Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବେଳାଭୂମିରୁ ମୃତଦେହ ଉଦ୍ଧାର, ପରିଚୟ ମିଳିପାରି ନାହିଁ

ବ୍ରହ୍ମପୁର( କୈଳାସ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ବେଳାଭୂମି ରେ ନିୟୋଜିତ ଲାଇଫ୍ ଗାର୍ଡ କର୍ମଚାରୀ ଙ୍କ ଦ୍ଵାରା ଭାସୁଥିବା ଅବସ୍ଥାରେ ଏକ ଶବ ଉଦ୍ଧାର କରାଯାଇଛି। କିନ୍ତୁ ମ୍ରୁତ ବ୍ୟକ୍ତି ର ପରିଚୟ ମିଳିନାହିଁ।ତାର ବୟସ ପାଖାପାଖି ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବଡଡାକ୍ତରଖାନା ଶବ ସଂରକ୍ଷିତ ଗ୍ରୁହରେ ରଖିଛନ୍ତି ଓ ମ୍ରୁତ ଯୁବକ ର ପରିଚୟ ଖୋଜୁଥିବା ଜଣାପଡିଛି।

ଏତଦବ୍ୟତୀତ ବେଳାଭୂମି ନିକଟରୁ ଏକ ସାଇକେଲ ଓ ସାର୍ଟ ମିଳିଛି। ଗୋପାଳପୁର ପୋଲିସ ଏ ନେଇ ନଂ ୩୦/୨୦୨୩ ଅନୁଯାୟୀ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ଚଳାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ପୁରୀ ଏବଂ ଗୋପାଳପୁର ଦେଶର ସ୍ବଚ୍ଛ ସମୁଦ୍ରକୂଳ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,03/01: ଦେଶର ସ୍ବଚ୍ଛ ବିଚ୍‌ର ମାନ୍ୟତା ପାଇଛି ଓଡିଶାର ପୁରୀ ଏବଂ ଗୋପାଳପୁର ସମୁଦ୍ରକୂଳ । ନ୍ୟାସନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ ପକ୍ଷରୁ ଏହି ତଥ୍ୟ ଶୁକ୍ରବାର ଦିନ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇ ଏହି ସୂଚନା ଦିଆଯାଇଛି । ତାଲିକାରେ ପୁରୀ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଗୋପାଳପୁର ଦ୍ବିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ତାମିଲନାଡୁର ଥିରୁଭାଞ୍ଜୁର, ଚତୁର୍ଥରେ କେରଳର କାଝାକୁଟ୍ଟାମ ଏବଂ ପଞ୍ଚମ ସ୍ଥାନରେ ଗୁଜରାଟର ଡୁମାସ୍‌ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଓଡିଶାର ବିଭିନ୍ନ ସମୁଦ୍ରତଟରୁ 478.2 କିଗ୍ରା ବର୍ଜ୍ୟବସ୍ତୁ ଉଦ୍ଧାର କରାଯାଇଥିଲା ।

Categories
ବିଶେଷ ଖବର

ବ୍ରହ୍ମପୁର ହର୍ବାଲ ମେଳା ଗୋପାଳପୁରରେ କାହିଁକି?

ସମୀକ୍ଷା ବ୍ୟୁରୋ

ଆୟୁର୍ବେଦ ଜଡ଼ିବୁଟି ଚିକିତ୍ସା ପରମ୍ପରାକୁ ଗଂଜାମର ଅବଦାନ ଅତୁଳନୀୟ। ଏଇ ମାଟିରେ କବିରାଜ ଚିକିତ୍ସା ବେଶ୍ ସମୃଦ୍ଧ। ଦିନଥିଲା ଲୋକମାନେ କେବଳ ଆୟୁର୍ବେଦ ଚିକିତ୍ସା ପାଇଁ ଆସିକା, ବ୍ରହ୍ମପୁର, କବିସୂର୍ଯ୍ୟନଗର ଓ ଅବିଭକ୍ତ ଗଜପତିର କାଶୀନଗରକୁ ଚିହ୍ନୁଥିଲେ। ସେ ସମୟରେ ଘରେ ଘରେ ଆୟୁର୍ବେଦ ଚିକିତ୍ସା ହଁ ଥିଲା ସମସ୍ତଙ୍କ ପ୍ରିୟ। ଆୟୁର୍ବେଦର ଏନ୍ତୁଡି ଶାଳ ହେଉଛି ଗଞ୍ଜାମ ଜିଲ୍ଲା। ଆଜକୁ 10ରୁ 11 ବର୍ଷ ତଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ସ୍ଥାନୀୟ ସିଟି ହାଇସ୍କୁଲ ଖେଳପଡ଼ିଆଠାରେ ପ୍ରଥମ ବ୍ରହ୍ମପୁର କଳିଙ୍ଗ ହର୍ବାଲ୍‌ ମେଳାର ଆୟୋଜନ କରାଯାଇଥିଲା। ପ୍ରଥମ ତିନିବର୍ଷ ତିନିଦିନ ଧରି ଚାଲି ଆସୁଥିବା ଏହା ଲୋକଙ୍କ ପ୍ରିୟଭାଜନ ହେବା ପରେ ଏହାକୁ ପାଞ୍ଚଦିନକୁ ବଢ଼ାଇ ଦେବା ଔଷଧୀୟ ସଂସ୍ଥା ଭୁବନେଶ୍ୱର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଡ଼ିଏଫ୍ଓ ବ୍ରହ୍ମପୁର ଅଧ୍ୟକ୍ଷତାରେ ହେଉଥିବା ଏଇ ହର୍ବାଲ ମେଳାରେ ରାଜ୍ୟର କୋଣନୁକୋଣରେ ଜଡ଼ିବୁଟି ବୈଦ୍ୟମାନେ ଆସି ପସରା ମେଲାଇ ବସିବା ସହ ପ୍ରାଚୀନ ବୈଦ୍ୟ ପରମ୍ପରା, ବୃକ୍ଷ, ଲତା, ଚେରମୂଳ, ପତ୍ର ଓ ବିଭିନ୍ନ କିସମର ଔଷଧୀୟ ବୃକ୍ଷଲତା ବିକ୍ରି କରିବା ସହ ପ୍ରତ୍ୟେକ ଷ୍ଟଲରେ ରୋଗୀ ମଧ୍ୟ ଚିକିତ୍ସା ସେବା ପାଉଥିଲେ। ୫୦ ଗୋଟି ଷ୍ଟଲରେ ବିକ୍ରି ହେଉଥିବା ଜଡ଼ିବୁଟି ଔଷଧ ନିଶ୍ଚୟ ସହରବାରସୀଙ୍କୁ ଖୁସୀ କେବଳ ଦେଉନଥିଲା ବରଂ ବ୍ରହ୍ମପୁରବାସୀଙ୍କୁ ବେଶ୍ ସ୍ୱାସ୍ଥ୍ୟସେବାର ଉପକାର କରି ଆସୁଥିଲା। କିନ୍ତୁ ବିଗତ ତିନିବର୍ଷ ଧରି ଆଉ ହର୍ବାଲ ମେଳା ଆୟୋଜନ ବ୍ରହ୍ମପୁର ନହେବା ଫଳରେ ଅନେକଙ୍କ ମନରୁ ଏଇ ଆଶା ଲିଭିଗଲା ଯେ ଆଉ ବିଶୁଦ୍ଧ ଜଡ଼ିବୁଟି ଚେରଲତା ଦେଖିବାକୁ କୌଣସି ମେଳାରେ ମିଳିବ ନାହିଁ। ଏଇ ମେଳା ଆୟୋଜନର ଶ୍ରେୟ ରାଜ୍ୟ ଜଂଗଲ ଓ ପରିବେଶ ବିଭାଗର ଅଧିକାରୀଙ୍କୁ ନିଶ୍ଚୟ ଯିବ । ସେମାନଙ୍କ ଆନ୍ତରିକ ଉଦ୍ୟମ ନିଷ୍ଠା ଓ ପ୍ରଚେଷ୍ଟାରୁ ସୁଫଳ ହୋଇ ଆସୁଥିବା ହର୍ବାଲ ମେଳା ଲୋକମାନଙ୍କ ହୃଦୟ ଜିଣିଥିଲା।

କିନ୍ତୁ ଏଇ ବର୍ଷ ଦୁଇବର୍ଷର ବ୍ୟବଧାନ ପରେ ଗୋପାଳପୁର ବେଳାଭୂମି ମହୋତ୍ସବ ସହ ଯୋଡ଼ି ଦେଇ ହର୍ବାଲ ମେଳା ସମୁଦ୍ର ବେଳାଭୂମିରେ ହେଉଛି। ଏହା ପଛର ରହସ୍ୟ କ’ଣ। କାହାର ଚାପରେ ବ୍ରହ୍ମପୁର ହର୍ବାଲ ମେଳା ଗୋପାଳପୁରରେ। ବ୍ରହ୍ମପୁରବାସୀଙ୍କ ପାଇଁ ବ୍ରହ୍ମପୁର ହର୍ବାଲ ମେଳା ବହୁ ଗୁରୁତ୍ୱବହନ କରେ। ସ୍ୱାସ୍ଥ୍ୟସେବା ଜଡ଼ିବୁଟି ବିକ୍ରି ଓ ବିଜ୍ଞାନ ସମ୍ମତି ବୌଦ୍ଧିକ ଆଲୋଚନା ଚକ୍ର ଓ ସାଂସ୍କୃତିକ ବିଚିତ୍ରା। କାର୍ଯ୍ୟକ୍ରମର ଅନନ୍ୟ ସଂଦେଶ ଦେଉଥିବା ବ୍ରହ୍ମପୁର ହର୍ବାଲ ମେଳା ବ୍ରହ୍ମପୁରଠାରେ ପୁଣି ଆୟୋଜନ କରିବା ପାଇଁ ସାଧାରଣରେ ଦାବି ହେଉଛି। ବ୍ରହ୍ମପୁର ହର୍ବାଲ ମେଳା ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଥିବା ସତ୍ତେ୍ୱ ଏକ ଜାତୀୟ ଉତ୍ସବ ସହ ଯୋଡ଼ିବାରେ ଯେଉଁମାନେ ଏଇ ପ୍ରୟାସ କରିଛନ୍ତି ନିଶ୍ଚୟ ପୁଣି ଥରେ ଅନୁଶୀଳନୀୟ ବିଷୟ।

ବ୍ରହ୍ମପୁର ହର୍ବାଲ ମେଳା ପାଇଁ ଦାବି ଉଠିଲାଣି। ରାଜ୍ୟ ଜଂଗଲ ପରିବେଶ ବିଭାଗ ଓ ରାଜ୍ୟ ଔଷଧୀୟ କର୍ତ୍ତୃପକ୍ଷ ନିଶ୍ଚୟ ଲୋକଙ୍କ ଦାବିକୁ ମାନିନେଇ ଏଠାରେ ହର୍ବାଲ ମେଳାର ସଂସ୍କରଣଟିଏ କରିବା ଆବଶ୍ୟକ। ଯେଉଁମାନେ ହର୍ବାଲ ମେଳାରୁ ଲାଭ ପାଉଥିଲେ ତାଙ୍କୁ ହତାଶ କରି ଗୋପାଳପୁର ବେଳାଭୂମି ମହୋତ୍ସବରେ କରିବା ଦ୍ୱାରା ପ୍ରକୃତ ଲାଭ ପାଉଥିବା ରୋଗୀ ଓ ଆୟୁର୍ବେଦ ପ୍ରେମୀ ହତାଶ ହେବେ।

ହର୍ବାଲ ମେଳାକୁ ନେଇ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା:

ଡା. ସାଗର ରଂଜନ ତ୍ରିପାଠୀ: ଡାକ୍ତର ସାଗର ରଂଜନ ତ୍ରିପାଠୀ ହର୍ବାଲ ମେଳାର ଅନ୍ୟତମ ସଂଯୋଜକ ତଥା କଳିଙ୍ଗ ହର୍ବାଲ ମେଳା ସମ୍ମାନିତ ପ୍ରତିଭା କହିଛନ୍ତି ଯେ ବ୍ରହ୍ମପୁର ସହରରେ ଏପରି ମେଳା ଆୟୋଜନ ଆୟୁର୍ବେଦ ପ୍ରେମୀଙ୍କ ପାଇଁ ଏକ ସୁଖଦ ଅନୁଭୂତି ଥିଲା। ଜଂଗଲ ଓ ପରିବେଶ ବିଭାଗ ଓ ରାଜ୍ୟ ଔଷଧୀୟ ବୋର୍ଡ଼ପୁନର୍ବାର ବିଚାର କରି ଏହି ମେଳା ଆୟୋଜନ କରିଲେ ବହୁ ପ୍ରତିକ୍ଷୀତ ଆଶା ପୂରଣ ହେବ। ଅନେକ ଲୋକ ବ୍ରହ୍ମପୁର ସହରରେ ଏହି ମେଳାକୁ ଅପେକ୍ଷା କରି ବସିଥାନ୍ତି। ଏପରି ବିଚାରକୁ ସରକାର ସମ୍ମାନ ଜଣାଇଲେ ମୋ ପରି ଅନେକ ଆୟୁର୍ବେଦ ଚିକିତ୍ସାପ୍ରେମୀ ଖୁସି ହେବେ। ଏହି ମେଳା ଆୟୋଜନ ରାଜ୍ୟ ସରକାରଙ୍କ ଜଂଗଲ ବିଭାଗର ଏକ ବଳିଷ୍ଠ ପରିକଳ୍ପନା।

ଡା.ପିଏସ୍ଏନ୍ ପାତ୍ର: ଦୀର୍ଘବର୍ଷ ଧରି ବ୍ରହ୍ମପୁରଠାରେ ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ରରେ ଆୟୋଜିତ ହର୍ବାଲ ମେଳା ଅନେକ ଳୋକଙ୍କ ପାଇଁ ସୁଖଦ ଅନୁଭବ। ଆଦିବାସୀ ଅଧ୍ୟୁଷିତ ଅଂଚଳର ଦୂରଦୂାନ୍ତରୁ ଆସିଥିବା ଜଡ଼ିବୁଟି ବୈଦ୍ୟଙ୍କ ଅନୁଭବ ଚିକିତ୍ସା ସହ ସଂପର୍କ ଯୋଡ଼ି ଦିଏ ଏହି ହର୍ବାଲ ମେଳା। ଜନସାଧାରଣଙ୍କ ସମାଗମ ପ୍ରଭାବଶାଳୀ ସଂଦେଶ ଦେବା ସହ ଦକ୍ଷିଣ ଓଡ଼ିଶାର ଜଡ଼ିବୁଟି ଔଷଧୀୟ ଗୁଣ ଓ ଉପକାରିତା ସଂପର୍କରେ ଜାଣିବାର ଅବସର ଥିଲା। ଏପରି ସୁନ୍ଦର ମେଳା ଆୟୋଜନ ସହରବାସୀଙ୍କୁ ଆୟୁର୍ବେଦ ଚିକିତ୍ସା ପ୍ରତି ଏକ ଆଗ୍ରହ ପ୍ରକାଶର ଅବସର ଦିଏ। ଏଣୁ ବ୍ରହ୍ମପୁର ସହରରେ ଏହା ଆୟୋଜନ ହେଲେ ଅନେକ ଉପକୃତ ହେବେ।

ସ୍ୱରୂପା ତ୍ରିପାଠୀ: ଗଂଜାମ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ କହିଥିଲେ ଯେ ଏହା ବିଜେଡ଼ି ସରକାରଙ୍କ ମନମୁଖୀ ପଦକ୍ଷେପ। କାରଣ ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ତଥା ଭାରତର ଅତି ପୁରାତନ ଆୟୁର୍ବେଦ ଚିକିତ୍ସା ସହ ଆୟୁର୍ବେଦ ଡ଼ାକ୍ତରଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧାରକୁ ଠେଲିଦେଉଛନ୍ତି। ହର୍ବାଲ ମେଳା ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ଏହା ଗୋପାଳପୁର ବେଳାଭୂମି ମହୋତ୍ସବର ଯୋଡ଼ିଦେବା ଅତି ଦୁର୍ଭାଗ୍ୟ। କାରଣ ଗୋପାଳପୁର ବେଳାଭୂମି ମହୋତ୍ସବ ଏକ ସାଂସ୍କୃତିକ କର୍ଯ୍ୟକ୍ରମ ହୋଇଥିବାବେଳେ ଏହା ଦେଖିବାକୁ ଭିଡ଼ ଜମାଇଥାନ୍ତି। ଏହି ପରିପ୍ରେକ୍ଷୀରେ ହର୍ବାଲ ମେଳା ଫିକା ପଡ଼ିଯିବ। ତେଣୁ ହର୍ବାଲ ମେଳା ବ୍ରହ୍ମପୁରରେ ହେଲେ ପ୍ରଚାର ଏବଂ ପ୍ରସାର ହୋଇପାରିଥାନ୍ତା। କେଉଁ ପରିସ୍ଥିତିରେ କିଛି ସ୍ୱାର୍ଥ ହାସଲକାରୀ ବ୍ୟକ୍ତିତ୍ୱମାନେ ବ୍ରହ୍ମପୁରରେ କରାଇନଦେଇ କେବଳ ଅର୍ଥ ଯୋଗାଡ଼ ପାଇଁ ଗୋପାଳପୁରଠାରେ ଏହି ମେଳା ଆୟୋଜନ କରୁଛନ୍ତି। ଯାହାକୁ ମୁଁ ତୀବ୍ର ନିନ୍ଦା କରୁଛି।

ଅଶୋକ ବେହେରା: ବ୍ରହ୍ମପୁର ଏସିଏଫ୍ ବ୍ରହ୍ମପୁର ଡ଼ିଭିଜନ ଅଶୋକ ବେହେରା କହିଥିଲେ ପୂର୍ବବର୍ଷଗୁଡ଼ିକରେ ଏହି ମେଳା ବ୍ରହ୍ମପୁରରେ ଅନୁଷ୍ଠିତ ହେଉଥିôବାବେଳେ ଚଳିତ ଥର ଏହା ଗୋପାଳପୁରରେ ହେବାକୁ ଯାଉଛି। ଏହାଦ୍ୱାରା ଅଧିକ ଲୋକ ଏହି ମେଳାର ସୁଫଳ ପାଇପାରିବେ ଏବଂ ଜଡ଼ିବୁଟି ଚିକିତ୍ସାର ପ୍ରଚାର ପ୍ରସାର ହେବ। ବ୍ରହ୍ମପୁରରେ ହୋଇଥିଲେ ମଧ୍ୟ ଅଧିକ ଗୁରୁତ୍ୱ ଦେଇପାରିଥାନ୍ତା ବୋଲି କହିଥିଲେ।

ସୁଧାଂଶୁ ପଣ୍ଡା: ବରିଷ୍ଠ ଆଇନଜୀବୀ ତଥା ଗଂଜାମ ବାର୍ ଏସୋସିଏସନ୍ର ପୂର୍ବତନ ସଭାପତି ସୁଧାଂଶୁ ପଣ୍ଡା ଏହି ହର୍ବାଲ ମେଳା ବ୍ରହ୍ମପୁରରେ ନହେବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବ ଭଳି ଏକ ବଡ଼ ଆୟୋଜନ ମଧ୍ୟରେ ଏହି ମେଳା ହେଲେ ଏହାର ସଠିକ୍ ସୁଫଳ ଲୋକ ପାଇପାରିବେ ନାହିଁ। ବ୍ରହ୍ମପୁରରେ ହୋଇଥିଲେ ଅଧିକରୁ ଅଧିକ ଲୋକ କେବଳ ଗୋଟିଏ ଉଦ୍ଦେଶ୍ୟ ନେଇ ଯାଇ ଏହାର ସୁଫଳ ପାଇପାରିଥାନ୍ତେ। ବିଜେଡ଼ିର କିଛି ସ୍ୱାର୍ଥନ୍ୱେଷୀ ନେତା ଏହାକୁ ଚକ୍ରାନ୍ତ କରି ବ୍ରହ୍ମପୁରରୁ ଗୋପାଳପୁରକୁ ସ୍ଥାନାନ୍ତର କରିଛନ୍ତି। କାରଣ ଏହି ମେଳାର ଲାଭାଂଶରେ ସେମାନେ ନିଜ ପକେଟ୍ ଗରମ କରିବା ସହ ମହୋତ୍ସବରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ଭରଣ କରିପାରିବେ।

ଡ.ସୁବ୍ରତ ସାହୁ: ମିଳିତ ହାତ୍ୟ ଯୋଗ କେନ୍ଦ୍ର ସଭାପତି ତଥା ଆଇନଜୀବୀ ଡ. ସୁବ୍ରତ କୁମାର ସାହୁ ପୂର୍ବବର୍ଷଗୁଡ଼ିକର ବ୍ରହ୍ମପୁରରେ ଆୟୋଜିତ ହର୍ବାଲ ମେଳାର ସୁଖଦ ଅନୁଭୂତି କହିଥିଲେ। ଏହି ମେଳା ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଆଦବିାସୀ ଅଧ୍ୟୁଷିତ ଅଂଚଳର କିଛି ଲୁଚି ଯାଇଥିବା ଜଡ଼ିବୁଟି ବୈଦ୍ୟ ଏଠାକୁ ଆସି ନିଜର ପ୍ରତିଭା ଦେଖାଇପାରିଥାନ୍ତେ। ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ସମାନ୍ତରାଳ ସମୟରେ ଏହା ଆୟୋଜନ ହେଲେ ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ୍ ରହି ଏହି ମେଳା ଫିକା ପଡ଼ିଯିବାର ସମ୍ଭାବନା ରହିଛି।

Categories
ଆଜିର ଖବର

ଆରମ୍ଭ ହେଲା ଫନିର ତାଣ୍ଡବ, ପୁରୀଠାରୁ ମାତ୍ର 80 କିମି ଦୂରରେ ରହିଛି ଫନି, କିଛି ସମୟ ପରେ କରିବ ଭୂମିସ୍ପର୍ଶ

ଫନିର ପ୍ରଭାବ ବର୍ତ୍ତମାନ ଉପକୂଳ ଓଡିଶାରେ ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଜଗତସିଂହପୁର, କେନ୍ଦ୍ରାପଡା,ଭୁବନେଶ୍ବର,ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ପ୍ରଭୃତି ଜିଲ୍ଲାରେ ପବନ ସହିତ ଝଡବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ତାଜା ସୂଚନା ଅନୁସାରେ ବର୍ତ୍ତମାନ ଫନି ପୁରୀର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋବସାଗରଠାରୁ 80 କିଲୋମିଟର, ଦକ୍ଷିଣପୂର୍ବ ଗୋପାଳପୁରଠାରୁ 65 କିଲୋମିଟର ଏବଂ ବିଶାଖପାଟଣାମ୍ର ପୂର୍ବ-ଉତ୍ତରପୂର୍ବ 280 କିଲୋମିଟର ଦୂରରେ ରହିଛି ଫନି। ବର୍ତ୍ତମାନ ଘଣ୍ଟାକୁ 185 କିଲୋମିଟରରେ ବେଗରେ ପବନ ବହୁଥିବାର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଘଣ୍ଟାକୁ 200 କିଲୋମିଟର ବେଗର ପବନ ବହିବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରୁ ଏହାର ପ୍ରଭାବ ଧିରେ ଧିରେ ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଗୋପାଳପୁରରେ 15 ସେଣ୍ଟିମିଟର, ପୁରୀରେ 10 ସେମି,ଭୁବନେଶ୍ବରରେ 5 ସେମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଏହି ସମୟରେ ପବନରେ ବେଗ ଘଣ୍ଟାକୁ 53 କିଲୋମିଟର ଥିଲା। ଆଉ ଅଳ୍ପ ସମୟ ମଧ୍ୟରେ ଫନି ଭୂମି ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି।

Categories
ବିଶେଷ ଖବର

“ଫନି” ଏହି ଶଦ୍ଦର ଅର୍ଥ କଣ ? ଏହାର ନାମ କିଏ ଦେଲା ? କେଉଁଠୁ ଆସିଲା ଏହି ନାମ ?

ସମୀକ୍ଷା ବ୍ୟୁରୋ

ଫନି ବାତ୍ୟା ବର୍ତ୍ତମାନ ଓଡିଶା ମୁହାଁ ହେଉଛି, ଏହା ସ୍ଥଳଭାଗକୁ ଖୁବ ଶିଘ୍ର ଛୁଇଁବ। ଏହାକୁ ନେଇ ରାଜ୍ୟ ପ୍ରଶାସନଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ଲୋକମାନେ ସମସ୍ତେ ତତ୍ପତରତା ପ୍ରକାଶ କରିଛନ୍ତି। ତେବେ ‘ ଫନି ‘ ବୋଲି କହାଯାଉଥିବା ଏହି ଶଦ୍ଦର ପ୍ରକୃତ ଅର୍ଥ କଣ ? ଏପରି ନାମକରଣ କିପରି ହୁଏ ? ଏହାକୁ କିଏ ନାମକରଣ କରେ ? ଏପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନଭିତରେ ଆସେ। ହେଲେ କିଛି ଲୋକଙ୍କୁ ଏହି କଥା ଜଣା ଥିବା ବେଳେ ବହୁ ଲୋକଙ୍କୁ ଏହା ପଛର ରହସ୍ୟ କଣ , ତାହା ଜଣା ନ ଥାଏ।

ପ୍ରଥମେ ଆସନ୍ତୁ ଜାଣିବା ପ୍ରକୃତରେ ଏହି ଫନି ଅର୍ଥ କଣ ?

‘ ଫନି ‘ ହେଉଛି ବାଙ୍ଗାଲଦେଶର ଏକ ଶଦ୍ଦ । ଯାହାର ଓଡିଆରେ ଅର୍ଥ ହେଉଛି ସାପ। ଏହାକୁ ଇଂରାଜୀରେ FANI ବୋଲି ଲେଖାଯାଏ। ହେଲେ ଏହାକୁ ଉଚ୍ଚାରଣ କଲାବେଳେ ଫୋନି ବୋଲି ଉଚ୍ଚାରଣ କରିବାକୁ ପଡିଥାଏ। କାରଣ ବାଙ୍ଗାଲଦେଶରେ ସେହିପରି ଉଚ୍ଚାରଣ କରାଯାଇଥାଏ। ଓଡିଶାରେ ସାଧାରଣତଃ ସାପ ଯେତେବେଳେ ମୁଣ୍ଡ ଟେକିଥାଏ ସେତେବେଳେ ତାହାକୁ କୁହାଯାଏ ସାପ ଫଣା ଟେକିଲା ବା ଫଣା। ତେଣୁ ବାଙ୍ଗାଲଦେଶର ଫନି ବା ସାପ ସହିତ ଓଡିଶାର ଫଣା ସହିତ ସାମଞ୍ଜସ୍ୟ ରହୁଥିବାର ପରିଲକ୍ଷିତ ହୋଇଛି।

ବାତ୍ୟାର ନାମକରଣ କିପରି କରାଯାଏ ?

ପ୍ରକୃତରେ ବାତ୍ୟାର ନାମକରଣ କରିବା କେତେକ ନିୟମ ରହିଛି। ଏହି ନିୟମ ବିଶ୍ବ ପାଣିପାଗ ସଂସ୍ଥା ବା world meteorological Organization ବା WMO ଦ୍ବାରା ନିର୍ଦ୍ଧାରିତ ହୋଇଥାଏ। ଏହି ସଂସ୍ଥା ବିଭିନ୍ନ ଦେଶକୁ ମୁଖ୍ୟତଃ ସମୁଦ୍ର କୂଳିଆ ଦେଶକୁ ନାମ ଦେବା ପାଇଁ ନିର୍ଦ୍ଦେଶ ଦେଇଥାଏ। ସେହି ଅନୁସାରେ ସମୁଦ୍ର କୂଳିଆ ଦେଶ ସେଠାରେ ଥିବା ଆଞ୍ଚଳିକ ଗ୍ରୀଷ୍ମ ମଣ୍ଡଳକୁ ଏହି ତାଲିକା ପ୍ରଦାନ କରିଥାଏ। ବିଭିନ୍ନ ମହାସାଗର ସହିତ ଥିବା ଦେଶରୁ ଆସିଥିବା ନାମକୁ ଅଲଗା ଭାବେ ବିଚାର କରାଯାଇ ଗୋଟିଏ ନାମକୁ ବଛା ଯାଇଥାଏ। ସେହି ଅନୁସାରେ ଉତ୍ତର ଭାରତୀୟ ମହାସାଗର ଦେଶରୁ ଆସିଥିବା ନାମଗୁଡିକ ଅଲଗା ଭାବେ ବିଚାର କରାଯାଇଥାଏ। ଉତ୍ତର ଭାରତ ମହାସାଗର ଦେଶ ମଧ୍ୟରେ ରହିଛି ଭାରତ, ଶ୍ରୀଲଙ୍କା,ବାଙ୍ଗାଲାଦେଶ,ମାଲଦ୍ବୀପ, ମିଆଁମାର, ଓମାନ, ପାକିସ୍ଥାନ ଏବଂ ଥାଇଲାଣ୍ଡ। ଏହି ଦେଶରୁ ଆଠଟି ଲେଖାଏଁ ନାମ ପଠାଇବା ପାଇଁ କୁହାଯାଇଥାଏ। ବାତ୍ୟା ଆସିଲେ 8 ଟି ଦେଶରୁ ଆସିଥିବା ମୋଟ 64ଟି ନାମରୁ ଗୋଟିଏ ନାମ ବଛାଯାଇଥାଏ ନାମକରଣ କରାଯାଇଥାଏ। ସେହିଅନୁସାରେ ବାଙ୍ଗଲାଦେଶ ପଠାଇଥିବା ଫନି ଅନୁସାରେ ଏହି ବାତ୍ୟାର ନାମ ଫନି ରଖାଯାଇଛି।

ନାମ ପଠାଇବାର କଣ ରହିଛି ନିୟମ ?

ଯେଉଁ ଦେଶକୁ ନାମ ଦେବା ପାଇଁ କୁହାଯାଇଥାଏ ସେମାନେ କେତେକ ନିତିନିୟମ ଭିତରେ ନାମଗୁଡିକ ପଠାଇବାକୁ ପଡିଥାଏ। ମୁଖ୍ୟତଃ ଯେଉଁ ନାମ ପଠାଇବେ ତାହା ଯେପରି କଷ୍ଟକର ଶଦ୍ଦ ହୋଇ ନ ଥିବା ସେଥିପ୍ରତି ସେହି ଦେଶ ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ପଠାଯାଉଥିବା ଶଦ୍ଦଟି ବଡ ହୋଇ ନ ଥିବା ଆବଶ୍ୟକ। ଏହି ଶଦ୍ଦର ଅର୍ଥ ଯେପରି ଆଞ୍ଚଳିକ ସ୍ତରରେ ସମସ୍ତେ ବୁଝିପାରୁଥିବେ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ଏହାର କାରଣ ହେଲା ଏହି ଶଦ୍ଦଟି ଗଣମାଧ୍ୟମ ବ୍ୟବହାର କରିବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ସରକାର ସୁରକ୍ଷା ଏବଂ ରିଲିଫ ଦେବାରେ ଏହି ଶଦ୍ଦଟି ଯେପରି ସହଜରେ ବ୍ୟବହାର କରିପାରିବେ ସେଥିପାଇଁ ସଂକ୍ଷିପ୍ତ ଓ ସହଜ ନାମ ପଠାଇବା ପାଇଁ କୁହାଯାଇଛି।

ଭାରତ ଯେଉଁ ଆଠଟି ନାମ ପଠାଇଛି ସେଗୁଡିକ ହେଲା-ଅଗ୍ନି, ଆକାଶ, ବିଜୁଳି, ଜଳ, ଲହର, ମେଘ, ସାଗର ଏବଂ ବାୟୁ

ପୂର୍ବରୁ ତିତିଲି ବାତ୍ୟାର ନାମକରଣ ପାକିସ୍ଥାନ ପଠାଇଥିବା ନାମରୁ ବଛାଯାଇଥିଲା। ସେହିପରି 2017ରେ କେରଳରେ ଯେଉଁ ଓଖି ବାତ୍ୟା ହୋଇଥିଲା ତାହା ମଧ୍ୟ ବାଙ୍ଗଲାଦେଶର ନାମ ଥିଲା।

( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷିଲେ ବାହାରେ ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )

Categories
ବିଶେଷ ଖବର ମତାମତ

“ଫନି” ଆସୁଛି ତ ଆସୁ, ହେଲେ ତାକୁ ନେଇ ଆମ ସାମ୍ବାଦିକମାନେ ଆତଙ୍କର ମହାନାଟକ ରଚନା ନ କରନ୍ତୁ !

କେଦାର ମିଶ୍ର

ଇଂରାଜୀରେ ଗୋଟେ ପଦ ଅଛି- ଡ଼ିଜାଷ୍ଟର ଟୁରିଜମ ବା ବିପର୍ୟୟ ପର୍ୟଟନ। କୌଣସି ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ବା ମହାମାରୀ ଭଳି ସ୍ଥିତି ଆସିଲେ ଉକ୍ତ ଘଟନା ପ୍ରତି ସଂବେଦନଶୀଳ ହେବା ପରିବର୍ତ୍ତେ ଏହାକୁ ଖବର ର ଏକ ନାଟକୀୟ ପ୍ୟାକେଜ ଭାବରେ ବ୍ୟବହାର କରିବାର ଚଳଣି ଆମ ସମୟରେ ଗଣମାଧ୍ୟମରେ ବେଶ ପରିଚିତ। ଆମ ସାମ୍ବାଦିକମାନେ ପ୍ରାକୃତିକ ବିପର୍ୟୟ ସମୟରେ ଘଟୁଥିବା ମାନବୀୟ ସଙ୍କଟ ଅପେକ୍ଷା ଏହାର ରାଜନୈତିକ ଦିଗ ପ୍ରତି ଟିକେ ଅଧିକ ଆଗ୍ରହୀ। ଯେ କୌଣସି ବାତ୍ୟାର ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କୁ ଦେଖିଲେ ଆମର ମନେହେବ, ସତେକି ସେ ଜଣେ ଦୁଃସାହସୀ ଖେଳାଳୀ। ଅବଶ୍ୟ ଏଥିରେ ବିଲକୁଲ ଦ୍ଵିମତ ହେବାର ନାହିଁ ଯେ, ୨୦୦ ବା ୩୦୦ ମିଟର ପବନ ଆଗରେ କ୍ୟାମେରା ଧରି ଠିଆ ହେବା କିଛି କମ ସାହସର କଥା ନୁହଁ। ଅନେକ ସମୟରେ ଆମର ଗଣମାଧ୍ୟମ ଏ ପ୍ରକାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ମାଧ୍ୟମରେ ଲୋକଙ୍କୁ ବଡ ସାହାଯ୍ୟ ମଧ୍ୟ ଦେଇଛନ୍ତି। ତେବେ ରିପୋର୍ଟିଂ ଓ ନାଟକୀୟତା ଭିତରେ ଗୋଟେ ମୌଳିକ ପାର୍ଥକ୍ୟ ରହିଛି ବୋଲି ଆମର ସାମ୍ବାଦିକ ବନ୍ଧୁମାନେ ଭୁଲି ଯାଆନ୍ତି।

ଏକଥା କହିଲା ବେଳେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଗତ ଦୁଇଦିନ ଭିତରେ ହଠାତ ଆଳୁର ଦର କିଲୋ ପିଛା ତିନି ଟଙ୍କା ବଢି ଯାଇଛି, ତାର ଏକମାତ୍ର କାରଣ ହେଉଛି, ସମ୍ଭାବ୍ୟ ବାତ୍ୟା “ଫନି”। ଶୁଣାଯାଉଛି, ଭୀଷଣରୁ ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା “ଫନି” ସ୍ଥଳଭାଗକୁ ଅଗ୍ରସର ହେଉଛି। ପ୍ରଥମେ ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ପଡିବ ବୋଲି ଆଶା କରାଯାଉଥିଲା। ପରେ କୁହାଗଲା, ଏହା ଓଡିଶା ଉପକୂଳରେ ସାତପଡା ଓ ବାଲେଶ୍ଵର ମଝିରେ ସ୍ଥଳଭାଗ ସ୍ପର୍ଶ କରିପାରେ। ଶେଷ ଖବର ମୁତାବକ ଏହା ପୁରୀର କୃଷ୍ଣ ପ୍ରସାଦରେ ସ୍ଥଳଭାଗ ଛୁଇଁ ପାରେ। ତେବେ ବାତ୍ୟା “ମାଡି ଆସୁଛି” ବୋଲି ଏକ ପ୍ରକାର ଆତଙ୍କ ଏବେ ଆମ ଲୋକଙ୍କୁ ଘାରିଛି। ଲୋକଙ୍କୁ ବାତ୍ୟା ସମ୍ପର୍କରେ ସୂଚନା ଦେବାକୁ ଯାଇ ଆମେ ଯେଉଁ ଭାଷାର ପ୍ରୟୋଗ କରୁ, ତାହା ଅନେକାଂଶରେ ଲୋକଙ୍କୁ ଆତଙ୍କିତ ଓ ଆବଶ୍ୟକତାଠାରୁ ଅଧିକ ଭୟାଳୁ କରିଦିଏ।

ବାତ୍ୟା ସମୟରେ ସଜାଗ, ସତର୍କ ଓ ନିର୍ଭୟ ରହିବା ସବୁଠୁ ବଡ ଆବଶ୍ୟକତା। ତେବେ ଆମର ଗଣମାଧ୍ୟମର ଭାଷାରେ ଏତେ ଅଧିକ ନାଟକୀୟତା ଥାଏ ଯେ, ଟିଭି ଦେଖି ବା ଖବର କାଗଜ ପଢି ହଠାତ ଆମେ କୁଇଣ୍ଟାଲେ ଆଳୁ ବା ମହଣେ ଚୂଡା କିଣିବାକୁ ବାହାରିପଡୁ। ଅନେକ ସମୟରେ କଳାବଜାରୀ ଓ ଲାଭଖୋର ବେପାରୀ ଏହାର ଫାଇଦା ଉଠାନ୍ତି। ମୋର ଏବେବି ମନେ ଅଛି, ଫାଇଲିନ ବାତ୍ୟା ସମୟରେ ମହମବତୀ ଗୋଟାକୁ ପଚିଶ ଟଙ୍କାରେ ବିକ୍ରି ହେଲା। ଗଣମାଧ୍ୟମର ଚର୍ଚ୍ଚା ଶୁଣି ଲୋକ ଛାନିଆ ହୋଇପଡିଲେ। ଏଠି ଗଣମାଧ୍ୟମକୁ ଭାବିବାକୁ ପଡିବ ଯେ, ଲୋକଙ୍କୁ ଛାନିଆ କରିବା ଅପେକ୍ଷା ସେମାନଙ୍କୁ ସତର୍କ କରିବା ଆମର କାମ। ସତର୍କ କରିବାକୁ ଯାଇ ଆମେ ଅଧିକ ନାଟକ କାଲେ, ତାର ପ୍ରଭାବ ଗୋଟେ ବଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।

ଫାଇଲିନ, ହୁଡହୁଡ ଓ ତିତିଲି ବାତ୍ୟାରୁ ଆମେ ଅନେକ କଥା ଶିଖିବା କଥା, ହେଲେ ଆଜି ବି ଆମେ ପ୍ରତ୍ୟେକ ବାତ୍ୟାର ସମାନ ଆକଳନ କରୁଛୁ। ଗତ ତିନୋଟି ଯାକ ବାତ୍ୟାରେ ବାତ୍ୟା ପତ୍ତନ ଅଞ୍ଚଳ ତୁଳନାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଭୟଙ୍କର କ୍ଷତି କରୁଛି। ଆମର ଫୋକସ ବାତ୍ୟା ସମୟ ଅପେକ୍ଷା ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ଅଧିକ କେନ୍ଦ୍ରୀଭୂତ ହେବା ଏବେ ଜରୁରୀ ହୋଇ ପଡିଛି। ବାତ୍ୟା ପରବର୍ତ୍ତୀ ଅଚାନକ ବନ୍ୟା ଓ ଭୂ ସ୍ଖଳନ ବିଷୟକୁ ଆମେ ଗୁରୁତ୍ଵ ଦେଇ ବିଚାର କରୁନାହୁଁ। ଏ ପ୍ରସଙ୍ଗରେ ଗଣମାଧ୍ୟମ ଅଧିକ ସଚେତନତା ସୃଷ୍ଟି କରିବା ଜରୁରୀ।

କେବଳ ପବନର ବେଗ ଓ ସରକାରୀ ପ୍ରସ୍ତୁତି କଥା ନକହି, ଆଭ୍ୟନ୍ତରୀଣ ଅଞ୍ଚଳର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଆଲୋଚିତ ହେବା ଜରୁରୀ। ରକ୍ଷା ହୋଇଛି, ଇତି ମଧ୍ୟରେ ଓଡିଶାରେ ନିର୍ବାଚନ ସଋ ଯାଇଛି। ନଚେତ ଏହାକୁ ନେଇ ରାଜନୈତିକ ପବନର ବେଗ ବାତ୍ୟାର ବେଗଠୁ ବଳି ଯାଇଥାନ୍ତା। ଏବେ ଅନ୍ତତଃ ସେ ଆଶଙ୍କା ଆଉ ନାହିଁ। ୧୯୯୯ ପରଠୁ ବିପର୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ପ୍ରସ୍ତୁତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆମର ବିପର୍ୟୟ ପରିଚାଳନା ବ୍ୟବସ୍ଥା ସବୁଠୁ ଭଲ ସ୍ଥିତିରେ ରହିଛି। ତଥାପି ତିତିଲି ବାତ୍ୟା ପରେ କନ୍ଧମାଳ, ଗଜପତି ଓ ରାୟଗଡା ଜିଲାର ପାହାଡୀ ଅଞ୍ଚଳରେ ଯେଉଁ ଧାନ ଜୀବନ କ୍ଷୟ ହେଲା, ତାକୁ ରୋକିବା ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହେବା ନିତାନ୍ତ ଜରୁରୀ।

ଆମେ ଆଶା କରିବା, ଭୟଙ୍କର ଓ  ଆତଙ୍କପ୍ରଦ ଖବର ତିଆରି କରିବା ଅପେକ୍ଷା ଆମର ସାମ୍ବାଦିକମାନେ ଏହି ବନ୍ୟାରେ ଆମର ସହଯୋଗୀ ଭାବରେ ଆମ ସହିତ ରହିବେ!

(ମୋବାଇଲରେ ସଂକ୍ଷିପ୍ତ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍, ଏହାପରେ ସ୍କ୍ରିନକୁ ଘଷିଘଷି ପଢିଚାଲନ୍ତୁ ଖବର)