Categories
ବିଶେଷ ଖବର

ପ୍ରମିଳା ବିଷୋୟୀ ଲୋକସଭାକୁ ଗଲେ କହିବେ କଣ ଓ କରିବେ କଣ- ଏ ପ୍ରଶ୍ନ ପଚାରିବାକୁ ଆମେମାନେ କେତେ ଯୋଗ୍ୟ ?

କେଦାର ମିଶ୍ର

ପ୍ରମିଳା ବିଷୋୟୀ, ବୟସ ସତୁରୀ, ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ବୃତ୍ତିରେ ସମାଜସେବୀ। ତାଙ୍କୁ ଆସ୍କା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ କରାଗଲା ପରେ ହଠାତ ତାଙ୍କର ଦକ୍ଷତା ଓ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠା ହେଉଛି। ଏ ଦେଶର ଲୋକସଭାରେ ଜଣେ ଅଳ୍ପ ପାଠ ପଢିଥିବା ମହିଳା କଣ କରିପାରିବେ ବୋଲି ସନ୍ଦେହ ପ୍ରକଟ କରାଯାଉଛି। ସନ୍ଦେହ ଉଠିବା ସ୍ଵାଭାବିକ। ବିଜେଡି ଟିକେଟ ପାଇଲା ପରେ ପ୍ରମିଳାଙ୍କୁ ଜଣେ ସାମ୍ବାଦିକ ସେକଥା ପଚାରିଲେ ମଧ୍ୟ। ଏହାର ଉତ୍ତରରେ ପ୍ରମିଳା ଯାହା କହିଲେ, ତାହା ମୋ ମତରେ ମୁଁ ଶୁଣିଥିବା ସବୁଠୁ ଚମତ୍କାର ଉତ୍ତରମାନଙ୍କ ଭିତରୁ ଅନ୍ୟତମ। ପ୍ରମିଳାଙ୍କ କହିବା କଥା ହେଲା, ମୁଁ ଭଲ ଓଡିଆ ପଢିପାରେ ଓ ଲେଖିପାରେ। ଲୋକସଭାରେ ସେଟା କଣ ଯଥେଷ୍ଟ ନୁହେଁ? ଲୋକସଭା ଯଦି ଲୋକଙ୍କର ସଭା ତାହେଲେ ସେଠି ଲୋକଙ୍କର ଭାଷା କାହିଁକି ଚଳିବ ନାହିଁ? ପ୍ରମିଳାଙ୍କ ଶିକ୍ଷାଗତ ଯୋଗ୍ୟତା ତୁଳନାରେ ପ୍ରମିଳାଙ୍କ ଅଭିଜ୍ଞତା ଓ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରାଇବାରେ ତାଙ୍କର ଭୂମିକା ତାଙ୍କର ଯୋଗ୍ୟତା ହେବନାହିଁ କାହିଁକି? ଗଞ୍ଜାମ ଜିଲ୍ଲାରେ ହଜାର ହଜାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଏକତ୍ରୀତ କରି ମହିଳାଙ୍କ ପାଇଁ  ଆର୍ଥିକ ସ୍ଵାଧୀନତା ଯୋଗାଇବାରେ ଯେଉଁ ଭଦ୍ର  ମହିଳା ଅତ୍ୟନ୍ତ ଦକ୍ଷ ଭୂମିକା ତୁଲାଇଛନ୍ତି, ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ଆମର ନିର୍ବୋଧତା ନୁହେଁ କି?

ଶିକ୍ଷାଗତ ଯୋଗ୍ୟତା ରାଜନୀତିରେ ଏକମାତ୍ର ମାପକାଠି ନୁହେଁ। ଆଜିର ପ୍ରଧାନମନ୍ତ୍ରୀ ଅନେକ ସମୟରେ “ହାର୍ଭାର୍ଡ ବନାମ ହାର୍ଡ ୱାର୍କ” ପ୍ରସଙ୍ଗ ଉଠାଇଛନ୍ତି। କେବଳ ପାଠ ପଢିଦେଲେ ରାଜନୀତିରେ ପରିବର୍ତ୍ତନ ଆସିବ ନାଇଁ। ପାଠ ସହିତ ସାମାଜିକ ଓ ରାଜନୈତିକ ଅଭିଜ୍ଞତା ରାଜନୀତି ଲାଗି ବେଶୀ ପ୍ରାସଙ୍ଗିକ। ଆଜି ସାରା ଦେଶରେ ଅନେକ ମହିଳା ନେତ୍ରୀ ଅଛନ୍ତି, ଯେଉଁ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ହୁଏତ କମ, କିନ୍ତୁ ରାଜନୀତିରେ ସେମାନଙ୍କର ଯୋଗଦାନ ଅନେକ ପ୍ରଭାବଶାଳୀ ସାମାଜିକ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇ ପାରିଛି। ଗ୍ରାମ ପଞ୍ଚାୟତ ସ୍ତରରେ ଏହି ମହିଳାମାନେ ଇ ପରିବର୍ତ୍ତନର ସୂତ୍ରଧର ସାଜିଛନ୍ତି। ଅନେକ ସରପଞ୍ଚ ଅଛନ୍ତି, ଯେଉଁ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ହୁଏତ ପ୍ରଥମ ବା ଦ୍ଵିତୀୟ ଶ୍ରେଣୀ, କିନ୍ତୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ମହିଳାମାନେ ବିରାଟ ପରିବର୍ତ୍ତନ ଆଣିଛନ୍ତି।

ଓଡିଶାରେ  ମହିଳା ସଶକ୍ତିକରଣ ଓ ଆର୍ଥିକ ଦୃଷ୍ଟିରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବାର ଉଦ୍ୟମ ଯୋଗୁଁ ଗ୍ରାମୀଣ ସ୍ତରରେ ଅନେକ ଉଦ୍ୟୋଗୀ ବାହାରିଛନ୍ତି। ଏମାନେ ସ୍ଥାନୀୟ ଓ ଘରୋଇ ଉତ୍ପାଦନର ବଜାର ସୃଷ୍ଟି କରି ବିରାଟ ଉଦାହରଣ ପାଲଟିଛନ୍ତି। ନଳବନ୍ତ ଗାଁ ର ସତସଙ୍ଗ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଭୂମିକାରେ ପ୍ରମିଳା ବିଷୋୟୀଙ୍କ ଭୂମିକା କେବଳ ଆଜି ନୁହଁ, ବରଂ ବହୁ ଆଗରୁ ଚର୍ଚ୍ଚିତ। ତାଙ୍କୁ ଆଜି ବିଜୁ ଜନତା ଦଳ ଲୋକସଭା ଟିକଟ ଦେଇଛି ବୋଲି ସେ ଯେ ଚର୍ଚ୍ଚିତ, ସେକଥା କହିବା ଭୁଲ ହେବ। ବରଂ, ଗଣତନ୍ତ୍ରର ଅସଲ ଆଦର୍ଶ ହେଉଛି ପ୍ରମିଳା ବିଷୋୟୀମାନଙ୍କୁ ଏ ଦେଶର ନୀତି ଓ ନିୟମ ପ୍ରଣୟନରେ ପ୍ରମୁଖ ଭୂମିକା ଦେବା। ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଏମାନେ ଯେଉଁ ଉଲ୍ଲେଖନୀୟ ଅଭିଜ୍ଞତା ହାସଲ କରିଛନ୍ତି, ତାକୁ ସର୍ବୋଚ୍ଚ ନୀତି ପ୍ରଣୟନ କ୍ଷେତ୍ରରେ ଉପଯୋଗ କରିବା ଆମ ଗଣତନ୍ତ୍ରର ପ୍ରଧାନ ଲକ୍ଷ୍ୟ ହେବା ଉଚିତ।

ପ୍ରମିଳାଙ୍କ ପରି ଅଭିଜ୍ଞ ନେତ୍ରୀଙ୍କୁ ହୁଏତ ତାତ୍ସଲ୍ୟ କରିବା ସହଜ। ସେ ଲୋକସଭାରେ କଣ କରିପାରିବେ ବା କହିପାରିବେ  ବୋଲି କହି ତାଙ୍କୁ ତୁଚ୍ଛ କରିଦେବା ମଧ୍ୟ ସହଜ। ହେଲେ ପ୍ରମିଳା ବିଷୋୟୀମାନେ ଯେତେବେଳେ କହିବା ଆରମ୍ଭ କରନ୍ତି ସେତେବେଳେ ବହୁ ଉଚ୍ଚ ଶିକ୍ଷିତଙ୍କ ପାଟି ଥମ ହୋଇଯାଏ। ସାମାଜିକ ଜୀବନରେ ଏମାନେ ଏମିତି ଅଭିଜ୍ଞତା ହାସଲ କରି ଆସିଥାନ୍ତି, ଯାହାକି ଶିକ୍ଷିତଙ୍କ ପାଇଁ ସାତସ୍ଵପ୍ନ। ଶିକ୍ଷାକୁ କେବଳ ଏକ ସାର୍ଟିଫିକେଟ ବୋଲି ଭାବୁଥିବା ଲୋକଙ୍କ ପାଇଁ ପ୍ରମିଳା ବିଷୋୟୀ ହୁଏତ ଗ୍ରହଣୀୟ ହୋଇ ନପାରନ୍ତି, କିନ୍ତୁ ଦେଶର ସର୍ବୋଚ୍ଚ ବିଧାୟକ ସଭାରେ ଏ ପ୍ରକାର ନେତୃତ୍ବର ସର୍ବାଧିକ ଆବଶ୍ୟକତା ରହିଛି।

ଶେଷରେ ଏକ ବ୍ୟକ୍ତିଗତ ଅନୁଭବର କଥା କହି ଏ ପ୍ରସଙ୍ଗକୁ ସାରିବା। ୧୯୯୦ ଓଡିଶା ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ଫେରିବେ ବୋଲି ପ୍ରବଳ ହାୱା ବୋହୁଥାଏ। ସେତେବେଳେ ଆମେ ସବୁ କଲେଜ ଛାତ୍ର। ଆମ ସୋନପୁର ନିର୍ବାଚନ ମଣ୍ଡଳୀରୁ କୁନ୍ଦୁରୁ କୁଶଳ ନାମକ ଜଣେ ଇଟାଭାଟି ଶ୍ରମିକଙ୍କୁ ବିଜୁ ବାବୁ ଜନତା ଦଳର ଟିକଟ ଦେଉଛନ୍ତି ବୋଲି ଆମେ ଶୁଣୁଥିଲୁ। କୁନ୍ଦୁରୁ ବାବୁ ପ୍ରାୟ ନିରକ୍ଷର। ଏହାର ପ୍ରତିବାଦ କରିବାକୁ ଆମେ ପ୍ରାୟ ୨୦ ଜଣ ଯୁବକ ଓ ଛାତ୍ର ସେତେବେଳେ ନବୀନ ନିବାସକୁ ଆସିଥିଲୁ। ସେତେବେଳେ ବିଜୁ ବାବୁ ଆମକୁ କହିଥିଲେ- “ଗେଟ ଆଉଟ, କାନ୍ଦୁରୁ ଏ ରାଜ୍ୟର ସବୁଠୁ ଭଲ ବିଧାୟକ ହେବ”। ଆମେ ସବୁ ସେତେବେଳେ ବିଜୁ ବାବୁଙ୍କ ଉପରେ ରାଗିକି ନବୀନ ନିବାସରୁ ଫେରିଥିଲୁ। ପରବର୍ତ୍ତୀ ସମୟରେ କୁନ୍ଦୁରୁ ବାବୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ସୋନପୁରରେ ବହୁ ଶିକ୍ଷିତ ବିଧାୟକ ଯାହା କରିବାକୁ ସମର୍ଥ ହୋଇନଥିଲେ, କୁନ୍ଦୁରୁଙ୍କ ନେତୃତ୍ଵରେ ତାହା ସଫଳ ହୋଇଥିଲା। ଆଜି ବି ସୋନପୁରର ସବୁଠୁ ସଫଳ ଓ ଲୋକପ୍ରିୟ ବିଧାୟକ ଭାବରେ ସ୍ଵର୍ଗତ କୁନ୍ଦୁରୁ କୁଶଳଙ୍କୁ ଲୋକ ମନେ ରଖିଛନ୍ତି। ସବୁଠୁ ଦୁଃଖର କଥା ହେଉଛି, ୧୯୯୦ ରେ ଯେଉଁ ଶିକ୍ଷିତ ନେତାଙ୍କ ଲାଗି ଆମେ ବିଜୁ ବାବୁଙ୍କ ପାଖରେ ଲବି କରିବାକୁ ଆସିଥିଲୁ ସେ ପରବର୍ତ୍ତୀ ସମୟରେ ଜଣେ ନିଶାଖୋର ବ୍ୟକ୍ତି ସାବ୍ୟସ୍ତ ହେଲେ।

ଏକଥା କହିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଗଣତନ୍ତ୍ରରେ କୁନ୍ଦୁରୁ କୁଶଳ ଓ ପ୍ରମିଳା ବିଷୋୟୀମାନେ ଲୋକଙ୍କର ଆଶା ତଥା ଅଭୀପ୍ସାକୁ ଯେମିତି ବୁଝନ୍ତି, ସେମିତି ବୋଧଶକ୍ତି ଆମ ତଥାକଥିତ ଉଚ୍ଚ ଶିକ୍ଷିତଙ୍କ ପାଖରେ ନାହିଁ।

Categories
ବିଶେଷ ଖବର

ବିଜେଡି ପ୍ରତି ଆଗ୍ରହ ଦେଖାଉଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ। ପୁଅଝିଅଙ୍କୁ ବିଜେଡିରେ ଥଇଥାନ ପାଇଁ ଚାଲିଛି ଡିଲ,କଣ ରହିଛି ଦାମଙ୍କ ଡିଲ ?

ସମୀକ୍ଷା ବ୍ୟୁରୋ

ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କୁ ନେଇ ବର୍ତ୍ତମାନ ଉଡୁଛି ବଡ ଖବର। ତାହା ହେଉଛି ଦାମ ପୁଣି ଥରେ ବିଜେଡି ଆଡକୁ ଢଳିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଖବର ବର୍ତ୍ତମାନ ଭୁବନେଶ୍ବର ରାଜନୀତିକୁ ସରଗରମ କରିଦେଇଛି। ବିଜେଡିରୁ ବହିସ୍କୃତ ହେବା ପରେ ଦାମ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ପ୍ରଚାର ହେଲା। ଏହାପରେ ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲା। ଏହା ସତ ଯେ, ଦାମ ବିଜେପିରେ ମିଶିବା ପାଇଁ ନୂଆ ଦିଲ୍ଲୀରେ ଡେରା ପକାଇଥିଲେ। ହେଲେ ବିଜେପି ସହିତ ଦାମ କଣ ଡିଲ କରିବାକୁ ଚାହୁଁଥିଲେ କେଜାଣି ତାଙ୍କର ବିଜେପି ଯିବାର ସ୍ବପ୍ନ ସାକାର ହେଲା ନାହିଁ। ସବୁଆଡୁ ବିଫଳ ହେବା ପରେ ଶେଷରେ ଦାମ ଆଉ ଏକ ଗୋଟି ଚଳାନା କରିଛନ୍ତି। ତାହା ହେଉଛି ବିଜେଡି। ବର୍ତ୍ତମାନ ଦାମ ନିଜ ପାଇଁ ନ ହେଲା ନାହିଁ ବିଜେଡିରୁ କିପିର ତାଙ୍କ ପୁଅ ଓ ଝିଅ ଟିକେଟ ପାଇବେ ସେ ନେଇ ଚେଷ୍ଠା ଆରମ୍ଭ କରିଥିବା ଜଣାପଡିଛି। ପୁଅ ସମ୍ବିତଙ୍କୁ ପାରାଦ୍ବୀପ ଏବଂ ଝିଅ ପ୍ରୀତିନନ୍ଦାଙ୍କୁ ଭୁବନେଶ୍ବର ଉତ୍ତର ବିଧାନସଭା ପାଇଁ ବିଜେଡିରୁ ଟିକେଟ ଦେବାକୁ ଚଳାଇଛନ୍ତି ଚେଷ୍ଠା। ଭିତିରି ଖବର ଅନୁସାରେ ଦାମଙ୍କ ଏହି ପ୍ରସ୍ତାବରେ କୁଆଡେ ବିଜେଡି ବଡପଣ୍ଡାମାନେ ରାଜି ହୋଇଛନ୍ତି। ହେଲେ ସେମାନେ ମଧ୍ୟ କେତେକ ସର୍ତ୍ତ ରଖିଛନ୍ତି। ତାହା ହେଲା

1-ପାରାଦ୍ବୀପରେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ଦିଆଯିବ, ହେଲେ ତାଙ୍କ ପାଇଁ ଦାମ ସମସ୍ତ ସହଯୋଗର ହାତ ବଢାଇବେ। ପ୍ରଚାର କରିବେ ଏବଂ ସେ କେମିତି ଜିତିବେ ସେ ଦାୟିତ୍ବ ଦାମ ନେବେ।

2- ତାଙ୍କର ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ବିଧାୟକ ଟିକେଟ ଦିଆଯିବ ନାହିଁ। ବରମ୍ ତାଙ୍କୁ ଭୁବନେଶ୍ବର ମହାନଗରର ନିଗମର ମେୟର କରାଯିବ। ପ୍ରୀତି ଭୁବନେଶ୍ବରର କର୍ପୋରେଟର ଥିଲେ, ସେ ଭୁବନେଶ୍ବର ମହାନଗରର ରାଜନୀତି ସହ ଜଡିତ ଥିବାରୁ ବିଜେଡି ଏହି ପ୍ରସ୍ତାବ ଦେଇଛି।

3-ଯେଉଁ ଶେଷ ପ୍ରସ୍ତାବ ରହିଛି ତାହା ହେଲା ଦାମ କୌଣସି ଦଳରେ ସାମିଲ ହେବେ ନାହିଁ  କି ସେ ବିଜେଡିରେ ଯୋଗ ଦେବେ ନାହିଁ। ହେଲେ ପରୋକ୍ଷରେ ବିଜେଡିକୁ ସାହାଯ୍ୟ କରିବେ।

ଏହି ପ୍ରସ୍ତାବ ଦାମଙ୍କୁ ଦିଆଯିବା ପରେ ସେ କୁଆଡେ ଏହାକୁ ନେଇ ଚିନ୍ତା କରୁଛନ୍ତି। ଏପରିକି ଏଥିରେ ରାଜି ହେବା ପାଇଁ ପାରିବାରିକ ଚାପ ପ୍ରବଳ ପଡୁଛି। ପ୍ରଥମ ଦୁଇଟି ପ୍ରସ୍ତାବ ନିଜେ ଦାମ ଦେଇଥିବାରୁ ସେଥିରେ କିଛି ଆପତ୍ତି ନାହିଁ। ହେଲେ ଶେଷ ପ୍ରସ୍ତାବର ଦାମ ସଂଶୋଧନ କରିବା ପାଇଁ ଚାହାଁନ୍ତି। ତାହା ହେଲା ସେ ବିଜେଡିରେ ପୁଣି ଥରେ ଯୋଗ ଦେବେ କି ନ ଦେବେ ତାହା ଭିନ୍ନ କଥା। ହେଲେ ବିଜେଡି ତାଙ୍କ ଉପରୁ ବହିସ୍କାର ଆଦେଶ ପ୍ରତ୍ୟାହାର କରୁ ବୋଲି ଦାମ ଚାହାଁନ୍ତି। ଏଥିସହିତ ସେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସହିତ ସିଧା କଥା ହେବା ପାଇଁ ଚାହାଁନ୍ତି ବୋଲି ଜଣାପଡିଛି। ହେଲେ ବିଜେଡିର ଯେଉଁ ବରିଷ୍ଠ ନେତାମାନେ ମଧ୍ୟସ୍ଥି କରୁଛନ୍ତି ସେମାନେ ନବୀନଙ୍କ ସହିତ ଦାମଙ୍କ ଭେଟଘାଟକୁ ବିରୋଧ କରୁଛନ୍ତି। କାରଣ ଦାମଙ୍କ ତୁଣ୍ଡରେ ନିୟନ୍ତ୍ରଣ ନ ଥିବାରୁ ସେ କାଳେ କଣ କହିଦେବେ ସେହି ଭୟ ସମସ୍ତଙ୍କୁ ଗୋଡାଇଛି। ପୁଣି ଥରେ ଦାମଙ୍କ ଅନୁରୋଧକୁ ବଡପଣ୍ଡାମାନେ ପରିବର୍ତ୍ତନ କରି ତାଙ୍କ ସହିତ ଆଲୋଚନା କରିଛନ୍ତି। ତାହା ହେଲା ପ୍ରଥମେ ଦାମ ଏହି ତିନୋଟି ସର୍ତ୍ତରେ ସଂପୂର୍ଣ୍ଣ ରାଜି ହୁଅନ୍ତୁ। ନବୀନଙ୍କ ସହିତ ଭେଟଘାଟ ପରବର୍ତ୍ତି ସମୟରେ ଅର୍ଥାତ ନିର୍ବାଚନ ପରେ କରାଯିବ ବୋଲି ଜଣାଇ ଦିଆଯାଇଛି। ହେଲେ ଦାମ କୁଆଡେ ଏଥିରେ ରାଜି ହେଉ ନ ଥିବାର ଜଣାପଡିଛି। ସେ ମଧ୍ୟସ୍ଥିଙ୍କୁ ପୁଣି କହିଛନ୍ତି ଯେ, ଏହି ସର୍ତ୍ତଗୁଡିକ ନବୀନ ଖୋଦ ତାଙ୍କ ପାଟିରେ କୁହନ୍ତୁ। ତାହା ହେଲେ ମୁଁ ବାହାରେ ରହି ବିଜେଡିକୁ ସଂପୂର୍ଣ୍ଣ ସାହାର୍ଯ୍ୟ କରିବି ବୋଲି ଦାମ ସଫାସଫା ଶୁଣେଇ ଦେଇଛନ୍ତି। ଏହାକୁ ନେଇ ପୁଣି ଥିରେ ବିଜେଡି ବଡପଣ୍ଡାମାନେ ଚିନ୍ତା କରୁଛନ୍ତି। ଏପରିକି ତାଙ୍କୁ ନବୀନ ନିବାସ ଡାକିବା ପାଇଁ ମଧ୍ୟ ଯୋଜନା ଚାଲିଛି ବୋଲି ଜଣାପଡିଛି।

ବର୍ତ୍ତମାନ ପାରାଦ୍ବୀପର ଯାହା ପରିସ୍ଥିତି ସେଠାରେ ଦାମ ହିଁ ଏକମାତ୍ର ଭରସା ବୋଲି ବିଜେଡି ଜାଣିସାରିଲାଣି। ତାଙ୍କୁ ବାହାର କରି ତାଙ୍କୁ ପୁଅଙ୍କୁ ଟିକେଟ ଦେବା ପାଇଁ ବିଜେଡି ନିଷ୍ପତି କରିଛି। ହେଲେ ଏହାକୁ ନେଇ ବିରୋଧୀ କାଳେ ପରିବାର ଭିତରେ ବିଜେଡି ଫାଟ ସୃଷ୍ଟି କରୁଛି ବୋଲି ସମାଲୋଚନା କରିବେ ସେ ଭୟ ରହିଛି। ଯେହେତୁ ଜଗତସିଂହପୁର ଜିଲ୍ଲାରେ ଦାମଙ୍କ ସଂଗଠନ ରହିଛି ସେଥିପାଇଁ ତାଙ୍କୁ ହାତଛଡା ନ କରିବା ପାଇଁ ବିଜେଡି ଚାହୁଁଛି। ଅନ୍ୟପକ୍ଷରେ ନିଜେ ଦାମ ବିଜେଡିରୁ ବହିସ୍କୃତ ହେବା ପରେ ରାଜନୀତିରୁ ସେ ଏକ ପ୍ରକାରର ସନ୍ୟାସ ନେବା ଅବସ୍ଥା ହୋଇଯାଇଛି। କାରଣ ମହାମେଣ୍ଟ କରି ବିଜେଡିକୁ ଟକ୍କର ଦେବେ ବୋଲି ଯେଉଁ ଆଶା କରିଥିଲେ,ତାହା ହେଲା ନାହିଁ। କାରଣ ଦାମ ଭାବିଥିଲେ ହେଲେ ଯେ, ମହାମେଣ୍ଟ ଗଠନ କଲେ ସେଥିରେ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଏବଂ ପଞ୍ଚାନନ କାନୁନଗୋ ପରି ବଡବଡ ହସ୍ତୀମାନେ ଯୋଗଦେବେ। ହେଲେ ବୈଜୟନ୍ତ ବିଜେପିରେ ଯୋଗ ଦେଇଦେଲେ, ବିଜୟ ଏବଂ ଦିଲ୍ଲୀପ ଦାମଙ୍କୁ ସହଯୋଗ କଲେ ନାହିଁ। ଫଳରେ ଦାମ ଦିଗହରା ହୋଇ ବିଜେପି ସହିତ ସାମିଲ ହେବେ ବୋଲି ଚେଷ୍ଠା ଆରମ୍ଭ କଲେ। ଏପରିକି ଦିଲ୍ଲୀ ଯାଇ ସେଠାରେ ଲବି ମଧ୍ୟ କରିଥିଲେ। କଣ ହେଲା କେଜାଣି ଓଡିଶା ଫେରି ଦାମ କହିଲେ ଯେ କୈଣସି ନିଷ୍ପତି ହୋଇ ନାହିଁ। ମହାମେଣ୍ଟ, କଂଗ୍ରେସ ଏବଂ ବିଜେପିରୁ ନିରାଶ ହେବା ପରେ ଶେଷରେ ତାଙ୍କ ହାତଗଢା ଦଳ ବିଜେଡି ଆଡକୁ ଢଳିବା ପାଇଁ ଦାମ ବାଧ୍ୟ ହେଉଛନ୍ତି ବୋଲି କୁହାଯାଇପାରେ।