ଭୁବନେଶ୍ବର: ଓଡ଼ିଶା ପ୍ରତିକୂଳ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଏବଂ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ କରି ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଜଳସେଚନ ଓ ଜଳ ନିଷ୍କାସନ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଇଛି। କୃଷି କାର୍ଯ୍ୟ ଏବଂ ଗ୍ରାମାଞ୍ଚଳର ଜନଜୀବନକୁ ପୂର୍ବବତ୍ ସ୍ୱାଭାବିକ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାବଦ୍ଧ ପଦକ୍ଷେପ ହାତକୁ ନିଆଯାଇଛି।
ଏହି ପୁନରୁଦ୍ଧାର ଅଭିଯାନ ଅଧୀନରେ ପ୍ରମୁଖ ଓ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏପର୍ଯ୍ୟନ୍ତ ଏନେଇ ପ୍ରାୟ ୧୨୫ଟି ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୪୭ଟି କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି। ଏଥିସହିତ ପ୍ରାୟ ୫,୧୧୧ କିଲୋମିଟର ପରିମାଣର କ୍ଷତିଗ୍ରସ୍ତ ଜଳସେଚନ ନେଟୱର୍କକୁ ପୁନଃସ୍ଥାପିତ କରାଯାଇଛି। କେନାଲ, ନଦୀବନ୍ଧ ଏବଂ ବିଭିନ୍ନ ଜଳସେଚନ ପ୍ରକଳ୍ପର ସଫଳ ମରାମତି ଦ୍ୱାରା କୃଷି ଜମିକୁ ପୁଣିଥରେ ନିୟମିତ ଜଳ ଯୋଗାଣ ସୁନିଶ୍ଚିତ ହୋଇପାରିଛି।
ଅପରପକ୍ଷରେ, ବର୍ଷାଜଳ ଜମି ରହିବା ସମସ୍ୟାକୁ ଦୂର କରିବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଡ୍ରେନେଜ୍ ନେଟୱର୍କଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଉଛି। ଏହି କ୍ରମରେ ପ୍ରାୟ ୫,୩୧୦ କିଲୋମିଟର ଡ୍ରେନେଜ୍ ନେଟୱର୍କର ମରାମତି ଓ ପୁନରୁଦ୍ଧାର କରାଯାଇଥିବା ବେଳେ ୮ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଅନ୍ୟ ୭ଟି କାର୍ଯ୍ୟ ଏବେ ପ୍ରକ୍ରିୟାଧୀନ ରହିଛି। ଏହାଦ୍ୱାରା ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ଚାଷୀମାନେ ବଡ଼ ମାତ୍ରାରେ ଆଶ୍ୱସ୍ତି ପାଇପାରିବେ।
ସେହିପରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଜଳ ଉତ୍ତୋଳନ ବା ଲିଫ୍ଟ ଜଳସେଚନ ବ୍ୟବସ୍ଥାର ପୁନଃସ୍ଥାପନ ଦିଗରେ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା ଗଞ୍ଜାମ, କନ୍ଧମାଳ ଏବଂ ଗଜପତି ଆଦି ଅଞ୍ଚଳରେ ୧୧୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅସ୍ଥାୟୀ ମରାମତି ସଫଳତାର ସହ ଶେଷ ହୋଇଛି। ଏହା ସହିତ ୧୧୭୭ଟି କ୍ଷତିଗ୍ରସ୍ତ ପମ୍ପ୍ରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ କୃଷକମାନଙ୍କୁ ତୁରନ୍ତ ଜଳ ସେବା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଜଳସେଚନର ପୁନଃସ୍ଥାପନ, କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜଳ ଯୋଗାଣ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ସୁଦୃଢ଼ୀକରଣ ମାଧ୍ୟମରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସାଧାରଣ ଜନଜୀବନକୁ ପୁନର୍ବାର ସ୍ୱାଭାବିକ ତଥା ଗତିଶୀଳ କରିବା ଦିଗରେ ସରକାରଙ୍କ ଏହି ନିରନ୍ତର ଓ ଦୃଢ଼ ପଦକ୍ଷେପ ଗ୍ରାମାଞ୍ଚଳର ଅର୍ଥନୀତି ଓ କୃଷିକ୍ଷେତ୍ରକୁ ନୂତନ ଜୀବନ ଦେଇଛି।


