ବାଚସ୍ପତି ଅଡ଼ିଓ ଭାଇରାଲ୍ ଘଟଣା: ଏସ୍‌ପିଙ୍କୁ ଅଭିଯୋଗ କଲେ ସାମାଜିକ କର୍ମୀ

Published: Dec 9, 2020, 9:26 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିଦିନ ହେବ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡ଼ିଓ ଭାଇରାଲ ହୋଇଥିବାରୁ ଏହି ଘଟଣା ନେଇ ଗଂଜାମ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଏକ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ବାର୍ତ୍ତାଳପକୁ ଯେଉଁ ବ୍ୟକ୍ତିଙ୍କ ଫୋନ୍‌ରୁ ରେକଡ଼ିଂ ହୋଇ ଭାଇରାଲ୍ ହୋଇଛି ତା’ର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କିଛି ସାମାଜିକ କର୍ମୀ ଆଜି ଏସ୍‌ପିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ସେମାନେ ଅଭିଯୋଗ ପତ୍ରରେ ସିଧାସଳଖ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ ଦୋଷୀ ବୋଲି କହିବା ସହ ବ୍ଲକ୍ ଅଧ୍ୟକ୍ଷ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ହାସଲ କରିବା ତଥା ବାଚସ୍ପତିଙ୍କୁ ବଦନାମ କରିବା ପାଇଁ ଏହି ଚକ୍ରାନ୍ତ କରିଛନ୍ତି। ପ୍ରଥମେ ବ୍ଲକ୍ ଅଧ୍ୟକ୍ଷ ମେଳିକରି କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କୁ ବଦଳି ନକଲେ ସାମୁହିକ ଇସ୍ତଫା ଦେବୁ ବୋଲି ଲିଖିତ ପତ୍ର ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଇସ୍ତଫା ନିଷ୍ପତ୍ତିରୁ ଓହରି ଯାଇ ବାଚସ୍ପତି ଶ୍ରୀ ପାତ୍ରଙ୍କ କୌଣସି କାର୍ଯ୍ୟକ୍ରମକୁ ସମର୍ଥନ କରିବୁ ନାହିଁ କାରଣ ବାଚସ୍ପତି ଆମକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଲିଖିତ ଅଭିଯୋଗ ବିଜେଡ଼ି ସଭାପତିଙ୍କୁ ପ୍ରେରଣ କରିବା ପାଇଁ ମଧ୍ୟ ବୈଠକ ଡ଼ାକିଥିଲେ।

ତେଣୁ ଏହିଘଟଣା ଗୁଡ଼ିକ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ଏବଂ ବାଚସ୍ପତି ଦିଗପହଣ୍ଡି ନିର୍ବାଚନ ମଣ୍ଡଲୀର ବିଧାୟକ ହୋଇଥିବାରୁ ଏହାକୁ ସମାଧାନ କରିବା ପାଇଁ ବ୍ଲକ୍ ଅଧ୍ୟକ୍ଷଙ୍କୁ ବୁଝାଉଥିବାବେଳେ ବ୍ଲକ୍ ଅଧ୍ୟକ୍ଷ ନିଜର ସ୍ୱାର୍ଥ ପାଇଁ ଏହାକୁ ରେକଡ଼ିଂ କରି ଭାଇରାଲ୍ କରିଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

Related posts