ଯାଜପୁର: ରୋଷେଇ ଘରୁ ଉଠିଲା ନିଆଁ, ଆଖି ପିଛୁଳାକେ ଛାରଖାର ହୋଇଗଲା ଘର। ଚୁଲିରେ ରୋଷେଇ କରୁଥିବା ବେଳେ ଅସାବଧାନତାରୁ ଶାଢ଼ିରେ ଲାଗିଗଲା ନିଆଁ। ନିଜକୁ ବଞ୍ଚାଇବା ପୂର୍ବରୁ ନିଆଁର ଆଁରେ ଜଳିଗଲେ ମହିଳା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଗଲା। ହେଲେ ମୃତ୍ୟୁ ସହ ସଂଘର୍ଷରେ ଶେଷରେ ହାରିଗଲେ। ଏଭଳି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତର ସିଙ୍ଗାଡ଼ିଆ ଗାଁରେ ଘଟିଛି।
ମୃତ ମହିଳା ହେଉଛନ୍ତି ଗାଁର ଗରିବ କ୍ଷୁଦ୍ର ଚାଷୀ ଗୋଲେଖ ବେହେରାଙ୍କ ପତ୍ନୀ ବନ୍ତ ବେହେରା (୫୬)। ଗୁରୁବାର ସକାଳେ ସେ ଘରେ ଏକୁଟିଆ ଥିବା ବେଳେ ରୋଷେଇ କରୁଥିଲେ। ସ୍ୱାମୀ କୌଣସି କାମରେ ଗାଁକୁ ଯାଇଥିବା ବେଳେ ତାଙ୍କ ଝିଅ ମଧ୍ୟ ବ୍ୟକ୍ତିଗତ କାମରେ ସୁକିନ୍ଦା ଯାଇଥିଲେ। ଏହି ସମୟରେ ଚୁଲି ଜାଳିବା ବେଳେ ଅସାବଧାନତାବଶତଃ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା।
ଦେଖୁଦେଖୁ ନିଆଁ ତାଙ୍କ ଶରୀରକୁ ବ୍ୟାପିବା ସହ ଚାଳ ଛପର ଘରକୁ ମଧ୍ୟ ଗ୍ରାସ କରିଥିଲା। ମହିଳାଙ୍କ ଚିତ୍କାର ଓ ଘରେ ଅଗ୍ନିକାଣ୍ଡ ଦେଖି ପଡ଼ୋଶୀ ଦୌଡ଼ି ଆସିଥିଲେ। ଗ୍ରାମବାସୀ ପାଣି ପମ୍ପ୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ସୁକିନ୍ଦା ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା।
ଅଗ୍ନିକାଣ୍ଡରେ ବନ୍ତ ବେହେରାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପରିବାର ସହ ସମଗ୍ର ଗାଁରେ ଶୋକର ବାତାବରଣ ଖେଳିଯାଇଛି।


