ସିଏଏ ସମର୍ଥନ ସମାବେଶ : ଓଡିଶାକୁ ଦ୍ବିତୀୟ ଘର ବୋଲି ଅଭିହିତ କଲେ ଶାହା

Published: Feb 28, 2020, 5:47 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ବରର ଜନତା ମଇଦାନରେ ଏକ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଓଡିଶାକୁ ନିଜର ଦ୍ବିତୀୟ ଘର ଭାବରେ ଅଭିହିତ କରିଥିଲେ । 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବା ନେଇ ଅମିତ ଶାହା ଓଡିଶା ଆସିଥିବା ବେଳେ ଅପରାହ୍ନରେ ଜନତା ମଇଦାନରେ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହିତ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଥିଲେ ।

ଓଡିଶାର ବରପୁତ୍ରଙ୍କୁ ସ୍ମରଣ କରି ଶାହା ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଓଡିଶା ମୋତେ ସର୍ବଦା ମୋର ଦ୍ବିତୀୟ ଘର ଭଳି ପ୍ରତୀୟମାନ ହୋଇଥାଏ ବୋଲି ଶାହା ପ୍ରକାଶ କରିଛନ୍ତି । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ଏବଂ 2024 ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରମକୁ ପାଣି ପାଇପ୍‌ କସଞ୍ଜୋଗ କରାଯିବ ବୋଲି ଶାହା କହିଥିଲେ । ଏହା ସହିତ କେନ୍ଦ୍ର ସରକାରଙ୍କ ଅନ୍ୟାକନ୍ୟ ସଫଳତା ଯେପରିକି ରାମ ମନ୍ଦିର ଟ୍ରଷ୍ଟ ନିର୍ମାଣ, ଧାରା 370 ଉଚ୍ଛେଦ ସମ୍ପର୍କରେ ଶାହା ଘୋଷଣା କରିଥିଲେ । ସେହିପରି ସିଏଏ ଦ୍ବାରା କାହାର ନାଗରିକତା ଯିବ ନାହିଁ ତେଣୁ ଏହାକୁ ନେଇ ଲୋକେ ଭୟଭୀତ ହେବା ଅନୁଚିତ ବୋଲି ଶାହା କହିଥିଲେ । ପଡୋଶୀ ରାଷ୍ଟ୍ରର ନିଷ୍ପେସିତ ଲୋକଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ସିଏଏ ପ୍ରଣୟନ କରାଯାଇଛି ତେଣୁ ଦେଶବାସୀଙ୍କ ନାଗରିକତ୍ବ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଶାହା ସ୍ପଷ୍ଟ କରିଥିଲେ । ଅନ୍ୟପକ୍ଷରେ ଚଳିତ ବର୍ଷ ରାଜ୍ୟରେ ବିଜେପିକୁ 38.4 ପ୍ରତିଶତ ଭୋଟ ମିଳିଥିବାରୁ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ ଶାହା । ଦଳ 14 ହଜାର ବୁଥ୍‌ରେ ଆଗୁଆ ରହିଥିବା ବେଳେ 55 ହଜାର ବୁଥରେ ଦ୍ବିତୀୟ ସ୍ଥାନରେ ରହିଛି ତେଣୁ ଆଉ ଗୋଟିଏ ଲମ୍ଫରେ ଦଳ ପ୍ରଥମ ସ୍ଥାନକୁ ଆସିପାରିବ ବୋଲି ଶାହା କହିଥିଲେ ।

ଏହି ସମାବେଶରେ ପ୍ରଥମ ଥର ପାଇଁ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଥିଲେ । ସଦାସର୍ବଦା ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଶାହା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୋଟିଏ ବି ଶବ୍ଦ କହିନଥିଲେ । କେବଳ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ କହି ଶାହା ନିଜର ବକ୍ତବ୍ୟ ଶେଷ କରିଥିଲେ । ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Related posts