Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଗୋପାଳପୁର ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳି ଗସ୍ତରେ ଯିବେ। ଗୋଟିଏ ହେଲା ବହୁ ଚର୍ଚ୍ଚିତ ଗୋପାଳପୁର ଏବଂ ତାଙ୍କର ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳି। ଏହି ଦୁଇଟି ନିର୍ବାଚନ ମଣ୍ଡଳିରେ ଉଭୟ ସରକାରୀ ଏବଂ ଦଳିୟ କାର୍ଯ୍ୟକ୍ରମ ରହିଛି।

ଆଜି ଦିନ ୧୧ଟା ୧୫ରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ପହଞ୍ଚି ସେଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ଏଥିସହିତ ସେଠାରେ ସେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ଏହାପରେ ଶୀତଳାପଲ୍ଲୀଠାରେ ନିର୍ମିତ ସମ୍ ହସ୍ପିଟାଲର ନୂଆ ୟୁନିଟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ପରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ, ହରଭଙ୍ଗି ସଂପ୍ରସାରିତ ପ୍ରକଳ୍ପ, ଛେଳିଗଡ଼ ଟନେଲର ଉଦଘାଟନ ସହ ଡ୍ୟାମ ଓ ଜାନିବିଲି ବ୍ୟାରେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଆକ୍ମି କ୍ଲିନ ଏନର୍ଜି ପ୍ରାଇଭେଟ ଲିମିଟେଡର ଓ ଅଭଢା ଗୃପ ଅଫ କମ୍ପାନିଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବେଳାଭୂମିରୁ ମୃତଦେହ ଉଦ୍ଧାର, ପରିଚୟ ମିଳିପାରି ନାହିଁ

ବ୍ରହ୍ମପୁର( କୈଳାସ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ବେଳାଭୂମି ରେ ନିୟୋଜିତ ଲାଇଫ୍ ଗାର୍ଡ କର୍ମଚାରୀ ଙ୍କ ଦ୍ଵାରା ଭାସୁଥିବା ଅବସ୍ଥାରେ ଏକ ଶବ ଉଦ୍ଧାର କରାଯାଇଛି। କିନ୍ତୁ ମ୍ରୁତ ବ୍ୟକ୍ତି ର ପରିଚୟ ମିଳିନାହିଁ।ତାର ବୟସ ପାଖାପାଖି ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବଡଡାକ୍ତରଖାନା ଶବ ସଂରକ୍ଷିତ ଗ୍ରୁହରେ ରଖିଛନ୍ତି ଓ ମ୍ରୁତ ଯୁବକ ର ପରିଚୟ ଖୋଜୁଥିବା ଜଣାପଡିଛି।

ଏତଦବ୍ୟତୀତ ବେଳାଭୂମି ନିକଟରୁ ଏକ ସାଇକେଲ ଓ ସାର୍ଟ ମିଳିଛି। ଗୋପାଳପୁର ପୋଲିସ ଏ ନେଇ ନଂ ୩୦/୨୦୨୩ ଅନୁଯାୟୀ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ଚଳାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମୁଦ୍ରରେ ଗାଧୋଉଥିବା ବେଳେ ୧୦ ମ ଶ୍ରେଣୀ ଛାତ୍ର ନିଖୋଜ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତକାଲି ମଧ୍ୟାହ୍ନରେ ବ୍ରହ୍ମପୁର ଡିପଲ୍ ସ୍କୁଲର ୧୦ ମ ଶ୍ରେଣୀ ଛାତ୍ର ଆଦିତ୍ୟ ପ୍ରସାଦ ଦାସ ଅନ୍ୟ ସାଙ୍ଗ ମାନଙ୍କ ସହ ମିଶି ଗୋପାଳପୁର ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଇ ଥିଲେ। ଏହା ମଧ୍ୟରୁ ୩ ଜଣ ସମୁଦ୍ର ଭିତରକୁ ଚାଲିଯାଇଥିଲେ। ନିକଟରେ ଥିବା ଦୁଇ ଜଣ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ଦୁଇ ଛାତ୍ର କୁ ଉଦ୍ଧାର କରିଥିଲେ। କିନ୍ତୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଆଦିତ୍ୟ କୁ ପାଇନଥିଲେ।

ନିଖୋଜ ଛାତ୍ର ର ଘର ଆସ୍କା ରୋଡ଼ ସୋମନାଥ ନଗର ବୋଲି ଜଣାପଡିଛି। ଖବର ପାଇ ପରିବାର ଲୋକ ମଧ୍ୟ ଆସି ଘଟଣାସ୍ଥଳରେ ବହୁତ ଖୋଜାଖୋଜି କରିବା ପରେ ସନ୍ଧାନ ନପାଇ ପୋଲିସ କୁ ଅବଗତ କରାଇଥିଲେ। ଗୋପାଳପୁର ପୋଲିସ ଏକ ନିଖୋଜ ମାମଲା ୧୫/୨୩ ଅନୁଯାୟୀ ମକଦ୍ଦମା ରୁଜୁ କରି ସମୁଦ୍ର ତଟରେ ଖୋଜାଖୋଜି କରୁଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଜଳ ଦିବସ ଅବସରରେ ଗୋପାଳପୁର ବେଳାଭୂମି ସଫା କଲେ ଯୁବକ ଯୁବତୀ

ଗଞ୍ଜାମ : ବିଶ୍ୱ ଜଳ ଦିବସ ପାଳନ ଅବସରରେ ଗୋପାଳପୁର ବେଳାଭୂମି ରେ ସଫେଇ କାର୍ଯ୍ୟକ୍ରମ “SAVE BLUE, LIVE GREEN- କାର୍ଯ୍ୟ ପାଇଁ ଯୁବକଯୁବତୀ ମାନଙ୍କର ଉତ୍ସାହ ଏବଂ ଶକ୍ତି କୁ ପ୍ରେରଣା ଦେବା ” ଅନୁଷ୍ଠିତ ହୋଇଛି । ଓଡିଶା ର କ୍ଳାଇମେଟ ମ୍ୟାନ ଭାବେ ପରିଚିତ ସତ୍ୟବ୍ରତ ସାମଲ, ସାତ୍ଵିକ ସୋଲ୍ , ୟୁନିସେଫ୍, ପାଣ୍ଟିସ୍, ୟୁଥ୍ ଫର ୱାଟର୍ ପ୍ଲସ୍ ର ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା, ମହାସାଗରର ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ଯୁବକମାନଙ୍କୁ ଶିକ୍ଷା ଦେବା ଏହାର ମୁଖ୍ୟ ଉଦ୍ଧେଶ୍ୱ ଥିଲା।

ୟୁନିସେଫ୍ ସମର୍ଥିତ ୟୁଥ୍ ଫର ୱାଟର୍ ପ୍ଲସ୍ ଅଭିଯାନର ଏକ ଅଂଶ ଭାବରେ,ଏହି କାର୍ଯ୍ୟକ୍ରମ ଜାତିସଂଘ-ଜଳ ସମ୍ମିଳନୀ ଏବଂ ବିଶ୍ୱ ଜଳ ଦିବସ ସହିତ ଜଡିତ। ଏହି ବିଶ୍ୱ ଜଳ ଦିବସରେ ଯୁବକଯୁବତୀ ମାନେ ସମୁଦ୍ର କୂଳ, ଜଳପଥ ଏବଂ ଅନ୍ୟାନ୍ୟ ଜଳସ୍ରୋତରୁ ଅଳିଆ ଆବର୍ଜନା ହଟାଇବା, ଜଳ ଉତ୍ସ ଚିହ୍ନଟ କରିବା, ପ୍ରଦୂଷଣ ସୃଷ୍ଟି କରୁଥିବା ଆଚରଣ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଏବଂ ସାମୁଦ୍ରିକ ଆବର୍ଜନା ପରିମାଣ ଉପରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ ।

ବର୍ତ୍ତମାନ ମହାସାଗର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି। ତାପମାତ୍ରା ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି, ସମୁଦ୍ରର ଅମ୍ଳତା ବୃଦ୍ଧି ଏବଂ ବାରମ୍ବାର ଚରମ ପାଣିପାଗ ଘଟଣା ଘଟୁଛି। ଆମ ବେଳାଭୂମିରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଏବଂ ଅନ୍ୟାନ୍ୟ ପ୍ରଦୂଷକ ସାମୁଦ୍ରିକ ଜୀବନକୁ କ୍ଷତି ପହଞ୍ଚାଏ। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସହାୟକ ହୁଏ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆହୁରି ଭୟଙ୍କର କରିଥାଏ।

ଏହି ଅବସରରେ ଯୋଗ ଦେଇ ଓଡ଼ିଶାର ଜଳବାୟୁ ମ୍ୟାନ ସତ୍ୟବ୍ରତ ସାମଲ କହିଛନ୍ତି, “ଏହି ସମୁଦ୍ରକୂଳ ସଫା କରିବାର ଉଦ୍ଦେଶ୍ୟ ହେଉଛି ପୃଥିବୀ ଉପରେ ଜୀବନ ବଞ୍ଚାଇବାରେ ମହାସାଗର ଏବଂ ଜଳସମ୍ପଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ନିଜକୁ ମନେ ପକାଇବା। ଆମ ଗ୍ରହର 70% ରୁ ଅଧିକ ପାଣିରେ ଆଚ୍ଛାଦିତ ହୋଇଛି, ଏହା ଅତ୍ୟଧିକ ସମୟ ଯେ ଆମର ମହାସାଗର ଏବଂ ସମୁଦ୍ର କୂଳକୁ ପରିଷ୍କାର ଏବଂ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ଆମେ ଦାୟିତ୍ ଗ୍ରହଣ କରିବା। ଭବିଷ୍ୟତ ପିଢ଼ି ପାଇଁ ଆମର ଇକୋସିଷ୍ଟମ୍ ଏବଂ ଜଳ ସମ୍ପଦକୁ ସଂରକ୍ଷଣ କରିବା ପାଇଁ ଏହି ପରିପ୍ରେକ୍ଷୀରେ ଯୁବ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ। ”

ଅଭିଷେକ ମହାନ୍ତି, ୟୁଥ୍ ଆଙ୍କର୍, ଫିଟନେସ୍ ଏକ୍ସପର୍ଟ ଏବଂ ୟୁଥ୍ 4 ୱାଟର୍ ପ୍ଲସ୍ ବ୍ରାଣ୍ଡ ଆମ୍ବାସେଡର କହିଛନ୍ତି, “ୟୁଥ୍ ୱାଟର୍ ପ୍ଲସ୍ ର ଏକ ଅଂଶ ହୋଇ ମୁଁ ଗର୍ବିତ ଏବଂ ପୃଥିବୀକୁ ଏକ ପରିଷ୍କାର, ସବୁଜ, ସୁନ୍ଦର କରିବା ଦିଗରେ ଯୁବପିଢ଼ି ଙ୍କ ଶକ୍ତି ଯୋଗାଇବାରେ ସହଯୋଗ କରୁଛି”।

ୟୁଥ୍ ଫର ୱାଟର୍ ପ୍ଲସ୍, ପ୍ରୋଗ୍ରାମ ନିର୍ଦ୍ଦେଶକ ଜ୍ୟୋତି ଶର୍ମା କହିଛନ୍ତି, “ଯୁବକଯୁବତୀ ମାନେ ଜଳବାୟୁ କାର୍ଯ୍ୟ ପାଇଁ ଗତି ସ୍ଥିର କରି ଜାତିସଂଘର ଜଳ ସମ୍ମିଳନୀ 2023 ରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଖୁସି ର ବିଷୟ ଅଟେ।ୟୁଥ୍ 4 ୱାଟର୍ ପ୍ଲସ୍ ମାଧ୍ୟମରେ ଆମେ ସମଗ୍ର ବିଶ୍ୱରେ ଯୁବକଯୁବତୀ ମାନଙ୍କୁ ଏକାଠି କରିବାକୁ ଚାହୁଁ ଏବଂ ସେମାନଙ୍କୁ ସେମାନଙ୍କ ସ୍ଥାନୀୟ ଲୋକ ମାନଙ୍କ ପାଇଁ ଏବଂ ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ସୂତ୍ରଧାର ହେବାକୁ ସଶକ୍ତ କରିବାକୁ ଚାହୁଁଛୁ ”।

ବେଳାଭୂମି ସଫେଇ କାର୍ଯ୍ୟ ବ୍ୟତୀତ ଅଭିଷେକ ମହାନ୍ତିଙ୍କ ନେତୃତ୍ୱରେ ଏକ ଯୋଗ ଶିବିର କାର୍ୟ୍ଯକର୍ମ ଆୟୋଜିତ ହୋଇଥିଲା, ଯାହା ଯୁବକଯୁବତୀ ମାନଙ୍କୁ ମାନସିକ ଚାପ ପରିଚାଳନା, ମାନସିକ ସ୍ୱାସ୍ଥ୍ୟ , ସୁସ୍ଥ ଖାଦ୍ୟ, ଓଜନ ହ୍ରାସ ଏବଂ ଗୁଣାତ୍ମକ ଦିଗରେ ସହାୟତା କରିବା।

Categories
ବିଶେଷ ଖବର

ଗୋପାଳପୁର ମାଣ୍ଡିଆ ପଲ୍ଲୀରେ ମୋଟର ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: ଗତ କାଲି ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆ ପଲ୍ଲୀରେ ମୋଟର ଦୁର୍ଘଟଣାରେ ତିନି ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଞ୍ଚଳିକ

ରଣପୁରରେ ପ୍ରଫୁଲ୍ଲ ବ୍ୟୋମକେଶ ଫୁଟବଲ ଟୁର୍ଣ୍ଣାମେଣ୍ଟ: ବାଙ୍କିକୁ ହରାଇଲା ଖୋର୍ଦ୍ଧା

ରଣପୁର: ରଣପୁର ନିକଟସ୍ଥ ଗୋପାଳପୁର ଠାରେ ଚାଲିଥିବା ପ୍ରଫୂଲ୍ଲ ବ୍ୟୋମକେଶ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଏକ ମ୍ୟାଚରେ ବାଙ୍କିକୁ ଖୋର୍ଦ୍ଧା ୨-୦ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ପ୍ରଥମରୁ ସଂଘର୍ଷମୟ ହୋଇଥିବା ବେଳେ ଶେଷରେ ବାଙ୍କିକୁ ଖୋର୍ଦ୍ଧା ଠାରୁ ପରାଜୟବରଣ କରିବାକୁ ପଡିଥିଲା।

ଏଥିରେ ଅତିଥି ଭାବେ ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି, ରଣପୁର ତହସିଲଦାର ପ୍ରଭାକର ପଣ୍ଡା ଯୋଗ ଦେଇଥିଲେ। ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଶିକ୍ଷକ ନେତା ସେକ୍ ଅବଦୁଲ ଖାଲିକ, ଜ୍ୟୋତି ରଞ୍ଜନ ଦାଶ ଓ ସର୍ବ ଭାରତୀୟ ଫୁଟବଲ ଯୁଗ୍ମ ସମ୍ପାଦକ ଜନାବ ହଜରତ ଅଲି ଯୋଗ ଦେଇଥିଲେ।

ଆଜିର ମ୍ୟାଚର ରେଫରି ଭାବେ ବ୍ରଜହମ ରହେମନ, ମୁନା ନାୟକ, ତାପସ ରଞ୍ଜନ ସ୍ୱାଇଁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଆସନ୍ତାକାଲି ପୁରୀ ନୀଳଚକ୍ର ସ୍ପୋର୍ଟସ କ୍ଲବ ଓ ଭଞ୍ଜନଗର ସ୍ପୋର୍ଟସ କ୍ଲବ ମଧ୍ୟରେ ମୁକାବିଲା ହେବ।

Categories
Cyclone ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ! ବନ୍ଦରଗୁଡିକରେ ବିପଦ ସଂକେତ, ଆଜି ରାତିରୁ ବର୍ଷା

ଭୁବନେଶ୍ବର: ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଅବପାତ ଗତ ୬ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭କିମି ବେଗରେ ଗତିକରୁଛି।

ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆଗାମୀ ୧୨ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ସେଥିପାଇଁ ରାଜ୍ୟ ବନ୍ଦର ଗୁଡିକ ପାଇଁ  ବିପଦ ସଂକେତ -୩ ନମ୍ବର ଜାରୀ କରାଯାଇଛି। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି।

ଆଜି ରାତିରୁ ଉପକୂଳରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଦୀପାବଳିରେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଉତ୍ତର-ଉପକୂଳରେ ସାମାନ୍ୟ ଅଧିକ ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ କହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗୋପାଳପୁରରେ ଉଦଘାଟିତ ହେଲା ବିଜୁ ଆଡଭେଞ୍ଚର ପାର୍କ, ନଦୀ କ୍ରସିଂ ଜିପ୍ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ବିଜୁ ଆଡଭେଞ୍ଚର ପାର୍କର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପାର୍କ ଗୋପାଳପୁରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏଥିସହ ଯୁବକମାନଙ୍କୁ ଦୁଃସାହସିକ ଖେଳ ପ୍ରତି ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ପାର୍କର ନାମକରଣ କରାଯାଇଛି। ସେ ଜଣେ ଦୁଃସାହାସିକ ବ୍ୟକ୍ତିତ୍ବ ଥିଲେ।  ବିମାନ ଚାଳନା ଦକ୍ଷତା ତଥା ସାହସିକତା ସାରା ବିଶ୍ବରେ ସେ ପରିଚିତ ଅଛନ୍ତି। ସେଥିପାଇଁ ଏହି ପାର୍କଟି ସେହି ପ୍ରବାଦ ପୁରୁଷଙ୍କ ନାମରେ କରାଯାଇଛି। ଏହି ପାର୍କ ବିକଶିତ କରିବା ପାଇଁ ଅଢେଇ କୋଟି ଖର୍ଚ୍ଚ କରାଯାଇଛି।

ଏହି ପାର୍କରେ ଏକ ବିଶେଷତ୍ବ ହେଉଛି ନଦୀ କ୍ରସିଂ ଜିପ୍ ଲାଇନ୍। ଓଡିଶାରେ ପ୍ରଥମ ଥର ପାଇଁ 250 ମିଟର ଦୈର୍ଘ୍ୟର ଏକ ନଦୀ କ୍ରସିଂ ଜିପ୍ ଲାଇନ୍ ପ୍ରସ୍ତୁତ ହୋଇଛି। ଏହି ନଦୀ କ୍ରସିଂ ପର୍ଯ୍ୟଟକଙ୍କୁ ଶାନ୍ତ ଅନୁଭବ ସହ ଗୋପାଳପୁର ବେଳଭୂମିର ସୌନ୍ଦର୍ଯ୍ୟ ବିମୋହିତ କରିବ।

ଅନ୍ୟାନ୍ୟ ସୁବିଧା ମଧ୍ୟରେ ରହିଛି 40 ଫୁଟ ଜଏଣ୍ଟ ସ୍ୱିଙ୍ଗ୍, ଏୟାର ବନ୍ଧୁକ ଗୁଳି ଚାଳନା, ବ୍ରୁଜି ଟ୍ରମ୍ପୋଲିନ୍, ମେକାନିକାଲ୍, ଷଣ୍ଢ ରାଇଡ୍, ନେଟଟେଡ୍ କ୍ରିକେଟ୍ , ନେଟଟେଡ୍ କ୍ରିକେଟ୍ ଏବଂ ଅଲ୍-ଟେରେନ୍-ଯାନ ଚାଳନା, ରକ୍ କ୍ଲାଇମ୍ବିଂ, ରାପେଲିଂ, ଡ୍ୟାସିଂ କାର୍, ଜୋର୍ବିଙ୍ଗ୍ ଇତ୍ୟାଦି ଅନେକ ଦୁଃସାହସିକ କ୍ରୀଡା ସୁବିଧା ଯୋଗାଇ ଦିଆଯାଇଛି।

ଭିଡିଓ କନଫ୍ରେସିଂରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ସିଏମ୍ (5 ଟି) ର ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ସେହିପରି ଗୋପାଳପୁରରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଗୋପାଳପୁର ଏନଏସି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

CycloneAlret: ସ୍ଥଳଭାଗ ଆଡକୁ ଆସୁଛି ସାମ୍ଭବ୍ୟ ବାତ୍ୟା, ଜାଣନ୍ତୁ ପୁରୀରୁ କେତେ ଦୂରରେ ରହିଛି

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ଧିରଧିରେ ସ୍ଥଳଭାଗ ଆଡକୁ ଆସିବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ଏହି ଗଭୀର ଅବପାତକୁ ପରିବର୍ତ୍ତନ ନେବ। ତେବେ ବର୍ତ୍ତମାନ ଜୱାଦ ବିଶାଖପାଟନାମଠାରୁ 210 କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରରୁ ଏହି 320 କିଲୋମିଟର ଏବଂ ପୁରୀରୁ 390 କିଲୋମିଟର ଦୂରରେ ରହିଛି। ହେଲେ ପାରାଦ୍ବୀପରୁ ଏହା 470 କିଲୋମିଟର ଦୂରରେ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଗୋପାଳପୁରରେ ପହଞ୍ଚିବ ସ୍ବର୍ଣ୍ଣିମ ବିଜୟ ମଶାଲ

ଭୁବନେଶ୍ବର: ୧୯୭୧ ଯୁଦ୍ଧରେ ପାକିସ୍ତାନ ସେନା ବିପକ୍ଷରେ ଭାରତୀୟ ସେନାର ଐତିହାସିକ ବିଜୟକୁ ୫୦ ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଦେଶବ୍ୟାପୀ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି। ଭାରତୀୟ ସେନାର ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସାରା ଦେଶରେ ‘ବିଜୟ ମଶାଲ’ ପରିକ୍ରମା କରାଯାଉଛି।

ଆସନ୍ତାକାଲି ଏହି ବିଜୟ ମଶାଲ ଛତିଶଗଡ଼ର ରାୟପୁରରୁ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ମିଲିଟାରୀ ଷ୍ଟେସନ ଠାରେ ପହଞ୍ଚିବ। ଏଠାରେ ବିଜୟ ମଶାଲ ରହଣି କାଳରେ ବିଭିନ୍ନ ପ୍ରକାରର ସ୍ମାରକୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବୀର ସୈନିକମାନଙ୍କୁ କୃତଜ୍ଞତା ପ୍ରକଟ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ସମ୍ମାନିତ କରାଯିବ। ୧୯୭୧ ଯୁଦ୍ଧ କାଳରେ  ମୂଲ୍ୟବାନ ଯୋଗଦାନ ଏବଂ ନିଃସ୍ବାର୍ଥପର ସେବା ପାଇଁ ବୀରନାରୀ ଏବଂ ପୁରସ୍କାର ବିଜେତାମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ।

ଏହି ଅବସରରେ ପୁଷ୍ପମାଲ୍ୟ ଅର୍ପଣ, ସାମରିକ ସଙ୍ଗୀତ ପରିବେଷଣ, ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଅବସରପ୍ରାପ୍ତ ଯବାନଙ୍କ ସହିତ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଏହି ବିଜୟ ମଶାଲ ଯୁବପିଢ଼ି ଏବଂ ସମର ଶିକ୍ଷାର୍ଥୀ ବାହିନୀଙ୍କ ପାଇଁ ପ୍ରଦର୍ଶିତ କରାଯିବ। ଏଥିସହିତ ‘ସ୍ବର୍ଣ୍ଣିମ ବିଜୟ ମଶାଲ’ ସମ୍ମାନରେ ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଜୟ ମଶାଲ ଆସନ୍ତା ୨୭ ତାରିଖରେ ଗୋପାଳପୁରରୁ ବାହାରି ଆଇଏନଏସ ଚିଲିକା ଠାରେ ପହଞ୍ଚିବ।

Categories
ଆଜିର ଖବର ରାଜ୍ୟ ଖବର

ଓଲଟିଲା ବୋଟ: ଅଳ୍ପକେ ବର୍ତ୍ତିଲେ ୯ ପର୍ଯ୍ୟଟକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ସମୁଦ୍ର ବୁଲିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିବା ଏକ ବେଲୁନ୍ ବୋଟଟି ଓଲଟି ପଡ଼ିଥିବାବେଳେ ସୌଭାଗ୍ୟବଶତଃ କୌଣସି କ୍ଷତି ଘଟିନାହିଁ।

ଘଟଣାରୁ ପ୍ରକାଶ ଯେ, ସବୁଦିନ ପରି ଏକ ୯ ଜଣିଆ ପର୍ଯଟକ ଦଳ ଯେଉଁଥିରେ କି କିଛି ବୃଦ୍ଧ, ଯୁବକ ଏବଂ ପରିବାର ସଦସ୍ୟମାନେ ସମୁଦ୍ର ମଧ୍ୟକୁ ବୁଲିବାକୁ ଏକ ବେଲୁନ୍ ବୋଟ ଭଡ଼ା କରି ଯାଇଥିଲେ। ସମୁଦ୍ର ମଧ୍ୟରୁ ଫେରିବା ବେଳେ ବେଳାଭୂମି ନିକଟରେ କିଛି ବ୍ୟକ୍ତି ବୋଟ ଉପରେ ଛିଡ଼ା ହୋଇହୋଇପଡ଼ିବା ଫଳରେ ବୋଟ୍‌ଟି ଓଲଟି ଯାଇଥିଲା। ଫଳରେ ବୋଟରେ ବସିଥିବା ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ପଡ଼ିଯାଇଥିଲେ। ସଂଗେ ସଂଗେ ବେଳାଭୂମି ନିକଟରେ ଥିବା ଲାଇଫ୍‌ଗାର୍ଡ଼ ସଦସ୍ୟମାନେ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତଟ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବାରୁ କାହାର କିଛି କ୍ଷତି ହୋଇନାହିଁ। ବୋଟର ସମସ୍ତ ଯାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।

ତେବେ ଏହି ବୋଟ ପଲଟିବା ପରେ ବୋଟରେ ବୁଲିବା ପାଇଁ ଅନୁମତି ଆଣିଥିବା ସଂସ୍ଥାର ଲୋକେ କେଉଁଆଡ଼େ ଫେରାର୍ ହୋଇଯିବା ଶୁଣିବାକୁ ମିଳୁଛି। ଏନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ପୋଲିସ୍ ଘଟଣାଟିର ଅନୁସନ୍ଧାନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଏଚ୍‌ଆଇଭି ସଂକ୍ରମିତ ଯୁବକଯୁବତୀଙ୍କ ବିବାହ: କନ୍ୟାଦାନ କଲେ ଜିଲ୍ଲାପାଳ, ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଂଜିବନୀ ଶିଶୁଯତ୍ନ ଗୃହରେ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଥିଲା। ରବିନ୍ଦ୍ର ବାଡ଼ତ୍ୟା ଏବଂ ଏସ୍‌. ପଦ୍ମା ନାମ୍ନୀ ଏଚ୍‌ଆଇଭି ସଂକ୍ରମିତ ଯୁବକଯୁବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଖୋଦ୍ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବିବାହ ଉତ୍ସବରେ ଉପସ୍ଥିତ ରହି କନ୍ୟାଦାନ କରି ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡ଼ିଓ କନ୍‌ଫେରେନସିଂ ଜରିଆରେ ନବଦମ୍ପତ୍ତିଙ୍କୁ ସୁଖମୟ ଜୀବନ କାମନା କରିଥିଲେ। ଏହାସହ ମାଙ୍ଗଳିକ ଉତ୍ସବରେ ଡ଼ିଆର୍‌ଡ଼ିଏ ପିଡ଼ି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ୱାଇ. କୀର୍ତ୍ତି ଭାସନ, ଡ଼ୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମାଶଙ୍କର ମିଶ୍ର, ବିଡ଼ିଏ ସଚିବ ସଂଜିତ କୁମାର ରାଉତ, ଅରୁଣାର ଫାଉଣ୍ଡର ସଦସ୍ୟ ଲୋକନାଥ ମିଶ୍ର, ସଂପାଦିକା ସୌଦାମିନୀ ରଥ ପ୍ରମୁଖ ଯୋଗ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ।

ଏହି ଦମ୍ପତ୍ତି ଦିନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ପ୍ରଶିକ୍ଷଣ ନେଇ ହାଇଦ୍ରାବାଦ୍ ସ୍ଥିତ ଏକ ଘରୋଇ କଂପାନୀରେ କାର୍ଯ୍ୟରତ ଅଛନ୍ତି। ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଏହିଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ ସହ ଏଚ୍‌ଆଇଭି ସଂକ୍ରମିତଙ୍କ ଜୀବନ ସୁନ୍ଦର ଓ ସୁଖମୟ କରିବାରେ ଏହା ପ୍ରୟାସ ବୋଲି ସମସ୍ତେ ମତପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ଏବଂ ସୋରଡ଼ା ବିଧାୟକଙ୍କ ଜମି କେଳେଙ୍କାରି ତଦନ୍ତ ପାଇଁ ଆଦିବାସୀଙ୍କ ଆରକ୍ଷୀ ଅଧିକ୍ଷକଙ୍କୁ ଗୁହାରି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ସୋରଡ଼ା ତହସିଲ୍ ଅଂଚଳର ଶତାଧିକ ଆଦିବାସୀ ଓ ଦଳିତ ଚାଷୀ ଏକତ୍ରିତ ହୋଇ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବେଆଇନ ଜମି କାରବାରର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସେମାନେ କହିବା କଥା ସୋରଡ଼ା ନିର୍ବାଚନ ମଣ୍ଡଳୀର ତିନିଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମିଶି ଗତ କିଛିବର୍ଷ ମଧ୍ୟରେ ନାମୀ ବେନାମୀ ବିପୁଳ ସଂପତ୍ତିର ଅଧିକାରୀ ହୋଇପାରିଛନ୍ତି। ନିଜର ରାଜନେତିକ ପ୍ରଭାବକୁ ବ୍ୟବହାର କରି କଳାଟଙ୍କା ଜରିଆରେ ଏହି ଦୁଇ ବିଧାୟକ ସୋରଡ଼ା ତହସିଲ୍‌ରେ ଶହଶହ ଏକର ଜମିକୁ ହାତେଇବାକୁ ଷଡ଼ଯନ୍ତ୍ର କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ସୋରଡ଼ା ତହସିଲ୍‌ର ପାଲକାଟ ପଞ୍ଚାୟତର ବାଦୁଆପଲ୍ଲୀଠାରେ ବିଧାୟକ ନିଜ ପତ୍ନୀ ଓ ଅନ୍ୟ ସମର୍ଥକଙ୍କ ନାମରେ ସାତୋଟି ବିଶାଳକାୟ ପୋଖରୀ ନିର୍ମାଣ କରି ସେଥିରେ ମାଛଚାଷ କରୁଛନ୍ତି। ୫୦ ଏକରରୁ ଅଧିକ ଜାଗାରେ ନିଜ ପତ୍ନୀଙ୍କ ନାମରେ ସିମେଣ୍ଟ ଇଟା କାରଖାନା ନିର୍ମାଣ କରିଛନ୍ତି। ୫୦ ଏକର ସରକାରୀ ଜଂଗଲି ଜମିକୁ ସ୍ଥାନୀୟ କଳ ଉପରେ ପ୍ରଭାବ ପକାଇ କବ୍‌ଜା କରି ରଖିଛନ୍ତି। ସେଠାରେ ଚାଷ କରୁଥିବା ଆଦିବାସୀ ପରିବାରଙ୍କୁ ଗୁଣ୍ଡା ଏବଂ ପୋଲିସ୍ ଲଗାଇ ଧମକ ଦେଇ ଜବରଦଖଲ କରିଛନ୍ତି।

ଆସିକା ପଢ଼ାଳ ଗ୍ରାମର ଜମିଦାର ଆକୁଳ ଦାଶଙ୍କ ପରିବାରର ୧୦୦ ଏକର ଜମିରେ ପ୍ରାୟ ଶହେ ଜଣ ଆଦିବାସୀ ଓ ଦଳିତ ପରିବାର ଚାଷ କରି ପାରିବାର ନିର୍ବାହ କରୁଥିଲେ। କିନ୍ତୁ ବିଧାୟକ ଶ୍ରୀ ସ୍ୱାଇଁ ଏବଂ ଶ୍ରୀ ପାଣିଗ୍ରାହୀଙ୍କ ସହଯୋଗରେ ସମସ୍ତ ଜମିକୁ ହାତେଇ ନେବା ପାଇଁ ବ୍ୟାପକ ଅର୍ଥ କାରବାର କରି କିଣିଛନ୍ତି। ତେଣୁ ଧାନ ଫସଲ ଅମଳ ପରେ ଜମି ଖାଲି କରିବାକୁ ଧମକ ଚମକ ଦେଉଛନ୍ତି।

କେବଳ ସେତିକି ନୁହେଁ, ସୋରଡ଼ା ସହରରେ ଅନେକ ସରକାରୀ ଜମିକୁ ନିଜ କବ୍‌ଜାରେ ରଖୁôଥବାବେଳେ ଏକ ମୋଟରସାଇକେଲ୍ ସୋ ରୁମ୍ ମଧ୍ୟ କରିଛନ୍ତି। ତାଙ୍କର ଏସବୁ ବେଆଇନ ସଂପତ୍ତିର ଏକ ଲମ୍ବା ତାଲିକା ରହିଛି ଯାହା ପ୍ରଶାସନିକ କଳ ଓ ରାଜନୈତିକ ପ୍ରଭାବକୁ ବ୍ୟବହାର କରି ହାସଲ କରିଛନ୍ତି। ଏକ ସାଧାରଣ ପରିବାରରୁ ଆସିଥିବା ବିଧାୟକ ଶ୍ରୀ ସ୍ୱାଇଁ ବିଧାୟକ ହେବା ପରେ କିଭଳି ଏତେ ବିପୁଳ ସଂପତ୍ତିର ମାଲିକ ହେଲେ ତାହା ପ୍ରଶ୍ନବାଚୀ ଅଟେ। ଅତଏବ ତାଙ୍କର ଉପରୋକ୍ତ ସମସ୍ତ ଆୟ ବର୍ହିଭୂତ ସଂପତ୍ତି ସେ କିଭଳି ହାସଲ କରିଛନ୍ତି ଏବଂ ସେଥିରେ ତାଙ୍କର ରାଜନୈତିକ ଗୁରୁ ପ୍ରଦୀପ ପାଣିଗ୍ରାହୀଙ୍କ କେତେ ଭାଗ ରହିଛି ତା’ର ତଦନ୍ତ କରିବାକୁ ଆଦିବାସୀ ଦଳିତ ଗ୍ରାମବାସୀ ଦାବି କରିଛନ୍ତି।

Categories
ବିଶେଷ ଖବର

ଗୋପାଳପୁର ସେନା କେନ୍ଦ୍ରରେ “କଲର୍ସ ସମ୍ମାନ” ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ସମୀକ୍ଷା ବ୍ୟୁରୋ

ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ଶ୍ରୀ ରାମନାଥ କୋବିନ୍ଦ ୨୮ ସେପ୍ଟେମ୍ବର ୨୦୧୯ରେ ଗୋପାଳପୁର ସେନା ଷ୍ଟେସନ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରିଛନ୍ତି । ସ୍ୱାଧୀନ ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆର୍ମୀ ଏଡି କେନ୍ଦ୍ରର ଲେଫନାଣ୍ଟ ବିବେକ ବିଜୟ ମୋରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଠାରୁ କଲର୍ସ ସମ୍ମାନ ଗ୍ରହଣ କରିଥିଲେ। ଭାରତୀୟ ସ୍ଥଳ ସେନାର ଗୌରବପୂର୍ଣ୍ଣ ସମ୍ମାନ ମଧ୍ୟରେ ପ୍ରେସିଡେଂଟ କଲର୍ସ ଆୱାର୍ଡ ହେଉଛି ସର୍ବୋଚ୍ଚ ସମ୍ମାନ ।

ଯୁଦ୍ଧ ଏବଂ ଶାନ୍ତି ପ୍ରକ୍ରିୟାରେ ସେନାବାହିନୀର ପ୍ରଦର୍ଶନ ଏବଂ ଉପଲବ୍ଧି ଆଧାରରେ ରାଷ୍ଟ୍ରପତି କଲର୍ସ ଆୱାର୍ଡ ପ୍ରଦାନ କରାଯିବା ଲାଗି ସୈନ୍ୟ ବାହିନୀର ଚୟନ କରାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନା ବାୟୁ ପ୍ରତିରକ୍ଷାର ବହୁ ସୈନ୍ୟ ଦଳ ବିଭିନ୍ନ ସୈନ୍ୟ ଅଭିଯାନରେ ଭାଗ ନେଇଥିଲେ । ଏଥିମଧ୍ୟରେ ବର୍ମା ଅଭିଯାନ, ଇମ୍ଫାଲ ଓ କୋହିମା ଘେରାବନ୍ଦୀ, ରେଙ୍ଗୁନ ପୁନଃଦଖଲ, ଆରାକାନ ମାୟିତକିୟିନା, ହଂକଂ, ସିଙ୍ଗାପୁର, ମଲାୟା, ବାହାରିନ, ଇରାକ ଏବଂ ପାରସ୍ୟ ସୈନ୍ୟ ଅଭିଯାନ ସାମିଲ । ଏଥିପାଇଁ ବହୁ ବୀରତ୍ୱ ସମ୍ମାନ ମଧ୍ୟ ମିଳିଛି । ଏସବୁ ସମ୍ମାନ ମଧ୍ୟରେ ୪ଟି ମିଲିଟାରୀ କ୍ରସ, ବ୍ରିଟିଶ ସାମ୍ରାଜ୍ୟର ଏକ ପଦକ, ୭ଟି ଭାରତୀୟ ବିଶିଷ୍ଟ ସେବା ପଦକ ଏବଂ ବ୍ରିଟିଶ ସାମ୍ରାଜ୍ୟର ଦୁଇଟି ସମ୍ମାନ ପତ୍ର ସାମିଲ ରହିଛି ।

ସେନା ବାୟୁ ପ୍ରତିରକ୍ଷା ବାହିନୀ ୧୯୪୦ ପରଠାରୁ ଆର୍ଟିଲାରୀର ଏକ ଅଂଶବିଶେଷ ରୂପେ କାର୍ଯ୍ୟ କରିଆସୁଛି । ଏହାକୁ ୧୯୯୪ରେ ଏକ ସ୍ୱତନ୍ତ୍ର ସଶସ୍ତ୍ର ସୈନ୍ୟ ବାହିନୀ ଭାବେ ମାନ୍ୟତା ମିଳିଥିଲା । ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ୨ଟି ଅଶୋକ ଚକ୍ର, ୨ଟି କୀର୍ତି ଚକ୍ର, ୨୦ଟି ବୀର ଚକ୍ର, ୯ଟି ଶୌର୍ଯ୍ୟ ଚକ୍ର, ୧୧୩ଟି ସେନା ପଦକ ଏବଂ ୫୫ଟି ମ୍ୟାନସନ ଇନ ଡେସପ୍ୟାଚ ସହିତ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪ଟି ସମ୍ମାନଜନକ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା । ପୂର୍ବସୂରୀମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଉଚ୍ଚ ମାନକକୁ ବଜାୟ ରଖିବା ଲାଗି ଏହା ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିଥାଏ ଯଦ୍ଦ୍ୱାରା ରାଷ୍ଟ୍ର ସେବା ସେମାନଙ୍କର ପ୍ରମୁଖ ଲକ୍ଷ୍ୟ ହୋଇ ରହିବ ।

ଏହି ଅବସରରେ ବ୍ରିଗେଡିୟର ରାଜୀବ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଏକ ଭବ୍ୟ ପରେଡ ମାଧ୍ୟମରେ ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ କରାଯାଇଥିଲା। ସେନା ବାୟୁ ପ୍ରତିରକ୍ଷା ବାହିନୀର ସୈନିକମାନଙ୍କୁ ସମ୍ମାନ ପ୍ରଦାନ କରାଯିବା ନେଇ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଥିଲେ । ନିଜ ଅଭିଭାଷଣରେ ରାଷ୍ଟ୍ରପତି ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ଭାରତୀୟ ସଶସ୍ତ୍ର ସେନାବାହିନୀ ଓ ସେନା ବାୟୁ ପ୍ରତିରକ୍ଷା ବାହିନୀର ଗୌରବଶାଳୀ ପରମ୍ପରାକୁ ସ୍ମରଣ କରିଥିଲେ ।

ଏଥିସହିତ ଉପସ୍ଥିତ ସମସ୍ତ ସେନା ଅଧିକାରୀ ଓ କର୍ମଚାରୀମାନଙ୍କୁୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥଳସେନା ମୁଖ୍ୟ ତଥା ଚିଫ ଅଫ ଆର୍ମୀ ଷ୍ଟାଫ ଜେନେରାଲ ବିପିନ ରାୱତ, ସେନା ବାୟୁ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଅଶ୍ୱିନୀ କୁମାରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।