ଦିଲ୍ଲୀ ହିଂସାକାଣ୍ଡକୁ ନେଇ କେଜ୍ରିଓ୍ବାଲଙ୍କୁ ଗମ୍ଭୀରଙ୍କ ସମାଲୋଚନା

Published: Feb 27, 2020, 7:50 pm IST

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କ ଘର ଛାତ ଉପରୁ ପେଟ୍ରୋଲ୍‌ ବମ୍‌ ଏବଂ ଅନ୍ୟାନ୍ୟ ହତିଆର ଜବତ ହେବା ପରେ ଏହାକୁ ନେଇ ଗମ୍ଭୀର କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ଗୁଇନ୍ଦା ବିଭାଗର ଜନୈକ ଅଧିକାରୀ ଅଙ୍କିତଙ୍କ ହତ୍ୟା ପାଇଁ ଆପ୍‌କୁ ଦାୟୀ କରିବା ସହିତ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଥିଲେ । ହୁସେନ୍‌ଙ୍କ 5 ମହଲା କୋଠା ଉପରୁ ପଥର ଏବଂ ପେଟ୍ରୋଲ ବୋମା ଫିଙ୍ଗାଯାଇଥିବା ନେଇ ଅଙ୍କିତଙ୍କ ପଡୋଶୀ ସୂଚନା ପ୍ରଦାନ କରିଥିଲେ । ଅଙ୍କିତ କୁମାରଙ୍କ ହତ୍ୟାରେ ଯଦି ଆପ୍‌ ନେତା ସମ୍ପୃକ୍ତ ଥାନ୍ତି ତେବେ ସାଧାରଣ ଜନତା, ଆଇନ ଏବଂ ଭଗବାନ ତାଙ୍କୁ କେବେବି କ୍ଷମା କରିବେ ନାହିଁ ବୋଲି ଗମ୍ଭୀର ଟ୍ବିଟ୍‌ କରିଥିଲେ । ଏହାପରେ ଅନ୍ୟ ଏକ ଟ୍ବିଟ୍‌ରେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ୍‌ କରିଥିଲେ ଗମ୍ଭୀର । କେଜ୍ରିଓ୍ବାଲ ଜୀ ଆପଣଙ୍କ ନୀରବତା ଦିଲ୍ଲୀ ପାଇଁ କ୍ଷତିକାରକ ବୋଲି ଟ୍ବିଟ୍‌ କରିଥିଲେ । ଏହାପରେ କେଜ୍ରିଓ୍ବାଲ ଏକ ପ୍ରେସ୍‌ମିଟ୍‌ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଥିଲେ । ଯଦି ଅଭିଯୁକ୍ତ ଜଣକ ଆପ୍‌ର ହୋଇଥାନ୍ତି ତେବେ ତାଙ୍କୁ ଦୁଇଗୁଣ କଠୋର ଦଣ୍ଡବିଧାନ କରାଯିବ ବୋଲି କେଜ୍ରିଓ୍ବାଲ କହିଥିଲେ । (ଏଜେନ୍ସି)

Related posts