ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: May 22, 2020, 3:01 pm IST

ଭୁବନେଶ୍ବର : ଆମ୍ପାନ୍‌ ସମୀକ୍ଷା ପାଇଁ ଓଡିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିମାନ 2.50ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ନିମନ୍ତେ ରାଜ୍ୟପାଳ ଡ. ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଡିଜିପି, ପ୍ରତାପ ଷଡଙ୍ଗୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏମାନଙ୍କ ବ୍ୟତିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ବାଗତ ସମ୍ବର୍ଦ୍ଧନା ପରେ ଏମ୍‌ଆଇ 17 ହେଲିକପ୍ଟରରେ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ଚାରୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ପରିଦର୍ଶନ ସାରି 4.55ରେ ଭୁବନେଶ୍ବର ଫେରିବେ । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପରେ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦି। ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସମୀକ୍ଷା ବୈଠକ ସାରି ସନ୍ଧ୍ୟା 6ଟା 15ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ ।

Related posts