Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଖ୍ୟାତ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ।

ଆହୁରି କହିଛନ୍ତି ଯେ, ଭାରତରେ ସବୁଜ ବିପ୍ଳବର ପିତା ଭାବରେ ଜଣାଶୁଣା ଡ ସ୍ବାମୀନାଥନ୍ ଭାରତର କୃଷି କ୍ଷେତ୍ରକୁ ବୈପ୍ଳବିକ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ କୃଷକଙ୍କ ଅବସ୍ଥାରେ ସୁଧାର ଆଣିଥିଲେ। ସେ ସାରା ଜୀବନ ଟେକ୍ନୋଲୋଜି ମାଧ୍ୟମରେ କୃଷକଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ ଏବଂ କୃଷକମାନଙ୍କ ପାଇଁ ଉପଯୁକ୍ତ ନୀତି ପାଇଁ ମଧ୍ୟ ଉଦ୍ୟମ କରିଥିଲେ।

ଓଡିଶା ସହିତ ତାଙ୍କର ସମ୍ପର୍କକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଓଡିଶାରେ ତାଙ୍କର ପ୍ରଥମ ଗବେଷଣା ଆରମ୍ଭ କରିଥିଲେ। ରାଜ୍ୟର କୃଷକମାନଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବା ପାଇଁ ସେ ସର୍ବଦା ଚେଷ୍ଠିତ ଥିଲେ। ଓଡିଶାର ଆଦିବାସୀ ଅଞ୍ଚଳରେ ଚାଷ କାର୍ଯ୍ୟରେ ଉନ୍ନତି ଆଣିବାରେ ତାଙ୍କର ଭୂମିକା ପ୍ରଶଂସନୀୟ। ତାଙ୍କ ମୃତ୍ୟୁ କୃଷି ବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା।

ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ନବୀନ ଦେଲେ ଭୂମି ଅଧିକାର

ଭୁବନେଶ୍ବର: ଆପଣମାନେ ଖୁସି ତ? ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନରେ ଆନନ୍ଦ, ଉଲ୍ଲାସ, କରତାଳି ଓ ହୁଳହୁଳିରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ।

ଗରିବ ଲୋକଙ୍କ ପାଇଁ ଆଜି ଏକ ଐତିହାସିକ ଦିବସ। ଯେଉଁମାନେ ସହରର ଗଳି କନ୍ଦିରେ ବର୍ଷ ବର୍ଷ ଧରି ରହି ଏହାର ବିକାଶରେ, ଲୋକଙ୍କ ସେବାରେ ନିଜ ଜୀବନ ବିତାଇ ଆସିଛନ୍ତି, ସେ ସହରରେ ସେମାନଙ୍କର ନଥିଲା ନିଜର ବୋଲି କହିବାକୁ ଖଣ୍ଡେ ଜାଗା ବା ଘର। ନା ଥିଲା ଅଧିକାର, ନା ସମ୍ମାନ। ଆଜି ଠାରୁ ଏସବୁ ଇତିହାସ। ୫ଟି ମହାନଗରର ଗରିବ ବସ୍ତି ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର।

ଜାଗା ମିଶନରେ ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର। ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଜାରି ରହିବ ଏ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗରିବ ଲୋକଙ୍କୁ ଦେଇଛନ୍ତି ସେମାନଙ୍କର ହକ୍, ସେମାନଙ୍କର ଅଧିକାର। ରାଜ୍ୟରେ ଆଉ ରହିବନି ବସ୍ତି। ସବୁ ବସ୍ତି ହେବ ଆଦର୍ଶ କଲୋନୀ, ବିଜୁ ଆଦର୍ଶ କଲୋନୀ।

ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲା- ୫ଟି ମହାନଗର ନିଗମର ୬୫ ହଜାର ଗରିବ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାଗା ସହ ଘର କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ। ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ। ସହରର ସବୁ ଗରିବ ପରିବାରଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଜାଗା ମିଶନ କାର୍ଯ୍ୟକ୍ରମରେ ସହରର ବସ୍ତି ଗୁଡିକରେ ରହୁଥିବା ଗରିବ ପରିବାର ଗୁଡିକୁ ଭୂମି ଅଧିକାର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ହଜାରରୁ ଅଧିକ ପରିବାରକୁ ଭୂମି ଅଧିକାର ମିଳିଛି। ଆଜିର କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଲା।

ଏହା ସହିତ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆ ଯାଇଛି। ବସ୍ତିମୁକ୍ତ ଓଡିଶା ଗଠନ ଉଦ୍ଦେଶ୍ୟ ନେଇ ଏହି ସବୁ ବସ୍ତି ଗୁଡିକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଦିଆଯାଇ ଏସବକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସହର କେବଳ ଧନୀ ଲୋକଙ୍କର ନୁହଁ। ଗରିବ ଲୋକର ମଧ୍ୟ ସ୍ବାଭିମାନ ସହ ସହରରେ ବଞ୍ଚିବାର ଅଧିକାର ରହିଛି। ସହରର ନିର୍ମାଣରେ ବ୍ୟବହୃତ ପ୍ରତିଟି ଇଟାରେ ଗରିବ ଲୋକର ପରିଶ୍ରମ ଯୋଡି ହୋଇ ରହିଛି। ସେମାନଙ୍କ ଅବଦାନକୁ ଆମେ ସମସ୍ତେ ସମ୍ମାନ ଜଣାଇବା ଉଚିତ। ଜାଗା ମିଶନ ଗରିବ ଲୋକକୁ ସମ୍ମାନ ଦେଇଛି, ନୂଆ ପରିଚୟ ଦେଇଛି।

ଆମର ଏ କାର୍ଯ୍ୟକ୍ରମ କେବଳ ଓଡିଶା ନୁହେଁ, ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ବିକାଶର ସୁଫଳରେ ଗରିବ ଲୋକର ପ୍ରଥମ ଅଧିକାର ରହିଛି। ସହରର ରୂପାନ୍ତରରେ ଜାଗା ମିଶନ ନୂଆ ଯୁଗ ଆରମ୍ଭ କରିଛି ବୋଲି ମତ ଦେଇଥିଲେ।

ଜାଗା ମିଶନର ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବରୁ ମୁଖ୍ୟମନ୍ତ୍ରୀ ଏହାକୁ ଧନ୍ୟବାଦ ଦେବା ସହିତ ଟାଟା ଷ୍ଟିଲକୁ ସମ୍ବର୍ଦ୍ଧିତ କରିଥିଲେ।

ଲୋକଙ୍କ ଜୀବନରେ ରୂପାନ୍ତର ଆଣିବା ପାଇଁ ଆମର ଉଦ୍ୟମକୁ 5T ଉପକ୍ରମ ତ୍ୱରାନ୍ୱିତ କରିଛି। ଜାଗା ମିଶନ ଏହାର ଏକ ପ୍ରକୃଷ୍ଠ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କୁ ସାଥିରେ ନେଇ ଆମେ ଆଗକୁ ବଢୁଛୁ। ଏକ ନୂଆ ଓଡିଶା, ସଶକ୍ତ ଓଡିଶା, ରୂପାନ୍ତରିତ ଓଡିଶା ଗଢିବା ଆମର ଲକ୍ଷ୍ୟ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହି ଲକ୍ଷ୍ୟ ପୂରଣ ଦିଗରେ ଆଜିର କାର୍ଯ୍ୟକ୍ରମ ଏକ ମାଇଲଷ୍ଟୋନ ହୋଇ ରହିବ।

ଏହି କାର୍ଯ୍ୟକ୍ରମରେ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇଥିବା ୧୦୧୦ଟି କଲୋନୀ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। କଟକ ମହାନଗର ନିଗମ, ଖୋର୍ଧା, କୋରାପୁଟ ଓ ଯାଜପୁର ପୌରାଞ୍ଚଳକୁ ବିଜୁ ଆଦର୍ଶ କଲୋନୀ ନିର୍ମାଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ପୌରାଞ୍ଚଳକୁ ସମ୍ମାନିତ କରିଥିଲେ।

ସେହିପରି ଯେଉଁଠାରେ ଆଇନଗତ କାରଣରୁ ବସ୍ତି ଲୋକଙ୍କୁ ନିଜେ ରହୁଥିବା ସ୍ଥାନରେ ଜାଗା ଦିଆଯିବା ସମ୍ଭବ ନୁହେଁର, ସେଠାରେ ସମସ୍ତଙ୍କ ସହମତିରେ ନିକଟସ୍ଥ ସ୍ଥାନରେ ଜାଗ ଦିଆଯାଇ ନୂଆ କଲୋନୀ ସ୍ଥାପନ କରାଯାଉଛି। ନୂଆ କଲୋନୀ ସ୍ଥାପନରେ ଚିକିଟି, ବୌଦ୍ଧ, ଢେଙ୍କାନାଳ ଓ କେଶିଙ୍ଗା ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ଜଙ୍ଗଲ, ଜମିରେ ଘର କରିଥିବା ଗରିବ ଲୋକଙ୍କୁ ଜଙ୍ଗଲ ଅଧିକାର ଆଇନର ପ୍ରୟୋଗରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ସାରା ଦେଶରେ ପ୍ରଥମ ସ୍ଥାନ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ରାଜ୍ୟର ଜାଗା ମିଶନ କାର୍ଯ୍ୟକ୍ରମ UN-World Habitat Award 2023 ପାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଜାଗା ମିଶନ ଟିମକୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀମତି ଉଷା ଦେବୀ ନିଜର ଅଭିଭାଷଣ ରଖି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମ ଯୋଗୁ ରାଜ୍ୟର ଗରିବ ଲୋକମାନଙ୍କ ମୁହଁରେ ଆଜି ହସ ଫୁଟିଛି। ସେମାନେ ଆଜି ନିଜର ଅଧିକାର ପାଇଛନ୍ତି ଓ ଆଗକୁ ବଢିବାର ସୁଯୋଗ ପାଇଛନ୍ତି।

କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ପରିଚାଳନା ନିର୍ଦ୍ଦେଶକ କହିଥିଲେ ଯେ, ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ସରକାରଙ୍କୁ ସହଯୋଗ ଯୋଗାଇଦେବା ପାଇଁ ଟାଟା ଷ୍ଟିଲ ସବୁବେଳେ ପ୍ରସ୍ତୁତ। ଏପରି ଏକ କାର୍ଯ୍ୟକ୍ରମ ଟାଟା ଷ୍ଟିଲ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ହୋଇଥିଲେ ମଧ୍ୟ ଏହି ଦାୟିତ୍ୱକୁ ଆମେ ଠିକ୍ ଭାବେ ତୁଲାଇଛୁ । ଆଗକୁ ମଧ୍ୟ ଏହିପରି ସହଯୋଗ ଜାରି ରହିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ଜେନା, ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥଭାତନନ୍ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଜାଗା ମିଶନର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ନବୀନ ପଟ୍ଟନାୟକ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଚାଲିଲା ରାଜନୈତିକ ବୟାନବାଜି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହୋଇଛନ୍ତି। ଆଗରୁ ବାରମ୍ବାର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଲୋକପ୍ରିୟ ବୋଲି ପ୍ରମାଣିତ ହୋଇଆସିଛନ୍ତି। ହେଲେ ଏଥର ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ହୋଇଥିବା ସର୍ଭେରେ ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଏଥିରେ ମୁଡ ଅଫ ଦି ନେସନ ସର୍ଭେ ରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଏହି ପ୍ରଶଂସା ହାସଲ କରିଛନ୍ତି।

ସର୍ଭେ ଅନୁସାରେ ନବୀନ ହେଉଛନ୍ତି ରାଜ୍ୟରେ ବେଶ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ରାଜ୍ୟର ସବୁଠାରୁ ଲୋକପ୍ରିୟ କିଏ ବୋଲି ପ୍ରଶ୍ନ ପଚାରା ଯାଇଥିଲା। ସମସ୍ତ ରିପୋର୍ଟ ଅନୁଧ୍ୟାନ ପରେ ଜଣାପଡିଥିଲା ଯେ, ଓଡିଶାରେ ସବୁଠାରୁ ଲୋକ ପ୍ରିୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିରେ ମୋଟ ୩୭୬୦ ଲୋକଙ୍କର ମତ ନିଆଯାଇଥିଲା। ସେଥିମଧ୍ୟରୁ ମୋଟ ୬୧.୩ ପ୍ରତିଶତ ଲୋକ ନବୀନ ଶ୍ରେଷ୍ଠ ଲୋକପ୍ରିୟ ବୋଲି ମତ ପ୍ରକାଶ କରିଥିଲେ। ଲୋକପ୍ରିୟତା ଆଧାରରେ ନବୀନ ଛତିଶଗଡ, ଦିଲ୍ଲୀ, ଗୁଜୁରାଟ ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ପଛରେ ପକାଇ ନିଜକୁ ଶ୍ରେଷ୍ଠ ଭାବେ ପ୍ରମାଣିତ କରିପାରିଛନ୍ତି।

ମୁଡ ଅଫ ଦି ନେସନ ସର୍ଭେ ଅନୁସାରେ ପ୍ରଥମ ସ୍ଥାନରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଥିବା ବେଳେ ଦ୍ବିତୀୟରେ ରହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା। ଛତିଶଗଡରେ ମୋଟ ୬୭୦୩ ଟି ସାମ୍ପୁଲ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ସେ ମୋଟ ୫୯.୧ ପ୍ରତିଶତ ସମର୍ଥନ ହାସଲ କରି ବାଘେଲା ଦ୍ବିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି।

ସେହିପରି ତୃତୀୟରେ ରହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ କେଜ୍ରିୱାଲଙ୍କୁ ୫୭.୭ ପ୍ରତିଶତ ଲୋକେ ସମର୍ଥନ ଦେଇଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ରହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ପଞ୍ଚମରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। ଏମାନେ ସମସ୍ତେ ନିଜନିଜ ରାଜ୍ୟରେ ଲୋକପ୍ରିୟ ଭାବେ ପରିଗଣିତ ହୋଇଛନ୍ତି।

ତେବେ ଦେଶରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଅନ୍ୟସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଏହି ଶ୍ରେଷ୍ଠତ୍ବ ହାସଲ କରିଛନ୍ତି। ସର୍ଭେ ଅନୁସାରେ ଦେଶରେ ମୋଟ ୧୩୪୪୮୭ ଜଣଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ତାଙ୍କୁ ଦେଶର ୪୩ ପ୍ରତିଶତ ଲୋକେ ସମର୍ଥନ କରିଥିଲେ। ସେହିପରି ଦେଶର ଦ୍ବିତୀୟ ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ। ତାଙ୍କ ସପକ୍ଷରେ ୧୯ ପ୍ରତିଶତ ଲୋକେ ମତଦାନ କରିଛନ୍ତି।

ଏହି ସର୍ଭେ ରିପୋର୍ଟ ନେଇ ସାରା ଦେଶରେ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି। ଓଡିଶାରେ ମଧ୍ୟ କଂଗ୍ରେସ ଏହାକୁ ସମାଲୋଚନା କରିଛି। ନବୀନଙ୍କ ଏହି ଲୋକପ୍ରିୟତା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିତ୍ରକୋଣ୍ଡା ବ୍ଲକ୍‌ରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ୧୦୧ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଟେଲିଯୋଗାଯୋଗ ଆଦି ଅନେକ ମୌଳିକ ସେବା ସୁବିଧାରେ ଉପଲବ୍‌ଧ ହେଉଛି।

ରୂପାନ୍ତର ପ୍ରକ୍ରିୟାରେ ସ୍ବାଭିମାନ ଅଞ୍ଚଳ ତ୍ବରିତ ଗତିରେ ଆଗକୁ ବଢୁଛି। ସ୍ବାଭିମାନ ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସେତୁ ଯୋଜନା (Socio Economic Transformation & Upliftment) ମଧ୍ୟ ଆରମ୍ଭ କରିଛନ୍ତି।

ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେଇ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚିତ୍ରକୋଣ୍ଡା ବ୍ଲକ୍‌ରେ ୩ଟି ବୃହତ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସେଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହାଦ୍ବାରା ସ୍ବାଭିମାନ ଅଞ୍ଚଳର ୩୭ ହଜାର ଲୋକ ଉପକୃତ ହେବେ। ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ମାଲକାନଗିରି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ।

ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ଖଲିଆଗଡ ନାଳ ଉପରେ ଯନ୍ତ୍ରୀ ଠାରୁ ଢାକପଦର ରାସ୍ତା ପର୍ଯ୍ୟନ୍ତ ୧୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ସେତୁ ନିର୍ମାଣ କରାଯିବ। ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ପଣସପୁଟ ଓ ଯନ୍ତ୍ରୀ ଗ୍ରାମପଞ୍ଚାୟତର ଲୋକମାନେ ଏହାଦ୍ବାରା ବିଶେଷ ଉପକୃତ ହେବେ।

ଦ୍ବିତୀୟ ସେତୁଟି କୁମୁଡାଗୁଡା ନଦୀ ଉପରେ ଘନବେଡା ଠାରୁ କୋଡିଗାନ୍ଧୀ ରାସ୍ତା ପର୍ଯ୍ୟନ୍ତ ନିର୍ମାଣ କରାଯିବ। ୨୨୩ ମିଟର ଦୀର୍ଘ ଏହି ସେତୁ ପାଇଁ ୨୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ପଣସପୁଟ, ଯନ୍ତ୍ରୀ ଓ ଆଣ୍ଡ୍ରାପାଲ୍ଲୀ ଗ୍ରାମ ପଞ୍ଚୟତର ଲୋକମାନେ ବିଶେଷ ଉପକାର ପାଇବେ।

ତୃତୀୟ ସେତୁଟି ମାଛକୁଣ୍ଡ ନଦୀ ଉପରେ ନିର୍ମାଣ କରାଯିବ। ଏହା ବିଶେଇଗୁଡାକୁ ଯନ୍ତ୍ରୀ ପର୍ଯ୍ୟନ୍ତ ଯୋଡିବ। ୩୭୨ ମିଟର ଦୀର୍ଘ ଏହି ସେତୁ ପାଇଁ ୫୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ଯନ୍ତ୍ରୀ, ପେପରମେଟଲା ଓ ଆଣ୍ଡ୍ରାପାଲ୍ଲୀ ଗ୍ରାମ ପଞ୍ଚାୟତର ଲୋକମାନେ ବିଶେଷ ଉପକୃତ ହେବେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା, ରାଜ୍ୟରେ ନିର୍ମାଣ ହେବ ୩ଟି ନୂଆ ବୃହତ୍ ସେତୁ

ଭୁବନେଶ୍ବର: ରାଜ୍ୟରେ ୩ଟି ବୃହତ ସେତୁ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ବରଗଡ ଜିଲ୍ଲାରେ ନିର୍ମାଣ ହେବ। ଏହାଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି। ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ। ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବରଗଡ ଓ ବରପାଲି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ସହିତ ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗର ସୁବିଧା ସୃଷ୍ଟି ହେବ। ଏହାଦ୍ୱାରା ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ।

ସେହିପରି ବରଗଡ ପୌରାଞ୍ଚଳ ଆଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ବରଗଡ ଜିଲ୍ଲା ମୁଖ୍ୟାଳୟ ସହିତ ପରପାଲି ଓ ଭେଡେନ ବ୍ଲକ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାର ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।

ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ। ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଭଟଲି ବ୍ଲକ ମୁଖ୍ୟାଳୟକୁ ବରଗଡ ଓ ଅତାବିରା ବ୍ଲକ ମୁଖ୍ୟାଳୟକୁ ଯୋଡିବ। ଏହାଦ୍ୱାରା ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ

ଭୁବନେଶ୍ବର: ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ଆଜି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ କରମଣ୍ଡଳ ଦୁର୍ଘଟଣା ସଂପର୍କରେ ଆଲୋଚନା କରିଥିଲେ।

ଦୁର୍ଘଟଣା ରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ ଉଦ୍ଧାର, ଚିକିତ୍ସା ଆଦି ଯେ କୌଣସି କାମ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଏହି ସଦିଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ୍ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ଓଡିଶାରେ ଲକଡାଉନ ଅବଧି ବଢିବା ନେଇ ହୋଇପାରେ ନିଷ୍ପତି

ଭୁବନେଶ୍ବର, ଆସନ୍ତକାଲି ଗୁରୁବାର ସକାଳ 10ଟା 45 ମିନିଟରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ତେବେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କାରଣ ବର୍ତ୍ତମାନ ଅଫିସ ବନ୍ଦ ଥିବାରୁ ଏବଂ ସମସ୍ତେ କରୋନା ମୁକାବିଲାରେ ଲାଗିଥିବାରୁ କ୍ୟାବିନେଟ ଏଜେଣ୍ଡା ଦିଆଯାଇ ନାହିଁ। ହେଲେ ବର୍ତ୍ତମାନ ପରିସ୍ଥିତିରେ କ୍ୟାବିନେଟ ବୈଠକ ଡକାଯାଇଛି ଅର୍ଥ କରୋନା ମୁକାବିଲା ବ୍ୟତିତ ଅନ୍ୟ କିଛି ହୋଇ ନ ଥିବା ବୋଲି ଜଣେ ମନ୍ତ୍ରୀ କହିଛନ୍ତି। ତେବେ ଏହି ବୈଠକରେ ରାଜ୍ୟରେ ଲକଡାଉନ ଅବଧି ଆଉ କିଛି ସପ୍ତାହ ବୃଦ୍ଧି ପାଇଁ ନିଷ୍ପତି ହୋଇପାରେ ବୋଲି ଜଣାପଡିଛି।

ଏହି କ୍ୟାବିନେଟ ବୈଠକ ମଧ୍ୟ ରାଜ୍ୟ ରାଜନୀତିରେ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି। କାରଣ ବର୍ତ୍ତମାନ କୋରନା ପାଇଁ ସମସ୍ତ ବୈଠକ ଏବଂ ଏକାଠି ବସିବା ବାତିଲ କରାଯାଇଥିବାରୁ ଏହା ସଂପୂର୍ଣ୍ଣ ଭିଡିଓ କନଫ୍ରେନସିଂ ମାଧ୍ୟମରେ ହେବ। ସେଥିପାଇଁ ଓକାକ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। କରୋନା ପାଇଁ ରାଜ୍ୟରେ ଏହି କ୍ୟାବିନେଟ ବୈଠକ ପ୍ରଥମ ହାଇଟେକ ବୈଠକ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଏଥର ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କର୍ମିମାନଙ୍କୁ ନ ଆସିବା ପାଇଁ କଲେ ଅନୁରୋଧ

ଭୁବନେଶ୍ବର,ଏଥର ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କଣ ପାଇଁ ଖେଳିବେ ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବର୍ତ୍ତମାନ କରୋନା ଭାଇରସ ଯେପରି ଭାବେ ସାରା ଦେଶରେ ଏକ ଆତଙ୍କ ସୃଷ୍ଟି କରିଛି ସେଥିପାଇଁ ନବୀନ ହୋଲି ଖେଳିବେ ନାହିଁ ବୋଲି ଜଣାପଡିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ହୋଲି ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି। କରୋନା ଭାଇରସ ପାଇଁ ସେ ଏହି ହୋଲି ପାଳିବେ ନାହିଁ ବୋଲି କହିଛନ୍ତି।

ସେହିପରି ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି ରାଜଭବନ ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ହୋଲି ହେଉଛି ମିଳନର ପର୍ବ। ହେଲେ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ହେବା ଏହି ମିଳନ ଅନ୍ୟ ଏକ କାରଣ। ସେଥିପାଇଁ ରାଜ୍ୟପାଳ ହୋଲି ପାଳନ କରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି। ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ଦେଶରେ ହୋଲି ପର୍ବ ପୁରା ଫିକା ପଡିଯିବ ବୋଲି ଜଣାପଡିଛି।

ମୁଖ୍ୟତଃ ଚୀନରୁ ପର୍ଯ୍ୟାପ୍ତ ପରିମାଣର ରଂଗ ଭାରତକୁ ଆମଦାନୀ ହୋଇଥାଏ। ଚାଇନା ବାଣ ପରି ଭାରତରେ ଚାଇନା ରଂଗର ମଧ୍ୟ ଏକ ବଡ ବଜାର ରହିଛି। ବର୍ତ୍ତମାନ କରୋନା ଭାଇରସର ଉତ୍ପତି ସ୍ଥଳ ଚୀନ ହୋଇଥିବାରୁ ଅନେକ ଏହି ରଂଗ କିଣି ବ୍ୟବହାର କରିବାକୁ ମଧ୍ୟ ଡରୁଛନ୍ତି। ପୋଲିସ ତରଫରୁ ହୋଲି ରଂଗ ବିକ୍ରି ଦୋକାନ ଉପରେ ମଧ୍ୟ ଚଢାଉ କରିବାରେ ଲାଗିଛନ୍ତି। ସେଥିପାଇଁ ଚଳିତ ବର୍ଷ କରୋନା ହୋଲିର ରଂଗକୁ ଉଡାଇ ନେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ମୋ ସରକାରରେ ସାମିଲ ହେଲା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଏଣିକି ତତ୍ପର ହେବ ବିଭାଗ

ଭୁବନେଶ୍ବର, ଆଜି ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଫଳରେ ଏଣିକି ଏହି ବିଭାଗ ତାହାର କାର୍ଯ୍ୟ ତ୍ବରାନିତ କରିବ ବୋଲି ଆଶା କରାଯାଉଛି।

ମୋ ସରକାର କାର୍ଯ୍ୟକ୍ରମରେ କୌଣସି ବିଭାଗ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନିଜେ ବିଭାଗର ହିତାଧିକାରୀଙ୍କୁ ଫୋନ କରି ସେମାନେ ସୁବିଧା ସୁଯୋଗ ହାସଲ କରୁଛନ୍ତି କି ନାହିଁ ପଚାରି ବୁଝିବେ। ଯଦି କୌଣସି ଅସୁବିଧା ରହିଛି ତେବେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିପାରିବେ। ଫଳରେ ତୃଣମୂଳ ସ୍ତରରେ ଥିବା ଅଧିକାରୀମାନେ ଏହା ଦ୍ବାରା ସବୁ କାମକୁ ତ୍ବରାନିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।

ପୂର୍ବରୁ ମୋ ସରକାରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ନଗର ଉନ୍ନୟନ ବିଭାଗ, ଏସସି ଏସଟି ବିଭାଗ ଏହି ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

କ୍ୟାବିନେଟ୍ ବୈଠକ ପରେ ପୁଣି ଥରେ ମନ୍ତ୍ରୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ କଲେ ବୈଠକ, କଣ ରହିଛି ରହସ୍ୟ

ଭୁବନେଶ୍ବର-ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ମୁଖ୍ୟତଃ ନଅ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ହେଲେ କ୍ୟାବିନେଟ ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ କେବଳ ମନ୍ତ୍ରୀମାନଙ୍କୁ ନେଇ ବୈଠକ କରିଥିଲେ। ସମସ୍ତ ଅଧିକାରୀ ସେହି ବୈଠକରୁ ବାହାରି ଯିବା ପରେ ମୁଖ୍ୟମନ୍ତ୍ରୀ ଏହି ବୈଠକ କଲେ। ତେବେ ଏଥିରେ ମନ୍ତ୍ରୀମାନଙ୍କୁ ନବୀନ କଣ ନିର୍ଦ୍ଦେଶ ଦେଇଛନ୍ତି ତାହା ଜଣାପଡି ନାହିଁ। ହେଲେ ଏକ ସମର୍ଥିତ ସୁତ୍ରରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀ ଆସନ୍ତା ବିଜୁ ଜୟନ୍ତିରେ ଏକ ବଡ ପଦକ୍ଷେପ ନେବେ। ସେ ସଂପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ସେଦିନ ପ୍ରାୟ 30ଟି ଜିଲ୍ଲାରେ 30 ଲକ୍ଷ ବିଜପ ପକ୍କା ଘର ବଣ୍ଟନ କରାଯିବ। ସେ ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ତାଗିଦ କରିଛନ୍ତି। ଏଥିସହିତ ସାଧାରଣତନ୍ତ୍ର ଏବଂ ସ୍ବାଧୀନତା ଦିବସ ପରି ପ୍ରତି ଜିଲ୍ଲାରେ ମନ୍ତ୍ରୀମାନେ ସେଦିନ ଯାଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନକୁ ଏଥର ସରକାରୀ ସ୍ତରରେ ବେଶ ଆଡମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତି କରାଯାଇଛି।

Categories
ଫଟୋ ଖବର

ମୟୁରଭଞ୍ଜ ଜିଲ୍ଲାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ଜିଲ୍ଲାବାସୀ

ମୟୁରଭଞ୍ଜ ଜିଲ୍ଲାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ଜିଲ୍ଲାବାସୀ

Categories
ଆଜିର ଖବର ରାଜ୍ୟ ଖବର

କୃଷି ଓଡିଶା ୨୦୨୦ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ୱର ଜନତା ମଇଦାନରେ ଆଜିଠୁ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା ୨୦୨୦’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ଫିକିର ସହଯୋଗରେ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଫିକିର ସାଧାରଣ ସମ୍ପାଦକ ଦିଲୀପ କୁମାର ଚିନୋୟ ପ୍ରମୁଖ ଯୋଗ ଦେଇଥିଲେ।

ଚାଷୀ ଦେଶର ଶକ୍ତି, ଅର୍ଥନୀତିର ଶକ୍ତି। ଦେଶର ଗୌରବ ବୃଦ୍ଧି କରିଥାଏ ଚାଷୀ। କୃଷି ବିକାଶ ପାଇଁ ସରକାର ନିଷ୍ଠାର ସହ କାମ କରିବା ସହ କାଳିଆ ଯୋଜନା ଚାଷୀମାନଙ୍କ ସମ୍ମାନ ବୃଦ୍ଧି କରିଛି। ନୂଆ କୃଷି ନୀତି ଜରିଆରେ ଚାଷୀମାନଙ୍କର ରୋଜଗାର ବୃଦ୍ଧି କରିବା ଆମର ଲକ୍ଷ୍ୟ। ଓଡିଶାର ଚାଷୀ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ରାଜ୍ୟର ଚାଷୀ ବିକାଶର ସାରଥୀ ହୁଅନ୍ତୁ ବୋଲି କୃଷି ଓଡିଶା ୨୦୨୦  ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜନତା ମଇଦାନରେ 5 ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୨୮ଟି ଷ୍ଟଲ ରହିବ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ୧୧୨ଟି କମ୍ପାନୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀଙ୍କୁ ନେଇ ପ୍ରତ୍ୟେକ ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏହି ଅବସରରେ ସଫଳ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦଶହଜାର ଟଙ୍କା ଏବଂ ଉପଢୌକନ ସହିତ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହାପ୍ରଭୁଙ୍କ ଦର୍ଶନ ସାରି ପୁରୀ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏଥିଲାଗି ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଶ୍ରୀସେତୁ, ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ କାର୍‌ ପାର୍କିଂ, ମ୍ୟୁନିସିପାଲିଟି ନୂତନ ମାର୍କେଟ କମ୍ପ୍ଲେକ୍ସ, ସ୍ବର୍ଗଦ୍ୱାରର ପୁନରୁଦ୍ଧାର, ସମୁଦ୍ରକୂଳରେ ଭେଣ୍ଡିଂଜୋନ ଏବଂ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳା।

Categories
ଆଜିର ଖବର ରାଜ୍ୟ ଖବର

ବାରିପଦାରେ ୨୫୦ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଘୋଷଣା

ସମୀକ୍ଷା ବ୍ୟୁରୋ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳଠାରେ ଆଦାନୀ ଶିଳ୍ପ ସଂସ୍ଥାର ସହଯୋଗରେ ପ୍ରତିଷ୍ଠିତ କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କରିଥିଲେ। ଏହାସହିତ ମୟୂରଭଂଜ ଜିଲ୍ଲା ପାଇଁ 200 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବା ସହିତ 50 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକର ମଧ୍ୟରେ ରହିଛି – ପାନୀୟ ଜଳ ପ୍ରକଳ୍ପ, ସଡକ ଓ ସେତୁ ନିର୍ମାଣ ଓ ଆହୁରି ଅନେକ ପ୍ରକଳ୍ପ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାରିପଦାର ଶ୍ରୀଜଗନ୍ନାଥ ମନ୍ଦିରର ବିକାଶ ପାଇଁ 5 କୋଟି ଟଙ୍କା ଘୋଷଣା କରିଥିଲେ। ଏହାସହିତ ଖିଚିଂ, ଦେବକୁଣ୍ଡ ଓ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନର ବିକାଶ ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଦାନି ଫାଉଣ୍ଡେଶନର ଚେୟାରମ୍ୟାନ ଡ. ପ୍ରୀତି ଅଦାନି, କାରନ ଅଦାନି, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବାରିପଦା ବିଧାୟକ ପ୍ରକାଶ ସରେନ, ରାଜ୍ୟସଭା ସଦସ୍ୟ ସରୋଜିନୀ ହେମ୍ବ୍ରମ, ଜିଲାପାଳ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ଥିଲେ। ମୟୂରଭଞ୍ଜର ବିକାଶର ଧାରା ଜାରିବ ଏବଂ ଓଡ଼ିଶାର ବିକାଶ ମାନଚିତ୍ରେର ମୟୂରଭଂଜର ସ୍ଥାନ ଆହୁରି ଉଜ୍ଜ୍ବଳ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାର, ନା ଅଛି ବିରୋଧ, ନା ଅଛନ୍ତି ବିରୋଧୀ

ସମୀକ୍ଷା ବ୍ୟୁରୋ

୧୯ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ନବୀନ ପଟ୍ଟନାୟକ ଯେ ପଞ୍ଚମ ପାଳିରେ ଏତେ ବଡ ଜନ ସମର୍ଥନ ପାଇବେ, ଏକଥା ତାଙ୍କ ସମର୍ଥକ ମଧ୍ୟ କଳ୍ପନା କରି ପାରୁନଥିଲେ। ପୁଲବାମା ଓ ବାଲାକୋଟ ଘଟଣା ପରେ ଯେତେବେଳେ ଜାତୀୟ ରାଜନୀତିରେ ବିଜେପିର ପ୍ରବଳ ହାୱା ବହିବା ଆରମ୍ଭ କରିଥିଲା, ସେ ହାୱାକୁ  ଓଡିଶାର ବିଜେଡି ସରକାର ପ୍ରତିହତ କରିପାରିବେ ବୋଲି ଅନେକଙ୍କର ବିଶ୍ଵାସ ନଥିଲା। ଓଡିଶାରେ ବିଜେପି ଯେଉଁ ପ୍ରକାର ଆକ୍ରାମକ ନିର୍ବାଚନ ପ୍ରଚାର କରିଥିଲା, ସେଥିରେ ନବୀନଙ୍କ ଦୁର୍ଗ ସୁରକ୍ଷିତ ରହିଲେ ମଧ୍ୟ, ପୂର୍ବାପେକ୍ଷା ଦୁର୍ବଳ ରହିବାର ଆଶଙ୍କା ଅନେକ କରୁଥିଲେ। ହେଲେ ନିର୍ବାଚନ ଫଳାଫଳରେ ଭୋଟ ହାର ଓ ଆସନ ସଂଖ୍ୟା, ଉଭୟରେ ନବୀନଙ୍କ ଯାଦୁକରୀ ପ୍ରଭାବ ଅବ୍ୟାହତ ରହିଲା। ନବୀନ ପଞ୍ଚମ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ପାଇଲେ। ତେବେ ମଇ, ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ଗୋଟିଏ ଆଭାସ ମିଳୁଥିଲା ଯେ, ବୋଧେ ବହୁତ ଦିନ ପରେ ନବୀନ ବାବୁ ଏକ ଶକ୍ତିଶାଳୀ ବିରୋଧୀ ଦଳକୁ ସାମ୍ନା କରିବାକୁ ଯାଉଛନ୍ତି। ବିଧାନସଭାରେ ବିଜେପିର ଆସନ ସଂଖ୍ୟା ଅଢେଇ ଗୁଣ ବଢିଥିବାରୁ ଓ ବିଜେପିର ଆକ୍ରାମକ ଆଭିମୁଖ୍ୟକୁ ଦେଖି ସେତେବେଳେ ସେମିତି ମନେ ହେଉଥିଲା।

ସରକାର ଗଠନ ପରେ ପରେ ବିଜେଡି ଓ ନବୀନ ବାବୁଙ୍କ ପ୍ରତି ବିଜେପିର ଆଭିମୁଖ୍ୟରେ ବିରାଟ ପରିବର୍ତ୍ତନ ଅନେକଙ୍କୁ ଆଶ୍ଚର୍ୟଚକିତ କରିଦେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହ, ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଏତେ ଅଧିକ ତତ୍ପରତା ପ୍ରକାଶ କଲେ ଯେ, ତାହା ଦେଖି ରାଜ୍ୟ ବିଜେପି ନେତାଙ୍କର ହୋଶ ଉଡିଗଲା। ଅନେକ ଦିନ ଯାଏ ରାଜ୍ୟ ବିଜେପି ଚିନ୍ତାରେ ରହିଲା ଯେ, ବିଜେଡି ବିରୋଧରେ ତାଙ୍କର ବାସ୍ତବ ଆଭିମୁଖ୍ୟ କଣ ରହିବ।  ରାଜ୍ୟସଭା ନିର୍ବାଚନ ଓ ପ୍ରଥମ ସଂସଦ ଅଧିବେଶନରେ ବିଜେଡି ବିଜେପି ସମ୍ପର୍କ ଅଧିକ ସ୍ପଷ୍ଟ ହୋଇଗଲା। ନବୀନ ବିଜେପିର ଶତ୍ରୁ ନୁହନ୍ତି, ବରଂ ପରମ ମିତ୍ର ବୋଲି କାଶ୍ମୀର ପ୍ରସଙ୍ଗରେ ପ୍ରମାଣିତ ହୋଇଗଲା।

ଏହି ପରିବର୍ତ୍ତିତ ରାଜନୈତିକ ସମୀକରଣର ପ୍ରଥମ ପ୍ରଭାବ ପଡିଲା ରାଜ୍ୟର ବିରୋଧୀ ଶିବିରରେ। ନବୀନଙ୍କ ସବୁଠୁ ବଡ ବିରୋଧୀ ବିଜେପି ଏବେ ତାଙ୍କ ବିରୋଧରେ କିଛି କହିବା ସ୍ଥିତିରେ ନାହିଁ। ବିଧାନସଭାରେ ଏହାର ଦୃଢ ପ୍ରମାଣ ମିଳି ସାରିଛି। ବିଧାନସଭା ବାହାରେ ଇତି ମଧ୍ୟରେ ସରକାରକୁ ଘେରିବାର ବହୁ ସୁଯୋଗ ଆସିଥିଲେ ମଧ୍ୟ ବିଜେପି ଚୁପ ରହିଛି। ପୁରୀ ଶ୍ରୀମନ୍ଦିର ପାର୍ଶ୍ଵରେ ରହିଥିବା ପୁରୁଣା ମଠ ଗୁଡ଼ିକୁ ରାଜ୍ୟ ସରକାର ଭାଙ୍ଗି ଚାଲିଥିବା ବେଳେ ବିଜେପି ଏହାକୁ ନେଇ ଚୁପ ରହିଥିଲା। ଅନ୍ୟ କୌଣସି ସମୟ ହୋଇଥିଲେ, ଏ ପ୍ରସଙ୍ଗକୁ ନେଇ ବିଜେପି ଧାର୍ମିକ ଉତ୍ତେଜନା ସୃଷ୍ଟି କରିବାକୁ ପଛେଇ ନଥାନ୍ତା। ବହୁ ବିଳମ୍ବରେ ପୁରୀ ର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଏହାର ପ୍ରତିବାଦ କରିଛନ୍ତି। ତେବେ ତାଙ୍କ ପ୍ରତିବାଦରେ ସେମିତି କିଛି ଦୃଢତା ଥିବାର ଦେଖା ଯାଉନାହିଁ। ଏବେ ପୁରୀ ମଠ ଭଙ୍ଗା ଘଟଣାରେ ରାଜ୍ୟ ସରକାର ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି, ତାପରେ ଏହାକୁ ନେଇ ଆଉ ବିଶେଷ କିଛି ପ୍ରତିବାଦ ହେବାର ସମ୍ଭାବନା ନାଇଁ।

ଧାନ ବିକ୍ରି ଓ ଆଇନ ଶ୍ରୁଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭାରେ ସରକାରକୁ ଘେରିବା ଲାଗି ଦୁର୍ବଳ କଂଗ୍ରେସ କିଛିଟା ଉଦ୍ୟମ କରିଥିଲା। ତେବେ କଂଗ୍ରେସର ସରକାର ବିରୋଧୀ ଯୁଦ୍ଧ କେବଳ ବିଧାନସଭାର ହୋ ହଲ୍ଲା ଭିତରେ ସୀମିତ। ନବୀନ ସରକାର ବିରୋଧରେ ଲଢିବା ଲାଗି କଂଗ୍ରେସର ଶକ୍ତି ବା ସମ୍ବଳ ଏବେ ନାହିଁ। ଦୁର୍ବଳ କଂଗ୍ରେସ ଓ ବନ୍ଧୁତ୍ବପୂର୍ଣ୍ଣ ବିଜେପିର ସମର୍ପଣବାଦୀ ରାଜନୀତି ଏବେ ନବୀନ ପଟ୍ଟନାୟକଙ୍କ ଲାଗି ନିଷ୍କଣ୍ଟକ ଭୂମି ପ୍ରସ୍ତୁତ କରିଛି। ରାଜ୍ୟରେ ନବୀନ ବିରୋଧୀ ସ୍ଵର ବା ବିରୋଧୀ ଦଳଙ୍କ ଅସ୍ତିତ୍ଵ ଆଜି ଏକ ପ୍ରଶ୍ନବାଚୀ ପାଲଟି ଯାଇଛି।

କଂଗ୍ରେସ ଓ ବିଜେପି ବାହାରେ ଯେଉଁ ବିଜେଡି ଅସନ୍ତୁଷ୍ଟମାନେ ଥିଲେ ସେମାନେ ସମସ୍ତେ ପରାଜିତ ଓ ଶକ୍ତିହୀନ। ସେମାନେ କେହି ନବୀନଙ୍କ ବିରୋଧରେ ମୋର୍ଚ୍ଚା ପ୍ରସ୍ତୁତ କରିବା ଅବସ୍ଥାରେ ନାହାନ୍ତି। ଓଲଟି ମଉକା ଦେଖି ଘର ବାହୁଡାର ସୁଯୋଗ ଏମାନଙ୍କ ଭିତରୁ ଅନେକ ଖୋଜୁଛନ୍ତି। ବିନା ବିରୋଧୀ ସ୍ଵର ଓ ବିରୋଧୀ ଦଳରେ ରାଜ୍ୟ ରାଜନୀତି ମଧ୍ୟ ବଡ ପାଣିଚିଆ ଲାଗୁଛି। ସତ କହିବାକୁ ଗଲେ ଓଡିଶା ରାଜନୀତିରେ ଏବେ ସବୁଠୁ ବୋରିଂ ସମୟ ଚାଲିଛି।

Categories
ବିଶେଷ ଖବର ସଂସ୍କୃତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ବିଲିଡିଂ କରିବ ନୂଆ ରେକର୍ଡ, ବିଶ୍ବ ସ୍ଥାପତ୍ୟ କଳା ପୁରସ୍କାରର ଚୂଡାନ୍ତ ତାଲିକାରେ ଭୁବନେଶ୍ବରର ‘କୃଷି ଭବନ’

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବରରେ ନୂତନ ଭାବେ ନିର୍ମାଣ ହୋଇଥିବା ‘କୃଷି ଭବନ’ ଏକ ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଏହି ଭବନ ବିଶ୍ବ ସ୍ଥାପତ୍ୟ ଉତ୍ସବରେ ପୁରସ୍କୃତ ହେବା ପାଇଁ ଚୁଡାନ୍ତ ତାଲିକାରେ ସାମିଲ ହୋଇଛି। ବିଶ୍ବର ୭୦ ଦେଶରୁ ପ୍ରାୟ ୫ ହଜାର ସ୍ଥାପତ୍ୟକୁ ବିଭିନ୍ନ ବର୍ଗରେ ସାମିଲ କରାଯାଇଥିଲା। ସେଗୁଡିକ ମଧ୍ୟରୁ ମାତ୍ର ୫୩୪ଟି ସ୍ଥାପତ୍ୟକୁ ମନୋନିତ କରି ଜୁରିମାନେ ଚୁଡାନ୍ତ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକର ସ୍ଥାପତ୍ୟଗୁଡିକ ପୁରସ୍କାର ପାଇଁ ମନୋନିତ କରାଯିବ। ଆସନ୍ତା ଡିସେମ୍ବର ମାସରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ବିଶ୍ବ ସ୍ଥାପତ୍ୟ ଓ ପୁରସ୍କାର ଉତ୍ସବ କମିଟି ତରଫରୁ କୁହାଯାଇଛି। ଯଦି ଓଡିଶାର କୃଷି ଭବନ ପୁରସ୍କାର ହାସଲ କରେ ତେବେ ସାରା ବିଶ୍ବରେ ଓଡିଶା ସ୍ଥାପତ୍ୟ ଜଗତରେ ପୁଣି ଥରେ ଚମକିବ।

ଭୁବନେଶ୍ବରର ବିଧାନସଭା ନିକଟସ୍ଥ କୃଷି ଭବନ ପ୍ରାୟ ୧୩୦୦୦ ବର୍ଗ ଫୁଟ ପରିମିତ ଜାଗାରେ ନିର୍ମାଣ ହୋଇଛି। ଏହି ଭବନ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତକରଣ ବିଭାଗ ଅଧିନରେ ରହିଛି। ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଉଚ୍ଚ କୁଶଳୀ କାରିଗରଙ୍କ ଦ୍ବାରା ନିର୍ମିତ ଏହି କୃଷି ଭବନରେ  ପାରମ୍ପରିକ ଲୋକକଳା ତଥା ପୌରାଣିକ କାହାଣୀର ଚିତ୍ରିତ କରାଯାଇଛି । ଏକ ଅଦ୍ଭୁତପୂର୍ବ ବାସ୍ତୁଶିଳ୍ପର କଳ୍ପନାରେ ନିର୍ମିତ ଏହି ଭବନଟି ଓଡ଼ିଶା ଶିଳ୍ପୀଙ୍କ ଜୀବନ୍ତ ତଥା ସମକାଳୀନ କାହାଣୀକୁ ବର୍ଣ୍ଣନା କରୁଛି । ଏଥିରେ ଆଦିବାସୀ ହସ୍ତଶିଳ୍ପୀ କାରିଗରୀର ଝଲକ ଦେଖିବାକୁ ମିଳିଛି । ଗ୍ରାଉଣ୍ଡ ଫ୍ଲୋର୍‌ର ଚାରିପଟେ ଥିବା ସ୍ତମ୍ବଗୁଡ଼ିକରେ ଆଦିବାସୀ କାରିଗରୀରେ ଲାଇଟ୍‌ର ଏକ ପ୍ରକାରର ଫିକ୍ଚର ନିର୍ମାଣ କରାଯାଇଛି । ଯେପରିକି ଢୋକ୍ରାର ଲୋକ ନୃତ୍ୟକୁ ତଳ ମହଲାର ବିଭିନ୍ନ ସ୍ତମ୍ବରେ ଖୋଦେଇ ହେବ ସହ ତଳ ପକ୍କାଟି ବିଭିନ୍ନ ଚିତ୍ରରେ ଖୋଦିତ ହୋଇଛି । ସେହିପରି ବିଭିନ୍ନ କୃଷି ଭିତ୍ତିକ ଭାବନାକୁ ବିଭିନ୍ନ ଚିତ୍ର ଆକୃତି ରେ ବିଲଡିଙ୍ଗ ସାରା ଖୋଦେଇ କରା ଯାଇଛି। ଏଥିରେ କୃଷି କ୍ୟାଲେଣ୍ଡର ପଥରରେ ଚଟାଣରେ ଦର୍ଶାଯାଇଛି ଏଥିରେ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ କୃଷିଜାତ ଜାତର ଅମଳ ଚକ୍ର ମଧ୍ୟ ପ୍ରଦର୍ଶିତ ହୋଇଛି।

ବିଲିଡିଂର ସମ୍ମୁଖଭାଗ ସମ୍ବଲପୁରୀ ଇକ୍କତ ଶାଢ଼ି ଶୈଳୀରେ ନିର୍ମିତ ହୋଇଥିବା ବେଳେ ବିଭିନ୍ନ ରଙ୍ଗର ଇଟା ଖଞ୍ଜାଯାଇଛି। ଗତିଶୀଳ ଅବସ୍ଥାରେ ଏହା ନିଶ୍ଚେ ରାସ୍ତାରେ ଯାଉଥିବା ଲୋକଙ୍କ ଧ୍ୟାନ ଆକର୍ଷଣ କରିବ।  ଏଥିରେ ବ୍ୟବହୃତ ରଙ୍ଗୀନ୍‌ ଇଟାଗୁଡ଼ିକ ଭୌଗୋଳିକ ଓ ଆଞ୍ଚଳିକ ବିବିଧତାକୁ ଦର୍ଶାଯାଉଛି । ଏଥିରେ ବ୍ୟବହୃତ ହୋଇଥିବା ଇଟାଗୁଡ଼ିକ ସତେ ଯମିତି ଚର୍ମର ଦ୍ବିତୀୟସ୍ତର ପରି ପରିବେଷ୍ଟିତ ହୋଇଥିବା ପରି ଜଣାପଡୁଛି ।  ସେହିପରି ଅଟ୍ଟାଳିକା ମଧ୍ୟରେ ଚାଷୀମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ଓ ଚାଷ ସମ୍ପର୍କିତ ଜୀବନୀ ବି ବିଲ୍‌ଡିଂ କାନ୍ଥରେ ଖୋଦିତ ହୋଇଛି। ବିଶେଷକରି ମାଙ୍କଡ଼ା ପଥରରେ ବିଲ୍‌ଡିଂ କାମ ହୋଇଥିବା ବେଳେ କାରୁକାର୍ଯ୍ୟପୂର୍ଣ୍ଣ କାମ ଲାଟେରାଇଟ୍‌ ଓ ଖାଣ୍ଡେଲାଇଟ୍‌ର ପଥରରେ କରାଯାଇଛି । ସେହିପରି କୃଷି ବିଷୟବସ୍ତୁକୁ ନେଇ ଏହି ଭବନରେ ବିଭିନ୍ନ ପ୍ରକାରର କାରିଗରୀ ତଥା ଶିଳ୍ପ ଟେକ୍‌ନିକ୍‌ର ଉପଯୋଗ ହୋଇଛି । ଏପରି ଆକର୍ଷଣୀୟ ବିଲିଡିଂଟିଏ କରିବା ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ସିଧା ତତ୍ବାବଧାନରେ ଏହି ବିଲିଡିଂକୁ ନିର୍ମାଣ କରାଯାଇଛି।

ଓଡ଼ିଶାର କୃଷି ପ୍ରଣାଳୀ ତଥା ଉତ୍ପାଦନକୁ ପାରମ୍ପରିକ ପଟ୍ଟଚିତ୍ରରେ ଚିତ୍ରାୟିତ କରାଯାଇଛି ଏହି ଭବନର କାରୁକାର୍ଯ୍ୟରେ ।  କୃଷି ଭବନ ଦୃଶ୍ୟପଟକୁ ବିଭିନ୍ନ ଆଞ୍ଚଳିକ ଜିନିଷ ଏବଂ ବିଭିନ୍ନ ବର୍ଗ ର ଲୋକଙ୍କ ପାଇଁ ସଜା ଯାଇଛି ଯେମିତି ଏହା ସ୍ଥାନୀୟ ପାଣିପାଗକୁ ସୁହାଇବ । ଏହି ଭବନରେ ଥିବା ବାଲକୋନୀ ଓ ଝରକାଗୁଡ଼ିକକୁ ଏକ ଭିନ୍ନ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି। ଯେମିତିକି ଏଥିରେ କମ୍‌ ଗରମ ହେବ ଓ ବାୟୁ ଚଳାଚଳ ବେଶ୍‌ ଭଲରୂପେ ଚଳାଚଳ ହୋଇପାରିବ। ଏବଂ ବିଦ୍ୟୁତ ଦ୍ବାରା ପରିଚାଳିତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ମାତ୍ର ୨୦ ପ୍ରତିଶତ ବ୍ୟବହାର ଦ୍ବାରା ଥଣ୍ଡା ଅନୁଭୂତ ହେବ। ଏହି ଭବନକୁ ଅତିକ୍ରମ କଲାବେଳେ ଶିକ୍ଷା, ସଂସ୍କୃତିର ସମନ୍ବୟର ଝଲକ ଦେଖିବାକୁ ମିଳିବ ।

ପ୍ରାଚୀନ ଯୁଗରେ ଓଡିଶା ସ୍ଥାପତ୍ୟ ଇତିହାସରେ ରେକର୍ଡ ହାସଲ କରି ରହିଛି। କୋଣାର୍କ ମନ୍ଦିର ହେଉ କିମ୍ବା ମନ୍ଦିରମାଳିନୀ ଭୁବନେଶ୍ବର। ସ୍ଥାପତ୍ୟ ଜଗତରେ ଏ ସବୁ ମୁକ ସାକ୍ଷୀ ପରି ଅଛନ୍ତି। ହେଲେ ଅତ୍ୟାଆଧୁନିକ ଓଡିଶାରେ ସ୍ଥାପତ୍ୟକୁ ନେଇ ବିଶ୍ବରେ ଗର୍ବ କରିବାରେ ଅବକାଶ ଆସିନାହିଁ। ବର୍ତ୍ତମାନ କୃଷି ଭବନ ସେ ଅଭାବକୁ ପୁରଣ କରି ଓଡିଶାର କାରୀଗର ଓ କଳାକୁ ବିଶ୍ବ ଦରବାରରେ ପୁଣି ଥରେ ପରିଚିତ କରାଇପାରିବ ବୋଲି ଆଶା କରାଯାଉଛି।

 

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଦକ୍ଷତା ରିପୋର୍ଟ ଦେଲେ ରାଜ୍ୟର ସବୁ ମନ୍ତ୍ରୀ, ରବିବାର ଦିନ ହେବ ସମୀକ୍ଷା

ସମୀକ୍ଷା ବ୍ୟୁରୋ

ପ୍ରତି ମାସ ସାତ ତାରିଖରେ ମାସିକା ରିପୋର୍ଟ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଅନୁସାରେ ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ରାଜ୍ୟର ସମସ୍ତ ମନ୍ତ୍ରୀ ତାଙ୍କର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ମନ୍ତ୍ରୀମାନେ ମାସକ ଭିତରେ କଣକଣ କାର୍ଯ୍ୟ କରିଛନ୍ତି ସେ ସଂପର୍କରେ ଏହି ରିପୋର୍ଟ କରାଯାଇଛି। ନିକଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଭିନ୍ନ ସ୍କୁଲ ତଥା ବ୍ଲକ ଏଡୁକେସନ ଅଧିକାରୀ ଅଫିସ ଚଢାଉ କରି ପଦକ୍ଷେପ ନେଇଛନ୍ତି। ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ ମାସକ ମଧ୍ୟରେ ଅନେକ ସମୀକ୍ଷା ବୈଠକ କରି ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଛନ୍ତି। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ବୈଠକ କରି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟମନ୍ତ୍ରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ସମୟରେ ସମୀକ୍ଷା ବୈଠକ କରି ପଦକ୍ଷେପମାନେ ନେବାରେ ଲାଗିଛନ୍ତି। ହେଲେ ସେସବୁ ମୁଖ୍ୟମନ୍ତ୍ରୀଙ୍କୁ କେତେ ଆକୃଷ୍ଠ କରୁଛି ତାହା ଜଣାପଡି ନାହିଁ। ଯାହା ଜଣାପଡୁଛି ରବିବାର ଦିନ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ରିପୋର୍ଟକୁ ସମୀକ୍ଷା କରିବେ। ତେବେ ପ୍ରଶ୍ନ ଉଠିଛି ଯେ, ଯେଉଁମନ୍ତ୍ରୀମାନଙ୍କ ଦକ୍ଷତା ଭଲ ନ ଥିବ ତାଙ୍କୁ ମନ୍ତ୍ରୀମଣ୍ଡଳର ବାହାର କରାଯିବ ନା ଅଧିକ ସମୟ ସୁଯୋଗ ଦିଆଯିବ।

Categories
ବିଶେଷ ଖବର ବ୍ୟବସାୟ

ଓଡିଶା ବଜେଟ-୨୦୧୯, ଲୋକ କଲ୍ୟାଣ ଲାଗି ବହୁ ଯୋଜନା, ହେଲେ ଅର୍ଥ ଆସିବ କେଉଁଠୁ ?

କେଦାର ମିଶ୍ର

ଲୋକକଲ୍ୟାଣ ଓ ଜନମଙ୍ଗଳ ଯଦି ଆମ ସମ୍ବିଧାନର ମୌଳିକ ବିଚାର ବୋଲି ଆମେ ଗ୍ରହଣ କରୁ ତାହେଲେ, ଓଡିଶାର ଚଳିତ ବଜେଟ ସେ ଦୃଷ୍ଟିରୁ ଏକ  ଉଦାହରଣ ସୃଷ୍ଟି କରିଥିବା ବଜେଟ। ସାରା ଦେଶରେ ଯେତେବେଳେ କୃଷି କ୍ଷେତ୍ର ଲାଗି ସରକାରୀ ପୁଞ୍ଜି ଲଗାଣ କମିଯାଉଛି ସେହି ସମୟରେ ଓଡିଶା ଗତ ପାଞ୍ଚ ବର୍ଷରେ ନିଜର କୃଷି ବଜେଟକୁ ତିନିଗୁଣ ବୃଦ୍ଧି କରିଛି। ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଲାଗି ଏହା ନିଶ୍ଚିତ ଭାବରେ ଏକ ଉପଯୋଗୀ ପଦକ୍ଷେପ। ସ୍ୱାସ୍ଥ୍ୟ, ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତି ବିକାଶ, କୃଷି ଇତ୍ୟାଦି କ୍ଷେତ୍ର ଉପରେ ଏହି ବଜେଟରେ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। କାଳିଆ ଯୋଜନା(୫୬୧୧କୋଟି), ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(୧୨୦୩କୋଟି),ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ(୧୭୭୭କୋଟି), ପ୍ରେରଣା ବୃତ୍ତି ଯୋଜନା(୧୪୨୫କୋଟି), ଜାତୀୟ ସ୍ୱାସ୍ଥ୍ୟ ମିଶନ(୧୩୬୫କୋଟି) ଇତ୍ୟାଦି ସିଧାସଳଖ ଲୋକଙ୍କ ଜୀବନ ଓ ଜୀବିକା ଲାଗି ଉଦ୍ଦିଷ୍ଟ। ଶିଳ୍ପ ଓ ବାଣିଜ୍ୟ ତୁଳନାରେ କୃଷି ତଥା ଶିକ୍ଷା କ୍ଷେତ୍ର ଉପରେ ବଜେଟ ବିଶେଷ ଗୁରୁତ୍ଵ ଦେଇଛି। ବଜାର ଅର୍ଥନୀତିର ପ୍ରାବଲ୍ୟ ସମୟରେ ଏମିତି ଏକ ନେହେରୁ ପରମ୍ପରାର ବଜେଟକୁ ଅର୍ଥନୀତିଜ୍ଞମାନେ “ବେକାର ବଜେଟ” ବୋଲି କହିବାର ସମ୍ଭାବନା ଅଧିକ। ଲୋକଙ୍କୁ ଦେବାକଥା ଏ ବଜେଟରେ ବହୁତ ଅଧିକ କୁହାଯାଇଛି। ତେବେ ନୂଆ ଅର୍ଥନୀତିରେ ଲୋକଙ୍କୁ ଦେବା ଅପେକ୍ଷା ଲୋକଙ୍କଠୁ ଅଧିକ ନେବା ଉପରେ ଗୁରୁତ୍ଵ ଆରୋପ କରାଯାଇଥାଏ। ଓଡିଶା ସରକାରଙ୍କ ଏ ବଜେଟ ଅନେକାଂଶରେ ଏକ ସମାଜବାଦୀ ବଜେଟ ବୋଲି କୁହାଯାଇପାରିବ।

ଆମ ରାଜ୍ୟରେ ବଜେଟ ବିଶ୍ଳେଷଣର ଦୁଇଟି ଧାରା ସବୁବେଳେ ରହି ଆସିଛି। ଗୋଟେ ରାଜନୈତିକ ଧାରା ଓ ଅନ୍ୟଟି ଅର୍ଥନୈତିକ ଧାରା। ରାଜନୀତିରେ ଶାସକ ଦଳ ନିଜ ବଜେଟକୁ କ୍ରାନ୍ତିକାରୀ କହନ୍ତି ଓ ବିରୋଧୀ ଏହା ଲୋକ ବିରୋଧୀ ବୋଲି କୁହନ୍ତି। ହେଲେ ଏଥର ବଜେଟକୁ ଲୋକ ବିରୋଧୀ ବୋଲି କହିବାକୁ ବିରୋଧୀ ମଧ୍ୟ ସାହସ କରିନାହାନ୍ତି। ବଜେଟ ଆରମ୍ବହରୁ ଶେଷ ପର୍ୟନ୍ତ ଏତେ ଗୁଡିଏ ଲୋକକଲ୍ୟାଣକାରୀ ଯୋଜନା ଅଛି ଯେ, ତାକୁ ଲୋକବିରୋଧୀ କହିଲେ ଲୋକହସା ହେବା ସାର ହେବ! ତେବେ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ବଜେଟକୁ ନେଇ ଅନେକ ପ୍ରଶ୍ନ ପଚରାଯାଇପାରିବ।ତେବେ ସେ ପ୍ରଶ୍ନ ବିରୋଧୀ ଦଳଙ୍କ ଭଳି ପଚାରିଲେ, ସେଟା ହାସ୍ୟାସ୍ପଦ ଇ ହେବ। ଯେମିତି ରାଜ୍ୟର ନିଜସ୍ଵ ଟିକସ ଆୟ ୨୪.୮୮% କୁ ଇ କେବଳ ରାଜ୍ୟର ଆୟ ଓ ବାକି ସବୁ ଋଣ ତଥା କେନ୍ଦ୍ରୀୟ ଅନୁଦାନ ବୋଲି ବିରୋଧୀ ଦଳ କହୁଛନ୍ତି। ଏହା ଅର୍ଥନୈତିକ ଦୃଷ୍ଟିରୁ ଅତ୍ୟନ୍ତ ବାଚାଳ ଯୁକ୍ତି ବୋଲି କୁହାଯାଇପାରେ। କେନ୍ଦ୍ର ରୁ ବିଭିନ୍ନ ଟିକସ, କର, ସେସ ଓ ରୟାଲିଟି ବାବଦକୁ  ରାଜ୍ୟ ୨୯.୫୫% ଅର୍ଥ ପାଇବ ଓ ଏହା ରାଜ୍ୟର ରାଜସ୍ୱ ଅଧିକାର। ଏହା କେନ୍ଦ୍ରର ଅନୁଦାନ ନୁହେଁ। କେନ୍ଦ୍ରର ଅନୁଦାନ ରାଜ୍ୟ ଆୟରେ ମାତ୍ର ୧୯.୯୮%। ବଜେଟକୁ କେନ୍ଦ୍ର ଆଭିମୁଖି ବୋଲି କହିବା ହୁଏତ ରାଜନୈତିକ ଦୃଷ୍ଟିରୁ ଭଲ ଶୁଭିପାରେ, ତେବେ ତାହା ଅସତ୍ୟ।

ତେବେ ବଜେଟର ସବୁଠୁ ଚିନ୍ତାଜନକ ଦିଗଟି ହେଉଛି ବଜେଟର ପାଖାପାଖି ୪୦% ଅର୍ଥ କେବଳ ପ୍ରଶାସନିକ କ୍ଷେତ୍ରରେ ଖର୍ଚ୍ଚ ହେଉଛି। ମୋଟ ୧ ଲକ୍ଷ ୩୯ ହଜାର କୋଟିରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୭,୩୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାକି ୭୦,୬୦୦ କୋଟି ଟଙ୍କା ବିଭିନ୍ନ କାର୍ୟକ୍ରମରେ ଖର୍ଚ୍ଚ ହେବ। ଲୋକ କଲ୍ୟାଣ ଖର୍ଚ୍ଚ ତୁଳନାରେ ପ୍ରଶାସନିକ ଖର୍ଚ୍ଚକୁ କମ କରିବା ସରକାରଙ୍କର ଲକ୍ଷ୍ୟ ହେବ ଉଚିତ ନୁହଁ କି? ଯଦିଓ ଏ କଥା ମଧ୍ୟ ସତ୍ୟ ଯେ ୨୦୦୭-୦୮ ମସିହା ବେଳକୁ ରାଜ୍ୟରେ ଲୋକକଲ୍ୟାଣ ପାଇଁ ମାତ୍ର ୫,୧୦୫ କୋଟି ଟଙ୍କା ଥିବା ବେଳେ ଆଜି ତାହା ୬୨,୦୦୦ କୋଟିରେ ପହଞ୍ଚିଛି। ଅର୍ଥାତ ୧୨ ବର୍ଷରେ ଏହି ବ୍ୟୟ ବରାଦ ୧୨ ଗୁଣ ବଢିଛି। ରାଜ୍ୟର ରାଜସ୍ୱ ବଢିଛି ଓ ସମ୍ବଳ ଯୋଗାଡ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ନଚେତ ଏତେ ପରିମାଣରେ କାର୍ୟକ୍ରମ ଲାଗୁ କରିବା ସମ୍ଭବ ହୁଅନ୍ତା ନାହିଁ।

ଋଣ ଆଣିବାକୁ ନେଇ ମଧ୍ୟ ଗୁଡାଏ ବିଭ୍ରାନ୍ତିକର ତଥ୍ୟ ଦିଆ ଯାଉଛି। ୧୫.୬୮% ଋଣ ସେମିତି କିଛି ଉଦବେଗଜନକ ନୁହେଁ। ଋଣ ବିନା ଦେଶ ବା ରାଜ୍ୟର ଅର୍ଥନୀତି ଚାଲିବ ନାହିଁ। ତେବେ କମ ଋଣ କାଲେ କମ ସୁଧ ଦେବାକୁ ପଡିବ ଓ ସେଥିରୁ ବଳକା ଅର୍ଥ ଲୋକ କଲ୍ୟାଣ କାମରେ ଲାଗିପାରିବ। ତେବେ ବର୍ତ୍ତମାନ ସ୍ଥିତିରେ ରାଜ୍ୟର ଋଣ ଭାର ଉତ୍କଟ ଅବସ୍ଥାରେ ନାହିଁ। ସରକାର ଚାହିଁଲେ ୨୫% ପର୍ୟନ୍ତ ଋଣ ଉଠାଇପାରିବେ।

ଏହି ବଜେଟକୁ ଲୋକଙ୍କ ବଜେଟ ବୋଲି କହିବାରେ କୌଣସି ଦ୍ଵିଧା ନାହିଁ। ତେବେ ସରକାର ସବୁବେଳେ ଦାତା ହୋଇ ରହିବା ଅପେକ୍ଷା ଲୋକଙ୍କ ଅର୍ଥନୈତିକ ମାନବୃଦ୍ଧି କରାଇବାରେ ସହାୟକ ଭୂମିକା ନେବା ଜରୁରୀ। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୮-୮.୫% ରହୁଥିବାବେଳେ ଏଥିରୁ କର୍ମଯୋଗାଣ ସମ୍ଭବ ହେଉନାହିଁ। କର୍ମହୀନ ଅଭିବୃଦ୍ଧିରୁ ମୁକୁଳିବାର ବାଟ ରାଜ୍ୟ ସରକାରଙ୍କୁ ବାହାର କରିବାକୁ ପଡିବ ଓ ରାଜ୍ୟର ନିଜସ୍ଵ ରାଜସ୍ବକୁ ଅତି କମରେ ଆହୁରି ୧୦% ବଢାଇବାକୁ ପଡିବ।

Categories
ବିଶେଷ ଖବର

କେନ୍ଦ୍ରାପଡା, ନିର୍ବାଚନର ଅନ୍ତିମ ସମୟରେ ଭୟ ଓ ଆଶଙ୍କାର ଅବାସ୍ତବ ରାଜନୀତି

ସମୀକ୍ଷା ବ୍ୟୁରୋ

ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?

ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।

ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?

ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !

(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)

Categories
ବିଶେଷ ଖବର

ସତ, ନବୀନ ସରକାର ବିରୋଧରେ କୌଣସି କ୍ରୋଧ ବା ଆକ୍ରୋଶ ନାହିଁ, କିନ୍ତୁ ଅନେକ ସ୍ଥାନୀୟ ବିଜେଡି ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ଅସନ୍ତୋଷ ରହିଛି

କେଦାର ମିଶ୍ର

ଗତ ୨ଏପ୍ରିଲରୁ ୬ ଏପ୍ରିଲ ପର୍ୟନ୍ତ ଓଡିଶାର ବ୍ରହ୍ମପୁର, ଆସ୍କା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରାୟ ୩୦ରୁ ଅଧିକ ବିଧାନସଭା କ୍ଷେତ୍ର ବୁଲିବାର ସୁଯୋଗ ମିଳିଥିଲା। ଖଲିକୋଟ, କବିସୂର୍ୟ ନଗର, ଆସ୍କା, ହିଞ୍ଜିଳି, ସୋରୋଡା, ବାଲିଗୁଡା, ଦଶପଲ୍ଲା, ଜି ଉଦୟଗିରି, କଣ୍ଟାମାଳ, ବୌଦ, ଦଶପଲ୍ଲା, ଫୁଲବାଣୀ, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, କୋରାପୁଟ, ଜୟପୁର, ନବରଙ୍ଗପୁର, ଝରିଗାଁ, ଡାବୁ ଗାଁ, ଧରମଗଡ, ଜୁନାଗଡ, ଭବାନୀପାଟଣା, ନର୍ଲା, ଟିଟିଲାଗଡ, ବଲାଙ୍ଗୀର ଓ ସୋନପୁର ବିଧାନସଭା ମଣ୍ଡଳୀ ବୁଲିବା ସମୟରେ ଲୋକଙ୍କ ପ୍ରତିକ୍ରିୟାକୁ ନେଇ ଧାରାବାହିକ ଭାବରେ ଆମେ ଲେଖୁଛୁ। ତେବେ ଏତେ ବାଟ ବୁଲିବା ଭିତରେ ଗୋଟେ କଥା ମାନିବାକୁ ପଡିବ ଯେ, ୧୯ ବର୍ଷ ଶାସନ କଲାପରେ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ମୋହ ତୁଟିନାହିଁ। କୋରାପୁଟ-ଲକ୍ଷ୍ମୀପୁର ରାସ୍ତାରେ ଥିବା କୁମ୍ଭୀକୋଟା ଗାଁର ଦଳେ ବୟସ୍କ ଲୋକ ଏକା ସାଙ୍ଗରେ ଆମକୁ କହିଥିଲେ, “ନବୀନ ବାବୁଟା ଭଲ ଲୋକ ଆଜ୍ଞା, ହେଲେ ଆମ ଏମଏଲଏ ଟି ଭଲ ଲୋକ ନୁହଁ। ଗଲା ଚାରୋଟି ଯାକ ନିର୍ବାଚନରେ ଆମେ ତାଙ୍କୁ ଭୋଟ ଦେଇଛୁ, ହେଲେ ୧୯ ବର୍ଷ ଭିତରେ ସେ ଲୋକ ଆମ ଗାଁକୁ ଥରେ ବି ଆସିନାହାନ୍ତି।“

ଏ ପ୍ରକାର ମନ୍ତବ୍ୟ ଅନେକ ଜାଗାରେ ଶୁଣିବାକୁ ମିଳିଛି। ଲୋକେ ନବୀନ ସରକାର ପ୍ରତି ଯେତିକି ସନ୍ତୁଷ୍ଟ, ନବୀନଙ୍କ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ଲୋକଙ୍କ ମନରେ ସେତିକି କ୍ଷୋଭ ରହିଛି। ଓଡିଶା ସରକାର ବଦଳିବା ଦରକାର ବୋଲି ବିରୋଧୀ ଦଳ ଗୁଡିକ କହୁଥିବା ବେଳେ ଲୋକ କିନ୍ତୁ ନବୀନଙ୍କ ଉପରେ ମାତ୍ରାଧିକ ସନ୍ତୁଷ୍ଟ ଥିବା ଦେଖିବାକୁ ମିଳୁଛି। ଆମେ ଭେଟିଥିବା ୫୦୦ ରୁ ଅଧିକ ଲୋକଙ୍କ ଭିତରୁ କେହି ଜଣେବି ନବୀନଙ୍କୁ ଅବିଶ୍ଵାସ କରିବା ଭଳି ମନ୍ତବ୍ୟ ଦେଇନଥିଲେ। ହେଲେ ଖଲିକୋଟ ଠୁ ଆରମ୍ଭ କରି ସୋନପୁର ପର୍ଯନ୍ତ ସବୁଠି ଶାସକ ଦଳର ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କ  ନାଁରେ ଲୋକଙ୍କ ଆକ୍ରୋଶ ରହିଛି। ହୁଏତ ନବୀନଙ୍କ ପ୍ରତି ରହିଥିବା ଶୁଭେଛାର ଲାଭ ଏ ବିଧାୟକମାନେ ଉଠାଇବେ, ନଚେତ ଏମାନଙ୍କ ହାରିବା ଏକ ପ୍ରକାର ଥୟ ବୋଲି କୁହାଯାଇପାରେ।

ଖଲିକୋଟ ବିଜେଡି ଅଫିସ ଆଗରେ ଆମକୁ ପ୍ରଚାରରେ ବାହାରିଥିବା ଜଣେ କର୍ମୀ କହିଥିଲେ, “ଆସ୍କା ବିଧାୟକ ଦେବରାଜ ମହାନ୍ତିଙ୍କୁ ଲୋକ ପସନ୍ଦ କରୁନାହାନ୍ତି। କାରଣ ସେ ଲୋକଙ୍କ ସହ ମିଶୁନାହାନ୍ତି।“ କନ୍ଧମାଳରେ ଏଥର ନୂଆ ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପ୍ରତି ବିପୁଳ ସମର୍ଥନ ଦେଖିବାକୁ ମିଳୁଥିବା ବେଳେ ବିଧାୟକ ପ୍ରାର୍ଥୀମାନଙ୍କୁ ନେଇ ଅନେକଟା ଅସନ୍ତୋଷ ବାରି ହୋଇପଡୁଛି। ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ବିରୋଧରେ ତାଙ୍କ ଦଳର ଅନେକ କର୍ମୀ ବିଦ୍ରୋହ କରୁଥିବାର ଖବର ମିଳୁଛି। ସମାନ କଥା ନବରଙ୍ଗପୁରରେ ଦେଖିବାକୁ ମିଳିଛି। ପାପଡାହାଣ୍ଡି ବଜାରରେ ଜଗମୋହନ ରାଓ ନାମକ ଜଣେ ଭୋଟର କହିଲେ, ସେ ସବୁବେଳେ ବିଜେଡି କୁ ଭୋଟ ଦେଇଥାନ୍ତି। ହେଲେ ଝରିଗାଁ ବିଧାୟକ ତଥା ମନ୍ତ୍ରୀ ଗତ କିଛି ବର୍ଷ ହେଲା ଭୁବନେଶ୍ବରିଆ ହୋଇ ଯାଇଛନ୍ତି!

ଆମର ଜନମତ ସଂଗ୍ରହ ବେଳେ କଂଗ୍ରେସର ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଭବାନୀପାଟଣା ବିଧାନସଭା ଲାଗି ବିଜେପିର ପ୍ରାର୍ଥୀ ପ୍ରଦୀପ୍ତ ନାୟକଙ୍କ ପ୍ରତି ସବୁ ଦଳର ସମର୍ଥକଙ୍କ ପ୍ରଶଂସା ଦେଖିବାକୁ ମିଳିଥିଲା। ନବରଙ୍ଗପୁରରେ ଲୋକେ ପ୍ରଦୀପ ମାଝିଙ୍କ ପ୍ରତି ବେଶ ଆସ୍ଥାବାନ ଲାଗୁଥିବା ବେଳେ, ବିଜେଡ଼ିର ନିର୍ବାଚନ ପରିଚାଳନା ଦକ୍ଷତା ଆଗରେ ସେ ଯେ ତିଷ୍ଠି ପାରିବେ ନାହିଁ, ଏ ପ୍ରକାର ସନ୍ଦେହ ଲୋକଙ୍କ ମନରେ ଆସୁଛି। ଭବାନୀପାଟଣା କୁ ଘେରି ରହିଥିବା ଜୁନାଗଡ, ଧରମଗଡ, ଲାଞ୍ଜିଗଡ ଓ ନର୍ଲା କ୍ଷେତ୍ରରେ ବିଜେପିର ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡାଙ୍କ ପ୍ରତି ଲୋକଙ୍କର ପ୍ରବଳ ବିରକ୍ତି ରହିଛି। ତେବେ ଏ ପ୍ରକାର ବିରୋଧ ସତ୍ତ୍ୱେ କଳାହାଣ୍ଡି ରେ ଏକ ପ୍ରକାର ବିଜେପି ହାୱା ଦେଖିବାକୁ ମିଳୁଛି। କଳାହାଣ୍ଡିର ତ୍ରିମୁଖୀ ଲଢେଇରେ କଂଗ୍ରେସର  ଭକ୍ତ ଚରଣ ଦାସ ଗୋଟେ ସମୟରେ ଆଗୁଆ ଥିଲେ, ହେଲେ ସମୟ କ୍ରମେ ତାଙ୍କ ପ୍ରତି ଲୋକ ସମର୍ଥନ କମୁଛି ବୋଲି, ଖୋଦ କଂଗ୍ରେସ କର୍ମୀମାନେ ସ୍ଵୀକାର କରିଛନ୍ତି। ଓଡିଶାର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ବିପକ୍ଷରେ ସୋନପୁର ସହର ଓ ତରଭା ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ରହିଛି। ତେବେ ଡୁଙ୍ଗୁରିପାଲି ଓ  ବିନିକା ଅଞ୍ଚଳରୁ ବେଶ ଭଲ ଭୋଟ ଗୋଟାଇପାରିବାର ଦକ୍ଷତା ରଖିଥିବା ଶ୍ରୀ ପୂଜାରୀ ସୋନପୁର ଅଞ୍ଚଳକୁ ଏକ ପ୍ରକାର ବିଜେପି ହାତକୁ ଟେକି ଦେଇଛନ୍ତି। ସ୍ଥାନୀୟ ନେତାଙ୍କ ପ୍ରତି ରହିଥିବା ଲୋକ ଅସନ୍ତୋଷର ପ୍ରଭାବ ଅନେକ ସମୟରେ ବିଜେପିର ଶକ୍ତି ବୃଦ୍ଧିରେ ସହାୟକ ହେଉଛି।

ଏ ପ୍ରକାର ପ୍ରତିକ୍ରିୟାର ପୃଷ୍ଠଭୂମିରେ ବିଜେଡି ଲାଗି ଏହା ମୁଣ୍ଡ ବିନ୍ଧାର କାରଣ ହେବ କି? ଏହାର ଉତ୍ତର ହେଉଛି ନା। କାରଣ ବିଜେପି ଓ କଂଗ୍ରେସ ଭାସମାନ ଭୋଟ ଉପରେ ନିର୍ଭର କରୁଥିବା ବେଳେ ପ୍ରତି ନିର୍ବାଚନ କ୍ଷେତ୍ରରେ ବିଜେଡ଼ିର ନିର୍ଦ୍ଦିଷ୍ଟ ଭୋଟ ଆଧାର ରହିଛି। ରାଜ୍ୟର ମହିଳା ଭୋଟର ଆଜି ମଧ୍ୟ ନବୀନଙ୍କ ପ୍ରତି ଆସ୍ଥାବାନ। । ସେହିପରି ବିଜେଡି ନିର୍ବାଚନ ପରିଚାଳନାର ଭିତିରି ରହସ୍ୟ ଭେଦ କରିବାରେ ଆଜି ମଧ୍ୟ କଂଗ୍ରେସ ଓ ବିଜେପି ଅସମର୍ଥ। ତେଣୁ ସ୍ଥାନୀୟ ସ୍ତରରେ ରହିଥିବା ଅସନ୍ତୋଷକୁ ଠିକଣା ସମୟରେ ବିଜେଡି ମୁକାବିଲା କରିପାରିବ ବୋଲି ଅନେକ ଭୋଟର ଭାବୁଛନ୍ତି। ତେଣୁ ନବୀନଙ୍କ କାନ୍ଧରେ ସବାର ହୋଇ ଆଜି ମଧ୍ୟ ବିଜେଡ଼ିର ଅନେକ ଅକର୍ମା ନେତା ସହଜ ବିଜୟ ପାଇଯାଇପାରନ୍ତି।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ପ୍ଲୋଷ୍ଟୋରରୁ ଡାଉନଲୋଡ କରନ୍ତୁ SANKHIPTA , ଡାଉନଲୋଡ ପରେ ମୋବାଇଲ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର)

Categories
ବିଶେଷ ଖବର

ହିଂଜିଳି ହାଲଚାଲ, ନବୀନଙ୍କ ପାଇଁ ନିଷ୍କଣ୍ଟକ ଭୂମି ଓ ହିଞ୍ଜିଳିରେ ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ

 ହିଂଜିଳିରୁ କେଦାର ମିଶ୍ର

ଏପ୍ରିଲ ୨ ତାରିଖ ସନ୍ଧ୍ୟା ଛ’ଟା ବେଳକୁ ଆମେ ହିଂଜିଳି ସୀମାରେ ପ୍ରବେଶ କଲା ବେଳେ ଆକାଶରେ କାଳ ବୈଶାଖୀର ଆଭାସ ସ୍ପଷ୍ଟ। ହିଞ୍ଜିଳିରୁ ପଞ୍ଚମ ଥର ଲାଗି ନିର୍ବାଚନ ଲଢୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ହିଂଜିଳି ବିଜୟ କେତେ ସହଜ ବା କେତେ କଠିନ ହେବ, ସେ ପ୍ରଶ୍ନ ନେଇ ଆମେ ହିଂଜିଳି ଭିତରକୁ ପଶୁଥିଲୁ। ତା ପୂର୍ବରୁ ଆସ୍କା ଲୋକସଭା ଅନ୍ତର୍ଗତ ଖଲ୍ଲିକୋଟ, କବିସୂର୍ଯନଗରଓ ଆସ୍କାରେ ଲୋକଙ୍କ ସହ କଥାବାର୍ତ୍ତାରୁ ଆମର ମନେ ହୋଇଥିଲା, ବୋଧେ ଏଥର ବିଜେଡି ପ୍ରଥମଥର ଲାଗି ଗଞ୍ଜାମ ଗଡରେ ବଡ ଆହ୍ୱାନର ସାମ୍ନା କରୁଛି। ବିଜେପିର ଆକ୍ରମଣାତ୍ମକ ପ୍ରଚାର ଆଗରେ ବିଜେଡି ପ୍ରଚାର ଟିକେ ମାନ୍ଦା ମଧ୍ୟ ଲାଗିଥିଲା। ତେବେ ପିତ୍ତଳରେ ପହଞ୍ଚିଲା ବେଳକୁ ଆମକୁ ଲାଗିଥିଲା ଆମେ ଗୋଟେ ନୂଆ ଇଲାକାରେ ପ୍ରବେଶ କରୁଛୁ। ଗୋଟେ ବିକଶିତ ଅଞ୍ଚଳର ସବୁ ସଙ୍କେତ ହିଞ୍ଜିଳିର ରାସ୍ତାରୁ ମିଳିଯାଉଛି। ପିତ୍ତଳ ବଜାରରେ କିଛି ଲୋକଙ୍କ ଭିଡ ଥିଲା। ଆମେ ପଚାରିଥିଲୁ,ଏଥର ବିଜେପି ନବୀନଙ୍କ ବିରୋଧରେ ଜଣେ ଟାଣୁଆ ପ୍ରାର୍ଥୀ ଦେଇଛି। ସେ କହୁଛନ୍ତି, ନବୀନ ହାରି ସାରିଲେଣି। କଣ ସତ? ଏକା ସାଙ୍ଗରେ ହୋ ହୋ ହୋଇ ହସି, ଲୋକେ କହିଲେ, କହିବାରେ କିସ ଅଛି ଆଜ୍ଞା। ହିଞ୍ଜିଳିରେ କେବଳ ନବୀନ।

ହିଞ୍ଜିଳି ବଜାରକୁ ପହଞ୍ଚିଲା ବେଳେ ଆରମ୍ଭ ହୋଇଗଲା, କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା। ଗୋଟେ ଚା ଦୋକାନରେ ପଶୁ ପଶୁ ଆମେ ଦେଖିଲୁ ଦଶଜଣ ଲୋକ ଗପୁଛନ୍ତି। ସେଠି ଆମେ ଟିକେ ପ୍ରସଙ୍ଗ ବଦଳାଇବାକୁ ଚାହିଁଲୁ। ପ୍ରଶ୍ନ ଥିଲା- ନବୀନ ବାବୁ ଏଥର ହିଞ୍ଜିଳି ସହ ବିଜେପୁରରୁ ବି ଲଢୁଛନ୍ତି। ଶୁଣାଯାଉଛି, ସେ ବିଜପୁରରୁ ଜିତିଲେ, ହିଂଜିଳି ଛାଡିବେ। ସେମିତି ହେଲେ ଆପଣମାନେ କଣ କରିବେ? ତେବେ ଲୋକଙ୍କ ଉତ୍ତର ଥିଲା ଆହୁରି ଚମକପ୍ରଦ। ଆମେ ବି ସେୟା ଶୁଣୁଛୁ, ହେଲେ ତାର କିଛି ଫରକ ପଡିବନି। କାରଣ ନବୀନଙ୍କ ପରେ ତାଙ୍କ ପୁତୁରା ହିଞ୍ଜିଲିରୁ ଲଢିବେ। ଏ ଉତ୍ତର ଆମପରି ସାମ୍ବାଦିକଙ୍କ ଲାଗି ଗୋଟେ ପ୍ରକାର ବିସ୍ମୟ। ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ ଆଜିଯାଏ ଉଠିନାହିଁ। ହେଲେ ହିଂଜିଳି, ଶେରଗଡ ଇତ୍ୟାଦି ଅଞ୍ଚଳରେ ଏହାକୁ ନେଇ ଢେର ଚର୍ଚ୍ଚା।

ନବୀନଙ୍କ ବିକଳ୍ପ ତାଙ୍କ ଭୋଟରମାନେ କଳ୍ପନା କରିସାରିଛନ୍ତି। ଅର୍ଥାତ ନବୀନଙ୍କ ଛାୟାରୁ ମୁକୁଳିବାର ଆଗ୍ରହ ହିଞ୍ଜିଳିବାସୀଙ୍କର ନାହିଁ। ହିଞ୍ଜିଳିରେ ନବୀନ ହାରିବେ ବୋଲି ଆପଣ ଯଦି କହିବେ, ଲୋକେ ଆପଣଙ୍କୁ ପାଗଳ କିମ୍ବା ନିର୍ବୋଧ ବୋଲି କହିବେ। ଏପରିକି ବିଜେପି ଓ କମ୍ୟୁନିଷ୍ଟ ପତାକାଧାରୀଙ୍କ ମତ ମଧ୍ୟ ସେୟା। ଗୋଟେ ବିଜେପି ପ୍ରଚାରଗାଡିକୁ ଅଟକାଇ ଆମେ ଜାଣିବାକୁ ଚାହିଁଥିଲୁ, ତାଙ୍କ ପ୍ରଚାର କେମିତି ଚାଲିଛି। ଉତ୍ତର ଆସିଲା, ଏଠି ନବୀନ ଛଡା ଆଉ କିଛି ନାଇଁ।

ଚାରିଥର ନିର୍ବାଚନ ଜିଣି ମୁଖ୍ୟମନ୍ତ୍ରୀ ହେବା ପରେ ଓ ପଞ୍ଚମଥର ନୂଆ ଏକ ନିର୍ବାଚନ ମଣ୍ଡଳୀ ବାଛିବା ସତ୍ତ୍ୱେ ନବୀନଙ୍କ ପ୍ରତି ତାଙ୍କ ଭୋଟର ବିମୁଖ ହେଉନାହାନ୍ତି କାହିଁକି? ଏହାର ଉତ୍ତର ହିଂଜିଳି –ଶେରଗଡ ଓ ଶେରଗଡ ସୋରଡା ରାସ୍ତାରୁ ମିଳିଯିବ। ରାଜ୍ୟ ରାଜପଥ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏ ଅଞ୍ଚଳର ଯୋଗାଯୋଗ ଅଦ୍ଭୁତ ଭାବରେ ବିକଶିତ ହୋଇଛି। ସତ କହିବାକୁ ଗଲେ ଗତ ଚାରିଦିନ ଧରି ଭୁବନେଶ୍ବରରୁ ବାହାରି ଆମେ କୋରାପୁଟ ପର୍ଯନ୍ତ ପ୍ରାୟ ୨୦୦୦ କିଲୋମିଟର ରାସ୍ତା ବୁଲିଲୁଣି। ସବୁଠି ରାସ୍ତା ଚକାଚକ। ସେତେବଳେ ଏଡିଆରର ଗୋଟେ ସର୍ବେକ୍ଷଣ କହୁଛି, ଓଡିଶାରେ ରାସ୍ତାଘାଟର ଅବସ୍ଥା କୁଆଡେ ଖରାପ! ମୁଁ ବୁଝିପାରୁନି, କାହାକୁ ବିଶ୍ଵାସ କରିବି, ନିଜକୁ ନା ସର୍ବେକ୍ଷଣକୁ? ରାଜ୍ୟର ସବୁ ରାସ୍ତା ପରି ହିଂଜିଳି ରାସ୍ତା ମଧ୍ୟ ଭଲ। ଏଥିରେ ଅଲଗା କଣ ଅଛି? ରାମକୃଷ୍ଣ ସାହୁ ନାମକ ଜଣେ ହିଞ୍ଜିଳି ଭୋଟର କହିଥିଲେ, ହିଞ୍ଜିଳିରେ ଗତ ପାଞ୍ଚବର୍ଷ ଧରି ଯାହା ଘଟିଛି, ସେକଥା ଆମ କଳ୍ପନା ବାହାରେ।

ହିଞ୍ଜିଳିରେ ୟା ଭିତରେ ବହୁ ଅନୁଷ୍ଠାନ ଗଢି ଉଠୁଛି। ମେଡିକାଲ କଲେଜ, ଆଇଟିଆଇ, ପାର୍କ, ସବୁ ସରକାରୀ କୋଠାର ଚେହେରା ଚମତ୍କାର। ଜଣେ ବିଜେପି କର୍ମୀ ରାଗିକି କହିଲେ, ବୁଢାବୁଢି ଓ ମା’ ମାନେ ତ ନବୀନବାବୁକୁ ବିନା ପ୍ରଶ୍ନ ରେ ଭୋଟ ଦେବେ। ଆମେ ଯେତେ ପାଟି କଲେ କଣ ହେବ ? ତେବେ ନବୀନ ବାବୁଙ୍କ ନିର୍ବାଚନମଣ୍ଡଳୀରେ ଆଉ ଦୁଇଟି ପ୍ରସଙ୍ଗ ମଧ୍ୟ ଏଥର ମୁଣ୍ଡ ଟେକିଛି। ଆସ୍କା ଲୋକସଭା ପ୍ରାର୍ଥିନୀ ପ୍ରମିଳା ବିଶୋୟୀଙ୍କୁ ନେଇ ତଥାକଥିତ ଶିକ୍ଷିତ ଅଶିକ୍ଷିତ ପ୍ରସଙ୍ଗଟି ଏଥର ଆସ୍କାରେ ବେଶ ଚର୍ଚ୍ଚାରେ ରହିଛି। ଟିଭି ଦେଖୁଥିବା ସହରୀ ଯୁବାଙ୍କ ମନରେ ମୋଦୀ ଆଗ୍ରହ ବଢୁଛି। ତହିଁରୁ ଏକ ଛୋଟ ଅଂଶ ଓଡିଶାରେ ନବୀନ ଓ କେନ୍ଦ୍ରରେ ମୋଦୀ ଭଳି ଚିନ୍ତା କରୁଛନ୍ତି। ଏକଦା ଶେରଗଡ ଓ ହିଂଜିଳି କମ୍ୟୁନିଷ୍ଟମାନଙ୍କ ଦୁର୍ଗ ଥିଲା। ଏଥର ଆସ୍କା ଲୋକସଭାରେ ସିପିଆଇ ର ରାମକୃଷ୍ଣ ପଣ୍ଡା କଂଗ୍ରେସ ସହଯୋଗରେ ନିର୍ବାଚନ ଲଢୁଛନ୍ତି। ହେଲେ ହିଞ୍ଜିଳିରେ କମ୍ୟୁନିଷ୍ଟମାନେ କାହାନ୍ତି ?

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )