Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା

ଭୁବନେଶ୍ୱର : ଆସନ୍ତା କାଲି କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଓଡିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ମୁଣ୍ଡା ଆସନ୍ତା କାଲି ମଧ୍ୟାହ୍ନ ୧୨.୦୫ ରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ।

ଅପରାହ୍ନ ୪ଟାରେ ଭୁବନେଶ୍ୱରସ୍ଥିତ ହୋଟେଲ ନିୟୁ ମାରିୟନଠାରେ ଆୟୋଜିତ ହେବାକୁ ଥିବା “ବଜେଟ୍ ଆଲୋଚନା ଚକ୍ର” କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅର୍ଥନୀତିଜ୍ଞ, ସାମ୍ବାଦିକ, ସମାଜିକ କର୍ମୀ, ବ୍ୟବସାୟୀ ପ୍ରତିନିଧି ଏବଂ ସମାଜର ପ୍ରବୁଦ୍ଧ ବର୍ଗର ବୁଦ୍ଧିଜୀବୀମାନେ ଉପସ୍ଥିତ ରହିବେ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଚଳିତ ବର୍ଷ ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଅର୍ଜ୍ଜୁନ ମୁଣ୍ଡା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ। ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା। ଶ୍ରୀ ମୁଣ୍ଡା କହିଛନ୍ତି ଯେ, ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଲିହାଟୁ ଗ୍ରାମରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନକୁ ଗସ୍ତ କରିବେ ଏବଂ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ରାଷ୍ଟ୍ରପତି ସଡ଼କ ଓ ପରିବହନ ଏବଂ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ଏବଂ ଖୁଣ୍ଟି ଠାରୁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଏକଲବ୍ୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ସେ ଖୁଣ୍ଟି ଏବଂ ଆଖପାଖ ଅଞ୍ଚଳର ଟ୍ରାଇଫେଡ ଏବଂ ଏନଆରଏଲଏମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦବୋଧନ ଦେବେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ନଭେମ୍ବର ୧୫ ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହି ଅବସରରେ ଅନ୍ୟ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ।

ଅର୍ଜୁନ ମୁଣ୍ଡା କହିଥିଲେ ଯେ, ୧୫ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବ୍ୟାପକ ସଂଖ୍ୟାରେ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ କାଶ୍ମୀର ଠାରୁ କନ୍ୟାକୁମାରୀ ଏବଂ ଗୁଜରାଟ ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଗ୍ରାମ ଏବଂ ଉପାନ୍ତ ଅଞ୍ଚଳରେ ବ୍ୟାପକ ଆକାରରେ କାର୍ଯ୍ୟକ୍ରମ ଓ ସମାରୋହ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ସେ କହିଥିଲେ ଯେ, ରାଜ୍ୟ ରାଜଧାନୀଗୁଡ଼ିକରେ ଯୁବଗୋଷ୍ଠୀଙ୍କ ଦ୍ବାରା ଶୋଭାଯାତ୍ରା ଆୟୋଜନ କରାଯିବ ଏବଂ ଆଦିବାସୀ କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଶଣ କରିବେ। ସାରା ଦେଶରେ ସେମିନାର ଓ କର୍ମଶାଳା ଆୟୋଜନ କରାଯିବ; ପ୍ରବନ୍ଧ, ସଙ୍ଗୀତ, ନୃତ୍ୟ, କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ବଚ୍ଛତା ଅଭିଯାନ ଆୟୋଜନ ଲାଗି ଯୋଜନା କରାଯାଇଛି । ରାଜ୍ୟ ସରକାର ଏବଂ ରାଜ୍ୟ ଜନଜାତି ଗବେଷଣା ପ୍ରତିଷ୍ଠାନ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଶ୍ରୀ ଅର୍ଜୁନ ମୁଣ୍ଡା ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରିଥିଲେ । ରାଷ୍ଟ୍ରର ଇତିହାସ ଓ ସଂସ୍କୃତିରେ ଜନଜାତି ସମୁଦାୟର ଯୋଗଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେ କହିଥିଲେ ଯେ ଏଥର ଦ୍ବିତୀୟ ବର୍ଷ ପାଇଁ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ । ସବୁ ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ଏବଂ ଜନଜାତି କ୍ଷେତ୍ର ଓ ସମୁଦାୟର ସାମାଜିକ-ଆଥିର୍କ ବିକାଶ ପାଇଁ ହେଉଥିବା ପ୍ରୟାସକୁ ତ୍ବରାନ୍ବିତ କରିବା ଲାଗି ଏହି ଦିବସ ଆୟୋଜନ କରାଯାଉଛି ।

ଜନଜାତୀୟ ଦିବସ ସମାରୋହ ପାଳନ ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଏଥିରେ ସାମିଲ କରିବା ଲାଗି ଶ୍ରୀ ଅର୍ଜୁନ ମୁଣ୍ଡା ନିବେଦନ କରିଥିଲେ । ସେ ଆହୁରି କହିଥିଲେ ଯେ ସାରା ଦେଶରେ ୭୪୦ଟି ଇଏମଆରଏସ ସମ୍ପୂର୍ଣ୍ଣ କରିବା ଦିଗରେ ସୁଗମ ରୂପରେ କାର୍ଯ୍ୟ ଜାରି ରହିଛି ।

ଶ୍ରୀ ଅର୍ଜ୍ଜୁନ ମୁଣ୍ଡା କହିଥିଲେ ଯେ, ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉପାନ୍ତ ଅଞ୍ଚଳ, ଗ୍ରାମାଞ୍ଚଳରେ ରହୁଥିବା ଜନଜାତି ଲୋକମାନଙ୍କୁ ମୌଳିକ ସୁବିଧାସୁଯୋଗ, ନିଯୁକ୍ତି, ଶିକ୍ଷା ଆଦି ଯୋଗାଇ ଦେବା ପାଇଁ ଏକ ସଂକଳ୍ପ କରିବା ନିମନ୍ତେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି ।

ଅଧିକ ସୂଚନା ଦେଇ ସେ କହିଥିଲେ ଯେ, ଜନଜାତୀୟ ଗୌରବ ଦିବସ ୨୦୨୨ ଭଳି ବିଶେଷ ଅବସରରେ ଟ୍ରାଇଫେଡ୍‌ ପକ୍ଷରୁ ଜନଜାତୀୟ ଉତ୍ପାଦକୁ ନେଇ ଏକ ସର୍ବଭାରତୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ୧୫ରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ଇନ୍ଦୋରସ୍ଥିତ ଗ୍ରାମୀଣ ହାଟ ଠାରେ ଏକ ଆଦି ମହୋତ୍ସବ ଆୟୋଜନ କରାଯିବ । ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ବରର ଏକାମ୍ର ହାଟ ଠାରେ ଆଦି ବଜାର ଆୟୋଜନ କରାଯିବ । ସେହିପରି ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଗୌହାଟୀ ଠାରେ ଲକ୍ଷୀଧର ବୋରା କ୍ଷେତ୍ର ଦିଗାଲି ପୁଖୁରୀ ଠାରେ ଆଉ ଏକ ଆଦି ବଜାର ଆୟୋଜନ କରାଯିବ । ପୁଡୁଚେରୀ ହସ୍ତଶିଳ୍ପ ବଜାର ଠାରେ ମଧ୍ୟ ଏହି ସମୟରେ ଏକ ଆଦି ବଜାର ଆୟୋଜିତ ହେବ । ଡେରାଡୁନର ଚକ୍ରତା ରୋଡ ସ୍ଥିତ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଠାରେ ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଆଦି ବଜାର ଏବଂ କୋଲକାତାସ୍ଥିତ ଇଣ୍ଡିଆନ ମ୍ୟୁଜିୟମ ଠାରେ ୧୫ରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ଆଦି ଚିତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି ।

ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ସାରା ଦେଶର ୩୯୨ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ନଭେମ୍ବର ୧୫ ତାରିକରେ ଏକ ପ୍ରବନ୍ଧ ରଚନା ପ୍ରତିଯୋଗିତା ଏବଂ ୧୬ ତାରିଖରେ ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜିତ ହେବ । ନଭେମ୍ବର ୧୭ ତାରିଖରେ  ନୃତ୍ୟ ପ୍ରତିଯୋଗିତା, ୧୮ ତାରିଖରେ ସ୍କିଟ୍ ପ୍ରତିଯୋଗିତା, ୧୯ ତାରିଖରେ କବିତା ଓ ସଙ୍ଗୀତ ପ୍ରତିଯୋଗିତା, ୨୧ ତାରିଖରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ବିଭିନ୍ନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ସେମିନାର, ୱେବିନାର ଏବଂ ବିତର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ରେଳବାଇ, ଶିକ୍ଷା ଓ ସଂସ୍କୃତି ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତୁତି କରାଯାଇଛି । ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏସବୁ କାର୍ଯକ୍ରମରେ ଜନଜାତୀୟ ଗୌରବ ଦିବସର ମହତ୍ବ ଏବଂ ଜନଜାତିଙ୍କ ଗୌରବ ତଥା ଜନଜାତି ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ପ୍ରଚାରପ୍ରସାର କରାଯିବ ।

କାର୍ଯ୍ୟକ୍ରମର ହାଶଟ୍ୟାଗ୍‌ #JanjatiyaGauravDivas ରଖାଯାଇଛି ଏବଂ ଜନଜାତିଙ୍କ ସହ ଜଡ଼ିତ ଯୋଜନା ଏବଂ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ନିମନ୍ତେ ଏହାକୁ ଉପଯୋଗ କରାଯିବ । ଏହା ସରକାରଙ୍କ ବିକାଶମୂଳକ ପ୍ରୟାସକୁ ମଧ୍ୟ ବ୍ୟାପକ ପ୍ରଚାର କରିବ ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ତାଙ୍କର ଏହି ସରକାରୀ ଗସ୍ତ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ରବିବାର କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡିର କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହିତ ମତ ବିନିମୟ କରିଛନ୍ତି। ପକ୍କା ଘର ମିଳିବା ପରେ ସେମାନଙ୍କର ଅଭିଜ୍ଞତା, ସଶକ୍ତିକରଣ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ। ଏଠାରେ ୪୦ ପରିବାରକୁ ଆବାସ ଯୋଜନାରେ ଘର ମିଳିଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା କଲୋନୀ ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ । ହିତାଧିକାରୀମାନେ କହିଥିଲେ ଯେ, ଆବାସ ଯୋଜନାରେ ଘର ମିଳିବା ପରେ ସେମାନଙ୍କ ଜୀବନରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ସମାଜରେ ସେମାନଙ୍କୁ ଏକ ସମ୍ମାନଜନକ ସ୍ଥାନ ମିଳିଛି ବୋଲି ହିତାଧିକାରୀମାନେ ସୂଚନା ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ କେସିଙ୍ଗା ଠାରେ ସରକାରୀ ସ୍କୁଲ ପରିଦର୍ଶନ କରିଥିଲେ। ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧ ପ୍ରତିଶତ ଜନଜାତି ବର୍ଗର ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ ଏବଂ ବିଜ୍ଞାନାଗାର ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁରୂପ ଦେଶର ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଲାଗି ଯୋଜନା କରାଯାଇଛି। ଏହି କ୍ରମରେ ଭବାନୀପାଟଣା ଠାରେ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ କରାଯାଉଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଏହାର ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ୩୪ ଏକର ଜମିରେ ଟାଟା ଦ୍ବାରା ଏହି ମେଡ଼ିକାଲ କଲେଜ ନିର୍ମିତ ହେଉଛି। ମାନ୍ୟବର ମନ୍ତ୍ରୀ ଟାଟା ପ୍ରକଳ୍ପର ଅଧିକାରୀଙ୍କ ସହିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ କେନ୍ଦ୍ର ଜନଜାତି ବ୍ୟପାର ମନ୍ତ୍ରୀ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରରେ ସିକଲ ସେଲ୍‌ ରୋଗର ସ୍କ୍ରିନିଂ ହେଉଥିବା ଜାଣି କେନ୍ଦ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ଏହାପରେ ମନ୍ତ୍ରୀ ଭବାନୀପାଟଣାର ସୁକୁନାଭାଟା ଗାଁରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ସେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ମହିଳା ଗୋଷ୍ଠୀ ସୁକୁନାଭାଟାରେ ଗ୍ରାମୀଣ ପାର୍କର ରକ୍ଷଣାବେକ୍ଷଣ କରୁଛନ୍ତି। ସେମାନେ କହିଥିଲେ ଯେ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ ହୋଇଛି। ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଏବଂ ସଡ଼କ ନିର୍ମାଣ ଫଳରେ ସେମାନଙ୍କୁ ଅନେକ ସୁବିଧା ମିଳିଛି, ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆସନ୍ତାକାଲି ଶ୍ରୀ ମୁଣ୍ଡା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।