ନାମାଙ୍କନ ପତ୍ର ଭରିବାର ଅନ୍ତିମ ଦିନରେ କେଜରୀଓ୍ବାଲ ଓ ମନୋଜ ତିଓ୍ବାରୀଙ୍କ ଟୁଇଟ୍‌ ଓ୍ବାର୍‌

Published: Jan 21, 2020, 11:32 am IST

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଦିଲ୍ଲୀ ରାଜନୀତି ପାଣିପାଗ ବେଶ୍‌ ଉଷ୍ଣ ରହିଛି । ଆଜି ନାମାଙ୍କନ ଭରିବାର ଅନ୍ତିମ ଦିନରେ ଆମ୍‌ ଆଦ୍‌ମୀ ଦଳ (ଆପ୍‌) ଓ ଭାରତୀୟ ଜନତା ଦଳ (ବିଜେପି) ମଧ୍ୟରେ ଟୁଇଟ୍‌ ଓ୍ବାର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରୀଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, ବିଜେପିର ଉଦ୍ଦେଶ୍ୟ କେବଳ ମୋତେ ହରାଇବା, କିନ୍ତୁ ମୋ’ ଉଦ୍ଦେଶ୍ୟ ଭ୍ରଷ୍ଟାଚାରକୁ ହରାଇ ଦିଲ୍ଲୀକୁ ଆଗେଇ ନେବା । ଏହି ବୟାନ ଉପରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି ଯେ, ଆପ୍‌ 70 ପ୍ରତିଶ୍ରୁତିକୁ ପୂରା କରିବାରେ ଫେଲ୍‌ ହୋଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟରେ ଲେଖିଥିଲେ ଯେ, – ଗୋଟିଏ ପଟେ, ବିଜେପି, ଜେଡେୟୁ, ଏଲ୍‌ଜେପି, ଜେଜେପି, କଂଗ୍ରେସ, ଆରଜେଡି ଅପରପକ୍ଷରେ ସ୍କୁଲ, ହସ୍ପିଟାଲ, ପାଣି, ବିଜୁଳି, ଫ୍ରି ମହିଳା ଯାତ୍ରା, ଦିଲ୍ଲୀର ଜନତା । ମୋର ଉଦ୍ଦେଶ୍ୟ –ହେଉଛି ଭ୍ରଷ୍ଟାଚାରକୁ ହରାଇ ଦିଲ୍‌ଲୀକୁ ଆଗେଇନେବା । ଆଉ ଅନ୍ୟ ସମସ୍ତଙ୍କର ଉଦ୍ଦେଶ୍ୟ ହେଉଛି ମୋତେ ହରାଇବା ।

ଅରବିନ୍ଦ କେଜରୀଓ୍ବାଲଙ୍କ ଏହି ଟୁଇଟ ଉପରେ ପ୍ରତିକ୍ରିୟା ରଖି  ମନୋଜ ତିଓ୍ବାରୀ କହିଛନ୍ତି ଯେ, ଗୋଟିଏ ପଟେ ଭଙ୍ଗାରୁଜା ସଡକ, ଅସନା ଦୂଷିତ ଜଳ, ଗୋଟିଏ ବି ନୂତନ ସ୍କୁଲ ନାହିଁ, ଗୋଟିଏ ବି ହସ୍ପିଟାଲ ନାହିଁ, ହସ୍ପିଟାଲ୍‌ରେ ଓଟି ବନ୍ଦ, ଗୋଟିଏ ବି ଇଲୋକଟ୍ରିକ ବସ୍‌ ନାହିଁ । ଦଳରୁ ଦୁର୍ନୀତି ବିରୁଦ୍ଧରେ ଲଢୁଥିବାକୁ ଦଳରୁ ବାହାର କରିବା ସହିତ  କଂଗ୍ରେସ ସହ ମେଣ୍ଟ ମଧ୍ୟ କରିଛି ଆପ୍‌ ।  70 ପ୍ରତିଶ୍ରୁତିକୁ ପୂରଣ କରିବାରେ ଆପ୍‌ ବିଫଳ ହୋଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀର ସବୁଠାରୁ ହାଇପ୍ରୋଫାଇଲ୍‌ ଆସନ ନୂଆଦିଲ୍ଲୀ ଆସନରୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜରୀଓ୍ବାଲଙ୍କ ସହ ବିଜେପି ଓ କଂଗ୍ରେସ ଦୁଇ ଅଜ୍ଞାତ ଯୋଦ୍ଧାଙ୍କୁ ବାଜିରେ ଲଗାଇଛନ୍ତି । ବିଜେପି ଏହି ଆସନରୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ସୁନୀଲ୍‌ ଯାଦବଙ୍କୁ ଟିକେଟ ଦେଇଥିବାବେଳେ କଂଗ୍ରେସ ଏନଏସ୍‌ୟୁଆଇର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ରାମେଶ ସଭରଓ୍ବାଲଙ୍କୁ ଛିଡା କରାଇଛି । (ଏଜେନ୍ସି)

Related posts