Categories
ବିଶେଷ ଖବର ରାଜ୍ୟ ଖବର

ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଲା ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ କଲେ ଶେଷ ଦର୍ଶନ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଶେଷ ବିଦାୟ ନେଇଛନ୍ତି ଓଡିଶାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ତାଙ୍କର ନୟାପଲ୍ଲୀ ବାସଭବନରେ ଆଜି ସକାଳୁ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ସମସ୍ତେ ଶେଷ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସ୍ବାନ୍ତନା ଦେବା ସହିତ ଦୁଃଖ ପ୍ରକାଶ କରିଥିଲେ। ସୂର୍ଯ୍ୟ ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଠ ବ୍ୟକ୍ତି ଭାବେ ପରିଚିତ। ସେ ନବୀନ ସରକାରରେ ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରି ତାଙ୍କର ପ୍ରଶଂସା ଭାଜନ ହୋଇପାରିଥିଲେ। ସେଥିପାଇଁ ନବୀନ ଶେଷ ବେଳକୁ ତାଙ୍କୁ ବାଚସ୍ପତି ପରି ଗୁରୁତ୍ବପୂର୍ଣ୍ଣ ପଦବୀରେ ବସାଇଥିଲେ।

ନିଜ ବାସଭବନରେ ଶେଷ ଦର୍ଶନ ପରେ ତାଙ୍କର ପାର୍ଥିବ ଶରୀରକୁ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନକୁ ଅଣାଯାଇଥିଲା। ସେଠାରେ ମଧ୍ୟ ବିଜେଡି ମନ୍ତ୍ରୀ ବିଧାୟକ ତଥା ନେତାମାନେ ଶେଷ ଦର୍ଶନ କରିଥିଲେ। ସେଠାରେ କିଛି ସମୟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ତାଙ୍କ ଶରୀରରେ ଦଳୀୟ ପତାକାକୁ ଢାଙ୍କି ଦିଆଯାଇଥିଲା। ଏହାପରେ ତାଙ୍କୁ ବିଧାନସଭା ପରିସରକୁ ନିଆଯାଇ ସେଠାରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ବିଜେଡି ନେତା ତଥା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଡ ଅଚ୍ୟୁତ ସାମନ୍ତ, ସିଦ୍ଧାନ୍ତ ମହାପାତ୍ର, ପ୍ରଣବ ବଳବନ୍ତରାୟ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିକ୍ରମକେଶରୀ ଅରୁଖ ପ୍ରମୁଖ ବହୁ ବିଜେଡି ନେତା ତାଙ୍କର ଶେଷ ଦର୍ଶନ କରିଥିଲେ।

ଗତକାଲି ସନ୍ଧ୍ୟା ୭ ଟା ୩୧ ମିନିଟରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଥିଲା। ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ବିଭିନ୍ନ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ସଂଧ୍ୟାରେ ପରଲୋକ ହୋଇଯାଇଛି।

ମୃତ୍ୟୁ ବେଳକୁ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବିଧାୟକ ଭାବେ କାର୍ଯ୍ୟ କରୁଥିଲେ। ସୂର୍ଯ୍ୟ ନାରାୟଣ ପାତ୍ର ଗଂଜାମ ଜିଲ୍ଲା ଦିଗପହଣ୍ଡି ଓ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ ୭ ଥର ବିଧାୟକ ହୋଇଥିଲେ।

ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଥିଲେ। ସେ ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଜି ତାଙ୍କର ବିୟୋଗ କେବଳ ଗଂଜାମ ଜିଲ୍ଲା ନୁହେଁ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ଦିଗପହଣ୍ଡିରେ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପରିସରରେ ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅଦେ୍ୱତ କୁମାର ପାତ୍ର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ(ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଭାରତର ପ୍ରଥମ ରାଜ୍ୟ ଭାବେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ନବଉତ୍କଳ ଗଠନ ହେଲା ପରେ ୧୯୩୭ ଅପ୍ରେଲ ୧ ତାରିଖରେ ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ବହନ କରିଥିଲେ । ପରେ ୧୯୪୧ ମସିହା ନଭେମ୍ବର ମାସଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ନାରୀଶିକ୍ଷାର ଉନ୍ନତି, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାପନା, ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନ, ଓଡ଼ିଆ ଭାଷାର ପ୍ରଚାରପ୍ରସାର, କୃଷି, ସ୍ୱାସ୍ଥ୍ୟ ଓ ଶିଳ୍ପର ବିକାଶ ପାଇଁ ବିବିଧ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ।

ସେ ନବଉତ୍କଳର ଅନ୍ୟତମ ନିର୍ମାତା ଥିଲେ ବୋଲି ବାଚସ୍ପତି ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ । ପାରଳା ମହାରାଜାଙ୍କ ତ୍ୟାଗ ଏବଂ ଓଡ଼ିଶା ପ୍ରତି ଥିବା ଭଲପାଇବା ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ନ୍ୟାୟାଳୟ, କାର୍ଯ୍ୟାଳୟ ଓ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଆନ୍ତରିକ ଭାବରେ ବ୍ୟବହୃତ ହେଲେ ହିଁ ଏ ଭାଷା ସମୃଦ୍ଧ ହେବ ଏବଂ ବରପୁତ୍ରମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତିରେ ପ୍ରେରଣାଦାୟୀ ସଂଗୀତ ପରିବେଷଣ କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କୁ ବିଧାନସଭା ପକ୍ଷରୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଚିରବିପ୍ଳବୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ବିଧାନସଭା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତାଙ୍କର ସ୍ମୃତି ପ୍ରତି ଗଭୀର ଓ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ବୀର ସୁରେନ୍ଦ୍ର ସାଏଙ୍କୁ ଏକ ଅନବଦ୍ୟ ଅନିର୍ବାଣ ଶିଖା ରୂପେ ବର୍ଣ୍ଣନା କରି ସ୍ୱାଧୀନତା ସଂଗ୍ରାମରେ ତାଙ୍କର ମହନୀୟ ଅବଦାନ ଥିବା ସ୍ମରଣ କରିଛନ୍ତି । କୃତଜ୍ଞ ଓଡ଼ିଆ ଜାତି ତାଙ୍କୁ ଚିରଦିନ ପାଇଁ ମନେ ରଖିଥିବ ବୋଲି ସେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରୁଖୁରୁରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ, ବିଧାନସଭା ନିରାପତ୍ତା ଅଧିକାରୀ ଗୋପାଳ କୃଷ୍ଣ ପ୍ରଧାନ, ବାଚସ୍ପତିଙ୍କ ମାର୍ଶାଲ ଦେବାଶିଷ ପ୍ରଧାନ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ ସନ୍ତୋଷ କୁମାର ଦାସ, ବାଚସ୍ପତିଙ୍କ ଲୋକସଂପର୍କ ଅଧିକାରୀ ଭୂଜଙ୍ଗ ରାଓ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଧାନସଭା ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକ । ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଶାଶ୍ୱତୀ ପକ୍ଷରୁ ଦେଶତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ବାଚସ୍ପତି

ଭୁବନେଶ୍ୱର: ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ବାଚସ୍ପତି ଡ. ପାତ୍ର ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ଏବଂ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ନବବର୍ଷ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେବ ବୋଲି କାମନା କରିବା ସହ ରାଜ୍ୟପାଳଙ୍କ ଶୁଭକାମନା କରିଛନ୍ତି । ବାଚସ୍ପତି ଡ. ପାତ୍ର ବିଧାନସଭାର ସମସ୍ତ ଅଧିକାରୀବୃନ୍ଦ ନବବର୍ଷ ଅବସରରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ସମସ୍ତ ଅଧିକାରୀ ବାଚସ୍ପତିଙ୍କୁ ସାକ୍ଷାତ କରି ତାଙ୍କୁ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ, କୋଟିଆକୁ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ଆଜି ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜର ସମସ୍ୟା ବାବଦରେ ଆଲୋଚନା ହୋଇଥିଲା ।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ  କ୍ରମ ଏହି ଗ୍ରାମଗୁଡ଼ିକରେ ବ୍ୟବସ୍ଥା କରାଯାଇଛି । ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ବିଦୁ୍ୟତ ଯୋଗାଣ, ପାନୀୟ ଜଳଯୋଗାଣ, ରାସନ୍‌ କାର୍ଡ ବ୍ୟବସ୍ଥା ଆଦି କରାଯାଇଛି । ସରକାରୀ ଅଧିକାରୀମାନେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରି ସେମାନଙ୍କୁ ସୁବିଧା ଯୋଗାଇ ଦେଉଛନ୍ତି ବୋଲି କୋରାପୁଟ ଜିଲ୍ଲାପାଳ ଗୃହ କମିଟିକୁ ଅବଗତ କରାଇଥିଲେ ।

ଏହି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅମର ଶତପଥୀ ଯୋଗଦେଇଥିବାବେଳେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଭୂପିନ୍ଦର ସିଂ, ମୋହନ ଚରଣ ମାଝୀ, ଡ. ନୃସିଂହ ଚରଣ ସାହୁ, ନାଉରି ନାଏକ, କେ. ନାରାୟଣ ରାଓ ପ୍ରମୁଖ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।କୋଟିଆକୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ କମିଟ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି. ଆଓ, ବିଧାନ ସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଚସ୍ପତି ଅଡ଼ିଓ ଭାଇରାଲ୍ ଘଟଣା: ଏସ୍‌ପିଙ୍କୁ ଅଭିଯୋଗ କଲେ ସାମାଜିକ କର୍ମୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିଦିନ ହେବ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡ଼ିଓ ଭାଇରାଲ ହୋଇଥିବାରୁ ଏହି ଘଟଣା ନେଇ ଗଂଜାମ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଏକ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ବାର୍ତ୍ତାଳପକୁ ଯେଉଁ ବ୍ୟକ୍ତିଙ୍କ ଫୋନ୍‌ରୁ ରେକଡ଼ିଂ ହୋଇ ଭାଇରାଲ୍ ହୋଇଛି ତା’ର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କିଛି ସାମାଜିକ କର୍ମୀ ଆଜି ଏସ୍‌ପିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ସେମାନେ ଅଭିଯୋଗ ପତ୍ରରେ ସିଧାସଳଖ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ ଦୋଷୀ ବୋଲି କହିବା ସହ ବ୍ଲକ୍ ଅଧ୍ୟକ୍ଷ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ହାସଲ କରିବା ତଥା ବାଚସ୍ପତିଙ୍କୁ ବଦନାମ କରିବା ପାଇଁ ଏହି ଚକ୍ରାନ୍ତ କରିଛନ୍ତି। ପ୍ରଥମେ ବ୍ଲକ୍ ଅଧ୍ୟକ୍ଷ ମେଳିକରି କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କୁ ବଦଳି ନକଲେ ସାମୁହିକ ଇସ୍ତଫା ଦେବୁ ବୋଲି ଲିଖିତ ପତ୍ର ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଇସ୍ତଫା ନିଷ୍ପତ୍ତିରୁ ଓହରି ଯାଇ ବାଚସ୍ପତି ଶ୍ରୀ ପାତ୍ରଙ୍କ କୌଣସି କାର୍ଯ୍ୟକ୍ରମକୁ ସମର୍ଥନ କରିବୁ ନାହିଁ କାରଣ ବାଚସ୍ପତି ଆମକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଲିଖିତ ଅଭିଯୋଗ ବିଜେଡ଼ି ସଭାପତିଙ୍କୁ ପ୍ରେରଣ କରିବା ପାଇଁ ମଧ୍ୟ ବୈଠକ ଡ଼ାକିଥିଲେ।

ତେଣୁ ଏହିଘଟଣା ଗୁଡ଼ିକ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ଏବଂ ବାଚସ୍ପତି ଦିଗପହଣ୍ଡି ନିର୍ବାଚନ ମଣ୍ଡଲୀର ବିଧାୟକ ହୋଇଥିବାରୁ ଏହାକୁ ସମାଧାନ କରିବା ପାଇଁ ବ୍ଲକ୍ ଅଧ୍ୟକ୍ଷଙ୍କୁ ବୁଝାଉଥିବାବେଳେ ବ୍ଲକ୍ ଅଧ୍ୟକ୍ଷ ନିଜର ସ୍ୱାର୍ଥ ପାଇଁ ଏହାକୁ ରେକଡ଼ିଂ କରି ଭାଇରାଲ୍ କରିଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଚସ୍ପତିଙ୍କୁ ସାକ୍ଷାତ କଲେ ଫାଶିଗୁଡ଼ା ପଞ୍ଚାୟତର ଚାଷୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଫାସିଗୁଡ଼ା ପଞ୍ଚାୟତର ୩୦ ଜଣ ଚାଷୀ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ବେଳେ ସେମାନେ ନିଜର ଅଭାବ ଅସୁବିଧା ସହିତ ନିଜ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବେ ବାଚସ୍ପତିଙ୍କୁ ଜଣାଇଥିଲେ। ସେମାନଙ୍କ ସମସ୍ୟାଗୁଡ଼ିକୁ ଯଥାଶୀଘ୍ର ସମାଧାନ ସହିତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତି ଡ. ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂପର୍କରେ ବିହିତ ପଦେକ୍ଷପ ନେବାକୁ ବାଚସ୍ପତି ଡ. ପାତ୍ର ଗଂଜାମ ଜିଲ୍ଲାର ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।