Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟା ମଧ୍ୟରେ ଆପ୍‌ରେ ଯୋଗ ଦେଇଛନ୍ତି 10 ଲକ୍ଷ ବ୍ୟକ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅଦ୍ଭୂତପୂର୍ବ ବିଜୟ ପରେ ଆପ୍‌କୁ ଆଉ ଏକ ସଫଳତା ମିଳିଛି । ନିର୍ବାଚନ ବିଜୟ ପରେ 24 ଘଣ୍ଟା ମଧ୍ୟରେ ଆପ୍‌ରେ ପ୍ରାୟ 10 ଲକ୍ଷ ଲୋକ ଯୋଗ ଦେଇଛନ୍ତି । ଆପ୍‌ରେ ଯୋଗ ଦେବା ପାଇଁ ଟ୍ବିଟ୍‌ କରାଯାଇ ଏକ ଫ୍ରି ନମ୍ବର ଜାରି କରାଯାଇଥିଲା । ଏହି ନମ୍ବରେ ସମଗ୍ର ଦେଶରୁ ପ୍ରାୟ 11 ଲକ୍ଷ ମିସ୍‌କଲ୍‌ ଆସି ସାରିଛି ବୋଲି ଆପ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ 70ରୁ 62ଟି ଆସନରେ ବିଜୟୀ ହୋଇଥିଲେ । ଆସନ୍ତା ଫେବୃୟାରୀ 16 ତାରିଖରେ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

ଦିଲ୍ଲୀ ନିର୍ବାଚନ – ଘୃଣା ଓ ବିଭାଜନର ରାଜନୀତି ଗାଲରେ ଦିଲ୍ଲୀର ଜନମତ ଏକ ସଶକ୍ତ ଚାପୁଡା

କେଦାର ମିଶ୍ର

ଦିଲ୍ଲୀ ନିର୍ବାଚନର ଫଳ ପ୍ରକାଶ ପାଇଲା ପରେ ଯେଉଁ ଗୀତର ଧାଡିଟି ଆମର ମନେ ପଡୁଥିଲା ସେଇଟା ହେଉଛି- ସମଝନେ ୱାଲେ ସମଝ ଗୟେ ହୈ ଜୋ ନା ସମଝେ ୱୋ ଅନାଡି ହୈ”। ଏ ଗୀତଟି ଆଉ କିଏ ଶୁଣୁ ବା ନ ଶୁଣୁ, ବିଜେପିର ଦୁଇ ସର୍ବୋଚ୍ଚ ନେତା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଶୁଣିବା ଜରୁରୀ। ଦିଲ୍ଲୀ ବିଧାନସଭା  ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯେଉଁ ପ୍ରକାର ନେତୃତ୍ବର ଉଦାହରଣ ପ୍ରସ୍ତୁତ କରିଥିଲେ, ତାହା ଏ ଦେଶର ଗଣତନ୍ତ୍ର ଲାଗି ଏକପ୍ରକାର ମରଣାନ୍ତକ ଆକ୍ରମଣ ଥିଲା। ବିଜେପି ହାରିବା ଏ ନିର୍ବାଚନରେ ଦେଶ ପାଇଁ ଜରୁରୀ ଥିଲା। ହେଲେ ବିଜେପିର ଏ ପ୍ରକାର ଲଜ୍ଜାଜନକ ପରାଜୟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ଅପରିହାର୍ୟ ଥିଲା।

ପ୍ରଥମଥର ଲାଗି ନିର୍ବାଚନ ଜିତିବା ଲାଗି ଖୋଲାଖୋଲି ହିଂସା ଓ ଗୁଣ୍ଡାମିର ପ୍ରୟୋଗ କରିଥିଲା। ସରକାରକୁ ବିରୋଧ କରୁଥିବା ଛାତ୍ରଛାତ୍ରୀ, ସାଧାରଣ ନାଗରିକ ଓ ସଂଖ୍ୟାଲଘୁଙ୍କ ଉପରେ ବିଜେପିର ଉଗ୍ର ଆକ୍ରମଣ ଅତି ଭୟଙ୍କର ସ୍ତରରେ ପହଞ୍ଚି ଯାଇଥିଲା। ଜାମିଆ ମିଲିଆ ଓ ଆଲିଗଡ ମୁସ୍ଲିମ ବିଶ୍ଵ ବିଦ୍ୟାଳୟରେ ପୋଲିସ ହିଂସା, ଜବାହାରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ମୁଖାଧାରୀ ଗୁଣ୍ଡାମାନଙ୍କର ଆକ୍ରମଣ, ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ କରୁଥିବା ଲୋକଙ୍କ ବିରୋଧରେ ପ୍ରବଳ ଦମନ ଏବଂ ୨୫ ରୁ ଅଧିକ ଲୋକଙ୍କ ଗୁଳିକାଣ୍ଡରେ ହତ୍ୟା ଭଳି ଘଟଣାର ପୃଷ୍ଠଭୂମିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା । ସେହି ପୃଷ୍ଠଭୂମିରେ ଦିଲ୍ଲୀ ନିର୍ବାଚନର ଭାଷା ସବୁଠୁ ହିଂସ୍ର ଓ ନିକୃଷ୍ଟ ରହିଥିଲା। ଦୁର୍ଭାଗ୍ୟକ୍ରମେ ଏହି ରାଜନୀତିର ଅଧିନାୟକ ଖୋଦ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଥିଲେ।

ବିଜେପି ପାଇଁ ଦିଲ୍ଲୀ ନିର୍ବାଚନ ଜିତିବା ଅପେକ୍ଷା ଏକ ସମ୍ମାନଜନକ ପରାଜୟର ଆବଶ୍ୟକତା ରହିଥିଲା। ପୁରା ଦମରେ ନିର୍ବାଚନ ଲଢିବା ପରେ ଏବଂ ନିଜେ ଅମିତ ଶାହ ଦିଲ୍ଲୀ ପ୍ରଚାରର ମଙ୍ଗ ସମ୍ଭାଳିବା ପରେ ମଧ୍ୟ ବିଜେପି ମାତ୍ର ୭ ଟି ଆସନ ପାଇବା ଦଳ ଲାଗି ଅପମାନଜନକ ଅନୁଭବ ନିଶ୍ଚୟ। ଲୋକେ ବିଜେପିକୁ ଏ ପ୍ରକାର ଅପମାନିତ କରିବାର କାରଣ କଣ? ଏହାର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ। ବିଜେପି ନିଜର ବିରୋଧୀଙ୍କୁ ଅପମାନିତ କରିବା, ସେମାନଙ୍କୁ ଦେଶଦ୍ରୋହୀ କହିବା ଓ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପ୍ରତି ଉପହାସ କରିବାକୁ ନିଜର ବଡପଣ ବୋଲି ଭାବିଥାଏ। ଏ ପ୍ରକାର ରାଜନୀତିରୁ ଅତୀତରେ ବିଜେପିକୁ ଲାଭ ମଧ୍ୟ ମିଳିଛି। ତେବେ ଏ ପ୍ରକାର ରାଜନୀତି ଦୀର୍ଘ ସମୟ ଯାଏଁ ଚାଲିପାରେନା। ଲୋକେ ନକାରାତ୍ମକ ରାଜନୀତିରେ ଅତିଷ୍ଠ ହେବା ଆରମ୍ଭ କରିଛନ୍ତି। ଗତ ଚାରୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନରୁ ଗୋଟେ କଥା ସ୍ପଷ୍ଟ ଯେ, ଅନ୍ୟକୁ ଅପମାନିତ କରିବା ଓ ଦେଶଦ୍ରୋହୀ କହିବାର ରାଜନୀତି ଆଉ କାମ କରୁନାହିଁ।

ଦିଲ୍ଲୀ ରେ ଅଦ୍ଭୁତ ରାଜନୈତିକ ଘୃଣା ଓ ହିଂସାର ବାତାବରଣ ଗତ ମାସେ ଧରି ରହିଥିଲା। ବିଜେପି ର ନିର୍ବାଚନୀ ପ୍ରଚାରରେ ଯେଉଁ କେତୋଟି ଶବ୍ଦ ବିଶେଷ ପ୍ରୟୋଗ ହୋଇଥିଲା, ସେସବୁ ହେଲା- ହିନ୍ଦୁ-ମୁସଲମାନ, ପାକିସ୍ତାନ, ଗୋଲି ମାରୋ, ଶାହିନ ବାଗ, ମନ୍ଦିର-ମସଜିଦ, ବିରିଆନୀ ଇତ୍ୟାଦି ଇତ୍ୟାଦି। କେବଳ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ମାନସିକ ଆକ୍ରମଣ କରି ନିର୍ବାଚନ ଜିତିହେବ ବୋଲି ବିଜେପି ଭାବୁଛି। ତେବେ ଏ ପ୍ରକାର ରାଜନୀତି ଏବେ ନିରନ୍ତର ଲୋକଙ୍କ ଦ୍ଵାରା ଖାରଜ ହେଉଛି, ଏକଥା ବିଜେପି ବୁଝିବା ଦରକାର। ବିଜେପି ନେତା ଓ କର୍ମକର୍ତ୍ତାଙ୍କ ମନରେ ଗୋଟେ ଭାବନା ରହିଛି ଯେ, ସଂଖ୍ୟାଧିକ ହିନ୍ଦୁ ବିଜେପିର ହିନ୍ଦୁତ୍ଵ ନୀତିକୁ ସମର୍ଥନ କରିବେ। ବାସ୍ତବରେ କୌଣସି ସଚେତନ ନାଗରିକ ଧର୍ମ ଆଧାରରେ ନିଜର ରାଜନୀତି କୁ ଦେଖିବ ନାହିଁ। ଯେଉଁ ମଧ୍ୟବିତ୍ତ ଜନତା ଏକଦା ବିଜେପିକୁ ବିକାଶର ରାଜନୀତି ପାଇଁ ସମର୍ଥନ କରୁଥିଲେ ସେମାନେ ଏବେ ବିଜେପିର ଉଗ୍ର ରାଜନୀତିରେ ଆହତ ହେବା ସ୍ଵାଭାବିକ।

ବିଜେପି ନିଜର ଘୃଣା ତଥା ଆକ୍ରାମକ ରାଜନୀତିର ନୂଆ ପୋଷ୍ଟର ବୟ ଭାବରେ ଅମିତ ଶାହ ଓ ଆଦିତ୍ୟନାଥଙ୍କର ପ୍ରୟୋଗ କରିବାକୁ ଚେଷ୍ଟା କରୁଛି। ଆଦିତ୍ୟନାଥ ନିଜର ଘୃଣା ଓ ବିଭାଜନକାରୀ ରାଜନୀତିକୁ ଆଦିତ୍ୟନାଥ ଅନ୍ୟ ରାଜ୍ୟରେ ପ୍ରଚାର କରିବାକୁ ଅବଶ୍ୟ ଚେଷ୍ଟା କରୁଛନ୍ତି। ହେଲେ ସେ ଯେଉଁଠି ପ୍ରଚାର କରୁଛନ୍ତି, ବିଜେପି ସେଠାରେ ପରାଜିତ ହେଉଛି। ଏହା ବିଜେପିକୁ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ଦେବା ଉଚିତ।

ବିଜେପିର ରାଜନୀତିରେ ଘୃଣା ଓ ହିଂସାର ବିଷାକ୍ତ ସମନ୍ଵୟ ତାଙ୍କର କେତେ ଲାଭ କ୍ଷତି କରିବ, ତାହା ଭିନ୍ନ କଥା। ହେଲେ ଏହି ରାଜନୀତି ଆମର ସାମାଜିକ ଜୀବନକୁ ବିଭକ୍ତ କରି ଚାଲିଛି। ଦିଲ୍ଲୀର ଜନମତ ଏ ପ୍ରକାର ବିଷାକ୍ତ ରାଜନୀତି ଗାଲରେ ଏକ ଶକ୍ତିଶାଳୀ ଚାପୁଡା। ତେବେ ବିଜେପି ଏହାକୁ ବୁଝୁଛି ତ!!

Categories
ଜାତୀୟ ଖବର ବିଶେଷ ଖବର

ଝାଡୁ ସାମ୍ନାରେ ଫିକା ପଡିଲା ପଦ୍ମ: ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ହ୍ୟାଟ୍ରିକ୍‌

ସମୀକ୍ଷା ବ୍ୟୁରୋ
ଦିଲ୍ଲୀରେ ପୁଣି ବହୁମତ ପାଇ ତୃତୀୟ ଥର ପାଇଁ ଆପ୍‌ ଶାସନ କ୍ଷମତା ଦଖଲ କରିବା ସ୍ପଷ୍ଟ ହୋଇଛି। ବିଜେପିର ଶାହିନ୍‌ବାଗ୍‌ ପ୍ରସଙ୍ଗକୁ ପଛରେ ପକାଇଛି ଆପ୍‌ର ବିକାଶ ପ୍ରସଙ୍ଗ। ଆପ୍‌ ୬୨ ଟି ଆସନରେ ଆଗୁଆ ରହିଥିବା ବେଳେ ବର୍ତ୍ତମାନ ସରକାର ଗଠନ କରିବା କେବଳ ଔପଚାରିକତା ରହିଛି। ଦିଲ୍ଲୀ ନିର୍ବାଚନୀ ଉପରେ ସମସ୍ତଙ୍କ ଆଖି ରହିଥିବାବେଳେ ପୁଣି ଥରେ କେଜ୍ରିଓ୍ବାଲ ଶାସନ କ୍ଷମତାକୁ ଆସିଛନ୍ତି। ୭୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଦିଲ୍ଲୀବାସୀ ଆପ୍‌କୁ ବିଜେତା କରି  ସମଗ୍ର ଦେଶବାସୀଙ୍କୁ  ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଏକତରଫା ପ୍ରଦର୍ଶନ ସହିତ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆପ୍‌ ୬୨ଟି ଆସନରେ ଅଗ୍ରଣୀ ରହିଛି। ଚଳିତ ଦିଲ୍ଲୀ ବିଧାନସଭାରେ ବିଜେପିର ଶାହିନ୍‌ବାଗ୍‌ ରାଜନୀତିକୁ  କେଜ୍ରିଓ୍ବାଲଙ୍କ ବିକାଶ ରାଜନୀତି ମାତ୍‌ ଦେଇଛି। ନିର୍ବାଚନୀ ପ୍ରଚାରରେ ବେଶ୍‌ ଆକ୍ରମକ ପ୍ରଚାର କରିଥିବାବେଳେ ଜନତା ଏହାର ଦୃଢ ଜବାବ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ପରିଣାମ ଏହା ପ୍ରମାଣ କରିଛି ଯେ, ଜନତା ହିଁ ସର୍ବ ନିର୍ଣ୍ଣାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲୋକେ ରାଜନୀତି ନୁହେଁ ବିକାଶକୁ ନିର୍ବାଚିତ କରିଛନ୍ତି। ଆପ୍‌ ସରକାରଙ୍କ ବିକାଶମୁଖୀ ମଡେଲ୍‌କୁ ଦିଲ୍ଲୀବାସୀ ଗ୍ରହଣ କରିଛନ୍ତି। ଅପରପକ୍ଷରେ ଭାରତୀୟ ଜନତା ଦଳ ଦିଲ୍ଲୀରେ ୪୦ରୁ ଅଧିକ ଆସନ ଜିତିବା ନେଇ ଡିଣ୍ଡିମ୍‌ ପିଟୁଥିବା ବେଳେ ମାତ୍ର ୮ଟି ଆସନରେ ଅଗ୍ରଣୀ ରହିଛି। ୨୦୧୫ ନିର୍ବାଚନରେ ମାତ୍ର  ୩ଟି ଆସନ ଜିତିଥିବାବେଳେ ଚଳିତ ଥର ୮ ଟି ଆସନ ପାଇ ଦିଲ୍ଲୀବାସୀଙ୍କ ନିକଟରେ ନିଜକୁ ରଖିପାରିବାର ସାମର୍ଥ୍ୟ ସୃଷ୍ଟି କରିପାରିଛି। ଅପରପକ୍ଷରେ ଦିଲ୍ଲୀ ବିଧାନସଭାରେ କଂଗ୍ରେସର ପରାଜୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଯଦିଓ ନିର୍ବାଚନୀ ପ୍ରଚାରରେ କଂଗ୍ରେସ କୌଣସି ପ୍ରକାରର ନକାରାତ୍ମକ ପ୍ରଚାର ଅଥବା ଆକ୍ରମକ ପ୍ରଚାର କରିନଥିଲା, ତଥାପି ନିଜ ଲକ୍ଷ୍ୟ ତଥା ଭିଜନ୍‌କୁ ଦିଲ୍ଲୀବାସୀଙ୍କ ଆଗରେ ସଫଳ ରୂପେ ରଖିବାର ଫେଲ୍‌ ହୋଇଥିଲା।

ତେବେ ଦିଲ୍ଲୀ ନିର୍ବାଚନର ପରିଣାମକୁ ଦେଖିଲେ ଉଭୟ ତିନିଦଳକୁ ଆତ୍ମସମୀକ୍ଷା କରିବାର ରହିଛି। ଗତଥର ଅପେକ୍ଷାଠାରୁ ବିଜେପି କିଛି ମାତ୍ରାରେ ଉନ୍ନତି କରିଥିବାବେଳେ ଆପ୍‌କୁ ଟିକିଏ ଝଟ୍‌କା ମଧ୍ୟ ଲାଗିଛି। ଦୁଇ ଦୁଇଥର ପ୍ରବଳ ବହୁମତ ପାଇଥିବା ସତ୍ତ୍ବେ ଚଳିତ ଥର ଟିକିଏ ଝଟ୍‌କା ତା‘କୁ ଆଗାମୀ ସମୟରେ  ବଡ ଝଟ୍‌କା ଦେଇପାରେ ବୋଲି କହିବା ଅସମ୍ଭବ ନୁହେଁ। ସେହିପରି ଦିଲ୍ଲୀରେ  ଧରାଶାୟୀ ସାଜିଥିବା କଂଗ୍ରେସ ଦଳ ଭିତରେ ନିଜ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି। ସେହିପରି ବିଜେପି ଦଳ ନିଜ ଭାଷଣ ତଥା ତୁଣ୍ଡରେ ତୁଣ୍ଡି ପକାଇବାର ଆବଶ୍ୟକତା ହୋଇପଡିଛି। ଗଣତନ୍ତ୍ର ରାଷ୍ଟ୍ରରେ ହିଁ ଜନତା ନିର୍ଣ୍ଣାୟକ ଏହାକୁ ସହଜରେ ଗ୍ରହଣ କରିବା ସହିତ ନିଜ ଭାଷଣ ତଥା ବୟାନବାଜି ଉପରେ ସନ୍ତୁଳନ ରକ୍ଷା କରିବା ବିଜେପିର ଏକମାତ୍ର କାର୍ଯ୍ୟ ହେବା ଉଚିତ୍‌। ଅନ୍ୟକୁ ନୀଚ୍ଚ ଦେଖାଇ ତଥା ମିଛର ପ୍ରଚାର କରି ଯେ ବିଜୟ ଅସମ୍ଭବ, ତାହା ଏହି ନିର୍ବାଚନ ପ୍ରମାଣ କରି ଦେଖାଇଛି। (ଏଜେନ୍ସୀ)

 

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ 62 ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ଶନିବାର ଦିଲ୍ଲୀରେ ସମାପ୍ତ ହୋଇଥିବା ମତଦାନରେ 62 ପ୍ରତିଶତ ମତଦାନ ହୋଇଛି । ରବିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ନିର୍ବାଚନକୁ 22 ଘଣ୍ଟା ବିତିଯାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡାନ୍ତ ମତଦାନ ପ୍ରତିଶତ ଘୋଷଣା କରାଯାଇନଥିଲା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଶ୍ନ ଉଠାଇବାରୁ ଶେଷରେ ନିର୍ବାଚନ କମିଶନଙ୍କ ପକ୍ଷରୁ ମତଦାନ ପ୍ରତିଶତ ଘୋଷଣା କରାଯାଇଛି । ରବିବାର ସନ୍ଧ୍ୟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ 62.59 ପ୍ରତିଶତ ମତଦାନ ହୋଇଥିବା ନେଇ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, 2015 ବିଧାନସଭା ନିର୍ବାଚନରେ 67.12 ପ୍ରତିଶତ ମତଦାନ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ : ଅପରାହ୍ନ 5ଟା ସୁଦ୍ଧା 58 ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ 5ଟା ସୁଦ୍ଧା 58 ପ୍ରତିଶତ ମତଦାନ ହୋଇଛି । ଦିଲ୍ଲୀର 70ଟି ଆସନ ପାଇଁ 672ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରୁ 148 ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିଛନ୍ତି । ଅଭିନେତ୍ରୀ ତାପସୀ ପନ୍ନୁ ନିଜ ପରିବାର ସହିତ ଭୋଟ ଦେଇଛନ୍ତି । ନିଜ ପରିବାର ସହିତ ଭୋଟ ଦେଇ ଫଟୋକୁ ଟୁଇଟ୍‌ରରେ ସେୟାର କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ : ବିଏସ୍‌ପି ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଛି । ବଦରପୁର ଆସନରୁ ଲଢୁଥିବା ବିଏସ୍‌ପି ପ୍ରାର୍ଥୀ ନାରାୟଣ ଦତ୍ତ ଶର୍ମାଙ୍କୁ ଗୁରୁବାର ସକାଳୁ ଆକ୍ରମଣ କରାଯାଇଛି । ନିଜ କାର୍‌ରେ ଯାଉଥିବା ସମୟରେ ଶର୍ମାଙ୍କ ଉପରକୁ କିଛି ଅଜଣା ଆତତାୟୀ ଆକ୍ରମଣ କରିଥିଲେ । ଆକ୍ରମଣରେ 8ରୁ 10 ଜଣ ବ୍ୟକ୍ତି ସମ୍ପୃକ୍ତ ରହିଥିବା ନେଇ ଶର୍ମା ଅଭିଯୋଗ କରିଛନ୍ତି । ଏକ ମିଟିଂରୁ ଫେରୁଥିବା ବେଳେ ଶର୍ମାଙ୍କ କାର୍‌ ଉପରକୁ ଆକ୍ରମଣ କରାଯାଇଥିଲା । କାର୍‌ର କାଚ ଭାଙ୍ଗି ଯାଇ ଶର୍ମା ଗୁରୁତର ଭାବରେ ଆହତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ନରାୟଣ ଦତ୍ତ ଶର୍ମା ପୂର୍ବରୁ ଆପ୍‌ର ବିଧାୟକ ରହିଥିବା ବେଳେ ଚଳିତ ବର୍ଷ ତାଙ୍କୁ ଟିକେଟ ମିଳିନଥିଲା ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ମୋଦିଙ୍କ ନିର୍ବାଚନୀ ରାଲି : ବାଟଲା ହାଉସ୍‌ ଏନକାଉଣ୍ଟର ନେଇ ବିରୋଧୀଙ୍କୁ ସମାଲୋଚନା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଚାରି ଦିନ ପୂର୍ବରୁ ଏକ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାଲିରେ ମୋଦି ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର ନେଇ ବିରୋଧୀ ଆପ୍‌ ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ । ଭାରତ ମାତା କି ଜୟ ସ୍ଲୋଗାନ୍‌ରୁ ମୋଦି ନିଜର ଭାଷଣ ଆରମ୍ଭ କରିଥିଲେ । ଦିଲ୍ଲୀର ନିର୍ବାଚନୀ ହାଓ୍ବା ବର୍ତ୍ତମାନ ବିଜେପି ସପକ୍ଷରେ ବହୁଛି ଫେବୃୟାରୀ 8 ତାରିଖରେ ଦିଲ୍ଲୀବାସୀ ଏକତ୍ର ହୋଇ ଏକ ସରକାର ଗଠନ କରିବେ । ଦିଲ୍ଲୀ ବାସୀଙ୍କୁ ଏପରି ଏକ ସରକାର ଆବଶ୍ୟକ ଯିଏକି ଅଭିଯୋଗ କରିବା ପରିବର୍ତ୍ତେ ଦିଲ୍ଲୀକକୁ ବିକାଶ ଦିଗରେ ଆଗେଇ ନେବ । ସେହିପରି ଆପ୍‌କୁ ଆକ୍ରମଣ କରିବାକୁ ଯାଇ ମୋଦି କହିଥିଲେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାକୁ ଦିଲ୍ଲୀରେ ଆପ୍‌ ସରକାର ଲାଗୁ କରାଉ ନାହାନ୍ତି ଯାହାକି ଗ୍ରହଣଯୋଗ୍ୟ ନୁହେଁ ।

ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିବା ବ୍ୟକ୍ତି ଏବଂ ବାଟ୍‌ଲା ହାଉସ୍‌ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ପାଇଁ ଲୁହ ଝରାଉଥିବା ବ୍ୟକ୍ତି ଦିଲ୍ଲୀର ନେତୃତ୍ବ ନେବା ପାଇଁ ଉପଯୁକ୍ତ ନୁହନ୍ତି । ଏପରି ଦୃଷ୍ଟିଭଙ୍ଗୀ ରଖୁଥିବା ବ୍ୟକ୍ତିଙ୍କ ନେତୃତ୍ବରେ ଦିଲ୍ଲୀ ଆଗକୁ ବଢିପାରିବ ନାହିଁ ବୋଲି କହି କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିଥିଲେ । ସେହିପରି ସିଏଏକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭ୍ରମିତ କରାଯାଉଛି ବୋଲି ମୋଦି କହିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ବିଜେପିକୁ ଧକ୍କା : ମେଣ୍ଟ ପ୍ରସ୍ତାବକୁ ଜେଜେପିର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା । ବିଜେପି ସହିତ ନିର୍ବାଚନୀ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛି ଜନ ଜନାୟକ ପାର୍ଟି । ପୂର୍ବରୁ ଅନ୍ୟତମ ସହଯୋଗୀ ଅକାଳୀ ଦଳ ମଧ୍ୟ ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ମଙ୍ଗଳବାର ଅପରାହ୍ନରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଛନ୍ତି । ଜେଜେପି ବିଜେପିକୁ ସମର୍ଥନ କରୁଛି । ମାତ୍ର ବର୍ତ୍ତମାନ ନିର୍ବାଚନ ସମୟରେ ଦଳୀୟ ପ୍ରାର୍ଥୀ ଅନ୍ୟ ଚିହ୍ନରେ ନିର୍ବାଚନ ଲଢିଲେ ଏହା ସର୍ବସାଧାରଣରେ ଏକ ଅଲଗା ପ୍ରତିଛବି ସୃଷ୍ଟି କରିବ । ତେଣୁ ଦଳ ଚଳିତ ନିର୍ବାଚନରୁ ନିଜକୁ ଦୂରେଇ ରଖିବାର ନିଷ୍ପତ୍ତି ନେଇଛି ବୋଲି ଚୌତାଲା ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ 59 ଆସନ ହାସଲ କରିବ ଆପ୍‌ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଏକମାସ ସମୟ ରହିଥିବା ବେଳେ ନିର୍ବାଚନରେ ବିଜୟୀ ହେବା ନେଇ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି । ଆପ୍‌ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆପ୍‌ ଦଳ 59ରୁ ଅଧିକ ଆସନ ହାସଲ କରିବାକୁ ଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍‌ର 67 ବିଧାୟକ ରହିଥିବା ବେଳେ ବିଜେପିର 3 ସଦସ୍ୟ ରହିଛନ୍ତି । ମାତ୍ର 2019 ଲୋକସଭା ନିର୍ବାଚନର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା । ଲୋକସଭା ନିର୍ବାଚନ ପରେ ଆପ୍‌ ବିକାଶ ଏବଂ ବିଜେପି ହିନ୍ଦୁତ୍ବ ଆଧାରରେ ନିର୍ବାଚନ ଲଢିବାକୁ ଯାଉଛି । ତେଣୁ ଦିଲ୍ଲୀର ବିକାଶ ଆପ୍‌ର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର

ଆପ ନା ବିଜେପି, କାହା ହାତକୁ ଯିବ ଦିଲ୍ଲୀ ସରକାର? କେଜ୍ରିୱାଲ ବନାମ ଆଉ କିଏର ନିର୍ବାଚନୀ ଯୁଦ୍ଧ

କେଦାର ମିଶ୍ର

ଆଜି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖ ଦିନ ନିର୍ବାଚନ ହେବାକୁ ଥିବା ବେଳେ ଫେବ୍ରୁଆରି ୧୧ ତାରିଖରେ ଫଳ ପ୍ରକାଶ ପାଇବ। ପୂର୍ଣ୍ଣ ରାଜ୍ୟର ଦର୍ଜା ପାଇନଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଶାସନିକ ଭାବରେ ଯେତିକି ନୁହେଁ, ବରଂ ରାଜନୈତିକ ଭାବରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ୨୦୧୪ ନିର୍ବାଚନରେ ହଠାତ ଆମ ଆଦମି ପାର୍ଟିର ଅଭ୍ୟୁଦୟ ଦିଲ୍ଲୀର ରାଜନୈତିକ ସମୀକରଣକୁ ପୂରା ବଦଳାଇ ଦେଇଥିଲା। ୨୦୧୨ରେ ହୋଇଥିବା ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ ଆଦମି ପାର୍ଟି ବା ଆପ ୨୦୧୪ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତତ୍କାଳୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାରେ ସଫଳ ହେବା ସହିତ ଲୋକପ୍ରିୟତାର ଚରମ ସୀମାରେ ଥିବା ବିଜେପିକୁ ମଧ୍ୟ କ୍ଷମତାରୁ ଦୂରେଇ ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ଥର ନିର୍ବାଚନ ଲଢି ଆପ ୨୮ଟି ଆସନ ଓ ୨୯.୪୯% ଭୋଟ ହାସଲ କରିଥିଲା। ଯେ କୌଣସି ନୂଆ ଦଳ ଲାଗି ଏହା ଥିଲା ଆଶାତୀତ ସଫଳତା। କଂଗ୍ରେସ ସମର୍ଥନରେ ଆପ ନେତା ଅରବିନ୍ଦ କେଜ୍ରିୱାଲ ସରକାର ଗଢିଥିଲେ ମଧ୍ୟ ମାତ୍ର ୪୯ ଦିନରେ ତାଙ୍କ ସରକାର ଭାଙ୍ଗିଗଲା।

୨୦୧୫ ନିର୍ବାଚନର ପୃଷ୍ଠଭୂମିରେ ଆପ ଲାଗି ଅନେକ ସଙ୍କଟ ରହିଥିଲା। ସରକାର ଚଲାଇ ନ ପାରି ପଳାତକ ହେବାର ଅପବାଦ, ୨୦୧୪ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ତଥା କେନ୍ଦ୍ରରେ ନବଗଠିତ ମୋଦୀ ସରକାରର ଲୋକପ୍ରିୟତା ଭଳି ଅତ୍ୟନ୍ତ ଶକ୍ତିଶାଳୀ ଆହ୍ଵାନକୁ ମୁକାବିଲା କରିବା ଦଳ ପକ୍ଷରେ ସହଜ ନଥିଲା। ହେଲେ ୨୦୧୫ ର ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମଥର ଲାଗି ମୋଦୀଙ୍କ ନେତୃତ୍ବରେ ବିଜେପି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ୨୦୧୫ ନିର୍ବାଚନରେ ଆପକୁ ୭୦ ଆସନରୁ ୬୭ ଆସନ ଓ ୫୪.୩% ଭୋଟ ମିଳିଥିଲା। ଏହା ଥିଲା ସର୍ବକାଳୀନ ରେକର୍ଡ। ମୋଦୀ ହାୱାକୁ ପ୍ରତିହତ କରି ମାତ୍ର ବର୍ଷେ ଭିତରେ ଆପ ନିଜ ଭୋଟ ହାରକୁ ପ୍ରାୟ ଦୁଇଗୁଣ ବଢାଇବାରେ ସଫଳ ହୋଇଥିଲା।

୨୦୨୦ ନିର୍ବାଚନରେ ଆପ ସେହି ସଫଳତା ଦୋହରାଇ ପାରିବ କି? ୨୦୧୫ ଓ ୨୦୨୦ ଭିତରେ ଆପରେ ଅନେକ କିଛି ନୂଆ ପରିବର୍ତ୍ତନ ହୋଇଛି। ଜାତୀୟ ଅଭିଳାଷ ପରିତ୍ୟାଗ କରି ଦଳ ନିଜକୁ ମୁଖ୍ୟତଃ ଦିଲ୍ଲୀ କୈନ୍ଦ୍ରିକ ଦଳ ଭାବରେ ସଂଗଠିତ କରିଛି। ଦଳ ଭିତରେ ଅରବିନ୍ଦ କେଜ୍ରିୱାଲ ନିଜର ଏକାଧିପତ୍ୟ ଜାହିର କରିବା ସହିତ ଦଳର ପ୍ରାୟ ସବୁ ପ୍ରତିଷ୍ଠାତା ସଦସ୍ୟଙ୍କୁ ଦଳରୁ ବିଦା କରି ସାରିଛନ୍ତି। ଦିଲ୍ଲୀରେ ରାଜନୈତିକ ଦୃଷ୍ଟିରୁ କେନ୍ଦ୍ର ବିଜେପି ସରକାରର ସର୍ବାଧିକ ଆକ୍ରୋଶର ଶିକାର ହେବା ପରେ ମଧ୍ୟ ଆପ ନିଜକୁ ଶକ୍ତିଶାଳୀ କରିବାରେ ସଫଳ ହୋଇଛି। କେନ୍ଦ୍ର ସରକାର ବନାମ ଦିଲ୍ଲୀ ସରକାରର ଝଗଡା ଯୋଗୁଁ ଆପ ସରକାର ପ୍ରଥମ ଦୁଇ ବର୍ଷ କାମ କରିପାରି ନ ଥିଲା। ଦିଲ୍ଲୀ ଉପରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଲଢେଇରେ ସୁପ୍ରିମ କୋର୍ଟ ନିର୍ଣ୍ଣାୟକ ରାୟ ନଦେବା ଯାଏ ଆପ ସରକାର ଏକ ପ୍ରକାର ଅସହାୟ ଅବସ୍ଥାରେ ରହିଥିଲା। ଏତେ ପ୍ରବଳ ରାଜନୈତିକ ଚାପକୁ ସମ୍ଭାଳି ପାଞ୍ଚ ବର୍ଷ ଶାସନ ଚଳାଇବା କେଜ୍ରିୱାଲଙ୍କର ସବୁଠୁ ବଡ ସଫଳତା ନିଶ୍ଚୟ।

ଗତ ତିନି ବର୍ଷ ଭିତରେ ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଆପ ସରକାର ପ୍ରଶଂସନୀୟ କାର୍ୟ କରିଛନ୍ତି। ତା ସତ୍ତ୍ୱେ  ଦିଲ୍ଲୀ ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଆପ ବିଜେପିଠାରୁ ହାରିଛି। ବିଧାନସଭା ନିର୍ବାଚନରେ ବିଜେପି ଲୋକସଭା ନିର୍ବାଚନର ଫଳାଫଳକୁ ଦୋହରାଇ ପାରିବ କି? ଆପ ପାଇଁ କେଜ୍ରିୱାଲଙ୍କ ନିର୍ଣ୍ଣାୟକ ନେତୃତ୍ଵ ରହିଥିବା ବେଳେ ବିଜେପି ଆଜି ମଧ୍ୟ ନେତୃତ୍ବଶୂନ୍ୟ ଅବସ୍ଥାରେ ରହିଛି। ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି କହୁନାହିଁ। ତେଣୁ କେଜ୍ରିୱାଲ ବନାମ ଆଉ କିଏ ର ଏକ ସନ୍ଦେହ ଭୋଟରଙ୍କ ପାଖରେ ରହିଛି।

ବିଜେପି ଲାଗି କେଜ୍ରିୱାଲ ସବୁଠୁ ବଡ କଣ୍ଟା ହୋଇ ଖୋଦ ରାଜଧାନୀରେ ରହିଛନ୍ତି। ତାଙ୍କୁ ହରାଇବା ବିଜେପି ଲାଗି ଏକ ପ୍ରକାର କର ବା ମର ସ୍ଥିତି ସୃଷ୍ଟି କରିଛି। ନିକଟରେ ଅନୁଷ୍ଠିତ ମହାରାଷ୍ଟ୍ର, ହରିଆଣା ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ନିଶ୍ଚୟ ପଡିବ। ନିର୍ବାଚନ ଘୋଷଣା ହେବା ପରେ ପରେ ଏବିପି ଟିଭି ତରଫରୁ ଯେଉଁ ଜନମତ ସର୍ଭେ ହୋଇଛି ସେଥିରେ ୨୦୨୦ ରେ ଆପ ୫୯ ଆସନ ଜିତିପାରେ ବୋଲି ପୂର୍ବାନୁମାନ କରିଛି। ତେବେ ଏହି ଅନୁମାନ ସତ୍ୟ ହେବ କି?

ନିର୍ବାଚନରେ ବିଜେପି ନିଜର ସବୁ ଶକ୍ତି ଓ କ୍ଷମତା ପ୍ରୟୋଗ କରି ଆପ ପାଖରୁ କ୍ଷମତା ଛଡାଇ ଆଣିବାକୁ ଚେଷ୍ଟା କରିବ। ଆସନ୍ତା ମାସେ ପର୍ୟନ୍ତ  ଆପକୁ କେବଳ ବିଜେପି ସହିତ ଯେ ଲଢିବାକୁ ପଡିବ ତା ନୁହେଁ, ଏହାକୁ ବିଜେପିର ସମର୍ଥକ ଗଣମାଧ୍ୟମ ସହ ଲଢିବା ସବୁଠୁ ବଡ ଆହ୍ଵାନ ହେବାକୁ ଯାଉଛି। ଦିଲ୍ଲୀ ବିଜେପି ଗୁଜବ, ଅପପ୍ରଚାର ଓ ଷଡଯନ୍ତ୍ର ରଚନାରେ ଆପକୁ ଘାଏଲା କରିବ ନିଶ୍ଚୟ।

ସରକାର ଭାବରେ ସଫଳତାର ଆକଳନ  ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା କାମକୁ ନେଇ ହେବ ନା ପ୍ରଚାର ସର୍ବସ୍ଵ ରାଜନୀତି ଦ୍ଵାରା ପ୍ରଭାବିତ ହେବ, ତାହା ଦେଖିବାକୁ ପଡିବ। କିଏ ଜିତିବ ବା ହାରିବ ତାହା ତ ଫେପୃଆରି ୧୧ ରେ ଜଣାପଡିବ, ହେଲେ ଏହି ନିର୍ବାଚନକୁ ନେଇ ଉଦବେଗ ଓ ଉତ୍ତେଜନା ଆଜିଠୁ ବଳବତ୍ତର ରହିବ।

Categories
ଆଜିର ଖବର ଜାତୀୟ ଖବର

କାମ ଆଧାରରେ ଲଢାଯିବ ଦିଲ୍ଲୀ ନିର୍ବାଚନ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଫେବୃୟାରୀ 8 ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ନିର୍ବାଚନ କାମ ଆଧାରରେ ହେବାକୁ ଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ସରକାର କରିଥିବା କାମ ଆଧାରରେ ନିର୍ବାଚନ ଲଢାଯିବ ବୋଲି ସୋମବାର କେଜ୍ରିଓ୍ବାଲ କହିଛନ୍ତି । ଦିଲ୍ଲୀ ସରକାରଙ୍କ ମାଗଣା ବିଦ୍ୟୁତ, ଜଳ ଏବଂ ଶିକ୍ଷା ପ୍ରଦାନ କରାଯାଇଛି । ଏହା ବ୍ୟତିତ ମାଗଣା ଓ୍ବାଇଫାଇ, ମହିଳା ମାନଙ୍କୁ ମାଗଣା ବସ୍‌ ଏବଂ ମେଟ୍ରୋ ଯାତ୍ରା ଏବଂ ମୋହଲ୍ଲା କ୍ଲିନିକ୍‌ ପରି ସେବାର ଶୁଭାରମ୍ଭ କରାଯାଇଛି । ଏହି ସମସ୍ତ କାମ ଆଧାରରେ ଆପ୍‌ ପୁନର୍ବାର ସରକାର ଗଠନ କରିବ ବୋଲି କେଜ୍ରିଓ୍ବାଲ କହିଛନ୍ତି । (ଏଜେନ୍ସୀ)