Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼, ମାଲକାନଗିରି ଓ କନ୍ଧମାଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲା ଓ ଗ୍ରାମାଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ବୁଧବାର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିବା ସହିତ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲା। ସଚେତନତା ବାହାନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ ମୋଦୀ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ହିତାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍‌ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଅନୁରୂପ ଭାବେ କନ୍ଧମାଳ ଜିଲ୍ଲାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ମହିଳା ହିତାଧିକାରୀ ସାମିଲ ହେବା ବେଶ୍‌ ଉତ୍ସାହପ୍ରଦ ଥିଲା।

ପ୍ରଗତି ଧାରାକୁ ଆଗେଇ ନେଇ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଛି। ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ବପ୍ନ ନୁହେଁ ସତ: ଜାନୁୟାରୀରେ ମାଲକାନଗିରିକୁ ଉଡିବ ବିମାନ

ଭୁବନେଶ୍ବର: ସ୍ବପ୍ନ ପରି ଲାଗୁଥିଲେ ମଧ୍ୟ ତାହା ସତକଥା। ଓଡିଶାର ଉପାନ୍ତ ଜିଲ୍ଲା ମାଲକାନଗିରିକୁ ଉଡିବ ବିମାନ। ଆସନ୍ତା ନୂଆ ବର୍ଷରେ ଏହି ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡିଛି। ଏ ନେଇ ରାଜ୍ୟ ପରିବହନ ବିଭାଗ ଏବଂ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର କର୍ମଚାରୀ ମାଲକାନାଗିରି ପରିଦର୍ଶନରେ ଯାଇଥିଲେ। ସେମାନେ ସେଠାରେ ରନୱେକୁ ଅନୁଧ୍ୟାନ କରିଥିଲେ।

ବର୍ତ୍ତମାନ ସେଠାରେ 15 ମିଟର ରନୱେ ରହିଛି। ସେଥିପାଇଁ କେବଳ 20 ସିଟ୍ ବିଶିଷ୍ଠ ବିମାନ ସେଠାରେ ଚଳାଚଳ କରିପାରିବ। ଏହି କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ବିମାନଚଳାଚଳ କରିବ। ସେଠାରେ ବିଲିଡିଂ ସହିତ ଅଗ୍ନିଶମ ଅଫିସ ସ୍ଥାପନ କରାଯାଇସାରିଛି। 5ଟି ସଚିବ ମାଲକାନଗିରି ଗସ୍ତ ବେଳେ ସେ ଏହି ବିମାନବନ୍ଦରର ଅନୁଧ୍ୟାନ କରିଥିଲେ।

Categories
ବିଶେଷ ଖବର

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୧୩ ଲକ୍ଷ ଲୋକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଲେ। ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ମିଳିଲା। ଏ ସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣି ଏହି ଯୋଜନା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମ କରିବ। ପିଲାମାନଙ୍କୁ ସ୍କୁଲ କଲେଜ ନେବ। ରୋଗୀକୁ ହସ୍ପିଟାଲ ନେବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି। ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଓଡିଶା ଆମ ସମସ୍ତଙ୍କର। ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର ବୋଲି କହିବା ସହିତ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋରାପୁଟର ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢୀ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜ୍ୟବ୍ୟାପୀ ବିପୁଳ ଜନସମର୍ଥନ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି।

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାର ବୋରିଗୁମ୍ମା ବ୍ଲକ୍‌ ଶଶାହାଣ୍ଡି ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁ ସଂଖ୍ୟାରେ ହିତାଧିକାରୀ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ନେଇ ନିଜ ପ୍ରତିକ୍ରିୟାରେ କହିଥିଲେ। ଏଥିସହିତ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ନୂଆ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ପଞ୍ଜୀକରଣ କରାଯାଇଥିଲା। ସ୍ଥାନୀୟ ଲୋକମାନେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇ ଶପଥ ପାଠ କରିଥିଲେ।

ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଯାତ୍ରାର ସଚେତନତା ରଥ ଜିଲ୍ଲାର କୋଣଅନୁକୋଣରେ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଛି। ଜିଲ୍ଲାର କୋରୁକୋଣ୍ଡା ବ୍ଲକ୍‌ ପୋଟ୍ରେଲ ଠାରେ ଆୟୋଜିତ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠନୀକରଣ ଯୋଜନା, ପୋଷଣ ଅଭିଯାନ ଆଦି ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଏକ ପୁଷ୍ଟିକର ଖାଦ୍ୟ ମେଳା ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ସେମାନେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ।

ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ୍‌ ଗ୍ରାମପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ସଚେତନତା ବାହନକୁ ବିପୁଳ ସ୍ୱାଗତ କରାଯାଇଥିଲା। ପଞ୍ଚାୟତ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ମଧ୍ୟ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କୁ ସଚେତନତା ପୁସ୍ତିକା ମଧ୍ୟ ବିତରଣ କରାଯାଇଥିଲା। ସେହିପରି ଊଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ଗ୍ୟାସ୍‌ ବିତରଣ କରାଯାଇଥିଲା। କିଛି ହିତାଧିକାରୀ ଯୋଜନାର ଲାଭ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଥିଲେ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ବାଉରୀପଡ଼ା ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ ଏବଂ ସହାୟତା ମଧ୍ୟ ବିତରଣ କରାଯାଇଛି। ଅନ୍ୟପଟେ ଜିଲ୍ଲାର ଜନାର୍ଦ୍ଦନପୁର ଠାରେ ମଧ୍ୟ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି। ହିତାଧିକାରୀମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପ୍ରତିକ୍ରିୟା ରଖିବା ସହିତ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ସାଧାରଣ ଲୋକ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇ ବିକଶିତ ଭାରତ ପାଇଁ ଶପଥ ପାଠ କରିଛନ୍ତି। ଏହି ଅବସରରେ ହିତାଧିକାରୀଙ୍କୁ ସଚେତନ କରାଯିବା ସହିତ ସେମାନଙ୍କୁ ସହାୟତା ମଧ୍ୟ ବିତରଣ କରାଯାଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ସୁନିଶ୍ଚିତ କରିବା ଲାଗି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆସନ୍ତା ୨୫ ଜାନୁଆରୀ ୨୦୨୪ରେ ସମାପନ ହେବ।

Categories
ବିଶେଷ ଖବର

ମାଲକାନଗିରିରେ ୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା

ଭୁବନେଶ୍ୱର: ମାଲକାନଗିରି ମୋର ଅତି ପ୍ରିୟ। ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି। ଏହି ଅବସରରେ ଯୋଜନାର ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି  ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ BQSର ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭରେ ଉଚ୍ଛସିତ ଜନତାଙ୍କ ତାଳି, ସ୍ୱାଗତମ୍ ଧ୍ୱନି ଓ ମହିଳାମାନଙ୍କ ହୁଳହୁଳି ଧ୍ୱନି ମଧ୍ୟରେ  ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ “ମାଲକାନଗିରିରୁ ହିଁ ଏକ ଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଥିଲି। ଆଜି ପୁଣି ଥରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା  ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି”।

ଓଡିଶାର ବିକାଶରେ ମାଲକାନଗିରିର ଭୂମିକା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମା’ ମାନଙ୍କ ପାଇଁ BSKYରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ ମାଲକାନଗିରି ରୁ ହିଁ ଆସିଥିଲା।

ସେ ପୁଣି କହିଥିଲେ ଯେ ଆମର ଏହି ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟ ମାଲକାନଗିରି ସହ ରହିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେ ଲୋକଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ। ତା ପରେ ଏହି ଲକ୍ଷ୍ମୀ ଯୋଜନାର ପରିପକଳ୍ପନା କରାଗଲା ବୋଲି ସେ କହିଥିଲେ।

ଏହି ଯୋଜନା ଆମର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ ଏବଂ  ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ସାରା ରାଜ୍ୟରେ ଏକ ହଜାରରୁ ଅଧିକ ବସ୍‌ ଚାଲିବ। ମାଲକାନଗିରିରେ ଆଜି ୩୬ଟି ବସ୍‌ ଚାଲିଲା । ମାଲକାନଗିରିର  ୧୧୧ଟି ପଞ୍ଚାୟତକୁ ବସ୍‌ ସୁବିଧା ମିଳିଲା ।  ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ସେ କହିଥିଲେ।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସହ   ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ  ରେ ଲକ୍ଷ୍ମୀ  ଯୋଜନାରେ   ବସ  ଚାଲିବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଯୋଗାଯୋଗ ବିକାଶର ଆଧାର। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଘର ପାଖକୁ ଆସିବ ବସ୍‌। ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ରୋଗୀକୁ ହସ୍‌ପିଟାଲ ନେବ। ମା’ ମାନେ ସେମାନଙ୍କ କାମ ପାଇଁ ବିଭିନ୍ନ ସ୍ଥାନକୁ ସୁବିଧାରେ ଯାଇପାରିବେ। ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୁବ ଶୀଘ୍ର ମାଲକାନଗିରି ଏଥିରେ ସାମିଲ ହେବ। ଏଥିରେ ଗାଁରେ ମିଳିବ ସହରର ସୁବିଧା । ବ୍ୟାଙ୍କିଂ, ଇଣ୍ଟର୍‌ନେଟ, ଡିଜିଟାଲ ଭିତ୍ତିଭୂମି ସବୁର ବିକାଶ ହେବା ସହିତ ଆମ ସଂସ୍କୃତିର ମଧ୍ୟ ପ୍ରସାର ହେବ ବୋଲି ସେ କହିଥିଲେ।

ଗୁରୁପ୍ରିୟା ସେତୁର ଗୁରୁତ୍ୱ ସମ୍ପର୍କରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା  ମାଲକାନଗିରି ବିକାଶର ଏକ ବଡ ମାଇଲଷ୍ଟୋନ। ଏହି ସେତୁ ଜରିଆରେ ସ୍ବାଭିମାନ ଅଞ୍ଚଳରେ ଆସିଛି ବିକାଶର ଆଲୋକ।

ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଦୁଇ ଶହ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ୬୦୦ କୋଟି ଟଙ୍କାର ପ୍ରକଳ୍ପ  ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ।   ସମସ୍ତଙ୍କ ସହଯୋଗରେ ଏହି କାମ ସବୁ ଠିକ୍‌ ସମୟରେ ଶେଷ ହେବ ଏବଂ ମାଲକାନଗିରିର ବିକାଶ ଆହୁରି ଉଜ୍ଜଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସ୍ୱାଗତ ଭାଷଣ ଦେଇ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେ ସବୁ ନୂତନ ଯୋଜନା ଆରମ୍ଭ କରିଥାନ୍ତି, ତାହା ମାଲକାନଗିରି ଜିଲ୍ଲାରୁ । ତେଣୁ ମାଲକାନଗିରି ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ। ଲକ୍ଷ୍ମୀ ବସ୍ ଯୋଗୁ ମାଲକାନଗିରିର ଆଭ୍ୟନ୍ତରୀଣ ଅଞ୍ଚଳକୁ ବସ୍ ଚଳାଚଳ ହେବା ଫଳରେ ଗାଁ ଗହଳିର ଲୋକମାନେ ବହୁଳ ଭାବେ ଉପକୃତ ହେବେ। ଅନ୍ୟତମ ଅତଥି ଭାବେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା କହିଥିଲେ ଯେ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଆଜି ଦିନଟି ଏକ ଐତିହାସିକ ଦିନ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ଫଳରେ ଆମ ଅଞ୍ଚଳର ବହୁତ ବିକାଶ ହୋଇଛି।

ଅନ୍ୟତମ ଅତଥି ଭାବେ ଯୋଗ ଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଯୋଜନା ଭାବନ୍ତି ତାକୁ ତୃଣମୂଳ ସ୍ତରରେ ଆରମ୍ଭ କରନ୍ତି। ଆଜି ୬ଟି ଜିଲ୍ଲାରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଛି। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପଞ୍ଚାୟତରୁ ବ୍ଲକକୁ, ବ୍ଲକରୁ ଜିଲ୍ଲା ସଦରମହକୁମାକୁ ଗାଡି ଚଳାଚଳ କରିବ। ଗ୍ରାମାଞ୍ଚଳର କୃଷକ, ଛାତ୍ରଛାତ୍ରୀ, ମା’ ଭଉଣୀ ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ପ୍ରତି ବ୍ଲକରେ ବସ୍‌ ଷ୍ଟାଣ୍ଡ ନିର୍ମାଣ ହେଉଛି। ଏହା ବସ୍ ଚଳାଚଳ ବ୍ୟବସ୍ଥାରେ ଉନ୍ନତି ଆଣିବ।

Categories
ବିଶେଷ ଖବର ରାଜ୍ୟ ଖବର

ମାଲକାନଗିରିରେ ୪ ଜଣଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ସହିତ ଦୁଇଟି ଭିନ୍ନଭିନ୍ନ ଦୂର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟ ମାନଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏ ସହାୟତା ପ୍ରଦାନ କରିବା ପାଇଁ ସେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କାଳବୈଶାଖୀ ଯୋଗୁ ମାଲକାନଗିରିରେ ଡଙ୍ଗା ବୁଡି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏୟାରଷ୍ଟ୍ରିପର ପାଚେରୀ ଭୁଷୁଡି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏତତ୍‌ବ୍ୟତିତ ଆହାତମାନଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧେଇବା ବେଳେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମାଲକାନଗିରି ଓ ଜଗତପୁର ସହରରେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ଶୁଭାରମ୍ଭ

ମାଲକାନଗିରି / ଜଗତପୁର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଜଗତପୁର ଓ ମାଲକାନଗିରି ସହରରେ ତାହାର ନୂଆ ଷ୍ଟୋର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ଜଗତପୁର ଓ ମାଲକାନଗିରି ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋର ଦ୍ୱୟ ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ମାଲକାନଗିରି ଓ ଜଗତପୁର ସହର ତଥା ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ଜଗତପୁର ସହରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୭୫୦୦ ବର୍ଗଫୁଟ ପରିମିତ ହୋଇଥିବାବେଳେ ମାଲକାନଗିରି ସହରରେ ଶୁଭାରମ୍ଭ ହୋିଥିବା ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୧୩୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ। ଉଭୟ ଜଗତପୁର ଏବଂ ମାଲକାନଗିରି ସହରରେ ଟ୍ରେଣ୍ଡ୍‌ସର ଏହା ପ୍ରଥମ ଷ୍ଟୋର। ଏହି ଦୁଇ ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍‌ରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ଯେପରିକି ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ଜଗତପୁର ଓ ମାଲକାନଗିରି ସହରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ବିଶେଷ ଖବର

ମାଲକାନଗିରିରେ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ।

ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ମାଲକାନଗିରି ସବୁବେଳେ ମୋ ପାଇଁ ସ୍ବତନ୍ତ୍ର ହୋଇ ରହିଛି। ମାଲକାନଗିରିର ବିକାଶ କାମ ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ। ମୋର ପୂର୍ଣ୍ଣ ବିଶ୍ବାସ, ମାଲକାନଗିରି ପରିଚୟ ଆଗକୁ ଆହୁରି ଉଜ୍ଜଳ ହେବ। ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବରେ ବିକାଶ ମାନଚିତ୍ରରେ ମାଲକାନଗିରି ନିଜର ସ୍ଥିତିକୁ ଆହୁରି ଦୃଢ କରିବ।’

ଆଜି ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି – ଅନ୍ବେଷା କାର୍ଯ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ପିଲାମାନଙ୍କ ପାଇଁ ଦୁଇଟି ହଷ୍ଟେଲ। ଏଥିରେ ୬୦୦ ପୁଅ ଓ ୬୦୦ ଝିଅ ରହିବପାଇଁ ବ୍ୟବସ୍ଥା କରାଯାଇଛି। ମୋଟୁ ଟ୍ରାଇ ଜଙ୍କସନ୍ଠାରେ ବିଜୁ ପଟ୍ଟନାୟକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ। ଏହା ଜିଲ୍ଲା ସହିତ ଛତିଶଗଡ ଓ ଅନ୍ଧ୍ରପ୍ରଦେଶକୁ ଗମନାଗମନ ସୁଗମ କରିଛି। ଏହାସହିତ ମାଲକାନଗିରି ବଣ୍ଡା ଅଞ୍ଚଳକୁ ଯୋଡୁଥିବା ଏକ ଉଚ୍ଚସ୍ତରୀୟ ସେତୁ ଓ ବାଲିମେଳା ଠାରେ ତମସା ନଦୀ ଉପରେ ବିଜୁ ସେତୁ, କ୍ରୀଡାର ବିକାଶ ପାଇଁ ଏକ ଜୁଡୋ ଏକାଡେମୀ ଓ ପିଲାମାନଙ୍କ ପାଇଁ ଏକ ସ୍ବଧାର ଗୃହ।

ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମାଲକାନଗିରିବାସୀ ଆଜି ବିକାଶ ସହ ଯୋଡି ହୋଇ ରହିଛନ୍ତି। ବିକାଶ କାମରେ ଆପଣମାନଙ୍କ ସହଯୋଗ ସବୁବେଳେ ଆମକୁ ଉତ୍ସାହିତ କରି ଆସିଛି। ଜିଲ୍ଲାରେ ଶିକ୍ଷା ଓ ସଚେତନତା ପ୍ରସାର ଘଟିଛି। ଯୋଗାଯୋଗରେ ଉନ୍ନତି ଆସିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣ ଯୋଜନାର ସୁଯୋଗ ଆପଣମାନେ ନେଉଥିବା ଖୁସିର କଥା। ମାଲକାନଗିରିର ସଫଳ ଚାଷୀ, ମିଶନଶକ୍ତିର ମା ମାନେ, ଛାତ୍ରଛାତ୍ରୀ, ଯୁବବର୍ଗ – ଏ ସମସ୍ତଙ୍କ ସଫଳତା ଆଜି ଜିଲ୍ଲା ପାଇଁ ନୂଆ ପରିଚୟ ଆଣିଛି ବୋଲି ସେ କହିଥିଲେ।

ବଣ୍ଡା ଘାଟିର ଝିଅ କରମା ମୁଦୁଲି ଭୁବନେଶ୍ବରର ସବୁଠାରୁ ଭଲ ସରକାରୀ ମହିଳା ୟୁନିଭରସିଟିରେ ପାଠ ପଢୁଥିବାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ସୁଯୋଗ ଆଣିଥାଏ ଓ ଶିକ୍ଷା ହିଁ ଏ ରୂପାନ୍ତର ଆଣିଛି। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗଲୁ ପ୍ରମୁଖ ବକ୍ତବ୍ୟ ରଖି ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ପରିକ୍ରମା କଲା ‘ଅହିଂସା ରଥ’ ଲୋକଙ୍କ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଅହିଂସା ଓ ସତ୍ୟାଗ୍ରହ ଥିଲା ଗାନ୍ଧିଜୀଙ୍କର ଅତିପ୍ରିୟ ଆୟୁଧ। ସେହି ଅମୋଘ ଆୟୁଧର ଉପଯୋଗ କରି ଶକ୍ତିଶାଳୀ ବି୍ରଟିଶ ଶକ୍ତିକୁ ସେ ପରାଜିତ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ମାଲକାନଗିରି ଏବଂ ମୟୂରଭଞ୍ଜ ପରିକ୍ରମା କରି ଦେଶପ୍ରେମ, ସତ୍ୟ ଓ ଅହିଂସାର ବାର୍ତ୍ତା ପ୍ରସାର ସହ ଜନସାଧାରଣଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଉନ୍ମାଦନା ସୃଷ୍ଟି କରିବା ସହ ସ୍ୱାଧୀନତା ସଂଗ୍ରାମ ତଥା ସଂଗ୍ରାମୀମାନଙ୍କ ବଳିଦାନର ସ୍ମୃତିଚାରଣ କରୁଛି।

ଆଜି ମାଲକାନଗିରି ଜିଲ୍ଲାରେ ଗୋଟିଏ ଅହିଂସା ରଥ କୋରୁକୋଣ୍ଡା ବ୍ଲକ ଏବଂ ଅନ୍ୟ ଅହିଂସା ରଥଟି ପଡିଆ ବ୍ଲକ ଏବଂ କାଲିମେଳା ବ୍ଲକ ପରିକ୍ରମା କରିଛି। ମାଲକାନଗିରି ସଦର ମହକୁମାରୁ ରଥ ପଡ଼ିଆ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା। ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଳା ପରିଷଦ ସଦସ୍ୟ, ବ୍ଲକର ପ୍ରଶାସନିକ ଅଧିକାରୀ, ପଞ୍ଚାୟତିରାଜ ସଭ୍ୟ, ସରପଞ୍ଚ, ୱାର୍ଡ଼ ମେମ୍ବର, ବ୍ଲକ ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତୀ୍ର, ତହସିଲ ଅଫିସର କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ମିଶନ ଶକ୍ତି ସଦସ୍ୟା, ଆଶାକର୍ମୀ, ଗଣମାଧ୍ୟମର ପ୍ରତିନିଧି, ଯନ୍ତ୍ରୀ ଏବଂ ବହୁସଂଖ୍ୟାରେ ସ୍ଥାନୀୟ ଜନତା ଏହି ଯାତ୍ରାରେ ସାମିଲ ହୋଇଥିଲେ। ରଥ କାଲିମେଳାର ମୁଗିପଏଣ୍ଟ ଓ ଅନ୍ୟାନ୍ୟ ଅଂଚଳ ପରିକ୍ରମା ପରେ ସନ୍ଧ୍ୟାରେ ଜିଲ୍ଲା ସଦର ମହକୁମାକୁ ଫେରିଥିଲା।

ସେହିପରି କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା ସମୟରେ ଅହିଂସା ରଥକୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ, ପଂଚାୟତ ଅଫିସ ଏବଂ ବିଭିନ୍ନ ସ୍ଥାନରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ମାଲ୍ୟାର୍ପଣ କରାଯାଇଥିଲା। ଉଭୟ ରଥ ପରିକ୍ରମା ସମୟରେ ମାଲକାନଗିରିର ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ମଧୁବନ, କେସିଗୋଲେଇ, ଶରତଚନ୍ଦ୍ର ବିଦ୍ୟାପୀଠ, ଜଗନ୍ନାଥ ମନ୍ଦିର ରଥଦାଣ୍ଡ, ସେପି କଲେଜ, ବେଲଗଡ଼ିଆ ଅଗ୍ନିଶମ ସେବା କେନ୍ଦ୍ର, ବାରିପଦା ପୌରାଞ୍ଚଳ କାର୍ଯ୍ୟାଳୟ ପରିସର, ବିଜୁ ପଟ୍ଟନାୟକ ଗୋଲେଇ, ପାଣ୍ଡେ ନୋଡାଲ ପ୍ରାଥମିକ ବିଦ୍ୟାଳୟ, ଦାରଘାଡାହି ଅଞ୍ଚଳରେ ଅହିଂସା ରଥ ପରିକ୍ରମା କରିଛି। ସେହିପରି ବାରିପଦା ବ୍ଲକ୍‌ ଅଞ୍ଚଳର ରାଜାବସା ଗ୍ରାମପଞ୍ଚାୟତ, ଲକ୍ଷ୍ମୀପୋଷି ଗ୍ରାମପଞ୍ଚାୟତ, ପିଆର୍‌ସେ ମେଡିକାଲ କଲେଜ, ବାରିପଦା ବ୍ଲକ୍‌ କାର୍ଯ୍ୟାଳୟ ପରିସର, କାଠପାଳ ଓ କେସିପୁର ଅଞ୍ଚଳ ପରିକ୍ରମା କରିଥିଲା।

ପରେ ଅହିଂସା ରଥ ବେତନଟୀ ବ୍ଲକ୍‌ ଅନ୍ତର୍ଗତ ଦାନ୍ତିଆମୁହାଁ, ତାରାକୁଟୀ, ବେତନଟୀ ବଜାର, ବେତନଟୀ ଏମ୍‌ପିସି ହାଇସ୍କୁଲ, ଆଗାରିଆ, ବୈଶିଙ୍ଗା ଅଞ୍ଚଳ ପରିକ୍ରମା କରିଛି। ପ୍ରତ୍ୟେକ ସ୍ଥାନରେ ସଂପୃକ୍ତ ବ୍ଲକର ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଅନ୍ୟ ଗୋଟିଏ ଅହିଂସା ରଥ କୁଳିଅଣା ବ୍ଲକ୍‌ର ପୁରୁଣାପାଣି, ନୁଧୁନା ଗ୍ରାମପଞ୍ଚାୟତ, ଚାନ୍ଦୁଆ ବ୍ଲକ୍‌ ସଦର କାର୍ଯ୍ୟାଳୟ, ଧଡ଼ିପଡ଼ା ଅଞ୍ଚଳ ପରିକ୍ରମା କରିଥିଲା। ପରେ ରଥଟି ଶୁଳିଆପଦା ବ୍ଲକ୍‌ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତ, ବଡ଼ଦେଉଳୀ ଛକ, ଗୁହାଳଡ଼ିହା, ବାଘଡ଼ାଛକ, ସାଇବଣୀ, ଝାଟିକିଆ ଦେଇ ମୋରଡ଼ା ବ୍ଲକ୍‌ ଯାଇଥିଲା। ମୋରଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼ଶୋଳ, ଚିକିଟାମାଟିଆ, ନୁଆଗାଁ, ମୋରଡ଼ା ବ୍ଲକ୍‌ ଛକ ଓ ଝିଙ୍କିରିଆ ଅଞ୍ଚଳ ପରିକ୍ରମା ପରେ ରଥଟି ରାସଗୋବିନ୍ଦପୁର ବ୍ଲକ୍‌ ଅଞ୍ଚଳରେ ପ୍ରବେଶ କରିଥିଲା।

ରଥଟି ରାସଗୋବିନ୍ଦପୁର ବ୍ଲକର ଦେବଶୋଳ, ରାସଗୋବିନ୍ଦପୁର ବ୍ଲକ୍‌ ସଦର ମହକୁମା, ତହସିଲ୍‌ ଛକ, ବିବି ହାଇସ୍କୁଲ ଓ ବିବି ମହାବିଦ୍ୟାଳୟ ଅଞ୍ଚଳ ପରିକ୍ରମା କରିଥିଲା। ପ୍ରତ୍ୟେକ ସ୍ଥାନରେ ସଂପୃକ୍ତ ବ୍ଲକର ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ସ୍ୱାଗତ କରିଥିଲେ।

ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳିବା ସହିତ ସମାଜର ବିଭିନ୍ନ ବର୍ଗର ଲୋକେ ଅନୁପ୍ରେରିତ ହେଉଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି ‘ଅହିଂସା ରଥ’

ଭୁବନେଶ୍ୱର : ବିଶ୍ୱ ଇତିହାସରେ ମାନବିକ ମହାନୁଭବତା ଓ ମୂଲ୍ୟବୋଧର ଜଣେ ଅସାଧାରଣ ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଗାନ୍ଧିଜୀ ଚିରସ୍ମରଣୀୟ। ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ସମସ୍ତ ରାଜ୍ୟ ପରିକ୍ରମା କରୁଛି।

ଆଜି ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଦୁଇଟି ଅହିଂସା ରଥକୁ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଚେକ୍‌ଗେଟ୍‌ଠାରେ ସ୍ୱାଗତ କରାଯାଇଥିଲା। ରଥ ଦୁଇଟି ଆଜି ମାଥିଲି ଓ ଖଇରପୁଟ ବ୍ଲକ୍‌ ପରିକ୍ରମା କରିବା ଅବସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉଭୟ ଜିଲ୍ଲାର ବ୍ଲକ୍‌ ଅଧ୍ୟକ୍ଷ, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି, ଛାତ୍ରଛାତ୍ରୀମାନେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ରଥ ପରିକ୍ରମା ସମୟରେ ବିିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଲକାନଗିରି ଜିଲ୍ଲାରେ ଏହି ରଥ ପରିକ୍ରମା କାର୍ଯ୍ୟ ଜାରି ରହିଛି।
ଆଜି ଗୋଟିଏ ଅହିଂସା ରଥ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍‌ଠାରେ ପହଞ୍ଚିବା ପରେ ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆଶାକର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ବହୁସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ରଥକୁ ସ୍ୱାଗତ କରିଥିଲେ।

କୁସୁମୀ ବ୍ଲକର ଝାଲଭଙ୍ଗୁରୀ, ବାଦାମ ପାହାଡ ଅଞ୍ଚଳ ପରିକ୍ରମା କରିବା ପରେ ଜାମଦା ବ୍ଲକ୍‌ ସଦର ମହକୁମା, ହୁର୍ଲାବେଡ଼ା, ଜାରକାନୀ, ବଡ଼ଦୁନ୍ଦୁ ଅଞ୍ଚଳ ପରିକ୍ରମା କରିଥିଲା। ଏହାପରେ ଏହି ରଥଟି ବହଳଦା ବ୍ଲକ୍‌ ଅନ୍ତର୍ଗତ ବହଦଳା ବଜାର, ବହଳଦା ହାଇସ୍କୁଲ, ନିମିଡିହି, ଡାଲିମା ଅଞ୍ଚଳରେ ପରିକ୍ରମା କରିଥିଲା। ସେଠାରୁ ରଥ ତିରିଙ୍ଗ ବ୍ଲକ୍‌ର ନିଶ୍ଚିନ୍ତପୁର, ରତନସାହି, ନୂଆଗାଁ, ତିରିଙ୍ଗ ବ୍ଲକ୍‌ ସଦର ମହକୁମାର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା।

ଶେଷରେ ଏହି ରଥ ରାଇରଙ୍ଗପୁର ବ୍ଲକ୍‌ ଅଞ୍ଚଳ ସହ ବ୍ଲକ୍‌ ଅନ୍ତର୍ଗତ ପୁରୁଣାପାଣି ଓ ଅନ୍ୟାନ୍ୟ ଗ୍ରାମପଞ୍ଚାୟତ ଗସ୍ତ କରିଥିଲା। ସମସ୍ତ ସ୍ଥାନରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।

ଦ୍ୱିତୀୟ ରଥଟି ଖୁଣ୍ଟା ବ୍ଲକ୍‌ର ବିସିପୁର, ଧାନଘେରା, କହ୍ନେଇବନ୍ଧ ଅଞ୍ଚଳ, ଗୋପବନ୍ଧୁ ନଗର ବ୍ଲକର କୁଶଳଦା, ଜୟପୁର, ପୁରୁଣା ବାରିପଦା, କୁଆମରା ଏବଂ ବଡ଼ସାହି ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସମସ୍ତ ସ୍ଥାନରେ ସଂପୃକ୍ତ ବ୍ଲକ୍‌ର ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଜନସାଧାରଣ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଏହି ରଥ ପରିକ୍ରମା ସମୟରେ ସ୍ଥାନୀୟ ଜନସାଧାରଣଙ୍କ ମନରେ ବିପୁଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲା। ଏହି ‘ଅହିଂସା ରଥ’ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଜାଗରଣ ସୃଷ୍ଟି କରୁଛି। ଜନସାଧାରଣଙ୍କ ମନରେ ଜାତୀୟତାଭାବ ଉଦ୍ରେକ କରିବା ସହ ଭାଇଚାରା, ସଂପ୍ରୀତି ଓ ଏକତାର ବାର୍ତ୍ତା ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଏହି ମହନୀୟ ପଦକ୍ଷେପ ବେଶ୍‌ ଆଦୃତି ଲାଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେଲା ନିଜସ୍ୱ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ଦ୍ୱାରା ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ନିମନ୍ତେ ଚିତ୍ରକୋଣ୍ଡାଠାରେ ଏବଂ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ୍‌ ଅଧୀନସ୍ଥ ଚାନ୍ଦୁଆଠାରେ ଅଗ୍ନିଶମ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ କରାଯାଇଛି। ଏହି ଦୁଇଟି କେନ୍ଦ୍ର ସ୍ଥାପନ ସହିତ ସାରା ରାଜ୍ୟର ୩୧୪ଟି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନର ଲକ୍ଷ୍ୟ ପୂରଣରେ ରାଜ୍ୟ ସରକାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଭାସୀ ଭାବେ ଯୋଗଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶା ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ, ମାଲକାନଗିରି ପ୍ରମୁଖ ଯୋଗଦେଇଥିଲେ।

ଏହି ଉଭୟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୧୫ ଜଣ ଲେଖାଏଁ କର୍ମଚାରୀ ମୁତୟନ ସକାଶେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଚିତ୍ରକୋଣ୍ଡାଠାରେ ପ୍ରତିଷ୍ଠା କରାଯାଇଥିବା ଏହି ନୂତନ ଅଗ୍ନିଶମ କେନ୍ଦ୍ର ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଆବଶ୍ୟକତା ପୂରଣ କରିବ । ଜିଲ୍ଲାପାଳ, ମାଲକାନଗିରି ଏହି କେନ୍ଦ୍ର ପାଇଁ ଆବଶ୍ୟକୀୟ ସରକାରୀ ଜମି ଯୋଗାଇ ଦେଇଥିବାବେଳେ ଚାନ୍ଦୁଆ କେନ୍ଦ୍ର ସକାଶେ ଚିହ୍ନିତ ଜମି ନିମନ୍ତେ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କଠାରୁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ ବାକି ରହିଥିବା ଜଣାପଡ଼ିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ଆରମ୍ଭ ହେବ ମାଲକାନଗିରି ବିମାନ ବନ୍ଦର କାମ, ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲାରେ ପହଞ୍ଚିବା ପରେ ପରେ ଶ୍ରୀ ମହାପାତ୍ର ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀ, ପ୍ରକଳ୍ପ ନିର୍ଦ୍ଦଶକ ବାଲମୁକୁନ୍ଦ ଭୂୟାଁଙ୍କ ସମେତ, ବନଖଣ୍ଡ ଅଧିକାରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ।

ବୈଠକରେ ମୁଖ୍ୟତଃ ରାସ୍ତାଘାଟ ଓ ପୋଲ ନିର୍ମାଣ, ଦୂର ଦୂରାନ୍ତ ସ୍ଥାନକୁ ଗମନାଗମନ ସୁବିଧା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଉଦ୍ୟାନ, କୃଷି, ମତ୍ସ୍ୟଚାଷ, ଜଳସେଚନ ଓ ବିବିଧ ଶସ୍ୟ ଉପ୍ତାଦନ ଆଦି ବିଷୟରେ ସବିଶେଷ ସମୀକ୍ଷା ହୋଇଥିଲା।

ସେବା ମନୋବୃତ୍ତି ନେଇ ଜିଲ୍ଲାର ସମସ୍ତ ଲୋକାଭିମୁଖି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବୈଠକରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ ବା ମରାମତି କାମ ଆରମ୍ଭ କରାଯାଇଥିବା ରାସ୍ତାଗୁଡିକୁ ମୌସୁମୀ ଆସିବା ପୂର୍ବରୁ ଯାତାୟାତ ଯୋଗ୍ୟ କରିବା ସହ ଅଣ ସଂଯୋଗୀକୃତ ଜନ ବସତିକୁ ରାସ୍ତା ନିର୍ମାଣ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାର ପ୍ରାକୃତିକ ଓ ମାନବ ସମ୍ବଳ ଉପଯୋଗୀ ବିଭିନ୍ନ ପ୍ରକାରର ଜିବୀକା ନିର୍ବାହ ପନ୍ଥା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରି ଲୋକମାନଙ୍କ ନିମନ୍ତେ ବର୍ଷ ତମାମ ଆୟର ସୁଯୋଗ ସୃଷ୍ଟି ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକ ପରେ ପରେ ସାମ୍ବାଦିକମାନଙ୍କର ପ୍ରଶ୍ନ ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସ୍ୱାଭିମାନ ଅଞ୍ଚଳ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନା ଗୁଡିକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି I ଏସବୁ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ପାଇଁ କ୍ଷେତ୍ର ସ୍ତରୀୟ ସ୍ଥିତି ଅନୁସାରେ ଆଜି ସମିକ୍ଷାରେ ସମୟ ସାରଣୀ ନିର୍ଦ୍ଧାରଣ କରାଯାଇଛି।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥଲେ ଯେ ସମଗ୍ର ଜିଲ୍ଲା ପାଇଁ ପରିପୃକ୍ତି ( ସାଚୁରେଚନ ମୋଡ) ଭିତ୍ତିରେ ଜଳ ଯୋଗାଣ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଇତି ମଧ୍ୟରେ ବାଲିମେଳା ସହରାଞ୍ଚଳର ଶତ ପ୍ରତିଶତ ଗୃହକୁ ପାଇପ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି। ମାଲକାନଗିରି ସହରାଞ୍ଚଳର ସମସ୍ତ ଗୃହକୁ ଖୁବ ଶୀଘ୍ର ଜଳ ଯୋଗାଣ ପାଇପ୍ ସଂଯୋଗ ଦିଆଯିବ।

ମାଲକାନଗିରି ବିମାନ ବନ୍ଦର ସମ୍ବନ୍ଦିତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହୁଥିଲେ ଯେ ଇତି ମଧ୍ୟରେ ବିମାନ ବନ୍ଦର ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି ଜଙ୍ଗଳ ଜମି କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳି ସାରିଛି। ବିମାନ ବନ୍ଦର ଜମିର ଚତୁପାର୍ଶ୍ୱ ଆବଦ୍ଧ କରାଯାଇଛି। ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ୱାନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ଖୁବ ଶୀଘ୍ର କ୍ଷେତ୍ର ସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା 2024 ମସିହା ପ୍ରଥମ ଭାଗରେ ଏହି ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ।

ଅପରାହ୍ନରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି କ୍ଷେତ୍ର ସ୍ତରୀୟ ସ୍ଥିତିର ଅନୁଧ୍ୟାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାଲକାନଗିରିରେ ଘରକୁ ଘର ବୁଲି ବିଜୁ ପକ୍କା ଘର ସହାୟତା ରାଶି ବାଣ୍ଟିଲେ କ୍ରୀଡା ମନ୍ତ୍ରୀ

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବିଜୁ ପକ୍କାଘର ଯୋଜନା ହିତାଧିକାରୀଙ୍କୁ ତିନି ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ମନ୍ତ୍ରୀ ବେହେରା ଜିଲ୍ଲାର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଘରକୁ ଘର ବୁଲି ସହାୟତା ରାଶି ପ୍ରଦାନ କରିଥିଲେ।

ଏଥି ସହିତ ମନ୍ତ୍ରୀ ବେହେରା ହିତାଧିକାରୀଙ୍କୁ ସେମାନଙ୍କ ସୁଖଦୁଃଖ ପଚାରି ବୁଝିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇଥିଲେ। ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ମନ୍ତ୍ରୀ ବେହେରା ମାଲକାନଗିରି ବ୍ଲକର ବିଭିନ୍ନ ହିତାଧିକାରୀଙ୍କୁ ନିଜ ହାତରେ ଏହି ସହାୟତା ରାଶି ପ୍ରଦାନ କରିଥିଲେ। ଗରିବ କଲ୍ୟାଣକାରୀ ଯୋଜନା ବାବଦ ଅର୍ଥକୁ ହିତାଧିକାରୀଙ୍କ ଘରେ ପହଂଚାଇବା ପାଇଁ ମନ୍ତ୍ରୀ ବେହେରା ଗାଁ କୁ ଗାଁ ବୁଲୁଥିବା ଦେଖି ଅଞ୍ଚଳରେ ବେଶ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ୩ ମାଓବାଦୀ

ଭୁବନେଶ୍ବର: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ତୁଲସୀ ବନାଞ୍ଚଳରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରୁ ୨ ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି। ନିହତ ହୋଇଥିବା ୩ ଜଣ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ମାଓବାଦୀ ପ୍ରାଣ ହରାଇଛନ୍ତି।

ତେବେ ଏହି ଏନକାଉଣ୍ଟରରେ ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନ ସଦସ୍ୟ ସାମିଲ ଥିଲେ। ବର୍ତ୍ତମାନ ସୁରକ୍ଷାକର୍ମୀଙ୍କ ଦ୍ଵାରା କମ୍ବିଂ ଅପରେସନ ଜାରି ରହିଛି। ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ଏନେଇ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ, ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ମାଲକାନଗିରି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ smart health card ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରୁ ସ୍ବାସ୍ଥ୍ୟ ସବୋର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ, ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ, ବା ସାଧାରଣ ଲୋକ, ସେ ଗାଁ ରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ ।

ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କବେେ ବାଧକ ନ ହେଉ। ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତି ରେ ହିଁ ରାଜ୍ୟର ଉନ୍ନତି ବୋଲି ସେ କହିଥିଲେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ର୍ଖଚ୍ଚ ୧୦ ଲକ୍ଷ ଟଙ୍କାକୁ କିପରି ବୃଦ୍ଧି ହଲୋ ସେ ସଂର୍ପକରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ “୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା । ମୁଁ ଲୋକସବୋ ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି ।

ସେ ସଭାରେ ଝିଅଟିଏ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଲା। ଝିଅ ଟିର ସାହସ ଓ ବୁଦ୍ଧିକୁ ସମସ୍ତେ ସେ ଦିନ ତାରିଫ କରିଥିଲେ । ଝିଅଟି ଥିଲା ଆମ ମାଲକାନଗିରିର ମମତା ପଡିଆମୀ । ତାଙ୍କ proposalଟି ମୋତେ ବହୁତ ଭଲ ଲାଗି ଥିଲା ଏବଂ ମୁଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲି ।”

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆମେ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ । ଏହି କାର୍ଯ୍ୟକ୍ରମ ମୁଁ ମାଲକାନଗିରିରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲି। ଆଗାମୀ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହବେ ।

ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ ବୋଲି ପ୍ରକାଶ କରି ସେ କହିଲେ ଯେ ରାଜ୍ୟର ସାଢେ ତିନି କୋଟି ଲୋକ ଉପକାର ପାଇବେ। ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍‌ପିଟାଲରେ କିଛି document ଦବା ଦରକାର ହେବ ନାହିଁ ବୋଲି ସେ କହିଥିଲେ। କେବଳ ଏହି Smart Health Card ସାଥିରେ ନେଇ ହସପିଟାଲ ଯିବାକୁ ହବ। ଦେଶର ୨୦୦ରୁ ଅଧିକ ବଡ ବଡ ହସ୍‌ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ ।

ଏହି କାର୍ଡରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡିଶା ପ୍ରଥମ। ଆପଣଙ୍କ ରାଜ୍ୟ ସରକାର ପ୍ରଥମ । ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷପେ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ସହିତ ଅର୍ଥନୀତିର ନିବିଡ ସଂର୍ପକ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ । ତେଣୁ ପରିବାରରେ କେହି ଅସୁସ୍ଥ ହୋଇପଡିଲେ, ଆମର ଚିନ୍ତା ବଢିଯାଇଥାଏ । ସବୁଠୁ ବଡ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା । ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ। କେହିକେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରିଦେଇଥାନ୍ତି । କେହିକେହି ମଧ୍ୟ ଧାର କରଜ କରିଥାନ୍ତି ।

“ଏ ଖବର ମୁଁ ଯତେବେଳେେ ଶୁଣେ, ମୋତେ ବହୁତ ଦୁଃଖ ଲାଗେ। ଆମର ଏହି Smart Health Card ଆପଣଙ୍କର ଏ ଦୁଃଖ ଲାଘବ କରିବ। ଚିକିତ୍ସା ବୋଝ କମ୍‌ କରିବାରେ ସାହାଯ୍ୟ କରିବ । ଆପଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ତେଣୁ ଏ ବାବଦ ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ। ନିଜ ପିଲାଙ୍କ ପାଠପଢା ପାଇଁ, ପରିବାରର ଉନ୍ନତି ପାଇଁ ର୍ଖଚ୍ଚ କରିପାରିବେ।”

ରାଜ୍ୟର ସବୁ ସରକାରୀ ହସ୍‌ପିଟାଲ ଗୁଡିକରେ ସମସ୍ତ ସ୍ବାସ୍ଥ୍ୟ ସବୋ ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର୍ପଯ୍ୟନ୍ତ ସବୁ ସରକାରୀ ହସ୍‌ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ର୍ଖଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଆମର ସରକାରୀ ହସ୍‌ପିଟାଲରେ ଡ଼ାଇଲିସିସ୍‌ ଠାରୁ ଆରମ୍ଭ କରି କମେୋ ଥରୋପୀ, ସିଟି ସ୍କାନ, MRI, ବିଭିନ୍ନ ପାଥୋଲୋଜୀ ଟଷେ୍ଟ ସୁବିଧା ମିଳୁଛି। ମୁଁ ବହୁତ ଖୁସି ଯେ ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍‌ପିଟାଲରେ ଏ ସୁବିଧା ନେଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଓଡ଼ିଶାରେ ସ୍ବାସ୍ଥ୍ୟ ସବୋ ବିକାଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରାକୃତିକ ବିର୍ପଯ୍ୟୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସବୋ ର୍ପଯ୍ୟନ୍ତ ସବୁ କ୍ଷତେ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦଶେରେ ଆର୍ଦଶ ହୋଇଛନ୍ତି । ଏମ୍ ପି ଶ୍ରୀ ରମଶେ ମାଝି ସ୍ଵାଗତ ଭାଷଣ ଦେଇ ଥିଲେ ।

କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବହେରୋ ଧନ୍ୟବାଦ ଜଣାଇଥିଲେ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ରେ ମହିଳାଙ୍କ ଚିକିତ୍ସା ର୍ଖଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ମମତା ପଡିଆମୀ ମଧ୍ୟ ସଭାରେ ଯୋଗଦେଇ ତାଙ୍କ ମତାମତ ଦେଇ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସଚତେନତା ରଥର ଶୁଭାରମ୍ଭ କରିଥିଲେ । ଏହି smart card ରେ 64kbର ଚିପ୍ସ ରହିଛି। ଏଥିରେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ରହିଛି । ହିତାଧିକାରୀ ଚାହିଁଲେ ମୋ ସବୋ କନେ୍ଦ୍ର କୁ ଯାଇ ନୂଆ ତଥ୍ୟ ଯୋଗ କରି ପାରିବେ ।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ସଭ୍ୟ ବୃନ୍ଦ ,ଏମ ପି ଏମ୍ ଏଲ୍ ଏ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲକାନଗିରି ଗସ୍ତ, ସ୍ମାଟ କାର୍ଡର କରିବେ ଶୁଭାରମ୍ଭ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ମାଲକାନଗିରି ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ସକାଳ 11ଟା 30 ମିନଟରେ ଭୁବନେଶ୍ବରରୁ ହେଲିକାପ୍ଟରରେ ବାହାରି ଜିଲ୍ଲା ଷ୍ଟାଣ୍ଡିୟମରେ ଓହ୍ଲାଇବେ। ସେଠାରୁ ସେ ଜିଲ୍ଲା ସଂସ୍କୃତି ଭବନରେ 150 ଜଣ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନର ସ୍ମାର୍ଟ କାର୍ଡ ବଣ୍ଟନ କରିବେ।

ଯେଉଁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଗ୍ରହଣ କରିବେ ସେମାନଙ୍କର କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ ଆସିଥିବା ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ସେଠାରେ ପୂର୍ବରୁ 8 ଜଣ ମନ୍ତ୍ରୀ ଏବଂ ବହୁ ବିଧାୟକ ଡେରା ପକାଇଛନ୍ତି। ବିଜେଡିର ସଂଗଠନ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଏହାର ନେତୃତ୍ୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ କରିବା ପରେ ଏହି ମନ୍ତ୍ରୀମାନେ ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ଅନ୍ୟ ହିତାଧିକାରୀଙ୍କ ଏହି କାର୍ଡ ବଣ୍ଟନ କରିବେ। କୋଭିଡ ଦ୍ବିତୀୟ ଲହର ଥମିବା ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜିଲ୍ଲା ଗସ୍ତ।

Categories
ଆଜିର ଖବର ରାଜ୍ୟ ଖବର

ଦୀର୍ଘ ମାସ ପରେ ରାଜ୍ୟକୁ ଫେରିଲା ରାତ୍ରୀକାଳୀନ କର୍ଫ୍ୟୁ: ଏହି ଜିଲ୍ଲାରେ ଲାଗିଲା କଟକଣା

ଭୁବନେଶ୍ୱର: ଦୀର୍ଘ ମାସ ପରେ ରାଜ୍ୟକୁ ରାତ୍ରୀକାଳୀନ କର୍ଫ୍ୟୁ ଫେରିଛି। ମାଲକାନଗିରିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ରାତ୍ରୀକାଳୀନ କର୍ଫ୍ୟୁ ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ପ୍ରତ୍ୟେକ ଦିନ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ୩୧ ତାରିଖ ରାତି ୧୧ ଟା ୫୯ ମିନିଟ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁରହିବ।

ତେବେ ଦୋଳ ମେଳଣ ଏବଂ ହୋଲି ପର୍ବ ପାଇଁ ମଧ୍ୟ ଜିଲ୍ଲାପାଳ କଟକଣା ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରିଛନ୍ତି। କୋଭିଡ଼ ଗାଇଡଲାଇନ ମାନି ୫୦ ଜଣରେ ଦୋଳ ମେଳଣ ହେବ। ସେହିଭଳି ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨୦୦ ଲୋକ ସାମାଜିକ ଦୂରତ୍ଵ ଏବଂ ମାସ୍କ ପରିଧାନ କରି ବଡ଼ଯାତ୍ରା ପାଳନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 67 ପଜିଟିଭ୍‌ ଚିହ୍ନଟ : ପ୍ରଥମ ଥର ପାଇଁ ନୂଆପଡା ଛୁଇଁଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ 67 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।  ଏହି ନୂତନ 67ଙ୍କ ମଧ୍ୟରେ  ପୁରୀ ଜିଲ୍ଲାରୁ ସର୍ବାଧିକ 16, ନୟାଗଡରୁ 13, ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରୁ 7 ଜଣ ଲେଖାଏଁ, ଅନୁଗୁଳରୁ 6, ସୁନ୍ଦରଗଡ ଓ କଳାହାଣ୍ଡିରୁ 4 ଜଣ ଲେଖାଏଁ ରହିଥିବାବେଳେ ଖୋର୍ଦ୍ଧାରୁ ତିନି, କଟକ ଓ ମାଲକାନଗିରିରୁ ଦୁଇଜଣ ରହିଛନ୍ତି । ଆଜି ପ୍ରଥମଥର ପାଇଁ  ବରଗଡ ଓ ନୂଆପଡା ଛୁଇଁଛି କରୋନା। ଜଗତସିଂହପୁର, ଢେଙ୍କାନାଳ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ଆକ୍ରାନ୍ତଙ୍କ ମିଶାଇଲେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1336ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 833 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 497। ଏହି ନୂତନ 67 ମଧ୍ୟରୁ 60 କ୍ବାରେଣ୍ଟିନ୍‌ କେନ୍ଦ୍ରର ରହିଥିବାବେଳେ, ଚାରିଜଣ ହୋମ୍‌ କ୍ବାରେଣ୍ଟିନ୍‌ର ରହିଥିବାବେଳେ ତିନି ଜଣ ଲୋକାଲ୍‌ କେସ୍‌ ରହିଛି।