Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୁରୁଧା ସିଂହାସନ ଲଢେଇରେ ଧର୍ମେନ୍ଦ୍ରଙ୍କ ରାସ୍ତାକୁ ରୋକିଲେ ଅପରାଜିତା, ବିଷମ ପରିସ୍ଥିତିରେ ରାଜ୍ୟ ବିଜେପି

ଭୁବନେଶ୍ୱର: ଏବେ ଏବେ ସରିଛି ଓଡିଶାର ଉପନିର୍ବାଚନ। ବିଜେପି ହାତରୁ ଖସିଯାଇଛି ଗୋଟିଏ ସିଟ। ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ବିଜେଡିର ହେଲା ବାଜିମାତ। ହେଲେ ନିଜ ହାତରୁ ଖସିଯାଇଥିବା ବାଲେଶ୍ଵର ସଦର ଆସନଟିକୁ ନେଇ ବିଜେପି ମାନସ ମନ୍ଥନ କରିବ କଣ, ଘରେ ଲାଗିଛି ବାଦୀପାଲା। ଏହି ପାଲା ପୁଣି ଆଉ କାହା ମଧ୍ୟରେ ନୁହେଁ, ଖୋଦ୍ ବିଜେପି ଶକ୍ତିକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଲାଗିଛି।

ଲୋକ ଭାବୁଥିଲେ ବାଲେଶ୍ଵର ପରାଜୟ ପରେ ରାଜ୍ୟ ବିଜେପି ଆଗାମୀ ଦିନରେ କିଭଳି ନିର୍ବାଚନ ଜିଣିବ, ସେହି ଚିନ୍ତା କରିବ। କଣ ପାଇଁ ବାଲେଶ୍ଵର ସଦର ଆସନ ଖସିଗଲା ତର୍ଜମା ହେବ। କିନ୍ତୁ ଗୋଷ୍ଠୀ କନ୍ଦଳକୁ ନେଇ ବିଜେପି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ଗତି କରୁଛି। ତେବେ ଏହି ଅଡୁଆର କାରଣ କଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଭୁବନଶ୍ୱର ସଂସଦୀୟ କ୍ଷେତ୍ରରେ ଅପରାଜିତାଙ୍କ ଗୁରୁତ୍ୱ କମାଇବାକୁ ଧର୍ମେନ୍ଦ୍ର ଷଡଯନ୍ତ୍ର କରୁଥିବା ଚର୍ଚ୍ଚା ହେଉଛି। ଯେଉଁଥି ପାଇଁ ଖୁରୁଧା ଜିଲ୍ଲା ବିଜେପି କର୍ମକାର୍ତ୍ତାଙ୍କୁ ଅଦଳ ବଦଳ କରାଯିବାକୁ ନେଇ ବିବାଦ ତେଜୁଥିଲା।

ଗତ ବର୍ଷେ ହେଲା ଅପରାଜିତାଙ୍କ ଅନୁଗତ ରଶ୍ମୀରଂଜନ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଭାବେ ଦାୟିତ୍ୱରେ ଥିଲେ। ହେଲେ ଅଚାନକ ତାଙ୍କ ସ୍ଥାନରେ ଯତୀନ ମହାନ୍ତିଙ୍କୁ ନିଯୁକ୍ତି ଦିଆଗଲା। ରଶ୍ମୀ ମହାପାତ୍ରଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯିବା ଘଟଣାରୁ ହିଁ ଆରମ୍ଭ ହେଲା ବିବାଦ। ତେବେ ଅପରାଜିତାଙ୍କ ଜିଦ୍ ଆଗରେ ଧର୍ମେନ୍ଦ୍ର ହାରି ଯାଇଛନ୍ତି। ଧର୍ମେନ୍ଦ୍ରଙ୍କୁ ଶକ୍ତ ଝଟକା ଦେଇ ରଶ୍ମୀ ରଞ୍ଜନଙ୍କୁ ପୁଣିଥରେ ବିଜେପି ଖୁରୁଧା ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀର କିଛି ନେତା ବି ପଦାରେ ପଡିଯାଇଛନ୍ତି। ତାଙ୍କ ଭିତରେ ଅଛନ୍ତି ଗୋଲକ ମହାପାତ୍ରଙ୍କ ସହିତ ଖୋଦ ରାଜ୍ୟ ସଭାପତି ସମୀର ମହାନ୍ତି।

ତେବେ ପ୍ରଶ୍ନ ଉଠୁଛି ସବୁ ରାଜ୍ୟରେ ବିଜେପି ସଂଗଠନ ସୁଦୃଢ଼ ହେଉଥିଲା ବେଳେ ଓଡ଼ିଶାରେ ବିଜେପି ଆଗକୁ ବଢ଼ିପାରୁନି କାହିଁକି। ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଯେଉଁ ଢଙ୍ଗରେ ପ୍ରଚାର ଆରମ୍ଭ କରିଥିଲା, ଏଥିରେ ରାଜ୍ୟ ବିଜେପି ବେଶ୍ ଉତଫୁଲିତ ଥିଲା। ହେଲେ ବିଜୁ ଜନତା ଦଳର ପରାକ୍ରମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରଭାବ ଆଗରେ ଫିକା ପଡିଲା ବିଜେପି।

ସେହିଭଳି ୨୦୧୯ ରେ ମଧ୍ୟ ଓଡ଼ିଶାରେ ବିଜେପି ବିଶେଷ ସଫଳ ହୋଇପାରିଲାନି। ଦୁଇଥର କେନ୍ଦ୍ରରେ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ରହିଲେଣି, ହେଲେ ଓଡ଼ିଶାରେ ବିଜେପି ବଢ଼ିପାରୁନି। ଏବେ ଆଉ ଜଣେ ଓଡ଼ିଆ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମରେ ରହିଛିନ୍ତି, ସେ ହେଲେ ପ୍ରତାପ ଷଡଙ୍ଗୀ। କିନ୍ତୁ ବିଜେଡିକୁ ଟକ୍କର ଦେବାପରି ସାମର୍ଥ୍ୟ ଏ ପର୍ଯ୍ୟନ୍ତ ବିଜେପି ନିକଟରେ ଥିବା ପରି ଜଣାପଡୁ ନାହିଁ।

ନବୀନଙ୍କ ସୁଶାସନ ଓ ଓଡିଶା ବିକାଶ ଶ୍ରେୟ ନେଲା ଭଳି ରାଜନୈତିକ ଦଳ ରାଜ୍ୟରେ ନାହିଁ। ତେଣୁ ରାଜ୍ୟ ବିଜେପି ଯଦି ଗୋଷ୍ଠୀ କନ୍ଦଳରେ ଲାଗିବ, ତେବେ  ଓଡିଶାରେ ପୁଣି ସେଇ ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ଚାଲିଥିବ। ସେଥିପାଇ ବର୍ତ୍ତମାନ ରାଜ୍ୟ ବିଜେପି ଏକ ବିଷମ ପରିସ୍ଥିତି ଦେଇ ଗତି କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଫଟୋ ଖବର

କୋଏତ୍ ଗସ୍ତରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିମାନ ବନ୍ଦରରେ ତାଙ୍କୁ କରାଯାଉଛି ସ୍ବାଗତ

କୋଏତ୍ ଗସ୍ତରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିମାନ ବନ୍ଦରରେ ତାଙ୍କୁ କରାଯାଉଛି ସ୍ବାଗତ

Categories
ଜାତୀୟ ଖବର ବିଶେଷ ଖବର

ଏମ୍‌ଏସ୍‌ପି ବନ୍ଦ ହୋଇଯିବ ବୋଲି ହେଉଥିବା ଅପପ୍ରଚାର ସମ୍ପୂର୍ଣ୍ଣ ରୂପେ ମିଥ୍ୟା: ଧର୍ମେନ୍ଦ୍ର

ଭୁବନେଶ୍ୱର, ଭାରତବର୍ଷରେ ମୋଦି ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ବନ୍ଦ ହେବାର ପ୍ରଶ୍ନ ଉଠୁ ନାହିଁ।ଶନିବାର ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ ଭାରତ ସରକାରଙ୍କ ‘ନୂତନ କୃଷିନୀତି’ ଉପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମୋଦି ସରକାର ଆଣିଥିବା ତିନୋଟି ବିଲ୍‌ ଯଥା କୃଷି ଉତ୍ପାଦନ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ) ବିଲ୍‌, ଚାଷୀ (ସଶକ୍ତୀକରଣ ଏବଂ ସୁରକ୍ଷା) ଚୁକ୍ତିଭିତିକ ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ବିଲ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍ ସଂସଦରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ତେବେ ଏହି ବିଲ୍ ଦ୍ୱାରା ଏମଏସପି ବନ୍ଦ ହେବ ବୋଲି ଯେଉଁ ଅପପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା। ଓଡିଶା ଓ ଭାରତବର୍ଷରେ ଏମ୍‌ଏସ୍‌ପି ବ୍ୟବସ୍ଥା ପୂର୍ବଭଳି ଅପରିବର୍ତିତ ରହିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ରାଜ୍ୟର ଚାଷୀ ମାନଙ୍କ ପାଖରୁ କେନ୍ଦ୍ର ସରକାର ୨୦୦୯ ରୁ ୨୦୧୪ ଆର୍ଥିକ ବର୍ଷ ମଧ୍ୟରେ ୧୪.୨୬ ମିଲିୟନ ମେଟ୍ରିକ ଟନ ଧାନ କିଣିଛନ୍ତି ଏବଂ ୨୦୧୩-୧୪ ଆର୍ଥିକ ବର୍ଷରେ ଧାନର ଏମଏସପି କ୍ୱିଟାଂଲ ପ୍ରତି ୧୩୧୦ ଟଙ୍କା ଥିଲା। ମାତ୍ର ମୋଦି ସରକାରରେ ଆର୍ଥିକ ବର୍ଷ ୨୦୧୪ ରୁ ୨୦୨୦ ମଧ୍ୟରେ ୨୨.୮୬ ମିଲିୟନ ମେଟ୍ରିକ୍ ଟନର ଧାନ କିଣାଯାଇଛି ଏବଂ ୨୦୨୦-୨୧ରେ ଧାନର ଏମଏସପି କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି ବର୍ଷ ୨୦୧୪-୨୧ ଅଗଷ୍ଟ ମାସ ସୁଦ୍ଧା ୨୦,୨୭୨.୩୩ ଟନ ଡାଲି କିଣାଯାଇଛି ଏବଂ ଏହାର ଏମଏସପି କ୍ୱିଂଟାଲ ପ୍ରତି ୬୨୭୧.୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବର୍ଷ ୨୦୧୪-୨୧ ଅଗଷ୍ଟ ମାସ ସୁଦ୍ଧା ଓଡ଼ିଶା ଚାଷୀଙ୍କ ଠାରୁ ୧୨,୯୫୭.୬୩ ଟନ ତୈଳଜାତ ସାମଗ୍ରୀ ଭାରତ ସରକାର କିଣିଛନ୍ତି ଓ ଏହାର ଏମଏସପି କ୍ୱିଟାଲ ପ୍ରତି ୪୩୫୧.୮୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ରାଜ୍ୟର ଚାଷୀମାନେ ପୂର୍ବରୁ କେବଳ ଏଗ୍ରିକଲଚ୍ୟୁରାଲ ପ୍ରଡ୍ୟୁସ ମାର୍କେଟ୍ କମିଟି ବା ଏପିଏମସି ଅଧିନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହି ଆଇନ ବଳରେ ଚାଷୀମାନେ ଏପିଏମସି ସହିତ ଏହାର ବାହାରେ ମଧ୍ୟ ମୁକ୍ତ ବଜାରରେ ନିଜର ସାମଗ୍ରୀକୁ ବିକ୍ରି କରିପାରିବେ। ଅର୍ଥାତ୍ ନୂତନ କୃଷି ନୀତି ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହେବନାହିଁ ଓ ମଣ୍ଡି ବାହାରେ ମଧ୍ୟ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ବିକି ପାରିବେ।

ମନ୍ତ୍ରୀ କହିଛନ୍ତି ନୂଆ ନିୟମରେ ଚାଷୀ ଓ ବଜାର ମଧ୍ୟରେ ଏକାଧିକ ମଧ୍ୟସ୍ଥି ଓ ଦଲାଲି ବ୍ୟବସ୍ଥାକୁ ହଟାଯାଇ ଚାଷୀଙ୍କୁ ସିଧାସଳଖ ବଜାର ସହ ଯୋଡ଼ାଯାଇଛି। ଫଳରେ ଦେଶର ଯେକୌଣସି ବଜାରରେ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ସାମର୍ଥ୍ୟ ହେବେ। କୃଷିଜାତ ସାମଗ୍ରୀକୁ ସଂରକ୍ଷଣ କରି ରଖିବାର ବ୍ୟବସ୍ଥା ମଧ୍ୟ ବିଧେୟକରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତିଭୂମି ପାଣ୍ଠି, ୧୦ ହଜାର କୃଷି ଉତ୍ପାଦନ ସଂସ୍ଥା(ଏଫପିଓ) ଗଠନ ପାଇଁ ଯୋଜନା ହୋଇଛି। ଏହି ଆଇନ ଦ୍ୱାରା ଉଭୟ ଓଡ଼ିଶା ଓ ଭାରତର ଚାଷୀମାନେ ଲାଭବାନ ହେବେ। ଉତ୍ପାଦିତ ସାମଗ୍ରୀର ବର୍ଦ୍ଧିତ ସହାୟକ ମୂଲ୍ୟ ଚାଷୀମାନେ ପାଇପାରିବେ। କଂଟ୍ରାକ୍ଟ ଫାର୍ମିଂ ଦ୍ୱାରା କେବଳ ଚାଷୀର ଉତ୍ପାଦନ ଫସଲ କିଣିହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ ପାଇଁ ଏପରି ବିଲ୍ ଆଣି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି।

ଭାରତର ଜିଡିପିରେ କୃଷି କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ ଭୂମିକା ରଖୁଛି। ତେଣୁ ଭାରତର ମୂଳ ଆଧାର କୃଷି କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତନ ଆଣିବା ଲକ୍ଷ୍ୟରେ ଏହି ବିଲ୍ ଅଣାଯାଇଥିଲା। ଏହି ବିଧେୟକ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀର ସଠିକ୍ ମୂଲ୍ୟ ଦେବ ଏବଂ ଉପଭୋକ୍ତାଙ୍କୁ ମଧ୍ୟ ସଠିକ୍ ମୂଲ୍ୟରେ ସାମଗ୍ରୀ ମିଳିପାରିବ। ସେ କହିଛନ୍ତି ପୂର୍ବରୁ ଚାଷୀମାନେ କେବଳ ଜୀବନଜୀବିକା ପାଇଁ ଚାଷ କରୁଥିଲେ। ମାତ୍ର ଏହି ନୂଆ କୃଷି ନୀତି ଦ୍ୱାରା ଯୁବ ଚାଷୀମାନେ କୃଷି ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ଟଙ୍କା ରିହାତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ଆଜି କେନ୍ଦ୍ର ସରକାର ଓଡିଶାର ବିଦ୍ୟୁତ ବଣ୍ଟନ କଂପାନୀକୁ ଏକ ବଡ ରିହାତି ପ୍ରଦାନ କରିଛନ୍ତି। ଏଥିରେ ଏନଏଚପିସିକୁ ୩.୭୮ କୋଟି, ଏନଟିପିସିକୁ ୫୬.୮ କୋଟି ଏବଂ ପିଜିସିଆଇଏଲକୁ ୨୪.୩୫ କୋଟି ରିହାତି ଦିଆଯାଇଛି। ଏହିପରି ମୋଟ ୮୪ କୋଟି ଟଙ୍କା ରିହାତି ପ୍ରଦାନ କରାଯାଇଛି।

ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ କରିବା ପାଇଁ ଏହି ରିହାତି ଦିଆଯାଇଛି। ଏହାଦ୍ବାରା ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନେ ଅଧିକ ଉପକୃତ ହେବେ। କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ଲକ୍ଷ୍ୟ ରଖି ଏହି ରିହାତି ପ୍ରଦାନ କରାଯାଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଷ୍ଟ୍ର ଉଦ୍ଦେଶ୍ୟରେ 56 ସିଏନଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ 56ଟି ସିଏନଜି ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ପ୍ରଧାନ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ନ୍ୟାୟକୁ ନିଶ୍ଚିତ କରିବା ଓ ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବା ପାଇଁ ଦୃଢ ନିଶ୍ଚିତ। ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅନେକ ସିଏନଜି ଷ୍ଟେସନ ଲୋକାର୍ପିତ କରାଯାଇଛି। ସେ କହିଛନ୍ତି ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରାଯିବା ପାଇଁ ଚେଷ୍ଟା କରାଯାଉଛି।

ଦେଶର 5 କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି । ସେହିପରି ସ୍ୱର୍ଣ୍ଣ ଚତୁର୍ଭୁଜରେ 100 ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରିବାକୁ ହୋଇଥିବା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ନୂଆ ମାପଦଣ୍ଡ ଆଣିବ । ଏହାସହ ସାରା ଦେଶରେ 5000 କମ୍ପ୍ରେସଡ୍ ବାୟୋ ଗ୍ୟାସ ପ୍ଳାଣ୍ଟ ପ୍ରତିଷ୍ଠା କରିବା ଦିଗରେ ଭାରତ ସରକାର ଅଗ୍ରସର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।