Categories
ଆଜିର ଖବର ଜାତୀୟ ଖବର

ଜମ୍ମୁକାଶ୍ମୀରର ୨ ଟି ସଂସ୍ଥା ଉପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ: ଦେଶ ବିରୋଧ କାର୍ଯ୍ୟକଳାପ ଯୋଗୁଁ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆଜି କେନ୍ଦ୍ରରେ ମୋଦୀ ସରକାର ମୁସଲିମ କନ୍ଫରନ୍ସେ ଜମ୍ମୁ କାଶ୍ମୀର (ସୁମଜୀ ଗୋଷ୍ଠୀ) ଏବଂ ମୁସଲିମ କନ୍ଫରନ୍ସେ ଜମ୍ମୁ କାଶ୍ମୀର (ଭଟ ଗୋଷ୍ଠୀ) କୁ ପ୍ରତିବନ୍ଧିତ ସଂଗଠନ ଭାବରେ ଘୋଷଣା କରିଛନ୍ତି। ଏହି ସୂଚନା ପ୍ରଦାନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ସେମାନଙ୍କର କାର୍ଯ୍ୟକଳାପ ଦେଶର ସାର୍ବଭୌମତ୍ଵ ଏବଂ ଅଖଣ୍ଡତା ବିରୁଦ୍ଧ ଅଟେ।

ଅମିତ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆତଙ୍କବାଦକୁ ମୂଳୋତ୍ପାଟନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏପରି ପରିସ୍ଥିତିରେ, ବେଆଇନ କାର୍ଯ୍ୟକଳାପରେ ଜଡିତ ଯେକୌଣସି ବ୍ୟକ୍ତିଙ୍କୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ଅଳ୍ପକେ ରକ୍ଷା ପାଇଲେ ଅମିତ ଶାହା, ନିର୍ବାଚନ ପ୍ରଚାର ବେଳେ ବିଦ୍ୟୁତ ତାରରେ ଲାଗିଲା ତାଙ୍କ ରଥ

ନୂଆଦିଲ୍ଲୀ: ଅଳ୍ପକେ ରକ୍ଷା ପାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାଜସ୍ଥାନରେ ପ୍ରଚାର କରୁଥିବା ବେଳେ ତାଙ୍କ ରଥ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ହେଲେ ହଠାତ ଲାଇନ କଟିଯିବାରୁ ଏକ ବଡ ଦୁର୍ଘଟଣରୁ ରକ୍ଷା ମିଳିଯାଇଥିଲା। ସେହି ରଥରେ ଅମିତ ଶାହାଙ୍କ ସହିତ ଆହୁରି ବହୁ ନେତା ଥିଲେ।

ଘଟଣାରୁ ଜଣାପଡିଛି ଯେ, ମଙ୍ଗଳବାର ଦିନ ଅମିତ ସାହା ରାଜସ୍ଥାନର ପ୍ରଭାତସରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧୀତ କରିବାକୁ ଥିଲା। ତା ପୂର୍ବରୁ ସେ ଏକ ବଡ ଗାଡିରେ ତିଆରି ହୋଇଥିବା ରଥରେ ଛିଡା ହୋଇ ଏକ ଶୋଭାଯାତ୍ରାରେ ଯାଉଥିଲେ। ସେ ଏକ ଗଳି ରାସ୍ତାରେ ଯାଉଥିବା ବେଳେ ତାଙ୍କ ରଥ ବିଦ୍ୟୁତ ତାରରେ ସଂସ୍ପର୍ଶରେ ଆସିଥିଲା।

ହଠାତ ତାରରେ ନିଆଁ ଝଲକ ବାହାରିବା ସହିତ ଲାଇନ କଟିଯାଇଥିଲା। ଫଳରେ ଅମିତ  ସାହା ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହାପରେ ସେ ସେହି ରଥରୁ ଓହ୍ଲାଇ ଆଉ ଏକ ଗାଡିରେ ସଭାସ୍ଥଳକୁ ଯାଇଥିଲେ। ତେବେ ଗୃହମନ୍ତ୍ରୀଙ୍କ ଶୋଭାଯାତ୍ରା ବେଳେ ଏପରି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ଅମିତ ସାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ

ଭୁବନେଶ୍ବର: ଆଜି ଶୁକ୍ରବାରରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ସାହା। ସେ ଆଜି ରାତି ୧୦ଟା ୪୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ହୋଟେଲ ମେ ଫେୟାର ଯାଇ ରାତ୍ରୀଯାପନ କରିବେ। ଏହା ପରେ ଶନିବାର ଦିନ ଅମିତ ସାହା ୧୧ଟାରୁ ୧୨ଟା ମଧ୍ୟରେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ।

ଏହାପରେ ସେ ଦିନ ୧୨ ଟାରୁ ୧୨ ଟା ୩୦ ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ। ଏହି ଦୁଇ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ। ସେହିପରି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।

ସରକାରୀ କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟାହ୍ନରେ ଅମିତ ସାହା ବିଜେପି ପାର୍ଟି ଅଫିସ ଯିବେ। ସେଠାରେ ସେ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହିତ ବରିଷ୍ଠ ନେତାଙ୍କ ସହିତ ରୁଦ୍ଧଦ୍ବାର ବୈଠକ କରିବେ। ଏହାପରେ ସେ ନୂଆଦିଲ୍ଲୀ ଫେରିବାକୁ ବିମାନବନ୍ଦର ଯିବେ। ତେବେ ବିମାନବନ୍ଦର ଲାଉଞ୍ଜରେ ମଧ୍ୟ ଅମିତ ସାହା ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସିବେ ଅମିତ ସାହା, ପଟ୍ଟଶିଷ୍ୟ ଧର୍ମେନ୍ଦ୍ରଙ୍କ ପାଇଁ କରିବେ ଜନସଂପର୍କ ଯାତ୍ରା

ଭୁବନେଶ୍ବର: ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ସାହା। ଆସନ୍ତା ୧୭ ତାରିଖରେ ସେ ଓଡିଶା ଆସି ଢେଙ୍କାନାଳରେ କରିବେ ଜନ ସଂପର୍କ ଯାତ୍ରା। ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲଢେଇ କରିବେ। ସେଥିପାଇଁ ସାହା ତାଙ୍କ ପଟ୍ଟଶିଷ୍ୟଙ୍କ ପାଇଁ ଢେଙ୍କାନାଳରୁ ଆରମ୍ଭ କରିବେ ଓଡିଶାର ଜନସଂପର୍କ ଯାତ୍ରା।

ଓଡିଶାରେ ଏହି ଯାତ୍ରାକୁ ସଫଳ କରାଇବା ପାଇଁ ଖୋଦ ଧର୍ମେନ୍ଦ୍ରଙ୍କ ସହିତ ପୁରା ବିଜେପି ଟିମ ଜୋରଦାର ଲାଗିପଡିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଆରମ୍ଭ କରିଛି ଜନ ସଂପର୍କ ଯାତ୍ରା। ଏଥିରେ ଯେଉଁ ଆସନରେ ବିଜେପି ସାଂସଦ ନାହାଁନ୍ତି ସେହିସବୁ ଆସନରେ ଏହି ଯାତ୍ରା କରାଯିବ। ସେହି ପରିପ୍ରେକ୍ଷାରେ ଓଡିଶାରେ ଏହି ଯାତ୍ରା ଢେଙ୍କାନାଳ ଆସନରୁ ଆରମ୍ଭ ହେବ।

ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସାରା ଦେଶରେ ୫୧ଟି ‘ମହାରାଲି’ ଆୟୋଜନ କରାଯିବ। ଏଥିରୁ ଓଡିଶାରେ ୪ଟି ‘ମହାରାଲି’ ହେବ। ଓଡିଶାର ଏହି ଚାରୋଟି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ସାହା, ରାଜାନାଥ ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ରାଜ୍ୟ ବିଜେପି ତରଫରୁ ବ୍ୟାପକ ଆୟୋଜନ ମଧ୍ୟ କରାଯାଉଛି।

ଓଡିଶା ରାଜନୀତି ପରିପ୍ରେକ୍ଷୀରେ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଢେଙ୍କାନାଳ ଆସନ ଉପରେ ପୁରା ଫୋକସ କରିଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀ ଛାଡି ଢେଙ୍କାନାଳରେ ଡେରା ପକାଇଛନ୍ତି। ଗାଁକୁ ଗାଁ ବୁଲିବୁଲି ସେ ଲୋକ ସଂପର୍କ ଯୋଡିବାରେ ଲାଗିଛି। ଏହି ସମୟରେ ଅମିତ ସାହା ଆସି ଢେଙ୍କାନାଳରୁ ପ୍ରଚାର କରିବା ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି।

ଧର୍ମେନ୍ଦ୍ର କୌଣସି ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା ନ କରି ରାଜ୍ୟସଭାରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ହେଲେ ଏଥର ଆଉ ରାଜ୍ୟସଭା ସଦସ୍ୟଙ୍କୁ ମନ୍ତ୍ରୀପଦ ଦିଆ ଯିବ ନାହିଁ ବୋଲି ଜଣାପଡିବା ପରେ ଧର୍ମେନ୍ଦ୍ର ଢେଙ୍କାନାଳରୁ ଲଢେଇ କରିବା ପାଇଁ ଅଣ୍ଟା ଭିଡିଛନ୍ତି।

ଏହି ଆସନରୁ ବର୍ତ୍ତମାନ ମହେଶ ସାହୁ ବିଜେଡି ସାଂସଦ ଅଛନ୍ତି। ବିଜେଡି ଏଥର ମହେଶଙ୍କୁ ଟିକେଟ ନ ଦେଇ ଅନ୍ୟ କାହାକୁ ଦେବ ବୋଲି ନିଷ୍ପତି କରିଛି। ଫଳରେ ବିଜେଡି ପ୍ରାର୍ଥୀ ଉପରେ ଧର୍ମେନ୍ଦ୍ରଙ୍କ ହାରିବା ଜିତିବା ନିର୍ଭର କରୁଛି।

Categories
ଆଜିର ଖବର ଜାତୀୟ ଖବର

ଏମ୍‌ସ୍‌ରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା

ନୂଆଦିଲ୍ଲୀ :  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ନୂଆଦିଲ୍ଲୀ ସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି । ଏକ ଡାକ୍ତରୀ ଦଳ ତାଙ୍କର ନିରୀକ୍ଷଣ କରୁଛନ୍ତି । ନିକଟରେ ଅମିତ୍‌ ଶାହା କରୋନାକୁ ମାତ୍‌ ଦେଇଥିବାବେଳେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି । ଡକ୍ଟର ରଣଦୀପ ଗୁଲେରିଆଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଗତକାଲି ରାତ୍ରି 2ଟା ସମୟରେ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କୁ ପୁରୁଣା ପ୍ରାଇଭେଟ୍‌ ଓ୍ବାର୍ଡରେ ରଖଶଯାଇଛି । ତାଙ୍କ ନିକଟରେ ହାଲ୍‌କା ଜ୍ବର ରହିଥିବାର ଜଣାପଡିଛି ।

ସୂଚନାଯୋଗ୍ୟ, ଅଗଷ୍ଟ 14ରେ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ପରେ ମେଦାନ୍ତ ହସ୍ପିଟାଲରୁ ଆସି ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ ଶାହା । (ଏଜେନ୍ସି)

Categories
ବିଶେଷ ଖବର

ପାଞ୍ଚ ବର୍ଷରେ ଓଡିଶା ବଜେଟ ୫.୦୪ ଲକ୍ଷ କୋଟି, ଅମିତ ଶାହ କହୁଛନ୍ତି ପାଞ୍ଚ ବର୍ଷରେ କେନ୍ଦ୍ର ଦେଇଛି ୫.୫୨ ଲକ୍ଷ କୋଟି; ବଡ ବିଷମ ଏ ଜୁମଲା ଗଣିତ!!!

କେଦାର ମିଶ୍ର

ଓଡିଶାରେ ଏକ ଭର୍ଚ୍ୟୁଆଲ ଜନ ସମ୍ବାଦ ରାଲିକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଲେ ଯେ ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାକୁ କେନ୍ଦ୍ର ସରକାର ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏ ସମ୍ପର୍କରେ ବିଜେପି ରାଜ୍ୟ ଶାଖା ତରଫରୁ ଏକ ଟୁଇଟ ମାଧ୍ୟମରେ କୁହା ଯାଇଛି ଯେ “ତ୍ରୟୋଦଶ ଅର୍ଥ ଆୟୋଗରେ କଂଗ୍ରେସ ସରକାର ଓଡିଶାକୁ ୭୯,୦୦୦ କୋଟି ଟଙ୍କା ଦେଇଥିଲେ l୨୦୧୪-୧୯ ମଧ୍ୟରେ ମୋଦୀ ସରକାର ଓଡିଶାକୁ ୨.୧୧ ଲକ୍ଷ କୋଟି ଟଙ୍କା ଦେଇଛନ୍ତି lଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ସମେତ ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ମୋଦୀ ସରକାର ଓଡିଶାକୁ ପ୍ରଦାନ କରିଛନ୍ତି।”ଏହାର ମୋଟାମୋଟି ଅର୍ଥ ଏୟା ଯେ ଗତ ପାଞ୍ଚ ବର୍ଷରେ ମୋଦୀ ସରକାର ଓଡ଼ିଶାକୁ ବାର୍ଷିକ ହାରାହାରି ୧.୧୦ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏ ସଂଖ୍ୟା ଦେଖିଲା ପରେ ରାଜ୍ୟର ଅର୍ଥନୀତି ଓ ରାଜନୀତି ବିଷୟରେ ଖବର ରଖୁଥିବା ଲୋକଙ୍କର ମୁଣ୍ଡ ଘୂରେଇଯିବ। ଦେଶର ଗୃହମନ୍ତ୍ରୀ ଛାତିରେ ହାତ ରଖି କହୁଛନ୍ତି ଆମେ ପାଞ୍ଚ ବର୍ଷରେ ଓଡ଼ିଶାକୁ ୫.୫୨ ଲକ୍ଷ କୋଟି ଟଙ୍କା ଦେଇଛୁ।

ଯଦି ଗୃହମନ୍ତ୍ରୀ ଅମିତ ଶାହଙ୍କ କଥାକୁ ବିଶ୍ଵାସ କରାଯାଏ ତା ହେଲେ ଆମର କେନ୍ଦ୍ରୀୟ ଅନୁଦାନ/ଟିକସ ଭାଗ ବର୍ଷକୁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କା। ଏହା ସତ୍ତ୍ୱେ ଓଡିଶା ରାଜ୍ୟର ବଜେଟ ପରିମାଣ ପାଞ୍ଚ ବର୍ଷରେ (୨୦୧୪-୨୦୧୯) ମାତ୍ର ୫.୦୪ ଲକ୍ଷ କୋଟି ଟଙ୍କାରେ ସୀମିତ ରହିଲା କେମିତି। ଓଡିଶା ସରକାରଙ୍କ ବଜେଟ ଅନୁଧ୍ୟାନ କଲେ ଜଣା ପଡୁଛି ଯେ ରାଜ୍ୟ ବଜେଟର ଆକାର ୨୦୧୪-୧୫ରେ ୮୦,୧୩୯.୫୯ କୋଟି, ୨୦୧୫-୧୬ ରେ ୮୪,୪୮୭.୭୭ କୋଟି, ୨୦୧୬-୧୭ରେ ୯୪,୦୫୨କୋଟି, ୨୦୧୭-୧୮ରେ ୧,୦୬,୯୧୦ କୋଟି ଏବଂ ୨୦୧୮-୧୯ରେ ୧,୩୯ ହଜାର କୋଟି ଟଙ୍କା। ମୋଟ ପାଞ୍ଚବର୍ଷର ବଜେଟ ପରିମାଣ ହେଉଛି ୫ ଲକ୍ଷ ୪୫୯୦ କୋଟି ଟଙ୍କା। ତେବେ ଅମିତ ଶାହ କେବଳ କେନ୍ଦ୍ର ସରକାର ଏଇ ପାଞ୍ଚ ବର୍ଷରେ ଓଡିଶା ପାଇଁ କେନ୍ଦ୍ର ୫.୫୨ ଲକ୍ଷ କୋଟି ଟଙ୍କା ଦେବାର ଦାବି କରୁଛନ୍ତି। ମୋଟ ବଜେଟରୁ ଏହି ପରିମାଣ ୪୮ ହଜାର କୋଟି ଅଧିକ।

ଖାଲି କେନ୍ଦ୍ର ର ଅନୁଦାନ/ଟିକସ ଭାଗରେ ତ ରାଜ୍ୟ ବଜେଟ ଚାଲେ ନାହିଁ। ରାଜ୍ୟର ନିଜସ୍ଵ ଆୟ ଓ ଟିକସ ବ୍ୟବସ୍ଥା ରହିଛି। ସେସବୁ ମିଶାଇଲେ ତ କାହିଁ କେତେ ଅଧିକ ଟଙ୍କା ହେବା ଉଚିତ। ଏଠି ସୂଚନା ଯୋଗ୍ୟ ଯେ ଓଡିଶାର ନଗଦ ସମ୍ପତ୍ତି ବା ଜିଡିପି ହେଉଛି ୫.୩୪ ଲକ୍ଷ କୋଟି ଟଙ୍କା। ଅମିତ ଶାହ କହୁଛନ୍ତି ପୂରା ରାଜ୍ୟ ଜିଡିପିରୁ ଅଧିକ ଟଙ୍କା କେନ୍ଦ୍ର ରାଜ୍ୟକୁ ଦେଇଛି। ଏମିତିରେ ତ ରାଜ୍ୟରେ ସୁନାର କୁକୁଡା ଉଡିବା କଥା!! ହେଲେ ଆଜି ମଧ୍ୟ ଆର୍ଥିକ ଭାବରେ ଆମେ ସଂଘର୍ଷ କରୁଛୁ କାହିଁକି? କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପାଇଁ ୫.୫୨ ଲକ୍ଷ କୋଟି ବୋଧେ କେବଳ ଏକ ସଂଖ୍ୟା କିମ୍ବା ଏହି ସଂଖ୍ୟା କେବଳ ଏକ ଜୁମଲା!!

ଚତୁର୍ଦ୍ଦଶ ଅର୍ଥ କମିଶନ ଓଡ଼ିଶାକୁ ୨୦୧୪-୧୯ ପାଞ୍ଚ ବର୍ଷ ଲାଗି ୧.୮୪ ଲକ୍ଷ କୋଟି ଟଙ୍କା ଦେବାକୁ ସୁପାରିଶ କରିଥିଲେ। ଏହା ତ୍ରୟୋଦଶ ଅର୍ଥ କମିଶନ ତୁଳନାରେ ୧୬୫% ଅଧିକ ବୋଲି କୁହା ଯାଉଥିଲେ ହେଁ ଏହା ପଛରେ ଅନ୍ୟାନ୍ୟ କାରଣ ରହିଛି। ଏହି ସମୟରେ ଜିଏସଟି ଲାଗୁ ହେବା ସହିତ ଅନେକ ପ୍ରକାର ରାଜ୍ୟ ଟିକସର କେନ୍ଦ୍ରୀକରଣ କରାଯାଇଛି। ତେଣୁ ରାଜ୍ୟ ଗୁଡିକ ନିଜର ଟିକସ ଭାଗ ସ୍ଵାଭାବିକ ଭାବରେ ଅଧିକ ପାଇଛନ୍ତି। ତେବେ ଅନ୍ୟାନ୍ୟ ଦୃଷ୍ଟିରୁ ଦେଖିଲେ ରାଜ୍ୟ ହରାଇଥିବା ରାଜସ୍ୱ ତୁଳନାରେ ଅର୍ଥ କମିଶନଙ୍କ ସୁପାରିଶ ଯଥେଷ୍ଟ ନୁହେଁ। ତେବେ ଅର୍ଥ କମିଶନ ୧.୮୪ ଲକ୍ଷ କୋଟି ସୁପାରିଶ କରିଥିବା ବେଳେ ଅମିତ ଶାହ ୨.୧୧ ଲକ୍ଷ କୋଟି ଟଙ୍କା ଅର୍ଥ କମିଶନରୁ ମିଳିଛି ବୋଲି କହିଛନ୍ତି। କେନ୍ଦ୍ରୀୟ ଯୋଜନା ବାବଦକୁ ୧.୦୩ ଲକ୍ଷ କୋଟି ଟଙ୍କା କଥା ମଧ୍ୟ ଉଠାଇଛନ୍ତି।

ପ୍ରଶ୍ନ ହେଉଛି ଯଦି ଏତେ ବଡ ଭଣ୍ଡାର କେନ୍ଦ୍ର ସରକାର ଖୋଲି ଦେଇଛନ୍ତି, ଏହାର ଉତ୍ତର ରାଜ୍ୟ ସରକାର ଓ ଶାସନରେ ଥିବା ବିଜୁ ଜନତା ଦଳ ରଖିବା ଉଚିତ। ଯେଉଁ ହିସାବ ଅମିତ ଶାହ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି, ତାହା ଯଦି ସତ୍ୟ ତାହେଲେ, ସେ ଟଙ୍କା ରାଜ୍ୟ ବଜେଟରେ ପ୍ରତିଫଳିତ ହୋଇନାହିଁ କେମିତି? ଯଦି ଏହା ସତ ନୁହେଁ, ତାହେଲେ ବିଜୁ ଜନତା ଦଳ ଏହାର ଉତ୍ତର ଅମିତ ଶାହ ଓ ବିଜେପି ପାଖରୁ ମାଗିବା ଉଚିତ।

ଜନସଭାରେ ଭାଷଣ ଦେବା ସମୟରେ କୋଟି କୋଟି ଟଙ୍କାର ହିସାବ ଫୋପାଡିବା ବିଜେପିର ଏକ ପୁରୁଣା ରଣନୀତି। ଲୋକେ ଅର୍ଥନୀତି ଓ ବଜେଟର ସୂକ୍ଷ୍ମ ବିଶ୍ଳେଷଣ ଜାଣନ୍ତି ନାହିଁ। ସେମାନେ କେବଳ ବୁଝି ଯାଆନ୍ତି ଯେ ମୋଦୀ ଆମ ରାଜ୍ୟକୁ ଲକ୍ଷ ଲକ୍ଷ କୋଟି ଟଙ୍କା ପଠାଉଛନ୍ତି। ଅସଲରେ କେନ୍ଦ୍ର ରାଜ୍ୟକୁ ଯାହା ଦିଏ ତାହା ରାଜ୍ୟ ଦେଉଥିବା ରାଜସ୍ଵର ଏକ ଛୋଟିଆ ଅଂଶ ମାତ୍ର। ଆମରି ଟଙ୍କାରୁ ଆମକୁ ଅଂଶଧନ ଦେବା କେନ୍ଦ୍ରର ସାମ୍ବିଧାନିକ ଦାୟିତ୍ଵ। ଏହା କାହାର ଦାନ ବା ଦୟା ନୁହେଁ। ପୁନଶ୍ଚ ୫.୫୨ ଲକ୍ଷ କୋଟି ର ଏକ ଅସମ୍ଭବ ସଂଖ୍ୟା ଯେ କେବଳ ଏକ “ଜୁମଲା” ସେ କଥା କହିବାରେ ଆମର ତିଳେ ମାତ୍ର ଦ୍ଵିଧା ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଗୃହମନ୍ତ୍ରୀଙ୍କ ପ୍ରବାସୀ ଶ୍ରମିକ ବୟାନକୁ ପଶ୍ଚିମବଙ୍ଗ ସରକାରଙ୍କ ଖଣ୍ଡନ

କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ସହାୟତା କରାଯାଉନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯିବା ପରେ ରବିବାର ଟିଏମ୍‌ସି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯିବାର କିଛି ଦିନି ପୂର୍ବରୁ ବିଭିନ୍ନ ଟ୍ରେନ୍‌ ଗୁଡିକୁ ଅନୁମତି ପ୍ରଦାନ କରାଯାଇଥିଲା । ଏ ସମ୍ପର୍କିତ ଲିଖିତ କାଗଜପତ୍ର ଟ୍ବିଟ୍‌ କରିଛନ୍ତି ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ । ରାଜସ୍ଥାନ, କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଆସିବାକୁ ଥିବା 4ଟି ଟ୍ରେନ୍‌କୁ ଅନୁମତି ପ୍ରଦାନ କରାଯାଇଛି । ଗୃହମନ୍ତ୍ରୀ ଦୀର୍ଘ 40 ଦିନ ଧରି ନୀରବତା ଅବଲମ୍ବନ କରିଥିବା ବେଳେ ସାଧାରଣ ଲୋକଙ୍କୁ ମିଛ କହି ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବାନାର୍ଜୀ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଜୀଉଙ୍କ ଦର୍ଶନ କଲେ ଅମିତ ଶାହ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଶନିବାର ସକାଳୁ ଶାହା ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ । ଶାହାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପ୍ରହ୍ଲାଦ ସିଂ ପଟେଲ ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଉପସ୍ଥିତ ଅଛନ୍ତି । ଏମାନଙ୍କ ବ୍ୟତିତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଅଛନ୍ତି । ଶାହାଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜଗନ୍ନାଥଙ୍କ ଦର୍ଶନ ପରେ ଭୁବନେଶ୍ବର ଆସି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରେ ଶାହା ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Categories
ଆଞ୍ଚଳିକ

ଜିଲ୍ଲା କଂଗ୍ରେସ ପକ୍ଷରୁ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଗୁଜରାଟ ଦଙ୍ଗାର ସୃଷ୍ଟିକାରୀ ଅମିତ ଶାହା ପରୋକ୍ଷ ଭାବରେ ଏଥିପାଇଁ ନିଶ୍ଚିତ ଭାବେ ଦାୟୀ ଅଟନ୍ତି । ଆଜି ଗୃହମନ୍ତ୍ରୀ ଭୁବନେଶ୍ୱର ଆସିଥିବାବେଳେ ତାଙ୍କୁ ବିରୋଧ କରାଯାଇଛି ବୋଲି କଂଗ୍ରେସ କହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସର ପୀତବାସ ପଣ୍ଡା, ସଂଗ୍ରାମ ମହାନ୍ତି, ଭାଗିରଥୀ ବେହେରା, ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, ସୁବାସ ରଇତ, ସାଇ ପ୍ରସାଦ ପାତ୍ର, ପ୍ରମୋଦ ଜେନା, ଜି. ଏରେୟା, ଗଣପତି ବାରିକ, ପି. ରାଜା ରାଓ, ଭୈରବ ପାତ୍ର, ଉଦୀୟନାଥ ପାରିଗ୍ରାହୀ, ସିଦ୍ଧାନ୍ତ କୁମାର ସାହୁ, ବିଜୟରାଜ ପାଣିଗ୍ରାହୀ, ଜ୍ଞାନରଂଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସିଏଏ ସମର୍ଥନ ସମାବେଶ : ଓଡିଶାକୁ ଦ୍ବିତୀୟ ଘର ବୋଲି ଅଭିହିତ କଲେ ଶାହା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ବରର ଜନତା ମଇଦାନରେ ଏକ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଓଡିଶାକୁ ନିଜର ଦ୍ବିତୀୟ ଘର ଭାବରେ ଅଭିହିତ କରିଥିଲେ । 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବା ନେଇ ଅମିତ ଶାହା ଓଡିଶା ଆସିଥିବା ବେଳେ ଅପରାହ୍ନରେ ଜନତା ମଇଦାନରେ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହିତ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଥିଲେ ।

ଓଡିଶାର ବରପୁତ୍ରଙ୍କୁ ସ୍ମରଣ କରି ଶାହା ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଓଡିଶା ମୋତେ ସର୍ବଦା ମୋର ଦ୍ବିତୀୟ ଘର ଭଳି ପ୍ରତୀୟମାନ ହୋଇଥାଏ ବୋଲି ଶାହା ପ୍ରକାଶ କରିଛନ୍ତି । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ଏବଂ 2024 ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରମକୁ ପାଣି ପାଇପ୍‌ କସଞ୍ଜୋଗ କରାଯିବ ବୋଲି ଶାହା କହିଥିଲେ । ଏହା ସହିତ କେନ୍ଦ୍ର ସରକାରଙ୍କ ଅନ୍ୟାକନ୍ୟ ସଫଳତା ଯେପରିକି ରାମ ମନ୍ଦିର ଟ୍ରଷ୍ଟ ନିର୍ମାଣ, ଧାରା 370 ଉଚ୍ଛେଦ ସମ୍ପର୍କରେ ଶାହା ଘୋଷଣା କରିଥିଲେ । ସେହିପରି ସିଏଏ ଦ୍ବାରା କାହାର ନାଗରିକତା ଯିବ ନାହିଁ ତେଣୁ ଏହାକୁ ନେଇ ଲୋକେ ଭୟଭୀତ ହେବା ଅନୁଚିତ ବୋଲି ଶାହା କହିଥିଲେ । ପଡୋଶୀ ରାଷ୍ଟ୍ରର ନିଷ୍ପେସିତ ଲୋକଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ସିଏଏ ପ୍ରଣୟନ କରାଯାଇଛି ତେଣୁ ଦେଶବାସୀଙ୍କ ନାଗରିକତ୍ବ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଶାହା ସ୍ପଷ୍ଟ କରିଥିଲେ । ଅନ୍ୟପକ୍ଷରେ ଚଳିତ ବର୍ଷ ରାଜ୍ୟରେ ବିଜେପିକୁ 38.4 ପ୍ରତିଶତ ଭୋଟ ମିଳିଥିବାରୁ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ ଶାହା । ଦଳ 14 ହଜାର ବୁଥ୍‌ରେ ଆଗୁଆ ରହିଥିବା ବେଳେ 55 ହଜାର ବୁଥରେ ଦ୍ବିତୀୟ ସ୍ଥାନରେ ରହିଛି ତେଣୁ ଆଉ ଗୋଟିଏ ଲମ୍ଫରେ ଦଳ ପ୍ରଥମ ସ୍ଥାନକୁ ଆସିପାରିବ ବୋଲି ଶାହା କହିଥିଲେ ।

ଏହି ସମାବେଶରେ ପ୍ରଥମ ଥର ପାଇଁ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଥିଲେ । ସଦାସର୍ବଦା ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଶାହା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୋଟିଏ ବି ଶବ୍ଦ କହିନଥିଲେ । କେବଳ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ କହି ଶାହା ନିଜର ବକ୍ତବ୍ୟ ଶେଷ କରିଥିଲେ । ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ହିଂସାକାଣ୍ଡ : ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ : ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ଦିଲ୍ଲୀରେ ହିଂସା ଘଟିଥିବା ବେଳେ ବିରୋଧୀ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରାଯାଇଛି । ବୁଧବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଏକ ପ୍ରେସ୍‌ ମିଟ୍‌ କରି ଏହି ଦାବି ଉପସ୍ଥାପନ କରିଥିଲେ । ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 19 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ପକ୍ଷରୁ ଦାୟୀ କରାଯାଇଛି । ଶାହାଙ୍କ ଦାୟିତ୍ବ ହୀନତା କାରଣରୁ ରାଜଧାନୀ ଦିଲ୍ଲୀରେ ଏହି ସଂଘର୍ଷ ଘଟିଛି ତେଣୁ ଶାହା ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ଉଚିତ୍‌ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର

ଅମିତ ଶାହା ଗସ୍ତ ପାଇଁ ଚଳଚଞ୍ଚଳ ରାଜ୍ୟ ବିଜେପି, ଜନତା ମଇଦାନରେ ଶକ୍ତି ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର, ଆସନ୍ତା 28 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ସରକାରୀ ଗସ୍ତରେ ଓଡିଶା ଆସୁଛନ୍ତି। ଶାହା ସେଦିନ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗଦେବେ।ଏହି ବୈଠକ ଲୋକସେବା ଭବନର ନୂଆ କନଭେନସନ ହଲରେ ଅନୁଷ୍ଠିତ ହେବ। ଏଥିରେ ଓଡିଶା ସମେତ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଂଗର ପ୍ରତିନିଧିମାନେ ଯୋଗଦେବେ। ଏହି ବୈଠକରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଓଡିଶା ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଶାହା ପୂର୍ବାଞ୍ଚଳ ରାଜ୍ୟ ସମୁହର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯିବ। ସେଗୁଡିକ ମଧ୍ୟରେ ରହିଛି ପୋଷ୍ଟେଜ ଷ୍ଟାମ୍ପ ପକ୍ରିୟାର ପ୍ରଚଳନ, ଏକକ ବିଦ୍ୟୁତ ବିଲ୍ ପ୍ରଚଳନ, ପ୍ରାକୃତିକ ଦୁର୍ବିପାକକୁ ସମ୍ମୁଖୀନ ହେବା ପରେ ଭିତ୍ତିଭୂମି ନିର୍ମାଣ, ରେଳ ପ୍ରକଳ୍ପ, ଖଣି ପରିଚାଳନା, ଆର୍ଥିକ ପରିସ୍ଥିତି, 14ତମ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଞ୍ଚାୟତଗୁଡିକୁ ଅନୁଦାନ ପ୍ରଦାନ, ପଞ୍ଚାୟତକୁ ପୂର୍ଣ୍ଣ କ୍ଷମତା ପ୍ରଦାନ, କୋଇଲା ରୟାଲିଟ, ସିଧା ହିତାଧୀକାରୀଙ୍କୁ ଅର୍ଥ ପଇଠର ଉନ୍ନତି କରଣ, ଟେଲିକମ ଏବଂ ଇନଟରନେଟ ସଂଯୋଗୀକରଣ ସ୍ଥିତି ଏବଂ କେନ୍ଦ୍ରୀୟ ଅନୁଦାନ ଠିକ ସମୟରେ ପଇଠ ପ୍ରଭୃତି ବିଷୟରେ ଆଲୋଚନା ହେବ।

ଗୃହମନ୍ତ୍ରୀଙ୍କ ଏହି ବୈଠକ ସକାଳ 10ଟାରୁ ଆରମ୍ଭ ହୋଇ 2 ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ। ଏହାପରେ ଅମିତ ଶାହାଙ୍କ ଦଳୀୟ କାର୍ଯ୍ୟକ୍ରମ ରହିଛି। ସେହି ଦିନ ସେ ଭୁବନେଶ୍ବରର ଜନତା ମଇଦାନରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିବେ। ମୁଖ୍ୟତଃ ସିଏଏର ପ୍ରଚାର କରିବା ପାଇଁ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଶାହା ବିଭିନ୍ନ ରାଜ୍ୟରେ ସିଏଏ ସପକ୍ଷରେ ଅନେକ ବୈଠକ କରି ପ୍ରଚାର କରିଛନ୍ତି। ଓଡିଶାରେ ସିଏଏ ସଂବଧିତ ବୈଠକ ତାଙ୍କର ଶେଷ ପ୍ରଚାର ବୋଲି କୁହାଯାଉଛି।

ତେବେ ଏହି ବୈଠକକୁ ପୁରାମାତ୍ରାରେ ସଫଳ କରିବା ପାଇଁ ରାଜ୍ୟ ବିଜେପି ତରଫରୁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ପ୍ରାୟ ଏକ ଲକ୍ଷ ଜନ ସମାଗମ କରିବା ପାଇଁ ଦଳ ଲକ୍ଷ୍ୟ ରଖିଛି। ସେଥିପାଇଁ ଦଳ ତରଫରୁ ସମସ୍ତ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ନିଷ୍ପତି କରାଯାଇଛି। ଏଥିରେ ଆଞ୍ଚଳିକ ସ୍ତରରେ ଏହି ସମାଗମର ଉଦ୍ଦେଶ୍ୟ ସଂପର୍କର ଅବଗତ କରାଇବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀ କରାଯିବ। ସେଥିପାଇଁ ଦଳ ତରଫରୁ ବରିଷ୍ଠ ନେତାମାନଙ୍କ ନାମ ସ୍ଥିର କରାଯାଇ ସେମାନଙ୍କୁ ଜିଲ୍ଲାକୁ ପଠାଇ ଦିଆଯାଇଛି। ଏଥିସହିତ ଏହି ବୈଠକେ ବିଭିନ୍ନ ଜିଲ୍ଲାରୁ କିପରି କର୍ମିମାନେ ଆସିବେ ସେ ନେଇ ମଧ୍ୟ ଏହି ନେତାମାନେ ଆଲୋଚନା କରିବେ। ଏହି ସମାଗମରେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ।

ଜନତା ମଇଦାନ ସମାଗମ ସରିବା ପରେ ସାହା ପୁରୀ ଗସ୍ତରେ ଯିବେ। ସେଠାରେ ସେ ରାତ୍ରୀ ଯାପନ କରି ସକାଳୁ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ପୁରୀରେ କେତେକ ଦଳୀୟ କର୍ମିଙ୍କ ସହ ସାହା ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଜଗନ୍ନାଥ ଦର୍ଶନ ପରେ ସାହା ଭୁବନେଶ୍ବର ଆସି ପ୍ରଭୃ ଲିଙ୍ଗରାଜଙ୍କ ମଧ୍ୟ ଦର୍ଶନ କରି ଦିଲ୍ଲୀ ଫେରିଯିବେ। ଏହି ବୈଠକ ନୂଆ ସଭାପତି ସମୀର ମହାନ୍ତିଙ୍କ ପାଇଁ ଏକ ଚ୍ୟାଲେଜ ସୃଷ୍ଟି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଗୃହମନ୍ତ୍ରୀଙ୍କ ଅରୁଣାଚଳ ଗସ୍ତକୁ ଚୀନ୍‌ର ବିରୋଧ

ବେଜିଂ : କୋରୋନା ଭାଇରସ୍‌ ଦ୍ବାରା ଭୟଙ୍କର ଭାବରେ ପୀଡିତ ଚୀନ୍‌ ପକ୍ଷରୁ ପୁଣି ଏକ ନୂତନ ବିବାଦ ସୃଷ୍ଟି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍‌ ପକ୍ଷରୁ ବିରୋଧ କରାଯାଇଛି । ଫେବୃୟାରୀ 20ରେ ଅରୁଣାଚଳ ପ୍ରଦେଶକୁ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ମିଳିବାର 34 ବର୍ଷ ପୂର୍ତ୍ତି ହେଉଥିବା ଅବସରରେ ଗୃହମନ୍ତ୍ରୀ ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି । ଗୃହମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ରାଷ୍ଟ୍ରର ଦ୍ବିପାକ୍ଷିକ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚୀନ୍‌ ସରକାରଙ୍କ ପକ୍ଷରୁ ଅରୁଣାଚଳ ପ୍ରଦେଶକୁ ନିଜର ଅଂଶ ବୋଲି ଦାବି କରାଯାଉଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ଓ ଶାହା : ଉନ୍ମୋଚନ ହେବ ଶହୀଦ ସ୍ତମ୍ଭ

ନୂଆଦିଲ୍ଲୀ : ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ । ଉଭୟ ରାଜନାଥ ସିଂ ଏବଂ ଅମିତ ଶାହା ଟ୍ବିଟ୍ଟର ଜରିଆରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୁଲଓ୍ବାମାର ଲେଥପୋରା କ୍ୟାମ୍ପରେ ଏକ ଶହୀଦ ସ୍ତମ୍ଭର ମଧ୍ୟ ଉନ୍ମୋଚନ କରାଯିବ । ଏହି ସ୍ତମ୍ଭରେ 40 ଜଣ ଶହୀଦ ଯବାନଙ୍କ ନାମ ଏବଂ ଫଟୋ ରହିବ । ଦେଶର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନର ଏହା ଏକ ପ୍ରୟାସ ବୋଲି ସିଆରପିଏଫ୍‌ର ଉପ ମୁଖ୍ୟ ଜୁଲଫିକର ହସନ୍‌ ପ୍ରକାଶ କରିଛନ୍ତି । ଭାରତ ମାତାର ସୁରକ୍ଷା ଏବଂ ଅଖଣ୍ଡତା ପ୍ରୟାସରେ ପ୍ରାଣ ହରାଇଥିବା ଶହୀଦ ଯବାନ ମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ଶାହା ଟ୍ବିଟ୍‌ କରିଛନ୍ତି । ଆତଙ୍କବାଦ ବିରୋଧରେ ସମ୍ପୂର୍ଣ୍ଣ ଦେଶ ଏକ ହୋଇ ଛିଡା ହୋଇଛି ଏବଂ 2019ରେ ଶହୀଦ ହୋଇଥିବା ସିଆରପିଏଫ୍‌ ଯବାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ରାଜନାଥ ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 2019 ଫେବୃୟାର 14 ତାରିଖ ଅପରାହ୍ନ 3ଟା ସମୟରେ ଜୈସ୍‌ ଏ ମହମ୍ମଦର ଆତ୍ମଘାତୀ ଆକ୍ରମଣରେ 40 ଯବାନ ପ୍ରାଣ ହରାଇଥିଲେ ।

Categories
ବିଶେଷ ଖବର

ଦିଲ୍ଲୀ ନିର୍ବାଚନ – ଘୃଣା ଓ ବିଭାଜନର ରାଜନୀତି ଗାଲରେ ଦିଲ୍ଲୀର ଜନମତ ଏକ ସଶକ୍ତ ଚାପୁଡା

କେଦାର ମିଶ୍ର

ଦିଲ୍ଲୀ ନିର୍ବାଚନର ଫଳ ପ୍ରକାଶ ପାଇଲା ପରେ ଯେଉଁ ଗୀତର ଧାଡିଟି ଆମର ମନେ ପଡୁଥିଲା ସେଇଟା ହେଉଛି- ସମଝନେ ୱାଲେ ସମଝ ଗୟେ ହୈ ଜୋ ନା ସମଝେ ୱୋ ଅନାଡି ହୈ”। ଏ ଗୀତଟି ଆଉ କିଏ ଶୁଣୁ ବା ନ ଶୁଣୁ, ବିଜେପିର ଦୁଇ ସର୍ବୋଚ୍ଚ ନେତା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଶୁଣିବା ଜରୁରୀ। ଦିଲ୍ଲୀ ବିଧାନସଭା  ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯେଉଁ ପ୍ରକାର ନେତୃତ୍ବର ଉଦାହରଣ ପ୍ରସ୍ତୁତ କରିଥିଲେ, ତାହା ଏ ଦେଶର ଗଣତନ୍ତ୍ର ଲାଗି ଏକପ୍ରକାର ମରଣାନ୍ତକ ଆକ୍ରମଣ ଥିଲା। ବିଜେପି ହାରିବା ଏ ନିର୍ବାଚନରେ ଦେଶ ପାଇଁ ଜରୁରୀ ଥିଲା। ହେଲେ ବିଜେପିର ଏ ପ୍ରକାର ଲଜ୍ଜାଜନକ ପରାଜୟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ଅପରିହାର୍ୟ ଥିଲା।

ପ୍ରଥମଥର ଲାଗି ନିର୍ବାଚନ ଜିତିବା ଲାଗି ଖୋଲାଖୋଲି ହିଂସା ଓ ଗୁଣ୍ଡାମିର ପ୍ରୟୋଗ କରିଥିଲା। ସରକାରକୁ ବିରୋଧ କରୁଥିବା ଛାତ୍ରଛାତ୍ରୀ, ସାଧାରଣ ନାଗରିକ ଓ ସଂଖ୍ୟାଲଘୁଙ୍କ ଉପରେ ବିଜେପିର ଉଗ୍ର ଆକ୍ରମଣ ଅତି ଭୟଙ୍କର ସ୍ତରରେ ପହଞ୍ଚି ଯାଇଥିଲା। ଜାମିଆ ମିଲିଆ ଓ ଆଲିଗଡ ମୁସ୍ଲିମ ବିଶ୍ଵ ବିଦ୍ୟାଳୟରେ ପୋଲିସ ହିଂସା, ଜବାହାରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ମୁଖାଧାରୀ ଗୁଣ୍ଡାମାନଙ୍କର ଆକ୍ରମଣ, ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ କରୁଥିବା ଲୋକଙ୍କ ବିରୋଧରେ ପ୍ରବଳ ଦମନ ଏବଂ ୨୫ ରୁ ଅଧିକ ଲୋକଙ୍କ ଗୁଳିକାଣ୍ଡରେ ହତ୍ୟା ଭଳି ଘଟଣାର ପୃଷ୍ଠଭୂମିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା । ସେହି ପୃଷ୍ଠଭୂମିରେ ଦିଲ୍ଲୀ ନିର୍ବାଚନର ଭାଷା ସବୁଠୁ ହିଂସ୍ର ଓ ନିକୃଷ୍ଟ ରହିଥିଲା। ଦୁର୍ଭାଗ୍ୟକ୍ରମେ ଏହି ରାଜନୀତିର ଅଧିନାୟକ ଖୋଦ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଥିଲେ।

ବିଜେପି ପାଇଁ ଦିଲ୍ଲୀ ନିର୍ବାଚନ ଜିତିବା ଅପେକ୍ଷା ଏକ ସମ୍ମାନଜନକ ପରାଜୟର ଆବଶ୍ୟକତା ରହିଥିଲା। ପୁରା ଦମରେ ନିର୍ବାଚନ ଲଢିବା ପରେ ଏବଂ ନିଜେ ଅମିତ ଶାହ ଦିଲ୍ଲୀ ପ୍ରଚାରର ମଙ୍ଗ ସମ୍ଭାଳିବା ପରେ ମଧ୍ୟ ବିଜେପି ମାତ୍ର ୭ ଟି ଆସନ ପାଇବା ଦଳ ଲାଗି ଅପମାନଜନକ ଅନୁଭବ ନିଶ୍ଚୟ। ଲୋକେ ବିଜେପିକୁ ଏ ପ୍ରକାର ଅପମାନିତ କରିବାର କାରଣ କଣ? ଏହାର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ। ବିଜେପି ନିଜର ବିରୋଧୀଙ୍କୁ ଅପମାନିତ କରିବା, ସେମାନଙ୍କୁ ଦେଶଦ୍ରୋହୀ କହିବା ଓ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପ୍ରତି ଉପହାସ କରିବାକୁ ନିଜର ବଡପଣ ବୋଲି ଭାବିଥାଏ। ଏ ପ୍ରକାର ରାଜନୀତିରୁ ଅତୀତରେ ବିଜେପିକୁ ଲାଭ ମଧ୍ୟ ମିଳିଛି। ତେବେ ଏ ପ୍ରକାର ରାଜନୀତି ଦୀର୍ଘ ସମୟ ଯାଏଁ ଚାଲିପାରେନା। ଲୋକେ ନକାରାତ୍ମକ ରାଜନୀତିରେ ଅତିଷ୍ଠ ହେବା ଆରମ୍ଭ କରିଛନ୍ତି। ଗତ ଚାରୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନରୁ ଗୋଟେ କଥା ସ୍ପଷ୍ଟ ଯେ, ଅନ୍ୟକୁ ଅପମାନିତ କରିବା ଓ ଦେଶଦ୍ରୋହୀ କହିବାର ରାଜନୀତି ଆଉ କାମ କରୁନାହିଁ।

ଦିଲ୍ଲୀ ରେ ଅଦ୍ଭୁତ ରାଜନୈତିକ ଘୃଣା ଓ ହିଂସାର ବାତାବରଣ ଗତ ମାସେ ଧରି ରହିଥିଲା। ବିଜେପି ର ନିର୍ବାଚନୀ ପ୍ରଚାରରେ ଯେଉଁ କେତୋଟି ଶବ୍ଦ ବିଶେଷ ପ୍ରୟୋଗ ହୋଇଥିଲା, ସେସବୁ ହେଲା- ହିନ୍ଦୁ-ମୁସଲମାନ, ପାକିସ୍ତାନ, ଗୋଲି ମାରୋ, ଶାହିନ ବାଗ, ମନ୍ଦିର-ମସଜିଦ, ବିରିଆନୀ ଇତ୍ୟାଦି ଇତ୍ୟାଦି। କେବଳ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ମାନସିକ ଆକ୍ରମଣ କରି ନିର୍ବାଚନ ଜିତିହେବ ବୋଲି ବିଜେପି ଭାବୁଛି। ତେବେ ଏ ପ୍ରକାର ରାଜନୀତି ଏବେ ନିରନ୍ତର ଲୋକଙ୍କ ଦ୍ଵାରା ଖାରଜ ହେଉଛି, ଏକଥା ବିଜେପି ବୁଝିବା ଦରକାର। ବିଜେପି ନେତା ଓ କର୍ମକର୍ତ୍ତାଙ୍କ ମନରେ ଗୋଟେ ଭାବନା ରହିଛି ଯେ, ସଂଖ୍ୟାଧିକ ହିନ୍ଦୁ ବିଜେପିର ହିନ୍ଦୁତ୍ଵ ନୀତିକୁ ସମର୍ଥନ କରିବେ। ବାସ୍ତବରେ କୌଣସି ସଚେତନ ନାଗରିକ ଧର୍ମ ଆଧାରରେ ନିଜର ରାଜନୀତି କୁ ଦେଖିବ ନାହିଁ। ଯେଉଁ ମଧ୍ୟବିତ୍ତ ଜନତା ଏକଦା ବିଜେପିକୁ ବିକାଶର ରାଜନୀତି ପାଇଁ ସମର୍ଥନ କରୁଥିଲେ ସେମାନେ ଏବେ ବିଜେପିର ଉଗ୍ର ରାଜନୀତିରେ ଆହତ ହେବା ସ୍ଵାଭାବିକ।

ବିଜେପି ନିଜର ଘୃଣା ତଥା ଆକ୍ରାମକ ରାଜନୀତିର ନୂଆ ପୋଷ୍ଟର ବୟ ଭାବରେ ଅମିତ ଶାହ ଓ ଆଦିତ୍ୟନାଥଙ୍କର ପ୍ରୟୋଗ କରିବାକୁ ଚେଷ୍ଟା କରୁଛି। ଆଦିତ୍ୟନାଥ ନିଜର ଘୃଣା ଓ ବିଭାଜନକାରୀ ରାଜନୀତିକୁ ଆଦିତ୍ୟନାଥ ଅନ୍ୟ ରାଜ୍ୟରେ ପ୍ରଚାର କରିବାକୁ ଅବଶ୍ୟ ଚେଷ୍ଟା କରୁଛନ୍ତି। ହେଲେ ସେ ଯେଉଁଠି ପ୍ରଚାର କରୁଛନ୍ତି, ବିଜେପି ସେଠାରେ ପରାଜିତ ହେଉଛି। ଏହା ବିଜେପିକୁ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ଦେବା ଉଚିତ।

ବିଜେପିର ରାଜନୀତିରେ ଘୃଣା ଓ ହିଂସାର ବିଷାକ୍ତ ସମନ୍ଵୟ ତାଙ୍କର କେତେ ଲାଭ କ୍ଷତି କରିବ, ତାହା ଭିନ୍ନ କଥା। ହେଲେ ଏହି ରାଜନୀତି ଆମର ସାମାଜିକ ଜୀବନକୁ ବିଭକ୍ତ କରି ଚାଲିଛି। ଦିଲ୍ଲୀର ଜନମତ ଏ ପ୍ରକାର ବିଷାକ୍ତ ରାଜନୀତି ଗାଲରେ ଏକ ଶକ୍ତିଶାଳୀ ଚାପୁଡା। ତେବେ ବିଜେପି ଏହାକୁ ବୁଝୁଛି ତ!!

Categories
ଆଜିର ଖବର ଜାତୀୟ ଖବର

ଏନ୍‌ଆରସିକୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ମଧ୍ୟରେ ଚାଲିଛି ବିବାଦ : ଭୂପେଶ ବଘେଲ

ଛତିଶଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର୍‌) ଲାଗୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା କହିଛନ୍ତି। ରାୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଘେଲା ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦି ଏନ୍‌ଆର୍‌ସି ଲାଗୁ ନ କରିବାକୁ କହୁଥିବାବେଳେ ଗୃହମନ୍ତ୍ରୀ ଅମିତ୍‌ ଶାହା ଏହାକୁ ସିଏଏର ଅଂଶ ବିଶେଷ ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଏପରି ବିବାଦ ପାଇଁ ସାଧାରଣ ଲୋକେ ପେଶି ହେଉଛନ୍ତି । ଆଜି ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର ରହିଥିବାବେଳେ ଏହାର ଚର୍ଚ୍ଚା ନାହିଁ । ଚର୍ଚ୍ଚା ତ କେବଳ ନାଗରିକତାର ହେଉଛି । ବଘେଲ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡ଼ରେ ଗରିବ ରେଖା ତଳେ ରହୁଥିବା ଲୋକକଙ୍କ ସଂଖ୍ୟା ସର୍ବାଧିକ । ଏମାନଙ୍କ ପାଖରେ ଜମି ନାହିଁ, ଏମାନେ ସ୍କୁଲ ମଧ୍ୟ ଯାଇନାହାନ୍ତି । ଏମାନେ ନିଜକୁ କିପରି ଭାରତୀୟ ନାଗରିକ ବୋଲି ପ୍ରମାଣ କରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସାମରେ ଏନ୍‌ଆରସି ଲାଗୁ ହେଲା ସେଠାରେ ଲୋକେ ବହୁତ ହଇରାଣ ହେଲେ । ସେହିପରି ଫୁଲ୍‌ଓ୍ବାମା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଏହି ଘଟଣା ପାଇଁ ଦାୟୀ କିଏ ? (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିଏଏ ସପକ୍ଷରେ 52 ଲକ୍ଷ ମିସ୍‌ କଲ୍‌ ଆସିଛି : ଅମିତ ଶାହା

ନୂଆଦିଲ୍ଲୀ : ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ପୁନର୍ବାର ଏହା ସପକ୍ଷରେ ନିଜର ମତ ରଖିଛନ୍ତି । ସିଏଏ ସପକ୍ଷରେ 52 ଲକ୍ଷ ମିସ୍‌ କଲ୍‌ ଆସିଛି ବୋଲି ଅମିତ ଶାହା ପ୍ରକାଶ କରିଛନ୍ତି । ଶୁକ୍ରବାର ବିଜେପି ପକ୍ଷରୁ ଅମିତ ଶାହା ଏହି ନମ୍ବର ଲଞ୍ଚ କରିଥିଲେ । ନମ୍ବର ଲଞ୍ଚ ପରଠାରୁ 52 ଲକ୍ଷ 72 ହଜାର ଲୋକ ଏହା ସମର୍ଥନରେ ମିସ୍‌କଲ୍‌ କରିଛନ୍ତି । ସମୁଦାୟ 68 ଲକ୍ଷ ଲୋକ ଫୋନ୍‌ କରିଥିବା ତନ୍ମଧ୍ୟରୁ 52 ଲକ୍ଷ 72 ହଜାର ନମ୍ବର ଚିହ୍ନଟଯୋଗ୍ୟ ଅଟେ ବୋଲି ଶାହା ପ୍ରକାଶ କରିଛନ୍ତି । ଏହା ସହିତ ସିଏଏକୁ ନେଇ ଲୋକଙ୍କ ମନରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବିଜେପି ପକ୍ଷରୁ ଚେଷ୍ଟା କରାଯାଉଛି । ଦେଶର ପୁରାତନ ରାଜନୈତିକ ଦଳ କଂଗ୍ରେସ ଏହି ଆଇନକୁ ନେଇ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବାରୁ ଶାହା କଂଗ୍ରେସକୁ ସମାଲୋଚନା କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ଦଳଙ୍କୁ ଅମିତ ଶାହାଙ୍କ ଆକ୍ରମଣ

ଜୟପୁର,03/01 : ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ରାଜନୈତିକ ନେତାଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜସ୍ଥାନର ଯୋଧପୁରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ଶାହା ବିପକ୍ଷ ନେତାଙ୍କୁ ଆକ୍ରମଣ କରିଛନ୍ତି । ଶାହା କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ କେଜ୍ରିଓ୍ବାଲ, ମାୟାବତୀ ଏବଂ ମମତା ବାନାର୍ଜୀ ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମାତ୍ର ସିଏଏକୁ ନେଇ ବିଜେପି ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଶାହା କହିଛନ୍ତି । ଏହା ସହିତ ଶାହା ରାହୁଲଙ୍କୁ ଆକ୍ରମଣ କରି କହିଛନ୍ତି, ରାହୁଲ ଏହି ଆଇନକୁ ଭଲରେ ପଢିନାହାନ୍ତି । ଯଦି ରାହୁଲ ହିନ୍ଦି ଭାଷାରେ ଲିଖିତ ଆଇନକୁ ବୁଝି ପାରୁନାହାନ୍ତି ତେବେ ଏହି ଆଇନର ଇଟାଲୀ ଭାଷା ଅନୁବାଦ ମୁଁ ରାହୁଲଙ୍କୁ ପ୍ରଦାନ କରିବି ବୋଲି ଶାହା କହିଛନ୍ତି । ଏହା ସହିତ ସିଏଏକୁ ସମର୍ଥନ କରୁଥିବା ଜନ ସାଧାରଣ ଏକ ଦେୟମୁକ୍ତ ନମ୍ବରରେ ମିସ୍‌କଲ୍‌ କରିବା ଶାହା ଅନୁରୋଧ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ସଂଶୋଧନ ଆଇନ ଉପରେ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଶାହାଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ,15/12: ନାଗରିକତ୍ବ ବିଲ୍‌ ସଂଶୋଧନ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାରଣରୁ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ର କନରାଡ ସାଙ୍ଗମାଙ୍କୁ ଆଲୋଚନା ପାଇଁ ଅମିତ ଶାହା ଆମନ୍ତ୍ରଣ କରିଛନ୍ତି । ଶୁକ୍ରବାର ମେଘାଳୟ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଏହି ବିଲ୍‌ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଏହି ଆଇନ୍‌କୁ ନେଇ ଦେଶରେ ଅବସ୍ଥାନ କରୁଥିବା ମୁସଲିମ୍‌ଙ୍କୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଗୃହମନ୍ତ୍ରୀ କହିବା ସହିତ ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି । ଏହା ସହିତ ଶାହା କଂଗ୍ରେସ ଆନ୍ଦୋଳନକୁ ବଢାଉଛି ବୋଲି ମତ ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ବିପକ୍ଷ ଦଳଙ୍କ ହୋ ହଲ୍ଲା ସତ୍ତ୍ବେ ନାଗରିକତ୍ବ ସଂଶୋଧନ ବିଲ୍‌ ଆଗତ କଲେ ଅମିତ୍‌ ଶାହା

ନୂଆଦିଲ୍ଲୀ,9/12: କଡା ବିରୋଧ ସତ୍ତ୍ବେ ଲୋକସଭାରେ ଆଗତ ହୋଇଛି ନାଗରିକତ୍ବ ସଂଶୋଧନ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହା 12.20 ମିନିଟ୍‌ରେ ଏହ ବିଲ୍‌ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଲ୍‌କୁ ବିରୋଧ କରାଯାଇଥିଲା। ବିଲ୍‌ ଆଗତ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ତୃଣମୂଳ ସାଂସଦ ବିଲ୍‌ର ବିରୋଧ କରିଥିଲେ। ଏହି ବିଲ୍‌ ଜରିଆରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଚୌଧୁରୀ ମତ ଦେଇଥିଲେ। ଏହି ବିଲ୍‌ ଅନୁଚ୍ଛେଦ 14-ଏର ଉଲ୍ଲଂଘନ କରୁଛି ବୋଲି ତୃଣମୂଳ ସାଂସଦ ମତ ଦେଇଥିଲେ। ଏହି ବିଲ୍‌ 0.0001 ପ୍ରତିଶତ ମୁସ୍‌ଲିମ୍‌ ବିରୋଧୀ ନୁହେଁ ଏବଂ ପ୍ରଶ୍ନକାଳ ସମୟରେ ସେ ଏହି ବିଲ୍‌ ସମ୍ପର୍କରେ ଉତ୍ତର ରଖିବେ ବୋଲି ଗୃହମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ବିଲ୍‌କୁ ବିରୋଧ କରିବା ପୂର୍ବରୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ବିଲ୍‌ ପ୍ରତି ସମର୍ଥନ ଜାହିର କରିଥିଲେ। ପଡୋଶୀ ଦେଶରେ ନିଷ୍ପେସିତ ଅବସ୍ଥାରେ ରହିଥିବା ଅଣ ମୁସଲିମ୍‌ ଭାଇ ଓ ଭଉଣୀ ମାନଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମ ପ୍ରଣୟନ ଜରୁରୀ ବୋଲି ଗିରିରାଜ କହିଥିଲେ। ଧର୍ମ ଭିତ୍ତିରେ ଭାରତର ବିଭାଜନ ହୋଇନଥିଲା। ଭାରତରେ ସମସ୍ତ ଧର୍ମକୁ ସମ୍ମାନ ଦିଆଯାଏ ମାତ୍ର ପାକିସ୍ତାନ ଏବଂ ବାଂଲାଦେଶରେ ଅଣ ମୁସ୍‌ଲିମ୍‌ଙ୍କ ଅବସ୍ଥା ଶୋଚନୀୟ। ତେଣୁ ସମସ୍ତ ସାଂସଦ ଏହି ବିଲ୍‌ ନିମନ୍ତେ ସମର୍ଥନ ଜାହିର କରିବା ଉଚିତ୍‌ ବୋଲି ଗିରିରାଜ ମତ ରଖିଥିଲେ। ଆରଏସ୍‌ପି ସାଂସଦ ଏନ୍‌କେ ପ୍ରେମଚନ୍ଦ୍ରନ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ। ସମ୍ବିଧାନର ମୂଳ ନିୟମକୁ ଏହି ବିଲ୍‌ ଭଙ୍ଗକରୁଛି। ଏହି ବିଲ୍‌ ଲାଗୁ କରାଗଲେ ଦେଶର ଧାର୍ମିକ ସନ୍ତୁଳନ ବିଗିଡିବାର ସମ୍ଭାବନା ରହିଛି ବୋଲି କହି ବିଲ୍‌ର ବିରୋଧ କରିଛନ୍ତି ପ୍ରେମଚନ୍ଦ୍ରନ। (ଏଜେନ୍ସୀ)

Categories
ବିଶେଷ ଖବର

ଅମିତ ଶାହାଙ୍କୁ ରାହୁଲ ବଜାଜ ଯାହା ପଚାରିଥିଲେ ତାର ଉତ୍ତର ଧମକ ମାଧ୍ୟମରେ ମିଳିଲା ଓ ମିଳି ଚାଲିଛି   

କେଦାର ମିଶ୍ର 

ଦେଶର ବଡ ବଡ ସାମ୍ବାଦିକମାନେ ଯାହା ପଚାରିବାରେ ଅକ୍ଷମ, ତାକୁ ଜଣେ ବର୍ଷିୟାନ ଶିଲ୍ପପତି ପଚାରି ପାରିଲେ, ସେଥିପାଇଁ ତାଙ୍କୁ ଧନ୍ୟବାଦ। ବଜାଜ ଗୃପର ଅଧ୍ୟକ୍ଷ ରାହୁଲ ବଜାଜ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଯେଉଁ ପ୍ରଶ୍ନ ଉତ୍ତରର ସଂକ୍ଷିପ୍ତ ଚିତ୍ରଟି ଆମେ ଦେଖିଲୁ, ତାହା ଅନେକ ଆଗରୁ ଦେଖିବା ଉଚିତ ଥିଲା। ଜଣେ ଶିଲ୍ପପତି ଭାବରେ ରାହୁଲ ବଜାଜ ନିଜର ସ୍ପଷ୍ଟ ମତ ପାଇଁ ଜଣାଶୁଣା। ନିଜକୁ ଗୌରବର ସହିତ “ଆଣ୍ଟି ଏଶ୍ଟାବ୍ଳିଶମେଣ୍ଟ” ବା ସତ୍ତା ବିରୋଧୀ ବୋଲି କହିବାର ସାହସ କମ ଶିଳ୍ପପତିଙ୍କର ରହିଛି। ତେଣୁ ସେ ଯେତେବେଳେ ଅମିତ ଶାହାଙ୍କୁ ପଚାରିଥିଲେ, ଆପଣ ଭଲ କାମ କରୁଥିଲେ ବି ଆପଣଙ୍କୁ ସମାଲୋଚନା କରିବାକୁ ମୋତେ ଡର ଲାଗିବ କାହିଁକି? ଏହାର ଉତ୍ତର ବଡ ହାଲୁକା ଭାବରେ ଅମିତ ଶାହା ଦେଇଥିଲେ। ହେଲେ “ଦି ଇକୋନମିକ୍ସ ଟାଇମ୍ସ” ର ଏହି ଆଲୋଚନା ଚକ୍ର ସରିବା ପରେ ପରେ ରାହୁଲ ବଜାଜ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହୋଇଗଲା। ବିଜେପି ସମର୍ଥକ ଓ ଭକ୍ତମାନେ ବଜାଜଙ୍କୁ ସୋସିଆଲ ମିଡିଆରେ ଗାଳି ଫଜିତ ଆରମ୍ଭ କରିଦେଲେ। ତା ସହିତ ମୋଦୀ ସରକାରର ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ରାହୁଲ ବଜାଜଙ୍କୁ ଖୋଲାଖୋଲି ସମାଲୋଚନା ଆରମ୍ଭ କରିଦେଲେ। ସବୁଠୁ ଭୟଙ୍କର ଓ ଚିନ୍ତାଜନକ ପ୍ରତିକ୍ରିୟା ଆସିଲା, ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ପାଖରୁ। ଅର୍ଥମନ୍ତ୍ରୀଙ୍କ କହିବା କଥା ହେଲା, ଏପରି ପ୍ରଶ୍ନ ଆମର “ଜାତୀୟ ଭାବାବେଗ” ପ୍ରତି କ୍ଷତି ପହଞ୍ଚାଇବ। ବାସ, ରାହୁଲ ବଜାଜ ତ ସେହି କଥାଟି ଉଠାଇଥିଲେ ମାଡାମ!

ମୋଦୀ ସରକାରକୁ ସମାଲୋଚନା କଲେ “ଜାତୀୟ ଭାବାବେଗ”, “ଦେଶପ୍ରେମ”, “ଜାତୀୟ ସୁରକ୍ଷା” “ଜାତୀୟ ସ୍ଵାର୍ଥ” ସଙ୍କଟରେ ପଡିଯିବ ବୋଲି ବାରମ୍ବାର କୁହାଯାଉଛି। ଏହାହିଁ ଗୋଟେ ଗଣତାନ୍ତ୍ରିକ ଦେଶରେ ସବୁଠୁ ବଡ ଭୟର କାରଣ। ସରକାରକୁ ଦେଶ ବୋଲି ବଡ ଚତୁରତାର ସହିତ ତୁଳନା କରାଯାଉଛି ଓ ସରକାରକୁ ସମାଲୋଚନା କରିବା ଦେଶଦ୍ରୋହ ବୋଲି କୁହାଯାଉଛି। ତାହାହିଁ ଆଜିର ସବୁଠୁ ବଡ ସଙ୍କଟ। ପୂରା ଦେଶରେ ଯେଉଁ ଆର୍ଥିକ ସଙ୍କଟ ଦେଖା ଦେଇଛି, ତାରି ପଛରେ ଏହି ସାମାଜିକ ଭୟ ଏକ ବଡ କାରଣ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସେଇଥିପାଇଁ ଏହି ସାମାଜିକ ଭୟକୁ ଅର୍ଥନୈତିକ ଦୁର୍ଗତିର କାରଣ ବୋଲି କହିଛନ୍ତି। ସାମାଜିକ ଚାପ ଓ ରାଜନୈତିକ ପ୍ରତିଶୋଧପରାୟଣତାର ବାତାବରଣର କୌଣସି ଦେଶ ଅର୍ଥନୈତିକ ବିକାଶ ହାସଲ କରିବା ସମ୍ଭବ ନୁହେଁ।

ଦେଶର ଅର୍ଥବ୍ୟବସ୍ଥା ସମ୍ପର୍କରେ ମୋଦୀ ସରକାର ଶିଲ୍ପପତି ଓ ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରୁନାହାନ୍ତି ବୋଲି ଅନ୍ୟତମ ଉଦ୍ୟୋଗପତି କିରଣ ମଜୁମଦାର ସ’ କହିଛନ୍ତି। ଏ ସରକାର ଅର୍ଥନୀତି ସମ୍ପର୍କରେ ଶିଲ୍ପପତି ଓ ଅଥନୀତିଜ୍ଞଙ୍କ କଥା ଶୁଣୂନାହାନ୍ତି। ରାଜନୀତିରେ ଭିନ୍ନ ମତ ଓ ବିରୋଧୀ ପକ୍ଷକୁ ଶୁଣୁନାହାନ୍ତି। ଲୋକସମ୍ପର୍କ ପାଇଁ ସାମ୍ବାଦିକଙ୍କ କଥା ଶୁଣୁ ନାହାନ୍ତି। ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ବୁଦ୍ଧିଜୀବୀଙ୍କୁ ଶୁଣୁନାହାନ୍ତି। ତାହେଲେ, ଏ ସରକାର ଶୁଣୁଛନ୍ତି କାହାକୁ? କେବଳ ନିଜେ ନିଜର ସ୍ଵର ଓ ଚେହେରାକୁ ମୋଦୀ ଭଲ ପାଆନ୍ତି ବୋଲି କେହିଜଣେ କାମେଡିଆନ ଥରେ କହିଥିଲେ। ଆପାତତଃ ଏବେ ତାହାହିଁ ସତ୍ୟ ପ୍ରମାଣିତ ହେଉଛି।

ମୋଦୀ-ଶାହା ବ୍ୟତୀତ ସରକାରରେ ଆଉ କାହାର କିଛି କହିବାର ନାହିଁ ବା ଶୁଣିବାର ନାହିଁ। ଯେତେବେଳେ ଦେଶର ଜଣେ ବରିଷ୍ଠ ଉଦ୍ୟୋଗପତି ଦେଶର ଗୃହ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରୁଛନ୍ତି, ସେଠି ଅର୍ଥମନ୍ତ୍ରୀଙ୍କର ଦାୟିତ୍ଵ ହେଉଛି, ଉଦ୍ୟୋଗ ଜଗତକୁ ଭରସା ଦେବା। ଯେଉଁ ଭୟ ଓ ଆଶଙ୍କାର କଥା ରାହୁଲ ବଜାଜ ଉଠାଇଛନ୍ତି, ସେ କଥା ଆଗରୁ ଏ ଦେଶର ଲେଖକ, କଳାକାର ଓ ସିନେମା ତାରକାମାନେ ମଧ୍ୟ ଉଠାଇଥିଲେ। ତେବେ ଯିଏ ଏ ପ୍ରଶ୍ନ ଉଠାଇଛି, ତାକୁ ନିର୍ଦ୍ଦୟ ଭାବରେ ଚାପି ଦିଆ ହୋଇଛି ଅଥବା ସେମାନଙ୍କୁ ଅଧିକ ଭୟଭୀତ କରାଇବା ଲାଗି “ଟ୍ରୋଲ ବାହିନୀ’ କିମ୍ବା “ସରକାରୀ ଗୁଣ୍ଡା ସାମ୍ବାଦିକ ବାହିନୀ”ଙ୍କୁ ଲଗାଇ ଦିଆଯାଇଛି। ପ୍ରଥମ ଥର ଲାଗି ଆମେ ଦେଶରେ ସରକାରୀ ଗୁଣ୍ଡା ଭାବରେ ଟେଲିଭିଜନ ସାମ୍ବାଦିକମାନଙ୍କର ଏକ ଗୋଷ୍ଠୀକୁ ଦେଖୁଛୁ। ଏମାନେ ସରକାର ବିରୋଧରେ ପ୍ରଶ୍ନ ପଚାରୁଥିବା ସବୁ ସଂବେଦନଶୀଳ ନାଗରିକଙ୍କୁ ଦେଶଦ୍ରୋହୀ ବା ଜାତୀୟ ସ୍ଵାର୍ଥ ବିରୋଧୀ ବୋଲି କହିବାକୁ ଅହରହ କାମ କରୁଛନ୍ତି।

ତେବେ ରାହୁଲ ବଜାଜଙ୍କ ପ୍ରଶ୍ନ, ଅମିତ ଶାହାଙ୍କ ଉତ୍ତର ଓ ନିର୍ମଲା ସୀତାରମଣଙ୍କ ଟ୍ରୋଲିଂରୁ ଗୋଟିଏ କଥା ପ୍ରମାଣିତ ହୋଇଯାଇଛି ଯେ, ଶ୍ରୀମାନ ବଜାଜ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ।