ଚୌକିଦାର ଚୋର୍‌ ହୈ’ କହି ଫସିଲେ ରାହୁଲ୍‌, ଜବାବ୍‌ ତଲବ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

Published: Apr 15, 2019, 2:04 pm IST

‘ଚୌକିଦାର ଚୋର ହୈ’ ମନ୍ତବ୍ୟ ଦେଇ ଫସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାଫେଲ ମାମଲାରେ ରାହୁଲ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକିଦାର ଚୋର ହୈ’ କହିଆସୁଥିଲେ। ଗତ ସପ୍ତାହରେ ସୁପ୍ରିମକୋର୍ଟ ରାଫେଲ ମାମଲାର ପୁନର୍ବାର ଶୁଣାଣି କରିବେ ବୋଲି ରାୟ ଦେଇଥିଲେ। ଏହା ପରେ ରାହୁଲ କହିଥିଲେ ଯେ, ସୁପ୍ରିମକୋର୍ଟ ବି ମାନିଲେ ‘ଚୌକିଦାର ଚୋର ହୈ’। କିନ୍ତୁ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇ ନ ଥିବା ଦର୍ଶାଇ ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ବିଜେପି ନେତା ମିନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଥିଲେ। ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୨୨ ତାରିଖ ମଧ୍ୟରେ ରାହୁଲଙ୍କୁ ନିଜର ଉତ୍ତର ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗେଇ କହିଛନ୍ତି ଯେ, ସୁପ୍ରିମ୍‌କୋର୍ଟ ଏପରି କୌଣସି ବୟାନ ଦେଇନାହାନ୍ତି, ତେଣୁ ଏହାର ଜବାବ୍‌ ରାହୁଲ୍‌ଙ୍କୁ ମଗାଯାଇଛି। ଏହି ମାମଲାର ଶୁଣାଣୀ ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି।

Related posts