ସପ୍ତଦଶ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା

Published: Jun 19, 2019, 11:37 am IST

ରାଜସ୍ଥାନର କୋଟାରୁ ବିଜେପିର ସାଂସଦ ରହିଥିବା ଓମ୍‌ ବିର୍ଲା ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସପ୍ତଦଶ ଲୋକସଭାର ବାଚସ୍ପତି ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତାବକ ଭାବରେ ଓମ୍‌ଙ୍କ ନାମ ସୁପାରିଶ କରିଥିଲୋ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କରୀ ଏବଂ ଅର୍ଜୁନ ମୁଣ୍ଡା ବାଚସ୍ପତି ପଦ ନିମନ୍ତେ ଓମ୍‌ଙ୍କୁ ସମର୍ଥନ କରିବା ପରେ ସର୍ବସମ୍ମତି କ୍ରମେ ବିର୍ଲାଙ୍କୁ ନିର୍ବାଚିତ କରାଯାଇଥିଲା। ପୂର୍ବରୁ ବିଜେଡ଼ି, ଶିବସେନା, ଅକାଳୀଦଳ, ଏଲଜେପି, ୱାଇଏସ୍‍ଆର୍‍ କଂଗ୍ରେସ, ଜେଡିୟୁ ଏବଂ ଏଆଇଏଡି ଏମକେ ମଧ୍ୟ ବିର୍ଲାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଜଣାଇଥିଲେ। ୧୭ ବର୍ଷ ବୟସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ବିର୍ଲା ତିନିଥର ରାଜସ୍ଥାନର ବିଧାୟକ ରହିବା ସହିତ ଦୁଇ ଥର ସାଂସଦ ରହିଛନ୍ତି। ମୋଦି ବାଚସ୍ପତି ଚେୟାର ପର୍ଯ୍ୟନ୍ତ ବିର୍ଲାଙ୍କୁ ନେବା ପରେ ନିଜ ଅଭିଭାଷଣରେ ବିର୍ଲାଙ୍କୁ ପ୍ରଶଂସା କରିଥିଲେ। କୋଟା ପରି ଏକ କ୍ଷୁଦ୍ର ସ୍ଥାନକୁ ଏକ ଛୋଟ ଭାରତରେ ପରିଣତ କରିବାରେ ବିର୍ଲାଙ୍କ ଅବଦାନ ବହୁତ ବୋଲି ମୋଦି କହିଥିଲେ।

Related posts