Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ପୁଣି ଥରେ ଲାଗୁ ହେବ ଲକ୍‌ଡାଉନ୍‌ ! ଜାଣନ୍ତୁ ଏ ସମ୍ପର୍କରେ କ’ଣ କହିଲେ କେଜ୍‌ରୀଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀକୁ ପୁଣି ଫେରିବ ଲକଡାଉନ୍। କରୋନା ସଂକ୍ରମଣ ବଢୁଥିବା ଦେଖି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।ଦିଲ୍ଲୀରେ ଶୀତ ବଢ଼ିବା ସହିତ ଗତ କିଛି ଦିନ ହେଲା ସଂକ୍ରମଣର ମାତ୍ରା ଖୁବ ବଢ଼ିଯାଇଛି। ଯାହାକୁ ନେଇ ଏବେ ଦିଲ୍ଲୀ ସରକାର ପୁଣି ଚିନ୍ତାରେ ପଡ଼ିଯାଇଛି। ତେଣୁ ଦିଲ୍ଲୀରେ ଛୋଟ ଧରଣର ଲକଡାଉନ୍ ନିୟମ ପୁଣି ଜାରି ହୋଇପାରେ ବୋଲି କେଜରିୱାଲ କହିଛନ୍ତି। କେଜରୀଓ୍ବାଲ ଏଲ୍‌ଜିଙ୍କୁ ଏନେଇ ପ୍ରସ୍ତାବ ପଠାଇଛନ୍ତି ।

ଆବଶ୍ୟକତା ପଡିଲେ ଦିଲ୍ଲୀ ସରକାର ବଜାର ବନ୍ଦ ନେଇ ନିଷ୍ପତ୍ତି ନେଇପାରନ୍ତି । ଯେଉଁ ବଜାରଗୁଡିକରେ କରୋନା ନିୟମ ଶକ୍ତ ରୂପେ ପାଳନ ହେଉନାହିଁ ବା କରୋନା ହଟସ୍ପଟ୍‌ ରହିଛି ସେହି ସମସ୍ତ ବଜାରକୁ ବନ୍ଦ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।ଅପରପକ୍ଷରେ ଦିଲ୍ଲୀରେ କୋଭିଡ୍‌ କଟକଣାକୁ ଆହୁରି କଡାକଡି କରାଯାଇଛି । ପୂର୍ବରୁ ଦିଲ୍ଲୀରେ ବିବାହ କାର୍ଯ୍ୟକ୍ରମରେ 200 ଅତିଥିଙ୍କୁ ଯୋଗଦେବାକୁ ଅନୁମତି ମିଳୁଥିଲା। ହେଲେ ଏବେ ଏହାକୁ 50କୁ କମାଇ ଦିଆଯାଇଛି।

କରୋନା ସଂକ୍ରମଣର ତୃତୀୟ ଲହର ଦିଲ୍ଲୀଠାରେ ଆରମ୍ଭ ହୋଇଛି । ଦିଲ୍ଲୀରେ ଏବେ ପ୍ରତ୍ୟେକ ସପ୍ତାହରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରୁ ଏବେ ସୁଦ୍ଧା ମୋଟ 4 ଲକ୍ଷ 89 ହଜାର 202 କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଏଠାରେ 40ହଜାରରୁ ଉର୍ଦ୍ଧ୍ବ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜୁଲାଇ ସୁଦ୍ଧା 1.5 ଲକ୍ଷ ଶଯ୍ୟା ପ୍ରସ୍ତୁତ କରିବେ ଦିଲ୍ଲୀ ସରକାର : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଏକ ପ୍ରେସ କନଫରେନ୍ସ କରିଛନ୍ତି । ଏହା ସହିତ ଦିଲ୍ଲୀରେ ବାହାର ରାଜ୍ୟର ଲୋକମାନଙ୍କୁ ଚିକିତ୍ସା କରାହେବ । ପୂର୍ବରୁ ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ନିଷ୍ପତିକୁ ଉପରାଜ୍ୟପାଳ ପରିବର୍ତ୍ତନ କରିଥିଲେ । ଉପରାଜ୍ୟପାଳଙ୍କ ନିଷ୍ପତିକୁ ଆକ୍ଷରିକ ଭାବେ ଦିଲ୍ଲୀ ସରକାର ପାଳନ କରିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି । ଆସନ୍ତା ଜୁଲାଇ ସୁଦ୍ଧା ଦିଲ୍ଲୀରେ 1.5 ଲକ୍ଷ ଶଯ୍ୟା ପ୍ରସ୍ତୁତ କରିବେ ବୋଲି କେଜ୍ରିଓ୍ବାଲ ସୂଚନା ଦେଇଛନ୍ତି । ବିଭିନ୍ନ ଷ୍ଟାଡିୟମ୍‌ ଏବଂ ହୋଟେଲ୍‌କୁ ହସ୍ପିଟାଲ ଭାବରେ ବ୍ୟବହାର କରାଯିବା ନେଇ କେଜ୍ରିଓ୍ବାଲ ମତ ରଖିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶ ମୃତ ଶ୍ରମିକଙ୍କ ପାଇଁ ଶୋକ ପ୍ରକାଶ କଲେ ମୋଦି, ରାହୁଲ ଏବଂ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 24 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିଓ୍ବାଲ । ତିନି ନେତା ସୋସିଆଲ ମିଡିଆ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି । ଅଉରିଆରେ ଘଟିଥିବା ମର୍ମନ୍ତୁଦ ଘଟଣା ପାଇଁ ସେ ଦୁଃଖିତ ଏବଂ ଶୋକସନ୍ତପ୍ତ ପରିବାର ସହିତ ସରକାର ଅଛନ୍ତି ବୋଲି ମୋଦି ଟ୍ବିଟ୍‌ କରିଛନ୍ତି । ସେହପରି ରାହୁଲ ଗାନ୍ଧପୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । ଏହା ସହିତ କେଜ୍ରିଓ୍ବାଲ ପ୍ରବାସୀ ମାନଙ୍କ ଦୁଃଖ ଦୂର କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟୋକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ 50 ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ସ୍କୁଲ, ସିନେମା ହଲ୍‌ ଏବଂ ସେଲୁନ୍‌ ବନ୍ଦ କରିବା ସପକ୍ଷରେ ଦିଲ୍ଲୀବାସୀ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ :ଲକ୍‌ଡାଉନ୍‌ ଏବଂ ଦିଲ୍ଲୀରେ କରୋନା ସମସ୍ୟାକୁ ନେଇ ଏକ ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ବାସୀ ଲକ୍‌ଡାଉନ୍‌କୁ ସମର୍ଥନ କରୁଥିବା ବେଳେ ସ୍କୁଲ, ସିନେମା ହଲ୍‌ ଏବଂ ସେଲୁନ୍‌ ବନ୍ଦ କରିବା ସପକ୍ଷରେ ଅଛନ୍ତିନ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ଦିଲ୍ଳୀର ଦୋକାନ ବଜାର ଖୋଲିବା ନିମନ୍ତେ ପ୍ରାୟ 5 ଲକ୍ଷ ଅନୁରୋଧ ଆସିଛି । ଏହାକୁ ବିଚାର କରାଯାଉଛି ଏବଂ ଆଗାମୀ ଦିନରେ ଦିଲ୍ଲୀରେ ଅଡ୍‌ ଇଭିନ୍‌ ପ୍ରକ୍ରିୟାରେ ଦୋକାନ ଖୋଲାଯିବ । ବାହାରର ଦୋକାନ ଖୋଲିବା ଉପରେ କୌଣସି ପ୍ରତିବନ୍ଧକ ନଥିବା ବେଳେ ସପିଂମଲ୍‌ ଏବଂ ମାର୍କଟ୍‌ କମ୍ପ୍ଲେକ୍ସ ପାଇଁ ଏହି ଅଡ୍‌ ଇଭିନ୍‌ ବ୍ୟବସ୍ଥା ଲାଗୁ କରିବାର ବିଚାର କରାଯାଉଛି ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନାରେ ମୃତ ଶିକ୍ଷୟିତ୍ରୀଙ୍କୁ ଦିଲ୍ଲୀ ସରକାରଙ୍କ 1 କୋଟିର ସହାୟତା ରାଶି

ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଦିଲ୍ଳୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ଦିନ ଏହି ଘୋଷଣା କରିଛନ୍ତି । ଦିଲ୍ଲୀ ମହାନଗର ନିଗମ ସହିତ କାର୍ଯ୍ୟ କରୁଥିବା ଏହି ଶିକ୍ଷୟିତ୍ରୀ ଜଣକ କରୋନାରେ ଖାଦ୍ୟ ବଣ୍ଟନ କରୁଥିବା ସମୟରେ ପ୍ରାଣ ହରାଇଥିଲେ । ଖାଦ୍ୟ ବିତରଣ କରୁଥିବା ଏହି ଠିକା ଶିକ୍ଷୟିତ୍ରୀ ଜଣକ ମେ 2 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେ 4 ତାରିଖରେ ପ୍ରାଣ ହରାଇଥିଲେ । ଅର୍ଥ ଯଦିଓ ଜୀବନ ଠାରୁ ମୂଲ୍ୟବାନ ନୁହେଁ ତଥାପି କରୋନା ଯୋଦ୍ଧାଙ୍କମ ସମ୍ମାନରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଘରୋଇ ବିଦ୍ୟାଳୟଗୁଡିକ ପାଇଁ ନିର୍ଦ୍ଦେଶ ଜାରି କଲେ କେଜରୀଓ୍ବାଲ ସରକାର 

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ଦେଶରେ ଲକ୍‌ ଡାଉନ୍‌ ଜାରି କରାଯାଇଛି । ସ୍କୁଲ ବନ୍ଦ ରହିଛି । ପିଲାମାନେ ସ୍କୁଲକୁ ଯାଉନଥିବାବେଳେ ସ୍କୁଲ ତରଫରୁ ସ୍କୁଲ ଫିସ୍‌ ପାଇଁ ଚାପ ପଡୁଛି । ସେହିପରି ଲକ୍‌ ଡାଉନ୍‌ ଯୋଗୁଁ କିଛି ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦରମା ମଧ୍ୟ ମିଳୁନାହିଁ । ଏହି ସମସ୍ତ ଅସୁବିଧାକୁ ଲକ୍ଷ୍ୟ ରଖି ଦିଲ୍ଲୀ ସରକାର ସ୍କୁଲ ପି’, ଫ୍ରାଇଭେଟ୍‌ ସ୍କୁଲ, ଅନ୍‌ଲାଇନ୍‌ ଫି’, ସ୍କୁଲ କର୍ମଚାରୀଙ୍କ ଦରମାଙ୍କୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ।

ଦିଲ୍ଲୀ ସରକାର ପ୍ରାଇଭେଟ୍‌ ସ୍କୁଲ ଗୁଡିକୁ ସ୍କୁଲ ଫି’ ବଢାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ସରକାର ନିଷ୍ପତ୍ତି ନେଇଛନ୍ତି ଯେ, କୌଣସି ଘରୋଇ ବିଦ୍ୟାଳୟ (ଯଦି ଏହା ସରକାରୀ ଜମି ଉପରେ ନିର୍ମିତ ହେଉଥାଉ କିମ୍ବା ବେସରକାରୀ ଜମିରେ) ସ୍କୁଲ ଫି’ରେ ବଢାଇପାରିବେ ନାହିଁ । ସରକାରଙ୍କ ବିନା ଅନୁମତିରେ ସ୍କୁଲ ଦରମା ବଢାଯାଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

ସେହିପରି ଘରୋଇ ବିଦ୍ୟାଳୟଗୁଡିକ ନିଜର ସମସ୍ତ ଶିକ୍ଷକ, ଅଣ ଶିକ୍ଷକ, କଣ୍ଟ୍ରାକ୍ଟ ତଥା ଅନ୍ୟାନ୍ୟ କର୍ମଚାରୀଙ୍କୁ ଦରମା ଠିକ୍‌ ସମୟରେ ଦେବେ । କରୋନା ସଂକଟ ସମୟରେ ନିଜ ଦାୟିତ୍ବକୁ ବୁଝିବେ ।

ଦିଲ୍ଲୀ ର ଘରୋଇ ସ୍କୁଲ  ପିଲାମାନଙ୍କଠୁ ଏକା ସାଙ୍ଗରେ ତିନି ମାସର ଫି’ ନେଇପାରିବେ ନାହିଁ ।

ଘରୋଇ ବିଦ୍ୟାଳୟଗୁଡିକ କେବଳ ଏକ ମାସର ଟ୍ୟୁସନ୍‌ ଫି’ ନେଇ ପାରିବେ, ଏହା ବ୍ୟତୀତ ଅନ୍ୟ କୌଣସି ପ୍ରକାରର ଫି’ ଆଦାୟ କରିବେ ନାହିଁ ।

ଯଦି କେହି ଛାତ୍ର ଟ୍ୟୁସନ୍‌ ଫି’ ଦେଇପାରିନାହିଁ, ସେହି ପରିସ୍ଥିତିରେ ତାକୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବାହାର କରାଯାଇପାରିବ ନାହିଁ ।

ସ୍କୁଲ ବନ୍ଦ ରହିଛି । ଏଥିପାଇଁ ଘରୋଇ ବିଦ୍ୟାଳୟଗୁଡିକ ପରିବହନ ଶୁଳ୍କ ଆଦାୟ କରିପାରିବେ ନାହିଁ । ଯଦି ଏପରି କିଛି କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Categories
ଆଜିର ଖବର ଜାତୀୟ ଖବର

ନିହତ ଆଇବି ଅଫିସରଙ୍କ ପରିବାରକୁ 1 କୋଟିର ସହାୟତା ରାଶି

ନୂଆଦିଲ୍ଲୀ : ନିହତ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଦିନ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମା ପ୍ରାଣ ହରାଇଥିଲେ । ସୋମବାର କେଜ୍ରିଓ୍ବାଲ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହିତ ପରିବାରର ଜଣଙ୍କୁ ସରକାରୀ ଚାକିରିର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ 26 ତାରିଖରେ ଦିଲ୍ଲୀର ଚାନ୍ଦ ବାଗରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ ପୀଡିତଙ୍କ ପାଇଁ କେଜ୍ରିଓ୍ବାଲଙ୍କ ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ପୀଡିତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଶୁକ୍ରବାର ସନ୍ଧ୍ୟାରେ କେଜ୍ରିଓ୍ବାଲ ଏହି ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି । ହିଂସାକାଣ୍ଡରେ ଜଳାପୋଡା ହୋଇଥିବା ବେଳେ ଜଳିଯାଇଥିବା ଘର ଗୁଡିକ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଜଳି ଯାଇଥିବା ପ୍ରତି ଘର ପାଇଁ 25 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 42 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 200 ଜଣ ଆହତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡକୁ ନେଇ କେଜ୍ରିଓ୍ବାଲଙ୍କୁ ଗମ୍ଭୀରଙ୍କ ସମାଲୋଚନା

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କ ଘର ଛାତ ଉପରୁ ପେଟ୍ରୋଲ୍‌ ବମ୍‌ ଏବଂ ଅନ୍ୟାନ୍ୟ ହତିଆର ଜବତ ହେବା ପରେ ଏହାକୁ ନେଇ ଗମ୍ଭୀର କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ଗୁଇନ୍ଦା ବିଭାଗର ଜନୈକ ଅଧିକାରୀ ଅଙ୍କିତଙ୍କ ହତ୍ୟା ପାଇଁ ଆପ୍‌କୁ ଦାୟୀ କରିବା ସହିତ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଥିଲେ । ହୁସେନ୍‌ଙ୍କ 5 ମହଲା କୋଠା ଉପରୁ ପଥର ଏବଂ ପେଟ୍ରୋଲ ବୋମା ଫିଙ୍ଗାଯାଇଥିବା ନେଇ ଅଙ୍କିତଙ୍କ ପଡୋଶୀ ସୂଚନା ପ୍ରଦାନ କରିଥିଲେ । ଅଙ୍କିତ କୁମାରଙ୍କ ହତ୍ୟାରେ ଯଦି ଆପ୍‌ ନେତା ସମ୍ପୃକ୍ତ ଥାନ୍ତି ତେବେ ସାଧାରଣ ଜନତା, ଆଇନ ଏବଂ ଭଗବାନ ତାଙ୍କୁ କେବେବି କ୍ଷମା କରିବେ ନାହିଁ ବୋଲି ଗମ୍ଭୀର ଟ୍ବିଟ୍‌ କରିଥିଲେ । ଏହାପରେ ଅନ୍ୟ ଏକ ଟ୍ବିଟ୍‌ରେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ୍‌ କରିଥିଲେ ଗମ୍ଭୀର । କେଜ୍ରିଓ୍ବାଲ ଜୀ ଆପଣଙ୍କ ନୀରବତା ଦିଲ୍ଲୀ ପାଇଁ କ୍ଷତିକାରକ ବୋଲି ଟ୍ବିଟ୍‌ କରିଥିଲେ । ଏହାପରେ କେଜ୍ରିଓ୍ବାଲ ଏକ ପ୍ରେସ୍‌ମିଟ୍‌ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଥିଲେ । ଯଦି ଅଭିଯୁକ୍ତ ଜଣକ ଆପ୍‌ର ହୋଇଥାନ୍ତି ତେବେ ତାଙ୍କୁ ଦୁଇଗୁଣ କଠୋର ଦଣ୍ଡବିଧାନ କରାଯିବ ବୋଲି କେଜ୍ରିଓ୍ବାଲ କହିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଫେବୃୟାରୀ 16 ତାରିଖରେ ରାମଲୀଲା ମୈଦାନରେ ଶପଥ ଗ୍ରହଣ କରିବେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆସନ୍ତା ଫେବୃୟାରୀ 16 ତାରିଖରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ପୂର୍ବ ଦୁଇଥର ଭଳି କେଜ୍ରିଓ୍ବାଲ ରମଲୀଲା ମୈଦାନରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ଏକପାଖିଆ ଭାବରେ 62 ଆସନରେ ବିଜୟୀ ହୋଇଥିଲା । ଉପ ରାଜ୍ୟପାଳ ଅନୀଲ ବୈଜଲଙ୍କୁ ଭେଟିବା ସହିତ ଆଜି ବିଧାୟକ ଦଳର ସଦସ୍ୟଙ୍କୁ ଭେଟିବାକୁ ଯାଉଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

ଦିଲ୍ଲୀ ନିର୍ବାଚନ – ଘୃଣା ଓ ବିଭାଜନର ରାଜନୀତି ଗାଲରେ ଦିଲ୍ଲୀର ଜନମତ ଏକ ସଶକ୍ତ ଚାପୁଡା

କେଦାର ମିଶ୍ର

ଦିଲ୍ଲୀ ନିର୍ବାଚନର ଫଳ ପ୍ରକାଶ ପାଇଲା ପରେ ଯେଉଁ ଗୀତର ଧାଡିଟି ଆମର ମନେ ପଡୁଥିଲା ସେଇଟା ହେଉଛି- ସମଝନେ ୱାଲେ ସମଝ ଗୟେ ହୈ ଜୋ ନା ସମଝେ ୱୋ ଅନାଡି ହୈ”। ଏ ଗୀତଟି ଆଉ କିଏ ଶୁଣୁ ବା ନ ଶୁଣୁ, ବିଜେପିର ଦୁଇ ସର୍ବୋଚ୍ଚ ନେତା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଶୁଣିବା ଜରୁରୀ। ଦିଲ୍ଲୀ ବିଧାନସଭା  ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯେଉଁ ପ୍ରକାର ନେତୃତ୍ବର ଉଦାହରଣ ପ୍ରସ୍ତୁତ କରିଥିଲେ, ତାହା ଏ ଦେଶର ଗଣତନ୍ତ୍ର ଲାଗି ଏକପ୍ରକାର ମରଣାନ୍ତକ ଆକ୍ରମଣ ଥିଲା। ବିଜେପି ହାରିବା ଏ ନିର୍ବାଚନରେ ଦେଶ ପାଇଁ ଜରୁରୀ ଥିଲା। ହେଲେ ବିଜେପିର ଏ ପ୍ରକାର ଲଜ୍ଜାଜନକ ପରାଜୟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ଅପରିହାର୍ୟ ଥିଲା।

ପ୍ରଥମଥର ଲାଗି ନିର୍ବାଚନ ଜିତିବା ଲାଗି ଖୋଲାଖୋଲି ହିଂସା ଓ ଗୁଣ୍ଡାମିର ପ୍ରୟୋଗ କରିଥିଲା। ସରକାରକୁ ବିରୋଧ କରୁଥିବା ଛାତ୍ରଛାତ୍ରୀ, ସାଧାରଣ ନାଗରିକ ଓ ସଂଖ୍ୟାଲଘୁଙ୍କ ଉପରେ ବିଜେପିର ଉଗ୍ର ଆକ୍ରମଣ ଅତି ଭୟଙ୍କର ସ୍ତରରେ ପହଞ୍ଚି ଯାଇଥିଲା। ଜାମିଆ ମିଲିଆ ଓ ଆଲିଗଡ ମୁସ୍ଲିମ ବିଶ୍ଵ ବିଦ୍ୟାଳୟରେ ପୋଲିସ ହିଂସା, ଜବାହାରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ମୁଖାଧାରୀ ଗୁଣ୍ଡାମାନଙ୍କର ଆକ୍ରମଣ, ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ କରୁଥିବା ଲୋକଙ୍କ ବିରୋଧରେ ପ୍ରବଳ ଦମନ ଏବଂ ୨୫ ରୁ ଅଧିକ ଲୋକଙ୍କ ଗୁଳିକାଣ୍ଡରେ ହତ୍ୟା ଭଳି ଘଟଣାର ପୃଷ୍ଠଭୂମିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା । ସେହି ପୃଷ୍ଠଭୂମିରେ ଦିଲ୍ଲୀ ନିର୍ବାଚନର ଭାଷା ସବୁଠୁ ହିଂସ୍ର ଓ ନିକୃଷ୍ଟ ରହିଥିଲା। ଦୁର୍ଭାଗ୍ୟକ୍ରମେ ଏହି ରାଜନୀତିର ଅଧିନାୟକ ଖୋଦ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଥିଲେ।

ବିଜେପି ପାଇଁ ଦିଲ୍ଲୀ ନିର୍ବାଚନ ଜିତିବା ଅପେକ୍ଷା ଏକ ସମ୍ମାନଜନକ ପରାଜୟର ଆବଶ୍ୟକତା ରହିଥିଲା। ପୁରା ଦମରେ ନିର୍ବାଚନ ଲଢିବା ପରେ ଏବଂ ନିଜେ ଅମିତ ଶାହ ଦିଲ୍ଲୀ ପ୍ରଚାରର ମଙ୍ଗ ସମ୍ଭାଳିବା ପରେ ମଧ୍ୟ ବିଜେପି ମାତ୍ର ୭ ଟି ଆସନ ପାଇବା ଦଳ ଲାଗି ଅପମାନଜନକ ଅନୁଭବ ନିଶ୍ଚୟ। ଲୋକେ ବିଜେପିକୁ ଏ ପ୍ରକାର ଅପମାନିତ କରିବାର କାରଣ କଣ? ଏହାର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ। ବିଜେପି ନିଜର ବିରୋଧୀଙ୍କୁ ଅପମାନିତ କରିବା, ସେମାନଙ୍କୁ ଦେଶଦ୍ରୋହୀ କହିବା ଓ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପ୍ରତି ଉପହାସ କରିବାକୁ ନିଜର ବଡପଣ ବୋଲି ଭାବିଥାଏ। ଏ ପ୍ରକାର ରାଜନୀତିରୁ ଅତୀତରେ ବିଜେପିକୁ ଲାଭ ମଧ୍ୟ ମିଳିଛି। ତେବେ ଏ ପ୍ରକାର ରାଜନୀତି ଦୀର୍ଘ ସମୟ ଯାଏଁ ଚାଲିପାରେନା। ଲୋକେ ନକାରାତ୍ମକ ରାଜନୀତିରେ ଅତିଷ୍ଠ ହେବା ଆରମ୍ଭ କରିଛନ୍ତି। ଗତ ଚାରୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନରୁ ଗୋଟେ କଥା ସ୍ପଷ୍ଟ ଯେ, ଅନ୍ୟକୁ ଅପମାନିତ କରିବା ଓ ଦେଶଦ୍ରୋହୀ କହିବାର ରାଜନୀତି ଆଉ କାମ କରୁନାହିଁ।

ଦିଲ୍ଲୀ ରେ ଅଦ୍ଭୁତ ରାଜନୈତିକ ଘୃଣା ଓ ହିଂସାର ବାତାବରଣ ଗତ ମାସେ ଧରି ରହିଥିଲା। ବିଜେପି ର ନିର୍ବାଚନୀ ପ୍ରଚାରରେ ଯେଉଁ କେତୋଟି ଶବ୍ଦ ବିଶେଷ ପ୍ରୟୋଗ ହୋଇଥିଲା, ସେସବୁ ହେଲା- ହିନ୍ଦୁ-ମୁସଲମାନ, ପାକିସ୍ତାନ, ଗୋଲି ମାରୋ, ଶାହିନ ବାଗ, ମନ୍ଦିର-ମସଜିଦ, ବିରିଆନୀ ଇତ୍ୟାଦି ଇତ୍ୟାଦି। କେବଳ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ମାନସିକ ଆକ୍ରମଣ କରି ନିର୍ବାଚନ ଜିତିହେବ ବୋଲି ବିଜେପି ଭାବୁଛି। ତେବେ ଏ ପ୍ରକାର ରାଜନୀତି ଏବେ ନିରନ୍ତର ଲୋକଙ୍କ ଦ୍ଵାରା ଖାରଜ ହେଉଛି, ଏକଥା ବିଜେପି ବୁଝିବା ଦରକାର। ବିଜେପି ନେତା ଓ କର୍ମକର୍ତ୍ତାଙ୍କ ମନରେ ଗୋଟେ ଭାବନା ରହିଛି ଯେ, ସଂଖ୍ୟାଧିକ ହିନ୍ଦୁ ବିଜେପିର ହିନ୍ଦୁତ୍ଵ ନୀତିକୁ ସମର୍ଥନ କରିବେ। ବାସ୍ତବରେ କୌଣସି ସଚେତନ ନାଗରିକ ଧର୍ମ ଆଧାରରେ ନିଜର ରାଜନୀତି କୁ ଦେଖିବ ନାହିଁ। ଯେଉଁ ମଧ୍ୟବିତ୍ତ ଜନତା ଏକଦା ବିଜେପିକୁ ବିକାଶର ରାଜନୀତି ପାଇଁ ସମର୍ଥନ କରୁଥିଲେ ସେମାନେ ଏବେ ବିଜେପିର ଉଗ୍ର ରାଜନୀତିରେ ଆହତ ହେବା ସ୍ଵାଭାବିକ।

ବିଜେପି ନିଜର ଘୃଣା ତଥା ଆକ୍ରାମକ ରାଜନୀତିର ନୂଆ ପୋଷ୍ଟର ବୟ ଭାବରେ ଅମିତ ଶାହ ଓ ଆଦିତ୍ୟନାଥଙ୍କର ପ୍ରୟୋଗ କରିବାକୁ ଚେଷ୍ଟା କରୁଛି। ଆଦିତ୍ୟନାଥ ନିଜର ଘୃଣା ଓ ବିଭାଜନକାରୀ ରାଜନୀତିକୁ ଆଦିତ୍ୟନାଥ ଅନ୍ୟ ରାଜ୍ୟରେ ପ୍ରଚାର କରିବାକୁ ଅବଶ୍ୟ ଚେଷ୍ଟା କରୁଛନ୍ତି। ହେଲେ ସେ ଯେଉଁଠି ପ୍ରଚାର କରୁଛନ୍ତି, ବିଜେପି ସେଠାରେ ପରାଜିତ ହେଉଛି। ଏହା ବିଜେପିକୁ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ଦେବା ଉଚିତ।

ବିଜେପିର ରାଜନୀତିରେ ଘୃଣା ଓ ହିଂସାର ବିଷାକ୍ତ ସମନ୍ଵୟ ତାଙ୍କର କେତେ ଲାଭ କ୍ଷତି କରିବ, ତାହା ଭିନ୍ନ କଥା। ହେଲେ ଏହି ରାଜନୀତି ଆମର ସାମାଜିକ ଜୀବନକୁ ବିଭକ୍ତ କରି ଚାଲିଛି। ଦିଲ୍ଲୀର ଜନମତ ଏ ପ୍ରକାର ବିଷାକ୍ତ ରାଜନୀତି ଗାଲରେ ଏକ ଶକ୍ତିଶାଳୀ ଚାପୁଡା। ତେବେ ବିଜେପି ଏହାକୁ ବୁଝୁଛି ତ!!

Categories
ଜାତୀୟ ଖବର ବିଶେଷ ଖବର

ଝାଡୁ ସାମ୍ନାରେ ଫିକା ପଡିଲା ପଦ୍ମ: ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ହ୍ୟାଟ୍ରିକ୍‌

ସମୀକ୍ଷା ବ୍ୟୁରୋ
ଦିଲ୍ଲୀରେ ପୁଣି ବହୁମତ ପାଇ ତୃତୀୟ ଥର ପାଇଁ ଆପ୍‌ ଶାସନ କ୍ଷମତା ଦଖଲ କରିବା ସ୍ପଷ୍ଟ ହୋଇଛି। ବିଜେପିର ଶାହିନ୍‌ବାଗ୍‌ ପ୍ରସଙ୍ଗକୁ ପଛରେ ପକାଇଛି ଆପ୍‌ର ବିକାଶ ପ୍ରସଙ୍ଗ। ଆପ୍‌ ୬୨ ଟି ଆସନରେ ଆଗୁଆ ରହିଥିବା ବେଳେ ବର୍ତ୍ତମାନ ସରକାର ଗଠନ କରିବା କେବଳ ଔପଚାରିକତା ରହିଛି। ଦିଲ୍ଲୀ ନିର୍ବାଚନୀ ଉପରେ ସମସ୍ତଙ୍କ ଆଖି ରହିଥିବାବେଳେ ପୁଣି ଥରେ କେଜ୍ରିଓ୍ବାଲ ଶାସନ କ୍ଷମତାକୁ ଆସିଛନ୍ତି। ୭୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଦିଲ୍ଲୀବାସୀ ଆପ୍‌କୁ ବିଜେତା କରି  ସମଗ୍ର ଦେଶବାସୀଙ୍କୁ  ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଏକତରଫା ପ୍ରଦର୍ଶନ ସହିତ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆପ୍‌ ୬୨ଟି ଆସନରେ ଅଗ୍ରଣୀ ରହିଛି। ଚଳିତ ଦିଲ୍ଲୀ ବିଧାନସଭାରେ ବିଜେପିର ଶାହିନ୍‌ବାଗ୍‌ ରାଜନୀତିକୁ  କେଜ୍ରିଓ୍ବାଲଙ୍କ ବିକାଶ ରାଜନୀତି ମାତ୍‌ ଦେଇଛି। ନିର୍ବାଚନୀ ପ୍ରଚାରରେ ବେଶ୍‌ ଆକ୍ରମକ ପ୍ରଚାର କରିଥିବାବେଳେ ଜନତା ଏହାର ଦୃଢ ଜବାବ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ପରିଣାମ ଏହା ପ୍ରମାଣ କରିଛି ଯେ, ଜନତା ହିଁ ସର୍ବ ନିର୍ଣ୍ଣାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲୋକେ ରାଜନୀତି ନୁହେଁ ବିକାଶକୁ ନିର୍ବାଚିତ କରିଛନ୍ତି। ଆପ୍‌ ସରକାରଙ୍କ ବିକାଶମୁଖୀ ମଡେଲ୍‌କୁ ଦିଲ୍ଲୀବାସୀ ଗ୍ରହଣ କରିଛନ୍ତି। ଅପରପକ୍ଷରେ ଭାରତୀୟ ଜନତା ଦଳ ଦିଲ୍ଲୀରେ ୪୦ରୁ ଅଧିକ ଆସନ ଜିତିବା ନେଇ ଡିଣ୍ଡିମ୍‌ ପିଟୁଥିବା ବେଳେ ମାତ୍ର ୮ଟି ଆସନରେ ଅଗ୍ରଣୀ ରହିଛି। ୨୦୧୫ ନିର୍ବାଚନରେ ମାତ୍ର  ୩ଟି ଆସନ ଜିତିଥିବାବେଳେ ଚଳିତ ଥର ୮ ଟି ଆସନ ପାଇ ଦିଲ୍ଲୀବାସୀଙ୍କ ନିକଟରେ ନିଜକୁ ରଖିପାରିବାର ସାମର୍ଥ୍ୟ ସୃଷ୍ଟି କରିପାରିଛି। ଅପରପକ୍ଷରେ ଦିଲ୍ଲୀ ବିଧାନସଭାରେ କଂଗ୍ରେସର ପରାଜୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଯଦିଓ ନିର୍ବାଚନୀ ପ୍ରଚାରରେ କଂଗ୍ରେସ କୌଣସି ପ୍ରକାରର ନକାରାତ୍ମକ ପ୍ରଚାର ଅଥବା ଆକ୍ରମକ ପ୍ରଚାର କରିନଥିଲା, ତଥାପି ନିଜ ଲକ୍ଷ୍ୟ ତଥା ଭିଜନ୍‌କୁ ଦିଲ୍ଲୀବାସୀଙ୍କ ଆଗରେ ସଫଳ ରୂପେ ରଖିବାର ଫେଲ୍‌ ହୋଇଥିଲା।

ତେବେ ଦିଲ୍ଲୀ ନିର୍ବାଚନର ପରିଣାମକୁ ଦେଖିଲେ ଉଭୟ ତିନିଦଳକୁ ଆତ୍ମସମୀକ୍ଷା କରିବାର ରହିଛି। ଗତଥର ଅପେକ୍ଷାଠାରୁ ବିଜେପି କିଛି ମାତ୍ରାରେ ଉନ୍ନତି କରିଥିବାବେଳେ ଆପ୍‌କୁ ଟିକିଏ ଝଟ୍‌କା ମଧ୍ୟ ଲାଗିଛି। ଦୁଇ ଦୁଇଥର ପ୍ରବଳ ବହୁମତ ପାଇଥିବା ସତ୍ତ୍ବେ ଚଳିତ ଥର ଟିକିଏ ଝଟ୍‌କା ତା‘କୁ ଆଗାମୀ ସମୟରେ  ବଡ ଝଟ୍‌କା ଦେଇପାରେ ବୋଲି କହିବା ଅସମ୍ଭବ ନୁହେଁ। ସେହିପରି ଦିଲ୍ଲୀରେ  ଧରାଶାୟୀ ସାଜିଥିବା କଂଗ୍ରେସ ଦଳ ଭିତରେ ନିଜ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି। ସେହିପରି ବିଜେପି ଦଳ ନିଜ ଭାଷଣ ତଥା ତୁଣ୍ଡରେ ତୁଣ୍ଡି ପକାଇବାର ଆବଶ୍ୟକତା ହୋଇପଡିଛି। ଗଣତନ୍ତ୍ର ରାଷ୍ଟ୍ରରେ ହିଁ ଜନତା ନିର୍ଣ୍ଣାୟକ ଏହାକୁ ସହଜରେ ଗ୍ରହଣ କରିବା ସହିତ ନିଜ ଭାଷଣ ତଥା ବୟାନବାଜି ଉପରେ ସନ୍ତୁଳନ ରକ୍ଷା କରିବା ବିଜେପିର ଏକମାତ୍ର କାର୍ଯ୍ୟ ହେବା ଉଚିତ୍‌। ଅନ୍ୟକୁ ନୀଚ୍ଚ ଦେଖାଇ ତଥା ମିଛର ପ୍ରଚାର କରି ଯେ ବିଜୟ ଅସମ୍ଭବ, ତାହା ଏହି ନିର୍ବାଚନ ପ୍ରମାଣ କରି ଦେଖାଇଛି। (ଏଜେନ୍ସୀ)

 

Categories
ଆଜିର ଖବର ଜାତୀୟ ଖବର

ମନ୍‌ କି ବାତ୍‌କୁ ପଛରେ ପକାଇଲା ଜନ୍‌ କୀ ବାତ୍‌ : ଉଦ୍ଧବ ଠାକ୍‌ରେ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । କେଜ୍ରିଓ୍ବାଲଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ମନ୍‌ କୀ ବାତ୍‌କୁ ଜନ୍‌ କୀ ବାତ୍‌ ପଛରେ ପକାଇ ଦେଇଛି ବୋଲି ଉଦ୍ଧବ ପ୍ରକାଶ ଦେଇଛନ୍ତି । ମନ୍‌ କୀ ବାତ୍‌ ଦେଶରେ ଏହାର ଲୋକପ୍ରିୟତା ହରାଇ ସାରିଛି ଏବଂ କେଜ୍ରିଓ୍ବାଲଙ୍କ ଜନ୍‌ କୀ ବାତକୁ ଲୋକ ଗ୍ରହଣ କରିଛନ୍ତି ବୋଲି ଉଦ୍ଧବ ପ୍ରକାଶ କରିଛନ୍ତି । ବିଜେପି ଦେଶରେ ବିଭାଜନର ରାଜନୀତି କରୁଥିବା ବେଳେ ଜନତା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପିର ପୂର୍ବତନ ସହଯୋଗୀ ରହିଥିବା ଶିବସେନା ଆପ୍‌ ଏବଂ କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜନ୍ମଦିନରେ ପତ୍ନୀଙ୍କୁ ବିଜୟ ଉପହାର ଦେଲେ ଏହି ନେତା!

ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିଓ୍ବାଲଙ୍କ ରାଜନୈତିକ ଦଳ ଆମ୍‌ ଆଦ୍‌ମୀ ପାର୍ଟି ବହୁମତ ହାସଲ କରି ବିଜୟୀ ହେବାକୁ ଯାଉଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପତ୍ନୀଙ୍କୁ ଏକ ଉପହାର ଦେଇଛନ୍ତି । ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ଜନ୍ମଦିନରେ ଆପ୍‌ ବିଜୟୀ ହେବା ସହିତ ନିଜେ କେଜ୍ରିଓ୍ବାଲ ମଧ୍ୟ ବିଜୟୀ ହୋଇ ଉପହାର ଦେଇଛନ୍ତି । ବିଜୟ ଖବର ସ୍ପଷ୍ଟ ହେବା ପରେ କେଜ୍ରିଓ୍ବାଲ ଦମ୍ପତ୍ତି ପରସ୍ପରକୁ କେକ୍‌ ଖୁଆଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମଙ୍ଗଳବାର ସୁନୀତା କେଜ୍ରିଓ୍ବାଲ 54 ବର୍ଷରେ ପଦାର୍ପଣ କରିଛନ୍ତି । ବିଭିନ୍ନ ଆପ୍‌ କର୍ମୀ ଏବଂ ଟ୍ବିଟ୍ଟର ବ୍ୟବହାରକାରୀ ଟ୍ବିଟ୍‌ କରି କେଜ୍ରିଓ୍ବାଲ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଜେପିକୁ ରାମ ମଧ୍ୟ ବଞ୍ଚେଇ ପାରିବେ ନାହିଁ : ସଞ୍ଜୟ ସିଂ

ନୂଆଦିଲ୍ଳୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେପି ଏବଂ ଆପକ୍‌ ନେତା ପରସ୍ପର ବିରୋଧରେ ମତ ଦେଇଛନ୍ତି । ଦିଲ୍ଲୀରେ ବିଜେପିକୁ ଭଗବାନ ରାମ ମଧ୍ୟ ବଞ୍ଚାଇ ପାରିବେ ନାହିଁ ବୋଲି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । ଶନିବାର ସକାଳୁ ପ୍ରଥମେ ମନୋଜ ତିଓ୍ବାରୀ କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିବା ପରେ ସଞ୍ଜୟ ସିଂ ଏହି ମତ ଦେଇଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅସ୍ପୃଶ୍ୟ ବୋଲି ଅଭିହିତ କରିବା ଏକ ଭୁଲ୍‌ ଜିନିଷ ବୋଲି ସିଂ କହିଛନ୍ତି । ଏହାଠାରୁ ଅଧିକ ତଳସ୍ତରର ରାଜନୀତି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ସଞ୍ଜୟ ସିଂ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଶାହିନବାଗ ଗୁଳିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଶାହିନବାଗ ଗୁଳିକାଣ୍ଡକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଆପ୍‌ର କୌଣସି ସମ୍ପର୍କ ନାହିଁ ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ଦିଲ୍ଲୀ ପୋଲିସ୍‌ ବିଜେପିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛି ଏବଂ ବିଜେପିକୁ ରାଜନୈତିକ ଫାଇଦା ପାଇଁ ଏପରି ଘୋଷଣା କରିଛି ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ଯଦି କପିଲ୍‌ଙ୍କ ସହିତ ଆପ୍‌ର କୌଣସି ସମ୍ପର୍କ ଥାଏ ତେବେ ନିଶ୍ଚିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍‌ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଆପ୍‌ ସହିତ ଯୁବକଙ୍କ ସମ୍ପର୍କକୁ ଯୁବକଙ୍କ ପରିବାର ପକ୍ଷରୁ ମଧ୍ୟ ଅସ୍ବୀକାର କରାଯାଇଛି । 2012 ପର୍ଯ୍ୟନ୍ତ ସେ ବିଏସ୍‌ପି ସହିତ ଥିଲେ ଏବଂ 2012 ପରଠାରୁ ରାଜନୀତି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କପିଲଙ୍କ ପିତା କହିଛନ୍ତି । କ୍ରାଇମବ୍ରାଞ୍ଚ ଡିସିପି ରାଜେଶ ଦେଓ ଏହି ସୂଚନା ପ୍ରଦାନ କରିଥିବାରୁ ବିଜେପି ପ୍ରରୋଚନା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ରେ ଦିଲ୍ଲୀକୁ ଗୁରୁତ୍ବ ଦିଆଯାଇନାହିଁ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍‌ରେ ଦିଲ୍ଲୀକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀକୁ ବିଜେପି ପକ୍ଷରୁ ଗୁରୁତ୍ବ ଦିଆଯାଇନାହିଁ । ଦିଲ୍ଲୀ ବାସୀ ବଜେଟ୍‌ରୁ ଅନେକ କିଛି ଆଶା ରଖିଥିବା ବେଳେ ସରକାର ଦିଲ୍ଲୀ ବାସୀଙ୍କ ଆଶା ମୁତାବକ କିଛି ବି ବଜେଟ୍‌ରେ ଆଣିନାହାନ୍ତି । ଦିଲ୍ଲୀ ବିଜେପି ନେତାଙ୍କ ପାଇଁ ଗୁରୁତ୍ବ ବହନ କରୁନଥିବାରୁ ଦିଲ୍ଲୀ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ଦିଲ୍ଲୀ ପୌରପାଳିକା ନିଗମ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଧିକ ଅର୍ଥ ଦାବି କରାଯାଇଥିବା ବେଳେ କେନ୍ଦ୍ର ସରକାର ନିରାଶ କରିଛନ୍ତି ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ନାମାଙ୍କନ ପତ୍ର ଭରିବାର ଅନ୍ତିମ ଦିନରେ କେଜରୀଓ୍ବାଲ ଓ ମନୋଜ ତିଓ୍ବାରୀଙ୍କ ଟୁଇଟ୍‌ ଓ୍ବାର୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଦିଲ୍ଲୀ ରାଜନୀତି ପାଣିପାଗ ବେଶ୍‌ ଉଷ୍ଣ ରହିଛି । ଆଜି ନାମାଙ୍କନ ଭରିବାର ଅନ୍ତିମ ଦିନରେ ଆମ୍‌ ଆଦ୍‌ମୀ ଦଳ (ଆପ୍‌) ଓ ଭାରତୀୟ ଜନତା ଦଳ (ବିଜେପି) ମଧ୍ୟରେ ଟୁଇଟ୍‌ ଓ୍ବାର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରୀଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, ବିଜେପିର ଉଦ୍ଦେଶ୍ୟ କେବଳ ମୋତେ ହରାଇବା, କିନ୍ତୁ ମୋ’ ଉଦ୍ଦେଶ୍ୟ ଭ୍ରଷ୍ଟାଚାରକୁ ହରାଇ ଦିଲ୍ଲୀକୁ ଆଗେଇ ନେବା । ଏହି ବୟାନ ଉପରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି ଯେ, ଆପ୍‌ 70 ପ୍ରତିଶ୍ରୁତିକୁ ପୂରା କରିବାରେ ଫେଲ୍‌ ହୋଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟରେ ଲେଖିଥିଲେ ଯେ, – ଗୋଟିଏ ପଟେ, ବିଜେପି, ଜେଡେୟୁ, ଏଲ୍‌ଜେପି, ଜେଜେପି, କଂଗ୍ରେସ, ଆରଜେଡି ଅପରପକ୍ଷରେ ସ୍କୁଲ, ହସ୍ପିଟାଲ, ପାଣି, ବିଜୁଳି, ଫ୍ରି ମହିଳା ଯାତ୍ରା, ଦିଲ୍ଲୀର ଜନତା । ମୋର ଉଦ୍ଦେଶ୍ୟ –ହେଉଛି ଭ୍ରଷ୍ଟାଚାରକୁ ହରାଇ ଦିଲ୍‌ଲୀକୁ ଆଗେଇନେବା । ଆଉ ଅନ୍ୟ ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ମୋତେ ହରାଇବା ।

ଅରବିନ୍ଦ କେଜରୀଓ୍ବାଲଙ୍କ ଏହି ଟୁଇଟ ଉପରେ ପ୍ରତିକ୍ରିୟା ରଖି  ମନୋଜ ତିଓ୍ବାରୀ କହିଛନ୍ତି ଯେ, ଗୋଟିଏ ପଟେ ଭଙ୍ଗାରୁଜା ସଡକ, ଅସନା ଦୂଷିତ ଜଳ, ଗୋଟିଏ ବି ନୂତନ ସ୍କୁଲ ନାହିଁ, ଗୋଟିଏ ବି ହସ୍ପିଟାଲ ନାହିଁ, ହସ୍ପିଟାଲ୍‌ରେ ଓଟି ବନ୍ଦ, ଗୋଟିଏ ବି ଇଲୋକଟ୍ରିକ ବସ୍‌ ନାହିଁ । ଦଳରୁ ଦୁର୍ନୀତି ବିରୁଦ୍ଧରେ ଲଢୁଥିବାକୁ ଦଳରୁ ବାହାର କରିବା ସହିତ  କଂଗ୍ରେସ ସହ ମେଣ୍ଟ ମଧ୍ୟ କରିଛି ଆପ୍‌ ।  70 ପ୍ରତିଶ୍ରୁତିକୁ ପୂରଣ କରିବାରେ ଆପ୍‌ ବିଫଳ ହୋଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀର ସବୁଠାରୁ ହାଇପ୍ରୋଫାଇଲ୍‌ ଆସନ ନୂଆଦିଲ୍ଲୀ ଆସନରୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜରୀଓ୍ବାଲଙ୍କ ସହ ବିଜେପି ଓ କଂଗ୍ରେସ ଦୁଇ ଅଜ୍ଞାତ ଯୋଦ୍ଧାଙ୍କୁ ବାଜିରେ ଲଗାଇଛନ୍ତି । ବିଜେପି ଏହି ଆସନରୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ସୁନୀଲ୍‌ ଯାଦବଙ୍କୁ ଟିକେଟ ଦେଇଥିବାବେଳେ କଂଗ୍ରେସ ଏନଏସ୍‌ୟୁଆଇର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ରାମେଶ ସଭରଓ୍ବାଲଙ୍କୁ ଛିଡା କରାଇଛି । (ଏଜେନ୍ସି)

Categories
ବିଶେଷ ଖବର

ଆପ ନା ବିଜେପି, କାହା ହାତକୁ ଯିବ ଦିଲ୍ଲୀ ସରକାର? କେଜ୍ରିୱାଲ ବନାମ ଆଉ କିଏର ନିର୍ବାଚନୀ ଯୁଦ୍ଧ

କେଦାର ମିଶ୍ର

ଆଜି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖ ଦିନ ନିର୍ବାଚନ ହେବାକୁ ଥିବା ବେଳେ ଫେବ୍ରୁଆରି ୧୧ ତାରିଖରେ ଫଳ ପ୍ରକାଶ ପାଇବ। ପୂର୍ଣ୍ଣ ରାଜ୍ୟର ଦର୍ଜା ପାଇନଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଶାସନିକ ଭାବରେ ଯେତିକି ନୁହେଁ, ବରଂ ରାଜନୈତିକ ଭାବରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ୨୦୧୪ ନିର୍ବାଚନରେ ହଠାତ ଆମ ଆଦମି ପାର୍ଟିର ଅଭ୍ୟୁଦୟ ଦିଲ୍ଲୀର ରାଜନୈତିକ ସମୀକରଣକୁ ପୂରା ବଦଳାଇ ଦେଇଥିଲା। ୨୦୧୨ରେ ହୋଇଥିବା ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ ଆଦମି ପାର୍ଟି ବା ଆପ ୨୦୧୪ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତତ୍କାଳୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାରେ ସଫଳ ହେବା ସହିତ ଲୋକପ୍ରିୟତାର ଚରମ ସୀମାରେ ଥିବା ବିଜେପିକୁ ମଧ୍ୟ କ୍ଷମତାରୁ ଦୂରେଇ ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ଥର ନିର୍ବାଚନ ଲଢି ଆପ ୨୮ଟି ଆସନ ଓ ୨୯.୪୯% ଭୋଟ ହାସଲ କରିଥିଲା। ଯେ କୌଣସି ନୂଆ ଦଳ ଲାଗି ଏହା ଥିଲା ଆଶାତୀତ ସଫଳତା। କଂଗ୍ରେସ ସମର୍ଥନରେ ଆପ ନେତା ଅରବିନ୍ଦ କେଜ୍ରିୱାଲ ସରକାର ଗଢିଥିଲେ ମଧ୍ୟ ମାତ୍ର ୪୯ ଦିନରେ ତାଙ୍କ ସରକାର ଭାଙ୍ଗିଗଲା।

୨୦୧୫ ନିର୍ବାଚନର ପୃଷ୍ଠଭୂମିରେ ଆପ ଲାଗି ଅନେକ ସଙ୍କଟ ରହିଥିଲା। ସରକାର ଚଲାଇ ନ ପାରି ପଳାତକ ହେବାର ଅପବାଦ, ୨୦୧୪ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ତଥା କେନ୍ଦ୍ରରେ ନବଗଠିତ ମୋଦୀ ସରକାରର ଲୋକପ୍ରିୟତା ଭଳି ଅତ୍ୟନ୍ତ ଶକ୍ତିଶାଳୀ ଆହ୍ଵାନକୁ ମୁକାବିଲା କରିବା ଦଳ ପକ୍ଷରେ ସହଜ ନଥିଲା। ହେଲେ ୨୦୧୫ ର ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମଥର ଲାଗି ମୋଦୀଙ୍କ ନେତୃତ୍ବରେ ବିଜେପି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ୨୦୧୫ ନିର୍ବାଚନରେ ଆପକୁ ୭୦ ଆସନରୁ ୬୭ ଆସନ ଓ ୫୪.୩% ଭୋଟ ମିଳିଥିଲା। ଏହା ଥିଲା ସର୍ବକାଳୀନ ରେକର୍ଡ। ମୋଦୀ ହାୱାକୁ ପ୍ରତିହତ କରି ମାତ୍ର ବର୍ଷେ ଭିତରେ ଆପ ନିଜ ଭୋଟ ହାରକୁ ପ୍ରାୟ ଦୁଇଗୁଣ ବଢାଇବାରେ ସଫଳ ହୋଇଥିଲା।

୨୦୨୦ ନିର୍ବାଚନରେ ଆପ ସେହି ସଫଳତା ଦୋହରାଇ ପାରିବ କି? ୨୦୧୫ ଓ ୨୦୨୦ ଭିତରେ ଆପରେ ଅନେକ କିଛି ନୂଆ ପରିବର୍ତ୍ତନ ହୋଇଛି। ଜାତୀୟ ଅଭିଳାଷ ପରିତ୍ୟାଗ କରି ଦଳ ନିଜକୁ ମୁଖ୍ୟତଃ ଦିଲ୍ଲୀ କୈନ୍ଦ୍ରିକ ଦଳ ଭାବରେ ସଂଗଠିତ କରିଛି। ଦଳ ଭିତରେ ଅରବିନ୍ଦ କେଜ୍ରିୱାଲ ନିଜର ଏକାଧିପତ୍ୟ ଜାହିର କରିବା ସହିତ ଦଳର ପ୍ରାୟ ସବୁ ପ୍ରତିଷ୍ଠାତା ସଦସ୍ୟଙ୍କୁ ଦଳରୁ ବିଦା କରି ସାରିଛନ୍ତି। ଦିଲ୍ଲୀରେ ରାଜନୈତିକ ଦୃଷ୍ଟିରୁ କେନ୍ଦ୍ର ବିଜେପି ସରକାରର ସର୍ବାଧିକ ଆକ୍ରୋଶର ଶିକାର ହେବା ପରେ ମଧ୍ୟ ଆପ ନିଜକୁ ଶକ୍ତିଶାଳୀ କରିବାରେ ସଫଳ ହୋଇଛି। କେନ୍ଦ୍ର ସରକାର ବନାମ ଦିଲ୍ଲୀ ସରକାରର ଝଗଡା ଯୋଗୁଁ ଆପ ସରକାର ପ୍ରଥମ ଦୁଇ ବର୍ଷ କାମ କରିପାରି ନ ଥିଲା। ଦିଲ୍ଲୀ ଉପରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଲଢେଇରେ ସୁପ୍ରିମ କୋର୍ଟ ନିର୍ଣ୍ଣାୟକ ରାୟ ନଦେବା ଯାଏ ଆପ ସରକାର ଏକ ପ୍ରକାର ଅସହାୟ ଅବସ୍ଥାରେ ରହିଥିଲା। ଏତେ ପ୍ରବଳ ରାଜନୈତିକ ଚାପକୁ ସମ୍ଭାଳି ପାଞ୍ଚ ବର୍ଷ ଶାସନ ଚଳାଇବା କେଜ୍ରିୱାଲଙ୍କର ସବୁଠୁ ବଡ ସଫଳତା ନିଶ୍ଚୟ।

ଗତ ତିନି ବର୍ଷ ଭିତରେ ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଆପ ସରକାର ପ୍ରଶଂସନୀୟ କାର୍ୟ କରିଛନ୍ତି। ତା ସତ୍ତ୍ୱେ  ଦିଲ୍ଲୀ ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଆପ ବିଜେପିଠାରୁ ହାରିଛି। ବିଧାନସଭା ନିର୍ବାଚନରେ ବିଜେପି ଲୋକସଭା ନିର୍ବାଚନର ଫଳାଫଳକୁ ଦୋହରାଇ ପାରିବ କି? ଆପ ପାଇଁ କେଜ୍ରିୱାଲଙ୍କ ନିର୍ଣ୍ଣାୟକ ନେତୃତ୍ଵ ରହିଥିବା ବେଳେ ବିଜେପି ଆଜି ମଧ୍ୟ ନେତୃତ୍ବଶୂନ୍ୟ ଅବସ୍ଥାରେ ରହିଛି। ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି କହୁନାହିଁ। ତେଣୁ କେଜ୍ରିୱାଲ ବନାମ ଆଉ କିଏ ର ଏକ ସନ୍ଦେହ ଭୋଟରଙ୍କ ପାଖରେ ରହିଛି।

ବିଜେପି ଲାଗି କେଜ୍ରିୱାଲ ସବୁଠୁ ବଡ କଣ୍ଟା ହୋଇ ଖୋଦ ରାଜଧାନୀରେ ରହିଛନ୍ତି। ତାଙ୍କୁ ହରାଇବା ବିଜେପି ଲାଗି ଏକ ପ୍ରକାର କର ବା ମର ସ୍ଥିତି ସୃଷ୍ଟି କରିଛି। ନିକଟରେ ଅନୁଷ୍ଠିତ ମହାରାଷ୍ଟ୍ର, ହରିଆଣା ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ନିଶ୍ଚୟ ପଡିବ। ନିର୍ବାଚନ ଘୋଷଣା ହେବା ପରେ ପରେ ଏବିପି ଟିଭି ତରଫରୁ ଯେଉଁ ଜନମତ ସର୍ଭେ ହୋଇଛି ସେଥିରେ ୨୦୨୦ ରେ ଆପ ୫୯ ଆସନ ଜିତିପାରେ ବୋଲି ପୂର୍ବାନୁମାନ କରିଛି। ତେବେ ଏହି ଅନୁମାନ ସତ୍ୟ ହେବ କି?

ନିର୍ବାଚନରେ ବିଜେପି ନିଜର ସବୁ ଶକ୍ତି ଓ କ୍ଷମତା ପ୍ରୟୋଗ କରି ଆପ ପାଖରୁ କ୍ଷମତା ଛଡାଇ ଆଣିବାକୁ ଚେଷ୍ଟା କରିବ। ଆସନ୍ତା ମାସେ ପର୍ୟନ୍ତ  ଆପକୁ କେବଳ ବିଜେପି ସହିତ ଯେ ଲଢିବାକୁ ପଡିବ ତା ନୁହେଁ, ଏହାକୁ ବିଜେପିର ସମର୍ଥକ ଗଣମାଧ୍ୟମ ସହ ଲଢିବା ସବୁଠୁ ବଡ ଆହ୍ଵାନ ହେବାକୁ ଯାଉଛି। ଦିଲ୍ଲୀ ବିଜେପି ଗୁଜବ, ଅପପ୍ରଚାର ଓ ଷଡଯନ୍ତ୍ର ରଚନାରେ ଆପକୁ ଘାଏଲା କରିବ ନିଶ୍ଚୟ।

ସରକାର ଭାବରେ ସଫଳତାର ଆକଳନ  ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା କାମକୁ ନେଇ ହେବ ନା ପ୍ରଚାର ସର୍ବସ୍ଵ ରାଜନୀତି ଦ୍ଵାରା ପ୍ରଭାବିତ ହେବ, ତାହା ଦେଖିବାକୁ ପଡିବ। କିଏ ଜିତିବ ବା ହାରିବ ତାହା ତ ଫେପୃଆରି ୧୧ ରେ ଜଣାପଡିବ, ହେଲେ ଏହି ନିର୍ବାଚନକୁ ନେଇ ଉଦବେଗ ଓ ଉତ୍ତେଜନା ଆଜିଠୁ ବଳବତ୍ତର ରହିବ।

Categories
ଆଜିର ଖବର ଜାତୀୟ ଖବର

କାମ ଆଧାରରେ ଲଢାଯିବ ଦିଲ୍ଲୀ ନିର୍ବାଚନ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଫେବୃୟାରୀ 8 ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ନିର୍ବାଚନ କାମ ଆଧାରରେ ହେବାକୁ ଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ସରକାର କରିଥିବା କାମ ଆଧାରରେ ନିର୍ବାଚନ ଲଢାଯିବ ବୋଲି ସୋମବାର କେଜ୍ରିଓ୍ବାଲ କହିଛନ୍ତି । ଦିଲ୍ଲୀ ସରକାରଙ୍କ ମାଗଣା ବିଦ୍ୟୁତ, ଜଳ ଏବଂ ଶିକ୍ଷା ପ୍ରଦାନ କରାଯାଇଛି । ଏହା ବ୍ୟତିତ ମାଗଣା ଓ୍ବାଇଫାଇ, ମହିଳା ମାନଙ୍କୁ ମାଗଣା ବସ୍‌ ଏବଂ ମେଟ୍ରୋ ଯାତ୍ରା ଏବଂ ମୋହଲ୍ଲା କ୍ଲିନିକ୍‌ ପରି ସେବାର ଶୁଭାରମ୍ଭ କରାଯାଇଛି । ଏହି ସମସ୍ତ କାମ ଆଧାରରେ ଆପ୍‌ ପୁନର୍ବାର ସରକାର ଗଠନ କରିବ ବୋଲି କେଜ୍ରିଓ୍ବାଲ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ଦଳଙ୍କୁ ଅମିତ ଶାହାଙ୍କ ଆକ୍ରମଣ

ଜୟପୁର,03/01 : ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ରାଜନୈତିକ ନେତାଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜସ୍ଥାନର ଯୋଧପୁରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ଶାହା ବିପକ୍ଷ ନେତାଙ୍କୁ ଆକ୍ରମଣ କରିଛନ୍ତି । ଶାହା କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ କେଜ୍ରିଓ୍ବାଲ, ମାୟାବତୀ ଏବଂ ମମତା ବାନାର୍ଜୀ ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମାତ୍ର ସିଏଏକୁ ନେଇ ବିଜେପି ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଶାହା କହିଛନ୍ତି । ଏହା ସହିତ ଶାହା ରାହୁଲଙ୍କୁ ଆକ୍ରମଣ କରି କହିଛନ୍ତି, ରାହୁଲ ଏହି ଆଇନକୁ ଭଲରେ ପଢିନାହାନ୍ତି । ଯଦି ରାହୁଲ ହିନ୍ଦି ଭାଷାରେ ଲିଖିତ ଆଇନକୁ ବୁଝି ପାରୁନାହାନ୍ତି ତେବେ ଏହି ଆଇନର ଇଟାଲୀ ଭାଷା ଅନୁବାଦ ମୁଁ ରାହୁଲଙ୍କୁ ପ୍ରଦାନ କରିବି ବୋଲି ଶାହା କହିଛନ୍ତି । ଏହା ସହିତ ସିଏଏକୁ ସମର୍ଥନ କରୁଥିବା ଜନ ସାଧାରଣ ଏକ ଦେୟମୁକ୍ତ ନମ୍ବରରେ ମିସ୍‌କଲ୍‌ କରିବା ଶାହା ଅନୁରୋଧ କରିଛନ୍ତି । (ଏଜେନ୍ସୀ)