କଟକ: କଟକ ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଜଗତପୁର ଥାନା ଅନ୍ତର୍ଗତ ଖଇରା କେନାଲ ରୋଡ୍ରେ ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ ପକ୍ଷରୁ ଚଢ଼ାଉ କରାଯାଇ ୧୪୬ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ବଜାର ମୂଲ୍ୟ ୧୪ ଲକ୍ଷ ୬୦ ହଜାର ଟଙ୍କା ହେବ। ଏହି ମାମଲାରେ ସାଲେପୁର ଥାନା ଅନ୍ତର୍ଗତ ଗରୁଡ଼ାପୁର ଗ୍ରାମର ପ୍ରଶାନ୍ତ କୁମାର ବେହୁରା (୩୦) ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଅବକାରୀ ଅଧୀକ୍ଷକ ସମରଜିତ୍ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏବଂ ଉପ-ଅବକାରୀ ଅଧୀକ୍ଷକ ରୋଶନ ଇସୁ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ବ୍ରାଉନ୍ ସୁଗାର ସହିତ ଚଢ଼ାଉକାରୀ ଦଳ ଏକ ମୋଟରସାଇକେଲ ମଧ୍ୟ ଜବତ କରିଛନ୍ତି। ଏନଡିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। କଟକକୁ ନିଶାମୁକ୍ତ କରିବା ପାଇଁ ଆଗକୁ ଏଭଳି ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


