Categories
ଆଜିର ଖବର ଜାତୀୟ ଖବର

ହରିୟାଣା ପାଇଁ AAP ର ୫ ଗ୍ୟାରେଣ୍ଟି, ମାଗଣା ବିଦ୍ୟୁତ୍ ଏବଂ ପ୍ରତି ମାସରେ ୧୦୦୦ ଟଙ୍କା ପ୍ରତିଶୃତି

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ପାଞ୍ଚଟି ଗ୍ୟାରେଣ୍ଟି ଦେଇଛନ୍ତି।

ଆମ୍ ଆଦମୀ ପାର୍ଟି ହରିୟାଣାର ଲୋକଙ୍କୁ ମାଗଣାରେ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ୍, ମାଗଣା ଚିକିତ୍ସା, ମାଗଣା ଶିକ୍ଷା, ସମସ୍ତ ମା’ ଏବଂ ଭଉଣୀମାନଙ୍କୁ ମାସକୁ ୧୦୦୦ ଟଙ୍କା, ପ୍ରତ୍ୟେକ ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଛି।

ପଞ୍ଚକୁଲାରେ ପାଞ୍ଚଟି ଗ୍ୟାରେଣ୍ଟି ଆରମ୍ଭ କରି ସୁନୀତା କେଜ୍ରିୱାଲ କହିଛନ୍ତି ଯେ, “ପିଏମ ମୋଦୀ କହିଛନ୍ତି ଯେ କେଜ୍ରିୱାଲ ଜଣେ ଚୋର। ଯଦି କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ, ତେବେ କୌଣସି ଲୋକ ସଚ୍ଚୋଟ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ହରିୟାଣାର ପୁଅକୁ ଜେଲରେ ରଖିଛନ୍ତି। ତିନି ମାସ ପରେ ହରିୟାଣାରେ ନିର୍ବାଚନ। ବର୍ତ୍ତମାନ ବିଜେପିକୁ ସଫା କରିବା ପାଇଁ ହରିୟାଣାର ଲୋକଙ୍କୁ କାମ କରିବାକୁ ପଡ଼ିବ।”

ସୁନୀତା କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, “କେହି କେବେ ଭାବି ନଥିଲେ ଯେ ହିସାରରେ ବଢିଥିବା ଜଣେ ସାଧାରଣ ପିଲା ଦିନେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବ। ଅରବିନ୍ଦ କେଜ୍ରିୱାଲ ଶୂନରୁ ଆରମ୍ଭ କରିଥିଲେ। ନିଜ ଦଳ ଗଠନ କରି ପ୍ରଥମ ପ୍ରୟାସରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ନିଜେ କେଜ୍ରିୱାଲ ଦିଲ୍ଲୀ ଠାରୁ ପଞ୍ଜାବ ପର୍ଯ୍ୟନ୍ତ ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ପରିବର୍ତ୍ତନ କରିଛନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ଆହୁରି ମଧ୍ୟ କହିଛନ୍ତି ଯେ, “ସିଏମ କେଜ୍ରିୱାଲ ଦିଲ୍ଲୀ ଏବଂ ପଞ୍ଜାବର ସରକାରୀ ବିଦ୍ୟାଳୟରେ ଉନ୍ନତି ଆଣିଛନ୍ତି, ମୋହଲା କ୍ଲିନିକ ଏବଂ ସରକାରୀ ଡାକ୍ତରଖାନା ନିର୍ମାଣ କରିଛନ୍ତି। ସେ ବିଦ୍ୟୁତ ଦେୟ ମୁକ୍ତ କରିଥିଲେ। ସେ ମହିଳାମାନଙ୍କ ପାଇଁ ବସ୍ ଟିକେଟ ମାଗଣା କରିଥିଲେ। ବୃଦ୍ଧମାନଙ୍କ ପାଇଁ ମାଗଣା ତୀର୍ଥଯାତ୍ରା କରିଥିଲେ। ବର୍ତ୍ତମାନ ଦିଲ୍ଲୀ ଏବଂ ପଞ୍ଜାବର ପ୍ରତ୍ୟେକ ମହିଳା ପ୍ରତି ମାସରେ ୧୦୦୦ ଟଙ୍କା ପାଇବେ।

Categories
ଆଜିର ଖବର ଜାତୀୟ ଖବର

ସ୍ଥଗିତ ରହିଲା ମନୀଷ ସିସୋଦିଆଙ୍କ ଜାମିନ ଉପରେ ଶୁଣାଣି: ମାମଲାରୁ ଦୂରେଇ ଗଲେ ବିଚାରପତି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଦିଆଙ୍କ ସମସ୍ୟା ସମାପ୍ତ ହେଉନାହିଁ। ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି ସୁପ୍ରିମକୋର୍ଟରେ ସ୍ଥଗିତ ରଖାଯାଇଛି। ସେ ପ୍ରାୟ ୧୬ ମାସ ଜେଲରେ ଅଛନ୍ତି ଏବଂ ଅନେକ ଥର ଜାମିନ ଆବେଦନ କରିଛନ୍ତି। ବାସ୍ତବରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଆବେଦନକୁ ଶୁଣାଣି କରୁଥିବା ବିଚାରପତି ଏଥିରୁ ନିଜକୁ ଦୂରେଇ ରଖିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅର୍ଥ ହେରଫେର ତମାମଲାରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଜାମିନ ପାଇଁ ସିସୋଦିଆ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା, ସଞ୍ଜୟ କରୋଲ ଏବଂ ସଞ୍ଜୟ କୁମାର ଏହି ମାମଲାର ଶୁଣାଣି କରିବେ, କିନ୍ତୁ କୁମାର ଏଥିରୁ ନିଜକୁ ଦୂରେଇ ରଖିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ମନୀଷ ସିସୋଦିଆଙ୍କ ଆବେଦନ ଅନ୍ୟ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ, ଯେଉଁଥିରେ ଜଷ୍ଟିସ ସଞ୍ଜୟ କୁମାର ଏଥିରେ ଅଂଶଗ୍ରହଣ କରିବେ ନାହିଁ। କୋର୍ଟରେ ଏହି ମାମଲାର ଶୁଣାଣି ହେବା ମାତ୍ରେ ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ, “ଆମ ଭାଇଙ୍କର କିଛି ଅସୁବିଧା ଅଛି। ବ୍ୟକ୍ତିଗତ କାରଣରୁ ସେ ଏହି ମାମଲାର ଶୁଣାଣି କରିବାକୁ ଚାହୁଁନାହାଁନ୍ତି।” ଏହା ଉପରେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି, ଆମ୍ ଆଦମୀ ପାର୍ଟି ପକ୍ଷରୁ ହାଜର ହୋଇ ବେଞ୍ଚକୁ ତୁରନ୍ତ ଶୁଣାଣି କରିବାକୁ ଅନୁରୋଧ କରିଥିଲେ।

ଅବକାରୀ ନୀତି ପ୍ରସଙ୍ଗରେ ଉଭୟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ବିଷୟରେ ସିଂଭି କହିଛନ୍ତି ଯେ, ଉଭୟ ମାମଲାରେ ଏପର୍ଯ୍ୟନ୍ତ ଶୁଣାଣି ଆରମ୍ଭ ହୋଇନାହିଁ। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଜୁଲାଇ ୧୫ ତାରିଖ ରେ ଅନ୍ୟ ଏକ ବେଞ୍ଚ ଜାମିନ ଆବେଦନ ଉପରେ ଶୁଣାଣି କରିବେ।

Categories
ଆଜିର ଖବର ଜାତୀୟ ଖବର

କେଜ୍ରିୱାଲଙ୍କୁ ଗିରଫ କରିପାରେ ସିବିଆଇ: ତିହାରରୁ କୋର୍ଟ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟକୁ ନେଇଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିବାକୁ ଯାଉଛି। ସିବିଆଇ ଆନୁଷ୍ଠାନିକ ଭାବେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିପାରେ। ସିବିଆଇ ଅଧିକାରୀମାନେ ମଙ୍ଗଳବାର ରାତିରେ ତିହାର ଜେଲରେ ଥିବା AAP ମୁଖ୍ୟଙ୍କୁ ଜେରା କରିଥିଲେ ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ।

ଅରବିନ୍ଦ କେଜ୍ରିୱାଲଙ୍କ କୋର୍ଟରେ ହାଜର ହେବା ଏକ ସମୟରେ ଘଟିଛି, ଯେତେବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇଦେଇଛନ୍ତି। ସିବିଆଇ ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରିଥିଲା, ​​ଯେଉଁଥିରେ କୋର୍ଟ ଏକ ୱାରେଣ୍ଟ ଜାରି କରିଥିଲେ। ଯେତେବେଳେ ମଙ୍ଗଳବାର ଦିନ ରାତି ୧୧.୩୦ ରେ ସିବିଆଇ ତିହାର ଜେଲରେ କେଜ୍ରିୱାଲଙ୍କୁ ଜେରା କରିଥିଲା, ସେତେବେଳେ ସେ ଦେଇଥିବା ଉତ୍ତରରେ ସିବିଆଇ ସନ୍ତୁଷ୍ଟ ହୋଇନଥିଲା। ତେଣୁ ତାଙ୍କୁ କୋର୍ଟରେ ହାଜର କରାଯାଇଛି, ଯେଉଁଠାରେ ସିବିଆଇ ତାଙ୍କୁ ଗିରଫ କରି ରିମାଣ୍ଡରେ ନେବାକୁ ଦାବି କରିବ।

କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଛି, ଯେଉଁ ସମୟରେ ତାଙ୍କର ଗୋଟିଏ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଦିଲ୍ଲୀ ହାଇକୋର୍ଟ ଜରିଆରେ ନିମ୍ନ ଅଦାଲତର ଜାମିନ ଆଦେଶ ଉପରେ ରହିତାଦେଶ ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି’। ଅବକାରୀ ନୀତି ମାମଲାରେ ନିମ୍ନ ଅଦାଲତ କେଜ୍ରିୱାଲଙ୍କୁ ଜୁନ୍ ୨୦ ତାରିଖରେ ଜାମିନ ପ୍ରଦାନ କରିଥିଲେ, ଯାହା ମଙ୍ଗଳବାର ଦିନ ହାଇକୋର୍ଟଙ୍କ ଦ୍ଵାରା ଖାରଜ ହୋଇଥିଲା। ସୁପ୍ରିମକୋର୍ଟ ଆଜି ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ଯାଉଛନ୍ତି।

ବାସ୍ତବରେ ସିବିଆଇ ମଙ୍ଗଳବାର ସ୍ପେଶାଲ କୋର୍ଟରେ ଏକ ଆବେଦନପତ୍ର ଦାଖଲ କରି କୋର୍ଟଙ୍କ ଦ୍ଵାରା ୱାରେଣ୍ଟ ଜାରି କରିବାକୁ ଦାବି କରିଛି। ଅବକାରୀ ନୀତି ସହ ଜଡିତ ଅର୍ଥ ହେରେଫର ମାମଲାରେ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ନ୍ୟାୟିକ ହେପାଜତରେ ଅଛନ୍ତି, ତେଣୁ ତାଙ୍କ ଗିରଫ କେବଳ କୋର୍ଟରେ ହୋଇପାରେ।

ଯଦି ସିବିଆଇ ତାଙ୍କୁ ଗିରଫ କରେ ତେବେ ସେ ଆଜି ଜେଲରୁ ବାହାରି ପାରିବେ ନାହିଁ। ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ରଦ୍ଦ କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଗିରଫ ହୋଇପାରନ୍ତି। ଏହି କାରଣରୁ କେଜ୍ରିୱାଲଙ୍କ ସମସ୍ୟା ବର୍ତ୍ତମାନ ବଢୁଥିବା ପରି ମନେ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ଏବେ ଜେଲରୁ ବାହାରି ପାରିବେ ନାହିଁ ସିଏମ କେଜ୍ରିୱାଲ, ଜାମିନ ଆଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅସୁବିଧା ହ୍ରାସ ହେବାର କୌଣସି ଚିହ୍ନ ଦେଖାଉ ନାହିଁ। ଗୁରୁବାର ଦିନ ରାଉସ୍ ଆଭେନ୍ୟୁ କୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ସେ ଆଗାମୀ କିଛି ଦିନ ପାଇଁ ତିହାର ଜେଲରୁ ବାହାରି ପାରିବେ ନାହିଁ।

ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟରେ ଇଡି ଚ୍ୟାଲେଞ୍ଜ କରିଛି, ଯେଉଁ ଶୁଣାଣି କ୍ରମାଗତ ଭାବରେ ଚାଲିଛି। ସୋମବାର ସୁଦ୍ଧା ଲିଖିତ ଯୁକ୍ତି ଉପସ୍ଥାପନ କରିବାକୁ କୋର୍ଟ କହିଛନ୍ତି, ଯାହାର ଶୁଣାଣି ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ଆସିବ। ଏହାର ଅର୍ଥ କେଜ୍ରିୱାଲଙ୍କୁ ସେପର୍ଯ୍ୟନ୍ତ ଜେଲର ଚାରି କାନ୍ଥରେ ରହିବାକୁ ପଡିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଏସପି ରାଜୁ କହିଛନ୍ତି ଯେ, ଆମ ଆବେଦନ ଉପରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି, ସେପର୍ଯ୍ୟନ୍ତ କେଜ୍ରିୱାଲଙ୍କ ମୁକ୍ତି ଉପରେ ରୋକ ଲଗାଯାଇଛି।

ଇଡି ଓକିଲ କ’ଣ କହିଥିଲେ?:

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆଦେଶ ଉପରେ ରୋକ ଲାଗିବା ପରେ ଏଏସଜି ଏସ.ଭି ରାଜୁ କହିଛନ୍ତି ଯେ, କେଜ୍ରିୱାଲଙ୍କ ଜାମିନ ଆଦେଶ ସ୍ଥଗିତ ରହିଛି ଏବଂ ଚୂଡ଼ାନ୍ତ ଆଦେଶ ୨-୪ ଦିନ ମଧ୍ୟରେ ଆସିବ ଏବଂ ଜାମିନ ଆବେଦନ ବାତିଲ ହେବାର ଶୁଣାଣି ପରେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

‘ପ୍ରଧାନମନ୍ତ୍ରୀ ମୋଦୀ ଅହଂକାରୀ, ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି’: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହଂକାରୀ ହୋଇଯାଇଛନ୍ତି। ଆଜିକାଲି ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ଏବିପି ନ୍ୟୁଜକୁ ଦିଆଯାଇଥିବା ଏକ ସାକ୍ଷାତକାରରେ କେଜ୍ରିୱାଲ ଏହି କଥା କହିଛନ୍ତି। ଯେତେବେଳେ କେଜ୍ରିୱାଲଙ୍କୁ ପଚରାଯାଇଥିଲା ଯେ, ସେ ଇଣ୍ଡିଆ ଆଲାଇନ୍ସ ପାଇଁ ପ୍ରଚାର କରିଛନ୍ତି। ଏଥିରୁ କିଛି ଲାଭ ହେବ କି? ଏହା ଉପରେ ସେ କହିଛନ୍ତି ଯେ, ଗୀତାରେ ଏହା ଲେଖାଯାଇଛି ଯେ, କାମ କର,କିନ୍ତୁ ଫଳ ବିଷୟରେ ଚିନ୍ତା କର ନାହିଁ। ମୁଁ ପ୍ରଚାର କରିଛି ଏହାର ପ୍ରତିକ୍ରିୟା ବହୁତ ଭଲ ମିଳିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ମୁଦ୍ରାସ୍ଫୀତି ବିଷୟରେ କହୁ ନାହାଁନ୍ତି। ବିଜେପିକୁ ନେଇ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ରହିଛି। ମୁଦ୍ରାସ୍ଫୀତି ଏବଂ ବେକାରୀକୁ ନେଇ ଲୋକମାନେ ବହୁତ କଷ୍ଟ ଅନୁଭବ କରୁଛନ୍ତି। ଲୋକମାନେ ବିଜେପିକୁ ନେଇ ନିରାଶ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଆଲୋଚନା କରିନାହାଁନ୍ତି, ବରଂ ସେ ଗତ ଦୁଇ ମାସ ଧରି ଅନ୍ୟ ବିଷୟରେ କହୁଛନ୍ତି। ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶରଦ ପାୱାରଙ୍କୁ ବୁଲୁଥିବା ଆତ୍ମା କୁହାଯାଉଥିବାବେଳେ ଉଦ୍ଧବ ଠାକରେଙ୍କୁ ବାଲାସାହେବ ଠାକରେଙ୍କ ନକଲି ସନ୍ତାନ ବୋଲି କୁହାଯାଏ। ଏହି ପ୍ରସଙ୍ଗରେ ଜନସାଧାରଣ ତାଙ୍କୁ ଭୋଟ୍ ଦେବେ କି?

ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷ୍ୟ କରି କେଜ୍ରିୱାଲ କହିଛନ୍ତି ଯେ, ତାଙ୍କଠାରେ ଅହଂକାର ଦୃଶ୍ୟମାନ ହେଉଛି। ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ସେ ତାଙ୍କ ମାତୃ ଗର୍ଭରୁ ଜନ୍ମ ହୋଇନାହାଁନ୍ତି, ବରଂ ସେ ଭଗବାନଙ୍କ ଅବତାର। ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ରେ ନିଜକୁ ପ୍ରଧାନ ସେବକ ବୋଲି କହିଥିଲେ, ତା’ପରେ ୨୦୧୯ରେ ନିଜକୁ ଚୌକିଦାର ବୋଲି କହିଥିଲେ ଏବଂ ବର୍ତ୍ତମାନ ୨୦୨୪ ରେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

‘କଂଗ୍ରେସ ସହ ସମ୍ପର୍କ ସ୍ଥାୟୀ ନୁହେଁ’: ଶେଷ ପର୍ଯ୍ୟାୟ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ବଡ ବିବୃତ୍ତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଦୁଇ ଦିନ ପରେ ଅର୍ଥାତ୍ ଜୁନ୍ ୧ ତାରିଖରେ ହେବ ଏବଂ ଏହାର ଫଳାଫଳ ଜୁନ୍ ୪ ତାରିଖରେ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏକୁ କ୍ଷମତାକୁ ଆସିବାକୁ ନଦେବା ଉଦ୍ଦେଶ୍ୟରେ ଗଠିତ ଇଣ୍ଡିଆ ମେଣ୍ଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ,କଂଗ୍ରେସ ସହିତ ଆମ୍ ଆଦମୀ ପାର୍ଟିର ସମ୍ପର୍କ ସ୍ଥାୟୀ ନୁହେଁ।

ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ AAP ସଂଯୋଜକ କହିଛନ୍ତି ଯେ, “କଂଗ୍ରେସ ସହିତ AAP ର କୌଣସି ସ୍ଥାୟୀ ସମ୍ପର୍କ ନାହିଁ। ବର୍ତ୍ତମାନ ଆମର ଉଦ୍ଦେଶ୍ୟ ହେଉଛି ବିଜେପିକୁ ପରାସ୍ତ କରିବା ଏବଂ ବର୍ତ୍ତମାନର ଶାସନର ଏକଛତ୍ରବାଦୀ ଶାସନକୁ ରୋକିବା।” ଏହା ସହିତ ସେ ଆଶା ପ୍ରକଟ କରିଛନ୍ତି ଯେ, ଜୁନ୍ ୪ ତାରିଖରେ I.N.D.I.A ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମେଣ୍ଟ ସରକାର ଗଠନ କରିବାକୁ ଯାଉଛି।

ଦିଲ୍ଲୀରେ AAP ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଥିବାବେଳେ ପଡୋଶୀ ରାଜ୍ୟ ପଞ୍ଜାବରେ ଉଭୟ ଦଳ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, “ଦେଶକୁ ବଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଯେଉଁଠାରେ ବିଜେପିକୁ ପରାସ୍ତ କରିବା ପାଇଁ ଏକ ମେଣ୍ଟର ଆବଶ୍ୟକତା ଥିଲା, ତେଣୁ AAP ଏବଂ କଂଗ୍ରେସ ଏକାଠି ହୋଇ ଏକ ପ୍ରାର୍ଥୀ ଦେଇଥିଲେ। ପଞ୍ଜାବରେ ବିଜେପିର କୌଣସି ଅସ୍ତିତ୍ୱ ନାହିଁ।”

Categories
ଆଜିର ଖବର ଜାତୀୟ ଖବର

ଶେଷ ପର୍ଯ୍ୟାୟ ପୂର୍ବରୁ I.N.D.I.A. ମେଣ୍ଟରେ ଫାଟ!: AAP ସରକାରଙ୍କ ଉପରେ ବର୍ଷିଲେ ଖଡଗେ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଆମ୍ ଆଦମୀ ପାର୍ଟିର ପଞ୍ଜାବ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ। ପଞ୍ଜାବ ସରକାରଙ୍କୁ ଲକ୍ଷ୍ୟ କରି ଖଡଗେ କହିଛନ୍ତି ଯେ, ଏଠାରେ ଆଇନ ଶୃଙ୍ଖଳା ବିଗିଡି ଯାଇଛି।

ମଲ୍ଲିକାର୍ଜୁନ କହଡଗେ କହିଛନ୍ତି, “କୃଷକମାନେ ଜମି ବିକ୍ରି କରି ପିଲାମାନଙ୍କୁ ବିଦେଶ ପଠାଉଛନ୍ତି, କାରଣ ନିଶା ସେବନ ଠାରୁ ସେମାନଙ୍କୁ ଦୂରେଇ ରଖାଯାଇପାରିବ। ପଞ୍ଜାବରେ ରୋଜଗାରର କୌଣସି ମାଧ୍ୟମ ନାହିଁ। ବିମୁଦ୍ରୀକରଣ ଏବଂ ଭୁଲ ଜିଏସ୍ଟି ଯୋଗୁଁ ଶିଳ୍ପଗୁଡିକ ପ୍ରଭାବିତ ହୋଇଛି। କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛନ୍ତି। ଆଗାମୀ ସରକାର ଦ୍ଵାରା ସମ୍ବିଧାନ ଅନୁଯାୟୀ ଚାଲିବ।

କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ଖଡଗେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପଞ୍ଜାବ ଏବଂ ହରିୟାଣାର କୃଷକମାନେ ସର୍ବାଧିକ ଉତ୍ପାଦନ କରନ୍ତି। ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ୍ ଛଡାଗଲା। ପ୍ରତିକୂଳ ପାଗରେ ଚାଷୀଙ୍କୁ ରାସ୍ତାରେ ବସିବାକୁ ପଡୁଥିଲା, କିନ୍ତୁ ନରେନ୍ଦ୍ର ମୋଦୀ ଚାଷୀଙ୍କ ବିଷୟରେ ଚିନ୍ତା କରୁନଥିଲେ। କୃଷକଙ୍କ ଆନ୍ଦୋଳନରେ ଅତି କମରେ ୭୫୦ ଜଣଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ନରେନ୍ଦ୍ର ମୋଦୀଙ୍କୁ କିଛି ଫରକ ପଡିନଥିଲା, ସେ ସର୍ବଦା ନିଜର ମତ ରଖିଥିଲେ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏମଏସପି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୋଦୀ ଚାଷୀଙ୍କ ବିରୋଧରେ ତିନୋଟି କଳା ନିୟମ ଆଣିଛନ୍ତି। ଆମେ MSP ଗ୍ୟାରେଣ୍ଟି ଦେବା ପାଇଁ ଏକ ଆଇନ ଆଣିବୁ। ଆମେ ଆମର ପାଞ୍ଚଟି ଆଇନକୁ କାର୍ଯ୍ୟକାରୀ କରିବୁ।

ପ୍ରକାଶ ଯୋଗ୍ୟ ଯେ, ପଞ୍ଜାବରେ ୧୩ ଟି ଲୋକସଭା ଆସନ ଅଛି, ଏଠାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ ଅର୍ଥାତ ଜୁନ୍ ୧ ତାରିଖରେ ମତଦାନ ହେବ। ଯଦିଓ କଂଗ୍ରେସ ଏବଂ AAP I.N.D.I.A ର ଏକ ଅଂଶବିଶେଷ, ଉଭୟ ଦଳ ପଞ୍ଜାବରେ ଅଲଗା ଅଲଗା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

AAP ନେତା ଆତିଶୀଙ୍କ ବିରୋଧରେ ସମନ ଜାରି କଲେ କୋର୍ଟ, କେଜ୍ରିୱାଲ ମଧ୍ୟ ଅଭିଯୁକ୍ତ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି AAP ସରକାରରେ ଆମ୍ ଆଦମୀ ପାର୍ଟିର ନେତା ତଥା ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମାନହାନୀ ମାମଲାରେ ଆତିଶୀଙ୍କ ବିରୋଧରେ ଏହି ସମନ ଜାରି କରାଯାଇଛି। ଜୁନ୍ ୨୯ ତାରିଖରେ ଆତିଶୀଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି। ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅଭିଯୁକ୍ତ।

ଦିଲ୍ଲୀ ବିଜେପି ନେତା ପ୍ରବୀଣ ଶଙ୍କର କପୁର ଅରବିନ୍ଦ କେଜ୍ରିୱାଲ ଏବଂ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କ ବିରୋଧରେ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଆପ ନେତା ଆତିଶୀ ଅଭିଯୋଗ କରିଥିଲେ ଯେ, ଆମ୍ ଆଦମୀ ପାର୍ଟିର ବିଧାୟକ କିଣିବାକୁ ବିଜେପି ଚେଷ୍ଟା କରୁଛି। ଏହି ବିବୃତ୍ତି ବିରୋଧରେ ବିଜେପି ନେତା ମାନହାନି ମକଦ୍ଦମା ଦାୟର କରିଥିଲେ।

ଆତିଶୀଙ୍କ ସମସ୍ୟା ବଢିପାରେ:

ବିଜେପି ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁରଙ୍କ ମାନହାନୀ ମାମଲା ରାଉସ୍ ଆଭେନ୍ୟୁ କୋର୍ଟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ଆତିଶୀଙ୍କ ସମସ୍ୟା ବଢୁଥିବା ଜଣାପଡିଛି। ପଞ୍ଜାବରେ ଲୋକସଭା ଆସନ ପାଇଁ ଭୋଟ୍ ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବ। ଏଭଳି ସମୟରେ ଆତିଶୀଙ୍କ ବିରୋଧରେ ସମନ ଜାରି କରିବା ଦଳ ପାଇଁ ସମସ୍ୟା ବଢାଇପାରେ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ଜେଲରେ ଅଛନ୍ତି। ଏଥି ସହ ଉପ-ରାଜ୍ୟପାଳ ଭି.କେ ସକ୍ସେନା ଦିଲ୍ଲୀ ସରକାରଙ୍କ ବିରୋଧରେ ହୋଇଥିବା ଅନେକ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନରେ ଅଛନ୍ତି। ଉକ୍ତ ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମଧ୍ୟ ଜାମିନରେ ଅଛନ୍ତି। ଏହି ମାମଲାରେ ମନୀଷ ସିସୋଦିଆ ଏବେ ମଧ୍ୟ ଜେଲରେ ଅଛନ୍ତି। ଏଥି ସହିତ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ସତ୍ୟେନ୍ଦ୍ର ଜୈନ ଜେଲରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେଜ୍ରିୱାଲଙ୍କୁ PET-CT ସ୍କାନ କରିବାକୁ ଡାକ୍ତରଙ୍କ ପରାମର୍ଶ: AAP କହିଲା କର୍କଟ ରୋଗର ଲକ୍ଷଣ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନ୍ତରୀଣ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି। କାରଣ ତାଙ୍କୁ ଡାକ୍ତରୀ ପରୀକ୍ଷା କରିବାକୁ ପଡିବ। କେଜ୍ରିୱାଲ ତାଙ୍କ ପିଟିସନରେ କହିଛନ୍ତି ଯେ, PET-CT ସ୍କାନ ଏବଂ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷା କରିବା ପାଇଁ ତାଙ୍କର ଅନ୍ତରୀଣ ଜାମିନକୁ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ।

ଆମ୍ ଆଦମୀ ପାର୍ଟି କହିଛି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଦେଖାଯାଇଥିବା ଲକ୍ଷଣଗୁଡ଼ିକ କିଡନୀ ସମସ୍ୟା କିମ୍ବା କର୍କଟ ରୋଗକୁ ସୂଚାଉଛି। ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ପରେ, ମେ ୧୦ ତାରିଖରେ ଲୋକସଭା ନିର୍ବାଚନରେ ​​ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ମୋଦୀ ଜିତିଲେ, ଦେଶରେ ହେବ ନାହିଁ ନିର୍ବାଚନ, ସମସ୍ତ ବିରୋଧୀଙ୍କୁ ପଠାଇବେ ଜେଲ: କେଜ୍ରିୱାଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ଦିଲ୍ଲୀର ସାତୋଟି ଆସନରେ ମତଦାନ ଅନୁଷ୍ଠିତ ହେବ। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଦାବି କରିଛନ୍ତି। ଆମ୍ ଆଦମୀ ପାର୍ଟିର ସଂଯୋଜକ କେଜ୍ରିୱାଲ ଆଜି କହିଛନ୍ତି ଯେ, ମୋ ସହିତ ଯାହା ଘଟିଲା ତାହା ସମଗ୍ର ବିରୋଧୀଙ୍କ ପାଇଁ ଏକ ବାର୍ତ୍ତା।

AAP ନେତା କହିଛନ୍ତି ଯେ, ଯଦି ସେମାନେ (ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର) ଲୋକସଭା ନିର୍ବାଚନ ମଧ୍ୟରେ ମୋତେ ଗିରଫ କରିପାରନ୍ତି, ତେବେ ସେମାନେ କାହାକୁ ବି ଗିରଫ କରିପାରନ୍ତି। ଏହି ସମୟରେ ସେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

‘ଗୋଟିଏ ଦେଶ-ଗୋଟିଏ ନେତା ହେଉଛନ୍ତି ପିଏମ ମୋଦୀଙ୍କ ସ୍ୱତନ୍ତ୍ର ପ୍ରକଳ୍ପ’:

ଦିଲ୍ଲୀରେ ଓକିଲମାନଙ୍କର ଏକ ବୈଠକରେ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ପ୍ରକଳ୍ପ ବିଷୟରେ ପ୍ରକାଶ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଗୋଟିଏ ଦେଶ, ଗୋଟିଏ ନେତା – ପ୍ରଧାନମନ୍ତ୍ରୀ ଏହି ସ୍ୱତନ୍ତ୍ର ପ୍ରକଳ୍ପରେ କାମ କରୁଛନ୍ତି। ସେ କହିଛନ୍ତି ଯେ, ଏହି ମିଶନ ଅଧୀନରେ ସେମାନେ ସେହି ଲୋକଙ୍କୁ ଗିରଫ କରିବେ, ଯେଉଁମାନେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି।

‘ତେଜସ୍ୱୀ ଯାଦବ ଏବଂ ପି ବିଜୟନଙ୍କୁ ମଧ୍ୟ ଗିରଫ କରାଯିବ’:

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ସେ (ପିଏମ ମୋଦୀ) ମୋତେ ଗିରଫ କରିଛନ୍ତି। ହେମନ୍ତ ସୋରେନ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ସଞ୍ଜୟ ସିଂଙ୍କ ସହ ମମତା ବାନାର୍ଜୀ ଏବଂ ଏମ.କେ ଷ୍ଟାଲିନଙ୍କ ବହୁ ମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏହି ସମୟରେ କେଜ୍ରିୱାଲ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ସେ (ପି ମୋଦୀ) ପି ବିଜୟନ ଏବଂ ତେଜସ୍ୱୀ ଯାଦବଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ଦାୟର କରିଛନ୍ତି। ଉଭୟଙ୍କୁ ମଧ୍ୟ ଯେକୌଣସି ସମୟରେ ଗିରଫ କରାଯାଇପାରେ।

ସେ କହିଛନ୍ତି ଯେ, “ଉଦାହରଣ ସ୍ୱରୂପ ଋଷରେ ପୁଟିନ ସମଗ୍ର ବିରୋଧୀଙ୍କୁ ଜେଲରେ ବନ୍ଦୀ କରିଥିଲେ କିମ୍ବା ହତ୍ୟା କରିଥିଲେ ଏବଂ ଯେତେବେଳେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେତେବେଳେ ସେ ୮୭ ପ୍ରତିଶତ ଭୋଟ୍ ପାଇଥିଲେ। ବାଂଲାଦେଶରେ ଶେଖ ହସିନା ମଧ୍ୟ ସମାନ କାର୍ଯ୍ୟ କରିଥିଲେ। ଇମ୍ରାନ ଖାନଙ୍କୁ ପାକିସ୍ତାନ ଜେଲରେ ରଖାଯାଇଥିଲା। ବର୍ତ୍ତମାନ ଭାରତରେ ମଧ୍ୟ ସମାନ ଘଟଣା ଘଟିବାକୁ ଯାଉଛି।’’ କେଜ୍ରିୱାଲ କହିଛନ୍ତି ଯେ, ଯଦି ସେ ପୁଣି ଜିତନ୍ତି, ତେବେ ସେ ନିର୍ବାଚନ କରିବେ ନାହିଁ କିମ୍ବା ଯଦି ସେ ନିର୍ବାଚନ କରନ୍ତି, ତେବେ ସେ ପୁଟିନ କିମ୍ବା ହିଟଲର ଭଳି କରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଏହି ସବୁ ଦେଶରୁ ଅର୍ଥ ଗ୍ରହଣ କରିଛି AAP, ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ଚାର୍ଜ ସିଟ୍ ରେ ଆମ୍ ଆଦମୀ ପାର୍ଟି (ଏଏପି) କୁ ଅଭିଯୁକ୍ତ କରାଯାଇଛି। ଏହି ଚାର୍ଜସିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଏହି ସମୟରେ AAP ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ଆହୁରି ବଢୁଥିବା ଜଣାପଡିଛି। ବାସ୍ତବରେ ଇଡି ଅଗଷ୍ଟ ୨୦୨୨ରେ ଗୃହ ମନ୍ତ୍ରଣାଳୟକୁ କହିଥିଲା ​​ଯେ, ଆମ୍ ଆଦମୀ ପାର୍ଟି ୨୦୧୪ ରୁ ୨୦୨୨ ମଧ୍ୟରେ FCRA, RPA ଉଲ୍ଲଂଘନ କରି ବିଦେଶୀ ଦେଶରୁ ଅର୍ଥ ଗ୍ରହଣ କରିଥିଲା। ସୂଚନାଯୋଗ୍ୟ ଯେ, ରାଜନୈତିକ ଦଳମାନେ ବିଦେଶୀ ଦାନ ନେଇପାରିବେ ନାହିଁ।

ଆମ୍ ଆଦମୀ ପାର୍ଟି କାନାଡା, ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସାଉଦି ଆରବ, ୟୁଏଇ, କୁଏତ, ଓମାନ ଏବଂ ଅନ୍ୟାନ୍ୟ ଦେଶରୁ ଅର୍ଥ ଗ୍ରହଣ କରିଛି। ଇଡି ଗୃହ ମନ୍ତ୍ରଣାଳୟକୁ କହିଛି ଯେ, ରାଜନୈତିକ ଦଳମାନଙ୍କୁ ବିଦେଶୀ ଦାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଏଡାଇବା ପାଇଁ ଆମ୍ ଆଦମୀ ପାର୍ଟି ଦାତାମାନଙ୍କ ପରିଚୟକୁ ନିଜ ଆକାଉଣ୍ଟରେ ଲୁଚାଇ ରଖିଛି। ଏହି ବିଦେଶୀ ପାଣ୍ଠି ସିଧାସଳଖ ଆମ୍ ଆଦମୀ ପାର୍ଟିରେ ଖୋଲାଯାଇଥିବା ଆଇଡିବିଆଇ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି।

ଇଡି ଅନୁଯାୟୀ, ଆମ୍ ଆଦମୀ ପାର୍ଟିର ନେତାଙ୍କ ମଧ୍ୟରେ ବିଧାୟକ ଦୁର୍ଗେଶ ପାଠକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି, ଯିଏ ଏହି ବିଦେଶୀ ଅର୍ଥକୁ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରିଛନ୍ତି। ବିଦେଶରୁ ପାଣ୍ଠି ପଠାଉଥିବା ବିଭିନ୍ନ ବ୍ୟକ୍ତି ସମାନ ପାସପୋର୍ଟ ନମ୍ବର, କ୍ରେଡିଟ କାର୍ଡ, ଇମେଲ ଆଇଡି, ମୋବାଇଲ ନମ୍ବର ବ୍ୟବହାର କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ବୈଦେଶିକ ଯୋଗଦାନ ନିୟାମକ ଅଧିନିୟମ (FCRA) ଏବଂ ଲୋକ ପ୍ରତିନିଧୀ ଅଧିନିୟମ (ଆରପିଏ) ଅନୁଯାୟୀ ରାଜନୈତିକ ଦଳଗୁଡିକ ପାଇଁ ବିଦେଶୀ ଅର୍ଥ ନେବାକୁ ଏକ ନିଷେଧାଦେଶ ରହିଛି ଏବଂ ଏହା ଏକ ଅପରାଧ ଶ୍ରେଣୀରେ ଆସୁଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ଅନୁସନ୍ଧାନରୁ ଜଣାପଡିଛି ଯେ, ୨୦୧୬ ମସିହାରେ ଆମ୍ ଆଦମୀ ପାର୍ଟି ନେତା ଦୁର୍ଗେଶ ପାଠକ କାନାଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଅର୍ଥ ସଂଗ୍ରହ କରିଥିଲେ ଏବଂ ଏହି ଟଙ୍କାକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିଥିଲେ।

ଏହା କିପରି ପ୍ରକାଶ ପାଇଲା?:

ବାସ୍ତବରେ, ପଞ୍ଜାବର ଫାଜିଲ୍କା ଠାରେ ପଞ୍ଜୀକୃତ ହୋଇଥିବା ଏକ ଚୋରା ଚାଲାଣ ମାମଲାରେ ଏହି ସମସ୍ତ ତଥ୍ୟ ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ, ଏଜେନ୍ସିମାନେ ପାକିସ୍ତାନରୁ ଭାରତ ପର୍ଯ୍ୟନ୍ତ ଡ୍ରଗ୍ କାର୍ଟେଲ ଚୋରା ଚାଲାଣ ଉପରେ କାର୍ଯ୍ୟ କରୁଥିଲେ। ଏହି ମାମଲାରେ ଫାଜିଲ୍କାର ସ୍ୱତନ୍ତ୍ର କୋର୍ଟ ପଞ୍ଜାବର ଭୋଲାନାଥରୁ AAP ବିଧାୟକ ସୁଖପାଲ ସିଂ ଖଇରାଙ୍କୁ ଅଭିଯୁକ୍ତ କରି ସମନ କରିଥିଲେ।

ଯେତେବେଳେ ଇଡି ଅନୁସନ୍ଧାନ ସମୟରେ ଖଇରା ଏବଂ ତାଙ୍କ ସହଯୋଗୀମାନଙ୍କ ନିକଟରେ ସର୍ଚ୍ଚ ଅପରେସନ କରିଥିଲା, ସେତେବେଳେ ଖଇରା ଏବଂ ତାଙ୍କ ସହଯୋଗୀଙ୍କ ଘରୁ ଅନେକ ସନ୍ଦେହଜନକ ଦଲିଲ ମିଳିଥିଲା, ଯେଉଁଥିରେ ଆମ୍ ଆଦମୀ ପାର୍ଟିରେ ବିଦେଶୀ ପାଣ୍ଠି ବିଷୟରେ ସମ୍ପୂର୍ଣ୍ଣ ସୂଚନା ରହିଥିଲା। ପୁନରୁଦ୍ଧାର ହୋଇଥିବା ଦଲିଲଗୁଡ଼ିକ ମଧ୍ୟରେ ୪ ପ୍ରକାର ଲିଖିତ କାଗଜପତ୍ର ଏବଂ ୮ ଟି ହାତ ଲେଖା ଡାଏରୀ ପୃଷ୍ଠା ଥିଲା, ଯେଉଁଥିରେ ଆମେରିକୀୟ ଦାତା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ରହିଥିଲା।

ଏହି କାଗଜପତ୍ରର ଅନୁସନ୍ଧାନ ସମୟରେ, ଇଡି ଆମେରିକାର ଆମ୍ ଆଦମୀ ପାର୍ଟି ପର୍ଯ୍ୟନ୍ତ ୧ ଲକ୍ଷ ୧୯ ହଜାର ଡଲାରର ଅର୍ଥ ବିଷୟରେ ଜାଣିଥିଲା। ଖଇରା ତାଙ୍କ ବିବୃତ୍ତିରେ ମଧ୍ୟ କହିଛନ୍ତି ଯେ, ପଞ୍ଜାବରେ ୨୧୦୭ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଆମେରିକାରେ ପାଣ୍ଠି ସଂଗ୍ରହ ଅଭିଯାନ ଚଳାଇ ପାଣ୍ଠି ସଂଗ୍ରହ କରିଥିଲା।

ଏହି ପରିପ୍ରେକ୍ଷୀରେ ଇଡି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଚିବ ପଙ୍କଜ ଗୁପ୍ତାଙ୍କୁ ସମନ କରାଯାଇଥିଲା, ଯିଏ ଆମ୍ ଆଦମୀ ପାର୍ଟି ଚେକ୍ ଏବଂ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ବିଦେଶୀ ଅର୍ଥ ନେଉଛନ୍ତି ବୋଲି ସ୍ୱୀକାର କରିଛନ୍ତି। ପଙ୍କଜ ଗୁପ୍ତା ଇଡିଙ୍କୁ ଦେଇଥିବା ତଥ୍ୟର ଅନୁସନ୍ଧାନରୁ ଜଣାପଡିଛି ଯେ, ବିଦେଶୀ ଦାନ ଗ୍ରହଣ କରିବାରେ FCRA ଉଲ୍ଲଂଘନ କରାଯାଇଛି।

ସେହି ସମୟ ମଧ୍ୟରେ, ଇଡି ଜାଣିବାକୁ ପାଇଥିଲା ଯେ ବିଦେଶରେ ବସିଥିବା ୧୫୫ ଜଣ ଲୋକ ୫୫ ପାସପୋର୍ଟ ନମ୍ବର ବ୍ୟବହାର କରି ୪୦୪ ଥର ୧.୦୨ କୋଟି ଟଙ୍କା ଦାନ କରିଛନ୍ତି। ୨୧ ଟି ମୋବାଇଲ୍ ନମ୍ବର ବ୍ୟବହାର କରି ୨୫୬ ଥର ୭୧ ଦାତା ମୋଟ ୯୯୯୦୮୭୦ ଟଙ୍କା ଦାନ କରିଛନ୍ତି। ୧୫ ଟି କ୍ରେଡିଟ କାର୍ଡ ମାଧ୍ୟମରେ ୧୪୮ ଥର ୭୫ ଦାତା ୧୯,୯୨,୧୨୩ ଟଙ୍କା ଦାନ କରିଛନ୍ତି। ଯେଉଁଥିରୁ ଏହା ସ୍ପଷ୍ଟ ଯେ ଦାତାଙ୍କର ପରିଚୟ ଏବଂ ଜାତୀୟତା ଲୁଚି ରହିଥିଲା, ଯାହାକି FCRA ର ଉଲ୍ଲଂଘନ।

ଅନୁସନ୍ଧାନ ସମୟରେ, ଇଡି ଜାଣିବାକୁ ପାଇଲା ଯେ ଆମ୍ ଆଦମୀ ପାର୍ଟି ଦ୍ୱାରା AAP ଓଭରସିଜ୍ ଇଣ୍ଡିଆ ଗଠନ କରାଯାଇଛି। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଭଳି ବିଭିନ୍ନ ଦେଶରେ ଆମ୍ ଆଦମୀ ପାର୍ଟି ଓଭରସିଜ୍ ଇଣ୍ଡିଆ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଯାହାର କାମ ଥିଲା ଆମ୍ ଆଦମୀ ପାର୍ଟି ପାଇଁ ପାଣ୍ଠି ସଂଗ୍ରହ କରିବା। ଏହା ମଧ୍ୟ ପ୍ରକାଶ ପାଇଛି ଯେ ୨୦୧୬ ମସିହାରେ ଏହି ସ୍ୱେଚ୍ଛାସେବୀମାନଙ୍କୁ ୫୦ କୋଟି ଟଙ୍କା ଦାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଦିଆଯାଇଥିଲା।

କାନାଡା ନାଗରିକଙ୍କ ୧୯ ଟି ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ବ୍ୟବହାର କରି ୫୧ ଲକ୍ଷ ୧୫ ହଜାର ୪୪ ଟଙ୍କା ପାଣ୍ଠି ମିଳିଥିଲା। ଇଡି ଅନୁସନ୍ଧାନ ବେଳେ ଏହା ପ୍ରକାଶ ପାଇଲା ଯେ, ଏହି କାନାଡିୟ ନାଗରିକଙ୍କ ନାମ ଏବଂ ନାଗରିକତ୍ୱ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା, ଯାହା ରେକର୍ଡରେ ଲିପିବଦ୍ଧ ହୋଇନଥିଲା। ଏହି ଦାନ ପ୍ରତିବଦଳରେ ବିଭିନ୍ନ ନାମ ଲେଖାଯାଇଥିଲା ଏବଂ ବିଦେଶୀ ନାଗରିକତ୍ୱକୁ ଲୁଚାଇବା ପାଇଁ ଏହି ସବୁ ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଥିଲା, ଯାହାକି FCRA ୨୦୧୦ ର ଧାରା ୩ ଏବଂ ଆରପିଏର ଧାରା ୨୯୮ ର ସିଧାସଳଖ ଉଲ୍ଲଂଘନ ଅଟେ।

Categories
ଆଜିର ଖବର ଜାତୀୟ ଖବର

‘କେଜ୍ରିୱାଲଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ’: ଶୁଣାଣି ବେଳେ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତ କହିଛନ୍ତି ଯେ, କେଜ୍ରିୱାଲଙ୍କୁ ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ସିଏମ୍ କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି।

ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସେ ଏକ ମାସରୁ ଅଧିକ ସମୟ ଇଡି ହେପାଜତରେ ରହିଥିଲେ। ଏହି ସମୟ ମଧ୍ୟରେ ଗିରଫକୁ ଚ୍ୟାଲେଞ୍ଜ କରି କୋର୍ଟରେ କେଜ୍ରିୱାଲ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ। ତାଙ୍କ ଗିରଫ ବେଆଇନ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

‘ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ କରିବ ବିଜେପି, ମୁଖ୍ୟମନ୍ତ୍ରୀ ପଦବୀରୁ ହଟିବେ ଯୋଗୀ’, କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଯଦି ବିଜେପି ନିର୍ବାଚନରେ ​​ଜିତେ ତେବେ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମିତ ଶାହାଙ୍କ ପାଇଁ ଭୋଟ୍ ଚାହୁଁଛନ୍ତି। ଏହାସହିତ AAP ମୁଖ୍ୟ କହିଛନ୍ତି ଯେ, ବିଜେପି ଦୁଇ ମାସ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ପଦରୁ ହଟାଇବାକୁ ଯାଉଛି।

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି, ସେଥିପାଇଁ ୪୦୦ ଟି ଆସନର ସ୍ଲୋଗାନ ଦିଆଯାଉଛି। ତେବେ ସମ୍ବିଧାନର ସୁରକ୍ଷା କରୁଥିବା ଏକ ଦଳ ବୋଲି ବିଜେପି ପୂର୍ବରୁ ସ୍ପଷ୍ଟ କରିସାରିଛି। ଏଥିସହ ଏହା ମଧ୍ୟ କୁହାଯାଇଛି ଯେ, ଯଦି ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନରେ ​​ଜିତନ୍ତି ତେବେ ସେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ।

କେଜ୍ରିୱାଲ ଅମିତ ଶାହା ଏବଂ ଯୋଗୀଙ୍କ ନାମ ନେଇ ଏହି ଚାରିଟି କଥା କହିଥିଲେ:

AAP ମୁଖ୍ୟ କେଜ୍ରିୱାଲ କହିଛନ୍ତି ଯେ, “ଆଜି ମୁଁ ଲକ୍ଷ୍ନୌକୁ ଆସିଛି, ୟୁପି ଭୋଟରଙ୍କୁ ଇଣ୍ଡିଆ ମେଣ୍ଟକୁ ଭୋଟ୍ ଦେବାକୁ ଅନୁରୋଧ କରିଛି। ମୁଁ ଏଠାରେ ଚାରୋଟି ପ୍ରସଙ୍ଗ ବିଷୟରେ କହିବାକୁ ଚାହେଁ। ପ୍ରଥମେ ଏହି ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ମୋଦୀ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ କରିବେ। ଦ୍ୱିତୀୟରେ, ଯଦି ବିଜେପି କ୍ଷମତାକୁ ଆସେ ତେବେ ସିଏମ୍ ଯୋଗୀ ୨-୩ ମାସ ମଧ୍ୟରେ ତାଙ୍କ ପଦବୀରୁ ହଟାଯିବ, ତୃତୀୟରେ ସମ୍ବିଧାନ ବଦଳିବାକୁ ଯାଉଛି ଏବଂ ଚତୁର୍ଥ, ସେମାନେ ଏସସି ଏବଂ ଏସଟି ପାଇଁ ସଂରକ୍ଷଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି।”

କେଜ୍ରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅବସର ନେଇ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ, “ସେପ୍ଟେମ୍ବର ୧୭ ତାରିଖ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୫ ବର୍ଷ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଅମିତ ଶାହାଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କରିବାକୁ ୧୭ ସେପ୍ଟେମ୍ବର ୨୦୨୫ରେ ନିଷ୍ପତ୍ତି ନେଇଛନ୍ତି।

ବିଜେପି ୨୨୦ ରୁ କମ୍ ସିଟ୍ ପାଇବ: ଅରବିନ୍ଦ କେଜ୍ରିୱାଲ

ବିଜେପି କେତେ ଆସନ ପାଇବ ତାହା ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, “ଟ୍ରେଣ୍ଡରୁ ଜଣାପଡିଛି ଯେ ବିଜେପି ୨୨୦ ରୁ କମ୍ ସିଟ୍ ପାଉଛି। ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ୟୁପି, ବିହାର, ଝାଡଖଣ୍ଡ ଏବଂ ରାଜସ୍ଥାନରେ ସେମାନଙ୍କର ଆସନ ହ୍ରାସ ହେବାକୁ ଯାଉଛି। ବିଜେପି ସରକାର ଗଠନ ହୋଇପାରିବନାହିଁ। ସରକାର, ଇଣ୍ଡିଆ ମେଣ୍ଟ ଗଠନ କରିବାକୁ ଯାଉଛି।”

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ଅବକାରୀ ନୀତି ମାମଲାରେ AAP ମଧ୍ୟ ଅଭିଯୁକ୍ତ!, ହାଇକୋର୍ଟଙ୍କୁ କହିଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ, ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଅବକାରୀ ନୀତି ମାମଲାରେ ଦାଖଲ ହେବାକୁ ଥିବା ପରବର୍ତ୍ତୀ ଚାର୍ଜସିଟ୍ ରେ ଅଭିଯୁକ୍ତ କରାଯିବ। ଇଡି ଦିଲ୍ଲୀ ହାଇକୋର୍ଟଙ୍କୁ ମଧ୍ୟ କହିଛି ଯେ, ଅନେକ ଅଭିଯୁକ୍ତ ଏହି ମାମଲାର ଶୁଣାଣି ବିଳମ୍ବ କରିବାକୁ ଚେଷ୍ଟା କରୁଛନ୍ତି।

ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରୁଥିବା ବେଳେ ଇଡିଙ୍କ ଓକିଲ ଏହି ଯୁକ୍ତି ଦର୍ଶାଇଛନ୍ତି। ତେବେ ଇଡି ସିସୋଦିଆଙ୍କ ଜାମିନ ଆବେଦନକୁ ବିରୋଧ କରି କହିଛି ଯେ, ଅବକାରୀ ନୀତି ମାମଲାରେ ଶୁଣାଣି ବିଳମ୍ବ କରିବାକୁ ଅଭିଯୁକ୍ତଙ୍କ ମିଳିତ ଉଦ୍ୟମ ଚାଲିଛି।

ଅବକାରୀ ନୀତି କ’ଣ?:

୨୦୨୧ ମସିହାରେ ଦିଲ୍ଲୀ ସରକାର ଏକ ନୂତନ ଅବକାରୀ ନୀତି ପ୍ରଣୟନ କରିଥିଲେ। ୨୦୨୨ ସୁଦ୍ଧା, ଅବକାରୀ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାରେ ହୋଇଥିବା ଅନିୟମିତତା ସମ୍ପର୍କରେ ସିବିଆଇ ତଦନ୍ତ ପାଇଁ ଏଲଜି ଭି.କେ ସକ୍ସେନା ସୁପାରିଶ କରିଥିଲେ। ଏହା ପରେ ସିବିଆଇ ଏବଂ ଇଡି ମଧ୍ୟ ଅନିୟମିତତା ମାମଲା ରୁଜୁ କରିଥିଲେ। ଏହା ପରେ ଦିଲ୍ଲୀ ସରକାର ଅବକାରୀ ନୀତି ବାତିଲ କରିଥିଲେ।

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ:

ମାର୍ଚ୍ଚ ୨୦୨୪ ରେ ଦିଲ୍ଲୀ ଅବକାରୀ ନୀତିର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଦିଲ୍ଲୀ ହାଇକୋର୍ଟରେ ଗିରଫ କରିବାକୁ ଚ୍ୟାଲେଞ୍ଜ କରିଥିଲେ, ତାଙ୍କ ଆବେଦନକୁ ଖାରଜ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ତାଙ୍କୁ ଶୁକ୍ରବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କୁ ଜୁନ୍ ୨ ତାରିଖରେ ପୁଣି ଆତ୍ମସମର୍ପଣ କରିବାକୁ ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଦିଲ୍ଲୀର ମହିଳାମାନେ ଶୀଘ୍ର ପାଇବେ ପ୍ରତି ମାସରେ ୧୦୦୦ ଟଙ୍କା ଉପହାର: କେଜ୍ରିୱାଲଙ୍କ ଘୋଷଣା

ନୂଆଦିଲ୍ଲୀ: ସୋମବାର ଦିନ ଲୋକସଭା ନିର୍ବାଚନର ୯୬ ଟି ସଂସଦୀୟ ଆସନରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀର ଷଷ୍ଠ ପର୍ଯ୍ୟାୟରେ ଲୋକମାନେ ମେ ୨୫ ତାରିଖରେ ସାତୋଟି ସିଟ୍ ପାଇଁ ଭୋଟ୍ ଦେବେ। ଏହି ସମୟରେ ଜେଲରୁ ବାହାରିବା ପରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଆମ୍ ଆଦମୀ ପାର୍ଟିର ନିର୍ବାଚନ ପ୍ରଚାରକୁ ଆଗେଇ ନେବା ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଘୋଷଣା କରିଛନ୍ତି ଯେ, ଦିଲ୍ଲୀର ମହିଳାମାନେ ଶୀଘ୍ର ୧୦୦୦ ଟଙ୍କା ପାଇବେ।

ଆମ ଆଦମୀ ପାର୍ଟି ଦ୍ଵାରା ଆୟୋଜିତ ହୋଇଥିବା ନିର୍ବାଚନ ରାଲିରେ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ କହୁଛନ୍ତି ଯେ, ମୁଁ ଜେଲରେ ଥିବାବେଳେ ମଧ୍ୟ ମୁଁ ଆପଣଙ୍କ ବିଷୟରେ ଚିନ୍ତିତ ଥିଲି। ଏହି ସମୟରେ ସିଏମ କେଜ୍ରିୱାଲ ଏକ ରୋଡ ସୋ ସମୟରେ କହିଛନ୍ତି ଯେ, “ମୁଁ ଜେଲରେ ଥିବାବେଳେ ମଧ୍ୟ ମୋର ମା ଏବଂ ଭଉଣୀମାନେ ମାଗଣା ବସ୍ ଯାତ୍ରା କରୁଛନ୍ତି କି ନାହିଁ ମୁଁ ଚିନ୍ତିତ ଥିଲି। ପାଣି ଓ ବିଦ୍ୟୁତ୍ ସେମାନଙ୍କ ଘରେ ପହଞ୍ଚୁଛି ନା ନାହିଁ। ଆପଣମାନେ ଚିନ୍ତା କରନ୍ତୁ ନାହିଁ ମୁଁ ଶୀଘ୍ର ମୋ ଭଉଣୀମାନଙ୍କୁ ୧୦୦୦ ଟଙ୍କା ଦେବି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

‘ନିଜ ପାଇଁ ନୁହେଁ, ଅମିତ ଶାହାଙ୍କ ପାଇଁ ଭୋଟ୍ ମାଗୁଛନ୍ତି ମୋଦୀ’: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଜନତାଙ୍କ ସହ ଯୋଗ ଦେଇଛନ୍ତି। ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଏହି ଲୋକସଭା ନିର୍ବାଚନରେ ​​ସରକାର ବିଜେପି ଦ୍ୱାରା ନୁହେଁ ବରଂ ଇଣ୍ଡିଆ ଆଲାଇନ୍ସ ଦ୍ୱାରା ଗଠନ ହେବ। ତେବେ ସେ ଏକ ବଡ ଦାବି କରି କହିଛନ୍ତି ଯେ, ବିଜେପି ସରକାର ଗଠନ ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ନାହିଁ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ଏହି ଲୋକମାନେ (ବିଜେପି) ଇଣ୍ଡିଆ ସହଯୋଗୀ ଦଳକୁ ପଚାରନ୍ତି ତୁମର ପ୍ରଧାନମନ୍ତ୍ରୀ କିଏ, ମୁଁ ବିଜେପିକୁ ପଚାରୁଛି କିଏ ତୁମର ପ୍ରଧାନମନ୍ତ୍ରୀ ହେବ? ଲୋକମାନେ ନିଶ୍ଚିତ ଭାବରେ ଚିନ୍ତା କରୁଛନ୍ତି ଯେ, ଏହା କି ପ୍ରକାର ପ୍ରଶ୍ନ? ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ, କିନ୍ତୁ ଏହା ହେବ ନାହିଁ। ଏହାର କାରଣ ଦର୍ଶାଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, “ଆସନ୍ତା ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୫ ବର୍ଷ ବୟସ ହେଉଛି। ବିଜେପିରେ ପ୍ରଧାନମନ୍ତ୍ରୀ ନିଜେ ଏକ ନିୟମ କରିଛନ୍ତି ଯେ, ୭୫ ବର୍ଷରୁ ଅଧିକ ନେତାମାନେ ଅବସର ଗ୍ରହଣ କରିବେ।”

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ ସେମାନଙ୍କ ବୟସ ହେତୁ ଅବସର ନେଇଥିଲେ। ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କୁ ୭୫ ବର୍ଷ ବୟସ ହେବାକୁ ଯାଉଛି। ବର୍ତ୍ତମାନ ମୁଁ ବିଜେପିକୁ ପଚାରୁଛି ସେମାନଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ଅମିତ ଶାହାଙ୍କୁ ମୋଦୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରିବେ। ସେଥିପାଇଁ ସେ ନିଜ ପାଇଁ ଭୋଟ୍ ମାଗୁନାହାଁନ୍ତି, କିନ୍ତୁ ଅମିତ ଶାହାଙ୍କ ପାଇଁ ମାଗୁଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଯେତେବେଳେ ଆପଣ ବିଜେପିକୁ ଭୋଟ୍ ଦେବାକୁ ଯାଆନ୍ତି, ମନେରଖନ୍ତୁ ଯେ ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ନୁହେଁ ବରଂ ଅମିତ ଶାହାଙ୍କ ନାମରେ ଭୋଟ୍ ଦେଉଛନ୍ତି। ଏଥି ସହ ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଅବସର ନିଅନ୍ତି, ତେବେ ମୋଦୀଙ୍କ ଗ୍ୟାରେଣ୍ଟି କିଏ ପୂରଣ କରିବ?

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦଳର ବରିଷ୍ଠ ନେତାଙ୍କ ରାଜନୀତି ଶେଷ କରିଛନ୍ତି। ସେ କହିଛନ୍ତି ଯେ, “ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟ ପରେ ମଧ୍ୟ ଶିବରାଜ ସିଂ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନାହିଁ ଏବଂ ତାଙ୍କ ରାଜନୀତି ଶେଷ ହୋଇଛି। ବସୁନ୍ଧରା ରାଜେ, ମନୋହର ଲାଲ ଖଟ୍ଟର ଏବଂ ରମଣ ସିଂଙ୍କ ଭଳି ନେତାଙ୍କ ସହ ମଧ୍ୟ ସମାନ କାର୍ଯ୍ୟ କରାଯାଇଛି।”

Categories
ଆଜିର ଖବର ଜାତୀୟ ଖବର

AAP ବିଧାୟକ ଅମାନତୁଲ୍ଲା ଖାନଙ୍କୁ ବଡ ଆଶ୍ବସ୍ତି, ଅର୍ଥ ହେରଫେର ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ଵସ୍ତି ଦେଇଛନ୍ତି। ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅମାନତୁଲ୍ଲାଙ୍କୁ ୧୫ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି। ଏଏପି ବିଧାୟକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ସମନ ଉପରେ ହାଜର ନହେବାକୁ କୋର୍ଟରେ ଅଭିଯୋଗ କରାଯାଇଥିଲା, ଯାହା ପରେ ସେ କୋର୍ଟ ଦେଇଥିବା ସମନ ଉପରେ ହାଜର ହେବାକୁ ଆସିଥିଲେ।

ଶୁଣାଣି ସମୟରେ କୋର୍ଟ ଅମାନାତୁଲ୍ଲାଙ୍କୁ ଜାମିନ ପ୍ରଦାନ କରିଥିଲେ। କୋର୍ଟରେ ଏହି ଅର୍ଥ ହେରଫେର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ତାରିଖରେ ହେବ। ଅମାନତୁଲ୍ଲା ଖାନ ଦିଲ୍ଲୀର ଚହଲା ବିଧାନସଭା ଆସନରୁ ଜଣେ ବିଧାୟକ। ୨୦୧୫ ଏବଂ ୨୦୨୦ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଅମାନତୁଲ୍ଲା ଓଖଲା ଆସନରୁ ନିର୍ବାଚନରେ ​​ଜିତିଥିଲେ। ସେ ଅନେକ ସମୟରେ ବିବାଦରେ ରୁହନ୍ତି। ଉତ୍ତରପ୍ରଦେଶର ମେରଠରେ ଜନ୍ମିତ ଅମାନତୁଲ୍ଲା, ତାଙ୍କ ବିବୃତ୍ତି ଯୋଗୁଁ ସବୁବେଳେ ପ୍ରତିଦ୍ୱନ୍ଦ୍ୱୀଙ୍କ ଟାର୍ଗେଟକୁ ଆସନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା, ବିଧାୟକ ଅମାନତୁଲ୍ଲା ଖାନ ଗିରଫ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ PMLA ଅଧୀନରେ ଗିରଫ କରାଯାଇଛି। ପ୍ରାୟ ୯ ଘଣ୍ଟାର ଜେରା ପରେ ଇଡି ତାଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଦିନ ବିଧାୟକ ଅମାନତୁଲ୍ଲା ଖାନ ଜେରା ପାଇଁ ଇଡିରେ ହାଜର ହୋଇଥିଲେ।

ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ୍ ଭାବରେ ୩୨ ଜଣଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଥିବା ଆମ୍ ଆଦମୀ ପାର୍ଟି ନେତା ତଥା ବିଧାୟକ ଅମାନତୁଲ୍ଲା ଖାନଙ୍କ ଉପରେ ଅଭିଯୋଗ ହୋଇଥିଲା। ଏହା ସହିତ ସେ ବେଆଇନ ଭାବେ ଦିଲ୍ଲୀ ୱାକଫ ବୋର୍ଡର ଅନେକ ସମ୍ପତ୍ତି ଭଡା ଉପରେ ଦେଇଛନ୍ତି। ଏହାସହ ସେ ଦିଲ୍ଲୀ ୱାକଫ ବୋର୍ଡର ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ୱାକଫ ବୋର୍ଡର ତତ୍କାଳୀନ ସିଇଓ ଏଭଳି ବେଆଇନ ନିଯୁକ୍ତି ବିରୋଧରେ ଏକ ବିବୃତ୍ତି ଦେଇଥିଲେ।

ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନ ଗିରଫ ହେବା ପରେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏବଂ ଦିଲ୍ଲୀ ସରକାରୀ ମନ୍ତ୍ରୀ ଅତିଶୀ ତାଙ୍କ ଘରକୁ ଯାଇଥିଲେ। ରାଜ୍ୟସଭା ସାଂସଦ ସଞ୍ଜୟ ସିଂ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, “ମୋଦୀ ସରକାର ଅପରେସନ୍ ଲୋଟସରେ ସମ୍ପୃକ୍ତ ଅଛନ୍ତି। ନକଲି ମାମଲା ରୁଜୁ କରି ମନ୍ତ୍ରୀ ତଥା ବିଧାୟକଙ୍କୁ ଗିରଫ କରାଯାଉଛି। ଅମାନତୁଲ୍ଲା ଖାନଙ୍କ ବିରୋଧରେ ଭିତ୍ତିହୀନ ମାମଲା ରୁଜୁ ହୋଇଛି।”

ଏହି ମାମଲାରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ସେପ୍ଟେମ୍ବର ୨୦୨୨ ରେ ଅମାନତୁଲ୍ଲା ଖାନଙ୍କୁ ପଚରାଉଚରା କରିଥିଲା। ଏହାକୁ ଆଧାର କରି ଏସିବି ଚାରୋଟି ସ୍ଥାନରେ ଚଢାଉଉ କରିଥିଲା, ​​ଯେଉଁଠାରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ବ୍ୟତୀତ ଦୁଇଟି ବେଆଇନ ତଥା ଲାଇସେନ୍ସପ୍ରାପ୍ତ ପିସ୍ତଲ, କାର୍ଟ୍ରିଜ ଏବଂ ଗୁଳି ଜବତ କରାଯାଇଥିଲା।

ଏହା ପରେ ଅମାନତୁଲ୍ଲାଙ୍କ ବିରୋଧରେ ପ୍ରମାଣ ଏବଂ ଆପତ୍ତିଜନକ ଜିନିଷ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ୨୮ ଡିସେମ୍ବର ୨୦୨୨ରେ ଜାମିନରେ ମୁକ୍ତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଅବକାରୀ ନୀତି ମାମଲା: ଏପ୍ରିଲ ୧୫ ଯାଏଁ ସିବିଆଇ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ଦୁର୍ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କେ କବିତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି କବିତାଙ୍କୁ ସିବିଆଇ ହେପାଜତକୁ ପଠାଇଛନ୍ତି। ତାଙ୍କୁ ଜେରା ପାଇଁ ସିବିଆଇ ୫ ଦିନ ରିମାଣ୍ଡ ମାଗିଥିଲା, କିନ୍ତୁ କୋର୍ଟ ୩ ଦିନ ରିମାଣ୍ଡରେ ଦେଇଛନ୍ତି। ସିବିଆଇ କହିଛି ଯେ, ଅବକାରୀ ନୀତି ସହ ଜଡିତ ଷଡଯନ୍ତ୍ରକୁ ପ୍ରକାଶ କରିବା ପାଇଁ ପ୍ରମାଣ ସହ କବିତାଙ୍କୁ ସାମ୍ନା କରିବାର ଆବଶ୍ୟକତା ରହିଛି।

ସିବିଆଇ କହିଛି ଯେ, କେ କବିତା AAP କୁ ଲାଞ୍ଚ ପ୍ରଦାନ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନାହାଁନ୍ତି। ଅନ୍ୟପକ୍ଷରେ କେ କବିତାଙ୍କ ଓକିଲ ସିବିଆଇର ଏହି କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିଛନ୍ତି। ସେ ତଦନ୍ତକାରୀ ସଂସ୍ଥାକୁ ମୌଳିକ ଅଧିକାରର ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।

ଗତକାଲି ସିବିଆଇ ଗିରଫ କରିଥିଲା:

ଏପ୍ରିଲ ୧୧ ତାରିଖରେ ସିବିଆଇ କେ କବିତାଙ୍କୁ ତିହାର ଜେଲରେ ଗିରଫ କରାଯାଇଥିଲା। ରିମାଣ୍ଡରେ ନେବା ପରେ କବିତାଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯିବ ଏବଂ ସେଠାରେ ତାଙ୍କୁ ଜେରା କରାଯିବ। ଏହାପୂର୍ବରୁ ସିବିଆଇ ଏପ୍ରିଲ ୬ ତାରିଖରେ ତିହାରରେ କବିତାଙ୍କୁ ଜେରା କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଷଡଯନ୍ତ୍ର: ଆପ ନେତା ଆତିଶି

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଏଏପି ନେତା ଆତିଶି କହିଛନ୍ତି ଯେ, ଦିଲ୍ଲୀର ସରକାରୀ କର୍ମଚାରୀମାନେ ବୈଠକରେ ଯୋଗଦେବା ବନ୍ଦ କରି ଦେଇଛନ୍ତି। ଏହି ସବୁ ଜିନିଷ ଦର୍ଶାଉଛି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ହଟାଇବା ଏବଂ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦିଲ୍ଲୀରେ ଏକ ଷଡଯନ୍ତ୍ର ଚାଲିଛି। ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ବର୍ତ୍ତମାନ ଜେଲରେ ଅଛନ୍ତି।

ଆତିଶି କହିଛନ୍ତି ଯେ, “ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧରେ ଏକ ବିରାଟ ରାଜନୈତିକ ଷଡଯନ୍ତ୍ର ପ୍ରସ୍ତୁତ କରାଯାଉଛି। ଆସନ୍ତା କିଛି ଦିନ ମଧ୍ୟରେ ବିଜେପି ଶାସିତ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀରେ କୌଣସି ଅଧିକାରୀଙ୍କ ନିଯୁକ୍ତି ହୋଇନାହିଁ। ଦିଲ୍ଲୀରେ ଅନେକ ବିଭାଗ ଖାଲି ଅଛି। ଗତ ଏକ ସପ୍ତାହ ଧରି ଏଲଜି ସାହେବ ବିନା କାରଣରେ ଦିଲ୍ଲୀ ସରକାରଙ୍କ ବିରୋଧରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ୨୦ ବର୍ଷ ପୁରୁଣା ମାମଲା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ସଚିବକୁ ବରଖାସ୍ତ କରାଯାଇଛି। ଏସବୁ ଦର୍ଶାଉଛି ଯେ, ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଷଡଯନ୍ତ୍ର କରାଯାଉଛି।

ଦିଲ୍ଲୀ ସରକାରର ମନ୍ତ୍ରୀ ଅତିଶୀ କହିଛନ୍ତି ଯେ, “… ବିଜେପି ଜାଣେ ଯେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିପାରିବେ ନାହିଁ। ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଭଲ ପାଆନ୍ତି, ଦିଲ୍ଲୀର ଲୋକମାନେ ଆମ ଆଦମୀ ପାର୍ଟିକୁ ଭଲ ପାଆନ୍ତି। ବିଜେପିର ସମସ୍ତ ସମ୍ଭାବ୍ୟ ଉଦ୍ୟମ ସତ୍ତ୍ୱେ ଦିଲ୍ଲୀର ଲୋକମାନେ AAP କୁ ଭୋଟ୍ ଦିଅନ୍ତି।”

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଦଳ ଆଉ ଦିଲ୍ଲୀ ସରକାରରୁ ଇସ୍ତଫା ଦେଲେ ରାଜକୁମାର ଆନନ୍ଦ: ଆମ୍ ଆଦମୀ ପାର୍ଟିକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରୀ ମନ୍ତ୍ରୀ ରାଜକୁମାର ଆନନ୍ଦ ଇସ୍ତଫା ଦେଇଛନ୍ତି। ରାଜକୁମାର ଆନନ୍ଦ ଦିଲ୍ଲୀ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ପଦରେ ଥିଲେ। ନଭେମ୍ବର ୨୦୨୩ ରେ, ଇଡି ରାଜକୁମାର ଆନନ୍ଦଙ୍କ ଘରେ ଚଢାଉ କରିଥିଲା। ବର୍ତ୍ତମାନ ସେ ଉଭୟ ଆମ୍ ଆଦମୀ ପାର୍ଟି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୦ ମସିହାରେ ରାଜକୁମାର ଆନନ୍ଦ ଆମ୍ ଆଦମୀ ପାର୍ଟି ଟିକେଟରେ ପଟେଲ ନଗରରୁ ବିଧାୟକ ହୋଇଥିଲେ।

ଦଳରୁ ଇସ୍ତଫା ଦେବାବେଳେ ପୂର୍ବତନ ମନ୍ତ୍ରୀ ରାଜକୁମାର ଆନନ୍ଦ କହିଛନ୍ତି ଯେ, ‘ମୁଁ ଦିଲ୍ଲୀ ସରକାରରେ ଜଣେ ମନ୍ତ୍ରୀ ଏବଂ ମୋର ସାତୋଟି ପୋର୍ଟଫୋଲିଓ ଅଛି। କିନ୍ତୁ ଆଜି ମୁଁ ବହୁତ ଦୁଃଖିତ। ମୁଁ ଯେତେବେଳେ ରାଜନୀତିରେ ପ୍ରବେଶ କଲି ସେତେବେଳେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ରାଜନୀତିରେ ପରିବର୍ତ୍ତନ ହେଲେ ଦେଶ ବଦଳିଯିବ। ତେବେ ଆଜି ବହୁତ ଦୁଃଖର ସହ କହିବାକୁ ପଡୁଛି ଯେ, ରାଜନୀତିର ପରିବର୍ତ୍ତନ ହୋଇନାହିଁ କିନ୍ତୁ ରାଜନେତା ବଦଳିଯାଇଛନ୍ତି।

ରାଜକୁମାର ଆନନ୍ଦ କହିଛନ୍ତି ଯେ, ‘ଆମ୍ ଆଦମୀ ପାର୍ଟି ଦୁର୍ନୀତି ବିରୋଧରେ ଆନ୍ଦୋଳନରୁ ଜନ୍ମ ନେଇଥିଲା, କିନ୍ତୁ ଆଜି ଏହି ଦଳ ନିଜେ ଦୁର୍ନୀତିର ଶିକାର ହୋଇ ରହିଛି। ମନ୍ତ୍ରୀ ପଦବୀରେ ଥିବାବେଳେ ଏହି ସରକାରରେ କାମ କରିବା ମୋ ପାଇଁ ଅସହଜ ହୋଇଛି। ମୁଁ ବର୍ତ୍ତମାନ ଏହି ଦଳ, ଏହି ସରକାର ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। କାରଣ ମୁଁ ଚାହୁଁ ନାହିଁ ଯେ, ମୋର ନାମ ସେମାନଙ୍କ ଦୁର୍ନୀତି ସହ ଜଡିତ ହେଉ।

ଉଲ୍ଲେଖ ଯୋଗ୍ୟ ଯେ, ରାଜକୁମାର ଆନନ୍ଦ ନିକଟରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ ପୋଷ୍ଟ କରିଥିଲେ। ସଞ୍ଜୟ ସିଂଙ୍କ ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓ ସେୟାର କରି ସେ କ୍ୟାପସନ ଲେଖିଥିଲେ ଯେ, ‘ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏବଂ ଜଣେ ସାଂସଦଙ୍କୁ ସାକ୍ଷାତ ପାଇଁ ଟୋକେନ୍ ନମ୍ବର ଦିଆଯିବା କେତେ ହାସ୍ୟାସ୍ପଦ। ଏବଂ ତା’ପରେ ବୈଠକ ମଧ୍ୟ ବାତିଲ କରିଦିଆଯାଏ। ମୋଦୀ ସରକାରଙ୍କ ଚାପରେ ତିହାର ଜେଲର ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ଏହି ପୋଷ୍ଟର ଏକ ଘଣ୍ଟା ପରେ ରାଜକୁମାର ଆନନ୍ଦ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି।