ପ୍ରଖ୍ୟାତ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

Published: Sep 28, 2023, 10:46 pm IST
MSSwaminathan1

ଭୁବନେଶ୍ବର: ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ।

ଆହୁରି କହିଛନ୍ତି ଯେ, ଭାରତରେ ସବୁଜ ବିପ୍ଳବର ପିତା ଭାବରେ ଜଣାଶୁଣା ଡ ସ୍ବାମୀନାଥନ୍ ଭାରତର କୃଷି କ୍ଷେତ୍ରକୁ ବୈପ୍ଳବିକ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ କୃଷକଙ୍କ ଅବସ୍ଥାରେ ସୁଧାର ଆଣିଥିଲେ। ସେ ସାରା ଜୀବନ ଟେକ୍ନୋଲୋଜି ମାଧ୍ୟମରେ କୃଷକଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ ଏବଂ କୃଷକମାନଙ୍କ ପାଇଁ ଉପଯୁକ୍ତ ନୀତି ପାଇଁ ମଧ୍ୟ ଉଦ୍ୟମ କରିଥିଲେ।

ଓଡିଶା ସହିତ ତାଙ୍କର ସମ୍ପର୍କକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଓଡିଶାରେ ତାଙ୍କର ପ୍ରଥମ ଗବେଷଣା ଆରମ୍ଭ କରିଥିଲେ। ରାଜ୍ୟର କୃଷକମାନଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବା ପାଇଁ ସେ ସର୍ବଦା ଚେଷ୍ଠିତ ଥିଲେ। ଓଡିଶାର ଆଦିବାସୀ ଅଞ୍ଚଳରେ ଚାଷ କାର୍ଯ୍ୟରେ ଉନ୍ନତି ଆଣିବାରେ ତାଙ୍କର ଭୂମିକା ପ୍ରଶଂସନୀୟ। ତାଙ୍କ ମୃତ୍ୟୁ କୃଷି ବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା।

ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

Related posts