ବିପକ୍ଷ ଦଳଙ୍କ ହୋ ହଲ୍ଲା ସତ୍ତ୍ବେ ନାଗରିକତ୍ବ ସଂଶୋଧନ ବିଲ୍‌ ଆଗତ କଲେ ଅମିତ୍‌ ଶାହା

Published: Dec 9, 2019, 1:21 pm IST

ନୂଆଦିଲ୍ଲୀ,9/12: କଡା ବିରୋଧ ସତ୍ତ୍ବେ ଲୋକସଭାରେ ଆଗତ ହୋଇଛି ନାଗରିକତ୍ବ ସଂଶୋଧନ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହା 12.20 ମିନିଟ୍‌ରେ ଏହ ବିଲ୍‌ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଲ୍‌କୁ ବିରୋଧ କରାଯାଇଥିଲା। ବିଲ୍‌ ଆଗତ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ତୃଣମୂଳ ସାଂସଦ ବିଲ୍‌ର ବିରୋଧ କରିଥିଲେ। ଏହି ବିଲ୍‌ ଜରିଆରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଚୌଧୁରୀ ମତ ଦେଇଥିଲେ। ଏହି ବିଲ୍‌ ଅନୁଚ୍ଛେଦ 14-ଏର ଉଲ୍ଲଂଘନ କରୁଛି ବୋଲି ତୃଣମୂଳ ସାଂସଦ ମତ ଦେଇଥିଲେ। ଏହି ବିଲ୍‌ 0.0001 ପ୍ରତିଶତ ମୁସ୍‌ଲିମ୍‌ ବିରୋଧୀ ନୁହେଁ ଏବଂ ପ୍ରଶ୍ନକାଳ ସମୟରେ ସେ ଏହି ବିଲ୍‌ ସମ୍ପର୍କରେ ଉତ୍ତର ରଖିବେ ବୋଲି ଗୃହମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ବିଲ୍‌କୁ ବିରୋଧ କରିବା ପୂର୍ବରୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ବିଲ୍‌ ପ୍ରତି ସମର୍ଥନ ଜାହିର କରିଥିଲେ। ପଡୋଶୀ ଦେଶରେ ନିଷ୍ପେସିତ ଅବସ୍ଥାରେ ରହିଥିବା ଅଣ ମୁସଲିମ୍‌ ଭାଇ ଓ ଭଉଣୀ ମାନଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମ ପ୍ରଣୟନ ଜରୁରୀ ବୋଲି ଗିରିରାଜ କହିଥିଲେ। ଧର୍ମ ଭିତ୍ତିରେ ଭାରତର ବିଭାଜନ ହୋଇନଥିଲା। ଭାରତରେ ସମସ୍ତ ଧର୍ମକୁ ସମ୍ମାନ ଦିଆଯାଏ ମାତ୍ର ପାକିସ୍ତାନ ଏବଂ ବାଂଲାଦେଶରେ ଅଣ ମୁସ୍‌ଲିମ୍‌ଙ୍କ ଅବସ୍ଥା ଶୋଚନୀୟ। ତେଣୁ ସମସ୍ତ ସାଂସଦ ଏହି ବିଲ୍‌ ନିମନ୍ତେ ସମର୍ଥନ ଜାହିର କରିବା ଉଚିତ୍‌ ବୋଲି ଗିରିରାଜ ମତ ରଖିଥିଲେ। ଆରଏସ୍‌ପି ସାଂସଦ ଏନ୍‌କେ ପ୍ରେମଚନ୍ଦ୍ରନ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ। ସମ୍ବିଧାନର ମୂଳ ନିୟମକୁ ଏହି ବିଲ୍‌ ଭଙ୍ଗକରୁଛି। ଏହି ବିଲ୍‌ ଲାଗୁ କରାଗଲେ ଦେଶର ଧାର୍ମିକ ସନ୍ତୁଳନ ବିଗିଡିବାର ସମ୍ଭାବନା ରହିଛି ବୋଲି କହି ବିଲ୍‌ର ବିରୋଧ କରିଛନ୍ତି ପ୍ରେମଚନ୍ଦ୍ରନ। (ଏଜେନ୍ସୀ)

Related posts