ଗ୍ରୀନ୍‌ ଜୋନ୍‌ରେ ଚାଲିବ ବସ୍‌, ହେଲେ ଦେବାକୁ ପଡିବ ଦୁଇଗୁଣ ଭଡା

Published: May 12, 2020, 12:01 pm IST

ଭୁବନେଶ୍ବର: ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବାର ବ୍ୟବସ୍ଥା କରାଯାଉଛି। କିନ୍ତୁ ଭଡା ଦୁଇଗୁଣ କରାଯିବ ବୋଲି ସୂଚନା ରହିଛି। ବସ୍‌ରେ ସାମାଜିକ ଦୂରତ୍ବକୁ ପାଳନ କରାଯିବା ପୂର୍ବକ ବସ୍‌ର କ୍ଷମତା ମୁତାବକ ସିଟ୍‌ରେ ଅଧା ଲୋକେ ବସିବାର ନିର୍ଦ୍ଦେଶ ରହିଥିବାରୁ କ୍ଷତି ହ୍ରାସ ପାଇଁ ଭଡା ଦୁଇଗୁଣା କରାଯିବ ବୋଲି ସୂଚନା ରହିଛି। ଭଡା ଦୁଇଗୁଣ ଦ୍ବାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେ ନାହିଁ। ସେପରି ଜରୁରୀ କାମ ଥିବା ଲୋକ ବି ଦୁଇଗୁଣ ଭଡା ଦେବାକୁ ପଛେଇବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦିନେ ଦୁଇ ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଗ୍ରୀନ୍‌ ଜୋନ୍‌ରେ ଯାତ୍ରୀବାହୀ ବସ୍‌ ଚଳାଚଳକୁ ଅନୁମତି ମିଳିଥିଲା। ତେବେ ବସରେ 50% ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ବସ୍‌ ମାଲିକମାନେ କ୍ଷତି ଆଶଙ୍କାରେ ବସ୍‌ ନ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ବସରେ ଥିବା ଧାର୍ଯ୍ୟ ସିଟ୍‌ ଠାରୁ ଅଧା ସଂଖ୍ୟକ ଯାତ୍ରୀଙ୍କୁ ନେବା ଆଣିବାରେ ବସ୍‌ ମାଲିକଙ୍କ କ୍ଷତି ହେଉଥିବା ଯୋଗୁଁ ସେମାନେ ବସ୍‌ ନ ଚଳାଇବାକୁ  ନିଷ୍ପତ୍ତି ନେଇଥିଲେ।

Related posts