ଆରମ୍ଭ ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

Published: Jan 14, 2020, 1:31 pm IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଜାନୁଆରୀ 21 ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ। ଜାନୁଆରୀ 22ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଜାନୁଆରୀ 24 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ନିର୍ବାଚନ ଆୟୋଗ ତରଫରୁ 36ଟି ନିର୍ବାଚନ ଅଫିସ୍‌ କରାଯାଇଛି । ଦିଲ୍ଲୀର 11ଟି ଜିଲ୍ଲାରେ ନିର୍ବାଚନ ଅଧିକାରୀ ନାମାଙ୍କନ ପତ୍ର ଦାଖଲ ପାଇଁ କାର୍ଯ୍ୟ କରିବେ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ 8 ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏବଂ ଫେବୃଆରୀ 11 ତାରିଖରେ ଫଳାଫଳ ଘୋଷଣା ହେବ । ଚଳିତ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଫେବୃଆରୀ 22 ତାରିଖରେ ଶେଷ ହେବ ।

2015 ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ 924ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ 231ଜଣଙ୍କ ଖାରଜ ହୋଇଥିଲା। 673ଜଣ 2015 ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେହିପରି 1993ରେ ସବୁଠାରୁ ଅଧିକ ପ୍ରାର୍ଥୀ ଏହି ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । 1993ରେ ହୋଇଥିବା ପ୍ରଥମ ନିର୍ବାଚନରେ 1,316ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ ଓହ୍ଲାଇଥିଲେ । (ଏଜେନ୍ସି)

Related posts