Categories
ଆଞ୍ଚଳିକ

ବାଲୁଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଏବଂ ରାଜ୍ୟ ବିଜୁଜନତା ଦଳ ନିର୍ଦ୍ଦେଶରେ ଅକ୍ଟୋବର ୨ ତାରିଖରୁ ୧୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଜାରି ରହିଥିବାବେଳେ ବୁଧବାର ପୂର୍ବାହ୍ନରେ ବାଲୁଗାଁ ଏନଏସିରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ନେତୃତ୍ୱରେ ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରାଇଥିଲେ।ଉକ୍ତ ପଦଯାତ୍ରାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ୬ନଂ ଜୋନ ପରିଷଦ ସଦସ୍ୟା ସବିତା ସୁନ୍ଦରାୟ,ଚିଲିକା ବ୍ଲକ ସଭାପତି ଅମ୍ରିତା ବେହେରା,ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ,ରାଜ୍ୟ ସାଧାରଣ ସମ୍ପାଦକ କୁମାର ଜଗତ ବଲହବ ମହାରଥା, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ,ସନ୍ତୋଷ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନା କିପରି ପ୍ରତ୍ୟେକ ଘରେ ଘରେ ପହଞ୍ଚିବ ପଦଯାତ୍ରାର ମୂଳମନ୍ତ୍ର ରହିଥିବା ବେଳେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ତୃଣମୂଳ ସ୍ତରରୁ ସମସ୍ତ କର୍ମୀ ନେତା ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ।ଏହି ପଦଯାତ୍ରା ମା ଉତ୍ତରାୟଣୀ ମନ୍ଦିର ନିକଟରୁ ବାହାରି ଗାନ୍ଧିଛକ ଠାରେ ଅବସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବଜାର ପରିକ୍ରମା କରି ଉମାମହେଶ୍ୱର ମନ୍ଦିର ନିକଟରେ ସମାପ୍ତି ହୋଇଥିଲା। ଜନସମ୍ପର୍କ ପଦଯାତ୍ରାରେ ଏନଏସି ସମେତ ୬ନଂ ଜୋନ ସ୍ତରରୁ ୫ଟି ପଞ୍ଚୟତରୁ ହଜାର ହଜାର ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆକ୍ସନ ମୁଡରେ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ କଲେ ତୀବ୍ର ସମାଲୋଚନା

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ଆକ୍ସନ ମୁଡରେ ଅଛନ୍ତି। କାରଣ ସେ ପ୍ରଥମେ ବିଧାନସଭାରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ। ଏବେ ସେ ସାଧାରଣ ସଭାରେ ମଧ୍ୟ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନବୀନ ଯେପରି କଥା କହିଛନ୍ତି ତାହା ସମାଲୋଚନା ନୁହେଁ ବରଂ ଗାଳି କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ବିଜେଡିର ଜନସଂପର୍କ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ନବୀନ ଯୋଗଦେଇ ବିରୋଧୀଙ୍କୁ ବିକାଶରେ ବାଧକ ସାଜିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ ରାଜ୍ୟର ବିକାଶ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ପାଇଁ ଚକ୍ରାନ୍ତ କରୁଛନ୍ତି। ସେମାନେ ଲିଙ୍ଗରାଜ ମନ୍ଦିର ବିକାଶରେ ବାଧା ସୃଷ୍ଟି କଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମଧ୍ୟ ବାଧକ ସାଜିଲେ। ହେଲେ ସେଥିରେ ସେମାନେ ବାଧା ଦେବାରେ ସକ୍ଷମ ହେଲେ ନାହିଁ। ଅନ୍ୟପକ୍ଷରେ ଲୋକେ ତାଙ୍କୁ ଭଲ ଭାବରେ ଚିହ୍ନିଲେ।

ସେତିକି ନୁହେଁ ନବୀନ କହିଥିଲେ ଯେ, ଲୋକଙ୍କୁ ଭୁଲ ଖବର ଦେବା କାର୍ଯ୍ୟ କରୁଛନ୍ତି ବିରୋଧୀ ଦଳ। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି। ନିର୍ବାଚନ ଆସିଲେ ସେମାନେ ଲୋକଙ୍କୁ ଏପରି ଭ୍ରମିତ ଖବର ଦେଇ ଭୋଟ ହାତେଇବା ପାଇଁ ଚେଷ୍ଠା କରୁଛନ୍ତି। ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହିଁନ୍ତି। ସେମାନଙ୍କୁ ଲୋକେ ସିଧା ପ୍ରତ୍ୟାଖାନ କରୁଛନ୍ତି ବୋଲି ଜନସଭାକୁ ଉଦବୋଧନ ଦେଇ ନବୀନ କହିଥିଲେ।

ବିରୋଧୀ ଦଳ ହେଉଛନ୍ତି ରାଜ୍ୟ ବିକାଶର ବିରୋଧୀ ଏବଂ ଜନ ବିରୋଧୀ। ସେଥିପାଇଁ ସେମାନଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି। ଓଡିଶାର ଯେପରି ବିକାଶ ହେଉଛି ସେଥିରେ ବିରୋଧୀ ଖୁସି ନାହାଁନ୍ତି ବୋଲି ନବୀନ କହିଛନ୍ତି। ଏହିପରି ଜନ ବିରୋଧୀ କାର୍ଯ୍ୟ କଲେ ସେମାନେ କେବେ ବି କ୍ଷମତାକୁ ଆସିପାରିବେ ନାହିଁ। ଏପରିକି ଲୋକେ ସେମାନଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି ନବୀନ କହିଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ନବୀନ କହିଥିଲେ ଯେ, ଗାନ୍ଧୀଙ୍କ ନିତି ଆମ ପାଇଁ ପ୍ରେରଣା ଦାୟକ। ବିଜେଡି ସବୁବେଳେ ଅନୁସୂଚିତ ଜାତି ଓ ଜନଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ବିଜେଡି ସବୁବେଳେ ମହିଳାଙ୍କ ଉନ୍ନତି କରିବାକୁ ଚେଷ୍ଠା କରୁଛି। ମହିଳା ସଂରକ୍ଷଣ ବିଲ ଏହାର ଏକ ବଡ ଉଦାହରଣ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବଡ ଗେମ ଚେଞ୍ଜର। ଏସବୁ ବାର୍ତ୍ତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

ଆଜି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଭୁବନେଶ୍ବରର ବରଗଡର ୱାର୍ଡ ନମ୍ବର ୫୭ ର ନେତାଜୀ ପଡିଆରୁ ଏହି ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏଥିରେ ନବୀନ ପଟ୍ଟନାୟକ ଯୋଗ ଦେଇ କର୍ମିମାନଙ୍କୁ ଲୋକଙ୍କ ସହିତ ରହିବାକୁ ଆହ୍ବାନ ଦେଇଛନ୍ତି।

ଏହି ପଦଯାତ୍ରାରେ ବିଜେଡି ସାଂସଦ ଅମର ପଟ୍ଟନାୟକ, ଦେବୀ ମିଶ୍ର, ସୁଲତା ଦେଓ, ସୁଲୋଚନା ଦାସ, ଅଶୋକ ପଣ୍ଡା, ଅନନ୍ତନାରାୟଣ ଜେନା, ଶ୍ରୀମୟୀ ମିଶ୍ର, ଡ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବହୁ ନେତା ଯୋଗ ଦେଇଥିଲେ।

Categories
ବିଶେଷ ଖବର

ଓଡ଼ିଶା ବିଜେପି ନେତାଙ୍କ ଅପାରଗତା ବିରୋଧରେ ବର୍ଷିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାରେ ବିଜେପି ନେତାମାନେ ଜନସଂପର୍କ ଯାତ୍ରା ମାଧ୍ୟମରେ ସଫଳତାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବତା ହେଲା, ଓଡ଼ିଶା ବିଜେପି ୯ ବର୍ଷ ହେଲା ଓଡ଼ିଶାବାସୀଙ୍କୁ କେବଳ ପ୍ରତାରଣା, ଅବହେଳା ଓ ବିଶ୍ୱାସଘାତ କରି ଆସୁଛି। ଓଡ଼ିଶାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିବା ରାଜ୍ୟ ବିଜେପି ନେତାମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି। ମାଟି ପାଇଁ ପାଟି ନ ଖୋଲି କେବଳ ନିଜ ପାର୍ଟିର ସ୍ୱାର୍ଥ କଥା ଭାବୁଛନ୍ତି ଏବଂ ମିଛ ସଫଳତାର କାହାଣୀ ଗପି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏଭଳି ଗୁରୁତର ଅଭିଯୋଗ ଆଣି ଓଡ଼ିଶା ବିଜେପି ନେତାମାନଙ୍କ ବିରୋଧରେ ଖୁବ୍ ବର୍ଷିଛି ବିଜେଡି।

ଓଡ଼ିଶାବାସୀଙ୍କ ପ୍ରତି କେନ୍ଦ୍ରର ବିଜେପି ସରକାରଙ୍କ ପ୍ରତାରଣାର ଏକ ଉଦାହରଣ ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ଏବଂ ରାଜଧାନୀ ସହ ଯୋଡ଼ୁଥିବା କଟକ-ସମ୍ୱଲପୁର ଜାତୀୟ ରାଜପଥ-୫୫ ଉପରେ ଦେଢ଼ କୋଟିରୁ ଅଧିକ ଲୋକ ନିର୍ଭର କରନ୍ତି । ପଶ୍ଚିମ ଓଡ଼ିଶାର ଜୀବନରେଖା କୁହାଯାଉଥିବା ଏହି ଏନ୍‌ଏଚ୍‌-୫୫ର ସଂପ୍ରସାରଣ କାର୍ଯ୍ୟ ୨୦୧୭ରେ ଆରମ୍ଭ ହୋଇ ତିନି ବର୍ଷ ମଧ୍ୟରେ ଶେଷ ହେବାର ଥିଲା। ମାତ୍ର ୬ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହି କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି। ୨୬୩ କିମି ରାସ୍ତାର ଚାରିଥାକିଆ ସଂପ୍ରସାରଣ ପାଇଁ ପ୍ରଥମେ ୨୩୬୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତାହା ଏବେ ପ୍ରାୟ ଦୁଇ ଗୁଣ ବଢ଼ି ୪୪୮୨ କୋଟି ଟଙ୍କାରେ ପହଞ୍ଚିଲାଣି। କାମ ଶେଷ କରିବାକୁ ତିନିଥର ଡେଡ୍ ଲାଇନ୍ ଦିଆଯିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ସାରି ପାରୁନାହାନ୍ତି ଏନ୍‌ଏଚ୍ କର୍ତ୍ତୃପକ୍ଷ।

ଏନ୍‌ଏଚ୍‌-୫୫କୁ ଦେଶର ସର୍ବାଧିକ ବିପଦଜନକ ଜାତୀୟ ରାଜପଥ ବୋଲି ଅଭିହିତ କରି ଶ୍ରୀ ଦାସ କହିଲେ ଯେ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା ହୋଇ ପଡ଼ିଥିବାରୁ ଏବଂ ଏକାଧିକ ବ୍ରିଜ୍ ଅଧପନ୍ତରିଆ କରି ଛାଡ଼ି ଦିଆଯାଇଥିବାରୁ ଏହି ଜାତୀୟ ରାଜପଥ ପ୍ରତି ମୁହୂର୍ତ୍ତରେ ମୃତ୍ୟୁକୁ ଆମନ୍ତ୍ରଣ ଜଣାଉଛି। ମୃତ୍ୟୁଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥରେ ୨୦୧୬ରୁ ୨୦୨୨ ଅର୍ଥାତ ଗତ ୬ ବର୍ଷ ମଧ୍ୟରେ ୧୩୧୫ଟି ଦୁର୍ଘଟଣା ଘଟି ୬୦୩ ଜଣକ ଜୀବନ ଯାଇଛି। ସେଥିରୁ ଶେଷ ୨ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଦୁର୍ଘଟଣା ଘଟି ପ୍ରାୟ ୨୦୦ ମୁଣ୍ଡ ଗଡ଼ିଲାଣି। ତଥାପି ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଏବଂ ଓଡ଼ିଶାରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ବିଜେପି ନେତାମାନେ ଏଥିପାଇଁ କେନ୍ଦ୍ର ଆଗରେ ପାଟି ଫିଟାଉ ନାହାନ୍ତି। ସାଇଲେଣ୍ଟ୍ କିଲର୍ ପାଲଟିଥିବା ଏହି ଏନ୍‌ଏଚ୍ ପାଇଁ ସତେ ଯେମିତି ଓଡ଼ିଶା ବିଜେପି ନେତାମାନେ ସାଇଲେଣ୍ଟ ପାଲଟି ଯାଇଛନ୍ତି। ଏଭଳି ଓଡ଼ିଶାବିରୋଧୀ ମନୋଭାବ ଥିବା କାରଣରୁ ରାଜ୍ୟବାସୀ ଓଡ଼ିଶା ବିଜେପି ନେତାମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡିର ଅନ୍ୟତମ ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଓଡ଼ିଶା ବିଜେପିର ପ୍ରତାରଣାର ଆଉ ଏକ ନମୁନା ବିଷୟରେ ଉଲ୍ଲେଖ କରି କହିଲେ ଯେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେବଗଡ଼ରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ ବିଜେପିର ବଡ଼ ବଡ଼ ନେତାମାନେ ଉଦ୍‌ବୋଧନ ଦେଇ ଦେବଗଡ଼ବାସୀଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ। କେନ୍ଦ୍ରରେ ବିଜେପି ସରକାରକୁ ଆସିଲେ ଦେବଗଡ଼ରେ ଫୁଡ୍ ପ୍ରସେସିଂ ଉଦ୍ୟୋଗର କ୍ଲଷ୍ଟର କରାଯିବ, ଚାଷୀମାନେ କାରଖାନାର ମାଲିକ ହେବେ, ଦୁଇବର୍ଷ ଭିତରେ ଅଗ୍ରାଧିକାର ଭିତ୍ତିରେ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ୨ ବର୍ଷ ମଧ୍ୟରେ ଶେଷ ହେବ, ନୀତିଶ ଗଙ୍ଗଦେବ ଏମ୍‌ପି ହେଲେ ଦିଲ୍ଲୀରୁ ଟଙ୍କା ଆଣି ଦେବଗଡ଼ର ବିକାଶ କରିବେ, ଦେବଗଡ଼କୁ ରାଜ୍ୟର ୧ ନମ୍ୱର ଜିଲ୍ଲାରେ ପରିଣତ କରାଯିବ ବୋଲି ଏହି ବିଜେପି ନେତାମାନେ ଦେଇଥିବା ଗୋଟିଏ ବି ପ୍ରତିଶୃତି ଏଯାଏଁ ପୂରଣ ହୋଇନି। ତେଣୁ ଓଡ଼ିଶା ବିଜେପିର ନେତାମାନେ କିପରି ମନଗଢ଼ା କାହାଣୀ ଶୁଣାଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି ଏବଂ ବାରମ୍ୱାର ପ୍ରତାରଣା କରୁଛନ୍ତି, ତାହା ଏଥିରୁ ଜଳଜଳ ଦିଶିଯାଉଛି। ଏହି କାରଣରୁ ଓଡ଼ିଶାର ସ୍ୱାର୍ଥରକ୍ଷା ବଦଳରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାମ କରୁଥିବା ଓଡ଼ିଶା ବିଜେପି ନେତାମାନଙ୍କୁ ସଚେତନ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି ଡ. ମାଝୀ ସୂଚନା ଦେଇଥିଲେ।