ବାଲୁଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

Published: Oct 11, 2023, 6:43 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଏବଂ ରାଜ୍ୟ ବିଜୁଜନତା ଦଳ ନିର୍ଦ୍ଦେଶରେ ଅକ୍ଟୋବର ୨ ତାରିଖରୁ ୧୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଜାରି ରହିଥିବାବେଳେ ବୁଧବାର ପୂର୍ବାହ୍ନରେ ବାଲୁଗାଁ ଏନଏସିରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ନେତୃତ୍ୱରେ ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରାଇଥିଲେ।ଉକ୍ତ ପଦଯାତ୍ରାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ୬ନଂ ଜୋନ ପରିଷଦ ସଦସ୍ୟା ସବିତା ସୁନ୍ଦରାୟ,ଚିଲିକା ବ୍ଲକ ସଭାପତି ଅମ୍ରିତା ବେହେରା,ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ,ରାଜ୍ୟ ସାଧାରଣ ସମ୍ପାଦକ କୁମାର ଜଗତ ବଲହବ ମହାରଥା, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ,ସନ୍ତୋଷ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନା କିପରି ପ୍ରତ୍ୟେକ ଘରେ ଘରେ ପହଞ୍ଚିବ ପଦଯାତ୍ରାର ମୂଳମନ୍ତ୍ର ରହିଥିବା ବେଳେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ତୃଣମୂଳ ସ୍ତରରୁ ସମସ୍ତ କର୍ମୀ ନେତା ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ।ଏହି ପଦଯାତ୍ରା ମା ଉତ୍ତରାୟଣୀ ମନ୍ଦିର ନିକଟରୁ ବାହାରି ଗାନ୍ଧିଛକ ଠାରେ ଅବସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବଜାର ପରିକ୍ରମା କରି ଉମାମହେଶ୍ୱର ମନ୍ଦିର ନିକଟରେ ସମାପ୍ତି ହୋଇଥିଲା। ଜନସମ୍ପର୍କ ପଦଯାତ୍ରାରେ ଏନଏସି ସମେତ ୬ନଂ ଜୋନ ସ୍ତରରୁ ୫ଟି ପଞ୍ଚୟତରୁ ହଜାର ହଜାର ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ।

Related posts