍ଷର ସହାୟତା ରାଶି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବ୍ରହ୍ମପୁରର ପୋଲସରାରେ ଘଟିଥିବା ଶିଶୁ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ପ୍ରତ୍ୟେକ ଶିଶୁଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ପୋଲସରା ଥାନା ଖରିଛଟା ଗାଁରେ ଏକ ପାଳଗଦାରେ ନିଆଁ ଲାଗି 4 ଶିଶୁ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତିନି ଜଣ ଶିଶୁଙ୍କ ପ୍ରାଣହାନି ଘଟିଥିଲା । ତିନି ମୃତକଙ୍କ ନାମ ସାଇରାମ ଜାନି, ଦୀପକ ଗୌଡ଼ ଓ ଇତିଶ୍ରୀ ଜାନି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅଗ୍ନିକାଣ୍ଡରେ ୪ ବଖରା ସହିତ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ହଂସିଣା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯିବା ସହିତ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ହଂସିଣାର ଗୌରାଙ୍ଗ ସୂତାରଙ୍କ ଘରେ ଗତକାଲି ରାତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସବୁ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିଲା। କୁଜଙ୍ଗ ତହସିଲଦାର ପ୍ରଭାସ ଚନ୍ଦ୍ର ବେଉରାଙ୍କ ନିର୍ଦ୍ଦେଶ କ୍ରମେ ଆରଆଇ ତଦନ୍ତ କରିବା ସହିତ ଏକ ପାଲ ପ୍ରଦାନ କରିଛନ୍ତି। ପୀଡିତଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବସ୍‌ରେ ଲାଗିଲା ନିଆଁ, 40 ଗୁରୁତର

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଛି । ବସ୍‌ରେ 40 ଜଣ ଯାତ୍ରୀ ରହିଥିବାବେଳେ ସମେସ୍ତ ଗୁରୁତର ରହିଛନ୍ତି । ବସ୍‌ ଭିତରେ ଥିବା କିଛି ଯାତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଥିବାର ସୂଚନା ମିଳିଥିଲେ, ଏଥରେ କେହି ମୃତ ହୋଇଥିବାର ଖବର ମିଳିପାରିନାହିଁ । ଗୁରୁତର ଯାତ୍ରୀମାନଙ୍କୁ ମେଡ଼ିକାଲ୍‌ ପଠାଯାଉଛି । ଘଟଣାସ୍ଥଳରେ 5ଟି ଆମ୍ବୁଲାନ୍ସ ପହଞ୍ଚିଥିବାର ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ୍‌ ନିୟୋଜିତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଘର ସହ ଜଳିଗଲେ ଯୁବକ

ସମୀକ୍ଷା ବ୍ୟୁରୋ

ଆସିକା : ଆସିକାଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସହ ଜଣେ ଯୁବକ ଜୀଅନ୍ତା ଜଳି ଯାଇଥିବାର ଖବର ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଧରାକୋଟ ଥାନା ଜି. ଦାମଦରପଲ୍ଲୀ ଗ୍ରାମର । ବିଦ୍ୟୁତ ସର୍ଟସର୍କିଟ୍‌ ଯୋଗୁଁ ଏପରି ଅଘଟଣ ଘଟିଥିବାର ସୂଚନା ରହିଛି ।  ନିକଟରେ  ଗଞ୍ଜାମ ବ୍ଲକ୍‌ର ଲୁଙ୍ଗୁରି ଗ୍ରାମରେ ନିଆଁ ଲାଗି  ଦୁଇ ଭାଇଙ୍କ ପାଞ୍ଚ ବଖରା ଘର ଜଳିଯାଇଥିଲା । ସର୍ଟସର୍କିଟ୍‌ କାରଣରୁ ଏହି ନିଆଁ ଲାଗି ଯାଇଥିବାର ସୂଚନା ମିଳିଥିଲା ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଘର ଭସ୍ମ

ସମୀକ୍ଷା ବ୍ୟୁରୋ

ଗଞ୍ଜାମ : ନିଆଁ ଲାଗି ଜଳିଗଲା ଦୁଇ ଭାଇଙ୍କ ପାଞ୍ଚ ବଖରା ଘର । ଗଞ୍ଜାମ ବ୍ଲକ୍‌ ଲୁଙ୍ଗୁରି ଗାଁରେ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଦିନ ମଜୁରିଆ ହୋଇଥିବାରୁ ବାହାରେ ଥିଲେ, ଘରେ ନିଆଁ ଲାଗିଛି । ଅଗ୍ନିଶମ ବିଭାଗ ନିଆଁ ଆୟତ୍ତ ପାଇଁ ପ୍ରୟାସ ଜାରି ରଖିଛି । ତେବେ  ଏହି ଘଟଣାରେ ହୋଇଥିବା ମୃତାହତ ଓ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

Categories
ଆଜିର ଖବର

ଭୁବନେଶ୍ବରରେ ଜଳିଗଲା ବସ୍‌, କାରଣ ଅସ୍ପଷ୍ଟ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,25/12 : ଭୁବନେଶ୍ବରରେ ଜଳିଗଲା ବସ୍‌ । ସହିଦ ନଗରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବସ୍‌ଟି ହୁତୁହୁତ ହୋଇ ଜଳିଛି । ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସହିଦ ନଗରରେ ଛିଡା ହୋଇଥିବା ଅବସ୍ଥାରେ ବସ୍‌ରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଗ୍ନିକାଣ୍ଡର ତଦନ୍ତ ଜାରି ରହିଛି ।

Categories
ଆଜିର ଖବର

ଲାସଭେଗାସ୍‌ରେ ଅଗ୍ନିକାଣ୍ଡ : 6 ମୃତ, 13 ଆହତ

ନୂଆଦିଲ୍ଲୀ, 22/12 : ଆମେରିକାର ଲାସଭେଗାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଶନିବାର ଲାସଭେଗାସର ଏକ ଆପାର୍ଟମେଣ୍ଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଲାସଭେଗାସ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଯାଇଛି । ଲାସଭେଗାସର ବୋଲେଭାର୍ଡ ନର୍ଥରେ ରହିଥିବା 42 ୟୁନିଟ୍‌ର କୋଠାରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଯିବାର ଚେଷ୍ଟା କରାଯାଇଥିବା ବେଳେ 23 ଜଣ ଫସି ରହିଥିଲେ । ଉଦ୍ଧାର କାର୍ଯ୍ୟ ସମୟରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡରେ ସମୁଦାୟ 4 ଲକ୍ଷ 75 ହଜାର ଡଲାରର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

କଳାହାଣ୍ଡିରେ ଜଳିଗଲା 200 କ୍ବିଣ୍ଟାଲ ଧାନ

ସମୀକ୍ଷା ବ୍ୟୁରୋ
କଳାହାଣ୍ଡି, 22/12 : କଳହାଣ୍ଡି ଜିଲ୍ଲାର ଲୋଇସିଂହା ବ୍ଲକ୍‌ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଲୋଇସିହାଂର ଯୋଗୀସୁର୍ଡାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ 2 ଶହ କ୍ବିଣ୍ଟାଲ ଧାନ ପୋଡି ପାଉଁଶ ହୋଇଯାଇଛି । ଗାଁର ଏକ ଧାନଖଳାରେ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି । 5 ଜଣ ଚାଷୀ ଗୋଟିଏ ଧାନଖଳାରେ ଧାନ ଗଦା କରିଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । 200 କ୍ବିଣ୍ଟାଲ ଧାନ ଜଳି ଯାଇଥିବାରୁ ଚାଷୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।