Categories
ଆଜିର ଖବର ଜାତୀୟ ଖବର

CAA ଉପରେ ଏବେ କୌଣସି ପ୍ରତିବନ୍ଧକ ନାହିଁ, କେନ୍ଦ୍ରରୁ ଉତ୍ତର ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରୁ CAA ବିରୋଧରେ ଦାଖଲ ହୋଇଥିବା ୨୦୦ ରୁ ଅଧିକ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ବର୍ତ୍ତମାନ ସୁପ୍ରିମକୋର୍ଟ CAA ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି। ତିନି ସପ୍ତାହ ମଧ୍ୟରେ CAA ଉପରେ କେନ୍ଦ୍ର ସରକାରଙ୍କ ଉତ୍ତର ମାଗିଛନ୍ତି। ଶୁଣାଣି ସମୟରେ ସିଜେଆଇ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ ଯେ, ବିଜ୍ଞପ୍ତି ଉପରେ ଉତ୍ତର ଦେବାକୁ ସେମାନେ କେତେ ସମୟ ଆବଶ୍ୟକ କରୁଛନ୍ତି। ଯେଉଁଥିରେ କେନ୍ଦ୍ର ପକ୍ଷରୁ ହାଜର ହେବାକୁ ଥିବା ସଲିସିଟର ଜେନେରାଲ ୪ ସପ୍ତାହ ସମୟ ମାଗିଥିଲେ। ତେବେ କୋର୍ଟ ଏହାର ଉତ୍ତର ଦାଖଲ କରିବାକୁ କେନ୍ଦ୍ରକୁ ତିନି ସପ୍ତାହ ସମୟ ଦେଇଛନ୍ତି, ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯ ତାରିଖରେ ହେବ।

ଆବେଦନକାରୀଙ୍କ ମଧ୍ୟରୁ ଜଣେ ହାଜର ହୋଇଥିବା ଆଡଭୋକେଟ୍ କପିଲ ସିବଲ କେନ୍ଦ୍ରକୁ ସମୟ ଦେବାକୁ ବିରୋଧ କରିଥିଲେ। ସେ କହିଛନ୍ତି ଯେ, CAA କୁ ଚାରି ବର୍ଷ ହୋଇଯାଇଛି। ଲୋକମାନେ ନାଗରିକତ୍ୱ ପାଇବା ପରେ ଏହାକୁ ଫେରାଇବା କଷ୍ଟକର ହେବ। ସେ କହିଛନ୍ତି ଯେ, ଏହା ପରେ ଏହି ଆବେଦନଗୁଡିକ ପ୍ରଭାବହୀନ ହୋଇଯିବ। ଆମେ ସମୟ ବିରୁଦ୍ଧରେ ବିରୋଧ କରୁନାହୁଁ, ଚାରି ବର୍ଷ ପରେ ତତ୍ପରତା କାହିଁକି? ଏହା ସହିତ କପିଲ ସିବଲ କୋର୍ଟଙ୍କ ବିଜ୍ଞପ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ।

ଅନ୍ୟ ଜଣେ ଓକିଲ ଇନ୍ଦିରା ଜୟସିଂହ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ CAA ଉପରେ ରୋକ ଲଗାଇବା ଦାବି କରିଥିଲେ। ସେ କହିଥିଲେ ଯେ, ଏହି ମାମଲା ଏକ ବଡ ବେଞ୍ଚକୁ ପଠାଯିବା ଉଚିତ। ଏଥି ସହିତ ସିଜେଆଇ କହିଥିଲେ ଯେ, ଉତ୍ତର ଦେବାକୁ କେନ୍ଦ୍ର ସରକାରଙ୍କୁ କିଛି ସମୟ ଦିଆଯାଇପାରେ, କାରଣ ସେମାନଙ୍କୁ ଆଉ କିଛି ସମୟ ମାଗିବାର ଅଧିକାର ରହିଛି।

Categories
ଆଜିର ଖବର ଜାତୀୟ ଖବର

ହିନ୍ଦୁ ଦେବାଦେବୀଙ୍କୁ ନାଗରିକତା ମିଳିବା ନେଇ ଦାବି କଲେ ପୂଜାରୀ

ହାଇଦ୍ରାବାଦ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍‌ଆରସି)କୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଲାଗି ରହିଥିବାବେଳେ ଜଣେ ପୂଜାରୀଙ୍କ ହିନ୍ଦୁଦେବାଦେବୀଙ୍କ ପାଇଁ ସରକାରଙ୍କଠାରୁ ନାଗରିକତ୍ବ ଦାବି ବେଶ୍‌ ଚର୍ଚ୍ଚାରେ ରହିଛି ।

ହାଇଦ୍ରାବାଦର ଚିଲକୁର୍‌ ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସିଏସ୍‌ ରଙ୍ଗରାଜନ୍‌ ହିନ୍ଦୁ ଦେବାଦେବୀଙ୍କ ନାଗରିକତ୍ବ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସିଏସ୍‌ ରଙ୍ଗରାଜନ୍‌ ତିରୁମାଲାର ଭେଙ୍କେଟଶ୍ବର ସ୍ବାମୀ, ସାବରମାଳୀର ଆୟାପ୍ପା ସ୍ବାମୀଙ୍କ ପରି ସମସ୍ତ ହିନ୍ଦୁ ଦେବାଦେବୀଙ୍କୁ ସିଏଏ ଅନ୍ତର୍ଗତ ଧାରା 5(4) ଅନୁଯାୟୀ ନାଗରିକ ରୂପରେ ପଞ୍ଜିକୃତ କରିବା ଲାଗି ଦାବି କରିଛନ୍ତି ।

ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସିଏସ୍‌ ରଙ୍ଗରାଜନଙ୍କ ମତରେ ସିଏଏ ଆଇନ ଆଧାରରେ ଯଦି ସମସ୍ତ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ଦେବାକୁ ପ୍ରାବଧାନ ରହିଛି, ତେବେ ମନ୍ଦିରର ଦେବାଦେବୀଙ୍କୁ କ’ଣ ପାଇଁ ନାଗରିକତା ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ରଙ୍ଗରାଜନ୍‌ କହିଛନ୍ତି ଯେ ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ହିନ୍ଦୁ ମନ୍ଦିର ଓ ଧାର୍ମିକ ସଙ୍ଗଠନ ଏବେ ବିପଦରେ ରହିଛନ୍ତି । ସରକାର ସାମ୍ବିଧାନିକ ପ୍ରାବଧାନ ଓ ନ୍ୟାୟିକ ନିଷ୍ପତ୍ତି ଆଧାରରେ ହିନ୍ଦୁ ମନ୍ଦିର ଓ ଧର୍ମୀୟ ସଙ୍ଗଠନକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି। ଅପରପକ୍ଷରେ ଅନ୍ୟ ଧର୍ମ ସଂସ୍ଥାକୁ ନିୟନ୍ତ୍ରଣରୁ ବାହାରେ ରଖିଛନ୍ତି ।

ସଂଶୋଧିତ ନାଗରିକତା ଆଇନ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନଠାରୁ 2014 ଡିସେମ୍ବର 31 ପୂର୍ବରୁ ଭାରତକୁ ଆସିଥିବା ହିନ୍ଦୁ, ଈଶାଇ, ଶିଖ୍‌, ପାର୍ସୀ, ଜୈନ୍‌ ଓ ବୁଦ୍ଧିଷ୍ଟ୍‌ମାନଙ୍କୁ ଭାରତୀୟ ନାଗରିକତ୍ବ ମିଳିବ । ଅପରପକ୍ଷରେ ଏହି ନିୟମରେ ମୁସଲମାନଙ୍କୁ ସାମିଲ୍‌ କରାଯାଇନାହିଁ । ସିଏଏକୁ ନେଇ ଶାହୀନବାଗ୍‌ଠାରେ 38 ଦିନ ଧରି ବିରୋଧ ପ୍ରଦର୍ଶନ ଜାରି ରହିଛି । (ଏଜେନ୍ସି)

Categories
ଆଜିର ଖବର

ରାହୁଲଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ : ନାଗରିକତ୍ବକୁ ନେଇ ପ୍ରଶ୍ନ

ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ କୌଶଲ। ସେ  ତାଙ୍କ ନାମାଙ୍କନ ରଦ୍ଦ କରିବାକୁ ଦାବି କରିଛନ୍ତି। ଧ୍ରୁବ ଲାଲ କୌଶଲଙ୍କ ଓକିଲ ଅଫଜଲ ୱାରିସ, ସୁରେନ୍ଦ୍ର ଚନ୍ଦ୍ର ଏବଂ ସୁରେଶ କୁମାର ଶୁକ୍ଲାଙ୍କ ଅଭିଯୋଗ ଉପରେ ଜିଲା ନିର୍ବାଚନ କାର୍ଯ୍ୟଳୟରେ ଶନିବାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷ ଶୁଣିବା ପରେ ରିଟର୍ଣ୍ଣିଂ ଅଫିସର ଶୁଣାଣିକୁ ଅପ୍ରେଲ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଆମେଠି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ନାମାଙ୍କନ ପତ୍ରରେ ଉଲ୍ଲେଖ କରିଥିବା ତଥ୍ୟକୁ ଚ୍ୟାଲେଞ୍ଜ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍। ସେ ଅଭିଯୋଗ କରିଛନ୍ତି, ବ୍ରିଟେନରେ ପଞ୍ଜିକୃତ କମ୍ପାନୀର ତଥ୍ୟ ଅନୁଯାୟୀ, ରାହୁଲ ଗାନ୍ଧି ୟୁକେର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତେଣୁ ଜଣେ ଅନ୍ୟ ଦେଶର ନାଗରିକ ଭାରତରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି। ଏଥିସହ ରାହୁଲ ଯେଉଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେଥିରେ ତାଙ୍କର ସମ୍ପତ୍ତି ଅନ୍ତର୍ଭୁକ୍ତ ଯେଉଁ କମ୍ପାନୀ ବାବଦରେ ଉଲ୍ଲେଖ କରିଛନ୍ତି ସେଥିରେ ତାଙ୍କର ଲାଭ କ୍ଷତି ଇତ୍ୟାଦି ଉଲ୍ଲେଖ କରି ନାହାନ୍ତି। ଏଥିସହ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟରେ ଅନେକ ତ୍ରୁଟି ଥିବା ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଓକିଲ ରବି ପ୍ରକାଶ କହିଛନ୍ତି। ଏହାପୂର୍ବରୁ ବିଜେପି ମଧ୍ୟ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି।