Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ 62 ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ଶନିବାର ଦିଲ୍ଲୀରେ ସମାପ୍ତ ହୋଇଥିବା ମତଦାନରେ 62 ପ୍ରତିଶତ ମତଦାନ ହୋଇଛି । ରବିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ନିର୍ବାଚନକୁ 22 ଘଣ୍ଟା ବିତିଯାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡାନ୍ତ ମତଦାନ ପ୍ରତିଶତ ଘୋଷଣା କରାଯାଇନଥିଲା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଶ୍ନ ଉଠାଇବାରୁ ଶେଷରେ ନିର୍ବାଚନ କମିଶନଙ୍କ ପକ୍ଷରୁ ମତଦାନ ପ୍ରତିଶତ ଘୋଷଣା କରାଯାଇଛି । ରବିବାର ସନ୍ଧ୍ୟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ 62.59 ପ୍ରତିଶତ ମତଦାନ ହୋଇଥିବା ନେଇ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, 2015 ବିଧାନସଭା ନିର୍ବାଚନରେ 67.12 ପ୍ରତିଶତ ମତଦାନ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜାମିଆ ମାଲିଆ ଇସ୍‌ଲାମିଆରେ ଗୁଳିଚାଳନା ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏକ ବୈଠକ ଡକାଇଛନ୍ତି । ଦିଲ୍ଲୀ ପୋଲିସ୍‌ର ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଗୁଳିଚାଳନାକୁ ନେଇ ଉଭୟ ବିଜେପି ଏବଂ ଆପ୍‌ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ନିର୍ବାଚନ କମିଶନ ବୈଠକ ଡକାଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଗୁଳି ଚଳାଇବାର କିଛି ସମୟ ପୂର୍ବରୁ ଫେସ୍‌ବୁକ୍‌ରେ ଲାଇଭ୍‌ ଯାଇ ଗୁଳି ମାରିବା ନେଇ ଘୋଷଣା କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଅନୁରାଗଙ୍କୁ 72 ଘଣ୍ଟା ଏବଂ ପ୍ରବେଶଙ୍କୁ 96 ଘଣ୍ଟାର ବାସନ୍ଦାଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ନିର୍ବାଚନ କମିଶନଙ୍କ ଝଟ୍‌କା । ଆଦର୍ଶ ଆଚରଣବିଧି ଉଲ୍ଲଂଘନ କାରଣରୁ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବାସନ୍ଦାଦେଶ ଜାରି କରାଯାଇଛି । ଅନୁରାଗଙ୍କୁ 72 ଘଣ୍ଟା ପାଇଁ ବାସନ୍ଦ କରାଯାଇଥିବା ବେଳେ ପ୍ରବେଶ ବର୍ମାଙ୍କୁ 96 ଘଣ୍ଟା ପାଇଁ ବାସନ୍ଦ କରାଯାଇଛି । ଫଳରେ ଉଭୟ ସମାନ ସମୟରେ ପ୍ରଚାରରୁ ଦୂରେଇ ରହିବେ । ଉଲ୍ଲେଖଯୋଗ୍ୟ ଯେ, ଅନୁରାଗ ଠାକୁର ଏକ ରାଲିରେ ଦେଶ କେ ଗଦ୍ଦାରୋ ନାରା ବାଜି କରିଥିବା ବେଳେ ପ୍ରବେଶ ବର୍ମା ଶାହିନ୍‌ବାଗ୍‌କୁ ନେଇ ଏକ ଧାର୍ମିକ ଟ୍ବିଟ୍‌ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ପ୍ରବେଶ ବର୍ମା ଏବଂ ଅନୁରାଗ ଠାକୁରଙ୍କ ବିରୋଧରେ ରିପୋର୍ଟ ଦାଖଲ କଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରିପୋର୍ଟ ଦାଖଲ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଠାକୁର ଏକ ରାଲିରେ ଦେଶ କେ ଗଦ୍ଦାରୋ ନାରା ବାଜି କରିଥିବା ବେଳେ ବର୍ମା ଶାହିନ୍‌ବାଗ୍‌କୁ ନେଇ ଏକ ଧାର୍ମିକ ଟ୍ବିଟ୍‌ କରିଥିଲେ । ଉଭୟଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନର ଅଭିଯୋଗ ଆସିଥିବାରୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ କମିଶନର ଏହାକୁ ନେଇ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ସମସ୍ତ ରାଜ୍ୟରୁ ନିର୍ବାଚନ ଆଚରଣ ବିଧି ହଟାଇଲେ ନିର୍ବାଚନ କମିଶନ

ସମଗ୍ର ଦେଶରେ ଲୋକସଭା ଏବଂ ଚାରି ରାଜ୍ୟର ବିଧାନସଭା ଫଳାଫଳ ଆସିବା ପରେ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଉଠାଇ ଦେଇଛନ୍ତି। ଗୁରୁବାର ଏବଂ ଶୁକ୍ରବାର ନିର୍ବାଚନ ଫଳାଫଳ ଆସିବା ପରେ ଶନିବାର ଦିନ ବିଜୟୀ ପ୍ରାର୍ଥୀଙ୍କ ନାମ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଶନିବାର ଫଳାଫଳ ନିର୍ବାଚନ କମିଶନଙ୍କ ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ଆଜି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିଲା। ଦେଶର ସମସ୍ତ ଲୋକସଭା ଆସନ ସହିତ ୪ଟି ରାଜ୍ୟରେ ୧୦ ମାର୍ଚ୍ଚରେ ଆଦର୍ଶ ଆଚରଣ ବିଧି ଲଗାଯାଇଥିଲା। ଏପ୍ରିଲ୍‌ ୧୧ରୁ ନିର୍ବାଚନ ଆରମ୍ଭ ହୋଇ ମେ ୧୯ରେ ଶେଷ ହୋଇଥିଲା।

Categories
ଆଜିର ଖବର

ଭିଭିପାଟ୍‌ ଓ ଇଭିଏମ୍‌ ମାମଲାକୁ ନେଇ ଇସିଙ୍କୁ ଭେଟିବେ ୨୧ଟି ବିରୋଧୀ ଦଳର ପ୍ରତିନିଧି

୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୨ ଦିନ ପୂର୍ବରୁ ଇଭିଏମ ଓ ଭିଭିପାଟ୍‌ ମାମଲାକୁ ନେଇ ପୁଣି ଏକାଠି ହୋଇଛନ୍ତି ବିରୋଧୀ ଦଳ। ଏ ନେଇ ୨୧ଟି ବିରୋଧୀ ଦଳର ପ୍ରତିନିଧି ମଙ୍ଗଳବାର ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ଜଣାଇବେ।  କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, କଂଗ୍ରେସ ନେତା ଅଭିଷେକ ମନୁ ସିଂଙ୍ଘୱୀ ଏବଂ ଅହମଦ ପଟେଲ ପ୍ରମୁଖ ପ୍ରତିନିଧି ଦଳ ସହିତ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତାମାନଙ୍କୁ ପ୍ରତିନିଧି ଦଳରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି ବୋଲି ଜଣେ ନେତା କହିଛନ୍ତି। ନିର୍ବାଚନରେ ସ୍ବଚ୍ଛତା ଆଣିବା ଲାଗି ଏକ ନିର୍ବାଚନ ମଣ୍ଡଳୀର ୫୦ ପ୍ରତିଶତ ଇଭିଏମ ସହିତ ଏହାର ଭିଭିପାଟ ସ୍ଲିପଗୁଡ଼ିକୁ ଗଣନା କରିବା ଦାବିରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ଗତ ରବିବାର ଦିନ ଏକ୍ସିଟ୍‌ ପୋଲ୍‌ରିପୋର୍ଟ ପ୍ରକାଶନ ପରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ହଲଚଲ୍‌ ସୃଷ୍ଟି ହୋଇଛି। ତେବେ ଏହା ଶତପ୍ରତିଶତ ସତ୍ୟ ନୁହେଁ, ଅସଲ ରେଜଲ୍ଟ ତ ମେ ୨୩ ତାରିଖରେ ଜଣାପଡିବ ବୋଲି ବିରୋଧୀ ଦଳ କହିଛନ୍ତି।

Categories
ଆଜିର ଖବର

ନିର୍ବାଚନ ପ୍ରକ୍ରିୟାକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରଶଂସା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚଳିତ ବର୍ଷର ଲୋକସଭା ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। କଂଗ୍ରେସ ଏବଂ ଅନ୍ୟାନ୍ୟ ସମସ୍ତ ବିରୋଧୀ ଦଳ ନିର୍ବାଚନ କମିଶନ ପକ୍ଷପାତ କରୁଥିବାର ଅଭିଯୋଗ ଆଣିଥିବା ବେଳେ ନିର୍ବାଚନ କମିଶନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଣବ ମୁଖାର୍ଜୀ। ଏନ୍‌ଡିଟିଭି ନିର୍ଦ୍ଦେଶକ ସୋନିଆ ସିଂଙ୍କ ପୁସ୍ତକ ‘ଡିଫାଇନିଙ୍ଗ ଇଣ୍ଡିଆ ଥ୍ରୋ ଦେୟାର ଆଇଜ୍‌’ ଉନ୍ମୋଚନ ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ମୁଖାର୍ଜୀ। ଯଦି ସମାଜକୁ ସଶକ୍ତ କରିବାକୁ ଚାହିଁବା ତେବେ ଲକ୍ଷ୍ୟ ରଖିବାକୁ ପଡିବ ଏହା ଦେଶପ୍ରତି ସଠିକ୍‌ ଭାବରେ କାର୍ଯ୍ୟ କରୁଛି। ସେହିପରି ଭାବରେ ଏକ ସଶକ୍ତ ରାଷ୍ଟ୍ର ଗଠନ ପାଇଁ ସଶକ୍ତ ନିର୍ବାଚନ ଆବଶ୍ୟକ ଏବଂ ଚଳିତ ଥରର ନିର୍ବାଚନ ଅତ୍ୟନ୍ତ ସୁନ୍ଦର ଭାବରେ ସମାପନ ହୋଇଛି ବୋଲି ମୁଖାର୍ଜୀ ମତ ରଖିଥିଲେ। ଦେଶର ପ୍ରଥମ ନିର୍ବାଚନ କମିଶନର ସୁକୁମାର ସେନଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିବାରେ ସଫଳ ହୋଇଛନ୍ତି। ଏମାନଙ୍କୁ ସମାଲୋଚନା କରାଯିବା ଅନୁଚିତ ବୋଲି ମୁଖାର୍ଜୀ କହିଛନ୍ତି।

Categories
ଆଜିର ଖବର

ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଯାତ୍ରାକୁ ନେଇ ଇସିଙ୍କ ନିକଟରେ ଅଭିଯୋଗ କଲା ଟିଏମ୍‌ସି

ଚଳିତ ଲୋକସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। କିନ୍ତୁ ନିର୍ବାଚନ ପ୍ରଚାରର ଶେଷ ଦିନ ପରେ ମୋଦି ଦୁଇ ଦିନ ଧରି କେଦାରନାଥ ଯାତ୍ରା କରି ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି। ଏହାକୁ ନେଇ ଟିଏମ୍‌ସି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି। ମୋଦୀଙ୍କ କେଦାରନାଥ ଯାତ୍ରାର ଟିଭି ପ୍ରସାରଣ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଙ୍ଘନ କରୁଛି ବୋଲି ଟିଏମସି ଅଭିଯୋଗ ଆଣିଛି ଏବଂ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛି। ଟିଏମସି ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖି ଅଭିଯୋଗ କରିଛି କି, ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସମାପ୍ତ ହୋଇଯାଇଛି। କିନ୍ତୁ ମୋଦି ଆଶ୍ଚର୍ଯ୍ୟଜନକ ଭାବରେ ଦୁଇ ଦିନ ଧରି କେଦାରନାଥ ଯାତ୍ରା କରି ଗଣମାଧ୍ୟମର ଧ୍ୟାନ କେନ୍ଦ୍ରୀତ କରୁଛନ୍ତି। ସେ କେଦାରନାଥରେ ବିକାଶର ପରିଯୋଜନାକୁ ସମୀକ୍ଷା କରିବା ସହିତ ଜନତା ଓ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି। ଏଭଳି କରି ମୋଦି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ଆରୋପ ଲଗାଇଛି ଟିଏମ୍‌ସି। ଏଭଳି କରିବା ନିର୍ବାଚନ ଆଚରଣ ସଂହିତାର ଉଲ୍ଲଙ୍ଘନ ବୋଲି ଦର୍ଶାଉଛି ତେଣୁ ନିର୍ବାଚନ ଆୟୋଗ ଏନେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବୀ କରିଛି। ତେବେ ନିର୍ବାଚନ କମିଶନ ମୋଦିଙ୍କୁ କେଦାରନାଥ ଓ ବଦ୍ରିନାଥ ଧାମ ଯାତ୍ରାର ଅନୁମତି ଦେଇଥିଲେ। ଏହା ସହିତ ୨୦୧୯ ନିର୍ବାଚନର ଆଚାର ସଂହିତା ପ୍ରଭାବଶାଳୀ ରହିଛି ବୋଲି ମଧ୍ୟ ସୂଚନା ଦେଇଥିଲେ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏବେ କଡା ଟକ୍କର ଚାଲିଛି। ନିର୍ବାଚନର ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ଟି ଆସନରୁ ମତଗ୍ରହଣ କରାଯାଉଛି। ତେବେ ଦୁଇଦିନିଆ ଯାତ୍ରା ପାଇଁ ମୋଦି ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Categories
ଆଜିର ଖବର

କେଜ୍ରିଓ୍ବାଲଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି

ଆମ ଆଦମୀ ପାର୍ଟିର ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲଙ୍କ ବିରୁଦ୍ଧରେ ମତଦାତାଙ୍କୁ ଏଫଏମ ରେଡିଓରେ ବିଜ୍ଞାପନ ଜରିଆରେ ଭ୍ରମିତ ତଥା ନିଜ ଆଡକୁ ଆକର୍ଷିତ କରିବା ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି। ଅରବିନ୍ଦ କେଜ୍ରିଓ୍ବାଲ ବିଜେପି ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କ ବୟାନକୁ ମଧ୍ୟ ଭୁଲ ଶୈଳୀରେ ଉପସ୍ଥାପନ କରିବା ନେଇ ମଧ୍ୟ ଅଭିଯୋଗ ଆଣିଛି ବିଜେପି। ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଅଭିଯୋଗ ପତ୍ର ପଠାଇଛନ୍ତି। ଏଥିରେ ଆପ ଏଫଏମ ରେଡିଓରେ ବିଜ୍ଞାପନ ଦେଇଥିବା ଅଭିଯୋଗ ହୋଇଛି।  ଅଭିଯୋଗରେ ପ୍ରବୀଣ କହିଛନ୍ତି, ରେଡିଓ ବିଜ୍ଞାପନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲୋକଙ୍କୁ କହିଛନ୍ତି, କେନ୍ଦ୍ର ସରକାର ଦିଲ୍ଲୀର ଲୋକଙ୍କ ଠାରୁ ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରି କେବଳ ୩୨୫ କୋଟି ଟଙ୍କା ଦିଲ୍ଲୀକୁ ଦେଇଛନ୍ତି। ସେ ନିର୍ବାଚନ ଆୟୋଗଙ୍କୁ ଆପର ବିଜ୍ଞାପନ ବିଷୟ-ବସ୍ତୁର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର

ଇଭିଏମ୍‌ରେ ବିଜେପିର ନାମ ଥିବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ

ଇଭିଏମ୍‌ରେ  ଦଳୀୟ ଲୋଗୋ ତଳେ ବିଜେପିର ନାମ ଥିବା ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିରୋଧୀ ଦଳ । ଅନ୍ୟ ସମସ୍ତ ଦଳର କେବଳ ଚିହ୍ନ ରହିଥିବା ବେଳେ ପଦ୍ମ ଚିହ୍ନ ତଳେ ବିଜେପିର ନାମ ରହିଥିବା ନେଇ ଅଭିଯୋଗ କରିଛନ୍ତି ବିପକ୍ଷ ଦଳ । ଦଶ ବିପକ୍ଷ ରାଜନୈତିକ ଦଳର ସଦସ୍ୟ ମାନଙ୍କ ଏକ ଦଳ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କୁ ଭେଟି ଏ ନେଇ ଅଭିଯୋଗ ଦାୟର କରିଛନ୍ତି । ଏହି ଦଳରେ କଂଗ୍ରେସ ଦଳର ଅଭିଷେକ ମନୁ ସିଂଘଭୀ ଏବଂ ତୃଣମୂଳର ଦୀନେଶ ତ୍ରିବେଦୀ ଏବଂ ଡେରେକ୍‌ ଓ ବ୍ରାଏନ୍‌ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ବିପକ୍ଷ ସଦସ୍ୟ ମାନେ ବିଜେପିର ନାମ ଇଭିଏମ୍‌ରୁ ହଟାଯାଉ କିମ୍ବା ଅନ୍ୟାନ୍ୟ ରାଜନୈତିକ ଦଳ ଗୁଡିକର ନାମ ଦଳୀୟ ଚିହ୍ନ ସହିତ ଯୋଡା ଯାଉ ବୋଲି ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଛନ୍ତି । ଏହାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସ୍ବୀକାର କରାଯାଇଥିବା ବେଳେ ୨୦୧୩ରେୁ ବିଜେପିର ଆବେଦନ ପରେ ବିଜେପି ଏହି ଚିହ୍ନ ବ୍ୟବହାର କରି ଆସୁଛି ଏବଂ ୨୦୧୪ ଠାରୁ ହିଁ ବ୍ୟବହୃତ ହେଉଛି ବୋଲି କୁହାଯାଇଛି । ଏନେଇ ପଶ୍ଚିମବଙ୍ଗ ନିର୍ବାଚନ କମିଶନଙ୍କୁ ଏକ ଚିଠି ଜରିଆରେ ସ୍ପଷ୍ଟୀକରଣ ଦେଇଥିବା ବେଳେ ଇଭିଏମ୍‌ ବଦଳାଯିବ ନାହିଁ ବୋଲି ସୁନୀଲ ଅରୋରା ସ୍ପଷ୍ଟ କରିଛନ୍ତି ।

Categories
ଆଜିର ଖବର

ବିନା ଅନୁମତିରେ ରାଲି : ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା

ବିନା ଅନୁମତିରେ ଏକ ନିର୍ବାଚନୀ ରାଲି କରିଥିବାରୁ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ୍‌। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗମ୍ଭୀରଙ୍କ ବିପକ୍ଷରେ ଏହି ମାମଲା ରୁଜୁ କରା ଯାଇଥିବା ଦିଲ୍ଲୀ ପୋଲିସ୍‌ ପକ୍ଷରୁ କୁହାଯାଇଛି। ଏପ୍ରିଲ୍‌ ୨୫ରେ ଦିଲ୍ଲୀର ଜଙ୍ଗପୁରାରେ କରିଥିବା ରାଲି ପାଇଁ ଅନୁମତି ନେଇନଥିଲେ ଯାହାକି ନିର୍ବାଚନ ଆଚରଣ ବିଧିର ଉଲଂଘନ ବୋଲି ନିର୍ବାଚନ କମିଶନ କହିଛନ୍ତି। ଗତମାସରେ ବିଜେପିରେ ଯୋଗ ଦେଇଥିବା ଗମ୍ଭୀରଙ୍କୁ ବିଜେପି ପୂର୍ବ ଦିଲ୍ଲୀରୁ ମହେଶ ଗିରିଙ୍କ ସ୍ଥାନରେ ପ୍ରାର୍ଥୀ କରିଥିଲା। କଂଗ୍ରେସର ଅରବିନ୍ଦର ସିଂ ଲଭ୍‌ଲୀ ଏବଂ ଆପ୍‌ର ଅତିଶି ମାର୍ଲେନାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛନ୍ତି ଗମ୍ଭୀର। ଗମ୍ଭୀରଙ୍କୁ ସମାଲୋଚନା କରି ଅତିଶୀ ଏକ ଟ୍ବିଟ୍‌ କରି କହିଛନ୍ତି : ‘ପ୍ରଥମେ ନାମାଙ୍କନରେ ଭୁଲ୍‌, ଦୁଇଟି ଭୋଟର ଆଇଡି ଏବଂ ବର୍ତ୍ତମାନ ପୋଲିସ୍‌ ଏଫଆଇଆର, ଗମ୍ଭୀରଙ୍କୁ ମୋର ପ୍ରଶ୍ନ : ଯେତେବେଳେ ଆପଣଙ୍କୁ ନିୟମ ଜଣାନାହିଁ ଖେଳିବାକୁ ଚେଷ୍ଟା କାହିଁକି କରୁଛ?’। ସୂଚନାଯୋଗ୍ୟ ଯେ, ଗତକାଲି ଗମ୍ଭୀରଙ୍କର ଦୁଇଟି ଭୋଟର ଆଇଡି ରହିଥିବା ନେଇ ଅଭିଯୋଗ କରିବା ସହିତ ମାମଲା ଦାୟର କରିଥିଲେ। ଗମ୍ଭୀରଙ୍କ ପ୍ରଥମ ଭୋଟର ଆଇଡି କାରୋଲବାଗରେ ରହିଥିବା ବେଳେ ଦ୍ବିତୀୟ ଆଇଡିଟି ରାଜେନ୍ଦ୍ର ନଗରରେ ରହିଛି।

Categories
ଆଜିର ଖବର

ଅରୂପ ପଟ୍ଟନାୟକଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ବର ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ସଙ୍ଗୀନ ଅଭିଯୋଗ ହୋଇଛି। କେନ୍ଦ୍ରପଡା ବିଧାନସଭା ବିଜେପି ପ୍ରାର୍ଥୀ ସୁନାକର ବେହେରା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି କି ଅରୂପ ବିଜୁ ଯୁବ ବାହିନୀକୁ ପ୍ରଚାରରେ ବ୍ୟବହାର କରିଛନ୍ତି। ଅରୂପ ସରକାରୀ କଳକୁ ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବିଜୁ ଯୁବ ବାହିନୀକୁ ଏକାଠି କରି ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁନାକର ବେହେରା ଦାବି କରିଛନ୍ତି। ହେଲେ ଏନେଇ ଅରୂପଙ୍କ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ, ବିଜୁ ଯୁବ ବାହିନୀ ରାଜ୍ୟ ସରକାରଙ୍କ ଏକ ସରକାରୀ ଯୋଜନା। ପୂର୍ବରୁ ଅରୂପ ପଟ୍ଟନାୟକ ବିଜୁ ଯୁବ ବାହିନୀ ମୁଖ୍ୟ ଦାୟିତ୍ବରେ ଥିଲେ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସେ ବିଜୁ ଯୁବ ବାହିନୀ ଛାଡିଥିଲେ।

Categories
ଆଜିର ଖବର

ସାଧ୍ବୀ ପ୍ରଜ୍ଞାଙ୍କ ନାମାଙ୍କନ ରଦ୍ଦ ପାଇଁ ଦାବି କଲେ ମାୟାବତୀ

ଭୋପାଳରୁ ବିଜେପିର ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନକୁ ନେଇ ନିର୍ବାଚନ କମିଶନର ନୋଟିସ୍‌ ଜାରି କରିଥିବାବେଳେ ଏହାକୁ ନେଇ ସୁଶ୍ରୀ ମାୟାବତୀ ଟୁଇଟ୍‌ କରି ତାଙ୍କ ନାମାଙ୍କନ ପତ୍ର ରଦ୍ଦ କରବାକୁ ଇସିଙ୍କୁ ଅନୁରୋଧ କରିଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି ଯେ, ‘ଭୋପାଳରେ ବିଜେପି ପ୍ରତ୍ୟାଶୀ ତଥା ମାଲେଗାଁ ବ୍ଲାଷ୍ଟ ଆରୋପୀ ସାଧ୍ବୀ ପ୍ରଜ୍ଞାର ଧର୍ମକୁ ନେଇ ଯୁଦ୍ଧ କରୁଛନ୍ତି। ଏହା ହେଉଛି ବିଜେପି ଆରଏସଏସ୍‌ଙ୍କ ଅସଲି ଚେହେରା। କିନ୍ତୁ ଆୟୋଗ ପ୍ରଜ୍ଞାଙ୍କ ବିବାଦୀୟ ବୟାନ ପାଇଁ ନୋଟିସ୍‌ ଜାରି କରିଥିବାବେଳେ, ତାଙ୍କ ନାମାଙ୍କନ ରଦ୍ଦ କ’ଣ ପାଇଁ କରୁନାହାନ୍ତି ବୋଲି ମାୟାବତୀ ଇସିଙ୍କୁ ପ୍ରଶ୍ନ କରିବା ସହିତ ପ୍ରଜ୍ଞାଙ୍କ ନାମାଙ୍କନ ରଦ୍ଦ ପାଇଁ ଦାବି କରିଛନ୍ତି। ମାୟାବତୀ ନିର୍ବାଚନ ଆୟୋଗ ନିଷ୍ପକ୍ଷତା ସହ କାମ କରୁନଥିବା ଲୋକତନ୍ତ୍ର ପାଇଁ ବଡ ଚିନ୍ତାର କାରଣ ହୋଇଛି ବୋଲି କହିବା ସହିତ ଏଥିପାଇଁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗମ୍ଭୀର ରୂପରେ ଦାୟୀ କରିଛନ୍ତି। ଭୋପାଳର କଂଗ୍ରେସ ପ୍ରାର୍ଥୀ ଦିଗ୍‌ବିଜୟ ସିଂଙ୍କ ବିରୋଧରେ ପ୍ରଜ୍ଞା ନିର୍ବାଚନ ଲଢୁଛନ୍ତି।

Categories
ଆଜିର ଖବର

ନଭଜୋତ ସିଂ ସିଦ୍ଧୁଙ୍କୁ ଇସିଙ୍କ କାରଣ ଦର୍ଶାଅ ନୋଟିସ୍‌

ଦେଶରେ ନିର୍ବାଚନୀ ବାତାବରଣ ବେଶ୍‌ ସରରଗମ। ଦୁଇଟି ପର୍ଯ୍ୟାୟର ନିର୍ବାଚନ ସରିଯାଇଥିବାବେଳେ ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଭିତରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ ସହ ଭୋଟର୍‌ଙ୍କୁ ଆକୃଷ୍ଟ ପାଇଁ ପ୍ରାଣମୂର୍ଛା ଉଦ୍ୟମ। ଏହି ଭିତରେ ରାଜନୈତିକ ଦଳମାନେ ନିଜ ନିଜର ବକ୍ତବ୍ୟକୁ  ନେଇ ସଚେତନ ରହୁନାହାନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାପରଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି। ଆମର ତଥାକଥିତ ନେତାମାନେ କିନ୍ତୁ ତାଙ୍କ ମୁହଁରେ ଲଗାମ ଦେବା ପାଇଁ ଚେଷ୍ଟା ମଧ୍ୟ କରୁନାହାନ୍ତି। ନିକଟରେ ଇସି ଏପରି ବିବାଦୀୟ ମନ୍ତବ୍ୟ ପାଇଁ ଯୋଗୀ ଆଦିତ୍ୟନାଥ, ମାୟାବତୀ, ସୁଶ୍ରୀ ପ୍ରଜ୍ଞା, ମାନେକା ଗାନ୍ଧି ତଥା ଆଜମ୍‌ ଖାନ୍‌ଙ୍କୁ ନୋଟିସ୍‌ ଜାରି କରି ଜବାବ ତଲବ କରିଥିବାବେଳେ କଂଗ୍ରେସର ନେତା ନଭ୍‌ଜୋତ୍‌ ସିଂ ସିଦ୍ଧୁ ପୁଣି ଥରେ ଇସିଙ୍କ ଛାଟ ପଡିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ଲାଗି କଂଗ୍ରେସ ନେତା ନଭଜୋତ୍‌ ସିଂ ସିଦ୍ଧୁଙ୍କୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରିବା ଲାଗି ସେ ମୁସଲମାନ ଭୋଟରଙ୍କୁ ଆହ୍ବାନ ଦେଇଥିଲେ। ସେ ଆଦର୍ଶ ଆଚରଣ ବିଧି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ପ୍ରମାଣ ମିଳିଯାଇଛି। ରାଜନୈତିକ ପ୍ରଚାର ପାଇଁ ଧର୍ମୀୟ ସହାୟତା ନ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ବିହାର କଟିହାର ଜିଲ୍ଲାର ଏକ ନିର୍ବାଚନୀ ସଭାରେ ସିଦ୍ଧୁଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଛି।

Categories
ଆଜିର ଖବର

ସାଧ୍ବୀ ପ୍ରଜ୍ଞାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌

ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କୁ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ଉପରେ ଇସି ନୋଟିସ ଜାରି କରିଛନ୍ତି। ୨୪ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନିର୍ବାଚନ ଅଧିକାରୀ ସମୟ ଧାର୍ଯ୍ୟ କରିଛନ୍ତି। ସାଧ୍ବୀ ପ୍ରଜ୍ଞା ମୁମ୍ବାଇ ଆକ୍ରମଣରେ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ଅମୂଳକ ମନ୍ତବ୍ୟ ନେଇ ବାଦବିବାଦ ଲାଗି ରହିଥିଲା। ସାଧ୍ବୀ କରକରେଙ୍କ ଉପରେ ବିବାଦୀୟ ବୟାନ ଦେଇ କହିଥିଲେ, ସେ ଦେଇଥିବା ଅଭିଶାପ ଯୋଗୁଁ ୨୬/୧୧ ମୁମ୍ବାଇ ଆକ୍ରମଣରେ କରକରେଙ୍କ ମୃତ୍ୟୁ ହୋଇଥିଲା। ପରେ ସାଧ୍ବୀ ପ୍ରଜ୍ଞା ନିଜ ବୟାନ ଫେରେଇ ନେଇଥିଲେ ଓ କ୍ଷମା ମାଗିଥିଲେ। କିନ୍ତୁ ଏପରି ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ କମିଶନ ଜବାବ ତଲବ କରିଛନ୍ତି।

Categories
ଆଜିର ଖବର

ପୁଣି ଇସିଙ୍କ ଛାଟ : ମୋଦିଙ୍କ ଜୀବନୀ ଫିଲ୍ମ ପରେ ଜୀବନୀ ଓ୍ବେବସିରିଜ୍‌କୁ ରୋକ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବା ପରେ ଏବେ ନିର୍ବାଚନ ଆୟୋଗ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଓ୍ଵେବ୍ ସିରିଜ  ମୋଦି – ଜର୍ଣ୍ଣି ଅଫ୍‌ ଏ କମନ୍‌ମ୍ୟାନ୍‌ର ପ୍ରସାରଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଶନିବାର ଦିନ ନିର୍ବାଚନ ଆୟୋଗ ଏହି ଓ୍ଵେବ୍ ସିରିଜର ସମସ୍ତ ଏପିସୋଡର ଷ୍ଟ୍ରିମିଂ ନିଜର ସମସ୍ତ ପ୍ଲାଟ ଫର୍ମରେ ବନ୍ଦ କରିବାକୁ ଇରୋସ ନାଓକୁ ଆଦେଶ ଦେଇଛନ୍ତି। ବିବେକ ଓବରୟଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦୀ’କୁ ନିର୍ବାଚନ ଆୟୋଗ ରିଲିଜ୍ ଠିକ୍ ପୂର୍ବରୁ ପ୍ରତିବନ୍ଧକ ଲଗାଇଥିଲେ। ଫିଲ୍ମ ଏପ୍ରିଲ ୧୨ରେ ରିଲିଜ୍ ହେବାର ଥିଲା। ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଥିଲା। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ମୋଦୀଙ୍କ ବାୟୋପିକ ଉପରେ ଇସି ଛାଟ ଲାଗିଛି।  ପିଏମ ମୋଦୀଙ୍କ ଉପରେ ନିର୍ମିତ ସିରିଜର ପାଞ୍ଚଟି ଏପିସୋଡ ଷ୍ଟ୍ରିମିଂ ହୋଇସାରିଛି। ୫ଟି ଏପିସୋଡ ପ୍ରସାରଣ ପରେ ଏବେ ନିର୍ବାଚନ ଆୟୋଗ ଏହା ଉପରେ ବ୍ୟାନ୍ ଲଗାଇଛନ୍ତି।

Categories
ଆଜିର ଖବର

ଆମେଥୀରେ ‘ନ୍ୟାୟ’ ପୋଷ୍ଟର ପାଇଁ ରାହୁଲଙ୍କୁ ଇସିଙ୍କ ନୋଟିସ୍‌

ଆମେଥିରେ ଆଦର୍ଶ ଆଚରଣ ବିଧି ଉଲଂଘନ ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଦଳର ଇସ୍ତାହାର ‘ସର୍ବନିମ୍ନ ଆୟ ଯୋଜନା’(ନ୍ୟାୟ)ର ପୋଷ୍ଟର କାନ୍ଥରେ ଲଗାଯାଇଥିବାରୁ ଏହୂି ନୋଟିସ୍‌ ପଠାଯାଇଛି। ଘରର ମାଲିକଙ୍କ ବିନା ଅନୁମତିରେ ଏହି ପୋଷ୍ଟର ଲଗା ଯାଇଥିବା ବେଳେ ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସ୍‌ର ନାମ ନାହିଁ। ଗୁରୁବାର ଇସିଙ୍କ ପକ୍ଷରୁ ରାହୁଲଙ୍କୁ ଏହି ନୋଟିସ୍‌ ପଠା ଯାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେଶର ୨୦ ପ୍ରତିଶତ ଗରିବ ଘରକୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ କରିବା ନ୍ୟାୟ ଯୋଜନାର ଅଂଶବିଶେଷ। ଦାରିଦ୍ର୍ୟ ବିରୋଧରେ ଏହା ସର୍ଜିକାଲ ଷ୍ଟ୍ରାଇକ୍‌ ହେବ ବୋଲି କହିଥିଲେ ରାହୁଲ। ଆମେଥିରୁ ରାହୁଲ ସ୍ମୃତି ଇରାନୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ମେ ୬ ତାରିଖରେ ଆମେଥିରେ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର

ମଧ୍ୟପ୍ରଦେଶରେ ‘ଚୌକିଦାର ଚୋର ହୖ’ ଉପରେ ପ୍ରତିବନ୍ଧକ ଲଗାଇଲେ ଇସି

ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନର ଅଧିକାରୀ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରାତେଶ କୌଲ ବୁଧବାର ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହି ବିଜ୍ଞାପନର ପ୍ରସାରଣ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ‘ଚୌକିଦାର ଚୋର’ ବିଜ୍ଞାପନର ଆଞ୍ଚଳିକ ଗଣମାଧ୍ୟମରେ ପ୍ରସାରଣ ବନ୍ଦ କରିବାକୁ କୁହାଯାଇଛି। ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ‘ଚୌକିଦାର ଚୋର’ କୁ ନେଇ ରାହୁଲ ଗାନ୍ଧୀଙ୍କୁ ଜବାବ ମାଗିଛନ୍ତି।  ଭାରତୀୟ ଜନତା ପାର୍ଟି ତରଫରୁ ‘ଚୌକିଦାର ଚୋର ହୖ’ ବିଜ୍ଞାପନକୁ ନେଇ ନିର୍ବାଚନ ପଦାଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା। ବିଜ୍ଞାପନଟି ଅପମାନଜନକ ଓ ଆପତ୍ତିଜନକ ବୋଲି ଏହି ଅଭିଯୋଗରେ କୁହାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ପ୍ରାମାଣିକତା ଏବଂ ପର୍ଯ୍ୟବେକ୍ଷଣ କମିଟି ବିନା ଅନୁମତିରେ ଏହି ବିଜ୍ଞାପନର ପ୍ରସାରଣ କରାଯାଉଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଏହି ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Categories
ଆଜିର ଖବର

ନିର୍ବାଚନ କମିଶନ ଏବଂ ଆୟକର ବିଭାଗ ସହିତ ମୋଦିଙ୍କ ଭିତିରିଆ ବୁଝାମଣା : କାନିମୋଝି

ଆୟକର ବିଭାଗ ଏବଂ ନିର୍ବାଚନ କମିଶନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁପ୍ତ ରାଜିନାମା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଡିଏମ୍‌କେ ପ୍ରାର୍ଥୀ କାନିମୋଝି। ନିଜ ଘରେ ଆୟକର ବିଭାଗର ଚଢାଉ ପରେ ଏହି ଅଭିଯୋଗ ଆଣିଛନ୍ତି ତୁଥୁକୁଡିରୁ ଡିଏମ୍‌କେର ଏହି ସାଂସଦ ପ୍ରାର୍ଥୀ। ମୋଦି ନିର୍ବାଚନ କମିଶନ ଏବଂ ଆୟକର ବିଭାଗକୁ ମନ ମୁତାବକ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ସହିତ କେବଳ ବିପକ୍ଷରେ ଥିବା ନେତାଙ୍କ ଘରେ ଚଢାଉ କରୁଛନ୍ତି। ମଙ୍ଗଳବାର ରାତିରେ ଆୟକର ବିଭାଗ ଅଧିକାରୀଙ୍କ ଚଢାଉରୁ କିଛି ତଥ୍ୟ ମିଳିନଥିବା ବେଳେ ବିପକ୍ଷରେ ରହିଥିବାରୁ ଏପରି ରାଜନୈତିକ ଆକ୍ରମଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କାନିମୋଝି। ଆୟକର ବିଭାଗ ଅଧିକାରୀଙ୍କ ନିକଟରେ ସର୍ଚ୍ଚ ଓ୍ବାରେଣ୍ଟ ନଥିଲା ବୋଲି ମଧ୍ୟ କାନିମୋଝି ଅଭିଯୋଗ କରିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ଆୟକର ବିଭାଗ ଅଧିକାରୀ ମାନେ ଖୋଜିବା ଜାରି ରଖିଥିଲେ ମଧ୍ୟ କିଛି ନପାଇ ଫେରି ଯାଇଥିଲେ ବୋଲି ସୂଚନା ଦେଇଛନ୍ତି ଡିଏମ୍‌କେ ମହିଳା ମୋର୍ଚ୍ଚା ମୁଖ୍ୟ। ଏହି ଚଢାଉକୁ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିବା ସହିତ ଶାସକ ଦଳ ପରାଜୟ ଭୟରେ ଏପରି କାମ କରୁଛି ବୋଲି କହିଛନ୍ତି କାନିମୋଝି। ବିଜେପି ସାଂସଦ ପ୍ରାର୍ଥୀ ତାମିଲସାଇ ସୌନ୍ଦରାଜନଙ୍କ ଘରେ କୋଟି କୋଟି ଟଙ୍କା ଲୁଚାଇ ରଖାଯାଇଥିବା ବେଳେ ଆୟକର ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି କାନିମୋଝି।

Categories
ଆଜିର ଖବର

ଯୋଗୀ ଏବଂ ମାୟାଙ୍କ ପରେ ଆଜମ୍‌ ଖାନ୍‌ ଓ ମାନେକା ଗାନ୍ଧିଙ୍କ ପ୍ରଚାର ଉପରେ କଟକଣା ଲଗାଇଲେ ଇସି

ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇବା ପରେ ଆଜମ ଖାନ ଓ ମାନେକା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଆଜମ ଖାନଙ୍କ ଉପରେ ୭୨ ଘଣ୍ଟା ପାଇଁ କଟକଣା ଲଗାଯାଇଥିବା ବେଳେ ମାନେକା ଗାନ୍ଧୀଙ୍କ ଉପରେ ୪୮ ଘଣ୍ଟା ପାଇଁ କଟକଣା ଲଗାଯାଇଛି। ଏପ୍ରିଲ ୧୬ ତାରିଖ ସକାଳ ୧୦ଟାରୁ ଏହି କଟକଣା କାର୍ଯ୍ୟକାରୀ ହେବ। ଆଜମ ଖାନ୍‌ ଜୟପ୍ରଦାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ମାନେକା ଗାନ୍ଧୀ ଏକ ରାଲିରେ ନିର୍ଦିଷ୍ଟ ଧର୍ମର ଲୋକଙ୍କୁ କିଛି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଦେଶରେ ନିର୍ବାଚନୀ ସମୟରେ ଆଚାର ସଂହିତା ଲାଗୁ ହୋଇଥିବାବେଳେ ନିର୍ବାଚନୀ ସଂସ୍କାର ପାଇଁ ନିର୍ବାଚନ ଆୟୋଗ ବେଶ୍‌ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ତେବେ ଏହି ଘଟଣାରେ ସୁପ୍ରିମ୍‌କୋର୍ଟ ତରଫରୁ ମଧ୍ୟ ଇସିଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଇସି ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Categories
ଆଜିର ଖବର

ଯୋଗୀ ଏବଂ ମାୟାବତୀଙ୍କୁ ଇସିଙ୍କ ଛାଟ :  ନିର୍ବାଚନୀ ପ୍ରଚାର ଉପରେ ଲାଗିଲା ପ୍ରତିବନ୍ଧକ

ନିର୍ବାଚନ ଆୟୋଗ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯୋଗୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୭୨ ଘଣ୍ଟା (୩ ଦିନ) ଏବଂ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କ ପ୍ରଚାର ଉପରେ ୪୮ ଘଣ୍ଟା (୨ ଦିନ)ର ପ୍ରତିବନ୍ଧକ ଲଗାଇଛି। ମଙ୍ଗଳବାର ସକାଳ ୬ଟାରୁ ଏହି ପ୍ରତିବନ୍ଧକ ଲାଗୁ ହେବ। ଯୋଗୀ ଏବଂ ମାୟାବତୀଙ୍କ ବିରୋଧରେ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ରହିଥିଲା। ଉଭୟ ଉତ୍ତେଜକ ଭାଷଣ ଦେଇଥିବାର ଅଭିଯୋଗ ମଧ୍ୟ ରହିଥିଲା। ସୂଚନାଯୋଗ୍ୟ ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏଥିରେ ନେତାମାନେ ଜାତି, ଧର୍ମ ଆଧାରରେ ଘୃଣା ପ୍ରସାରଣ କରୁଥିବାର ଟିପ୍ପଣୀମାନ ଦେଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ଏଭଳି ଘୃଣ୍ୟ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ତଥା ରାଜନୈତିକ ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଉଭୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ ଅୟୋଗଙ୍କୁ କହିଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଇସି ଆଜି ଯୋଗୀ ଓ ମାୟାଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।