Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ଜନସମାଗମ ଭିତରେ ମା ସମଲେଇଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କଲେ ବବି ଦାସ

ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମା ସମଲେଇଙ୍କୁ ଦର୍ଶନ କରି ତାଙ୍କର ପ୍ରଚାରର ଶୁଭାରମ୍ଭ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ସେଠାରେ ସେ ପୂଜା ଅର୍ଚ୍ଚନା କରିବା ପରେ ଏକ ସାଧାରଣ ସଭାରେ ଜନସମାଗମକୁ ସମ୍ବୋଧିତ କରିଛନ୍ତି।

ଏହି ଜନସମାଗମରେ ପ୍ରଣବ କହିଛନ୍ତି ଯେ, ସମ୍ବଲପୁର ଆସିବା ପରେ ଲାଗୁଛି ଏହା ମୋର ଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମ୍ବଲପୁରର ବିକାଶ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଯାହାର ଏକ ବଡ ଉଦାହରଣ ହେଲା ମା ସମଲେଇ ପ୍ରକଳ୍ପ। ମୋତେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଲଢେଇ କରିବା ପାଇଁ ପଠାଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ।

ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ହେଉଛି ମୋର ପିୟୁଶି ଏଠାରେ ଥିଲେ। ମୋ ବାପାଙ୍କର ସମ୍ବଲପୁର ସହିତ ପ୍ରାୟ 70 ବର୍ଷର ସଂପର୍କ ରହିଛି। ସେଥିପାଇଁ ଆଜି ସମ୍ବଲପୁର ମୋର ଘରପରି ମନେହେଉଛି।ସମ୍ବଲପୁରରେ ପ୍ରଣବଙ୍କୁ ଯେପରି ସ୍ବାଗତ କରାଯାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ସମ୍ବଲପୁରରେ ବର୍ତ୍ତମାନ ବିଗ ଫାଇଟ ହେବ। ଏଠାରେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଦୁଇ ପ୍ରମୁଖ ଦଳର ଦୁଇ ସିଂହ ମୁହାଁମୁହିଁ ଲଢେଇ କରିବେ। ଯାହା ଓଡିଶା ରାଜନୀତିରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଶିକ୍ଷକ ନିଯୁକ୍ତି ନେଇ ବିଜେଡି ବିଜେପି ମୁହାଁମୁହିଁ, ଧର୍ମେନ୍ଦ୍ରଙ୍କୁ କଡା ଜବାବ ଦେଲେ ପ୍ରଣବ ଦାସ

ଭୁବନେଶ୍ୱର: ନିଜ ମନ୍ତ୍ରଣାଳୟ ଅଧିନରେ ଥିବା ମିନି ରତ୍ନ ସଂସ୍ଥା ଇଡିସିଆଏଲ୍‍କୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମିଛ କହୁଛନ୍ତି। ଏଭଳି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ବଦଳରେ ତାହାପାଇଁ ଓକିଲାତି କରିବା ଦୁର୍ଭାଗ୍ୟଜନକ ବୋଲି ଟୁଇଟ୍‍ କରି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଶ୍ରୀ ଦାସ ଟୁଇଟ୍‍ ଜରିଆରେ ସିଧାସଳଖ ଭାବେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଇଡିସିଆଇଏଲ୍‍ ସଂସ୍ଥା ଆପଣଙ୍କ ଅଧିନରେ ଆସୁଛି ନା ନାହିଁ ? ଏହି କେନ୍ଦ୍ରୀୟ ସଂସ୍ଥା ଭୁବନେଶ୍ୱର ଏମସ୍‍, ଭାରତୀୟ ସେନା, କୋଲ୍‍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟୀ ଅଫ୍‍ ଇଣ୍ଡିଆ, ଗୁଇନ୍ଦା ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ଆଦି ସଂସ୍ଥା ପାଇଁ ପରୀକ୍ଷା କରିଛି କି ନାହିଁ ? ଯଦି ଇଡିସିଆଇଏଲ୍‍ ଭୁଲ୍‍ କରିଥିଲା, ତେବେ ଆପଣ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ? ଏପରିକି ଏହି ସଂସ୍ଥାକୁ କାହିଁକି କଳା ତାଲିକାଭୁକ୍ତ କରାଯାଇ ନାହିଁ ବୋଲି ପ୍ରଣବ ସିଧାସଳଖ ପଚାରିଛନ୍ତି।

ଟୁଇଟ୍‍ ଜରିଆରେ ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଇଡିସିଆଇଏଲ୍‍ ଭାରତୀୟ ସେନା ଏବଂ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ପରୀକ୍ଷା କରିଛି। ଏହି ସଂସ୍ଥା ଜରିଆରେ ହଜାର ହଜାର ସଂଖ୍ୟାରେ ଜବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ହେଲେ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଆଜି ଆପଣ କେବଳ ନିଜ ସଂସ୍ଥାର ସ୍ୱଚ୍ଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡାରେ ଛିଡା କରାଇ ଦେଇଛନ୍ତି।

ନେସନାଲ ଟେଷ୍ଟି ଏଜେନ୍ସି କ’ଣ କରେ ତାହା ଗୋଟେ ଛୋଟ ପିଲାକୁ ପଚାରିଲେ ବି ସେ କହିଦେବ। ଏହି ସଂସ୍ଥା କେବଳ ନିଯୁକ୍ତି ପରୀକ୍ଷା କରେନାହିଁ, ଏଣ୍ଟ୍ରାନ୍ସ ପରିଚାଳନା କରିଥାଏ।ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି। ଏହା ଠାରୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କ’ଣ ହୋଇପାରେ।

ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ ମିଛ କହି ଅତୀତରେ ଅନେକ ବାର ଧରାପଡିଛନ୍ତି। ଏବେ ପୁଣି ଡାହା ମିଛ କହି ଓଡିଶାର ଯୁବପୀଢିର ଭବିଷ୍ୟତ ସହ ଖେଳୁଛନ୍ତି ଆଉ ସେମାନଙ୍କୁ ରାଜନୀତିର ମୋହରା ବନାଇବାକୁ ଚେଷ୍ଟା କରୁଛନ୍ତି। ଆଇନା ଆଗରେ ନିଜ ମୁହଁ ଦେଖିଲାବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ, ଓଡିଶା ରାଜନୀତିରେ ହଟଚମଟ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର ୨୦୨୪ ନିର୍ବାଚନ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଧର୍ମେନ୍ଦ୍ର କିଛି ତଥ୍ୟ ଅଧାରରେ କହିଲେ ନା କର୍ମିମାନେ ଖୁସି ହେବା ପାଇଁ କହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମନ୍ତବ୍ୟ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି।

ଧର୍ମେନ୍ଦ୍ର ସାକ୍ଷାତ ଦେବା ବେଳେ ଓଡିଶା ରାଜନୀତି ସଂପର୍କରେ କହିଥିଲେ। ସେଥିରେ ସେ କହିଥିଲେ ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଓଡିଶାରୁ ୨୧ ଟି ଆସନରୁ ୧୫ଟି ଆସନରେ ବିଜୟଲାଭ କରିବ।

ସେ ପୁଣି କହିଛନ୍ତି ଯେ, ଗତ ୨୦୧୪ରେ ଲୋକସଭାରେ ୨୨ ପ୍ରତିଶତ ପାଇଥିଲୁ, ୧୯ରେ ବଢି ଏହା ୩୮ ପ୍ରତିଶତ ହେଲା। ସେହି ଅନୁସାରେ ୨୦୨୪ ରେ ବିଜେପି ୪୫ ପ୍ରତିଶତରୁ ଅଧିକ ଭୋଟ ପାଇବ। ସେହି ହିସାବରେ ଏଥର ବିଜେପି ଲୋକସଭାରେ ୧୫ ଟି ଆସନ ଜିତିବ ବୋଲି ସେ କହିଛନ୍ତି।

ଏହି ସାକ୍ଷାତକାରରେ ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ରାଜ୍ୟରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଓଡିଶାକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ତେବେ ଏକ ସର୍ଭେ ଅନୁସାରେ ଓଡିଶାରେ ବର୍ତ୍ତମାନ 80 ପ୍ରତିଶତ ବିଜେପିର ସଫଳତା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେହିପରି ନିର୍ବାଚନ ମଣ୍ଡଳି ଅନୁସାରେ ବିଜେପିର ଭୋଟ ହାର ବୃଦ୍ଧି ପାଇଛି ବୋଲି ଏହି ସର୍ଭେରେ ପ୍ରକାଶ ପାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପୂର୍ବରୁ ନୂଆଦିଲ୍ଲୀରେ ବିଜେପି ସଭାପତି ମନମୋହନ ସାମଲ ଓଡିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ, ରାଜ୍ୟର ଲୋକମାନେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି। ସେଥିପାଇଁ ସେମାନଙ୍କର ବିକଳ୍ପ ଭାବେ ବିଜେପି ହିଁ ରହିଛି ବୋଲି ମନମୋହନ କହିଥିଲେ।

ତେବେ ଏଥର ନିର୍ବାଚନ ନୁହେଁ, ବିଗତ ନିର୍ବାଚନଗୁଡିକ ପୂର୍ବରୁ ବିଜେପି ଏହିପରି ଦମ୍ଭୋକ୍ତି ପ୍ରକାଶ କରିଆସିଛି। ଓଡିଶାରେ ଯେତେସବୁ ଉପନିର୍ବାଚନ ହୋଇଛି ସେଥିରେ ବିଜେପି ଜିତିବ ବୋଲି କହୁଥିଲେ ମଧ୍ୟ ଫଳାଫଳ ଆସିବେ ପରେ ହାରିଯାଇଛି। ସେହିପରି ସାଧାରଣ ନିର୍ବାଚନରେ ମଧ୍ୟ ଏଥର ବିଜେପି ଆସିବ, ସରକାର ଗଠନ କରିବ ବୋଲି କହୁଥିଲେ ମଧ୍ୟ ସେଥିରେ ସଫଳ ହୋଇପାରୁ ନାହିଁ। ତେବେ ଏଥର ମଧ୍ୟ ସେହିପରି ଧର୍ମେନ୍ଦ୍ର ଏବଂ ବିଜେପି ନେତାଙ୍କ ଏହି ଭବିଷ୍ୟବାଣୀ କେତେ ସଫଳ ହେବ ତାହାକୁ ବର୍ତ୍ତମାନ ଆକଳନ କରିବା ସମ୍ଭବ ନୁହେଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଗଲା ‘ଅମୃତ କଳସ’, ଦିଲ୍ଲୀରେ ସ୍ଥାପନ ହେବ ‘ଅମୃତ ବାଟିକା’

ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଶହୀଦ ବୀର ଓ ଯବାନ’ ମାନଙ୍କୁ ସମ୍ମାନ ଜଣାଇ ‘ମାଟିକୁ ନମନ୍‌–ବୀରଙ୍କୁ ବନ୍ଦନ୍‌’ ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ତାରିଖରେ “ମୋ ମାଟି, ମୋ ଦେଶ” ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା।

ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହୋଇଛି। ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ ପଂଚାୟତର ୧୩୧୨୮ ଗାଁରୁ ସଂଗୃହିତ ହୋଇଥିବା ପବିତ୍ର ମାଟି ଗତ କାଲି ଭୁବନେଶ୍ୱରରେ ପହଂଚିବା ପରେ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ରେଳଷ୍ଟେସନକୁ ଅଣାଯାଇଥିଲା।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖଙ୍କ ସମେତ ପାର୍ଟିର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

‘ମୋ ମାଟି, ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶାଳ ଶୋଭାଯାତ୍ରା ସରିଛି। ଦେଶର ଅଖଣ୍ଡତା, ଏକତା, ରାଷ୍ଟ୍ରୀୟ ଭାବନା, ଚେତନା, ରାଷ୍ଟ୍ରଭକ୍ତି, ଜାତୀୟତାବାଦକୁ ଆହୁରି ଉଜିବିତ୍ କରିବା ଓ ପ୍ରେରଣାର କେନ୍ଦ୍ରବିନ୍ଦୁ ପାଲଟିବା ପାଇଁ ସହିଦ ସ୍ମୃତି ପାଖରେ “ଅମୃତ ବାଟିକା” ଭବ୍ୟଢଙ୍ଗରେ ନିର୍ମାଣ କରାଯିବ। ଏହି ‘ଅମୃତ ବାଟିକା’ ଭବିଷ୍ୟତ ପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।

ଆସନ୍ତା ୩୧ତାରିଖରେ ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଓଡିଶାରେ ‘ମୋ ମାଟି, ମୋ ଦେଶ’ ଅଭିଯାନକୁ ସଫଳ କରିଥିବା ମାଆ, ଭଉଣୀ, ଯୁବକ ଯୁବତୀ ଓ ଓଡ଼ିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ଦେଶର ବୀରମାନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଉତ୍ସର୍ଗୀଗୃତ ଭାବନା ପାଇଁ ଏହା ସଫଳ ହୋଇଛି। ଏହିପରି କଳସ ଶୋଭାଯାତ୍ରାରେ କାର୍ଯ୍ୟକର୍ତା, ମାତୃଶକ୍ତି ଓ ଯୁବବର୍ଗ ସାମିଲ ହୋଇ ମାଟି କଳସକୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିବାରୁ ଶ୍ରୀ ସାମଲ ଧନ୍ୟବାଦ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ଦେଲେ ଅମିତ ସାହା, ଧର୍ମେନ୍ଦ୍ରଙ୍କ ମୁହଁ ତଳକୁ

ଭୁବନେଶ୍ବର: ସମସ୍ତେ ଯାହା ଆଶା କରୁଥିଲେ ତାହା ହିଁ ହେଲା। ନବୀନ ପଟ୍ଟନାୟକ ଏବଂ ତାଙ୍କ ସରକାରଙ୍କୁ ପ୍ରଶଂସାରେ ପୋତି ଦେଲେ ଗୃହମନ୍ତ୍ରୀ ଅମିତ ସାହା। ଓଡିଶା ଗସ୍ତରେ ଆସିଥିବା ସାହା, ଆଜି ଲୋକସଭା ଭବନ ପ୍ରେକ୍ଷାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ବିଜେପିର ଚାଣକ୍ୟ ବୋଲି କୁହାଯାଉଥିବା ଅମିତ ସାହା ନବୀନଙ୍କୁ ପ୍ରଶଂସା ଉପରେ ପ୍ରଶଂସା କରିଥିଲେ। ଥରେ ନୁହେଁ ଦୁଇଥର ସେ ନବୀନ ପଟ୍ଟନାୟକଙ୍କୁ ବହୁତ ଧନ୍ୟବାଦ ବୋଲି କହିଥିଲେ। ପ୍ରଥମେ ସେ ନକ୍ସଲ ମୁକାବିଲା ଉପରେ ଭାଷଣ ରଖିଥିଲେ। ସେଥିରେ ସେ ନବୀନ ସରକାର କରିଥିବା ପଦକ୍ଷେପ ଏବଂ ସହଯୋଗ ପାଇଁ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, କେନ୍ଦ୍ର ସହିତ ମିଶି ରାଜ୍ୟ ସରକାର ନକ୍ସଲ ମୁକାବିଲା କରିଛନ୍ତି। ଆଉ ଏଥିରେ ସଫଳ ମଧ୍ୟ ପାଇଛୁ। ବର୍ତ୍ତମାନ ନକ୍ସଲ ହିଂସା ବହୁ ମାତ୍ରାରେ ହ୍ରାସ ପାଇଛି ବୋଲି ସାହା କହିଥିଲେ। ତେବେ ବିପର୍ଯ୍ୟୟ ମୁକାବିଲା କରିବାରେ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ପ୍ରଶଂସା କରିଥିଲେ ସାହା। ଏହି ମଞ୍ଚରେ ଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାହାଙ୍କ ଏପରି ପ୍ରଶଂସାକୁ ଶୁଣୁଥିଲେ ଆଉ ମୁହଁ ତଳକୁ କରୁଥିଲେ।

ସେ କହିଥିଲେ ଯେ, ବିପର୍ଯ୍ୟୟ ମୁକାବିଲା କରିବାରେ ନବୀନ ପଟ୍ଟନାୟକ ଯେପରି କାର୍ଯ୍ୟ କରିଛନ୍ତି ତାହା ଆଜି ସାରା ଦେଶକୁ ସେ ଏକ ରାସ୍ତା ଦେଖାଇଛନ୍ତି। ପୂର୍ବେ ଓଡିଶାରେ ବାତ୍ୟା ହେଲେ ହଜାର ହଜାର ଲୋକଙ୍କର ଜୀବନ ଯାଉଥିଲା। ହେଲେ ନବୀନବାବୁଙ୍କ ସମୟରେ ତାହା ବର୍ତ୍ତମାନ ଶୂନକୁ ଖସିଆସିଲା। ସେଥିପାଇଁ ମୁଁ ନବୀନ ପଟ୍ଟନାୟକଙ୍କୁ ଏବଂ ତାଙ୍କ ସରକାରଙ୍କୁ ପୁଣି ଥରେ ଧନ୍ୟବାଦ ଦେଉଛି ବୋଲି ସାହା କହିଥିଲେ।

ତେବେ ସବୁଠାରୁ ମଜଦାର କଥା ହେଲା ଯେ, ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନ। ଏହି ସମୟରେ ଅମିତ ସାହାଙ୍କୁ ରିମୋଟ ଟିପି ପ୍ରକଳ୍ପ ଉଦଘାଟନ କରିବା ପାଇଁ ଅନୁରୋଧ କରାଯାଇଥିଲା। ହେଲେ ଅମିତ ସାହା ପାଖରେ ବସିଥିବା ନବୀନ ପଟ୍ଟନାୟକଙ୍କ ପାଖକୁ ଆସି ରିର୍ମୋଟ ଟିପିବା ପାଇଁ ତାଙ୍କ ହାତକୁ ଭିଡି ଆଣିଥିଲେ। ଉଭୟ ଅମିତ ସାହା ଏବଂ ନବୀନ ପଟ୍ଟନାୟକ ରିର୍ମୋଟ ଟିପି ପ୍ରକଳ୍ପ ଉଦଘାଟନ କରିଥିଲେ। ଧର୍ମେନ୍ଦ୍ର ଦୂରରେ ବସି ଏହାକୁ ଉପଭୋଗ କରୁଥିଲେ।

ଏହି କାର୍ଯ୍ୟକ୍ରମକୁ ସମସ୍ତ ଟିଭି ଚ୍ୟାନଲରେ ସିଧା ପ୍ରସାରଣ କରାଯାଉଥିଲା। ବିଜେପି ନେତାଙ୍କଠାରୁ ଆରମ୍ଭ କରି କର୍ମିମାନେ ଅମିତ ସାହାଙ୍କ ଭାଷଣ ଶୁଣୁଥିଲେ। କାରଣ ଅମିତ ସାହା ଆସିଲେ ନବୀନଙ୍କ ଉପରେ କଣ କହିବେ ସେ ନେଇ ସେମାନେ ଅପେକ୍ଷା କରିଥିଲେ। ହେଲେ ସାହା ଏହି ବାଣୀ ଶୁଣିବା ପରେ ସେମାନଙ୍କୁ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସିବେ ଅମିତ ସାହା, ପଟ୍ଟଶିଷ୍ୟ ଧର୍ମେନ୍ଦ୍ରଙ୍କ ପାଇଁ କରିବେ ଜନସଂପର୍କ ଯାତ୍ରା

ଭୁବନେଶ୍ବର: ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ସାହା। ଆସନ୍ତା ୧୭ ତାରିଖରେ ସେ ଓଡିଶା ଆସି ଢେଙ୍କାନାଳରେ କରିବେ ଜନ ସଂପର୍କ ଯାତ୍ରା। ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲଢେଇ କରିବେ। ସେଥିପାଇଁ ସାହା ତାଙ୍କ ପଟ୍ଟଶିଷ୍ୟଙ୍କ ପାଇଁ ଢେଙ୍କାନାଳରୁ ଆରମ୍ଭ କରିବେ ଓଡିଶାର ଜନସଂପର୍କ ଯାତ୍ରା।

ଓଡିଶାରେ ଏହି ଯାତ୍ରାକୁ ସଫଳ କରାଇବା ପାଇଁ ଖୋଦ ଧର୍ମେନ୍ଦ୍ରଙ୍କ ସହିତ ପୁରା ବିଜେପି ଟିମ ଜୋରଦାର ଲାଗିପଡିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଆରମ୍ଭ କରିଛି ଜନ ସଂପର୍କ ଯାତ୍ରା। ଏଥିରେ ଯେଉଁ ଆସନରେ ବିଜେପି ସାଂସଦ ନାହାଁନ୍ତି ସେହିସବୁ ଆସନରେ ଏହି ଯାତ୍ରା କରାଯିବ। ସେହି ପରିପ୍ରେକ୍ଷାରେ ଓଡିଶାରେ ଏହି ଯାତ୍ରା ଢେଙ୍କାନାଳ ଆସନରୁ ଆରମ୍ଭ ହେବ।

ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସାରା ଦେଶରେ ୫୧ଟି ‘ମହାରାଲି’ ଆୟୋଜନ କରାଯିବ। ଏଥିରୁ ଓଡିଶାରେ ୪ଟି ‘ମହାରାଲି’ ହେବ। ଓଡିଶାର ଏହି ଚାରୋଟି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ସାହା, ରାଜାନାଥ ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ରାଜ୍ୟ ବିଜେପି ତରଫରୁ ବ୍ୟାପକ ଆୟୋଜନ ମଧ୍ୟ କରାଯାଉଛି।

ଓଡିଶା ରାଜନୀତି ପରିପ୍ରେକ୍ଷୀରେ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଢେଙ୍କାନାଳ ଆସନ ଉପରେ ପୁରା ଫୋକସ କରିଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀ ଛାଡି ଢେଙ୍କାନାଳରେ ଡେରା ପକାଇଛନ୍ତି। ଗାଁକୁ ଗାଁ ବୁଲିବୁଲି ସେ ଲୋକ ସଂପର୍କ ଯୋଡିବାରେ ଲାଗିଛି। ଏହି ସମୟରେ ଅମିତ ସାହା ଆସି ଢେଙ୍କାନାଳରୁ ପ୍ରଚାର କରିବା ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି।

ଧର୍ମେନ୍ଦ୍ର କୌଣସି ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା ନ କରି ରାଜ୍ୟସଭାରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ହେଲେ ଏଥର ଆଉ ରାଜ୍ୟସଭା ସଦସ୍ୟଙ୍କୁ ମନ୍ତ୍ରୀପଦ ଦିଆ ଯିବ ନାହିଁ ବୋଲି ଜଣାପଡିବା ପରେ ଧର୍ମେନ୍ଦ୍ର ଢେଙ୍କାନାଳରୁ ଲଢେଇ କରିବା ପାଇଁ ଅଣ୍ଟା ଭିଡିଛନ୍ତି।

ଏହି ଆସନରୁ ବର୍ତ୍ତମାନ ମହେଶ ସାହୁ ବିଜେଡି ସାଂସଦ ଅଛନ୍ତି। ବିଜେଡି ଏଥର ମହେଶଙ୍କୁ ଟିକେଟ ନ ଦେଇ ଅନ୍ୟ କାହାକୁ ଦେବ ବୋଲି ନିଷ୍ପତି କରିଛି। ଫଳରେ ବିଜେଡି ପ୍ରାର୍ଥୀ ଉପରେ ଧର୍ମେନ୍ଦ୍ରଙ୍କ ହାରିବା ଜିତିବା ନିର୍ଭର କରୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ରଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: ସାମାଜିକ ସୁରକ୍ଷା ଭତ୍ତାକୁ ରାଜ୍ୟ ସରକାର ନଗଦ ଆକାରରେ ହିତାଧିକାରୀ ଘରେ ଦେବାକୁ ବ୍ୟବସ୍ଥା କରିଛନ୍ତି। ହେଲେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତିକୁ ପୁନଃବିଚାର କରିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ନଗଦ ନ ଦେଇ ଡିବିଟି ମାଧ୍ୟମରେ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ତେବେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅନୁରୋଧ ଆଶ୍ଚର୍ଯ୍ୟ କରିଛି।ସେ ବୋଧହୁଏ ତୃଣମୂଳ ସ୍ତରରେ କଣ ଘଟୁଛି ସେ ସଂପର୍କରେ ଅବଗତ ନାହାଁନ୍ତି। ଭତ୍ତା ଟଙ୍କା ପାଇବା ପାଇଁ ହିତାଧିକାରୀମାନେ 20-30 କିଲୋମିଟର ରାସ୍ତା ଚାଲିଚାଲି ଯାଉଛନ୍ତି। ତାଙ୍କ ପ୍ରତି ବୋଧହୁଏ କେନ୍ଦ୍ରମନ୍ତ୍ରୀଙ୍କର ସାମାନ୍ୟତମ ସମ୍ମାନବୋଧ ନାହିଁ।

ଯଦି କେନ୍ଦ୍ର ସରକାର ପ୍ରତି ଗାଁରେ ବ୍ୟାଙ୍କ ବ୍ୟବସ୍ଥା କରାଇପାରନ୍ତେ ତେବେ ଏପରି ଅସୁବିଧା ହୁଅନ୍ତା ନାହିଁ। ହେଲେ କେନ୍ଦ୍ରମନ୍ତ୍ରୀ ସେହି କଥା ନ କହି ଏପରି ଭଲ କାର୍ଯ୍ୟକୁ ବିରୋଧ କରିବା ହାସ୍ୟସ୍ପଦ ବୋଲି ସସ୍ମିତ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭତ୍ତା ଟଙ୍କା ନଗଦ ଦେବା ପ୍ରସ୍ତାବକୁ ବିରୋଧ କଲେ ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ। ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି। ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ। ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ। ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ।

ଓଡ଼ିଶାରେ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରୁଛନ୍ତି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ସହାୟତ ରାଶି ପାଉଛନ୍ତି। ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୁତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ୱଚ୍ଛ ରହିଛି ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେବା ଭିତ୍ତିରେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀ ୨୦୨୩ ସୁଦ୍ଧା ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୮୨ ହଜାର ୨୬୧ ସକ୍ରିୟ ବ୍ୟାଙ୍କ୍ ମିତ୍ର ମହଜୁଦ୍ ଅଛନ୍ତି। ଏହାବ୍ୟତିତ ଓଡ଼ିଶାରେ ୮ ହଜାର ୪୯୧ଟି ପୋଷ୍ଟ ଅଫିସ ରହିଛି ଏବଂ ଏଥିରେ ଦୁର୍ଗମ ଏବଂ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି। ଭାରତୀୟ ଡାକର ଉପସ୍ଥିତି ଓ ଏହାର ବ୍ୟାପକ ନେଟଓ୍ୱାର୍କକୁ ଡିବିଟି ସହ ଉପଯୋଗ କରିବାର ଆବଶ୍ୟକତା ରହିଛି।

ଓଡ଼ିଶାରେ ୬ ହଜାର ୭୭୨ ଗ୍ରାମ ପଞ୍ଚାୟତକୁ ୨୨ ହଜାର ଜନସେବା କେନ୍ଦ୍ର ସେବା ପ୍ରଦାନ କରୁଛନ୍ତି । ଏହାର ଉପସ୍ଥିତି ଦ୍ୱାରା ଭାରତ ସରକାରଙ୍କ ଅନେକ ସାମାଜିକ ସୁରକ୍ଷା, ଆର୍ଥିକ ସେବା, କୃଷି ଏବଂ କୃଷକ କଲ୍ୟାଣକାରୀ ଯୋଜନା ସଫଳ ରୂପେ କାର୍ଯ୍ୟକାରୀ ହୋଇପାରିଛି।

ଡିବିଟି ଫ୍ରେମଓ୍ୱାର୍କ ସହିତ ବରିଷ୍ଠ ନାଗରିକ ଭତ୍ତା, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଆର୍ଥିକ ଯୋଜନାର ଅର୍ଥ ପ୍ରଦାନକୁ ବର୍ତ୍ତମାନ ଉପଲବ୍ଧ ବ୍ୟାଙ୍କ୍ ମିତ୍ର, ଭାରତୀୟ ଡାକର ବ୍ୟାପକ ନେଟଓ୍ୱାର୍କ ଓ ଜନସେବା କେନ୍ଦ୍ର ବ୍ୟବହାର କରାଯିବା ଦରକାର। ଏ ଗୁଡିକ ଅଭିନବ ଉପାୟରେ ଅପହଞ୍ଚ ଲୋକଙ୍କୁ ସେବା ପ୍ରଦାନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପୋଷ୍ଟରରେ ସରକାରୀ ଲୋଗୋ, ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପ୍ରଚାରକୁ ଯିବେ ବୋଲି ପୂର୍ବରୁ ଏକ ପୋଷ୍ଟର ନିଜ ଟୁଇଟରରେ ରିଟୁଇଟି କରି ପ୍ରକାଶ କରିଥିଲେ। ଯାହାକୁ ନେଇ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ବିଜେଡି କହିଛି ଯେ, ଧର୍ମେନ୍ଦ୍ର ଟୁଇଟରରେ ଦେଇଥିବା ପୋଷ୍ଟରରେ ଭାରତ ସରକାରଙ୍କ ପ୍ରଦତ୍ତ ଲୋଗୋ ଲାଗିଛି। ଏଥିରେ ଜି20 ଏବଂ ଆଜାଦ କି ଅମୃତ ମହୋତ୍ସବର ଲୋଗୋ ଲାଗିଛି। ଏହି ଲୋଗ ଭାରତ ସରକାରଙ୍କର ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ର ଦଳୀୟ ପ୍ରଚାରର କିପରି ବ୍ୟବହାର କଲେ ସେ ନେଇ ବିଜେଡି ପ୍ରଶ୍ନ ଉଠାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗରମ ହେଲା ଝାରସୁଗୁଡା ପ୍ରଚାର, ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପାଖେଇଲାଣି ଝାରସୁଗୁଡା ଉପନିର୍ବାଚନ। ଆସନ୍ତା ୧୦ ତାରିଖରେ ହେବ ଏହି ଉପନିର୍ବାଚନ। ସେଥିପାଇଁ ୯ ତାରିଖରେ ପ୍ରଚାର ବନ୍ଦ ରହିବ। ଅର୍ଥାତ ଆଜିଠାରୁ ଆଉ ତିନିଦିନ ଧରି ପ୍ରଚାର କାର୍ଯ୍ୟ ଚାଲିବ। ହାତରେ ଆଉ ଅଳ୍ପଦିନ ଥିବାରୁ ବିଭିନ୍ନ ଦଳର ନେତାମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।

ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବର୍ତ୍ତମାନ ଘରକୁ ଘର ବୁଲି ସେମାନଙ୍କର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି। କଂଗ୍ରେସ ତରଫରୁ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଲାଗି ପଡିଛନ୍ତି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ଭୋଟ ଦେବା ପାଇଁ ସେମାନେ ଭୋଟରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି।

ସେହିପରି ବିଜେପି ମଧ୍ୟ ପାରୁ ପର୍ଯ୍ୟନ୍ତ ପ୍ରାର୍ଥୀ ଟଙ୍କଧରଙ୍କ ସପକ୍ଷରେ ପ୍ରଚାରକୁ ଯୋରଦାର କରିଛନ୍ତି। କାରଣ ଏହି ନିର୍ବାଚନ ହେଉଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। ସେ ସଭାପତି ହେବା ପରେ ପରେ ଏହି ଉପନିର୍ବାଚନର ସମ୍ମୁଖୀନ ହେଉଛନ୍ତି। ପ୍ରଚାରକୁ ଜୋରଦାର କରିବା ପାଇଁ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି।

ତେବେ ସବୁଠାରୁ ଯାହା ବଡ ଚର୍ଚ୍ଚାର ବିଷୟ, ତାହା ହେଲା ରବିବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନବୀନ ରବିବାର ଦିନ ଅମିଲିପାଲିଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ। ନବୀନଙ୍କୁ ନେଇ ବିଜେଡି ତାହାର ଶକ୍ତି ପ୍ରଦର୍ଶନ କରିବ। ସେଥିପାଇଁ ଦଳ ତରଫରୁ ବେଶ ଉତ୍ସାହ ସୃଷ୍ଟି ହୋଇଛି।

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ନବୀନ ଝାରସୁଗୁଡାବାସୀଙ୍କୁ ଭୋଟ ଭିକ୍ଷା କରିବେ। ଏହି ସମାବେଶକୁ ସଫଳ କରିବା ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ ପ୍ରମୁଖ ଘନଘନ ବୈଠକ କରି ପ୍ରସ୍ତୁତି କରିବାରେ ଲାଗିଛନ୍ତି।

ପୂର୍ବରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ନବୀନ ପ୍ରଚାର କରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ ନିଜେ ନବୀନ ଝାରସୁଗୁଡା ଯିବେ ବୋଲି ନିଷ୍ପତି କରିବାରୁ ସେଠାରେ ବିଶାଳ ସମାବେଶର ଆୟୋଜନ କରାଯାଇଛି। ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେଉଥିବା ବେଳେ ଗଣତି ୧୩ ତାରିଖରେ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କୋଟିଆ ଓଡ଼ିଶାର, “ଆନ୍ଧ୍ର ଗୋ ବ୍ୟାକ୍‌” ବିଜେପିର ସ୍ପଷ୍ଟ ମତ : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି। ଓଡିଶାର ଐତିହ୍ୟ, କଳା ଓ ସୀମା ଆଜି ଅସୁରକ୍ଷିତ ସମୟରେ ଶ୍ରୀ ପ୍ରଧାନ ସେମାନଙ୍କ ପାଖରେ ପଂହଚି କୋଟିଆବାସୀଙ୍କ ମନୋବଳକୁ ବଢ଼ାଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ପୁଅ ଓ ଓଡ଼ିଶା ନାଗରୀକ ତା’ପରେ ସେ କେନ୍ଦ୍ରମନ୍ତ୍ରୀ। ଓଡ଼ିଶାକୁ ଓଡ଼ିଆ ଲୋକ ଶାସନ କରୁନଥିବାରୁ ରାଜ୍ୟ ସରକାର କୋଟିଆରେ ପଶିବା ପାଇଁ ଆନ୍ଧ୍ରପ୍ରଦେଶକୁ ପ୍ରଶୟ ଦେଉଛନ୍ତି। କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ହଠାତ୍ ଆସିଲେ କାହିଁକି? କେଉଁଥି ପାଇଁ ଓ କଣ କଥା ହେଲେ ତାହାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସାର୍ବଜନୀନ କରିଲେ ନାହିଁ।

ସ୍ଥାନୀୟ ଗ୍ରାମବାସୀ ଓ ବିଜେପି ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନ ସଭା ଚାଲିଥିବା ବେଳେ ଆନ୍ଧ୍ରର ଅଫିସରମାନେ କୋଟିଆ ଅଂଚଳରେ ଚକର କାଟୁଥିଲେ। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ଆନ୍ଧ୍ରର ଉପଦ୍ରବ୍ୟ କୋଟିବା ଭିତରେ ଅଧିକ ବଢ଼ିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

“ଆନ୍ଧ୍ର ଗୋ ବ୍ୟାକ” ଭାରତୀୟ ଜନତା ପାର୍ଟିର ସ୍ପଷ୍ଟ ଷ୍ଟାଣ୍ଡ। ଏଥିରେ କୌଣସି ଦ୍ୱିମତ କିମ୍ବା ଦ୍ୱନ୍ଦ୍ୱ ନାହିଁ। ଭାରତୀୟ ଜନତା ପାର୍ଟିର ବିଧାୟକମାନେ ବାରମ୍ବାର ବିଧାନସଭାରେ ବାଚସ୍ପତି ଓ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ ଯେ, ହାଉସକମିଟିକୁ ବାଚସ୍ପତିଙ୍କ ନେତୃତ୍ୱରେ ଥରେ କୋଟିଆ ଗସ୍ତ କରନ୍ତୁ। ରାଜ୍ୟ ସରକାର କୋଟିଆକୁ ଆନ୍ଧ୍ର ହାତରେ ଟେକିଦେବା ପାଇଁ ବସିଛନ୍ତି। କୋଟିଆକୁ ଆନ୍ଧ୍ର କବଜା କରିବାକୁ ମସୁଧା ଚଳାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିନେ ବି ସେଠାକୁ ନଯିବା ଦୁଃଖର ବିଷୟ।

କିନ୍ତୁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଓ ଅନୁଦାନରେ କୋଟିଆ ଅଂଚଳରେ ଶିକ୍ଷା, ଗମନାଗମନ, କୃଷି ଓ ଅର୍ଥକାରୀ ଫସଲର ଭିତିଭୂମି ନିର୍ମାଣ ସହ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଅଗ୍ରଗତି ଘଟିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କୋଟିଆ ଯାଇଥିଲେ ଓ ଗତକାଲି ଉତ୍କଳ ଦିବସ ଥିବାରୁ କୋଟିଆ ଅଂଚଳ ଗସ୍ତ କରିଥିଲେ। ଏହାପରେ କୋଟିଆର ଗ୍ରାମପୁଞ୍ଜରେ ଆନ୍ଧ୍ରର ଜଣେ ଅଧିକାରୀ କୋଟିଆ ଏକ ବିବାଦୀୟ ଅଂଚଳ ବୋଲି କହିଥିଲେ। ଏହାଶୁଣି ଶ୍ରୀ ପ୍ରଧାନ କୋଟିଆ ସମ୍ପୂର୍ଣ୍ଣଭାବେ ଓଡ଼ିଶାର, ଆନ୍ଧ୍ରର ନୁହେଁ ବୋଲି ସ୍ପଷ୍ଟ କରିଥିବା ଶ୍ରୀ ବକ୍ସିପାତ୍ର କହିଛନ୍ତି।

କୋଟିଆ ଅଂଚଳକୁ ଗତକିଛି ବର୍ଷ ହେଲା ପର୍ଯ୍ୟାୟକ୍ରମେ ଆନ୍ଧ୍ରରମନ୍ତ୍ରୀ, ବିଧାୟକ ଓ ଅଧିକାରୀ ବାରମ୍ବାର ଆସୁଥିବାବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। କୋଟିଆ ପ୍ରସଙ୍ଗରେ ବିଜୁ ଜନତା ଦଳ ଓ କଂଗ୍ରେସ ଉଭୟ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଆସ ଆମେ ବଡ ସ୍ବପ୍ନ ଦେଖିବା

ଭୁବନେଶ୍ୱର: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ଅବଧିରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବା ଦିଗରେ ସ୍ୱପ୍ନ ଦେଖିବାକୁ ଓଡ଼ିଶାର ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ଭୁବନେଶ୍ୱର ଠାରେ ଯୁବ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ଯୁବ ଡାଏଲଗ୍ “ଓଡିଶା @୧୦୦ : ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା” କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ଉତ୍କଳ ଦିବସ । ମୋ ମନରେ ସନ୍ଦେହ ନାହିଁ, ଆଗାମୀ ୧୩ ବର୍ଷ ପରେ ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବା ବେଳେ ଓଡ଼ିଶାର ରୂପରେଖ କଣ ହେବ? ଓଡିଆ ଯୁବଶକ୍ତିଙ୍କ ଭାବନାକୁ ଦେଖିଲେ ମୋର ବିଶ୍ୱାସ, ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନର ପେଣ୍ଠସ୍ଥଳୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ଭୂମି ଓଡ଼ିଶା ହିଁ ହେବ ।

ଓଡ଼ିଶାର ଅତୀତ କେବଳ ଗୌରବମୟ ନୁହେଁ, ତା’ର ବର୍ତ୍ତମାନ ମଧ୍ୟ ସମ୍ଭାବନାମୟ । ଏକଦା ବିକାଶ ଦୃଷ୍ଟିରୁ ପଛୁଆ କଳାହାଣ୍ଡି ଆଜି ଇତିହାସ ରଚୁଛି । ସାମାନ୍ୟ ଘରୁ ଆସିଥିବା ବୁର୍ଲା ଇଞ୍ଜିନିୟରିଂର ପିଲା ରକେଟ୍ ଓ ସାଟେଲାଇଟ୍ ମାଧ୍ୟମରେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ବଲାଙ୍ଗୀରର ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ ‘ଗଗନଯାନ’ର ଅଂଶ ହୋଇଛନ୍ତି । ଓଡ଼ିଆ ଝିଅ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ଆସୁଛି ।

ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାକୁ ଆଗକୁ ନେବା ପାଇଁ ସ୍ୱପ୍ନ ଦେଖୁଥିବା ୯ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କ ଅଭିଜ୍ଞତାକୁ ଶୁଣିବା ସହ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । ସମ୍ବର୍ଦ୍ଧିତ ଯୁବ ଗୀତିକାର ଓ ଗବେଷକ ପ୍ରତୀକ ପଟ୍ଟନାୟକ, ୟୁଟ୍ୟୁବର ଇଶକ ମୁଣ୍ଡା, ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା, ଓ୍ୱିକିପିଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ କେଶରୀ ସେନାପତି, ଯୁବ ଲେଖକ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ନିଜ ପ୍ରତିଭା ମାଧ୍ୟମରେ ଆଗକୁ ବଢିବାର ପ୍ରଚେଷ୍ଟା ଏବଂ ଇଚ୍ଛାଶକ୍ତି ଯୁବଶକ୍ତିଙ୍କ ପାଇଁ ପ୍ରେରଣାଦାୟୀ ।

କଣ୍ଠଶିଳ୍ପୀ ଅଭିପ୍ସା ପଣ୍ଡା, ଉଦ୍ୟୋଗୀ ବୀରେନ ସାହୁ, ପରିବେଶପ୍ରେମୀ ରାହୁଲ ମହାରଣା ଓ ସାହିତ୍ୟିକ ଦୀଲେଶ୍ୱର ରଣାଙ୍କ ଭଳି ସାମାନ୍ୟ ଘରର ପିଲାଙ୍କର ନିଜ ଦକ୍ଷତା ବଳରେ ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବା ଓ ବିଶ୍ୱକଲ୍ୟାଣ ଦିଗରେ ବ୍ରତୀ ହେବାର ପ୍ରଚେଷ୍ଟା ହିଁ ଓଡ଼ିଆ ଜାତିର ସ୍ୱପ୍ନ ଓ ସଂକଳ୍ପ ପୂର୍ଣ୍ଣ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବା ପାଇଁ ‘ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା’ । ନିଜ ପାଇଁ ନୁହେଁ ଅନ୍ୟ ମାନଙ୍କ ପାଇଁ ସ୍ୱପ୍ନ ଦେଖିବା । ନିଜର ସ୍ୱପ୍ନ ଲେଖି ୯୦୯୦୦୦୨୦୩୬ରେ ପଠାଇବା ପାଇଁ ଶ୍ରୀ ପ୍ରଧାନ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର

ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କରିବେ କଣ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଦେବେ କି ?

ଭୁବନେଶ୍ବର:  ଆଜି ଓଡିଶାର ପ୍ରମୁଖ ଖବର କାଗଜରେ ଏକ ପୁରା ପୃଷ୍ଟା ବିଜ୍ଞାପନ ବାହାରିଛି। ଆସନ୍ତାକାଲି ହେବାକୁ ଥିବା ହକି ମହାକୁମ୍ଭର ଉଦଘାଟନୀ ଉତ୍ସବର ଏହି ବିଜ୍ଞାପନ। ଏହାକୁ ପ୍ରକାଶ କରିଛନ୍ତି ଓଡିଶା ସରକାରଙ୍କ କ୍ରୀଡା ବିଭାଗ। ଏହି ବିଜ୍ଞାପନରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ।

ଏହି ବିଜ୍ଞାପନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତାହା ହେଲା ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ କଣ? ଅର୍ଥାତ ସେ ପୂର୍ବରୁ ଯେଉଁ ବିଜ୍ଞାପନକୁ ନେଇ ବାଣ ଫୁଟାଇଥିଲେ, ତାହାର ଜବାବ ବିଜେଡି ଦେଲା। ଏହାପରେ ସେ ତାଙ୍କର ବକ୍ତବ୍ୟକୁ ଫେରାଇ ନେବେ ନା କ୍ଷମା ପ୍ରାର୍ଥନା କରିବେ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ।

ନିକଟରେ ଏହି ଫଟୋକୁ ନେଇ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପିର ମଙ୍ଗୁଆଳମାନେ ବେଶ ତୁମ୍ବା ତୋଫାନ କରିଥିଲେ। ଭୁବନେଶ୍ବର ରାଉରକେଲା ବିମାନ ସେବା ଉଦଘାଟନ ଦିନ ଏହି ବିବାଦ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଏହି ବିମାନ ସେବାକୁ ନେଇ ଏକ ବିଜ୍ଞାପନ ଦେଇଥିଲେ। ସେଥିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିଲା। ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କ୍ଷୋଭ ପ୍ରକାଶ କରିଥିଲେ।

ସେତେବେଳେ ସେ ଅଭିଯୋଗ କରିଥିଲେ ଯେ, ଭୁବନେଶ୍ବର ରାଉରକେଲା ବିମାନ ସେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ। ଉଡାନ ଯୋଜନାରେ ଏହା କରାଯାଇଛି। ହେଲେ ରାଜ୍ୟ ସରକାର ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଇଥିଲେ ଭଲ ହୋଇଥାଆନ୍ତା ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଫଟୋଟିଏ ଦେଇ ନବୀନ ନିଜର ମହନିୟତା ପ୍ରକାଶ କରିପାରି ଥାଆନ୍ତା ବୋଲି ଧର୍ମେନ୍ଦ୍ର କହିଥିଲେ।

ତେବେ ଆଜି ପ୍ରକାଶ ପାଇଥିବା ହକି ଉଦଘାଟନ ଉତ୍ସବ ବିଜ୍ଞାପନରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପ୍ରକାଶ ପାଇଛି। ଏହାକୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରକାଶ କରିଛି। ଏହା ଦେଖିବା ପରେ ଧର୍ମେନ୍ଦ୍ର କଣ କହିବେ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏବେ ଧର୍ମେନ୍ଦ୍ର ଖୋଲାମଖୁଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଆଗେଇ ଆସିବେ କି ?

Categories
ବିଶେଷ ଖବର ରାଜ୍ୟ ଖବର

ନିଶ୍ଚିନ୍ତକୋଇଲିରେ ବିଜେପିର ମଣ୍ଡଳ ପ୍ରବାସ ପଦଯାତ୍ରା

ନିଶ୍ଚିନ୍ତକୋଇଲି: ୨୦୨୩ରେ ଓଡ଼ିଶାର ଗରିବ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ ବୋଲି ରବିବାର କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ନିଶ୍ଚିନ୍ତକୋଇଲି ଠାରେ ଦଳ ପକ୍ଷରୁ ଆୟୋଜିତ ମଣ୍ଡଳ ବୈଠକ, ପଦଯାତ୍ରା ଓ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଠାରେ ଅସୁରେଶ୍ୱର ମଣ୍ଡଳ ଏବଂ ନିଶ୍ଚିନ୍ତକୋଇଲିର ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ନିଶ୍ଚିନ୍ତକୋଇଲିରେ ଆରମ୍ଭ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ, ଆବାସ ଯୋଜନାରେ ଘର ଆବଣ୍ଟନରେ ଦୁର୍ନୀତି କଥା ଉଠାଇବାରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା କୁଳମଣି ବରାଳଙ୍କର ହତ୍ୟା ଯୋଜନା ବଧିବଦ୍ଧ ଭାବେ ଶାସକ ଦଳର ବିଧାୟକ ପ୍ରତ୍ୟକ୍ଷ ଭାବରେ କରାଇଲେ। ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ତାଙ୍କର ବି ସନ୍ଦେହଜନକ ଭାବେ ହତ୍ୟା ହେଲା। କୁଳମଣି ବରାଳଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଟକ ଜିଲ୍ଲା ସାଲେପୁର ବ୍ଲକ ପାଗା ଛକ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାଲେପୁର ସମେତ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତୁମର ପଦ୍ମପୁର ଥିବା ବେଳେ ଆମର ଧାମନଗର ମଡେଲ ଅଛି, ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଯୋଗଦେବାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ମନ୍ତବ୍ୟ ଦେଇଛନ୍ତି। ତାହା ହେଲା ତମର ପଦ୍ମପୁର ମଡେଲ ଥିବା ବେଳେ ଆମର ଧାମନଗର ମଡେଲ ରହିଛି। ଆଜି ସମ୍ବାଦିକମାନେ ୨୦୨୪ ନିର୍ବାଚନରେ ବିଜେଡିର ମନ୍ତବ୍ୟ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଉଭୟ ଧାମନଗର ଏବଂ ପଦ୍ମପୁର ଉପନିର୍ବାଚନରେ ବିଜେପିକୁ ବେଶ କିଛି ଶିକ୍ଷା ମିଳିଛି। ଏହି ଦୁଇ ଉପନିର୍ବାଚନର ଶିକ୍ଷାକୁ ପାଥେୟ କରି ଆମେ ଆସନ୍ତା ନିର୍ବାଚନ ମଇଦାନକୁ ଓହ୍ଲାଇବୁ। ଏହା ସାଧାରଣ ନିର୍ବାଚନ ପାଇଁ ବିଜେପିକୁ ବେଶ୍ ସାହାଯ୍ୟ କରିବ । ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାର ପ୍ରମୁଖ ପ୍ରସଙ୍ଗ କରିବ ଦଳ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲା ବିଜେଡି

ଭୁବନେଶ୍ବର: ଆଜି ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାହା ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ଉପନିର୍ବାଚନରେ ହିଂସା ଉଦ୍ରେକ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଦାବୀ କରିଛନ୍ତି।

ଏଥିରେ କୁହାଯାଇଛି ଯେ,ପଦ୍ମପୁର ଉପନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଅର୍ଗସ ନ୍ୟୁଜ ଚ୍ୟାନେଲ ରିପୋର୍ଟରଙ୍କୁ କୃଷିମନ୍ତ୍ରୀ ରାଜା ସ୍ବାଇଁଙ୍କୁ ବାଡେଇବା ପାଇଁ କହୁଛନ୍ତି। ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ପ୍ରମାଣ ସ୍ବରୂପ ଦଳ ତରଫରୁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ ପାଇଁ ଦ୍ବିତୀୟ ଦିନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଧାମନଗର/ଭୁବନେଶ୍ୱର: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ଦ୍ୱିତୀୟ ଦିନରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତିହିଡି ବ୍ଲକର ପାଳିଆ ବଜାର, ପାଳିଆବିନ୍ଧା, କୁମାର ସାହୀ, ଅଲି ବଜାର ଓ ଗୁଆମାଳ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ।

ଧାମନଗରବାସୀ ସାଙ୍କେତିକ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ। ଏ ଅଞ୍ଚଳ ହେଉଛି ସ୍ଵାଭିମାନର ମାଟି, କେବେ ସାଲିଶ୍ କରିବା ଶିଖିନି। ଏହି ବୀର ଭୂମିରେ ଶାସକ ଦଳର ଅପପ୍ରଚାରକୁ ସ୍ଥାନୀୟବାସୀ କେବେ ବି ପ୍ରଶୟ ଦେବେ ନାହିଁ। ସୂରଜ ଜଣେ ଉଚ୍ଚ ଶିକ୍ଷିତ ଓ ଲଢୁଆ ଯୁବକ। ଲୋକପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଆଦର୍ଶରେ ସେ ନିଜ ମାଟି ମାଆର ସେବା କରିବା ପାଇଁ ରାଜନୈତିକ ଯାତ୍ରା ଆରମ୍ଭ କରିଛି।

ଧାମନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ହିମାଳୟ ଭଳି ଅତୁଟ ରହିଛି। ଏଠାକାର କୋଣ ଅନୁକୋଣରେ ଜନପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ଭାଇଙ୍କ ସ୍ମୃତି ଜୀବିତ ଅଛି। ମାଆମାନେ ଦଳ ମତ ନିର୍ବିଶେଷରେ ସୂର୍ଯ୍ୟବଂଶୀଙ୍କୁ ଆଶୀର୍ବାଦ ଦେଉଛନ୍ତି। ଏ ଅଞ୍ଚଳର ଟାଣୁଆ ସ୍ତମ୍ଭ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସ୍ୱର୍ଗୀୟ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଜନତାଙ୍କ ଆସ୍ଥା ଅତୁଟ ରହିଛି । ଯୁବବର୍ଗ ଲଢୁଆ ନେତୃତ୍ୱକୁ ସ୍ୱୀକାର କରୁଛନ୍ତି। ଏହି ସହଯୋଗ ବଳରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ଶ୍ରୀ ପ୍ରଧାନ ତିହିଡି ବ୍ଲକ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଓ ମାଆ ସାମନ୍ତାଣିଶୁଣୀ ମନ୍ଦିରରେ ଦର୍ଶନ କରିଥିଲେ। ଭଦ୍ରକ ଜିଲ୍ଲା ଇଚ୍ଛାପୁର, ଶିରାପୁର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୧୦ ଲକ୍ଷ ନିଯୁକ୍ତି ଘୋଷଣାକୁ ସ୍ୱାଗତ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡ଼ରେ ସମସ୍ତ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟ ଗୁଡ଼ିକରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଆଧାରରେ ଶିକ୍ଷା ମନ୍ତ୍ରମାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସମସ୍ତ ବିଭାଗରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ ଖାଲି ଥିବା ପଦବୀ ଗୁଡ଼ିକୁ ପୂରଣ କରାଯିବ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଟ୍ୱିଟ୍ କରିଛନ୍ତି ଯେ ଉତ୍ତରଦାୟିତ୍ୱ, ଜନ କେନ୍ଦ୍ରୀକ ସୁଶାସନ ଏବଂ ସମୟସୀମା ପୂର୍ବରୁ ଲକ୍ଷ୍ୟ ପୂରଣ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପରିଚୟ। ଉଚ୍ଚ ଶିକ୍ଷା ଅନୁଷ୍ଠାନ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଅନ୍ୟ ବିଭାଗରେ ଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀ ଗୁଡ଼ିକ ଖୁବ ଶୀଘ୍ର ପୂରଣ କରାଯିବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ସରକାରଙ୍କ ସମସ୍ତ ବିଭାଗ ଓ ମନ୍ତ୍ରଣାଳୟର ମାନବ ସମ୍ବଳ ସମ୍ପର୍କୀତ ତଥ୍ୟର ସମୀକ୍ଷା କରିବା ପରେ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ମିଶନ ମୋଡ଼ରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୁଗାନ୍ତକାରୀ ଜନକଲ୍ୟାଣକାରୀ ପଦକ୍ଷେପ ନିଯୁକ୍ତି ଦୃଶ୍ୟପଟ୍ଟକୁ ଅଧିକ ମଜବୁତ୍ କରିବା କରିବା ସହ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ସକରାତ୍ମକ ଭାବନା ଜାଗ୍ରତ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗରରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

ବ୍ରଜରାଜନଗର:  ରାଜ୍ୟରେ ହୀରାକୁଦ ଡ୍ୟାମ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରିବା, ଜଳସେଚନର ବ୍ୟବସ୍ଥା କରିବା ଏବଂ ଦେଶର ବିଭିନ୍ନ ଅଂଚଳକୁ ଆଲୋକିତ କରିବା ପାଇଁ କୋଇଲାରୁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଅନେକ ଥର ତ୍ୟାଗ ଦେଇଥିବା ବ୍ରଜରାଜନଗର ବର୍ଷ ବର୍ଷ ଧରି ଉପେକ୍ଷିତ ହୋଇ ରହିଛି। ଏଥିପାଇଁ ଓଡିଶାରେ ୨୨ ବର୍ଷ ଧରି ଶାସନରେ ଥିବା ସ୍ଥାଣୁ ସରକାର ଦାୟୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ବ୍ରଜରାଜନଗରରେ ବିଧାୟିକା ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସମର୍ଥନରେ ମାରାଥନ ନିର୍ବାଚନ ପ୍ରଚାର କରିବା ଅବସରରେ ଏହା କହିଛନ୍ତି । ଲଖନପୁର ବାଗମୁଣ୍ଡା ଠାରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରଜରାଜନଗର ଅଂଚଳର ଗୋଟିଏ ଐତିହ୍ୟ ଓ ପରମ୍ପରା ଅଛି। ହୀରାକୁଦ ଡ୍ୟାମ ବ୍ରଜରାଜନଗର ଓ ଲଖନପୁର ଅଧିବାସୀ ମାନଙ୍କ ତ୍ୟାଗ ବଳରେ ନିର୍ମାଣ ହୋଇଛି।

ସେମାନଙ୍କ ତ୍ୟାଗ ବଳରେ ମହାନଦୀରେ ଡ୍ୟାମ ନିର୍ମାଣ ହେବାରୁ ଓଡ଼ିଶା ଆଜି ବନ୍ୟାରୁ ସୁରକ୍ଷିତ ହୋଇଛି। ଅନେକ ଅଂଚଳ ଜଳସେଚିତ ହୋଇଛି। ସେମାନଙ୍କ ବଳିଦାନ କାରଣରୁ ଏ ଅଂଚଳରେ କୋଇଲା ଉତ୍ପାଦନ ଯୋଗୁଁ ଓଡ଼ିଶା ଓ ଭାରତବର୍ଷର ଅନେକ ଅଂଚଳ ଆଲୋକିତ ହେଉଛି। ସେହି ତୁଳନାରେ ଏହି ଅଂଚଳର ରୋଜଗାର ଓ ଅନ୍ୟାନ୍ୟ ମୌଳିକ ସୁବିଧା ବିକଶିତ ହୋଇପାରିନାହିଁ । ସ୍ୱାସ୍ଥ୍ୟ ଭିତିଭୂମି ବିପର୍ଯ୍ୟସ୍ତ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ। ସ୍ଥାନୀୟ ଅଂଚଳର ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ରମ୍ପେଲା, ଦଳଗାଁ, ଚାରପାଲି, ଅଢାପରା, ବାଗମୁଣ୍ଡା, ପଂଚଗାଁ, କନକ ତୋରା ସମେତ ବିଭିନ୍ନ ସ୍ଥାନରେ ପ୍ରଚାର ସହ ବେଲପାହାଡ ପୌରାଂଚଳ ଓ ବ୍ରଜରାଜନଗର ପୌରାଂଚଳରେ ରୋଡ ସୋ’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଲଖନପୁର ଓ ବ୍ରଜରାଜନଗର ଅଂଚଳ ପ୍ରତି ମୋର ବିଶେଷ ଶ୍ରଦ୍ଧା ରହିଛି। ସ୍ଥାନୀୟ ଅଧିବାସୀ ଦୀର୍ଘ ବର୍ଷ ଧରି ବିଜେପିକୁ ଆଶୀର୍ବାଦ କରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଖଣି ସମୃଦ୍ଧ ଅଂଚଳ ବ୍ରଜରାଜନଗର ଓ ଲଖନପୁର ଅଧିବାସୀଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା କଲେ।

ଝାରସୁଗୁଡାରେ ୫୩୧ କୋଟି ଟଙ୍କାର ଡିଏମଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା କାରଣରୁ ଏଠାରେ ବିନା ଟେଣ୍ଡରରେ କାମ ହେଉଛି । ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ଦଳୀୟ ଆଧାରରେ ବଂଟା ଯାଉଛି । ବିନା ହାତ ଗୁଞ୍ଜାରେ କାମ ହେଉନାହିଁ । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ହିତାଧିକାରୀ ଉତମ ସ୍ୱାସ୍ଥ୍ୟ ପାଇବାରୁ ବଂଚିତ ହେଉଛନ୍ତି ।

ଏ ସବୁ ଆଜି ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଚଳିତ ଉପନିର୍ବାଚନରେ ବ୍ରଜରାଜନଗର ବାସୀନ୍ଧା ଏହାର ଉଚିତ୍ ଜବାବ ଦେବେ। ଗଣତନ୍ତ୍ରରେ ହକ୍‌, ଅଧିକାର ଓ ନ୍ୟାୟର ଲଢ଼େଇ ପାଇଁ ନେତୃତ୍ୱ ଚୟନ ହୁଏ। ବ୍ରଜରାଜନଗର ଓଡ଼ିଶାରେ ମୋଦି ଶାସନ ଆସିବାର ମୂଳଦୁଆ ପକାଇବା ବ୍ରଜରାଜନଗରବାସୀ ଆମ ଦଳର ନେତ୍ରୀଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ନିଶ୍ଚୟ ଜୟଯୁକ୍ତ କରିବେ। ଓଡ଼ିଶାରେ ମୋଦି ପଠାଉଥିବା ଟଙ୍କାର ମୁଖର ସ୍ୱର ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ହେବେ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷରେ ଓଡିଶା ରାଜନୀତି ମଇଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ମୃଦୁଳା ପ୍ରଧାନ

ଭୁବନେଶ୍ବର: ବିଭିନ୍ନ ନିର୍ବାଚନ ଆଉ ଉପନିର୍ବାଚନରେ ଧର୍ମେନ୍ଦ୍ରଙ୍କ ନେତୃତ୍ବ ହାରିବା ପରେ ବର୍ତ୍ତମାନ ତାଙ୍କ ଧର୍ମପତ୍ନୀ ରାଜନୈତିକ ମଇଦାନକୁ ଲମ୍ପ ପ୍ରଦାନ କରିଛନ୍ତି। ଯାହାର ପ୍ରମାଣ ବର୍ତ୍ତମାନ ତାଳଚେର ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାରେ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଗ୍ୟାସ ବଣ୍ଟନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ତାଙ୍କର ଏହି ଗସ୍ତକୁ ସଫଳ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପୁରା ଟିମ ଲାଗିପଡିଛନ୍ତି।

ମୃଦୁଳାଙ୍କ ପାଇଁ ତାଳଚେର ଅଞ୍ଚଳରେ ବିଭିନ୍ନ ମଞ୍ଚ ବା ସଭାସମିତର ଆୟୋଜନ ହେବାରେ ଲାଗିଛି। ବର୍ତ୍ତମାନ ମୃଦୁଳୁ ନୂଆଦିଲ୍ଲୀରେ କମ ତାଳଚେରରେ ବେଶୀ ସମୟ ଦେବେ ବୋଲି ତାଙ୍କ ନିକଟତମ ମହଲରୁ ପ୍ରକାଶ ପାଇଛି। ମୁଖ୍ୟତଃ ଜଣେ ନାରୀ ଏବଂ ଜଣେ ଟାଣୁଆ ମନ୍ତ୍ରୀଙ୍କ ପତ୍ନୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବୋହୁ ଭାବେ ତାଙ୍କର ତାଳଚେରରେ ବେଶ ଖାତିର ରହିଛି। ଫଳରେ ତାଙ୍କ ସଭାରେ ଲୋକଙ୍କ ଭିଡ ମଧ୍ୟ ପରିଲକ୍ଷିତ ହେବାରେ ଲାଗିଛି।

କଣ କରନ୍ତି ମୃଦୁଳା ପ୍ରଧାନ, କଣ ତାଙ୍କର ଯୋଗ୍ୟତା

ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ହେଉଛନ୍ତି ହିମାଚଳ ପ୍ରଦେଶର ଝିଅ। ସେ ଜଣେ ଏବିଭିପିର ଟାଣୁଆ କର୍ମି। ସେ ଛାତ୍ରୀ ଜୀବନରେ ଜମ୍ମୁ, ହିମାଚଳ ପ୍ରଦେଶ ଏବଂ ପଂଜାବର ଝିଅମାନଙ୍କୁ ଏବିଭିପିରେ ସାମିଲ କରିବା ପାଇଁ କାର୍ଯ୍ୟ କରୁଥିଲେ। ଧର୍ମେନ୍ଦ୍ର ମଧ୍ୟ ଛାତ୍ର ଜୀବନରେ ଏବିଭିପିର ସକ୍ରିୟ ସଦସ୍ୟ ଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଦେଖା ସାକ୍ଷାତ ଭିତରେ ଉଭୟ 1995 ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ମୃଦୁଳା ଏବିଭିପି ପରେ ହିମାଚଳ ପ୍ରଦେଶ ହାଇକୋର୍ଟରେ କିଛି ବର୍ଷ ଓକିଲ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

ହେଲେ ବିବାହ ପରେ ସେ ଆଉ ଓକିଲାତି ପେଶା କାର୍ଯ୍ୟ କରିପାରିଲେ ନାହିଁ। ବିବାହ ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏଲଏମଏମ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ସେ ଜଣେ ଗୃହିଣୀ ଭାବେ ଜୀବନ ଅତିବାହିତ କରୁଛନ୍ତି। ତେବେ ସେ ବିବାହ କରିବା ପରେ ବର୍ତ୍ତମାନ ଓଡିଆ ପରିବାର ଭିତରେ ରହି ଭଲ ଓଡିଆ କହିପାରୁଛନ୍ତି।

ମୃଦୁଳା କଣ ଆଗରୁ ରାଜନୀତି କରୁଥିଲେ ନା ଏବେ ଆରମ୍ଭ କରୁଛନ୍ତି

ବିବାହ ପରେ ମୃଦୁଳା ଏବିଭିପି କିମ୍ବା ରାଜନୀତିରେ ଆଉ ସକ୍ରିୟ ନ ଥିଲେ। ହେଲେ ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ଦିଲ୍ଲୀରେ ତାଙ୍କୁ ବିଭିନ୍ନ ଓଡିଆ ଅନୁଷ୍ଠାନ ତରଫରୁ ସଭାସମିତିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଆସିଲା। ଫଳରେ ସେ କେତେକ ଓଡିଆ ଅନୁଷ୍ଠାନରେ ଯୋଗ ଦେବା ସହିତ ରିତିମତ ସେମାନଙ୍କ ସହିତ ସଂପର୍କରେ ରହିଲେ। ଫଳରେ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରିବା ପାଇଁ ନୂଆଦିଲ୍ଲୀର ଓଡିଆ ସଂଗଠନକୁ ମୃଦୁଳା ସୁଦୃଢ କରିବାରେ ଲାଗିଲେ।

ଏହିପରି କାର୍ଯ୍ୟ ପରେ ସେ ଗତ ଦିଲ୍ଲୀ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ଦିଲ୍ଲୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସେ ଓଡିଆ ଭୋଟ ସାଉଁଟିବାରେ ଲାଗିଥିଲେ। ଏପରିକି ଅନେକ ସ୍ଥାନରେ ସେ ଧର୍ମେନ୍ଦ୍ରଙ୍କ ସହିତ ମଧ୍ୟ ପ୍ରଚାରରେ ସାମିଲ କରିଥିଲେ। ଏହିପରି ଭାବେ ସେ ଆକସ୍ମିକ ଭାବେ ରାଜନୀତିରେ ନିଜକୁ ସାମିଲ କରାଇଛନ୍ତି।

ହେଲେ ବର୍ତ୍ତମାନ ତାଳଚେରରେ ସେ କୁଆଡେ ନିଜର ରାଜନୈତିକ କର୍ମଭୂମି କରିବେ ବୋଲି ନିଷ୍ପତି କରିଛନ୍ତି। ଫଳରେ ସେଠାରେ ସେ ଉଜ୍ଜଳା ବଣ୍ଟନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇବାରେ ଲାଗିଛନ୍ତି। ଭବିଷ୍ୟତରେ ସେ ତାଳଚେରରୁ ବିଜେପି ପ୍ରାର୍ଥୀ ହେବେ ବୋଲି ତାଙ୍କର ସମର୍ଥକମାନେ ଆଲୋଚନା କରିବାରେ ଲାଗିଛନ୍ତି। ମୃଦୁଳାଙ୍କ ଏପରି ରାଜନୈତିକ କାର୍ଯ୍ୟକ୍ରମ ଓଡିଶା ବିଜେପିରେ ଏକ ନୂଆ  ସମୀକରଣ ସୃଷ୍ଟି ହେଲାଣି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱରରୁ ଦୁବାଇକୁ ପ୍ରତିଦିନ ସିଧା ବିମାନ ସେବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରତିଦିନ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ବିଭିନ୍ନ ଅଂଚଳରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଓଡିଆ ଲୋକ ବସବାସ କରୁଛନ୍ତି। ଭୁବନେଶ୍ୱରରୁ ଦୁବାଇ ଏବଂ ଦୁବାଇରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସିଧାସଳଖ ବିମାନସେବା ପାଇଁ ଦୀର୍ଘ ଦିନ ଧରି ଦାବୀ ହୋଇ ଆସୁଛି। ଦୁଇ ସହର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ ହେଲେ ଓଡିଆ ଲୋକଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ଯାତାୟତର ଦ୍ୱାର ଫିଟିବ। ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡିଆ ଲୋକ ମାନଙ୍କର ନିଜ ରାଜ୍ୟକୁ ଆସିବା ପାଇଁ ଯୋଗାଯୋଗ ସୁଗମ ହେବ। ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡିଶା ବିକାଶର ପେଣ୍ଠସ୍ଥଳୀ ଭାବରେ ଆଗକୁ ବଢୁଛି। କେନ୍ଦ୍ର ରାଜଧାନୀ ଭୁବନେଶ୍ୱର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ। ଦୁଇ ସହର ମଧ୍ୟରେ ବିମାନ ଚଳାଚଳ ହେବା ଦ୍ୱାରା କଳାତ୍ମକ, ହସ୍ତତନ୍ତ ଓ କୃଷି ଆଧାରିତ ସାମଗ୍ରୀ ବ୍ୟବସାୟ ଦ୍ୱାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ୟୁଏଇ ଓଡିଆ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରୁ ଦୁବାଇ ପର୍ଯ୍ୟନ୍ତ ସିଧାସଳଖ ବିମାନସେବା ଆରମ୍ଭ କରିବା ପାଇଁ ପତ୍ର ଲେଖାଯାଇଥିଲା। ଏହି ମର୍ମରେ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।