ଆସନ୍ତାକାଲି ଗୋପାଳପୁରରେ ପହଞ୍ଚିବ ସ୍ବର୍ଣ୍ଣିମ ବିଜୟ ମଶାଲ

Published: Oct 19, 2021, 8:36 pm IST

ଭୁବନେଶ୍ବର: ୧୯୭୧ ଯୁଦ୍ଧରେ ପାକିସ୍ତାନ ସେନା ବିପକ୍ଷରେ ଭାରତୀୟ ସେନାର ଐତିହାସିକ ବିଜୟକୁ ୫୦ ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଦେଶବ୍ୟାପୀ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି। ଭାରତୀୟ ସେନାର ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସାରା ଦେଶରେ ‘ବିଜୟ ମଶାଲ’ ପରିକ୍ରମା କରାଯାଉଛି।

ଆସନ୍ତାକାଲି ଏହି ବିଜୟ ମଶାଲ ଛତିଶଗଡ଼ର ରାୟପୁରରୁ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ମିଲିଟାରୀ ଷ୍ଟେସନ ଠାରେ ପହଞ୍ଚିବ। ଏଠାରେ ବିଜୟ ମଶାଲ ରହଣି କାଳରେ ବିଭିନ୍ନ ପ୍ରକାରର ସ୍ମାରକୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବୀର ସୈନିକମାନଙ୍କୁ କୃତଜ୍ଞତା ପ୍ରକଟ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ସମ୍ମାନିତ କରାଯିବ। ୧୯୭୧ ଯୁଦ୍ଧ କାଳରେ  ମୂଲ୍ୟବାନ ଯୋଗଦାନ ଏବଂ ନିଃସ୍ବାର୍ଥପର ସେବା ପାଇଁ ବୀରନାରୀ ଏବଂ ପୁରସ୍କାର ବିଜେତାମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ।

ଏହି ଅବସରରେ ପୁଷ୍ପମାଲ୍ୟ ଅର୍ପଣ, ସାମରିକ ସଙ୍ଗୀତ ପରିବେଷଣ, ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଅବସରପ୍ରାପ୍ତ ଯବାନଙ୍କ ସହିତ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଏହି ବିଜୟ ମଶାଲ ଯୁବପିଢ଼ି ଏବଂ ସମର ଶିକ୍ଷାର୍ଥୀ ବାହିନୀଙ୍କ ପାଇଁ ପ୍ରଦର୍ଶିତ କରାଯିବ। ଏଥିସହିତ ‘ସ୍ବର୍ଣ୍ଣିମ ବିଜୟ ମଶାଲ’ ସମ୍ମାନରେ ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଜୟ ମଶାଲ ଆସନ୍ତା ୨୭ ତାରିଖରେ ଗୋପାଳପୁରରୁ ବାହାରି ଆଇଏନଏସ ଚିଲିକା ଠାରେ ପହଞ୍ଚିବ।

Related posts