ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ ବନ ବିଭାଗ ଓ ପୁଲିସର ମିଳିତ ସଫଳ ଚଢ଼ାଉ ପ୍ରକ୍ରିୟାରେ ଏକ ବେଆଇନ ବନ୍ୟଜନ୍ତୁ ଚାଲାଣ ରାକେଟ୍ର ପର୍ଦ୍ଦାଫାଶ ହୋଇଛି। ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ବନ ବିଭାଗ ଓ ମୋଟୁ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ। ଏହି ଚଢ଼ାଉ ସମୟରେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯିବା ସହ ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୋଟୁ ଥାନା ଅନ୍ତର୍ଗତ ଏମ୍ପିଭି-୫୩ ଗ୍ରାମ ନିକଟସ୍ଥ କେନାଲ ରାସ୍ତାରେ ବନ ବିଭାଗ ଓ ପୁଲିସ ଟିମ୍ ପକ୍ଷରୁ କଡ଼ା ଯାନବାହନ ଯାଞ୍ଚ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ସନ୍ଦେହଜନକ ଭାବେ ଆସୁଥିବା ଦୁଇଟି ମୋଟରସାଇକେଲକୁ ଅଟକାଯାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ସେହି ଗାଡ଼ିଗୁଡ଼ିକରୁ ୫୫ଟି ଜୀବନ୍ତ କଇଁଛ ଠାବ ହୋଇଥିଲା। ବୋଝେଇ ହୋଇଥିବା ଦୁଇଟି ମୋଟରସାଇକେଲ (ଓଆର-୩୦-୩୭୧୬ ଏବଂ ଓଆର-୩୦-୪୮୩୭) କୁ ସୁରକ୍ଷାକର୍ମୀମାନେ ଜବତ କରିଥିଲେ।
ଗାଡ଼ି ସହ ସମସ୍ତ ୫୫ଟି ଜୀବନ୍ତ କଇଁଛକୁ ବନ ବିଭାଗ ନିଜ ହେପାଜତକୁ ନେଇଛି ଏବଂ କଇଁଛ ଚୋରା ଚାଲାଣରେ ସମ୍ପୃକ୍ତ ୪ ଜଣ ଚୋରା ଚାଲାଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ଏହି ଘଟଣାରେ ମୋଟୁ ରେଞ୍ଜରେ ବନ ମାମଲା ନମ୍ବର ଓଆର-୨୦/୨୦୨୬-୨୭ ରୁଜୁ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ର ନିୟମାନୁସାରେ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି। ଉଦ୍ଧାର କରାଯାଇଥିବା କଇଁଛଗୁଡ଼ିକର ସୁରକ୍ଷା ଓ ଆବଶ୍ୟକ ଯତ୍ନ ନେବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇଛି।


