ବିନା ଅନୁମତିରେ ରାଲି : ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା

Published: Apr 27, 2019, 4:02 pm IST

ବିନା ଅନୁମତିରେ ଏକ ନିର୍ବାଚନୀ ରାଲି କରିଥିବାରୁ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ୍‌। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗମ୍ଭୀରଙ୍କ ବିପକ୍ଷରେ ଏହି ମାମଲା ରୁଜୁ କରା ଯାଇଥିବା ଦିଲ୍ଲୀ ପୋଲିସ୍‌ ପକ୍ଷରୁ କୁହାଯାଇଛି। ଏପ୍ରିଲ୍‌ ୨୫ରେ ଦିଲ୍ଲୀର ଜଙ୍ଗପୁରାରେ କରିଥିବା ରାଲି ପାଇଁ ଅନୁମତି ନେଇନଥିଲେ ଯାହାକି ନିର୍ବାଚନ ଆଚରଣ ବିଧିର ଉଲଂଘନ ବୋଲି ନିର୍ବାଚନ କମିଶନ କହିଛନ୍ତି। ଗତମାସରେ ବିଜେପିରେ ଯୋଗ ଦେଇଥିବା ଗମ୍ଭୀରଙ୍କୁ ବିଜେପି ପୂର୍ବ ଦିଲ୍ଲୀରୁ ମହେଶ ଗିରିଙ୍କ ସ୍ଥାନରେ ପ୍ରାର୍ଥୀ କରିଥିଲା। କଂଗ୍ରେସର ଅରବିନ୍ଦର ସିଂ ଲଭ୍‌ଲୀ ଏବଂ ଆପ୍‌ର ଅତିଶି ମାର୍ଲେନାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛନ୍ତି ଗମ୍ଭୀର। ଗମ୍ଭୀରଙ୍କୁ ସମାଲୋଚନା କରି ଅତିଶୀ ଏକ ଟ୍ବିଟ୍‌ କରି କହିଛନ୍ତି : ‘ପ୍ରଥମେ ନାମାଙ୍କନରେ ଭୁଲ୍‌, ଦୁଇଟି ଭୋଟର ଆଇଡି ଏବଂ ବର୍ତ୍ତମାନ ପୋଲିସ୍‌ ଏଫଆଇଆର, ଗମ୍ଭୀରଙ୍କୁ ମୋର ପ୍ରଶ୍ନ : ଯେତେବେଳେ ଆପଣଙ୍କୁ ନିୟମ ଜଣାନାହିଁ ଖେଳିବାକୁ ଚେଷ୍ଟା କାହିଁକି କରୁଛ?’। ସୂଚନାଯୋଗ୍ୟ ଯେ, ଗତକାଲି ଗମ୍ଭୀରଙ୍କର ଦୁଇଟି ଭୋଟର ଆଇଡି ରହିଥିବା ନେଇ ଅଭିଯୋଗ କରିବା ସହିତ ମାମଲା ଦାୟର କରିଥିଲେ। ଗମ୍ଭୀରଙ୍କ ପ୍ରଥମ ଭୋଟର ଆଇଡି କାରୋଲବାଗରେ ରହିଥିବା ବେଳେ ଦ୍ବିତୀୟ ଆଇଡିଟି ରାଜେନ୍ଦ୍ର ନଗରରେ ରହିଛି।

Related posts