କରୋନା ବେଳେ ନିର୍ବାଚନ ପାଇଁ ତାରିଖ ଘୋଷଣା : ଅନ୍‌ଲାଇନ୍‌ରେ ହେବ ପ୍ରାର୍ଥୀପତ୍ର ଦାଖଲ

Published: Sep 25, 2020, 12:56 pm IST

ନୂଆଦିଲ୍ଲୀ: ଭାରତରେ କରୋନାର ସ୍ଥିତି ସଙ୍ଗୀନ ଥିବା ସମୟରେ ବିହାର ସମେତ ଅନ୍ୟ ରାଜ୍ୟର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏନେଇ ଆଜି ନିର୍ବାଚନ କମିଶନର ସୁନୀଲ୍‌ ଅରେରା ତାରିଖ ଘୋଷଣା କରୁଛନ୍ତି। ଏହି ସମୟରେ କରୋନାକୁ ଦୃଷ୍ଟିରେ ନିର୍ବାଚନ କମିଶନର ନିର୍ବାଚନକୁ ନେଇ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି।  ତେବେ ତାରିଖ ଘୋଷଣା କରିବା ସହ କରୋନା କାଳକୁ ଦୃଷ୍ଟିରେ ରଖି ଭୋଟ୍‌ ଗ୍ରହଣ, ପ୍ରାର୍ଥୀପତ୍ର ଦାଖଲରେ ମଧ୍ୟ କେତେକାଂଶରେ ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣ ସମୟରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଥିବାରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି। ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଅନଲାଇନ୍‌ରେ ପ୍ରାର୍ଥୀ ପତ୍ର ଦାଖଲ କରିବେ। ସେହିପରି ଏହି ଭୋଟ୍‌ରେ ପ୍ରାୟ 6 ଲକ୍ଷ ପିପିଇ କିଟ୍‌ ବ୍ୟବହୃତ ହେବ ବୋଲଇ ସୂଚନା ରହିଛି। ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯାଇଛି। ସେହିପରି ଭୋଟ୍‌ ଗ୍ରହଣ ସମୟ ସୀମା ବି 1 ଘଣ୍ଟା ବୃଦ୍ଧି କରାଯାଇଛି। ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ। ସେହିପରି ଘର ଘର ବୁଲି  ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହିତ ଅତିବେଶୀରେ ପାଞ୍ଚଜଣଙ୍କୁ ଅନୁମତି ରହିଛି। ନିର୍ବାଚନ ପ୍ରଚାରରେ ମାତ୍ର 2ଟି ଗାଡି ବ୍ୟବହାର କରାଯିବ। ସେହିପରି ନିର୍ବାଚନରେ କରୋନା ଆକ୍ରାନ୍ତ ବି ଭୋଟ୍‌ ଦେଇପାରିବେ ବୋଲି ସୂଚନା ରହିଛି। ସବୁ ବୁ୍ଥ୍‌ରେ ରାମ୍ପ୍‌ ଟଏଲେଟ୍‌, ବିଶ୍ରାମ ସ୍ଥଳୀ ନିଶ୍ଚିତ ରହିବ। ଗୋଟିଏ ବୁଥ୍‌ରେ ସର୍ବାଧିକ 1 ହଜାର ଭୋଟର ଭୋଟ୍‌ ଦେବେ। ଭୋଟ୍‌ ଦେବା ପୂର୍ବରୁ ବୁଥ୍‌ରେ ସବୁ ଭୋଟରଙ୍କ ଥର୍ମାଲ୍‌ ସ୍କ୍ରିନିଂ ହେବ। ଦିବ୍ୟାଙ୍ଗ ସୁବିଧା ପାଇଁ ସବୁ ବୁଥ୍‌ ଗ୍ରାଉଣ୍ଡ ଫ୍ଲୋର୍‌ରେ କରାଯିବ। ସେହିପରି ସୋସିଆଲ ମିଡିଆର ଅପବ୍ୟବହାର କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲଇ ସୂଚନା ରହିଛି। (ଏଜେନ୍ସି)

Related posts