Categories
ଆଜିର ଖବର ଜାତୀୟ ଖବର

ବିହାର ବିଧାନସଭା ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ନନ୍ଦ କିଶୋର ଯାଦବ

ପାଟନା: ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ବିଜେପିର ବରିଷ୍ଠ ନେତା ନନ୍ଦ କିଶୋର ଯାଦବ ଆଜି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ସଚିବାଳୟ ଏହି ସୂଚନା ଦେଇକ୍ଷ। ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସୋମବାର ଦିନ ଅବିଶ୍ୱାସପ୍ରସ୍ତାବରେ ପରାଜୟର ସମ୍ମୁଖୀନ ହେବାକୁ ଥିବା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ର ଅବଧ ବିହାରୀ ଚୌଧୁରୀଙ୍କୁ ହଟାଇବା କାରଣରୁ ଏହି ପଦବୀ ଖାଲି ପଡିଛି।

ବିଧାନସଭା ସଚିବାଳୟ ଅନୁଯାୟୀ ଗୁରୁବାର ଦିନ ବିଧାନସଭା ବାଚସ୍ପତି ପଦ ପାଇଁ ଭୋଟ୍ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

ନୀତୀଶ ସରକାର ହାସଲ କଲେ ସଂଖ୍ୟାଗରିଷ୍ଠତା, ସପକ୍ଷରେ ୧୨୯ ଭୋଟ୍, ବିରୋଧରେ ଶୂନ

ପାଟନା: ବିହାର ବିଧାନସଭାରେ ନୀତୀଶ କୁମାର ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ଫ୍ଲୋର ଟେଷ୍ଟ ପୂର୍ବରୁ ବିରୋଧୀମାନେ ୱାଲ୍କ ଆଉଟ କରିଥିଲେ। ଏହା ପରେ ମଧ୍ୟ ଶାସକ ଦଳ ବାଚସ୍ପତିଙ୍କ ଠାରୁ ଭୋଟ୍ ଦେବାକୁ ଦାବି କରିଥିଲେ। ଭୋଟ୍ ଦେବାର ଠିକ୍ ପୂର୍ବରୁ, ଚେତନ ଆନନ୍ଦଙ୍କ ସମେତ ତିନିଜଣ ଆରଜେଡି ବିଧାୟକ ପକ୍ଷ ପରିବର୍ତ୍ତନ କରି ଏନଡିଏ କ୍ୟାମ୍ପରେ ଯୋଗଦେବା ପରେ ଆରଜେଡି ମେଣ୍ଟକୁ ବଡ଼ ଝଟକା ଲାଗିଥିଲା। ଏହିପରି ଏନଡିଏ ପକ୍ଷରୁ ୧୨୯ ଭୋଟ ପଡିଥିଲା।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗ୍ରାଣ୍ଡ ଆଲାଇନ୍ସ ଛାଡି ଏନଡିଏରେ ଯୋଗ ଦେଇଥିଲେ ଏବଂ ଜାନୁଆରୀ ୨୮ ରେ ୧୨୮ ବିଧାୟକଙ୍କ ସହଯୋଗରେ ଏକ ନୂତନ ସରକାର ଗଠନ କରିଥିଲେ। ଏଥିରେ ୭୮ ଜଣ ବିଜେପି ବିଧାୟକ, ୪୫ ଜଣ ଜେଡିୟୁ ବିଧାୟକ, ଜିତନ ରାମ ମାଞ୍ଝିଙ୍କ ପାର୍ଟି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ୪ ବିଧାୟକ ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଗୋଟିଏ ପଟେ ଆଉ ୫ ଅଧିକ ଓ ଅନ୍ୟପଟେ ୬ କମ୍, ଆରଜେଡି ଓ ବିଜେପି ମଧ୍ୟରେ ଫସି ରହିଛନ୍ତି ନୀତୀଶ

ନୂଆଦିଲ୍ଲୀ: ବିଜେପିର କେନ୍ଦ୍ରୀୟ ନେତୃତ୍ୱ (ପିଏମ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା) ବ୍ୟତୀତ ନୀତୀଶ କୁମାର ଅନ୍ୟ କାହା ସହ ଯୋଗାଯୋଗରେ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ବିହାର ବିଜେପିର ବଡ଼ ବଡ଼ ନେତାଙ୍କୁ ପାଟନାରୁ ଦିଲ୍ଲୀ ଡକାଯିବା ପରେ ରାଜ୍ୟ ପ୍ରଭାରୀଙ୍କୁ ଚଣ୍ଡିଗଡ଼ରୁ ଫେରିବାକୁ ପଡ଼ିଛି। ପାଟନାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନୀତୀଶ କୁମାର ତାଙ୍କ କୋର ଟିମ୍ ସହ ବିଚାର ବିମର୍ଶ ଆରମ୍ଭ କରିଛନ୍ତି। ସେପଟେ ରାବଡି ବାସଭବନ (ଲାଲୁ ପରିବାରର ବାସଭବନ)ରେ ମଧ୍ୟ ନୀରବତା ଦେଖିବାକୁ ମିଳିଛି। କୁହାଯାଉଛି ଯେ ଯାହା କିଛି ହେବାର ଅଛି ତାହା ଜାନୁଆରୀ ୨୬ (ସାଧାରଣତନ୍ତ୍ର ଦିବସ) ପରେ ହିଁ ହେବ। କିନ୍ତୁ କିଛି ଘଟିବ। ଏଭଳି ପରିସ୍ଥିତିରେ ବିହାର ବିଧାନସଭାରେ ମିଶାଣ-ଫେଡ଼ାଣ ଏପରି ଯେ ନୀତୀଶଙ୍କ ବିନା ଲାଲୁ ଯାଦବଙ୍କ କାମ କିମ୍ବା ବିଜେପିର କାମ ହେବ ନାହିଁ।

ବିହାରରେ କ୍ଷମତା ସମୀକରଣ

ଯଦି ବିହାରରେ କ୍ଷମତା ପାଇଁ ଆସନ ସମୀକରଣକୁ ଦେଖିବା ତେବେ ନୀତୀଶଙ୍କ ବିନା ଲାଲୁ ଯାଦବ କିମ୍ବା ବିଜେପି ସରକାର ଗଠନ କରିବାକୁ ସକ୍ଷମ ନୂହଁନ୍ତି। ରାଜନୈତିକ ହଟଚମଟ ମଧ୍ୟରେ ନୀତୀଶ କୁମାର ଏକ ଭିନ୍ନ ବାଟ ଆପଣାଉଥିବା ଚର୍ଚ୍ଚା ମଧ୍ୟରେ ଲାଲୁ ଯାଦବ ସକ୍ରିୟ ଅଛନ୍ତି। କୁହାଯାଉଛି ଯେ ଆରଜେଡିର କିଛି ବିଧାୟକଙ୍କୁ ୧୨୨ର ଯାଦୁକରୀ ସଂଖ୍ୟା ଛୁଇଁବା ପାଇଁ ପ୍ରଲୋଭିତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ତେବେ ଏହି ସଂଖ୍ୟା କିଛି କମ୍ କଷ୍ଟକର ନୁହେଁ।

ବର୍ତ୍ତମାନ ପରିସ୍ଥିତି କ’ଣ?

ଯଦି ନୀତୀଶ କୁମାର ବିଜେପିରେ ଯୋଗ ଦିଅନ୍ତି ତେବେ ଗୃହରେ ବିଜେପିର ୭୭ ବିଧାୟକ ଅଛନ୍ତି। ଜେଡିୟୁ ପାଖରେ ୪୫ ଜଣ ବିଧାୟକ ଅଛନ୍ତି। ନୀତୀଶ ସରକାରଙ୍କୁ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଏହାବ୍ୟତୀତ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ୪ ଜଣ ବିଧାୟକ ଅଛନ୍ତି। ମୋଟାମୋଟିଭାବେ ବିଧାୟକଙ୍କ ସଂଖ୍ୟା ୧୨୭ ହେବାକୁ ଯାଉଛି, ଯାହା କି ସଂଖ୍ୟାଗରିଷ୍ଠତା ସଂଖ୍ୟାଠାରୁ ୫ ଜଣ ଅଧିକ।

ବିଜେପି ୭୪+ ଭିଆଇପିରୁ ୩ ଆସିବା ପରେ = ମୋଟ ୭୭
ଜେଡିୟୁ: ୪୩ + ବିଏସପି ୧ + ଏଲଜେପି ୧ = ୪୫
ସ୍ୱାଧୀନ: ୧ (ସୁମିତ ସିଂହ ବର୍ତ୍ତମାନ ନୀତୀଶ କୁମାରଙ୍କୁ ସମର୍ଥନ କରୁଛନ୍ତି)
ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା: ୪
ସମୁଦାୟ: ୧୨୭

ଯଦି ଆମେ ମହାମେଣ୍ଟ ବିଷୟରେ କହିବା ତେବେ ଆରଜେଡିର ୮୦ ବିଧାୟକ ଅଛନ୍ତି। କଂଗ୍ରେସର ୧୯ ଜଣ ବିଧାୟକ ଥିବାବେଳେ ବାମପନ୍ଥୀ ଦଳର ମୋଟ ୧୬ ଜଣ ବିଧାୟକ ଅଛନ୍ତି। ଯଦି ଆମେ ଏଆଇଏମଆଇଏମର ଜଣେ ବିଧାୟକଙ୍କୁ ମିଶାଇବୁ, ତେବେ ଏହି ସଂଖ୍ୟା ୧୧୬ରେ ପହଞ୍ଚିବ, ଯାହା ସଂଖ୍ୟାଗରିଷ୍ଠତାଠାରୁ ୬ ଜଣ କମ। ଏହା ହେଉଛି ମେଣ୍ଟ ରାସ୍ତାରେ ସବୁଠାରୁ ବଡ଼ ପ୍ରତିବନ୍ଧକ।

ଆରଜେଡି: ୭୫+ ଏଆଇଏମଆଇଏମ୍ ୪ + ବୋଚାହା ୧ = ମୋଟ ୮୦
କଂଗ୍ରେସ: ୧୯
ବାମପନ୍ଥୀ ଦଳ: ୧୬
ଏଆଇଏମଆଇଏମ: ୧
ସମୁଦାୟ: ୧୧୬

ନୀତୀଶଙ୍କ ବିନା କାମ ହେବ ନାହିଁ

ବିହାର ବିଧାନସଭାରେ ସମୁଦାୟ ସଦସ୍ୟ ସଂଖ୍ୟା ହେଉଛି ୨୪୩। ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ବିଧାୟକଙ୍କ ଆବଶ୍ୟକତା ରହିଛି। କିନ୍ତୁ ଏହି ଯାଦୁକରୀ ସଂଖ୍ୟାକୁ ଛୁଇଁବା ବିଜେପି କିମ୍ବା ଆରଜେଡି ପାଇଁ ସହଜ ନୁହେଁ। ଏଭଳି ସ୍ଥିତିରେ ନୀତୀଶ କୁମାର ଉଭୟଙ୍କ ଆଖିର ତାରା ପାଲଟିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆଠ ବିଧାୟକଙ୍କ ସମର୍ଥନ ତଲାସରେ ଲାଲୁ ଯାଦବ!

ନୂଆଦିଲ୍ଲୀ: ବିହାରରେ ଜେଡିୟୁ ଓ ଆରଜେଡି ମଧ୍ୟରେ ମତଭେଦ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶାସକ ମେଣ୍ଟ ଭାଙ୍ଗିବା ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ଆରଜେଡିକୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଲାଲୁ ଯାଦବ ଶିବିର ୧୨୨ରେ ପହଞ୍ଚିବା ପାଇଁ ବିଧାୟକଙ୍କ ସମର୍ଥନ ସଂଖ୍ୟା ଗଣନା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଜେଡିୟୁକୁ ଶାସକ ମେଣ୍ଟରୁ ବାହାର କରିବା ପରିସ୍ଥିତିରେ ଆରଜେଡିକୁ ୧୨୨ରେ ପହଞ୍ଚିବା ପାଇଁ ଆଉ ୮ ଜଣ ବିଧାୟକଙ୍କ ଆବଶ୍ୟକତା ପଡ଼ିବ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀଙ୍କ ଶିବିରର ୪ ଜଣ ବିଧାୟକ, ଏଆଇଏମଆଇଏମର ଜଣେ ବିଧାୟକ ଏବଂ ଅନ୍ୟଜଣେ ସ୍ୱାଧୀନ ବିଧାୟକ ଆରଜେଡି ସହ ହାତ ମିଳାଇପାରନ୍ତି। ଏଥି ସହିତ କ୍ଷମତାରେ ରହିବାକୁ ହେଲେ ବିହାରରେ ୧୨୨ ମ୍ୟାଜିକ ଫିଗରରେ ପହଞ୍ଚିବା ପାଇଁ ଆରଜେଡିକୁ ଆଉ ଦୁଇଜଣ ବିଧାୟକଙ୍କ ଆବଶ୍ୟକତା ପଡ଼ିବ। ବିହାରରେ ମେଣ୍ଟ ସମ୍ଭାବ୍ୟ ବିଭାଜନକୁ ଦେଖୁଥିବାବେଳେ ଏବେ ୨୪୩ ବିଧାନସଭାରେ ଆସନରୁ କିଏ କେତେ ଆସନ ପାଇଛନ୍ତି।

ଆରଜେଡି ୭୯
ବିଜେପି ୭୮
ଜେଡିୟୁ ୪୫
କଂଗ୍ରେସ ୧୯
ବାମପନ୍ଥୀ ଦଳ ୧୬
ହାମ୍ (ଏସ୍) ୪
ଏଆଇଏମଆଇଏମ ୧
ଆଇଏନଡି ୧

ବିଭିନ୍ନ ରାଜନୈତିକ ଦଳମାନେ ପାଇଥିବା ଆସନ ଦେଖିଲେ ବିହାରରେ ଆରଜେଡି, ଜେଡିୟୁ, କଂଗ୍ରେସ ଓ ବାମପନ୍ଥୀ ଦଳକୁ ନେଇ ଗଠିତ ମହାମେଣ୍ଟର ୧୫୯ ଟି ଆସନ ରହିଛି।

ଜେଡିୟୁ ଏବଂ ଆରଜେଡି ମଧ୍ୟରେ ମତଭେଦର କଳ୍ପନାଜଳ୍ପନା ଗୁରୁବାର ପୁଣିଥରେ ସାମ୍ନାକୁ ଆସିଛି ଯେତେବେଳେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏକ୍ସ (ପୂର୍ବରୁ ଟ୍ୱିଟର ନାମରେ ଜଣାଶୁଣା) ରେ ତାଙ୍କର ବର୍ତ୍ତମାନ ଡିଲିଟ ହୋଇଥିବା ପୋଷ୍ଟରେ ବଂଶବାଦ ରାଜନୀତି ଉପରେ ନୀତୀଶ କୁମାରଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ନୀତୀଶ ପୁଣିଥରେ ଶିବିର ପରିବର୍ତ୍ତନ କରି ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ସହ ଲଢ଼ିବାର ସମ୍ଭାବନା ରହିଛି।

ଇତିମଧ୍ୟରେ ବିହାର ବିଜେପି ମୁଖ୍ୟ ସମ୍ରାଟ ଚୌଧୁରୀ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ସହ ଦଳୀୟ ନେତୃତ୍ୱଙ୍କୁ ଭେଟିବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

ଜେଡିୟୁ ନେତା ଲଲନ ସିଂହ, ବିଜୟ କୁମାର ଚୌଧୁରୀ ଏବଂ ଅନ୍ୟମାନେ ନୀତୀଶ କୁମାରଙ୍କ ସହ ଏକ ବୈଠକ କରି ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆଲୋଚନା କରୁଛନ୍ତି।

ଲାଲୁ ପ୍ରସାଦ ମ୍ୟାଜିକ ନମ୍ବର ହାସଲ କରିବା ପୂର୍ବରୁ ନୀତୀଶ କୁମାର ବିହାର ବିଧାନସଭା ଭଙ୍ଗ କରିବାକୁ ବିଚାର କରିପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ବେଳେ ନିର୍ବାଚନ ପାଇଁ ତାରିଖ ଘୋଷଣା : ଅନ୍‌ଲାଇନ୍‌ରେ ହେବ ପ୍ରାର୍ଥୀପତ୍ର ଦାଖଲ

ନୂଆଦିଲ୍ଲୀ: ଭାରତରେ କରୋନାର ସ୍ଥିତି ସଙ୍ଗୀନ ଥିବା ସମୟରେ ବିହାର ସମେତ ଅନ୍ୟ ରାଜ୍ୟର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏନେଇ ଆଜି ନିର୍ବାଚନ କମିଶନର ସୁନୀଲ୍‌ ଅରେରା ତାରିଖ ଘୋଷଣା କରୁଛନ୍ତି। ଏହି ସମୟରେ କରୋନାକୁ ଦୃଷ୍ଟିରେ ନିର୍ବାଚନ କମିଶନର ନିର୍ବାଚନକୁ ନେଇ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି।  ତେବେ ତାରିଖ ଘୋଷଣା କରିବା ସହ କରୋନା କାଳକୁ ଦୃଷ୍ଟିରେ ରଖି ଭୋଟ୍‌ ଗ୍ରହଣ, ପ୍ରାର୍ଥୀପତ୍ର ଦାଖଲରେ ମଧ୍ୟ କେତେକାଂଶରେ ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣ ସମୟରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଥିବାରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି। ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଅନଲାଇନ୍‌ରେ ପ୍ରାର୍ଥୀ ପତ୍ର ଦାଖଲ କରିବେ। ସେହିପରି ଏହି ଭୋଟ୍‌ରେ ପ୍ରାୟ 6 ଲକ୍ଷ ପିପିଇ କିଟ୍‌ ବ୍ୟବହୃତ ହେବ ବୋଲଇ ସୂଚନା ରହିଛି। ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯାଇଛି। ସେହିପରି ଭୋଟ୍‌ ଗ୍ରହଣ ସମୟ ସୀମା ବି 1 ଘଣ୍ଟା ବୃଦ୍ଧି କରାଯାଇଛି। ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ। ସେହିପରି ଘର ଘର ବୁଲି  ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହିତ ଅତିବେଶୀରେ ପାଞ୍ଚଜଣଙ୍କୁ ଅନୁମତି ରହିଛି। ନିର୍ବାଚନ ପ୍ରଚାରରେ ମାତ୍ର 2ଟି ଗାଡି ବ୍ୟବହାର କରାଯିବ। ସେହିପରି ନିର୍ବାଚନରେ କରୋନା ଆକ୍ରାନ୍ତ ବି ଭୋଟ୍‌ ଦେଇପାରିବେ ବୋଲି ସୂଚନା ରହିଛି। ସବୁ ବୁ୍ଥ୍‌ରେ ରାମ୍ପ୍‌ ଟଏଲେଟ୍‌, ବିଶ୍ରାମ ସ୍ଥଳୀ ନିଶ୍ଚିତ ରହିବ। ଗୋଟିଏ ବୁଥ୍‌ରେ ସର୍ବାଧିକ 1 ହଜାର ଭୋଟର ଭୋଟ୍‌ ଦେବେ। ଭୋଟ୍‌ ଦେବା ପୂର୍ବରୁ ବୁଥ୍‌ରେ ସବୁ ଭୋଟରଙ୍କ ଥର୍ମାଲ୍‌ ସ୍କ୍ରିନିଂ ହେବ। ଦିବ୍ୟାଙ୍ଗ ସୁବିଧା ପାଇଁ ସବୁ ବୁଥ୍‌ ଗ୍ରାଉଣ୍ଡ ଫ୍ଲୋର୍‌ରେ କରାଯିବ। ସେହିପରି ସୋସିଆଲ ମିଡିଆର ଅପବ୍ୟବହାର କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲଇ ସୂଚନା ରହିଛି। (ଏଜେନ୍ସି)