ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ଓ ଶାହା : ଉନ୍ମୋଚନ ହେବ ଶହୀଦ ସ୍ତମ୍ଭ

Published: Feb 14, 2020, 9:23 am IST

ନୂଆଦିଲ୍ଲୀ : ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ । ଉଭୟ ରାଜନାଥ ସିଂ ଏବଂ ଅମିତ ଶାହା ଟ୍ବିଟ୍ଟର ଜରିଆରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୁଲଓ୍ବାମାର ଲେଥପୋରା କ୍ୟାମ୍ପରେ ଏକ ଶହୀଦ ସ୍ତମ୍ଭର ମଧ୍ୟ ଉନ୍ମୋଚନ କରାଯିବ । ଏହି ସ୍ତମ୍ଭରେ 40 ଜଣ ଶହୀଦ ଯବାନଙ୍କ ନାମ ଏବଂ ଫଟୋ ରହିବ । ଦେଶର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନର ଏହା ଏକ ପ୍ରୟାସ ବୋଲି ସିଆରପିଏଫ୍‌ର ଉପ ମୁଖ୍ୟ ଜୁଲଫିକର ହସନ୍‌ ପ୍ରକାଶ କରିଛନ୍ତି । ଭାରତ ମାତାର ସୁରକ୍ଷା ଏବଂ ଅଖଣ୍ଡତା ପ୍ରୟାସରେ ପ୍ରାଣ ହରାଇଥିବା ଶହୀଦ ଯବାନ ମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ଶାହା ଟ୍ବିଟ୍‌ କରିଛନ୍ତି । ଆତଙ୍କବାଦ ବିରୋଧରେ ସମ୍ପୂର୍ଣ୍ଣ ଦେଶ ଏକ ହୋଇ ଛିଡା ହୋଇଛି ଏବଂ 2019ରେ ଶହୀଦ ହୋଇଥିବା ସିଆରପିଏଫ୍‌ ଯବାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ରାଜନାଥ ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 2019 ଫେବୃୟାର 14 ତାରିଖ ଅପରାହ୍ନ 3ଟା ସମୟରେ ଜୈସ୍‌ ଏ ମହମ୍ମଦର ଆତ୍ମଘାତୀ ଆକ୍ରମଣରେ 40 ଯବାନ ପ୍ରାଣ ହରାଇଥିଲେ ।

Related posts