Categories
ଆଜିର ଖବର ଜାତୀୟ ଖବର

ସରିଲା ପ୍ରଚାର : ଅପେକ୍ଷା ଏବେ ଫେବୃଆରୀ 11କୁ

ନୂଆଦିଲ୍ଲୀ : ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟା 5ଟାରେ ପ୍ରଚାର ଶେଷ ହୋଇଛି ।  ଦିଲ୍ଲୀ ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି ଓ ବିଜେପି ବହୁତ ପରିଶ୍ରମ କରିଛନ୍ତି। କଂଗ୍ରେସ ପ୍ରଚାରର ଅନ୍ତିମ ସମୟରେ ଜୋର୍‌ସୋର୍‌ରେ ପ୍ରଚାର ଅଭିଯାନ ଚଳାଇଥିଲା । ଏବେ ଅପେକ୍ଷା ଫେବୃଆରୀ 11କୁ ଅପେକ୍ଷା । ଦିଲ୍ଲୀବାସୀଙ୍କ ଦିଲ୍‌ରେ କିଏ ରହିବେ, ସେ ନେଇ ଆସିବ ଫଳାଫଳ ।

ଦିଲ୍ଲୀରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଥିବାବେଳେ ବିଶେଷ କରି ଆପ୍‌ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବ । ଆମ୍‌ଆଦ୍‌ମୀ ତରଫରୁ ପ୍ରଚାରର କମାଣ ରାଜ୍ୟ ମୁଖିଆ ତଥା ଦଳର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ସମ୍ଭାଳିଥିବାବେଳେ ଅାପ୍‌ ତରଫରୁ ମନୀଷ୍‌ ସିସୋଦିଆ, ସଂଜୟ ସିଂହ, ସୌରଭ ଭରଦ୍ବାଜ, ସତ୍ୟେନ୍ଦ୍ର ଜୈନ୍‌ଙ୍କ ପରି ଆପ୍‌ର ବହୁ ଲୋକପ୍ରିୟ ନେତା ପ୍ରଚାର କରି ଭୋଟ୍‌ ମାଗିଛନ୍ତି । ଆପ୍‌ ନିର୍ବାଚନୀ ପ୍ରଚାର ସର୍ବପ୍ରଥମେ ଆରମ୍ଭ କରିଥିବାବେଳେ  ବିଜେପି ମଧ୍ୟ ଧୁଆଁଧାର୍‌ ପ୍ରଚାର କରିଛି । ବିଜେପି ଦିଲ୍ଲୀ ବିଧାନସଭା ପାଇଁ ଜବଦରସ୍ତ ପ୍ରଚାର କରିଛି । ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହା, ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହ୍ବାନ୍‌, ନୀତିଶ୍‌ କୁମାରଙ୍କ ପରି କେତେ ବଡ ବଡ଼ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ତେବେ ବିଜେପିର ନେତାମାନଙ୍କର ତୁଣ୍ଡରେ ବାଡ ବତା ରହୁନଥିବାର ପରିଲକ୍ଷିତ ହୋଇଥିଲା । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ନେତାମାନେ ବହୁ ବିବାଦୀୟ ବୟାନ ଦେଇଛନ୍ତି । ବିଜେପି ପୂର୍ବାଞ୍ଚଳ ଭୋଟ୍‌ ହାତେଇବା ପାଇଁ ନିର୍ବାଚନୀ ପ୍ରଚାରରେ ଭୋଜପୁରୀ ସିନେମାର କିଛି ଚର୍ଚ୍ଚିତ ଚେହେରାଙ୍କୁ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ସେହିପରି କଂଗ୍ରେସ ନିର୍ବାଚନୀ ପ୍ରଚାର ପୂରା ଧୀରେସ୍ତିରେ ଆରମ୍ଭ କରିଥିଲା । କିନ୍ତୁ ପ୍ରଚାରର ଶେଷ ଦିନଗୁଡ଼ିକରେ ବହୁ ବଡ ବଡ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ରାହୁଲ୍‌ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରଚାରର ଶେଷଭାଗକୁ ଓହ୍ଲାଇ ଆପ୍‌ ଓ ବିଜେପିକୁ ଟାର୍ଗେଟ୍‌ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜାମିଆ ମାଲିଆ ଇସ୍‌ଲାମିଆରେ ଗୁଳିଚାଳନା ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏକ ବୈଠକ ଡକାଇଛନ୍ତି । ଦିଲ୍ଲୀ ପୋଲିସ୍‌ର ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଗୁଳିଚାଳନାକୁ ନେଇ ଉଭୟ ବିଜେପି ଏବଂ ଆପ୍‌ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ନିର୍ବାଚନ କମିଶନ ବୈଠକ ଡକାଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଗୁଳି ଚଳାଇବାର କିଛି ସମୟ ପୂର୍ବରୁ ଫେସ୍‌ବୁକ୍‌ରେ ଲାଇଭ୍‌ ଯାଇ ଗୁଳି ମାରିବା ନେଇ ଘୋଷଣା କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଆରମ୍ଭ ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଜାନୁଆରୀ 21 ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ। ଜାନୁଆରୀ 22ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଜାନୁଆରୀ 24 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ନିର୍ବାଚନ ଆୟୋଗ ତରଫରୁ 36ଟି ନିର୍ବାଚନ ଅଫିସ୍‌ କରାଯାଇଛି । ଦିଲ୍ଲୀର 11ଟି ଜିଲ୍ଲାରେ ନିର୍ବାଚନ ଅଧିକାରୀ ନାମାଙ୍କନ ପତ୍ର ଦାଖଲ ପାଇଁ କାର୍ଯ୍ୟ କରିବେ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ 8 ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏବଂ ଫେବୃଆରୀ 11 ତାରିଖରେ ଫଳାଫଳ ଘୋଷଣା ହେବ । ଚଳିତ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଫେବୃଆରୀ 22 ତାରିଖରେ ଶେଷ ହେବ ।

2015 ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ 924ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ 231ଜଣଙ୍କ ଖାରଜ ହୋଇଥିଲା। 673ଜଣ 2015 ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେହିପରି 1993ରେ ସବୁଠାରୁ ଅଧିକ ପ୍ରାର୍ଥୀ ଏହି ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । 1993ରେ ହୋଇଥିବା ପ୍ରଥମ ନିର୍ବାଚନରେ 1,316ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ ଓହ୍ଲାଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନେତାଙ୍କ ଦଳବଦଳକୁ ନେଇ ଦିଲ୍ଲୀ ରାଜନୀତି ସରଗରମ : ଆପ୍‌କୁ ଟାର୍ଗେଟ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ : ରାଜନୀତିରେ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଏକ ସ୍ବାଭାବିକ ପ୍ରକ୍ରିୟା । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ତିନି ନେତା ଆପ୍‌ରେ ସାମିଲ୍‌ ହୋଇଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନୋମିନେସନ୍‌ ପ୍ରକ୍ରିୟା ଆରମ୍ଭ ହେବାର ଗୋଟିଏ ଦିନର ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟିକୁ ବଡ ସଫଳତା ମିଳିଛି । ଆପ୍‌ରେ ତିନି କଂଗ୍ରେସ ନେତା ବିନୟ ମିଶ୍ର, ରାଜକୁମାରୀ ଢିଲୋ, ଦୀପୁ ଚେୌଧୁରୀ ସମେତ ପୂର୍ବତନ ବିଧାୟକ ରାମ ସିଂହ ଆପ୍‌ରେ ଯୋଗ ଦେଇଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ତେବେ କଂଗ୍ରେସ ଏହାକୁ ନେଇ ଆପ୍‌କୁ ଟାର୍ଗେଟ୍‌ କରିଛି । ଦିଲ୍ଲୀ ପ୍ରଦେଶ କଂଗ୍ରେସ କହିଛି ଯେ, ଦଳ ଯେଉଁମାନଙ୍କୁ ଟିକେଟ ଦେବାକୁ ମନା କଲା କେଜରୀଓ୍ବାଲ ତାଙ୍କୁ ତାଙ୍କ ଦଳରେ ସାମିଲ୍‌ କରାଇଛନ୍ତି । ଆପ ପାଖରେ 70ଜଣ ପ୍ରାର୍ଥୀ ନାହାନ୍ତି ବୋଲି କଟାକ୍ଷ କରିଛି କଂଗ୍ରେସ । କଂଗ୍ରେସର ନେତା ମୁକେଶ ଶର୍ମା କହିଛନ୍ତି ଯେ, ଆମ୍‌ ଆଦ୍‌ମୀ ପାର୍ଟିର ସ୍ଥିତି ବହୁତ ଖରାପ ରହିଛି, ସେଥିପାଇଁ କଂଗ୍ରେସର ରିଜେକ୍ଟେଡ୍‌ ମାଲ୍‌କୁ ନେଉଛି । ଆମକୁ 70 ଜଣ ପ୍ରାର୍ଥୀ ନିମେନ୍ତ 600ରୁ ଅଧିକ ଜଣ ଟିକେଟ ପାଇଁ ଆବେଦନ କରିଛନ୍ତି । କେଜରୀଓ୍ବାଲଙ୍କ ଅହଂକାର ଓ ଗର୍ବ ତାଙ୍କୁ କ୍ଷମତାରୁ ବାହାର କରିବା । ଆମ ସହିତ ଏୟା ବି ହୋଇଥିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିବାରୁ ଏବେ ଦଳରେ ଟିକେଟ ବଣ୍ଟାକୁ ନେଇ ଜୋଡ୍‌-ତୋଡ୍‌ର ରାଜନୀତି ଆରମ୍ଭ ହୋଇଛି । କଂଗ୍ରେସର କିଛି ବରିଷ୍ଠ ନେତା ତାଙ୍କ ପୁଅ-ଝିଅ ତାଙ୍କ ପିତା ଓ ପରିବାରର ରାଜନୀତି ସାମ୍ରାଜ୍ୟକୁ ଆଗକୁ ନେବା ପାଇଁ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ ରିଲିଜ୍ ହେଲା ଆମ ଆଦମୀ ପାର୍ଟିର ଥିମ୍ ସଂଗୀତ “ଲଗେ ରହୋ କେଜ୍ରିୱାଲା”

ନୂଆଦିଲ୍ଲୀ-ଧିରେ ଧିରେ ଦିଲ୍ଲୀ ନିର୍ବାଚନ ସରଗରମ ହେବାରେ ଲାଗିଛି। ସେଥିପାଇଁ ବିଭିନ୍ନ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଶାସକ ଆମ ଆଦମୀ ପାର୍ଟି ଏହି ପ୍ରଚାରରେ ଟିକିଏ ଆଗରେ ରହିଛି। ଦିଲ୍ଲୀ ଜନସାଧାରଣଙ୍କୁ ଆପ ର ସଫଳତା ସଂପର୍କରେ ଅବଗତ କରାଇବା ପାଇଁ ଦଳ ରିଲିଜ କରିଛି ଥିମ୍ ସଂଗୀତ “ଲଗେ ରହୋ କେଜ୍ରିୱାଲା”। ଏହାର ସଂଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଛନ୍ତି ବିଶାଳ ଦାଦଲାନୀ।

ବିଶାଳ ଆପ୍ ପାଇଁ ଗତ 2015 ନିର୍ବାଚନରେ ମଧ୍ୟ ପାର୍ଟିର ଥିମ ସଂଗୀତ କରିଥିଲେ, ଯାହାର ଶୀର୍ଷକ ଥିଲା “ପାଞ୍ଚ ସାଲ୍, କେଜ୍ରିୱାଲ୍”। ବର୍ତ୍ତମାନ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିବା ଏହି ସଂଗୀତରେ କେଜ୍ରିୱାଲ ସରକାରର ଗତ ପାଞ୍ଚ ବର୍ଷର ସଫଳତାକୁ ସଂଗୀତ ମାଧ୍ୟମରେ ଉପସ୍ଥାପନା କରାଯାଇଛି। ଯାହା କି ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି ଦଳ ଆଶା କରିଛି। ଏହି ସଂଗୀତ କେବଳ ଯେ, ଦିଲ୍ଲୀ ଲୋକଙ୍କ ସ୍ବର ନୁହେଁ ବଂର ଆସନ୍ତା ପାଞ୍ଚ ବର୍ଷରେ ଆପ ଦଳ କଣ କରିବ ତାହାର ମଧ୍ୟ ଏହା ଥିମ୍ ସଂଗୀତ ହେବ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ନୂଆଦିଲ୍ଲୀର ଏକ ରଂଗାରଂଗ ପରିବେଷରେ ଏହି ଭିଡିଓ ସଂଗୀତକୁ ଆପ୍ ଦଳର ପ୍ରମୁଖ ନେତାମାନେ ଲୋକାର୍ପଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ଘୋଷଣା ହେବ ଦିଲ୍ଲୀ ନିର୍ବାଚନ ତାରିଖ

ନୂଆଦିଲ୍ଲୀ,06/01: ଆଜି ଘୋଷଣା ହେବ ଦିଲ୍ଲୀର ନିର୍ବାଚନ ତାରିଖ । ଅପରାହ୍ନ 3.30 ମିନିଟ୍‌ରେ ଦିଲ୍ଲୀ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି । ଚଳିତ ସରକାରଙ୍କ କାର୍ଯ୍ୟକାଳ ଫେବୃୟାରୀ 22ରେ ଶେଷ ହେବାକୁ ଯାଉଛି । ତେଣୁ 22 ତାରିଖ ପୂର୍ବରୁ ନିର୍ବାଚନ ଫଳାଫଳ ବାହରିବାର ଅନୁମାନ ରଖାଯାଉଛି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍‌ର 67 ବିଧାୟକ ରହିଥିବା ବେଳେ ବିଜେପି ଏବଂ କଂଗ୍ରେସର 3 ସଦସ୍ୟ ରହିଛନ୍ତି । 2019 ଲୋକସଭା ନିର୍ବାଚନର ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ନିକଟକରେ ସମାପ୍ତ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ଦଳ ପରାଜୟ ଲାଭ କରିଥିଲା । ଉଭୟ ବିଜେପି ଏବଂ ଆପ୍‌ ସରକାର ଗଠନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ସିଏଏକୁ ନେଇ ଜନସାଧାରଣଙ୍କ ନିକଟକୁ ଯିବ ବୋଲି ଜଣାପଡିଛି । (ଏଜେନ୍ସୀ)