ରାହୁଲଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ : ନାଗରିକତ୍ବକୁ ନେଇ ପ୍ରଶ୍ନ

Published: Apr 20, 2019, 5:09 pm IST

ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ କୌଶଲ। ସେ  ତାଙ୍କ ନାମାଙ୍କନ ରଦ୍ଦ କରିବାକୁ ଦାବି କରିଛନ୍ତି। ଧ୍ରୁବ ଲାଲ କୌଶଲଙ୍କ ଓକିଲ ଅଫଜଲ ୱାରିସ, ସୁରେନ୍ଦ୍ର ଚନ୍ଦ୍ର ଏବଂ ସୁରେଶ କୁମାର ଶୁକ୍ଲାଙ୍କ ଅଭିଯୋଗ ଉପରେ ଜିଲା ନିର୍ବାଚନ କାର୍ଯ୍ୟଳୟରେ ଶନିବାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷ ଶୁଣିବା ପରେ ରିଟର୍ଣ୍ଣିଂ ଅଫିସର ଶୁଣାଣିକୁ ଅପ୍ରେଲ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଆମେଠି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ନାମାଙ୍କନ ପତ୍ରରେ ଉଲ୍ଲେଖ କରିଥିବା ତଥ୍ୟକୁ ଚ୍ୟାଲେଞ୍ଜ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍। ସେ ଅଭିଯୋଗ କରିଛନ୍ତି, ବ୍ରିଟେନରେ ପଞ୍ଜିକୃତ କମ୍ପାନୀର ତଥ୍ୟ ଅନୁଯାୟୀ, ରାହୁଲ ଗାନ୍ଧି ୟୁକେର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତେଣୁ ଜଣେ ଅନ୍ୟ ଦେଶର ନାଗରିକ ଭାରତରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି। ଏଥିସହ ରାହୁଲ ଯେଉଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେଥିରେ ତାଙ୍କର ସମ୍ପତ୍ତି ଅନ୍ତର୍ଭୁକ୍ତ ଯେଉଁ କମ୍ପାନୀ ବାବଦରେ ଉଲ୍ଲେଖ କରିଛନ୍ତି ସେଥିରେ ତାଙ୍କର ଲାଭ କ୍ଷତି ଇତ୍ୟାଦି ଉଲ୍ଲେଖ କରି ନାହାନ୍ତି। ଏଥିସହ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟରେ ଅନେକ ତ୍ରୁଟି ଥିବା ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଓକିଲ ରବି ପ୍ରକାଶ କହିଛନ୍ତି। ଏହାପୂର୍ବରୁ ବିଜେପି ମଧ୍ୟ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି।

Related posts