ସରିଲା ପ୍ରଚାର : ଅପେକ୍ଷା ଏବେ ଫେବୃଆରୀ 11କୁ

Published: Feb 6, 2020, 6:35 pm IST

ନୂଆଦିଲ୍ଲୀ : ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟା 5ଟାରେ ପ୍ରଚାର ଶେଷ ହୋଇଛି ।  ଦିଲ୍ଲୀ ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି ଓ ବିଜେପି ବହୁତ ପରିଶ୍ରମ କରିଛନ୍ତି। କଂଗ୍ରେସ ପ୍ରଚାରର ଅନ୍ତିମ ସମୟରେ ଜୋର୍‌ସୋର୍‌ରେ ପ୍ରଚାର ଅଭିଯାନ ଚଳାଇଥିଲା । ଏବେ ଅପେକ୍ଷା ଫେବୃଆରୀ 11କୁ ଅପେକ୍ଷା । ଦିଲ୍ଲୀବାସୀଙ୍କ ଦିଲ୍‌ରେ କିଏ ରହିବେ, ସେ ନେଇ ଆସିବ ଫଳାଫଳ ।

ଦିଲ୍ଲୀରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଥିବାବେଳେ ବିଶେଷ କରି ଆପ୍‌ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବ । ଆମ୍‌ଆଦ୍‌ମୀ ତରଫରୁ ପ୍ରଚାରର କମାଣ ରାଜ୍ୟ ମୁଖିଆ ତଥା ଦଳର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ସମ୍ଭାଳିଥିବାବେଳେ ଅାପ୍‌ ତରଫରୁ ମନୀଷ୍‌ ସିସୋଦିଆ, ସଂଜୟ ସିଂହ, ସୌରଭ ଭରଦ୍ବାଜ, ସତ୍ୟେନ୍ଦ୍ର ଜୈନ୍‌ଙ୍କ ପରି ଆପ୍‌ର ବହୁ ଲୋକପ୍ରିୟ ନେତା ପ୍ରଚାର କରି ଭୋଟ୍‌ ମାଗିଛନ୍ତି । ଆପ୍‌ ନିର୍ବାଚନୀ ପ୍ରଚାର ସର୍ବପ୍ରଥମେ ଆରମ୍ଭ କରିଥିବାବେଳେ  ବିଜେପି ମଧ୍ୟ ଧୁଆଁଧାର୍‌ ପ୍ରଚାର କରିଛି । ବିଜେପି ଦିଲ୍ଲୀ ବିଧାନସଭା ପାଇଁ ଜବଦରସ୍ତ ପ୍ରଚାର କରିଛି । ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହା, ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହ୍ବାନ୍‌, ନୀତିଶ୍‌ କୁମାରଙ୍କ ପରି କେତେ ବଡ ବଡ଼ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ତେବେ ବିଜେପିର ନେତାମାନଙ୍କର ତୁଣ୍ଡରେ ବାଡ ବତା ରହୁନଥିବାର ପରିଲକ୍ଷିତ ହୋଇଥିଲା । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ନେତାମାନେ ବହୁ ବିବାଦୀୟ ବୟାନ ଦେଇଛନ୍ତି । ବିଜେପି ପୂର୍ବାଞ୍ଚଳ ଭୋଟ୍‌ ହାତେଇବା ପାଇଁ ନିର୍ବାଚନୀ ପ୍ରଚାରରେ ଭୋଜପୁରୀ ସିନେମାର କିଛି ଚର୍ଚ୍ଚିତ ଚେହେରାଙ୍କୁ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ସେହିପରି କଂଗ୍ରେସ ନିର୍ବାଚନୀ ପ୍ରଚାର ପୂରା ଧୀରେସ୍ତିରେ ଆରମ୍ଭ କରିଥିଲା । କିନ୍ତୁ ପ୍ରଚାରର ଶେଷ ଦିନଗୁଡ଼ିକରେ ବହୁ ବଡ ବଡ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ରାହୁଲ୍‌ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରଚାରର ଶେଷଭାଗକୁ ଓହ୍ଲାଇ ଆପ୍‌ ଓ ବିଜେପିକୁ ଟାର୍ଗେଟ୍‌ କରିଥିଲେ ।

Related posts