Categories
ଆଜିର ଖବର

ଶ୍ରୀନଗର ଡେପୁଟି ମେୟରଙ୍କ ବିରୋଧରେ ଏସିବିର ମାମଲା

ଜମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ଅଧୀନରେ ରହିଥିବା ଦୁର୍ନୀତି ନିବାରଣ ବିଭାଗ (ଏସିବି) ପକ୍ଷରୁ ଶ୍ରୀନଗର ନଗର ପାଳିକାର ଡେପୁଟି ମେୟରଙ୍କ ବିପକ୍ଷରେ ଏକ ମାମଲା ରୁଜୁ କରାଯାଇଛି। ଡେପୁଟି ମେୟର ଶେଖ୍‌ ଇମ୍ରାନଙ୍କ ସମେତ ଜମ୍ମୁ କାଶ୍ମୀର ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ନାମରେ ମଧ୍ୟ ଏହି ମାମଲା ରୁଜୁ କରାଯାଇଛି। ଶେଖ୍‌ ଇମ୍ରାନ୍‌ଙ୍କ ଫାର୍ମ କେହଓ୍ବା ଗ୍ରୁପ୍‌କୁ କୋଟି କୋଟି ଟଙ୍କାର ସବ୍‌ସିଡି ଛାଡ କରାଯିବା ନେଇ ଏହି ମାମଲା ରୁଜୁ କରାଯାଇଛି। ପୁଲଓ୍ବାମାର ଲସ୍ସିପୋରାରୁ ଏସିବିର ଜଣେ ଅଧିକାରୀ ଇମ୍ରାନ ଏବଂ ଅନ୍ୟ ମାନଙ୍କ ନାମରେ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲା ଦାୟର କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏସିବି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେହଓ୍ବା ଗ୍ରୁପ୍‌ ୧୩୮ କୋଟି ଟଙ୍କାର ଋଣ ନେଇଥିଲା। ବ୍ୟାଙ୍କ ପକ୍ଷରୁ ଏହାକୁ ପ୍ରଥମେ ୭୮ କୋଟିକୁ ହ୍ରାସ କରାଯାଇଥିଲା। ପରବର୍ତ୍ତୀ ଦୁଇଟି କିସ୍ତିରେ ଏହାକୁ ୫୫ କୋଟି ଏବଂ ସର୍ବଶେଷରେ ୨୭ କୋଟିକୁ ହ୍ରାସ କରାଯାଇଥିଲା।

Categories
ଆଜିର ଖବର

ଡାକ୍ତରଙ୍କ ଧର୍ମଘଟ ନେଇ ମମତାଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧର୍ମଘଟ ପଞ୍ଚମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ଗୃହ ମନ୍ତ୍ରାଳୟ ଏହି ଧର୍ମଘଟ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ୍‌ ଜାରି କରିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏହି ନୋଟିସ୍‌ ଜାରି କରିବା ସହିତ ଏହି ସମ୍ପର୍କିତ  ତୁରନ୍ତ ଏକ ରିପୋର୍ଟ ଦେବାକୁ ତଲବ କରିଛନ୍ତି। ଏହି ନୋଟିସ୍‌ରେ କୁହାଯାଇଛି ଯେ, ଡାକ୍ତରଙ୍କ ଧର୍ମଘଟର ପ୍ରଭାବ ସାରା ଦେଶରେ ପଡିଛି। ପଶ୍ଚିମବଙ୍ଗ ବ୍ୟତୀତ ଏହି ଧର୍ମଘଟରେ ଅନ୍ୟ ରାଜ୍ୟର ଡାକ୍ତରମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି। କେନ୍ଦ୍ର ମମତାଙ୍କୁ ଏହାର କାରଣ ଦର୍ଶାଇବା ସହିତ ଧର୍ମଘଟକୁ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ଉପରେ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯାଇଛି। ପୂର୍ବରୁ ମଧ୍ୟ ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗରେ ହେଉଥିବା ଅଶାନ୍ତି ବାତାବରଣକୁ ନେଇ ନୋଟିସ୍‌ ପଠାଇଥିଲେ। ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଦୁଇ ନବଜାତଙ୍କ ବିନା ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି। ଏବେବି ପଶ୍ଚିମବଙ୍ଗରେ ମମତା ସରକାର – ଡାକ୍ତରଙ୍କ ନିଜ ନିଜ ଜିଦ୍‌ରେ ଅଡ଼ି ରହିଛନ୍ତି।

Categories
ଆଜିର ଖବର

ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଦୁର୍ନୀତି: ପୂର୍ବତନ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡିର ସମନ

ପୂର୍ବତନ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡିର ସମନ, ବହୁ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ମାମଲାରେ ଜେରା କରିବ ଇଡି। ବିମାନ ଚଳାଚଳରେ ହୋଇଥିବା ଦୁର୍ନୀତି ଘଟଣାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ୍‌ କରିଛି। ତାଙ୍କୁ ଜୁନ୍‌ ୬ରେ ବ୍ୟକ୍ତିଗତ ଭାବେ ଇଡିରେ ହାଜର ହେବାକୁ ଏହି ନୋଟିସ୍‌ରେ କୁହାଯାଇଛି। ବିଦେଶ ବିମାନ କମ୍ପାନୀଗୁଡ଼ିକୁ ଫାଇଦା ଦେବା ଘଟଣାରେ ପ୍ରଫୁଲ୍ଲ ପଟେଲ୍‌ଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଇଣ୍ଡିଆନ୍‌ ଏୟାର୍‌ଲାଇନ୍ସ ଦ୍ବାରା ୨୦୦୬ ଫେବୃଆରୀରେ ବିମାନ ଅଧିଗ୍ରହଣ ବିଷୟରେ ନିୟନ୍ତ୍ରକ ଓ ମହାଲେଖାପରୀକ୍ଷକ (କ୍ୟାଗ୍‌) ଅଗଷ୍ଟ ୧୭, ୨୦୧୧କୁ ରିପୋର୍ଟରେ ଆଇଏଏଲ୍‌ର ଅନୁମୋଦିତ ୮,୩୯୯,୬୦ କୋଟି ଟଙ୍କାର ୪୩ଟି ବିମାନ କ୍ରୟରେ ବହୁ କୋଟିର ଦୁର୍ନୀତି ହୋଇଥିବାର ଜଣାଯାଇଥିଲା। ଅନ୍ୟପକ୍ଷରେ ଇଡି ସହ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି।

Categories
ଆଜିର ଖବର

ସୁଇସ୍‌ ବ୍ୟାଙ୍କ : ୧୧ଜଣ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ୍‌

କଳାଧନ ପାଇଁ ସବୁଠୁ ନିରାପଦ ସ୍ଥାନ ‘ସୁଇସ ବ୍ୟାଙ୍କ’ ତରଫରୁ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ୍‌ ମିଳିଛି। ସୁଇସ୍‌ ବ୍ୟାଙ୍କ ଭାରତକୁ ଖାତାଧାରୀଙ୍କ ବାବଦରେ ସୂଚନା ପ୍ରଦାନ କରିବା ଆରମ୍ଭ କରିଛି। ବ୍ୟାଙ୍କ ତରଫରୁ ଗତ ସପ୍ତାହରେ ୧୧ ଜଣ ଭାରତୀୟ ଖାତାଧାରକଙ୍କୁ ନୋଟିସ ଜାରି ହୋଇଥିବା ଜାତୀୟ ଗଣମାଧ୍ୟର ରିପୋର୍ଟରୁ ଜଣାପଡ଼ିଛି। ଗତ ମାର୍ଚ୍ଚ ପରଠାରୁ ଏଯାଏଁ ଅତିକମରେ ୨୫ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ ଜାରି କରଥିବା ସ୍ୱିସ ଅଧିକାରୀମାନେ ତଥ୍ୟ ପ୍ରଦାନ କରିଛନ୍ତି। ଏଥି ସହିତ ବ୍ୟାଙ୍କ ତରଫରୁ ସଂପର୍କୀତ ଲୋକଙ୍କ ବାବାଦରେ ତଥ୍ୟ ମଗାଯାଇଛି। ନୋଟିସରେ ସୁଇଜରଲାଣ୍ଡ ଭାରତୀୟ ଗ୍ରାହକଙ୍କ ବାବଦରେ ସୂଚନା ପ୍ରଦାନ କରିବାକୁ ଶେଷ ସୁଯୋଗ ଦିଆଯାଇଛି। ସ୍ବିସ୍‌ ସରକାର ଅଧିସୂଚନା ଜାରି କରି ଆକାଉଣ୍ଟଧାରୀଙ୍କ ବିଷୟରେ ତଥ୍ୟ ସାର୍ବଜନୀନ କରିଛି। କିନ୍ତୁ ଏଥିରେ ଆକାଉଣ୍ଟଧାରୀଙ୍କ ପୂରା ନାମ ବଦଳରେ ମୂଳ ଅକ୍ଷର ରହିଛି। ଏହା ସହିତ ଉପଭୋକ୍ତାଙ୍କ ରାଷ୍ଟ୍ରୀୟତା ଓ ଜନ୍ମତିଥି ଆଦି ତଥ୍ୟ ରହିଛି। ଯେଉଁ ଦୁଇ ଭାରତୀୟ ନାମଙ୍କ ପୂରା ଉଲ୍ଲେଖ ରହିଛି, ସେ ହେଉଛନ୍ତି କୃଷ୍ଣ ଭଗବାନ ରାମଚନ୍ଦ୍ର, ଯିଏ ୧୯୪୯ ମସିହାରେ ଜନ୍ମ ହୋଇଥିଲେ। ସେହିପରି ଡିସେମ୍ବର ୧୯୭୨ରେ ଜନ୍ମିତ କଳ୍ପେଶ ହର୍ଷଦ କିନାରୀଓ୍ବାଲା। ଅନ୍ୟ ନାମଗୁଡ଼ିକ ମଧ୍ୟରେ ୧୯୪୪ ନଭେମ୍ବର ୨୪ ତାରିଖରେ ଜନ୍ମିତ ମିସେଜ୍‌ ଏଏସ୍‌ବିକେ, ୧୯୮୩ ନଭେମ୍ବର ୨ରେ ଜନ୍ମିତ ଶ୍ରୀମତୀ ପିଏଏଏସ୍‌, ୧୯୭୩ ମସିହା ନଭେମ୍ବର ୨୨ରେ ଜନ୍ମିତ ଶ୍ରୀମତୀ ଆରଏଏଏସ୍‌, ୧୯୪୪ ନଭେମ୍ବର ୨୪ରେ ଜନ୍ମିତ ଏପିଏସ୍‌, ୧୯୪୯ ଅଗଷ୍ଟ ୧୪ରେ ଜନ୍ମିତ ଶ୍ରୀମତି ଏଡିଏସ୍‌, ୧୯୩୫ ମେ ୨୦ରେ ଜନ୍ମିତ ଏମଏଲ୍‌ଏ, ୧୯୬୮ ଫେବୃଆରୀ ୨୧ରେ ଜନ୍ମିତ ମିଷ୍ଟର ଏନଏମଏ ଓ ୧୯୭୩ ଜୁନ୍‌ ୨୭ରେ ଜନ୍ମିତ ମିଷ୍ଟର ଏମଏମଏ ସାମିଲ୍‌ ଅଛନ୍ତି। ସୁଇସ୍‌ ସରକାରଙ୍କ ତରଫରୁ ଜାରି ଏହି ନୋଟିସ୍‌ରେ ଏହି ସମ୍ବନ୍ଧିତ ଗ୍ରାହକ ତଥା ତାଙ୍କର ପ୍ରାଧିକୃତ ପ୍ରତିନିଧି ଆବଶ୍ୟକ ଦସ୍ତାବିଜ୍‌ ସହ ୩୦ ଦିନି ଭିତରେ ଅପିଲ୍‌ ପାଇଁ ଉପସ୍ଥିତ ରହିବାକୁ କୁହାଯାଇଛି। ଏହା ସହିତ ସମ୍ପୃକ୍ତ ଗ୍ରାହକ ତଥା ତାଙ୍କର ପ୍ରାଧିକୃତ ପ୍ରତିନିଧି ଏହି ସମ୍ବନ୍ଧୀୟ ତଥ୍ୟ ଭାରତ ସରକାରଙ୍କ ନ ଜଣାଇବାର କାରଣ ମଧ୍ୟ ଜଣାଇବେ ବୋଲି ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର

ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି : ରାଜୀବ କୁମାରଙ୍କ ନାମରେ ସିବିଆଇର ଲୁକ୍‌ଆଉଟ୍‌ ନୋଟିସ୍‌

ପଶ୍ଚିମବଙ୍ଗର ଶାରଦା ସ୍କାମ ଦୁର୍ନୀତିରେ ସିବିଆଇ ପକ୍ଷରୁ ପୂର୍ବତନ କୋଲକାତା କମିଶନର ରାଜୀବ କୁମାରଙ୍କ ନାମରେ ଏକ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରିଛି। ଦେଶ ଛାଡି ପଳାୟନ ନ କରିବା ନିମନ୍ତେ ରାଜୀବ କୁମାରଙ୍କ ନାମରେ ସିବିଆଇ ନୋଟିସ୍‌ ଜାରି କରିଛି। ଦେଶର ସମସ୍ତ ବିମାନ ବନ୍ଦର ଏବଂ ପ୍ରବାସନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସିବିଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରାଜୀବ କୁମାର ୨୫୦୦ କୋଟି ଟଙ୍କାର ଶାରଦା ଚିଟ୍‌ଫଣ୍ଡ ମାମଲାରେ ସମ୍ପୃକ୍ତ ଥିବାର ଅଭିଯୋଗ ଉଠିଥିଲା। ପୂର୍ବରୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହି ମାମଲାର ତଦନ୍ତ କରିଥିବା ବେଳେ ବର୍ତ୍ତମାନ ମାମଲା ସିବିଆଇ ନିକଟରେ ରହିଛି। ପୂର୍ବରୁ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଅଙ୍କୁଶ ଲଗାଇଥିଲେ ମାତ୍ର ଏହି ସୁରକ୍ଷା ଉଠାଇନେବା ପରେ ଗିରଫଦାରୀର ଆଶଙ୍କା ଉପୁଜିଥିଲା। ମାମଲାକୁ ନେଇ ରାଜୀବ କୁମାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା।

Categories
ଆଜିର ଖବର

କୃଷ୍ଣସାର ମୃଗ ହତ୍ୟା ମାମଲା : ସୈଫ୍‌, ସୋନାଲିଙ୍କ ସମେତ ୫ ଜଣଙ୍କୁ ହାଇକୋର୍ଟ ନୋଟିସ୍‌

କୃଷ୍ଣସାର ମୃଗ ହତ୍ୟା ମାମଲାରେ ରାଜସ୍ଥାନ ହାଇକୋର୍ଟ ସୈଫ୍‌ ଅଲ୍ଲୀ ଖାନ୍‌, ସୋନାଲି ବେନ୍ଦ୍ରେଙ୍କ ସମେତ ୫ ଜଣଙ୍କୁ ନୂତନ ନୋଟିସ୍‌ ଜାରି କରିଛି। କୋର୍ଟ ସୈଫ୍‌ ଏବଂ ସୋନାଲିଙ୍କ ବ୍ୟତୀତ ନୀଲମ, ତବୁ ଏବଂ ଦୁଷ୍ୟନ୍ତ ସିଂଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାରୁ ଛାଡ ପାଇବା ପାଇଁ ଏହି ୫ ଜଣ ଆବେଦନ କରିବା ଯୋଗୁଁ କୋର୍ଟ ପକ୍ଷରୁ ଏହି ନୂତନ ନୋଟିସ୍‌ ପଠାଯାଇଛି। ‘ହମ୍‌ ସାଥ୍‌ ସାଥ୍‌ ହୈ’ ସେଟ୍‌ରେ ହୋଇଥିବା ଏହି ଘଟଣାରୁ ମୁକ୍ତ ହେବା ପାଇଁ ଆବେଦନକୁ ବିରୋଧ କରି ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆବେଦନ କରାଯିବା ପରେ କୋର୍ଟ ଏହି ନୋଟିସ୍‌ ଜାରି କରିଥିଲେ। ଏହି ପାଞ୍ଚ ଜଣଙ୍କୁ ଦୁଇ ମାସ ପରେ ହେବାକୁ ଥିବା ଶୁଣାଣିରେ ଯୋଗ ଦେବା ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆାଯାଇଛି। ପୂର୍ବରୁ ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି।

Categories
ଆଜିର ଖବର

ରାଫାଲେ ମାମଲାରେ ମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି : ରାହୁଲ ଗାନ୍ଧୀ

ରାଫାଲେ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ ପାଇଥିବା ରାହୁଲ ଗାନ୍ଧୀ ନିରାଶ ବ୍ୟକ୍ତ କରିବା ସହିତ ତାଙ୍କ ମନ୍ତବ୍ୟକୁ କଦର୍ଥ କରି ପ୍ରକାଶ କରାଯାଇଛି ବୋଲି ସୁପ୍ରିମକୋର୍ଟଙ୍କୁ ନିଜ ମନ୍ତବ୍ୟରେ କହିଛନ୍ତି। ରାଫାଲେ ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ପ୍ରକାଶ ପରେ ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ମୁଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ମୋର ଧନ୍ୟବାଦ ଜଣାଉଛି କାରଣ କୋର୍ଟ ଆଜି ଘୋଷଣା କରିଛନ୍ତି କି ଚୌକିଦାର ହିଁ ଚୋର ଅଟେ’। ଏହି ମାମଲାକୁ ନେଇ ରାହୁଲ କହିଛନ୍ତି, ମୁଁ ଦେଇଥିବା ମନ୍ତବ୍ୟକୁ ବିପକ୍ଷ ଦଳର ନେତା ମାନେ କଦର୍ଥ କରି ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ସର୍ବୋଚ୍ଚ କୋର୍ଟ ତରଫରୁ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ରାହୁଲଙ୍କ ମନ୍ତବ୍ୟ ପରେ ବିଜେପି ପକ୍ଷରୁ ଏକ ମାମଲା ଦାଏର କରାଯାଇଥିଲା। ଏହା ପରେ ରାହୁଲଙ୍କୁ ନୋଟିସ୍‌ ଦେଇଥିଲେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ। ଖଣ୍ଡପୀଠ ରାହୁଲଙ୍କୁ ଭବିଷ୍ୟତରେ ଏଭଳି ମତାମତ ନଦେବା ପାଇଁ ତାଗିଦ କରିଥିଲେ। ସୁପ୍ରିମକୋର୍ଟ ଏଭଳି ମତାମତ ଦେଇନଥିବା ନେଇ ସ୍ପଷ୍ଟ କରିଥିଲେ ଗୋଗୋଇ।

Categories
ଆଜିର ଖବର

ନଭଜୋତ ସିଂ ସିଦ୍ଧୁଙ୍କୁ ଇସିଙ୍କ କାରଣ ଦର୍ଶାଅ ନୋଟିସ୍‌

ଦେଶରେ ନିର୍ବାଚନୀ ବାତାବରଣ ବେଶ୍‌ ସରରଗମ। ଦୁଇଟି ପର୍ଯ୍ୟାୟର ନିର୍ବାଚନ ସରିଯାଇଥିବାବେଳେ ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଭିତରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ ସହ ଭୋଟର୍‌ଙ୍କୁ ଆକୃଷ୍ଟ ପାଇଁ ପ୍ରାଣମୂର୍ଛା ଉଦ୍ୟମ। ଏହି ଭିତରେ ରାଜନୈତିକ ଦଳମାନେ ନିଜ ନିଜର ବକ୍ତବ୍ୟକୁ  ନେଇ ସଚେତନ ରହୁନାହାନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାପରଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି। ଆମର ତଥାକଥିତ ନେତାମାନେ କିନ୍ତୁ ତାଙ୍କ ମୁହଁରେ ଲଗାମ ଦେବା ପାଇଁ ଚେଷ୍ଟା ମଧ୍ୟ କରୁନାହାନ୍ତି। ନିକଟରେ ଇସି ଏପରି ବିବାଦୀୟ ମନ୍ତବ୍ୟ ପାଇଁ ଯୋଗୀ ଆଦିତ୍ୟନାଥ, ମାୟାବତୀ, ସୁଶ୍ରୀ ପ୍ରଜ୍ଞା, ମାନେକା ଗାନ୍ଧି ତଥା ଆଜମ୍‌ ଖାନ୍‌ଙ୍କୁ ନୋଟିସ୍‌ ଜାରି କରି ଜବାବ ତଲବ କରିଥିବାବେଳେ କଂଗ୍ରେସର ନେତା ନଭ୍‌ଜୋତ୍‌ ସିଂ ସିଦ୍ଧୁ ପୁଣି ଥରେ ଇସିଙ୍କ ଛାଟ ପଡିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ଲାଗି କଂଗ୍ରେସ ନେତା ନଭଜୋତ୍‌ ସିଂ ସିଦ୍ଧୁଙ୍କୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରିବା ଲାଗି ସେ ମୁସଲମାନ ଭୋଟରଙ୍କୁ ଆହ୍ବାନ ଦେଇଥିଲେ। ସେ ଆଦର୍ଶ ଆଚରଣ ବିଧି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ପ୍ରମାଣ ମିଳିଯାଇଛି। ରାଜନୈତିକ ପ୍ରଚାର ପାଇଁ ଧର୍ମୀୟ ସହାୟତା ନ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ବିହାର କଟିହାର ଜିଲ୍ଲାର ଏକ ନିର୍ବାଚନୀ ସଭାରେ ସିଦ୍ଧୁଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଛି।

Categories
ଆଜିର ଖବର

ସାଧ୍ବୀ ପ୍ରଜ୍ଞାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌

ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କୁ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ଉପରେ ଇସି ନୋଟିସ ଜାରି କରିଛନ୍ତି। ୨୪ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନିର୍ବାଚନ ଅଧିକାରୀ ସମୟ ଧାର୍ଯ୍ୟ କରିଛନ୍ତି। ସାଧ୍ବୀ ପ୍ରଜ୍ଞା ମୁମ୍ବାଇ ଆକ୍ରମଣରେ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ଅମୂଳକ ମନ୍ତବ୍ୟ ନେଇ ବାଦବିବାଦ ଲାଗି ରହିଥିଲା। ସାଧ୍ବୀ କରକରେଙ୍କ ଉପରେ ବିବାଦୀୟ ବୟାନ ଦେଇ କହିଥିଲେ, ସେ ଦେଇଥିବା ଅଭିଶାପ ଯୋଗୁଁ ୨୬/୧୧ ମୁମ୍ବାଇ ଆକ୍ରମଣରେ କରକରେଙ୍କ ମୃତ୍ୟୁ ହୋଇଥିଲା। ପରେ ସାଧ୍ବୀ ପ୍ରଜ୍ଞା ନିଜ ବୟାନ ଫେରେଇ ନେଇଥିଲେ ଓ କ୍ଷମା ମାଗିଥିଲେ। କିନ୍ତୁ ଏପରି ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ କମିଶନ ଜବାବ ତଲବ କରିଛନ୍ତି।

Categories
ଆଜିର ଖବର

ଆମେଥୀରେ ‘ନ୍ୟାୟ’ ପୋଷ୍ଟର ପାଇଁ ରାହୁଲଙ୍କୁ ଇସିଙ୍କ ନୋଟିସ୍‌

ଆମେଥିରେ ଆଦର୍ଶ ଆଚରଣ ବିଧି ଉଲଂଘନ ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଦଳର ଇସ୍ତାହାର ‘ସର୍ବନିମ୍ନ ଆୟ ଯୋଜନା’(ନ୍ୟାୟ)ର ପୋଷ୍ଟର କାନ୍ଥରେ ଲଗାଯାଇଥିବାରୁ ଏହୂି ନୋଟିସ୍‌ ପଠାଯାଇଛି। ଘରର ମାଲିକଙ୍କ ବିନା ଅନୁମତିରେ ଏହି ପୋଷ୍ଟର ଲଗା ଯାଇଥିବା ବେଳେ ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସ୍‌ର ନାମ ନାହିଁ। ଗୁରୁବାର ଇସିଙ୍କ ପକ୍ଷରୁ ରାହୁଲଙ୍କୁ ଏହି ନୋଟିସ୍‌ ପଠା ଯାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେଶର ୨୦ ପ୍ରତିଶତ ଗରିବ ଘରକୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ କରିବା ନ୍ୟାୟ ଯୋଜନାର ଅଂଶବିଶେଷ। ଦାରିଦ୍ର୍ୟ ବିରୋଧରେ ଏହା ସର୍ଜିକାଲ ଷ୍ଟ୍ରାଇକ୍‌ ହେବ ବୋଲି କହିଥିଲେ ରାହୁଲ। ଆମେଥିରୁ ରାହୁଲ ସ୍ମୃତି ଇରାନୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ମେ ୬ ତାରିଖରେ ଆମେଥିରେ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର

ଚୌକିଦାର ଚୋର୍‌ ହୈ’ କହି ଫସିଲେ ରାହୁଲ୍‌, ଜବାବ୍‌ ତଲବ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

‘ଚୌକିଦାର ଚୋର ହୈ’ ମନ୍ତବ୍ୟ ଦେଇ ଫସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାଫେଲ ମାମଲାରେ ରାହୁଲ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକିଦାର ଚୋର ହୈ’ କହିଆସୁଥିଲେ। ଗତ ସପ୍ତାହରେ ସୁପ୍ରିମକୋର୍ଟ ରାଫେଲ ମାମଲାର ପୁନର୍ବାର ଶୁଣାଣି କରିବେ ବୋଲି ରାୟ ଦେଇଥିଲେ। ଏହା ପରେ ରାହୁଲ କହିଥିଲେ ଯେ, ସୁପ୍ରିମକୋର୍ଟ ବି ମାନିଲେ ‘ଚୌକିଦାର ଚୋର ହୈ’। କିନ୍ତୁ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇ ନ ଥିବା ଦର୍ଶାଇ ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ବିଜେପି ନେତା ମିନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଥିଲେ। ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୨୨ ତାରିଖ ମଧ୍ୟରେ ରାହୁଲଙ୍କୁ ନିଜର ଉତ୍ତର ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗେଇ କହିଛନ୍ତି ଯେ, ସୁପ୍ରିମ୍‌କୋର୍ଟ ଏପରି କୌଣସି ବୟାନ ଦେଇନାହାନ୍ତି, ତେଣୁ ଏହାର ଜବାବ୍‌ ରାହୁଲ୍‌ଙ୍କୁ ମଗାଯାଇଛି। ଏହି ମାମଲାର ଶୁଣାଣୀ ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର

ଗୁଗୁଲ୍‌ ପେ’ର ବୈଧତା ନେଇ ଆରବିଆଇକୁ କୋର୍ଟଙ୍କ ନୋଟିସ୍‌

ଲୋକପ୍ରିୟ ୟୁପିଆଇ ପେମେଣ୍ଟ ଆପ୍ଲିକେସନ୍‌ ଗୁଗୁଲ୍‌ ପେ’ର ବୈଧତା ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏନେଇ କୋର୍ଟଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି। ଏହା ସହିତ ଗୁଗୁଲ୍‌ର ଡିଜିଟାଲ ପ୍ଲାଟ୍‌ଫର୍ମକୁ ମଧ୍ୟ ଉତ୍ତର ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି। ଅନୁମତି ନଥାଇ ଗୁଗୁଲ୍‌ ପେ ଅର୍ଥ ଦେଣନେଣ ଚଲାଇଥିବା ଅଭିଯୋଗ ଆସିବା ପରେ ଏହି ମାମଲା ହୋଇଛି। ଭାରତରେ ଅର୍ଥନୈତିକ କାରବାର ନିମନ୍ତେ ଆରବିଆଇ ନିକଟରୁ ଏକ ଅନୁମତି ପତ୍ର ନେବାକୁ ପଡିଥାଏ। ସମୁଦାୟ ୮୨ଟି କମ୍ପାନୀ ଦେଶରେ ୟୁପିଆଇ ଦେଣନେଣ ପାଇଁ ଅନୁମତି ନେଇଥିବା ବେଳେ ଏହି ତାଲିକାରେ ଗୁଗୁଲ ପେ’ର ନାମ ନାହିଁ। ଅଭିଜିତ୍‌ ମିଶ୍ରଙ୍କ ଦ୍ବାରା ଦାଖଲ ହୋଇଥିବା ଯାଚିକା ଉପରେ ବିଚାର କରି ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଏବଂ ଜଷ୍ଟିିସ୍‌ ଅନୁପ ଜୟରାମ ଭାମ୍ଭାନିଙ୍କ ଖଣ୍ଡପୀଠ ଏହି ନୋଟିସ୍‌ ଜାରି କରିଥିଲେ। ଏହି ମାମଲାରେ ଗୁଗୁଲ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ୨୯ ଏପ୍ରିଲ୍‌ରେ ମାମଲାର ବିଚାର ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ।

Categories
ଆଜିର ଖବର

ନେତାଙ୍କ ରାଲି ପାଇଁ ଛାତ୍ରଛାତ୍ରୀଙ୍କୁ ଖରାରେ ଛିଡା କରାଇଲେ : ସ୍କୁଲ ବିରୋଧରେ ମାମଲା

ନେତାଙ୍କ ସ୍ବାଗତ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଖରାରେ ଛିଡା କରାଇବା କାରଣରୁ ସ୍କୁଲ ଅଧିକାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି। କରୀମନଗରରେ ତେଲଙ୍ଗାନା ରାଷ୍ଟ୍ରୀୟ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟୀ ରାମାରାଓଙ୍କୁ ସ୍ୱାଗତ କରିବା ପାଇଁ ଶହେରୁ ଅଧିକ ସ୍କୁଲ ପିଲାଙ୍କୁ ଖରାରେ ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଛିଡା କରାଯାଇଥିବା ଅଭିଯୋଗରେ ପୋଲିସ ଏକ ପ୍ରାଇଭେଟ ସ୍କୁଲ ବିରୋଧରେ ମାମଲା ରୁଜୁ କରିଛି। ଛାତ୍ର-ଛାତ୍ରୀଙ୍କ ହାତରେ ପୋଷ୍ଟର-ବ୍ୟାନର ଦେଇ ଟିଆରଏସର ରାଲିକୁ ନିଆଯାଇଥିଲା। ଶିଶୁ ଅଧିକାର ସହ ଜଡିତ ଥିବା ଏକ ବେସରକାରୀ ସଂଗଠନର ଅଭିଯୋଗ ପରେ କରୀମନଗର ବନ ଟାଉନ ପୋଲିସ ସ୍କୁଲ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନ୍ତରୀଣ ତଦନ୍ତ ପରେ ପୋଲିସ କିଶୋର ନ୍ୟାୟ ଧାରା ୭୫ ଅନୁସାରେ ମାମଲା ରୁଜୁ କରିଛି। ରାଲିରେ ପିଲାମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବାର ମାମଲା ରୁଜୁ କରାଯାଇଛି। ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଟିଆରଏସ ନେତାଙ୍କ ସ୍ୱାଗତ ପାଇଁ  ଶହେରୁ ଅଧିକ ପିଲାଙ୍କୁ ପୋଷ୍ଟର ବ୍ୟାନେର ସହ ସକାଳ ୧୧ ଟାରୁ ଆରମ୍ଭ କରି ଅପରାହ୍ନ ୨ ପର୍ଯ୍ୟନ୍ତ ଟାଣ ଖରାରେ ଛିଡା କରାଯାଇଥିଲା। ଏହି ସମୟରେ ପିଲାମାନଙ୍କୁ ଖାଇବା ଏବଂ ପିଇବା ପାଇଁ ମଧ୍ୟ ଦିଆଯାଇନଥିଲା।

Categories
ଆଜିର ଖବର

ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି : ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ୨୩ରେ ନିର୍ବାଚନ

ଚଳିତ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଅନୁଯାୟୀ ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ଲୋକ ସଭା ଆସନ ମଧ୍ୟରେ ରହିଛି ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଏବଂ ଭୁବେନଶ୍ବର। ଏପ୍ରିଲ୍‌ ୪ ତାରିଖ ନାମାଙ୍କନ ଦାଖଲ ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏପ୍ରିଲ୍ ୮ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ଏପ୍ରିଲ୍‌ ୨୩ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୭ଟି ସ୍ଥାନରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ହେବାର ଥିବାବେଳେ ୩୫ଟି ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଆସନ୍ତା ଏପ୍ରିଲ୍‌ ୧୮ ତାରିଖରେ ରାଜ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୬। ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ (ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା) ଓ ଏହା ଅଧୀନ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଦ୍ୱିତୀୟ ପର୍ଯ୍ୟାୟର ଏହି ୫ଟି ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିସାରିଛି।