ନଭଜୋତ ସିଂ ସିଦ୍ଧୁଙ୍କୁ ଇସିଙ୍କ କାରଣ ଦର୍ଶାଅ ନୋଟିସ୍‌

Published: Apr 21, 2019, 1:16 pm IST
ec notice to congress leader sidhu

ଦେଶରେ ନିର୍ବାଚନୀ ବାତାବରଣ ବେଶ୍‌ ସରରଗମ। ଦୁଇଟି ପର୍ଯ୍ୟାୟର ନିର୍ବାଚନ ସରିଯାଇଥିବାବେଳେ ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଭିତରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ ସହ ଭୋଟର୍‌ଙ୍କୁ ଆକୃଷ୍ଟ ପାଇଁ ପ୍ରାଣମୂର୍ଛା ଉଦ୍ୟମ। ଏହି ଭିତରେ ରାଜନୈତିକ ଦଳମାନେ ନିଜ ନିଜର ବକ୍ତବ୍ୟକୁ  ନେଇ ସଚେତନ ରହୁନାହାନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାପରଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି। ଆମର ତଥାକଥିତ ନେତାମାନେ କିନ୍ତୁ ତାଙ୍କ ମୁହଁରେ ଲଗାମ ଦେବା ପାଇଁ ଚେଷ୍ଟା ମଧ୍ୟ କରୁନାହାନ୍ତି। ନିକଟରେ ଇସି ଏପରି ବିବାଦୀୟ ମନ୍ତବ୍ୟ ପାଇଁ ଯୋଗୀ ଆଦିତ୍ୟନାଥ, ମାୟାବତୀ, ସୁଶ୍ରୀ ପ୍ରଜ୍ଞା, ମାନେକା ଗାନ୍ଧି ତଥା ଆଜମ୍‌ ଖାନ୍‌ଙ୍କୁ ନୋଟିସ୍‌ ଜାରି କରି ଜବାବ ତଲବ କରିଥିବାବେଳେ କଂଗ୍ରେସର ନେତା ନଭ୍‌ଜୋତ୍‌ ସିଂ ସିଦ୍ଧୁ ପୁଣି ଥରେ ଇସିଙ୍କ ଛାଟ ପଡିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ଲାଗି କଂଗ୍ରେସ ନେତା ନଭଜୋତ୍‌ ସିଂ ସିଦ୍ଧୁଙ୍କୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରିବା ଲାଗି ସେ ମୁସଲମାନ ଭୋଟରଙ୍କୁ ଆହ୍ବାନ ଦେଇଥିଲେ। ସେ ଆଦର୍ଶ ଆଚରଣ ବିଧି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ପ୍ରମାଣ ମିଳିଯାଇଛି। ରାଜନୈତିକ ପ୍ରଚାର ପାଇଁ ଧର୍ମୀୟ ସହାୟତା ନ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ବିହାର କଟିହାର ଜିଲ୍ଲାର ଏକ ନିର୍ବାଚନୀ ସଭାରେ ସିଦ୍ଧୁଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଛି।

Related posts