ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ଦଳଙ୍କୁ ଅମିତ ଶାହାଙ୍କ ଆକ୍ରମଣ

Published: Jan 3, 2020, 5:19 pm IST

ଜୟପୁର,03/01 : ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ରାଜନୈତିକ ନେତାଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜସ୍ଥାନର ଯୋଧପୁରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ଶାହା ବିପକ୍ଷ ନେତାଙ୍କୁ ଆକ୍ରମଣ କରିଛନ୍ତି । ଶାହା କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ କେଜ୍ରିଓ୍ବାଲ, ମାୟାବତୀ ଏବଂ ମମତା ବାନାର୍ଜୀ ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମାତ୍ର ସିଏଏକୁ ନେଇ ବିଜେପି ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଶାହା କହିଛନ୍ତି । ଏହା ସହିତ ଶାହା ରାହୁଲଙ୍କୁ ଆକ୍ରମଣ କରି କହିଛନ୍ତି, ରାହୁଲ ଏହି ଆଇନକୁ ଭଲରେ ପଢିନାହାନ୍ତି । ଯଦି ରାହୁଲ ହିନ୍ଦି ଭାଷାରେ ଲିଖିତ ଆଇନକୁ ବୁଝି ପାରୁନାହାନ୍ତି ତେବେ ଏହି ଆଇନର ଇଟାଲୀ ଭାଷା ଅନୁବାଦ ମୁଁ ରାହୁଲଙ୍କୁ ପ୍ରଦାନ କରିବି ବୋଲି ଶାହା କହିଛନ୍ତି । ଏହା ସହିତ ସିଏଏକୁ ସମର୍ଥନ କରୁଥିବା ଜନ ସାଧାରଣ ଏକ ଦେୟମୁକ୍ତ ନମ୍ବରରେ ମିସ୍‌କଲ୍‌ କରିବା ଶାହା ଅନୁରୋଧ କରିଛନ୍ତି । (ଏଜେନ୍ସୀ)

Related posts