Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କିୟ ଆପତ୍ତି ଅଭିଯୋଗ ନିମନ୍ତେ ଜାରି ହେଲା ଟୋଲ୍ ଫ୍ରି ନମ୍ବର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ପ୍ରଶାସନିକ ପ୍ରସ୍ତୁତ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ମୋଟ୍ ଭୋଟର ସଂଖ୍ୟା ୨,୩୯,୧୫୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୨୪,୧୬୮ ଜଣ ପୁରୁଷ ଭୋଟର ଓ ୧,୧୪,୯୫୬ ଜଣ ମହିଳା ଭୋଟର ରହିଛନ୍ତି। ନିର୍ବାଚନମଣ୍ଡଳୀରେ ଉଭୟ ଲିଙ୍ଗୀ ୨୯ଜଣ ଭୋଟର ରହିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ପୂର୍ବରୁ ୨୬୫ ପୋଲିଂ ବୁଥ୍ ଥିବାବେଳେ ଏଥର ଏହା ବୃଦ୍ଧି ପାଇ ମୋଟ୍ ୩୭୩ଟି ବୁଥରେ ଭୋଟ୍ ଗ୍ରହଣ ହେବ। କୋଭିଡ୍ ୧୯ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ୧୦୮ଟି ଅଧିକ ବୁଥ୍ ବୃଦ୍ଧି କରିଛନ୍ତି। ଏଥିସହିତ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏସ୍.ଭି.ଏମ୍ କଲେଜ ପରିଦର୍ଶନ କରି ଷ୍ଟ୍ରଙ୍ଗ୍ ରୁମ୍ ଅନୁଧ୍ୟାନ କରିଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହିତ ଉପନିର୍ବାଚନ ପ୍ରସ୍ତୁତ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କୀୟ ଯେ କୌଣସି ଆପତ୍ତି ଅଭିଯୋଗ ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ପରିଚାଳନା ନିୟନ୍ତ୍ରଣ କକ୍ଷ ଜିଲ୍ଲା କାର୍ଯ୍ୟାଳୟରେ ଖୋଲାଯାଇଛି। ଏହି ନିୟନ୍ତ୍ରଣ କକ୍ଷର ନିଶୁକ୍ଳ ଟୋଲ୍ ଫ୍ରି ନମ୍ବର – ୧୮୦୦୩୪୫୭୨୭୯ ରେ ଜନସାଧାରଣ ନିର୍ବାଚନ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହିତ ଆଜି ଅପରାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ମାନଙ୍କର ନିର୍ବାଚନୀ ସଭା ଆୟୋଜନ ନିମନ୍ତେ ପଡିଆ ଚିହ୍ନଟ ପାଇଁ ପରିଦର୍ଶନ କରିଥିଲେ।

Categories
ଆଜିର ଖବର

ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଯାତ୍ରାକୁ ନେଇ ଇସିଙ୍କ ନିକଟରେ ଅଭିଯୋଗ କଲା ଟିଏମ୍‌ସି

ଚଳିତ ଲୋକସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି। କିନ୍ତୁ ନିର୍ବାଚନ ପ୍ରଚାରର ଶେଷ ଦିନ ପରେ ମୋଦି ଦୁଇ ଦିନ ଧରି କେଦାରନାଥ ଯାତ୍ରା କରି ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି। ଏହାକୁ ନେଇ ଟିଏମ୍‌ସି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି। ମୋଦୀଙ୍କ କେଦାରନାଥ ଯାତ୍ରାର ଟିଭି ପ୍ରସାରଣ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଙ୍ଘନ କରୁଛି ବୋଲି ଟିଏମସି ଅଭିଯୋଗ ଆଣିଛି ଏବଂ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛି। ଟିଏମସି ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖି ଅଭିଯୋଗ କରିଛି କି, ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସମାପ୍ତ ହୋଇଯାଇଛି। କିନ୍ତୁ ମୋଦି ଆଶ୍ଚର୍ଯ୍ୟଜନକ ଭାବରେ ଦୁଇ ଦିନ ଧରି କେଦାରନାଥ ଯାତ୍ରା କରି ଗଣମାଧ୍ୟମର ଧ୍ୟାନ କେନ୍ଦ୍ରୀତ କରୁଛନ୍ତି। ସେ କେଦାରନାଥରେ ବିକାଶର ପରିଯୋଜନାକୁ ସମୀକ୍ଷା କରିବା ସହିତ ଜନତା ଓ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି। ଏଭଳି କରି ମୋଦି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ଆରୋପ ଲଗାଇଛି ଟିଏମ୍‌ସି। ଏଭଳି କରିବା ନିର୍ବାଚନ ଆଚରଣ ସଂହିତାର ଉଲ୍ଲଙ୍ଘନ ବୋଲି ଦର୍ଶାଉଛି ତେଣୁ ନିର୍ବାଚନ ଆୟୋଗ ଏନେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବୀ କରିଛି। ତେବେ ନିର୍ବାଚନ କମିଶନ ମୋଦିଙ୍କୁ କେଦାରନାଥ ଓ ବଦ୍ରିନାଥ ଧାମ ଯାତ୍ରାର ଅନୁମତି ଦେଇଥିଲେ। ଏହା ସହିତ ୨୦୧୯ ନିର୍ବାଚନର ଆଚାର ସଂହିତା ପ୍ରଭାବଶାଳୀ ରହିଛି ବୋଲି ମଧ୍ୟ ସୂଚନା ଦେଇଥିଲେ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏବେ କଡା ଟକ୍କର ଚାଲିଛି। ନିର୍ବାଚନର ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ଟି ଆସନରୁ ମତଗ୍ରହଣ କରାଯାଉଛି। ତେବେ ଦୁଇଦିନିଆ ଯାତ୍ରା ପାଇଁ ମୋଦି ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Categories
ଆଜିର ଖବର

ବିନା ଅନୁମତିରେ ରାଲି : ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା

ବିନା ଅନୁମତିରେ ଏକ ନିର୍ବାଚନୀ ରାଲି କରିଥିବାରୁ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ୍‌। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗମ୍ଭୀରଙ୍କ ବିପକ୍ଷରେ ଏହି ମାମଲା ରୁଜୁ କରା ଯାଇଥିବା ଦିଲ୍ଲୀ ପୋଲିସ୍‌ ପକ୍ଷରୁ କୁହାଯାଇଛି। ଏପ୍ରିଲ୍‌ ୨୫ରେ ଦିଲ୍ଲୀର ଜଙ୍ଗପୁରାରେ କରିଥିବା ରାଲି ପାଇଁ ଅନୁମତି ନେଇନଥିଲେ ଯାହାକି ନିର୍ବାଚନ ଆଚରଣ ବିଧିର ଉଲଂଘନ ବୋଲି ନିର୍ବାଚନ କମିଶନ କହିଛନ୍ତି। ଗତମାସରେ ବିଜେପିରେ ଯୋଗ ଦେଇଥିବା ଗମ୍ଭୀରଙ୍କୁ ବିଜେପି ପୂର୍ବ ଦିଲ୍ଲୀରୁ ମହେଶ ଗିରିଙ୍କ ସ୍ଥାନରେ ପ୍ରାର୍ଥୀ କରିଥିଲା। କଂଗ୍ରେସର ଅରବିନ୍ଦର ସିଂ ଲଭ୍‌ଲୀ ଏବଂ ଆପ୍‌ର ଅତିଶି ମାର୍ଲେନାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛନ୍ତି ଗମ୍ଭୀର। ଗମ୍ଭୀରଙ୍କୁ ସମାଲୋଚନା କରି ଅତିଶୀ ଏକ ଟ୍ବିଟ୍‌ କରି କହିଛନ୍ତି : ‘ପ୍ରଥମେ ନାମାଙ୍କନରେ ଭୁଲ୍‌, ଦୁଇଟି ଭୋଟର ଆଇଡି ଏବଂ ବର୍ତ୍ତମାନ ପୋଲିସ୍‌ ଏଫଆଇଆର, ଗମ୍ଭୀରଙ୍କୁ ମୋର ପ୍ରଶ୍ନ : ଯେତେବେଳେ ଆପଣଙ୍କୁ ନିୟମ ଜଣାନାହିଁ ଖେଳିବାକୁ ଚେଷ୍ଟା କାହିଁକି କରୁଛ?’। ସୂଚନାଯୋଗ୍ୟ ଯେ, ଗତକାଲି ଗମ୍ଭୀରଙ୍କର ଦୁଇଟି ଭୋଟର ଆଇଡି ରହିଥିବା ନେଇ ଅଭିଯୋଗ କରିବା ସହିତ ମାମଲା ଦାୟର କରିଥିଲେ। ଗମ୍ଭୀରଙ୍କ ପ୍ରଥମ ଭୋଟର ଆଇଡି କାରୋଲବାଗରେ ରହିଥିବା ବେଳେ ଦ୍ବିତୀୟ ଆଇଡିଟି ରାଜେନ୍ଦ୍ର ନଗରରେ ରହିଛି।

Categories
ଆଜିର ଖବର

ଅରୂପ ପଟ୍ଟନାୟକଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ବର ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ସଙ୍ଗୀନ ଅଭିଯୋଗ ହୋଇଛି। କେନ୍ଦ୍ରପଡା ବିଧାନସଭା ବିଜେପି ପ୍ରାର୍ଥୀ ସୁନାକର ବେହେରା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି କି ଅରୂପ ବିଜୁ ଯୁବ ବାହିନୀକୁ ପ୍ରଚାରରେ ବ୍ୟବହାର କରିଛନ୍ତି। ଅରୂପ ସରକାରୀ କଳକୁ ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବିଜୁ ଯୁବ ବାହିନୀକୁ ଏକାଠି କରି ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁନାକର ବେହେରା ଦାବି କରିଛନ୍ତି। ହେଲେ ଏନେଇ ଅରୂପଙ୍କ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ, ବିଜୁ ଯୁବ ବାହିନୀ ରାଜ୍ୟ ସରକାରଙ୍କ ଏକ ସରକାରୀ ଯୋଜନା। ପୂର୍ବରୁ ଅରୂପ ପଟ୍ଟନାୟକ ବିଜୁ ଯୁବ ବାହିନୀ ମୁଖ୍ୟ ଦାୟିତ୍ବରେ ଥିଲେ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସେ ବିଜୁ ଯୁବ ବାହିନୀ ଛାଡିଥିଲେ।

Categories
ଆଜିର ଖବର

ରାହୁଲଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ : ନାଗରିକତ୍ବକୁ ନେଇ ପ୍ରଶ୍ନ

ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ କୌଶଲ। ସେ  ତାଙ୍କ ନାମାଙ୍କନ ରଦ୍ଦ କରିବାକୁ ଦାବି କରିଛନ୍ତି। ଧ୍ରୁବ ଲାଲ କୌଶଲଙ୍କ ଓକିଲ ଅଫଜଲ ୱାରିସ, ସୁରେନ୍ଦ୍ର ଚନ୍ଦ୍ର ଏବଂ ସୁରେଶ କୁମାର ଶୁକ୍ଲାଙ୍କ ଅଭିଯୋଗ ଉପରେ ଜିଲା ନିର୍ବାଚନ କାର୍ଯ୍ୟଳୟରେ ଶନିବାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷ ଶୁଣିବା ପରେ ରିଟର୍ଣ୍ଣିଂ ଅଫିସର ଶୁଣାଣିକୁ ଅପ୍ରେଲ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଆମେଠି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ନାମାଙ୍କନ ପତ୍ରରେ ଉଲ୍ଲେଖ କରିଥିବା ତଥ୍ୟକୁ ଚ୍ୟାଲେଞ୍ଜ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍। ସେ ଅଭିଯୋଗ କରିଛନ୍ତି, ବ୍ରିଟେନରେ ପଞ୍ଜିକୃତ କମ୍ପାନୀର ତଥ୍ୟ ଅନୁଯାୟୀ, ରାହୁଲ ଗାନ୍ଧି ୟୁକେର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତେଣୁ ଜଣେ ଅନ୍ୟ ଦେଶର ନାଗରିକ ଭାରତରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି। ଏଥିସହ ରାହୁଲ ଯେଉଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେଥିରେ ତାଙ୍କର ସମ୍ପତ୍ତି ଅନ୍ତର୍ଭୁକ୍ତ ଯେଉଁ କମ୍ପାନୀ ବାବଦରେ ଉଲ୍ଲେଖ କରିଛନ୍ତି ସେଥିରେ ତାଙ୍କର ଲାଭ କ୍ଷତି ଇତ୍ୟାଦି ଉଲ୍ଲେଖ କରି ନାହାନ୍ତି। ଏଥିସହ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟରେ ଅନେକ ତ୍ରୁଟି ଥିବା ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଓକିଲ ରବି ପ୍ରକାଶ କହିଛନ୍ତି। ଏହାପୂର୍ବରୁ ବିଜେପି ମଧ୍ୟ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି।

Categories
ଆଜିର ଖବର

ଯୌନ ନିର୍ଯାତନା ଅଭିଯୋଗକୁ ଗୋଗୋଇଙ୍କ ଖଣ୍ଡନ

ନିଜ ନାମରେ ରହିଥିବା ଯୌନ ନିର୍ଯାତନା ମାମଲାକୁ ଖଣ୍ଡନ କରିଛନ୍ତି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ। ଅକ୍ଟୋବର ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଗୋଗୋଇଙ୍କ କୋର୍ଟରେ ସହକାରୀ ଭାବରେ କାର୍ଯ୍ୟ କରିଥିବା ଜନୈକ ମହିଳା ଅକ୍ଟୋବର ୨୦୧୮ରେ ତାଙ୍କ ନାମରେ ଅଭିଯୋଗ ବାଢିଥିଲେ। ନିଜର ସତ୍ୟପାଠ ସେ ସମସ୍ତ ସୁପ୍ରିମ୍‌କୋର୍ଟ ବିଚାରପତିଙ୍କୁ ପଠାଇବା ସହିତ ଗଣମାଧ୍ୟମ ଅଧିକାରୀଙ୍କୁ ମଧ୍ୟ ପଠାଇଛନ୍ତି। ମାମଲାର ଶୁଣାଣି ପାଇଁ ସୁ୍ପ୍ରିମ୍‌କୋର୍ଟ ସାଧାରଣ ସମ୍ପାଦକ ସଞ୍ଜୀବ ସୁଧାକର କାଲଗାଓଁକର ଏହି ମାମଲାକୁ କପୋଳ କଳ୍ପିତ ବୋଲି ଅଭିହିତ କରିବା ସହ ଖୁବ୍‌ ଶୀଘ୍ର ମାମଲାର ଶୁଣାଣି କରାଯିବ ବୋଲି କହିଥିଲେ। ମହିଳା ଜଣଙ୍କ ନିଜ ସତ୍ୟପାଠ ଏକାଧିକ ବିଚାରପତିଙ୍କ ନିକଟକୁ ପଠାଇଥିବା ନେଇ ସୂଚନା ଦେଇଛନ୍ତି କାଲଗାଓଁକର। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବିଗତ ପାଞ୍ଚ ମାସ ମଧ୍ୟରେ ମୋତେ ଏବଂ ମୋ ପରିବାରକୁ ଜାଣିଶୁଣି ହଇରାଣ କରାଯାଉଛି। ଅକ୍ଟୋବର ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଗୋଗୋଇଙ୍କ କୋର୍ଟରେ ସହକାରୀ ଭାବରେ କାର୍ଯ୍ୟ କରିଥିବା ଏହି ମହିଳା ଜଣଙ୍କ ଅକ୍ଟୋବର ୨୦୧୮ରେ ଅଭିଯୋଗ ବାଢିଥିଲେ। ବିଗତ ୫ ମାସ ମଧ୍ୟରେ ତାଙ୍କ ସ୍ବାମୀ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଯେ କି ଦିଲ୍ଲୀ ପୋଲିସ୍‌ରେ କାର୍ଯ୍ୟରତ ଥିଲେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ମହିଳା ଜଣଙ୍କ ଲାଞ୍ଚ ନେବା ମାମଲାରେ ଜେଲ୍‌ରେ ଥିବା ବେଳେ ଏବେ ଜାମିନରେ ଅଛନ୍ତି। ଏହି ମାମଲାକୁ ଆଜି ଏକାଧିକ ବିଚାରପତି ଶୁଣାଣି କରିଥିଲେ। ତାଙ୍କୁ ଏହି ମାମଲାରେ ବଳିବୋଦା ବନା ଯାଉଛି ବୋଲି କହିଥିଲେ ମୁଖ୍ୟ ବିଚାରପତି।

Categories
ଆଜିର ଖବର

କଲ୍ୟାଣ ସିଂଙ୍କ ବିବାଦୀୟ ବୟାନ ପ୍ରସଙ୍ଗ : ରାଷ୍ଟ୍ରପତିଙ୍କୁ ନିର୍ବାଚନ କମିଶନଙ୍କ ପତ୍ର

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ନେତାଙ୍କ ଟିପ୍ପଣୀ ଉପରେ କଡା ନଜର ରଖିଛି ନିର୍ବାଚନ କମିଶନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଯେମିତି ଆଚରଣ ସଂହିତା ଉଲ୍ଲଂଘନ ନ ହେବ। ରାଜସ୍ଥାନର ରାଜ୍ୟପାଳ କଲ୍ୟାଣ ସିଂଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖିଛି। କିଛି ଦିନ ତଳେ ଶ୍ରୀ ସିଂ ଆଲିଗଡରେ କହିଥିଲେ, ମୋଦିଙ୍କୁ ଦେଶ ଆବଶ୍ୟକ କରୁଛି ଏବଂ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଉଚିତ୍‌। ଏହି ବିବାଦ ନେଇ ପୂର୍ବରୁ ଶ୍ରୀ ସିଂଙ୍କୁ ନିର୍ବାଚନ କମିଶନ ସମାଲୋଚନା କରିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ପତ୍ର ଲେଖିଛି। ଜଣେ ରାଜ୍ୟପାଳ ଏପରି ଟିପ୍ପଣୀ ଦେଇଥିବାରୁ ଏହାର ବିଚାର ରାଷ୍ଟ୍ରପତି କରିବା ଠିକ୍‌ ହେବ ବୋଲି ଭାବି ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଏକ ସାକ୍ଷାତ୍‌କାରରେ ରାଜ୍ୟପାଳ କଲ୍ୟାଣ ସିଂ କହିଥିଲେ, ଆମେ ସମସ୍ତେ ଭାଜପାର କର୍ମୀ ଓ ଭାଜପାକୁ ସମର୍ଥନ କରୁ।