ଦିଲ୍ଲୀରେ ମୋଦିଙ୍କ ନିର୍ବାଚନୀ ରାଲି : ବାଟଲା ହାଉସ୍‌ ଏନକାଉଣ୍ଟର ନେଇ ବିରୋଧୀଙ୍କୁ ସମାଲୋଚନା

Published: Feb 4, 2020, 6:12 pm IST

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଚାରି ଦିନ ପୂର୍ବରୁ ଏକ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାଲିରେ ମୋଦି ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର ନେଇ ବିରୋଧୀ ଆପ୍‌ ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ । ଭାରତ ମାତା କି ଜୟ ସ୍ଲୋଗାନ୍‌ରୁ ମୋଦି ନିଜର ଭାଷଣ ଆରମ୍ଭ କରିଥିଲେ । ଦିଲ୍ଲୀର ନିର୍ବାଚନୀ ହାଓ୍ବା ବର୍ତ୍ତମାନ ବିଜେପି ସପକ୍ଷରେ ବହୁଛି ଫେବୃୟାରୀ 8 ତାରିଖରେ ଦିଲ୍ଲୀବାସୀ ଏକତ୍ର ହୋଇ ଏକ ସରକାର ଗଠନ କରିବେ । ଦିଲ୍ଲୀ ବାସୀଙ୍କୁ ଏପରି ଏକ ସରକାର ଆବଶ୍ୟକ ଯିଏକି ଅଭିଯୋଗ କରିବା ପରିବର୍ତ୍ତେ ଦିଲ୍ଲୀକକୁ ବିକାଶ ଦିଗରେ ଆଗେଇ ନେବ । ସେହିପରି ଆପ୍‌କୁ ଆକ୍ରମଣ କରିବାକୁ ଯାଇ ମୋଦି କହିଥିଲେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାକୁ ଦିଲ୍ଲୀରେ ଆପ୍‌ ସରକାର ଲାଗୁ କରାଉ ନାହାନ୍ତି ଯାହାକି ଗ୍ରହଣଯୋଗ୍ୟ ନୁହେଁ ।

ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିବା ବ୍ୟକ୍ତି ଏବଂ ବାଟ୍‌ଲା ହାଉସ୍‌ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ପାଇଁ ଲୁହ ଝରାଉଥିବା ବ୍ୟକ୍ତି ଦିଲ୍ଲୀର ନେତୃତ୍ବ ନେବା ପାଇଁ ଉପଯୁକ୍ତ ନୁହନ୍ତି । ଏପରି ଦୃଷ୍ଟିଭଙ୍ଗୀ ରଖୁଥିବା ବ୍ୟକ୍ତିଙ୍କ ନେତୃତ୍ବରେ ଦିଲ୍ଲୀ ଆଗକୁ ବଢିପାରିବ ନାହିଁ ବୋଲି କହି କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିଥିଲେ । ସେହିପରି ସିଏଏକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭ୍ରମିତ କରାଯାଉଛି ବୋଲି ମୋଦି କହିଥିଲେ । (ଏଜେନ୍ସୀ)

Related posts