Categories
ଆଜିର ଖବର ଜାତୀୟ ଖବର

ଏନ୍‌ଆରସିକୁ ନେଇ ଲୋକସଭାରେ ଲିଖିତ ଉତ୍ତର ଦେଲେ ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ବା ଏନ୍‌ଆରସିକୁ ନେଇ ଦେଶ ବ୍ୟାପୀ ଭିନ୍ନ ଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଏନ୍‌ଆରସିକୁ ନେଇ ମୋଦି ସରକାର ବଡ ବୟାନ ଦେଇଛନ୍ତି। ସରକାର ଲୋକସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏନ୍‌ଆରସି ପ୍ରସ୍ତୁତି ନେଇ କୌଣସି ନିର୍ଣ୍ଣୟ ନିଆଯାଇନାହିଁ। କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏନଆରସି ନେଇ ଲିଖିତ ଉତ୍ତର ରଖିଛନ୍ତି।

ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଦନରେ ଚନ୍ଦନ ସିଂହ ଓ ନମା ନାଗେଶ୍ବରଙ୍କ  ଏନ୍‌ଆରସି ସମ୍ପର୍କିତ 5ଟି ପ୍ରଶ୍ନର ଲିଖିତ ଉତ୍ତରରେ ଏହା ସୂଚନା ଦେଇଛନ୍ତି। ରାୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏନ୍‌ଆରସିକୁ ରାଷ୍ଟ୍ରୀୟ ସ୍ତରରେ ପ୍ରସ୍ତୁତି ପାଇଁ କୌଣସି ପ୍ରକାରର ନିର୍ଣ୍ଣୟ ନିଆଯାଇନାହିଁ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନ୍‌ଆରସି ଲାଗୁ ହୋଇନଥିବାର ବୟାନ ଦେଇଥିଲେ। ବିଗତ କିଛି ଦିନ ତଳେ ରାଜଧାନୀ ଦିଲ୍ଲୀର ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, 2014ଠାରୁ ଏନ୍‌ଆରସି ଉପରେ କୌଣସି ଚର୍ଚ୍ଚା ହୋଇନାହିଁ। କେବଳ ସୁପ୍ରିମ୍‌କୋର୍ଟଙ୍କ ଆଦେଶାନୁସାରେ ଆସାମରେ ଏହାକୁ ଲାଗୁ କରିବାକୁ ପଡ଼ିଲା। କିନ୍ତୁ ଗୃହ ମନ୍ତ୍ରୀ ଅମିତ୍‌ ଶାହା ଦେଶରେ ଏନ୍‌ଆରସି ଲାଗୁ କରିବାର କଥା କହିଥିଲେ।

ଏନ୍‌ଆରସି  ବିରୋଧରେ ରାଜ୍ୟ ସରକାରମାନେ ମଧ୍ୟ ସ୍ବର ଉତ୍ତୋଳନ କରିଛନ୍ତି। ବିହାରର ନୀତିଶ୍‌ କୁମାର ମଧ୍ୟ ରାଜ୍ୟରେ ଏନ୍‌ଆରସି ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ବିହାର ବ୍ୟତୀତ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏନ୍‌ଆରସି ଲାଗୁ କରିବାକୁ ସିଧାସଳଖ ମନା କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର

ବିପକ୍ଷ ଦଳଙ୍କ ହୋ ହଲ୍ଲା ସତ୍ତ୍ବେ ନାଗରିକତ୍ବ ସଂଶୋଧନ ବିଲ୍‌ ଆଗତ କଲେ ଅମିତ୍‌ ଶାହା

ନୂଆଦିଲ୍ଲୀ,9/12: କଡା ବିରୋଧ ସତ୍ତ୍ବେ ଲୋକସଭାରେ ଆଗତ ହୋଇଛି ନାଗରିକତ୍ବ ସଂଶୋଧନ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହା 12.20 ମିନିଟ୍‌ରେ ଏହ ବିଲ୍‌ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଲ୍‌କୁ ବିରୋଧ କରାଯାଇଥିଲା। ବିଲ୍‌ ଆଗତ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ତୃଣମୂଳ ସାଂସଦ ବିଲ୍‌ର ବିରୋଧ କରିଥିଲେ। ଏହି ବିଲ୍‌ ଜରିଆରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଚୌଧୁରୀ ମତ ଦେଇଥିଲେ। ଏହି ବିଲ୍‌ ଅନୁଚ୍ଛେଦ 14-ଏର ଉଲ୍ଲଂଘନ କରୁଛି ବୋଲି ତୃଣମୂଳ ସାଂସଦ ମତ ଦେଇଥିଲେ। ଏହି ବିଲ୍‌ 0.0001 ପ୍ରତିଶତ ମୁସ୍‌ଲିମ୍‌ ବିରୋଧୀ ନୁହେଁ ଏବଂ ପ୍ରଶ୍ନକାଳ ସମୟରେ ସେ ଏହି ବିଲ୍‌ ସମ୍ପର୍କରେ ଉତ୍ତର ରଖିବେ ବୋଲି ଗୃହମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ବିଲ୍‌କୁ ବିରୋଧ କରିବା ପୂର୍ବରୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ବିଲ୍‌ ପ୍ରତି ସମର୍ଥନ ଜାହିର କରିଥିଲେ। ପଡୋଶୀ ଦେଶରେ ନିଷ୍ପେସିତ ଅବସ୍ଥାରେ ରହିଥିବା ଅଣ ମୁସଲିମ୍‌ ଭାଇ ଓ ଭଉଣୀ ମାନଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମ ପ୍ରଣୟନ ଜରୁରୀ ବୋଲି ଗିରିରାଜ କହିଥିଲେ। ଧର୍ମ ଭିତ୍ତିରେ ଭାରତର ବିଭାଜନ ହୋଇନଥିଲା। ଭାରତରେ ସମସ୍ତ ଧର୍ମକୁ ସମ୍ମାନ ଦିଆଯାଏ ମାତ୍ର ପାକିସ୍ତାନ ଏବଂ ବାଂଲାଦେଶରେ ଅଣ ମୁସ୍‌ଲିମ୍‌ଙ୍କ ଅବସ୍ଥା ଶୋଚନୀୟ। ତେଣୁ ସମସ୍ତ ସାଂସଦ ଏହି ବିଲ୍‌ ନିମନ୍ତେ ସମର୍ଥନ ଜାହିର କରିବା ଉଚିତ୍‌ ବୋଲି ଗିରିରାଜ ମତ ରଖିଥିଲେ। ଆରଏସ୍‌ପି ସାଂସଦ ଏନ୍‌କେ ପ୍ରେମଚନ୍ଦ୍ରନ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ। ସମ୍ବିଧାନର ମୂଳ ନିୟମକୁ ଏହି ବିଲ୍‌ ଭଙ୍ଗକରୁଛି। ଏହି ବିଲ୍‌ ଲାଗୁ କରାଗଲେ ଦେଶର ଧାର୍ମିକ ସନ୍ତୁଳନ ବିଗିଡିବାର ସମ୍ଭାବନା ରହିଛି ବୋଲି କହି ବିଲ୍‌ର ବିରୋଧ କରିଛନ୍ତି ପ୍ରେମଚନ୍ଦ୍ରନ। (ଏଜେନ୍ସୀ)

Categories
ଆଜିର ଖବର

ନିର୍ମଳାଙ୍କୁ ନିର୍ବଳା ଭାବରେ ସମ୍ବୋଧନ କଲେ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ,2/12: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବଳା (ଶକ୍ତିହୀନ) ସୀତାରମଣ ଭାବରେ ସମ୍ବୋଧନ କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଲୋକସଭାରେ ଏକ ଆଲୋଚନା ସମୟରେ ସେ ନିର୍ମଳାଙ୍କୁ ନିର୍ବଳା ବୋଲି ସମ୍ବୋଧନ କରିଥିଲେ । ଅଧୀର କହିଥିଲେ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ ନିର୍ମଳା ନିଜର ସ୍ବର ଉତ୍ତୋଳନରେ ଅକ୍ଷମ । ତାଙ୍କ ନେତୃତ୍ବରେ ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି । ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ବିଦେଶୀ ବୋଲି କହିବାର ଗୋଟିଏ ଦିନ ପରେ ଅଧୀର ଏହି ମନ୍ତବ୍ୟ ଦେଇଛନ୍ତି । ଅଧୀରଙ୍କ ଏହି ମନ୍ତବ୍ୟ ପରେ ଗୃହରେ ଅଧୀରଙ୍କ କ୍ଷମା ପ୍ରାର୍ଥନା ଦାବି କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ପଡିଲେ ସାଧ୍ବୀ ପ୍ରଜ୍ଞା

ନୂଆଦିଲ୍ଲୀ,28/11 : ଭୋପାଳର ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ଦିଆଯାଇଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେକୁ ଦେଶଭକ୍ତ ବୋଲି କହିଥିବା କାରଣରୁ ପ୍ରଜ୍ଞାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୁଧବାର ସଂସଦରେ ଏସ୍‌ପିଜି ବିଲ୍‌ ସମ୍ବନ୍ଧରେ ଆଲୋଚନା ସମୟରେ ପ୍ରଜ୍ଞା ଏହି ମତ ଦେଇଥିଲେ । ଏହି ମତ ପରେ ସମଗ୍ର ଦେଶବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଟ୍ବିଟ୍ଟରରେ ଏଡା ବିରୋଧରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବିଭିନ୍ନ ମହଲରୁ ବିରୋଧ ପରେ ଲୋକସଭାର ପ୍ରତିରକ୍ଷା ସଂସଦୀୟ କମିଟିରୁ ପ୍ରଜ୍ଞାଙ୍କୁ ହଟାଯାଇଛି । ଏହା ସହିତ ବିଜେପିର ସଂସଦୀୟ ବୈଠକରେ ପ୍ରଜ୍ଞାଙ୍କ ଉପସ୍ଥିତି  ଉପରେ ରୋକ୍‌ ଲଗାଇଛନ୍ତି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ।

Categories
ଆଜିର ଖବର

ଇଲୋକ୍ଟରାଲ ବଣ୍ଡ ପ୍ରତିବାଦରେ ଗୃହତ୍ୟାଗ କଲା କଂଗ୍ରେସ

ଇଲୋକ୍ଟରାଲ ବଣ୍ଡ ଏବଂ ପିଏସ୍‌ୟୁ ଗୁଡିକର ଘରୋଇକରଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉଭୟ ଘଟଣାକୁ ଦୁର୍ନୀତି ବୋଲି ଅଭିହିତ କରି ସାଂସଦ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ସାଂସଦଙ୍କ ହଙ୍ଗାମା ଫଳରେ ରାଜ୍ୟସଭାକୁ ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ 15 ମିନିଟ୍‌ ମୁଲତବୀ ରଖାଯାଇଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏହି ନିୟମ ଦ୍ବାରା ସରକାର ଦେଶବାସୀଙ୍କୁ ଲୁଟୁଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ସରକାର ପରିଚାଳିତ ହେଉଛି । ଏଥିରେ ଦୁର୍ନୀତିର କୌଣସି ଅବକାଶ ନାହିଁ ବୋଲି ଯୋଶୀ ମତବ୍ୟକ୍ତ କରିଥିଲେ ।

Categories
ବିଶେଷ ଖବର

ଲୋକସଭାର ପ୍ରଥମ ଅଧିବେଶନ-ଲୋକତନ୍ତ୍ରର ମନ୍ଦିରରେ ଜୟ ଶ୍ରୀରାମ,ଜୟ ମା କାଳୀ ଓ ଆଲ୍ଲା ହୁ ଆକବର

କେଦାର ମିଶ୍ର 

ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଦେଶର ସମ୍ବିଧାନ ଅନୁସାରେ ସମସ୍ତଙ୍କ ପାଇଁ ନ୍ୟାୟ କରିବାକୁ ଶପଥ ନେଉଥିବା ମାନ୍ୟବର ଲୋକସଭା ସଦସ୍ୟମାନେ ପରଷ୍ପରର ଧର୍ମକୁ ନେଇ ଲୋକସଭାରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ବୋଧହୁଏ ଆମ ଲୋକତନ୍ତ୍ର ଲାଗି ସବୁଠୁ ଲଜ୍ଯାକର ଦୃଶ୍ୟ ହୋଇ ରହିବ। ଦ୍ଵିତୀୟ ଥର ଜିତିବା ପରେ ଭାରତୀୟ ଜନତା ପାର୍ଟି ଖୋଲାଖୋଲି ନିଜର ସାମ୍ପ୍ରଦାୟିକ ଚରିତ୍ରକୁ ଏଥର ସଂସଦ ଭିତରେ ଜାହିର କରୁଛି। ବିରୋଧୀ ଦଳର ସଦସ୍ୟ ଓ ସଂଖ୍ୟାଲଘୁ ବର୍ଗର ନିର୍ବାଚିତ ସଦସ୍ୟମାନଙ୍କୁ ଅତି ନିକୃଷ୍ଟ ଭାବରେ ଅପମାନିତ କରାଯାଉଛି।ବିରୋଧୀଙ୍କୁ ଚିଡାଇବା ଲାଗି “ଜୟ ଶ୍ରୀରାମ” ନାରା ଲଗାଯାଉଛି।  “ଜୟ ଶ୍ରୀରାମ” ଆଜି ଆଉ ଏକ ଧାର୍ମିକ ଧ୍ୱନି ହୋଇ ରହିନାହିଁ। ରାଜନୈତିକ ପ୍ରତିଯୋଗୀଙ୍କୁ ଅପମାନିତ କରିବାଲାଗି ବିଜେପି ସଦସ୍ୟମାନେ “ଜୟ ଶ୍ରୀରାମ” ଧ୍ବନିର ଦୁର୍ବ୍ୟବହାର କରୁଛନ୍ତି। ପ୍ରଥମତଃ ସମ୍ବିଧାନର ଶପଥ ନେଉଥିବା ଆମର ଲୋକପ୍ରତିନିଧି ମାନେ ନିଜର ଧାର୍ମିକ ପରିଚୟକୁ ସଂସଦ ଗୃହ ବାହାରେ ଛାଡି ଆସିବା କଥା। ସମ୍ବିଧାନ ଓ ଆଇନର ଶାସନରେ ଆପଣ ସାରା ଭାରତର ପ୍ରତିନିଧି। ଗଣତନ୍ତ୍ରର ଏଇ ସାଧାରଣ ଶିଷ୍ଟାଚାର ବୋଧହୁଏ ଶାସକ ଦଳଠାରୁ ଆଶା କରିବା ବୃଥା!

ଶପଥ ଗ୍ରହଣ ସମୟରେ ବିଜେପି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବରେ ବିରୋଧୀଙ୍କୁ ଅପମାନିତ କରୁଥିବାର ଦୃଶ୍ୟ, ଆମର ଗଣତନ୍ତ୍ର ଲାଗି ଏକ ଭୟଙ୍କର କଳାଦିନର ସଙ୍କେତ ଦେଉଛି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଆଗରେ ମୁଣ୍ଡିଆ ମାରୁଥିବାବେଳେ ତାଙ୍କ ଦଳର ପ୍ରତିନିଧିମାନେ ସମ୍ବିଧାନ ଦ୍ଵାରା ପ୍ରତିଷ୍ଠିତ ଆମର ସଂସଦୀୟ ପରମ୍ପରାକୁ ପଦାଘାତ କରୁଛନ୍ତି। ସଂସଦର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଶପଥ ଗ୍ରହଣ କରିବା ସମୟରେ ଶାସକ ଦଳର ଆଚରଣ ଅତ୍ୟନ୍ତ ଲଜ୍ଜାଜନକ ରହିଥିଲା। ଲୋକସଭାର  ଶପଥ ଗ୍ରହଣ ଉତ୍ସବ ଏକ ସୌହାର୍ଦ୍ଦ୍ୟ ଓ ସଦ୍ଭାବନାମୂଳକ ପରିବେଶରେ ଯଦି ହୋଇ ପାରୁନାହିଁ, ତାହେଲେ ଆଗାମୀ ଦିନରେ ଲୋକସଭା କେମିତି ଚାଲିବ, ତାର ସ୍ପଷ୍ଟ ସଙ୍କେତ ଏଥିରୁ ମିଳିଯାଉଛି।

ଏହି ପୃଷ୍ଠଭୂମିରେ ଆଜି ଆମଲାଗି ସବୁଠୁ ଚିନ୍ତାର ବିଷୟ ହେଉଛି, ଧାର୍ମିକତାର ଆଧାରରେ ଆମେ ସତରେ ବିଭାଜିତ ହୋଇ ସାରିଛୁ କି? ଦେଶର ଶାସକ ଦଳ ନିଜକୁ ହିନ୍ଦୁ ମାନଙ୍କର ପ୍ରତିନିଧି ବୋଲି ଖୋଲାଖୋଲି ଘୋଷଣା କରିବା ଓ ବିରୋଧୀଙ୍କୁ ସଙ୍ଖ୍ୟାଲଘୁଙ୍କ ସମର୍ଥକ ବୋଲି କହିବାର ପ୍ରକ୍ରିୟାରୁ ଏକଥା ତ ସ୍ପଷ୍ଟ ହୋଇ ଯାଉଛି। ଲୋକସଭା ଭିତରେ ତୃଣମୂଳ ଓ ବିଜେପି ମଧ୍ୟରେ ଯେଉଁ ଯୁଦ୍ଧ ଦେଖିବାକୁ ମିଳିଥିଲା, ସେଥିରେ ହିନ୍ଦୁ ଧର୍ମ ଭିତରେ ମଧ୍ୟ ବିଭାଜନର ଏକ ଭୟଙ୍କର ଆଭାସ ମିଳୁଥିଲା। ବିଜେପିର “ଜୟ ଶ୍ରୀରାମ” ନାରା କୁ ଖର୍ବ କରିବାକୁ ତୃଣମୂଳ ସଦସ୍ୟମାନେ “ଜୟ ମା କାଳୀ” ନାରା ଦେଇଥିଲେ। ଇତିହାସରେ ଏକଦା ଶୈବ ଓ ବୈଷ୍ଣବମାନଙ୍କ ଭିତରେ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ତାହାର ପୁରାବୃତ୍ତିର ଏ ସୂଚନା ନୁହେଁ ତ!

ଆମେ ଯେଉଁମାନେ ୧୯୮୯ ମସିହାରୁ ଲୋକସଭା ବିତର୍କ ଓ ଲୋକସଭାର କାର୍ୟକ୍ରମ ଦେଖି ଆସୁଛୁ, ଆମ ଲାଗି ଏହି ଲୋକସଭାର ପ୍ରଥମ ଅଧିବେଶନ ସବୁଠୁ ବେଶୀ ଅପମାନଜନକ ଓ ଚିନ୍ତାଜନକ। ଧାର୍ମିକ ଉନ୍ମାଦର ଏତେ ବେଶୀ ଭୟଙ୍କର ପ୍ରଦର୍ଶନ କେବେ ବି କୌଣସି ଲୋକସଭାରେ ଦେଖିବାକୁ ମିଳିନଥିଲା। ଧାର୍ମିକ ପରିଚୟ ଆଧାରରେ ସଭ୍ୟମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରେ, ସାମାନ୍ୟତମ ଲଜା ଅନୁଭବ କରୁନାହାନ୍ତି। ଆମ ଲୋକ ପ୍ରତିନିଧିଙ୍କ ଆଚରଣରୁ ଯାହା ମନେହେଉଛି, ଆମେ ବୋଧହୁଏ ଏକ ଭୟଙ୍କର ସାଂସ୍କୃତିକ ବିଭାଜନ ଆଡକୁ ମୁହାଁଉଛୁ। ଭାରତୀୟ ନାଗରିକ ଓ ସମ୍ବିଧାନର ଅନୁରକ୍ତ ପ୍ରତିନିଧି ଅପେକ୍ଷା ନିଜ ନିଜର ଧାର୍ମିକ ପରିଚୟକୁ ନେଇ ସଭ୍ୟମାନେ ଅତ୍ୟନ୍ତ ନିକୃଷ୍ଟ ଆଚରଣ ପ୍ରଦର୍ଶନ କରୁଛନ୍ତି। ଶାସକ ଦଳର ପ୍ରରୋଚନାରେ ଏବେ ଲୋକସଭା ଧର୍ମସଭା ପରି ଲାଗୁଛି। ଏକବିଂଶ ଶତାବ୍ଦୀରେ ପୃଥିବୀର ସର୍ବ ବୃହତ ଗାଣତାନ୍ତ୍ରିକ ରାଷ୍ଟ୍ର ଧାର୍ମିକ ଉନ୍ମାଦନାର ରାଷ୍ଟ୍ର ପରି ଦୃଶ୍ୟମାନ ହେବା, ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ।

Categories
ବିଶେଷ ଖବର

ବନ୍ଧୁ ଓ ବିରୋଧୀଙ୍କ ପାଇଁ ମୋଦୀ ସରକାରଙ୍କ ଲୋଭନୀୟ ଲଲିପପ୍‌, ଲୋକସଭାର ଉପ ବାଚସ୍ପତି ପଦ

କେଦାର ମିଶ୍ର

ମନ୍ତ୍ରିମଣ୍ଡଳ ଗଠନ ପରେ ସବୁଠୁ ଅଧିକ ଚର୍ଚ୍ଚା ହୁଏ ଲୋକସଭାର ବାଚସ୍ପତି କିଏ ହେବେ। କାରଣ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ପରେ ସଂସଦୀୟ ପରମ୍ପରାରେ ବାଚସ୍ପତି ହେଉଛନ୍ତି ତୃତୀୟ ଗୁରୁତ୍ୱପୂର୍ଣ୍ଣ ପଦବୀ। ସଂସଦୀୟ ଓ ସାମ୍ବିଧାନିକ ନିଷ୍ପତ୍ତି କ୍ଷେତ୍ରରେ ବାଚସ୍ପତି ପଦବୀ ର ବିଶେଷ ମହତ୍ତ୍ଵ ରହିଛି। ଯଦିଓ ସରକାରୀ ଦଳ ହାତକୁ ସବୁବେଳେ ବାଚସ୍ପତି ପଦ ଯାଇଛି, ହେଲେ ବାଚସ୍ପତି ଦଳୀୟ ସୀମାରୁ ଉପରକୁ ଯାଇ କାମ କରିବାର ଏକ ମହାନ ପରମ୍ପରା ମଧ୍ୟ ଆମ ଗଣତନ୍ତ୍ରରେ ରହିଛି। ବାଚସ୍ପତି ପରମ୍ପରାରେ ଗଣେଶ ବାସୁଦେବ ମାଭଲଙ୍କର, କେ.ଏସ.ହେଗଡେ, ରବି ରାୟ, ପୂର୍ଣ୍ଣ ଏ ସାଙ୍ଗମା ଓ ସୋମନାଥ ଚାଟାର୍ଜୀଙ୍କ ନାମ ଅତ୍ୟନ୍ତ ଶ୍ରଦ୍ଧାର ସହିତ ନିଆ ଯାଇପାରିବ। ତେବେ ଶାସକ ଦଳର ହାତବାରିସି ହୋଇ ବାଚସ୍ପତି ପରମ୍ପରା ପ୍ରତି କୁଠାରାଘାତ ମଧ୍ୟ କମ ହୋଇନାହିଁ।

ଆଜି ବାଚସ୍ପତି ନିର୍ବାଚନକୁ ନେଇ ଖୁବ ବେଶୀ ଚର୍ଚ୍ଚା ହେଉନାହିଁ। ଏକ ସଂଖ୍ୟା ଗରିଷ୍ଠ ସରକାରରେ ଶାସକ ଦଳର ଖାସ ଲୋକ ହିଁ ବାଚସ୍ପତି ହେବେ। କିନ୍ତୁ ଅଦ୍ଭୁତ ଭାବରେ ଉପ ବାଚସ୍ପତି ପଦକୁ ନେଇ ଏବେ ପ୍ରବଳ ଚର୍ଚ୍ଚା ଚାଲିଛି। ଲୋକସଭା ପରିଚାଳନାରେ ଉପ ବାଚସ୍ପତିଙ୍କର ସେମିତି ବିଶେଷ କିଛି ଭୂମିକା ନଥାଏ। ତଥାପି ଏହାକୁ ନେଇ ଏବେ ଜାତୀୟ ରାଜନୀତି ଚଳ ଚଞ୍ଚଳ ହେବା ପଛରେ ଏକ ଭିନ୍ନ ବାର୍ତ୍ତା ରହିଛି। ଏକ ଅଲିଖିତ ପରମ୍ପରା ଅନୁଯାୟୀ ଲୋକସଭାରେ ଉପ ବାଚସ୍ପତି  ଓ ରାଜ୍ୟସଭାରେ ଉପ ସଭାପତି ପଦ ବିରୋଧୀ ଦଳକୁ ଯାଇଥାଏ। ତେବେ ଭିନ୍ନ ଭିନ୍ନ ସମୟରେ ଏହାର ବ୍ୟତିକ୍ରମ ଘଟିଛି। ରାଜୀବ ଗାନ୍ଧୀ ସରକାର ଅମଳରେ ନିଜ ସହଯୋଗୀ ଆନ୍ନା ଡିଏମକେ ର ଥମ୍ବିଦୁରାଇଙ୍କୁ ଏହି ପଦବୀ ଦେଇ ବିରୋଧୀ ଦଳକୁ ଏଥିରୁ ବଞ୍ଚିତ କରାଯାଇଥିଲା। ତେବେ ୧୯୯୦ ରୁ ୨୦୧୪ ପର୍ଯ୍ୟନ୍ତ ଉପ ବାଚସ୍ପତି ପଦ ସବୁବେଳେ ବିରୋଧୀ ଦଳ ହାତକୁ ଯାଇଛି।

୨୦୧୪ରେ ନରେନ୍ଦ୍ର ମୋଦୀ ସରକାର ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପରମ୍ପରା ଭାଙ୍ଗି ନିଜର ସହଯୋଗୀ ଦଳଙ୍କୁ ଏହି ପଦବୀ ଦେଇଥିଲା। ଏବେ ନିଜର ଦ୍ଵିତୀୟ ପାଳିର ସରକାର ବେଳେ ମଧ୍ୟ ଉପ ବାଚସ୍ପତି ପଦକୁ ଲୋଭନୀୟ ଲଲିପପ ଭଳି ବ୍ୟବହାର କରା ଯାଉଛି। ଲୋକସଭାରେ ଦ୍ଵିତୀୟ ସର୍ବ ବୃହତ ଦଳ ହିସାବରେ ପରମ୍ପରାନୁକ୍ରମେ କଂଗ୍ରେସକୁ ଏହି ପଦବୀ ମିଳିବା କଥା। ତେବେ ୧୯୮୪ ରେ କଂଗ୍ରେସ ଯାହା କରିଥିଲା ୨୦୧୪ରେ ବିଜେପି ଠିକ ସେୟା  କରିଥିଲା। ଏବେ ବୁଲି ବୁଲି ଉପ ବାଚସ୍ପତି ପଦକୁ ନୂଆ ମିତ୍ର ଯୋଗାଡ ଲାଗି ବ୍ୟବହାର କରାଯାଉଛି। ପ୍ରଥମେ ଏହା ବିଜୁ ଜନତା ଦଳକୁ ଯଚା ଯାଇଥିଲା। ଏ ସମ୍ପର୍କରେ ବିଜେଡ଼ିର ଭର୍ତ୍ତୁହରି ମହତାବଙ୍କ ନାଁ ଜୋରସୋର  ଚର୍ଚ୍ଚାରେ ରହିଲା। ଏହି ପଦବୀ ଆଧାରରେ ବିଜେଡି ସଂସଦୀୟ ଦଳରେ ଫାଟ କଥା କହି ବହୁ ଗାଲୁଗପ କୁହାଗଲା। ଏହି ପ୍ରସଙ୍ଗରେ ଏନଡିଏର ସହଯୋଗୀ ଶିବସେନା ଖୋଲାଖୋଲି ବିରୋଧ ମଧ୍ୟ କଲା। ଲୋକସଭା ଉପ ବାଚସ୍ପତି ପଦ ଉପରେ ଶିବସେନାର ଅଧିକାର ରହିଛି ବୋଲି ଦାବି କରାଗଲା।

ତେବେ ହଠାତ ବିଜେଡି ଖାତାରୁ ଏବେ ଉପ ବାଚସ୍ପତି ପଦ ୱାଇଏସଆର ହାତକୁ ଦେବା ଲାଗି ଉଦ୍ୟମ ଚାଲିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଏଥିଲାଗି କଥାବାର୍ତ୍ତା ଚାଲିଛି। ଲୋକସଭାରେ ନିଜର ବହୁମତ ଥିବା ସତ୍ତ୍ୱେ ବିଜେପି ଟିଆରଏସ, ବିଜେଡି ଓ ୱାଇଏଏସଆର ସହିତ ଏତେ ନିବିଡ ହେବାର ଉଦ୍ୟମ ପଛରେ କି କାରଣ ରହିଛି? ଆଗାମୀ ଦିନରେ ବିଜେପି ନିଜର ପୁରୁଣା ଏଜେଣ୍ଡା ଯଥା ଧାରା ୩୭୦ ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ ଇତ୍ୟାଦି ପାଇଁ ସମ୍ବିଧାନ ସଂଶୋଧନ ଆଣିବ। ସେତେବେଳେ ଜାତୀୟ ରାଜନୀତିଠୁ ଦୂରତର ଏହି ଆଞ୍ଚଳିକ ଦଳ ଗୁଡିକ ବିଜେପିର ସହଯୋଗୀ ହେବେ ବୋଲି ଚିନ୍ତା କରାଯାଉଛି। ଜଗନ ରେଡ୍ଡୀଙ୍କ ନାଁ ରେ ବହୁ ସିବିଆଇ ମାମଲା ରହିଛି। ବିଜେଡ଼ିକୁ ଘେରିବା ଲାଗି ସିବିଆଇ ପାଖରେ ଚିଟ ଫଣ୍ଡ ଓ ଖଣି ଦୁର୍ନୀତିର ପ୍ରସଙ୍ଗ ରହିଛି। ତେଣୁ ସାମ ଦାନ ଦଣ୍ଡ ଭେଦ ନୀତି ଆପଣାର କରି ଏଇ ଦଳମାନଙ୍କୁ ନିଜ ଆଜେଣ୍ଡା ପୂରଣ କରାଇବାରେ ବିଜେପି ଚାପ ପ୍ରୟୋଗ କରିବ।

ଉପ ରାଷ୍ଟ୍ରପତି ନିର୍ବାଚନ ସେ ଦୃଷ୍ଟିରୁ କେବଳ ସାମାନ୍ୟ ଯୋଜନା ନୁହେଁ, ଏହା ଭବିଷ୍ୟତରେ ସଂଘ ପରିବାରର ଏଜେଣ୍ଡା କୁ କାମରେ ଲଗାଇବାକୁ ଏକ ଷଡଯନ୍ତ୍ରର ଅଂଶ ବିଶେଷ।

Categories
ଆଜିର ଖବର

ବାଚସ୍ପତି ଦୌଡରେ ଜୁଏଲ ଓରାମ ଆଗୁଆ

ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ ଲୋକସଭାର ବାଚସ୍ପତି ଦୌଡରେ ଆଗୁଆ ଅଛନ୍ତି। ଜୁଏଲ୍‌ ଓରାମ, ମାନେକା ଗାନ୍ଧୀ ଏବଂ ଏସ୍‌ ଏସ୍‌ ଆଲୁଓ୍ବାଲିଆ ବାଚସ୍ପତି ପଦ ଦୌଡରେ ରହିଥିବା ନେଇ ସୂଚନା ମିଳିଛି। ଚଳିତ ସପ୍ତଦଶ ଲୋକସଭାର ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ୍‌ ୧୯ ତାରିଖରେ ଅନୁଷ୍ଠିତ ହେବ। ଜୁଏଲ୍‌ ଓରାମ ୨୦୧୪ ଏନ୍‌ଡିଏ ସରକାରରେ ଆଦିବାସୀ ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ଜୁଏଲ୍‌ଙ୍କୁ ଚଳିତ ସରକାରରେ କୌଣସି ଦାୟିତ୍ବ ମିଳିନଥିଲା। ଫଳ ସ୍ବରୂପ ଜୁଏଲଙ୍କୁ ବାଚସ୍ପତି ପଦ ପ୍ରଦାନ କରି ସନ୍ତୁଷ୍ଟ କରିବା ନେଇ ବିଜେପି ଉଦ୍ୟମ କରୁଛି ବୋଲି କୁହାଯାଉଛି। ସେହିପରି ଉପ ବାଚସ୍ପତି ଦୌଡରେ ବିଜେଡି ନେତା ଭର୍ତ୍ତୂହରି ମହତାବ ଆଗରେ ରହିଥିବା ସୂଚନା ମିଳିଛି। ମାନେକାଙ୍କୁ ମଧ୍ୟ କୌଣସି ପଦବୀ ମିଳି ନଥିବାରୁ ସେ ମଧ୍ୟ ବାଚସ୍ପତି ଦୌଡରେ ଆଗରେ ରହିଛନ୍ତି।

Categories
ବିଶେଷ ଖବର

ଦଳବଦଳ କରି ଅନାମଧେୟ ନେତା ରାତାରାତି ନାମଜାଦା ହେବା ପଛରେ ଗଣମାଧ୍ୟମର ଭୂମିକାକୁ ଆମେ ଷଡଯନ୍ତ୍ର ବୋଲି କହି ପାରିବା କି ?

କେଦାର ମିଶ୍ର

ଋଷଭ ନନ୍ଦ କିଏ?

ପ୍ରମୋଦ ପଟ୍ଟନାୟକ କିଏ?

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ବା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ରାଜନୈତିକ ପ୍ରଭାବ କଣ? ଗତ କିଛିଦିନ ହେଲା ଏମିତି କିଛି ନାଁକୁ ନେଇ ଆମ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ଯେଉଁମାନେ ସପ୍ତାହେ ତଳେ ପ୍ରାୟ ଅପରିଚିତ ଥିଲେ। ହଠାତ ଅନାମଧେୟମାନେ ନାମଜାଦା ହେବାର କାରଣ କଣ? ଦଳ ବଦଳକାରୀଙ୍କୁ ଗୋଟେ ସମୟରେ ଭାରତର ଗଣମାଧ୍ୟମ ପ୍ରଚୁର ସମାଲୋଚନା କରୁଥିଲା। ଏକଦା ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଦଳବଦଳ ପ୍ରକ୍ରିୟାକୁ କଟାକ୍ଷ କରି “ଆୟାରାମ ଗୟାରାମ’ ଶବ୍ଦ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ସମୟ ବଦଳିଛି। ଦଳ ବଦଳକାରୀଙ୍କୁ ହିରୋ ବୋଲି ଦେଖାଇବାରେ ଆମେ ଆନନ୍ଦ ପାଉଛୁ। ନିର୍ବାଚନ ସମୟରେ ଟିକଟ ନପାଇ ଯେଉଁମାନେ ଦଳ ଛାଡନ୍ତି ସେମାନଙ୍କୁ ସବୁଠୁ ଦୁର୍ବଳ ନେତା ବୋଲି ବିବେଚନା କରାଯାଉଥିଲା। ଏବେ ସେମାନେ ସବୁଠୁ ଶକ୍ତିଶାଳୀ ହିରୋ। ଆଗରୁ ଲୋକ ସମର୍ଥନ ଥିବା ସତ୍ତ୍ୱେ ଯଦି ଦଳ ଟିକଟ ଦେଉନଥିଲା, ତାହେଲେ ସଂପୃକ୍ତ ନେତା ସ୍ଵାଧୀନ ଭାବରେ ନିର୍ବାଚନ ଲଢି ନିଜର ପତିଆରା ପ୍ରଦର୍ଶନ କରୁଥିଲେ।

ଗତ ଚାରୋଟି ବିଧାନସଭାର ବିଜୟୀ ସଦସ୍ୟଙ୍କ ତାଲିକା ଦେଖିଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ, ସ୍ଵାଧୀନ ଭାବରେ ନିର୍ବାଚନ ଲଢି ସଫଳ ହେଉଥିବା ନେତାଙ୍କ ସଂଖ୍ୟା ଏବେ ଯଥେଷ୍ଟ କମ। ଗତ ବିଧାନସଭାରେ କେବଳ ଜର୍ଜ ତିର୍କୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ସ୍ଵାଧୀନ ସଦସ୍ୟ ଜିତି ନଥିଲେ। ୧୯୯୦ରେ ପ୍ରଚଣ୍ଡ ବିଜୁ ପଟ୍ଟନାୟକ ହାୱା ସତ୍ତ୍ୱେ ପଂଚାନନ ମିଶ୍ର ନାମକ ଜଣେ ଯୁବକ ବିନିକା ବିଧାନସଭା ଆସନରୁ ସେତେବେଳେ ଅଶି ହଜାରରୁ ଅଧିକ ଭୋଟରେ ନିର୍ବାଚିତ ହୋଇ ଆସିଥିଲେ। ସ୍ଵାଧୀନ ଭାବରେ ଲଢିକି ହେଉ ବା ଅତି ଛୋଟ ରାଜନୈତିକ ଦଳର ପ୍ରତିନିଧି ଭାବରେ ଏକଦା ଓଡିଶାରୁ ଗୋଟେ ବଡ ରାଜନୈତିକ ଶକ୍ତି ଉଭା ହେଉଥିଲେ। ସାମ୍ୟବାଦୀ ନେତା ପ୍ରସନ୍ନ କୁମାର ପଣ୍ଡା, ବାଳଗୋପାଳ ମିଶ୍ର, ଅରୁଣ ଦେ, ଶମ୍ଭୁନାଥ ନାୟକ, ରାଧାକାନ୍ତ ସେଠି, ଜର୍ଜ ତିର୍କୀଙ୍କ ଭଳି ନିଜ ଦମ୍ଭରେ ନିର୍ବାଚନ ଲଢି ଜିତିପାରିବାର ତାକତ ଥିବା ନେତା ଏବେ ଆଉ ଆମ ପାଖରେ ନାହାନ୍ତି। ଏହାର କାରଣ ଦୁଇ ପ୍ରକାର। ପ୍ରଥମତଃ ବର୍ତ୍ତମାନ ସମୟରେ ନିର୍ବାଚନ ଖର୍ଚ୍ଚ ବହୁ ପରିମାଣରେ ବଢି ଯାଇଛି, ଯାହାକୁ ଜଣେ ସାଧାରଣ ରାଜନେତା ବହନ କରିପାରିବ ନାହିଁ। ଦ୍ବିତୀୟରେ ଲୋକଙ୍କୁ ସଂଗଠିତ କରି ରାଜନୈତିକ ଆଧାର ସୃଷ୍ଟି କରିବା ଭଳି ଶକ୍ତି ନୂଆ ପ୍ରଜନ୍ମର ରାଜନେତାଙ୍କ ପାଖରେ ନାହିଁ। ସମସ୍ତେ ଏଠି ହାୱା ସହିତ ବହି ଯିବାକୁ ପ୍ରସ୍ତୁତ। ତେଣୁ ରାଜନୀତିରେ ଜଣେ ନବୀନ ପଟ୍ଟନାୟକକି ନରେନ୍ଦ୍ର ମୋଦୀ କି ରାହୁଲ ଗାନ୍ଧୀଙ୍କ ଛାଇରେ ବାକି ସମସ୍ତେ ଲିଲିପୁଟ ହେବାକୁ ବାଧ୍ୟ।

ଏହି କ୍ରମରେ ଏବେ ପ୍ରତିଦିନ ଶହ ଶହ ଲିଲିପୁଟ ଆମ ଗଣମାଧ୍ୟମରେ ନିଜର ଖେଳ କସରତ ଦେଖାଉଛନ୍ତି। ଏ ପ୍ରକାର ଲିଲିପୁଟ ସବୁ ଦଳରେ ଅଛନ୍ତି। ଏଇ ଲିଲିପୁଟମାନେ ମଧ୍ୟ ଦୁଇ ପ୍ରକାର ଉତ୍ସରୁ ଆସିଥାନ୍ତି। ଗୋଟେ ଦଳରେ ଥାଇ ଏମାନେ ଯେତେବେଳେ ସେ ଦଳ ଭିତରେ ଅପ୍ରାସଙ୍ଗିକ ହୋଇ ପଡନ୍ତି, ସେତେବେଳେ ତାଙ୍କର ବିବେକ ହଠାତ ଜାଗ୍ରତ ହୁଏ ଓ ଦଳର ନେତାଙ୍କୁ ଗାଳି କରି ସେମାନେ ଦଳ ଛାଡନ୍ତି। ଆଉ ଦଳେ ଅଛନ୍ତି, ଯେଉଁମାନଙ୍କର ଏକମାତ୍ର ପରିଚୟ ହେଉଛି, ସେମାନେ କାହାର ଗୋଟେ ପୁଅ, ଝିଅ, ଭାଇ, ପୁତୁରା, ସ୍ତ୍ରୀ କିମ୍ବା ସମ୍ପର୍କୀୟ। ଟିକଟ ବଣ୍ଟନ ବେଳେ ଆମେ ଦାମୋଦର ରାଉତଙ୍କ ପୁଅ ଓ ଝିଅ, ଯୋଗେନ୍ଦ୍ର ବେହେରା, ଅନଙ୍ଗ ଉଦୟ ସିଂ ଦେଓ, ପ୍ରଶାନ୍ତ ନନ୍ଦ ପ୍ରମୁଖଙ୍କ ପୁଅଇତ୍ୟାଦିଙ୍କ ବିଷୟରେ ବହୁତ ଚର୍ଚ୍ଚା କରୁଛେ। ଏ ପ୍ରକାର ପରାଙ୍ଗପୁଷ୍ଟଙ୍କ ବିଷୟରେ ଗଣମାଧ୍ୟମ ଅଧିକରୁ ଅଧିକ ଜାଗା ଛାଡି ଦେଉଛି।

ସବୁଦଳ କେଉଁଠି ନା କେଉଁଠି ପାରିବାରିକ ରାଜନୀତି ବିରୋଧରେ କହୁଥିବାବେଳେ ସବୁ ଦଳ ଏବେ ପାରିବାରିକ ଜମିଦାରୀ ପାଲଟି ଯାଉଛନ୍ତି। ପରିବାରବାଦ ଓ ବ୍ୟକ୍ତି ରାଜନୀତି ବିରୋଧରେ ସବୁଠୁ ଅଧିକ ପ୍ରବଚନ ଦେଉଥିବା ଭାରତୀୟ ଜନତା ପାର୍ଟି ଏବେ ପୁଅ-ପୁତୁରାଙ୍କ ଦଳ ଭାବରେ ବେଶ ଅଗ୍ରଗତି କଲାଣି। ଏବେ ବିଜେଡି ଟିକଟରୁ ବଞ୍ଚିତ କେବଳ ଲୋକସଭା ବା ବିଧାନସଭା ସଦସ୍ୟ ନୁହନ୍ତି, ତାଙ୍କ ପରିବାର ଲୋକେ ମଧ୍ୟ ବିଜେପିରେ ଜାଗା ପାଇବେ। ଯେଉଁ ବିଜେଡି ନେତା ନିଜ ପୁଅ ଝିଅଙ୍କୁ ବିଜେଡିରେ ସଫଳ କରାଇପାରିଲେ ନାହିଁ,ସେମାନେ ବିଜେପିକୁ ନିଜ ପରିବାରକୁ ପଠାଇବେ। ସମାନ କଥା ବିଜେପିରେ କି କଂଗ୍ରେସରେ ମଧ୍ୟ ଘଟିବ। କେବଳ ଟିକେଟ ଆବଣ୍ଟନ ହଟ ଚମଟରୁ ଏ ପ୍ରକାର ପାରିବାରିକ ଓ ଅନାବଶ୍ୟକ ଭାଟଗିରି କରିବାରେ ଆମର ସମୟ ଯିବ।

ଏ ପ୍ରସଙ୍ଗରେ ଗଣମାଧ୍ୟମ ଯଦି ନିଜର ଆତ୍ମସମୀକ୍ଷା ନ କରିବ ତାହେଲେ ଲୋକ ଆମକୁ ଭାଟ ବା ଯୋକର ବୋଲି ଭାବିବାକୁ ବାଧ୍ୟ ହେବେ!

Categories
ବିଶେଷ ଖବର

କେବେ ପ୍ରକାଶ ପାଇବ ଓଡିଶା ବିଜେପିର ପ୍ରାର୍ଥୀ ତାଲିକା ? ବିଜେପି ପାଖରେ ୧୪୭ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ ସତରେ ନାହାନ୍ତି କି ?

କେଦାର ମିଶ୍ର

ନିର୍ବାଚନ ସମୟରେ କଂଗ୍ରେସ ଦଳର ଟିକଟ ବଣ୍ଟନ ପ୍ରକ୍ରିୟାକୁ ନେଇ ଅନେକ ରାଜନୈତିକ ଜୋକ୍ସରହିଛି। ଏ ଦଳରୁ କିଏ କେତେବେଳେ ଟିକଟ ପାଇବ ଓ କେତେବେଳେ କାହାର ଟିକଟ କଟିବ, ସେକଥା କହିବା ବଡ ମୁସ୍କିଲ। ହେଲେ ଏ ନିର୍ବାଚନରେ କଂଗ୍ରେସ ଦଳ ବେଶ ସୁଧୁରି ଯାଇଛି। ଓଡିଶାରେ ବିଧାନସଭା ଓ ଲୋକସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ହେଉଥିବାରୁ ଏଠି ପ୍ରାର୍ଥୀ ତାଲିକା ଯଥାଶୀଘ୍ର ପ୍ରକାଶ ପାଇବା ଆବଶ୍ୟକ। ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ତିନି ଦିନ ହେଲାଣି ନିଜର ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଲେଣି। ବିଜେଡି ତାଲିକା ପ୍ରକାଶ ପାଇବାର ମାତ୍ର କେଇ ଘଣ୍ଟା ଭିତରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ତାଲିକାର ପଦ୍ମ କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି। ଆଜି କାଲି ହୋଇ ଇତି ମଧ୍ୟରେ ଅନ୍ୟ ଦଳର ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରି ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ କଲେଣି। ବିଜେପି ଖାତା କଲମ କିନ୍ତୁ ଏହାର ଦିଲ୍ଲୀ ଅଫିସରେ ଅଟକି ରହିଛି।

ଏ ପ୍ରକାର ବିଳମ୍ବର ଏକମାତ୍ର କାରଣ ହେଉଛି ଠିକ ନିର୍ବାଚନ ପୂର୍ବରୁ ବିଜେପିରେ ଘଟିଥିବା ନେତୃତ୍ବର ନୂଆ ସମୀକରଣ। ବିଜୁ ଜନତା ଦଳର ବହିଷ୍କୃତ ପୂର୍ବତନ ସାଂସଦ ବିଜେପିରେ ଯୋଗଦେବା ପରେ ଏବେ ଓଡିଶା ନିର୍ବାଚନ ର ମଙ୍ଗ ସେ ଧରିଛନ୍ତି। ପୂର୍ବରୁ ରାଜ୍ୟ ବିଜେପିର ଅଘୋଷିତ ମୁଖିଆ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ହଠାତ ଗୌଣ ଭୂମିକାରେ ନଜର କୁ ଆସୁଛନ୍ତି। ସବୁ ଦଳୀୟ ସଭାରେ ଏବେ ବୈଜୟନ୍ତ ମଝି ଆସନ ପାଉଛନ୍ତି। ବିଜେପିର ନୂଆ ରଣନୀତି ଅନୁସାରେ ବିଜେଡ଼ିର ଅସନ୍ତୁଷ୍ଟ ନେତାମାନଙ୍କୁ ନେଇ ଏବେ ନିର୍ବାଚନ ମଇଦାନକୁ ଯିବାକୁ ପଡିବ। ବିଜେପି ଭିତରେ ଦୀର୍ଘ ବର୍ଷ ଧରି କାମ କରୁଥିବା ପୁରୁଣା ନେତାମାନେ ଜିତି ପାରିବେ ନାହିଁ ବୋଲି ଏକ ଧାରଣା ବିଜେପିରେ ସୃଷ୍ଟି ହୋଇଛି। ତେଣୁ ବିଜେଡଡିରୁଟିକଟ ପାଇନଥିବା ନେତା ହେଉଛନ୍ତି ଏବେ ବିଜେପିର ଶେଷ ଆଶ୍ରୟ।

ଏବେ ପ୍ରତିଦିନ କଂଗ୍ରେସ ଓ ବିଜେପିରୁ ଟିକଟ ପାଇନଥିବା ନେତାମାନେ ବିଜେପିକୁ ନିଜର ଅନ୍ତିମ ଆଶ୍ରୟସ୍ଥଳ ବୋଲି ଭାବୁଛନ୍ତି। ସେଥିଲାଗି ଦଳ ନିଜର ପ୍ରାର୍ଥିତାଲିକା ଘୋଷଣା କରୁନାହିଁ। ଏହାକୁ ଏକପ୍ରକାର ଥୋପ ଭାବରେ ବିଜେପି ବ୍ୟବହାର କରୁଛି। ଯିଏ ବି କଂଗ୍ରେସ ଓ ବିଜେଡି ଛାଡିକି ଆସିବ ତାଙ୍କୁ ଟିକଟ ଦିଆଯିବ ବୋଲି କୁହାଯାଉଛି। ଇତିମଧ୍ୟରେ ବିଜେଡି ନିଜର ଆଠଜଣ ପୁରୁଣା ଲୋକସଭା ସଦସ୍ୟଙ୍କୁ ଟିକଟ ଦେଇନାହିଁ। ସେମାନଙ୍କ ଭିତରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେପିକୁ ଆସି ସାରିଛନ୍ତି। କଳାହାଣ୍ଡି ସାଂସଦଙ୍କୁ ଟିକଟ ନଦେବାର କାରଣ ହେଉଛି, ବିଜେଡି ଭଲ ଭାବରେ ଜାଣିଥିଲା ଯେ ଅର୍କ କେଶରୀ ଦେଓ ବିଜେପି ସହିତ ଅନେକ ଦିନରୁ ଯୋଗାଯୋଗରେ ରହିଛନ୍ତି। ତେଣୁ ସେ ଓ ତାଙ୍କ ପତ୍ନୀ ବିଜେପିରେ ସ୍ଵାଭାବିକ ଭାବରେ ଯୋଗଦେବେ। ଏହାର ପରିଣତି ସ୍ଵରୂପ କଳାହାଣ୍ଡିରେ ଦୀର୍ଘ ବର୍ଷ ଧରି ଦଳୀୟ ସଂଗଠନ କରିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କ ଟିକଟ ଏବେ ସନ୍ଦେହ ଘେରରେ। କନ୍ଧମାଳରେ ବିଜେପିର ସଂଗଠନ ବହୁ ପୁରୁଣା। ସେଠାରେ ନିକଟରେ ବିଜେଡି ଛାଡିଥିବା ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀଙ୍କୁ ଟିକଟ ଦେବା ସହଜ ହୋଇନପାରେ। ସେଥିପାଇଁ ବୋଧହୁଏ ପ୍ରତ୍ୟୁଷା ଦେବୀ ଏବେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି।

ବିଜେପି ନିଜର ପୁରୁଣା ନେତାଙ୍କ ସ୍ଵାର୍ଥ ଦେଖିବ ନା ନୂଆ ବିଜୁ ପରିବାର ଉପରେ ଆସ୍ଥା ପ୍ରକଟ କରିବ, ସେକଥା ଏଯାଏ ସ୍ଥିର କରି ପାରୁନାହିଁ।ସମୟ କିନ୍ତୁ ସରି ଆସୁଛି। କେବଳ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଓ ନୂଆ ଆସିଥିବା ନେତାଙ୍କ ରଣନୀତି କୁ ଆଶ୍ରା କରି ବିଜେପି ନିର୍ବାଚନ ଜିତିଯିବ ବୋଲି ଭାବିବା, ସବୁଠୁ ବଡ ଭୁଲ ହେବ। ଆଜି ପର୍ଯନ୍ତ ବିଜେପିର ରାଜ୍ୟ ନେତୃତ୍ୱ କିଏ ନେବ, ତାକୁ ନେଇ ଘୋର ସନ୍ଦେହ ରହିଛି। ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ବିଜେପିରେ ମିଶିଲା ପରେ ଯେଉଁ ଉତ୍ସାହ ଦଳ ଭିତରେ ଦିଶୁଥିଲା, ସେଟା ଏବେ ମିଳେଇ ଗଲାଣି। ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ଲଢିବେ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ମାତ୍ରାଧିକ ପ୍ରତିକ୍ରିୟା ପ୍ରକାଶ କରିବା ବିଜେପି ପାଇଁ ଆତ୍ମଘାତି ହୋଇଛି। ଗୁଇନ୍ଦା ବିଭାଗର ଏକ ଜାଲ ଚିଠି ଦେଖାଇ ବିଜେପି ଏବେ ନିଜ ଜାଲରେ ନିଜେ ଫସି ଯାଇଛି। ନିର୍ବାଚନ ସମୟରେ ଥରେ ରଣନୀତି ଭୁଲ ହୋଇଗଲେ ତାକୁ ସଜାଡିବା ଆଦୌ ସହଜ ବ୍ୟାପାର ନୁହେଁ। ଗୋଟିଏ ଭୁଲକୁ ଢାଙ୍କିବାକୁ ଯାଇ ବିଜେପି ଏବେ ଅନେକ ଭୁଲ କରି ବସୁଛି।

ପ୍ରାର୍ଥୀ ତାଲିକା ପ୍ରକାଶରେ ଅହେତୁକ ବିଳମ୍ବ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରି ସାରିଲାଣି। ଏହାକୁ ନେଇ ବିଜେଡି ମଧ୍ୟ ବିଜେପିକୁ କଟାକ୍ଷ କରି ସାରିଲାଣି। ତୁରନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରି ବିଜେପି ଯଦି ନିଜର ପ୍ରଚାର ଅଭିଯାନ ଆରମ୍ଭ ନ କରେ, ତାହେଲେ ବିଜେପି ଦ୍ଵିତୀୟ ସ୍ଥାନକୁ ଆସିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିବା!

 

Categories
ବିଶେଷ ଖବର

16ଟି ଲୋକସଭା ଆସନ ପାଇଁ 32 ଜଣଙ୍କ ନାମ ସୁପାରିଶ କଲା କଂଗ୍ରେସ ଚୟନ କମିଟି। ଢେଙ୍କାନାଳରୁ ଲଢିବେ କେ.ପି.ସିଂହଦେଓ, କଟକରୁ ପଞ୍ଚାନନ କାନୁନଗୋ।

ସମୀକ୍ଷା ବ୍ୟୁରୋ

ସକ୍ରିୟ ରାଜନୀତିକୁ ଆସିବେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ। କଂଗ୍ରେସ ଚୟନ କମିଟ ତାଙ୍କ ନାମକୁ ସୁପାରିଶ କରିଛି। କାମାକ୍ଷା ପ୍ରସାଦ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ହଠାତ ତାଙ୍କ ନାମକୁ ଚୟନ କମିଟି ସୁପାରିଶ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କଂଗ୍ରେସ ଭବନନରେ ବସିଥିବା ଚୟନ କମିଟ ବିଧାନସଭା ଆସନ ସହିତ 16ଟି ଲୋକସଭା ଆସନ ପାଇଁ ମଧ୍ୟ 32 ଜଣଙ୍କ ନାମ ସୁପାରିଶ କରିଛି।  ତେବେ ବାମଦଳ ସହିତ ଆସନ ବୁଝାମଣା ହେଉଥିବାରୁ ଦଳ 5ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରି ନାହିଁ। ଆଉ 16ଟି ଆସନ ପାଇଁ ଯେଉଁ ନାମ ଯାଇଛି ତାହା ହେଲା..

  1. ସୁନ୍ଦରଗଡ-ଜର୍ଜ ତିର୍କି/ପ୍ରଫୁଲ ମାଝୀ
  2. ସମ୍ବଲପୁର-ଶରତ ପଟ୍ଟନାୟକ/ଅମର ପ୍ରଧାନ
  3. ବରଗଡ-
  4. କେଉଁଝର-ହରମୋହନ ସୋରେନ/ବନିତା ମାଝି
  5. ମୟୁରଭଂଜ-
  6. ବାଲେଶ୍ବର-ନବଜ୍ୟୋତି ପଟ୍ଟନାୟକ/ସୁଦର୍ଶନ ଦାସ
  7. ଭଦ୍ରଖ-ଅନନ୍ତ ପ୍ରସାଦ ସେଠୀ/ପଞ୍ଚାନନ ମଣ୍ଡଳ
  8. ଯାଜପୁର-ମାନସ ଜେନା/ଅର୍ଜୁନ ଚରଣ ଦାସ
  9. ଢେଙ୍କାନାଳ-କାମାକ୍ଷା ପ୍ରସାଦ ସିଂଦେଓ/ରାମଚନ୍ଦ୍ର ଖୁଣ୍ଟିଆ
  10. ବଲାଙ୍ଗିର- ସମରେନ୍ଦ୍ର ମିଶ୍ର/ଲକ୍ଷ୍ଣଣ କୁମାର ମେହେର
  11. କଳାହାଣ୍ଡି- ଭକ୍ତଚରଣ ଦାସ/ଜଗନ୍ନାଥ ପଟ୍ଟନାୟକ
  12. ନବରଂଗପୁର- ପ୍ରଦୀପ ମାଝି/ଚନ୍ଦ୍ରଶେଖର ମାଝି
  13. କନ୍ଧମାଳ-ମୋନଜ କୁମାର ଆଚାର୍ଯ୍ୟ/ଚନ୍ଦ୍ର ଶେଖର ପରିଡା
  14. କଟକ-ପଞ୍ଚାନନ କାନୁନଗୋ/ସୁରେଶ ମହାପାତ୍ର
  15. କେନ୍ଦ୍ରାପଡା-ଧରଣୀଧର ନାୟକ/ଚିନ୍ମୟ ବେହୁରା
  16. ଜଗତସିଂହପୁର-ବିଭୂପ୍ରସାଦ ତରାଇ/ପ୍ରଶାନ୍ତ ମଲ୍ଲିକ
  17. ପୁରୀ-ବିଶ୍ବ ରଂଜନ ମହାନ୍ତି/ସତ୍ୟପ୍ରକାଶ ନାୟକ
  18. ଭୁବନେଶ୍ବର-
  19. ଆସ୍କା-
  20. ବ୍ରହ୍ମପୁର-ତିରୂପତି ପାଣିଗ୍ରାହୀ/ତ୍ରିନାଥ ବେହେରା
  21. କୋରାପୁଟ-
Categories
ବିଶେଷ ଖବର

ଲୋକସଭା ପଠାଇବାକୁ ବିଜୁ ଜନତା ଦଳର “ନୂଆ ମୁହଁ” ଅଭିଯାନ, ବର୍ତ୍ତମାନ ସାଂସଦ ଥିବା ନବେ ଭାଗ ପ୍ରାର୍ଥୀଙ୍କ ଟିକଟ କଟିବ

କେଦାର ମିଶ୍ର

୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରୁ ଲୋକସଭାକୁ ପଠାଇବା ପାଇଁ ଶାସକ ବିଜୁ ଜନତା ଦଳ ନୂଆ ମୁହଁ ଖୋଜୁଛି। ବର୍ତ୍ତମାନ ଲୋକସଭା ସଦସ୍ୟ ଥିବା ପୁରୁଖା ନେତାଙ୍କୁ ବିଶ୍ରାମ ଦେଇ ସେମାନଙ୍କ ସ୍ଥାନରେ ନୂଆ ନେତାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯିବ ବୋଲି ଏବେ ସ୍ପଷ୍ଟ ସୂଚନା ମିଳୁଛି। ଗତ କାଲି ଢେଙ୍କାନାଳ ଲୋକସଭା ସଦସ୍ୟ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ତଥାଗତ ଶତପଥୀ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ନିଜର ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ଶ୍ରୀ ଶତପଥୀ ବିଜେଡି ଟିକେଟରେ ଗତ ଚାରୋଟି ଯାକ ଲୋକସଭା ନିର୍ବାଚନ ଲଢି ବିଜୟଲାଭ କରିଥିଲେ। ହଠାତ ତାଙ୍କର ରାଜନୈତିକ ସନ୍ୟାସ ପଛରେ ସେ ଯଦିଓ ବ୍ୟକ୍ତିଗତ କାରଣ ଦର୍ଶାଉଛନ୍ତି, ଏହା ପଛରେ କିନ୍ତୁ ବିଜେଡି ମୁଖିଆଙ୍କର ସ୍ପଷ୍ଟ ଇଙ୍ଗିତ ଥାଇପାରେ ବୋଲି ସୂଚନା ମିଳୁଛି। ଯେଉଁମାନେ ଏକାଧିକ ଥର ଲୋକସଭାକୁ ଗଲେଣି ସେମାନଙ୍କୁ ଏଥର ନୂଆ ଭୂମିକାରେ ଦଳ ଦେଖିବାକୁ ଚାହୁଁଛି ବୋଲି ଏକ ସଙ୍କେତ ଏହି ସାଂସଦମାନଙ୍କୁ ଦିଆ ଯାଇଛି।

ବର୍ତ୍ତମାନ ଓଡିଶାରୁ ଲୋକସଭାରେ ୧୯ ଜଣ ସଦସ୍ୟ ରହିଛନ୍ତି। କେନ୍ଦ୍ରପଡା ସଦସ୍ୟ ପଦରୁ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇଥିବାବେଳେ ଆସ୍କା ସଦସ୍ୟ ଲଡୁ କିଶୋର ସ୍ଵାଇଁଙ୍କ ପରଲୋକ ଘଟିଛି। ତଥାଗତ ଶତପଥୀ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କଲାପରେ ଏବେ ବିଜେଡି ଲୋକସଭା ପ୍ରାର୍ଥୀ ହେବାକୁ ନୂଆ ମୁହଁ ସ୍ଥିରୀକୃତ କରାଯାଉଛି। ଚଳିତ ଲୋକସଭାରେ ବିଜେଡ଼ିର ଅର୍ଜୁନ ଚରଣ ସେଠି (୮ଥର), ପ୍ରସନ୍ନ ପାଟ୍ଟଶାଣୀ (୫ଥର), ଭର୍ତ୍ତୃହରି ମହତାବ(୫ ଥର), ପିନାକୀ ମିଶ୍ର (୩ଥର), ସିଦ୍ଧାନ୍ତ ମହାପାତ୍ର, କଳିକେଶ ନାରାୟଣ ସିଂ ଦେଓ (୨ଥର)  ନିର୍ବାଚିତ ହୋଇ ଯାଇଛନ୍ତି। ବିଜେଡି ୨୦୧୪ ନିର୍ବାଚନରେ ଶକୁନ୍ତଳା ଲାଗୁରି, ରାମଚନ୍ଦ୍ର ହାଂସଦା, ଅର୍କ କେଶରୀ ଦେଓ, ପ୍ରଭାସ ସିଂ, ନଗେନ୍ଦ୍ର ପ୍ରଧାନ, ଝିନ ହିକକା, ବଳଭଦ୍ର ମାଝୀ, କୁଳମଣି ସାମଲ, ରବୀନ୍ଦ୍ର କୁମାର ଜେନା, ରୀତା ତରାଇ, ପ୍ରତ୍ୟୁଷା ରାଜେଶ୍ଵରୀ ଦେବୀ ଓ ସ୍ଵର୍ଗତ ଲଡୁ କିଶୋର ସ୍ଵାଇଁଙ୍କୁ ଲୋକସଭା ପାଇଁ ପ୍ରଥମ ଥର ଟିକଟ ଦେଇ ଜିତାଇଥିଲା। ଅର୍ଥାତ ଲୋକସଭା ପାଇଁ ବିଜେଡ଼ିର ୧୩ ଜଣ ନୂଆ ମୁହଁ ଥିଲେ। (୧୨ ଜଣ ଜିତିଥିବା ବେଳେ ସୁନ୍ଦରଗଡ ଆସନରୁ ଦିଲୀପ ତିର୍କୀ ହାରି ଯାଇଥିଲେ)

୨୦୧୯ ନିର୍ବାଚନରେ ନୂଆ ମୁହଁଙ୍କ ସଂଖ୍ୟା ୧୭ ରୁ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି। ତିନି ଅଭିଜ୍ଞ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠି, ପ୍ରସନ୍ନ ପାଟ୍ଟଶାଣୀ ଓ ଭର୍ତ୍ତୃହରି ମହତାବ ଏଥର ଟିକଟ ନ ପାଇବାର ସମ୍ଭାବନା ଅଧିକ। ମୟୂରଭଞ୍ଜ ଲୋକସଭା ସଦସ୍ୟ ରାମଚନ୍ଦ୍ର ହାଂସଦା ନିର୍ବାଚନ ଜିତିବା ପରେ ଚିଟ ଫଣ୍ଡ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହିଥିଲେ। ତେଣୁ ତାଙ୍କୁ ଦଳ ଏଥର ପ୍ରାର୍ଥୀ କରିବାର ପ୍ରଶ୍ନ ଉଠୁନାହିଁ। ବ୍ରହ୍ମପୁର ଲୋକସଭା ଆସନରୁ ସିଦ୍ଧାନ୍ତ ମହାପାତ୍ରଙ୍କ ପରିବର୍ତ୍ତେ ଚନ୍ଦ୍ରଶେଖର ସାହୁ ନିର୍ବାଚନ ଲଢିବାର ସମ୍ଭାବନା ସର୍ବାଧିକ। ସମ୍ବଲପୁର ଆସନରେ ପୂର୍ତ୍ତ ବିଭାଗ ସଚିବ ପଦରୁ ଅବସର ନେଇଥିବା ନଳିନୀକାନ୍ତ ପ୍ରଧାନ ବିଜେଡି ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ବରଗଡ, କଳାହାଣ୍ଡି, ଯାଜପୁର, କେଉଁଝର, ଜଗତସିଂପୁର, ଢେଙ୍କାନାଳ, ଆସ୍କା, କେନ୍ଦ୍ରାପଡା, ସମ୍ବଲପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଇତ୍ୟାଦି ଆସନରେ ବିଜେଡି ନୂଆ ମୁହଁକୁ ଟିକଟ ଦେବ।

କେବଳ ବଲାଙ୍ଗୀର ଓ ପୁରୀ ଆସନକୁ ବାଦ ଦେଲେ ଅନ୍ୟ କୌଣସି ଆସନରେ ବର୍ତ୍ତମାନର ସଦସ୍ୟ ଟିକଟ ପାଇ ନ ପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ର କହୁଛି। ଏମିତି ବି ହୋଇପାରେ ଯେ ପୂରା ୨୧ ଟି ଯାକ ଲୋକସଭା ଆସନ ପାଇଁ ବିଜେଡି ନୂଆ ମୁହଁକୁ  ପ୍ରାର୍ଥୀ କରିପାରେ। ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ ଦାବୀକୁ ବଳ ଦେବାକୁ ହୁଏତ ଦଳ ତରଫରୁ ଅତିକମରେ ୭ ଜଣ ମହିଳାଙ୍କୁ ଟିକଟ ଦେବାକୁ ଦଳ ବିଚାର ବିମର୍ଶ କରୁଛି। କିଛି ପୁରୁଣା ବିଧାୟକଙ୍କୁ ଲୋକସଭାକୁ ପଠାଇବାର ଯୋଜନା ମଧ୍ୟ କରାଯାଉଛି। ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ ପ୍ରମୁଖଙ୍କୁ ଲୋକସଭା ପ୍ରାର୍ଥୀ କରିବାର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ।

ସଂସଦୀୟ ଦଳରେ ବିଭାଜନ ସୃଷ୍ଟି ପାଇଁ ଦଳର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୦୧୬-୧୭ ରେ ଯେଉଁ ଉଦ୍ୟମ କରିଥିଲେ, ସେଥିରୁ ବିଜେଡି ବେଶୀ ଅଭିଜ୍ଞ ନେତାଙ୍କୁ ଆଉ ଲୋକସଭାକୁ ପଠାଇବାକୁ ଚାହୁଁନାହିଁ। ୨୦୧୯ ଲୋକସଭା ଝୁଲା ହେବାର ସମ୍ଭାବନାକୁ ଆଖି ଆଗରେ ରଖି ବିଜେଡି ନିଜର ନୂଆ ମୁହଁ ଅଭିଯାନ ବିଷୟରେ ଅଧିକ ଗୁରୁତ୍ଵର ସହ ବିଚାର କରୁଛି। ତେବେ ପୁରୁଖା ନେତାଙ୍କୁ ଟିକେଟ ନଦେଲେ ସେମାନେ ଦଳ ପାଇଁ କି ପ୍ରକାର ସଙ୍କଟ ଓ ସମସ୍ୟା ସୃଷ୍ଟି କରିପାରିବେ, ସେ ବିଷୟରେ ମଧ୍ୟ ବିଜେଡି ଭିତରେ ତନାଘନା ଚାଲିଛି। ତଥାଗତ ଶତପଥିଙ୍କ ପରେ ହୁଏତ ଆଉ ଜଣେ ଦୁଇ ଜଣ  ପୁରୁଖା ନେତା ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରିପାରନ୍ତି କିମ୍ବା ଦଳ ବଦଳ କରିପାରନ୍ତି।

ବିଜେଡି ସବୁ ସମ୍ଭାବନାର ଗଣିତକୁ ଆଖି ଆଗରେ ରଖି ନୂଆ ମୁହଁ ମାନଙ୍କ ତାଲିକା ତିଆରି କରୁଛି ବୋଲି ଏକ ବିଶେଷ ସୂତ୍ର ରୁ ଜଣା ପଡିଛି।

Categories
ବିଶେଷ ଖବର

ଷୋଡଶ ଲୋକସଭାର ଶେଷ ଦିନ, ମୁଲାୟମଙ୍କ ମୋଦୀ କୀର୍ତ୍ତନ ଓ ରାଫାଲେ ଅଡିଟ ପ୍ରସଙ୍ଗ

କେଦାର ମିଶ୍ର

ଷୋଡଶ ଲୋକସଭାର କାର୍ୟକାଳ ଗତକାଲି ସରିଛି। ୧୯୮୪ ପରଠୁ ଏହି ଲୋକସଭାରେ ପ୍ରଥମଥର ଲାଗି ଶାସକ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ହୋଇଥିଲା। ମଇ ୨୦୧୪ ରେ ଷୋଡଶ ଲୋକସଭା ଗଠିତ ହେଲାବେଳକୁ ଏଥିରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଖ୍ୟା ଥିଲା ୨୮୨। ତିରିଶ ବର୍ଷ ପରେ ପ୍ରଥମଥର ଲାଗି ବିଜେପି ଲୋକସଭାରେ ନିଜ ଶକ୍ତି ମୁତାବକ ସରକାର ଗଠନ କରିବାର ସୁଯୋଗ ପାଇଥିଲା। ତେବେ ଲୋକସଭାର ଶେଷ ଦିନ ବେଳକୁ ଏହି ସଂଖ୍ୟା ୨୬୮ କୁ ଖସି ଆସିଥିଲା। ସେହିପରି ଇତିହାସରେ ସବୁଠୁ କମ ସଂଖ୍ୟକ କଂଗ୍ରେସ ଦଳର ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇ ଆସିଥିଲେ। ଲୋକସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ଥିଲା ମାତ୍ର ୪୫। ହେଲେ ବିରୋଧୀ ଦଳ ଭାବରେ କଂଗ୍ରେସ ନିଜର ଅଳ୍ପ ସଦସ୍ୟଙ୍କୁ ନେଇ ସରକାରକୁ ଘେରିବାରେ ବେଶ ସଫଳ ହୋଇଥିଲା। ଲୋକସଭାର ନେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ମାତ୍ର ୨୧ ଟି ବିତର୍କରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ନରେନ୍ଦ୍ର ମୋଦୀଙ୍କ ସଂସଦ ଉପସ୍ଥିତି ହାର ଯଥେଷ୍ଟ କମ ଥିଲା।

ଏଥର ଲୋକସଭାରେ ୧୪୬ ଜଣ କୃଷିଜୀବି, ୫୪ ଜଣ ଓକିଲ, ତିନି ଜଣ ଶିକ୍ଷକ, ୮୯ ଜଣ ସମାଜସେବୀ, ୭୨ ଜଣ ବ୍ୟବସାୟୀ, ୩୮ ଜଣ ରାଜନୈତିକ କର୍ମୀ, ୨୭ ଜଣ ଡାକ୍ତର, ୯ ଜଣ କଳାକାର, ୫ ଜଣ ସାମ୍ବାଦିକ, ୫ ଜଣ ଶିଲ୍ପପତି, ଦୁଇ ଜଣ ସୈନିକ ଲୋକ ସଭାକୁ ନିର୍ବାଚିତ ହୋଇ ଆସିଥିଲେ। ତେବେ ଲୋକସଭା ର ୱେବ ସାଇଟ ଅନୁଯାୟୀ ସମାଜ ସେବୀ ଓ ରାଜନେତା ଦୁଇଟି ଅଲଗା ବୃତ୍ତି ମାନେ ହେଉଛି। ସେହିପରି ସମାଜ ସେବା ଏକ ବୃତ୍ତି କି ନୁହଁ, ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ଏଥର ଲୋକସଭାରେ ୪୫୭ (୮୭.୫୫%) ପୁରୁଷ ସଦସ୍ୟ ଥିବା ବେଳେ ମହିଳା ସଦସ୍ୟଙ୍କ ସଂଖ୍ୟା ଥିଲା ୬୫(୧୨.୪୫%) । ଏଥର ଲୋକସଭାରେ ୭୫% ସଦସ୍ୟ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ଏଥର ଲୋକସଭାରେ ବେଶ ସରଗରମ ଆଲୋଚନା ହୋଇଥିବାବେଳେ ବଜେଟ ଅଧିବେଶନର ଅନ୍ତିମ ଦିନ ବେଶ ରୋଚକ ଥିଲା। ସେଦିନ ଲୋକସଭାର ବାଚସ୍ପତିଙ୍କୁ ଧନ୍ୟବାଦ ଦେବା ଅବସରରେ କହିଥିଲେ ଯେ, ମୁଁ ସବୁ ସଦସ୍ୟ ପୁଣିଥରେ ନିର୍ବାଚିତ ହୋଇ ଆସନ୍ତୁ ବୋଲି କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ମୂଲାୟମଙ୍କ ଏ ବକ୍ତବ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି। ଯଦିଓ ସୌଜନ୍ୟତା ଦୃଷ୍ଟିରୁ ଏ ପ୍ରକାର ବକ୍ତବ୍ୟ ଅସଙ୍ଗତ ନୁହେଁ, କିନ୍ତୁ ଆଜିର ରାଜନୈତିକ ପରିସ୍ଥିତିରେ ଏହି ବକ୍ତବ୍ୟର ଅଲଗା ଅର୍ଥ ରହିଛି। ଉତ୍ତର ପ୍ରଦେଶ ରାଜନୀତିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମହାମେଣ୍ଟ ବିଜେପିକୁ ପରାସ୍ତ କରିବାର ଯୋଜନା କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମୁଲାୟାମଙ୍କ  ଶୁଭକାମନା ଗୋଟେ ଅଲଗା ସଙ୍କେତ ଦେଉଛି।

ତେବେ ଲୋକସଭାର ଅନ୍ତିମ ଦିବସରେ ସବୁଠୁ ଚର୍ଚ୍ଚାର ବିଷୟ ଥିଲା ରାଫାଲେ ପ୍ରସଙ୍ଗରେ ମହାଲେଖା ନିୟନ୍ତ୍ରକ ବା ସିଏଜିଙ୍କ ରିପୋର୍ଟ। ସଂସଦରେ ଉପସ୍ଥାପିତ ଏ ରିପୋର୍ଟ ଆପାତତଃ ମୋଦୀ ସରକାରକୁ ରାଫାଲେ ମାମଲାରେ କ୍ଳିନ ଚିଟ ଦେଲାପରି ଲାଗୁଥିଲେ ହେଁ, ରିପୋର୍ଟରେ ଅନେକ କଥା ରହିଛି ଯାହାକି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯଥେଷ୍ଟ।

ତେବେ ଆଜିଠୁ ଷୋଡଶ ଲୋକସଭାର କାର୍ୟକାଳ ପୂରିଲା। ସପ୍ତଦଶ ଲୋକସଭା ପାଇଁ ଏବେ କୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେବେ ବହୁ ଦୃଷ୍ଟିରୁ ଭାରତର ରାଜନୀତିରେ ଷୋଡଶ ଲୋକସଭାର ଭୂମିକା ଐତିହାସିକ ହୋଇ ରହିବ।