Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଲଗାତାର ଟ୍ରେନ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ପଂଚାନନ କାନୁନଗୋ ଦେଶରେ ଏବଂ ବିଶେଷ କରି ପୂର୍ବତଟ ରେଳପଥରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପାଇଁ ଅପାରଗ ଓ ଦାୟୀତ୍ୱହୀନ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଇସ୍ତଫା ଦାବି କରିଥିଲେ।

ସେ କହିଥିଲେ ଯେ ଓଡ଼ିଶାରୁ ଉଭୟ ବିଜେଡ଼ି ଓ ବିଜେପିର ସମର୍ଥନରେ ମିଳିତ ପ୍ରାର୍ଥୀ ଭାବରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶାର ଲଜ୍ଜା ଓ ଦେଶବାସୀଙ୍କ ପାଇଁ ଦୁଃଖ ପାଲଟିଛନ୍ତି। ପୂର୍ବରୁ ରେଳବିଭାଗ ପାଇଁ ଏକ ସ୍ୱତନ୍ତ୍ର ବଜେଟ ସଂସଦରେ ଉପସ୍ଥାପନ କରାଯାଉଥିଲା। କିନ୍ତୁ ମୋଦି ସରକାରଙ୍କ ସମୟରେ ରେଳ ବେଜଟ ସାଧାରଣ ବଜେଟ ଭିତରେ ମିଶାଇ ଦିଆଯିବା ଫଳରେ ରେଳ ବଜେଟର ଅନେକ ବୈଷୟିକ କାର୍ଯ୍ୟକଳାପ ଓ ଆର୍ଥିକସ୍ଥିତି ବିଷୟରେ ସାଧାରଣ ଜନତାଙ୍କର ଜାଣିବାର ସୁଯୋଗ ନାହିଁ।

କଂଗ୍ରେସ କହିଛି ଯେ, ରେଲୱେ ସିଗ୍‌ନାଲ ସିଷ୍ଟମରେ ବ୍ୟାପକ ବୈଷୟୀକ ତୃଟି ଯୋଗୁଁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ଏବଂ ପରବର୍ତୀ ଅବସ୍ଥାରେ ଦେଶରେ ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାରେ ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଘଟିଥିବା ଦୁର୍ଘଟଣା ଅତିବ ଦୁଃଖଦାୟକ। ଏଥିରେ ବର୍ତମାନ ସୁଦ୍ଧା ୧୪ରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହିତ ସଂଖ୍ୟାଧିକ ଲୋକ ଗୁରୁତ୍ୱର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏତେ ଦୁର୍ଘଟଣା ଘଟିବା ସତ୍ୱେ ରେଳମନ୍ତ୍ରୀ କିଛି ଶିକ୍ଷାଲାଭ କଲାଭଳି ଲାଗୁ ନାହିଁ। ତେଣୁ ଓଡ଼ିଶାକୁ ଜାତୀୟସ୍ତରରେ ଅଧିକ ଲଜ୍ଜିତ ହେବାକୁ ନଦେଇ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବାପାଇଁ ଶ୍ରୀ କାନୁନଗୋ ଦାବି କରିଥିଲେ।

ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ରେଳ ବିଭାଗର ଦାୟୀତ୍ୱ ହୀନତା ଓ ଉଦାସୀନତାକୁ ନେଇ ପ୍ରଶ୍ନ କରିବା ସହିତ ବିଜେପି ବିଜେଡ଼ି ଭାଇଚାରାର ମୂର୍ତିମନ୍ତ ପ୍ରତିକ ରେଳମନ୍ତ୍ରୀଙ୍କୁ ତୁରନ୍ତ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ ଦେଇଥିଲେ। ଶ୍ରୀ ଶତପଥି କହିଥିଲେ ଯେ ୨୦୨୨-୨୩ ରେ ବର୍ତମାନ ସୁଦ୍ଧା ସମୁଦାୟ ୧୮ଟି ଟ୍ରେନ ଦୁର୍ଘଟଣା ଘଟିସାରିଲାଣି। ତାହାର ମୁଖ୍ୟ କାରଣ ରେଲୱେ ଟ୍ରାକର ସମୟ ଅନୁସାରେ ରକ୍ଷଣାବେକ୍ଷଣ ଏବଂ ଡିଜିଟାଲ ସିଗ୍‌ନାଲିଂ ସିଷ୍ଟମର ସଠିକ ମେଂଟେନାନ୍ସ ଅଭାବରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟିବାରେ ଲାଗିଛି।

ଯେଉଁ ଠିକା ସଂସ୍ଥାକୁ ସିଗ୍‌ନାଲିଂ ସିଷ୍ଟମର ମେଂଟେନାନ୍ସ ପାଇଁ ଠିକା ଦିଆଯାଇଛି ବିଗତ କିଛି ବର୍ଷ ଧରି ସଠିକ କାମ ନକରି କେବଳ ବିଲ ପାସକରି ନେଇଥିବା ହେତୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି କିଛି ବରିଷ୍ଠ ରେଳବିଭାଗର ଅଧିକାରୀ ନାମ ଗୋପନ ରଖି ଏକଥା ପ୍ରକାଶ କରିଛନ୍ତି। ରେଲ ଲାଇନ, ରେଳ ଷ୍ଟେସନ ଆଦିକୁ ଆଦାନୀ ଭଳି ଘରୋଇ କମ୍ପାନୀ ହାତକୁ ଟେକି ଦେଇଥିବା ମୋଦି ସରକାର ସାଧାରଣ ଜନତାଙ୍କର ରେଳଯାତ୍ରା ସମୟରେ ସୁରକ୍ଷାକୁ ଆଦୌ ଗୁରୁତ୍ୱ ନେଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଲାଭଖୋର ମନବୃତି ନେଇ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ମାଲଗାଡ଼ିକୁ ପ୍ରଥମେ ଯିବାପାଇଁ ସୁଯୋଗ ଦେବା ଏବଂ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନକୁ ବିଳମ୍ବରେ ଚଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶ୍ରୀ ଶତପଥି ତଥ୍ୟ ରଖି କହିଥିଲେ ଯେ ଦେଶରେ ରେଳବିଭାଗର ସୁରକ୍ଷା ସମ୍ପର୍କିତ ପଦବୀ କ୍ଷେତ୍ରରେ ୧ ଲକ୍ଷ ୪୦ ହଜାର ପଦବୀ ଖାଲିଥିବା ବେଳେ ସମୁଦାୟ ୩ ଲକ୍ଷ ୧୨ ହଜାର ପଦବୀ ଖାଲି ପଡ଼ିଛି। ଏଗୁଡ଼ିକୁ ଅଗ୍ରାଧିକାର ଭିତିରେ ପୂରଣ କରିବାର କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଉ ନାହିଁ।

ଦେଶରେ ମେ ମାସ ୨୦୨୨ ମସିହା ଠାରୁ ଏପ୍ରିଲ ମାସ ୨୦୨୩ ମସିହା ଭିତରେ ସମୁଦାୟ ୫୧ ହଜାର ଥର ରେଲ ସିଗ୍‌ନାଲିଂ ସିଷ୍ଟମ ଫେଲ ମାରିଛି । କିନ୍ତୁ ଏ ତ୍ରୁଟିକୁ ସୁଧାରିବାପାଇଁ ମୋଦି ସରକାର ଏବଂ ରେଳମନ୍ତ୍ରୀଙ୍କ ତରଫରୁ କୌଣସି କାର୍ଯ୍ୟକ୍ରମ ଅଦ୍ୟାବଧି ହାତକୁ ନିଆଯାଇ ନାହିଁ। ରେଳ ଭଡ଼ା ଆଗ ଅପେକ୍ଷା ଦୁଇଗୁଣା ବଢ଼ିଥିବା ବେଳେ ରେଳ ଯାତ୍ରୀଙ୍କର ସୁରକ୍ଷାକୁ ସମ୍ପୁର୍ଣ୍ଣ ଭାବରେ ନଜର ଅନ୍ଦାଜ କରାଯାଉଛି।

ଏ ପରିପ୍ରେକ୍ଷୀରେ ଓଡ଼ିଶାକୁ ରେଳ ବଜେଟରେ ଅଧିକ ଅନୁଦାନ ରାଶି ଦିଆଯାଉଥିବାର ଯେଉଁ ତୁଚ୍ଛା ବାହାସପୋଟ ମରାଯାଉଛି ତାହାର ବାସ୍ତବିକ ସତ୍ୟତା କିଛି ଅଲଗା । ତଥ୍ୟ କୁହେ ୨୦୧୬-୧୭ ମସିହାରେ ୧୫୫୦ କୋଟି ଟଙ୍କା ବ୍ୟୟବରାଦ ରାଶିରୁ ମାତ୍ର ୮୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ୨୦୧୭-୧୮ରେ ୫୧୦୨ କୋଟିରୁ ମାତ୍ର ୭୭୬ କୋଟି ଖର୍ଚ୍ଚ କରାଯାଇଛି। ୨୦୧୮-୧୯ ରେ ୫୨୫୨ କୋଟିରୁ ୧୦୪୮ କୋଟି ଖର୍ଚ୍ଚ ହୋଇଛି। ୨୦୧୯-୨୦ ରେ ୫୯୯୩ କୋଟିରୁ ପାଖାପାଖି ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଓଡ଼ିଶାରେ ବଜେଟ ବ୍ୟୟବରାଦ ରାଶି ଖର୍ଚ୍ଚ ହେଉନଥିବାରୁ ରେଳ ବିଭାଗର ଯାତ୍ରୀ ସୁରକ୍ଷା ସଂପୂର୍ଣ୍ଣରୂପେ ବିପର୍ଯ୍ୟସ୍ତ ହୋଇଛି। ତେଣୁ କଂଗ୍ରେସର ଦାବି ନିଜର ଅପାରଗତା ପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗି ରେଳମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବୀ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ସଂଯୋଜକ ଦୀପକ କୁମାର ମହପାତ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

TrainAccident Update: ଦୁର୍ଘଟଣାସ୍ଥଳକୁ ଯିବା ପାଇଁ ରାଜସ୍ବମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ଆନ୍ଧ୍ର ସୀମାନ୍ତରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସ୍ଥାନକୁ ଯିବା ପାଇଁ ଆଜି ରାଜସ୍ବମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସେଠାରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ କହିଛନ୍ତି। ଏହି ନିର୍ଦ୍ଦେଶ ପାଇବା ପରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ର ସୁଦାମ ମାର୍ଣ୍ଡି ଆନ୍ଧ୍ର ଯିବା ପାଇଁ ବାହାରିଥିବାର ଜଣାପଡିଛି।

ମନ୍ତ୍ରୀଙ୍କ ସହିତ ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନର ଏବଂ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Train Accident Update: ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି, ୫୦ ଜଣ ଆହତ ସୂଚନା

ଭୁବନେଶ୍ବର: ଓଡିଶା ଆନ୍ଧ୍ର ସୀମାନ୍ତରେ ହୋଇଥିବା ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଥିବାର ଜଣା ପଡିଛି। ଏଥିସହିତ ୫୦ ଜଣ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ। ସେହିପରି ଉଦ୍ଧାର କାର‌୍ୟ୍ୟ ଗତକାଲିଠାରୁ ଚାଲିଛି। ଆଜି ଅପରାହ୍ନ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ରେଳବାଇ ତରଫରୁ କୁହାଯାଇଛି।

ତେବେ ଏହି ଦୁର୍ଘଟଣାରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ବେସରକାରୀ ଭାବେ କୁହାଯାଉଛି। ତେବେ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ମଧ୍ୟ ସହଯୋଗ କରାଯାଉଛି। ସେହିପରି ଏନଡିଆରଏଫକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ଦୁର୍ଘଟଣାରେ ଲୋକପାଇଲଟ ଏବଂ ଜଣେ ଗାର୍ଡର ମୃତ୍ୟୁ ହୋଇଛି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଓଡ୍ରାଫ୍ ଟିମ୍ ଏବଂ ଗୋଟିଏ ଫାୟାର୍ ସର୍ଭିସ୍ ଟିମ୍ ପଠାଯାଇଛି। କୋରାପୁଟର ଯାତ୍ରୀ ଓ ସମ୍ପର୍କୀୟମାନେ ସହାୟତା ନିମନ୍ତେ: ୯୯୩୭୮ ୨୪୭୫୨ ନମ୍ବର ଜାରୀ କରାଯାଇଛି।

ରେଳବିଭାଗ ମୃତ ଯାତ୍ରୀଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ବୀନ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ସେହି ଅନୁସାରେ ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ।

ଏହି ଦୁର୍ଘଟଣା ଯୋଗୁଁ ୧୫ଟି ଟ୍ରେନ ବାତିଲ କରାଯିବା ସହିତ ୨୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ଘଟଣାସ୍ଥଳରୁ ଯାତ୍ରୀମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚାଇବା ପାଇଁ ସେଠାରେ ବସ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ଯାତ୍ରୀମାନଙ୍କୁ ଖାଦ୍ୟ ସାମଗ୍ରୀ ପାଣି ପ୍ରଭୃତି ସହାୟତା ପ୍ରଦାନ କରାଯାଉଛି।

ଗତକାଲି ସଂଧ୍ୟାରେ ବିଶାଖାପାଟାନାମ ନିକଟସ୍ଥ ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟନାମ ରାୟଗଡା ପାସେଞ୍ଜର ଏବଂ ବିଶାଖାପାଟନାମ୍ ପଲାସା ପାସେଞ୍ଜର ଟ୍ରେନ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏହାର ବିପରିତ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ ମଧ୍ୟ କେତେକ ବଗି ମାଡି ବସିଛି। ବାଲେଶ୍ବରର ବାହାନାଗରେ ଯେପରି ଘଟିଥିଲା  ଏହି ଟ୍ରେନ ଦୁର୍ଘଟଣା ମଧ୍ୟ ସେହିପରି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏସଆରସି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

ଭୁବନେଶ୍ବର: ଆଜି ସଂଧ୍ୟାରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଘଟିଥିବା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ପ୍ରକାଶ କରିଛନ୍ତି। ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ସେ ଏହି ଦୁର୍ଘଟଣାରେ ଆହତମାନଙ୍କର ଶିଘ୍ର ଆରୋଗ୍ୟ କାମନ ମଧ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଯାତ୍ରୀଙ୍କ ସଂପର୍କରେ ଜାଣିବା ପାଇଁ ହେଲପ ଲାଇନ ଜାରୀ କଲା ରେଳ ବିଭାଗ

ଭୁବନେଶ୍ବର: ଆଜି ସଂଧ୍ୟାରେ ପୁଣି ଏକ ଟ୍ରିପଲ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏହା ଓଡିଶା ଆନ୍ଧ୍ର ସୀମାନ୍ତରେ ଘଟିଛି। ଆଲମଣ୍ଡା ଷ୍ଟେସନରେ ବିଶାଖାପାଟନାମ ରାୟଗଡା ପାସେଞ୍ଜର ଏବଂ ବିଶାଖାପାଟନାମ୍ ପଲାସା ପାସେଞ୍ଜର ଟ୍ରେନ ପଛରୁ ଧକ୍କା ଦେଇଛି। ଏହାର ବିପରିତ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ କେତକ ବଗି ମାଡି ବସିଛି। ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।

ତେବେ ଏହି ପାସେଞ୍ଜର ଟ୍ରନରେ ଆସୁଥିବା ଯାତ୍ରୀଙ୍କ ସଂପର୍କରେ ଜାଣିବା ପାଇଁ ରେଳ ବିଭାଗ ତରଫରୁ ହେଲପ ଲାଇନ ଜାରୀ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାହାନଗା ରେଳ ଦୁର୍ଘଟଣା: ୨୮ ଜଣଙ୍କ ଶବ ନେବା ପାଇଁ କେହି ଆସୁ ନାହାଁନ୍ତି

ଭୁବନେଶ୍ବର: ଗତ ଜୁନ ୨ ତାରିଖରେ ବାଲେଶ୍ବରର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୋଟ ୨୯୫ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଦୁଃଖର କଥା ବର୍ତ୍ତମାନ ଏହି ଦୁର୍ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୨୮ଟି ଶବକୁ ନେବା ପାଇଁ କେହି ଆସିଲେ ନାହିଁ।

ଫଳରେ ଏମସ ହସପିଟାଲ ଶବଗାରରେ ରହିଥିବା ଏହି ସମସ୍ତ ଶବ ଆଉ ବେଶୀ ଦିନ ରଖି ହେବା ସମ୍ଭବ ନ ଥିବାରୁ ତାହାକୁ ଗଣସତ୍କାର କରାଯିବ ବୋଲି ଜଣାପଡିଛି। ଏ ନେଇ ଏମସ ତରଫରୁ ସିବିଆଇ କୁ ଏକ ଚିଠି କରିବା ପରେ ଏ ସବୁକୁ ଗଣସତ୍କାର କରିବାକୁ ନିଷ୍ପତି ହୋଇଛି। ସେଥିପାଇଁ ସିବିଆଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଏକ ଚିଠି କରିଛି।

ଖୋର୍ଦ୍ଧା ପ୍ରଶାସନ ତରଫରୁ ଏ ନେଇ ବିଏମସିକୁ ଅବଗତ କରାଇବା ପରେ ଏହି ସମସ୍ତ ଶବ ଭରତପୁର ଶଶ୍ମାନରେ ସତ୍କାର କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ଏହି ସତ୍କାର ବେଳେ ଉଭୟ ସିବିଆଇ, ବିଏମସି, ଏମସ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉପସ୍ଥିତ ରହିବେ। ଏହି ଶବ ନେବା ପାଇଁ ବିଏମସି ଶବ ବାହକ ଗାଡି ପଠାଇ ତାହାକୁ ନେବେ ବୋଲି ଜଣାପଡିଛି।

ତେବେ ଶବସତ୍କାର ବେଳେ ସଂପୂର୍ଣ୍ଣ ବ୍ୟବସ୍ଥାକୁ ଭିଡିଓ ସୁଟିଂ କରାଯିବ। ପରବର୍ତ୍ତି ସମୟରେ କେହି କେବେ ଆସିଲେ ଏହି ଭିଡିଓ ସୁଟିଂକୁ ପ୍ରମାଣିତ ଭାବେ ଗ୍ରହଣ କରାଯିବ। ତେବେ ଏହି ଗଣସତ୍କାର କେବେ କରାଯିବ ସେ ନେଇ କୌଣସି ନିର୍ଦ୍ଧିଷ୍ଠ ତାରଖ ଘୋଷଣା କରାଯାଇପାରି ନାହିଁ। କାରଣ ସବୁ ଅଧିକାରୀ ଗୋଟିଏ ଦିନ ସମୟ ଦେଲେ ତାହା ସତ୍କାର କରାଯିବ।

ବାହାନଗା ରେଳ ଦୁର୍ଘଟଣାରେ ମୋଟ ୨୯୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ସେହି ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ୮୧ ଟି ମୃତ ଦେହ ହସ୍ତାନ୍ତର କରିଥିଲେ। ଏହାପରେ ୧୬୨ ଜଣଙ୍କ ମୃତଦେହ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା।

ସେଠାରେ ୧୩୪ ଶବକୁ ତାଙ୍କର ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଦ୍ବିତୀୟ ପର‌୍ୟ୍ୟାୟରେ ୫୩ ଟି ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ହେଲେ ଆଉ ୨୮ଟିର କେହି ଦାବୀଦାର ଆସିଲେ ନାହିଁ। ଫଳରେ ଏହି ଶବଗୁଡିକୁ ଗଣସତ୍କାର କରିବାକୁ ନିଷ୍ପତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାହାନଗା ଟ୍ରେନ ଦୁର୍ଘଟଣାର ଉଦ୍ଧାରକାରୀ ଦଳକୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଉଦ୍ଧାରକାରୀ ଦଳଙ୍କୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରର ଲୋକସେବା ଭବନ କନଫ୍ରେନସିଂ ହଲରେ ଏହି ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ବାହାନଗାର ଗ୍ରାମବାସୀ, ଉଦ୍ଧାରକାରୀ କର୍ମଚାରୀଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯିବ। ସେହିପରି ବାହାନଗା ସ୍କୁଲର ପ୍ରଧାନଶିକ୍ଷକ ଏବଂ କେତେକ ସ୍ବଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିବେ।

ଗତ ଜୁନ ଦୁଇ ତାରିଖ ରାତିରେ ବାଲେଶ୍ବର ନିକଟସ୍ଥ ବାହାନଗାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ଏକ ମାଲବାହୀ ଟ୍ରେନକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା। ସେହିପରି ବିପରିତ ଦିଗରୁ ଆସୁଥିବା ଆଉ ଏକ ଯାତ୍ରୀବାହି ଟ୍ରେନ ଏହି ଦୁର୍ଘଟଣା ଗସ୍ତ ଟ୍ରେନ ସହ ମଧ୍ୟ ଧକ୍କା ହୋଇଥିଲା। ଯାହା ସାରା ବିଶ୍ବକୁ ସ୍ତମ୍ଭୀଭୂତ କରିଦେଇଥିଲା।

ଏହି ଦୁର୍ଘଟଣା ପରେ ସେଠାକାର ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହିତ ଆହତମାନଙ୍କୁ ରକ୍ତ ପ୍ରଦାନ ପାଇଁ ବହୁ ସେଚ୍ଛାସେବୀ ମଧ୍ୟ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଥିଲା। ଆଜି ଅପରାହ୍ନରେ ସେହି ବୀରମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Big Breaking: ବାହାନଗା ଟ୍ରେନ ଦୁର୍ଘଟଣା ନେଇ ତିନିଜଣଙ୍କୁ ଗିରଫ କଲା ସିବିଆଇ

Train Accident: ଶେଷରେ ବାହାନଗା ଟ୍ରେନ ଦୁର୍ଘଟଣାରେ ତିନିଜଣଙ୍କୁ ସିବିଆଇ ଗିରଫ କରିଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହି ଅନୁସାରେ ସିବିଆଇ ସେକସନ ଇଞ୍ଜିନିୟର ଅରୁଣ ମହନ୍ତ, ମହମ୍ମଦ ଆମୀର ଖାନ, ଟେକନିସିଆନ ପପୁ କୁମାର ଗିରଫ ହୋଇଥିବାର ଜଣାପଡିଛି।

ଏମାନଙ୍କୁ ଜାଣିଶୁଣି ଟ୍ରେନ ଦୁର୍ଘଟଣା କରାଇଥିବାର କାରଣ ନେଇ ସିବିଆଇ ଗିରଫ କରିଛି। ଗତ ଜୁନ ଦୁଇ ତାରିଖରେ ବାହନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ଏହିମାନଙ୍କ ଯୋଗୁଁ ଘଟିଥିଲା ବୋଲି ସିବିଆଇ ଜାଣିବାକୁ ପାଇଛି। ତେବେ ସେମାନଙ୍କୁ କେଉଁଠାରୁ ଗିରଫ କଲା ସେ ନେଇ କୈଣସି ସୂଚନା ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ସିବିଆଇର ବଡ ପଦକ୍ଷେପ, ସିଲ୍ କଲା କନିଷ୍ଠ ସିଗନାଲ ଇଂଜିନିୟରଙ୍କ ବାସଭବନ

ଭୁବନେଶ୍ବର: ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ସିବିଆଇ ବଡ ପଦକ୍ଷେପ ଗ୍ରହଣ କରିଛି। ସିବିଆଇ ଗତକାଲି ରାତିରେ ବାଲେଶ୍ବରରେ ଥିବା କନିଷ୍ଠ ସିଗନାଲ ଇଂଜିନିୟରଙ୍କ ଘର ସିଲ କରିଛି।

ସେହି ଘରେ କନିଷ୍ଠ ସିଗିନାଲ ଇଂଜିନିୟର ଏବଂ ତାଙ୍କ ପରିବାର ବାସ କରୁଥିଲେ। ପୂର୍ବରୁ ସିବିଆଇ ତଦନ୍ତ ସମୟରେ ତାଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିଲା। ହେଲେ ଗତ କିଛି ଦିନ ଧରି ସେ ତାଙ୍କ ପରିବାର ସହିତ କେଉଁଆଡେ ଚାଲିଯାଇଛନ୍ତି।

ପରବର୍ତ୍ତି ତଦନ୍ତ ପାଇଁ ତାଙ୍କୁ ଖୋଜାପଡିବା ପରେ ସେ ମିଳି ନ ଥିଲେ। ଏହାପରେ ସିବିଆଇ ତାଙ୍କ ଭଡାଘରକୁ ସିଲ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଦିଲ୍ଲୀ ଫେରିଲେ, କଣ ମିଳିଲା ?

ଭୁବନେଶ୍ବର: ଗତ 2 ତାରିଖରେ ବାଲେଶ୍ବର ବାହାନଗାରେ ଯେପରି ଟ୍ରେନ ଦୁର୍ଘଟଣା ଘଟିଲା ତାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ 290 ଜଣ ଯାତ୍ରଙ୍କପ ମୃତ୍ୟୁ ହୋଇଛି। ତେବେ ଏପରି ଦୁର୍ଘଟଣା କାହିଁକି ଘଟିଲା ତାହାର ତଦନ୍ତ କରୁଛି ସିବିଆଇ। ଏହି ତଦନ୍ତ ସଂସ୍ଥାର ଏକ ଟିମ ଆସି ତଦନ୍ତ କରି ଦିଲ୍ଲୀ ଫେରିଯାଇଛନ୍ତି।

ତେବେ ଏହି ତଦନ୍ତ ଶେଷ ହୋଇଛି କି ନାହିଁ ସେ ନେଇ କେହି କିଛି ସୂଚନା ଦେଇ ନାହାଁନ୍ତି। ସିବିଆଇ ତଦନ୍ତ କରିବ ବୋଲି ଘୋଷଣା ପରେ ଏକ ଦଳ ବାହାନଗା ଆସି ତଦନ୍ତ କରିଥିଲେ। ସେମାନେ ସିଗନାଲ ରୁମ, ରିଲେ ରୁମ, ଅଟୋମେଟିକ ସୁଇଚ ବୋର୍ଡ ପରୀକ୍ଷା ନିରୀକ୍ଷା କରିଥିଲେ। ଏ ନେଇ ସେ ବିଭିନ୍ନ ରେଳ ଅଧିକାରୀଙ୍କୁ ପଚରା ଉଚୁରା କରିଥିଲେ। ହେଲେ ତାହାର ଫଳାଫଳ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

ଏକ ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ସିବିଆଇ ତଦନ୍ତ କରି କୌଣସି କାରଣ ଖୋଜି ପାଇପାରି ନାହଁ ବୋଲି କୁହାଯାଉଛି। କାରଣ ଏପରି ବୈଷୟିକ ତଦନ୍ତ ସିବିଆଇ ପକ୍ଷରେ କୁଆଡେ କଷ୍ଟକର ବ୍ୟାପାର ହୋଇଛି ବୋଲି କୁହାଯାଉଛି। ସେପଟେ ସିବିଆଇ ତଦନ୍ତରେ ସମସ୍ତ ସହଯୋଗ ପ୍ରଦାନ କରାଯାଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ହେଲେ କଣ ନିର୍ଯ୍ୟାସ ବାହାରିଲା ସେ ନେଇ କେହି କିଛି କହିବାକୁ ନାରାଜ।

ତେବେ ଆଉ ଏକ ସୁତ୍ର ଅନୁସାରେ ସିବିଆଇ ଟିମ ପୁଣି ଥରେ ଏହାର ତଦନ୍ତ କରିବା ପାଇଁ ବାଲେଶ୍ବର ଆସିବେ। ବର୍ତ୍ତମାନ ପ୍ରାରମ୍ଭିକ ତଦନ୍ତ ଶେଷ ହୋଇଛି। ସିବିଆଇ ଆଉ କେତେକ ବୈଷୟିକ ଅଧିକାରୀଙ୍କୁ ନେଇ ଆସିବେ ବୋଲି ଜଣାପଡିଛି। ତେବେ ଏତେବଡ ଗୁରୁତର ଘଟଣାକୁ ନେଇ ତଦନ୍ତର ଦିଗ ଯେପରି ଦ୍ରୁତ ହେବା କଥା ତାହା ହେଉ ନାହିଁ ବୋଲି ଅନୁମାନ କରାଯାଉଛି।

ଘଟଣା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ ଆସି ତଦାରଖ କରିଥିଲେ। ସେଠାରେ ସେ ଘୋଷଣା କରିଥିଲେ ଯେ, ଯେ ଦୋଷୀ ତାକୁ କେବେ ଛଡାଯିବ ନାହିଁ ବୋଲି କହିଥିଲେ। ଏଥିରୁ ଅନୁମାନ କରାଗଲା ଯେ, ଖୁବ ଶିଘ୍ର ଏହି ଦୁର୍ଘଟଣାର କାରଣ ଜଣାପଡିଯିବ। ତା ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ ଦୋଷ କରିଛି ତାହାକୁ ଚିହ୍ନଟ ସରିଲାଣି। ଏତେ ସବୁ ଭିତରେ ପୁଣି ତଦନ୍ତରେ ଏପରି ଶିଥିଳତାକୁ ନେଇ ଚାରିଆଡେ ସନ୍ଦେହ ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାହାନଗା ଟ୍ରେନ ଦୁର୍ଘଟଣା, ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଲା

ଭୁବନେଶ୍ବର: ପୁଣିଥରେ ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟଛି। ଫଳରେ ଏହି ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୨୯୦ କୁ ବୃଦ୍ଧି ପାଇଛି। କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବିହାର ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାମ ହେଲା ପ୍ରକାଶ ରାମ ଏବଂ ବୟସ ୧୭ ବର୍ଷ ହେବ।

ସେହିପରି ପୂର୍ବରୁ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସରକାରୀ ଏହି ଏହି ମୃତ୍ୟୁ ସଂଖ୍ୟା ୨୮୮ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହି ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୨୯୦ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣାର କୁଢକୁଢ ଶବ ରଖାଯାଇଥିବା ବାହାନଗା ସ୍କୁଲ ଘର ଭଙ୍ଗାଗଲା

ବାଲେଶ୍ବର: ବାଲେଶ୍ବର ବାହାନଗା ସ୍କୁଲ ଘର ଶେଷରେ ଭଙ୍ଗା ଗଲା। କାରଣ ହେଲା ସେଠାରେ ଟ୍ରେନ ଦୁର୍ଘଟଣାରେ କୁଢକୁଢ ଶବ ରଖାଯାଇଥିଲା। ସେଗୁଡିକ ସ୍ଥାନାନ୍ତରିତ କରିବା ପରେ ଆରମ୍ଭ ହେଲା ବିବାଦ। ଛାତ୍ରଛାତ୍ରୀମାନେ ସେହି ସ୍କୁଲକୁ ଯିବା ପାଇଁ ଭୟ କଲେ। ଫଳରେ ଜିଲ୍ଲା ପ୍ରଶାସନ ଆଜି ସକାଳୁ ଏହି ସ୍କୁଲ ଘର ଭାଙ୍ଗିବା ଆରମ୍ଭ କରିଛନ୍ତି।

ଯେତେବେଳେ ଦୁର୍ଘଟଣା ଘଟିଥିଲା ସେହି ରାତିରେ କେତେକ ଶବକୁ ଆଣି ସେହି ସ୍କୁଲ ଘରେ ପ୍ରଥମେ ରଖାଯାଇଥିଲା। ପରେ ଏହି ସଂଖ୍ୟା ବଢିବା ପରେ ସ୍କୁଲ ଘର ପୁରା ଶବରେ ଭର୍ତ୍ତି ହୋଇଯାଇଥିଲା। ଶବ ସ୍ଥାନାନ୍ତରିତ ପରେ ଏହାକୁ ସାନିଟାଇଜ କରି ସଫା କରାଯାଇଥିଲା। ଏପରିକି ନୂଆ ରଂଗ କରି ପୂଜାପାଠ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଥିଲା।

ହେଲେ ପରବର୍ତ୍ତି ସମୟରେ ସ୍କୁଲ କମିଟର ବିଶେଷ ଅନୁରୋଧ ପରେ ଜିଲ୍ଲାପ୍ରଶାସନ ସ୍କୁଲକୁ ସଂପୂର୍ଣ୍ଣ ଭାଙ୍ଗି ନୂଆ ତୋଳିବା ପାଇଁ ନିଷ୍ପତି ଗ୍ରହଣ କରିଛି। ଫଳରେ ଆଜି ସକାଳୁ ଏହି ସ୍କୁଲ ଘର ଭଙ୍ଗା ଆରମ୍ଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଳ ଦୁର୍ଘଟଣା: ଓଡିଶାର ମୃତକ ସଂପର୍କୀୟଙ୍କ ପାଇଁ ସହାୟତା ରାଶି ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି।

ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Balasore Train Tragedy: ବଢିଲା ମୃତ୍ୟୁ ସଂଖ୍ୟା, ଘଟଣାସ୍ଥଳର ଦୂରରୁ ମିଳିଲା ଶବ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ୨୭୫ ରୁ ୨୮୮ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ କରିବା ପରେ ପୁଣି ଥରେ ଜିଲ୍ଲାପ୍ରଶାସନ ଦୁର୍ଘଟଣାସ୍ଥଳର ଦୁଇ ପଟର ପ୍ରାୟ ଦୁଇଶହ ଫୁଟ ପର୍ଯ୍ୟନ୍ତ କମ୍ବିଂ ଅପରେସନ କରିଥିଲେ।

ଏହି ଅପରେସନ ବେଳେ ସେଠାରେ କେତେକ ମୃତ୍ୟଦେହ ପରିଲକ୍ଷିତ ହୋଇଥିଲା। ସେସବୁକୁ ମିଶାଇଲେ ଟ୍ରେନ ଦୁର୍ଘଟଣାର ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ହେଲା ୨୮୮ ବୋଲି ଶ୍ରୀ ଜେନା କହିଛନ୍ତି। ବାଲେଶ୍ବର ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ସେମାନେ ଭୁବନେଶ୍ୱରକୁ ୧୯୩ଟି ମୃତଦେହ ପଠାଇଥିଲା। ବାଲେଶ୍ୱର ଜିଲ୍ଲାରେ ୯୪ଟି ମୃତଦେହକୁ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଛି। ସେହିଭଳି ଭଦ୍ରକରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏସବୁକୁ ମିଶାଇଲେ ଶେଷ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଛି ବୋଲି ଶ୍ରୀ ଜେନା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: Train Accident ସ୍ଥଳରେ ପହଞ୍ଚିଲେ CBI ଟିମ, ତଦନ୍ତ ଆରମ୍ଭ

ଭୁବନେଶ୍ବର: ଆଜି ସକାଳେ CBI ର ଦଶ ଜଣିଆ ଟିମ ବାଲେଶ୍ବରର ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଏହିପରି ଏକ ଭୟଙ୍କର ଦୁର୍ଘଟଣା କିପରି ହେଲା ସେ ନେଇ ତଦନ୍ତ କରିବେ। ଏ ନେଇ ରେଳ ବୋର୍ଡ ତରଫରୁ ସିବିଆଇକୁ ଅନୁରୋଧ କରାଯାଇଥିଲା। ସେହି ଅନୁସାରେ ଏହି ଟିମ ତଦନ୍ତ ଆରମ୍ଭ କରିଛନ୍ତି।

ମୁଖ୍ୟତଃ ଏହି ଦୁର୍ଘଟଣା ପଛରେ ଚକ୍ରାନ୍ତ ରହିଛି ବୋଲି ସନ୍ଦେହ ପ୍ରକାଶ ପାଇଛି। କାରଣ ବର୍ତ୍ତମାନ ବୈଷୟିକ ବା ଆଇଟି ପଦ୍ଧତି ଅନୁସାରେ ଟ୍ରେନ ସିଗନାଲ ପରିଚାଳନା ହେଉଛି। ଗୋଟିଏ ଡାଟା ଭୁଲ ଥିଲେ ସିଗନାଲ କେବେ ଗ୍ରୀନ ହେବ ନାହିଁ। କେବଳ ମାନ୍ୟୁୟାଲ ପଦ୍ଧତିରେ ଏପରି କାମ କରିହେବ। ସେ ନେଇ ସିବିଆଇ ବଡ ଧରଣର ତଦନ୍ତ କରିବ ବୋଲି ଜଣାପଡିଛି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣା ଯାତ୍ରୀଙ୍କ ପାଇଁ ମମତାଙ୍କ ଭିନ୍ନ ଏକ ସହାୟତା ଘୋଷଣା, ଚାରିଆଡେ ଚର୍ଚ୍ଚା

କୋଲକାତା: ବାଲେଶ୍ବର ବାହନଗାଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବହୁ ପଶ୍ଚିମବଂଗ ଯାତ୍ରୀ ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଭିନ୍ନ ପ୍ରକାରର ସହାୟତା ଘୋଷଣା କରିଛନ୍ତି। ତାହା ହେଲା ଏହି ଦୁର୍ଘଟଣାରେ ଆହତ ନ ହୋଇଥିଲେ ମଧ୍ୟ ତାଙ୍କୁ ମିଳିବ ସହାୟତା।

ମମତାଙ୍କୁ ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଏହି ଦୁର୍ଘଟଣାରେ ପଶ୍ଚିମବଂଗର ଯେଉଁ ଯାତ୍ରୀମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ହୋମ ଗାର୍ଡ ଚାକିରୀ ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ଏକ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦିଆଯିବ।

ହେଲେ ମମତା ଘୋଷଣା କରିଛନ୍ତି ଯେ,ଯେଉଁମାନେ ଆହତ ହୋଇ ନାହାଁନ୍ତି ସେମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। କାରଣ ଏହି ଭୟଙ୍କର ଦୁର୍ଘଟଣାରେ ସେମାନେ ମାନସିକ ସ୍ତରରେ ଆଘତ ପାଇଥିବାରୁ ସେମାନଙ୍କୁ ଏକକାଳିନ ୧୦ ହଜାର ଏବଂ ଚାରି ମାସ ପାଇଁ ମାସିକୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣା ସ୍ଥଳ ଦେଖିଲେ କଂଗ୍ରେସ ବିରୋଧୀ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ

ଭୁବନେଶ୍ୱର: ଲୋକସଭାର କଂଗ୍ରେସ ବିରୋଧି ଦଳ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶ କ୍ରମେ ବାହାନଗା ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ରେଳବାଇ ବିଭାଗର କର୍ମଚାରୀଙ୍କ ମାନଙ୍କ ସହ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ।

ଏହାପରେ ଶ୍ରୀ ଚୌଧୁରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ। ଶ୍ରୀ ଚୌଧୁରୀ ମୁଖ୍ୟ ଚିକିତ୍ସାଳୟରୁ ସିଧା ଯାଇ ପଂହଚିଥିଲେ ବାଲେଶ୍ୱରସ୍ଥିତ ନୁସି କାର୍ଯ୍ୟଳୟରେ ଯେଉଁଠାରେ ମୃତ ଯାତ୍ରୀଙ୍କର ସବ ରଖାଯାଇଛି।

ସେଠାରେ ମୃତକମାନଙ୍କର ପରିବାରବର୍ଗଙ୍କ ସହ ମଧ୍ୟ ଶ୍ରୀ ଚୌଧୁରୀ କଥାବାର୍ତ୍ତା ହୋଇଥିଲେ ଏବଂ ସେମାନଙ୍କୁ ସମବେଦନା ଜଣାଇଥିଲେ। ଶ୍ରୀ ଚୌଧୁରୀ ମଧ୍ୟ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଚି ଚିକିତ୍ସିତ ହେଉଥିବା ଆହତ ଯାତ୍ରୀମାନଙ୍କୁ ସାକ୍ଷାତ କଲେ। ସେଠାରେ ଭଦ୍ରକ ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ମଧ୍ୟ ଯୋଗ ଦେଇଥିଲେ।

ବାଲେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଡଃ ଏ ଚେଲ୍ଲାକୁମାର, ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ଚୌଧୁରୀ ଏହି ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ଶ୍ରୀ ଚୌଧୁରୀ ଉଧାରକାର୍ଯ୍ୟ ବିଳମ୍ବରେ ହୋଇଥିଲା ବୋଲି ଅସନ୍ତୁଷବ୍ୟକ୍ତ କରଥିଲେ। ଯାତ୍ରୀମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ସେଠାରେ ରେଳବାଇ କତୃପର୍କ୍ଷ ବା ରାଜ୍ୟ ପ୍ରଶାସନ ପକ୍ଷରୁ ୨ରୁ ୩ ଘଂଟା ଭିତରେ କେହି ପଂହଚି ନ ଥିଲେ। ମାତ୍ର ଦୁର୍ଘଟଣାସ୍ଥଳରେ ସେଠିକାର ସ୍ଥାନୀୟ ଲୋକ ତୁରନ୍ତ ପଂହଚି ଯେଉଁଭଳି ଭାବରେ ନିଜ ଉଦ୍ୟମରେ ଉଧାରକାର୍ଯ୍ୟ ଆରମ୍ଭ କରିଥିଲେ ସେଥିପାଇଁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରାପ୍ରସାଦ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ସଭାପତି ସଂଜୀବ ଗିରୀ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଅନୁଲେଖା ବୋଷା, ଲଲାଟେନ୍ଦୁ ମହାପାତ୍ର, ସତ୍ୟଶିବ ଦାସ, ବିଜନ ନାୟକ, ସୁଦର୍ଶନ ଦାସ, ଅର୍ଚ୍ଚନା ନନ୍ଦୀ, ଭଦ୍ରକ ଜିଲ୍ଲା ସଭାପତି ସୁବ୍ରତ ଦାସ, ନଳୀନ ନାୟକ, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, ରଞ୍ଜିତ ପାତ୍ର, ଦେବାଶିଷ ଭୂୟାଁ, ଗୌତମ ସାହୁ ଓ ସାହିଲ୍ ଖାଦିର ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

OdishaTrainAccident: ଶେଷରେ ଚାଲିଲା ଟ୍ରେନ, ୫୧ ଘଣ୍ଟା ପରେ ଲାଇନ ହେଲା ସଫା

ଭୁବନେଶ୍ବର: ଶେଷରେ ଦୁର୍ଘଟଣା ଘଟିଥିବା ଲାଇନ ଉପରେ ଚାଲିଲା ଟ୍ରେନ। ଆଜି ରାତିରେ ବାଲେଶ୍ବର ବାହାନଗା ରେଳ ଧାରଣାରେ ଏକ ମାଲବାହୀ ଟ୍ରେନ ଗଡିଛି। କୋଇଲା ବୋଝେଇ ଏହି ଟ୍ରେନଟି ଭାଇଜାଗରୁ ରାଉରକେଲା ଗଲା। ରେଳ ଧାରଣା ନିକଟରେ ଖୋଦ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ହାତ ହଲାଇ ଟ୍ରେନକୁ ସ୍ବାଗତ କରିଥିଲେ। ଦୁର୍ଘଟଣା ଘଟିବାର ପ୍ରାୟ ୫୧ ଘଣ୍ଟା ପରେ ରାସ୍ତା ସଫା ହୋଇପାରିଛି।

ଗତ ଶୁକ୍ରବାର ରାତିରେ ବାଲେଶ୍ବର ଷ୍ଟେସନ ନିକଟସ୍ଥ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗସ୍ତ ହୋଇଥିଲା। ଏଥିରେ ୨୭୫ ଜଣ ଯାତ୍ରୀଙ୍କୁ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ୨୧ଟି ବଗି ରେଳ ଧାରଣା ଉପରେ ବିକ୍ଷିପ୍ତ ହୋଇ ପଡିରହି ଥିଲା। ତାହାକୁ ରେଳ କର୍ମଚାରୀମାନେ ଦିନ ରାତି କାମ କରି ଶେଷରେ ରେଳଧାରଣ ସଫା କରିବାରେ ସକ୍ଷମ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Odisha Train Accident: ଦୁର୍ଘଟଣାର ହେବ ସିବିଆଇ ତଦନ୍ତ, ରେଳମନ୍ତ୍ରୀ

Video News: ବାଲେଶ୍ବର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ। ଏ ନେଇ ରେଳବାଇ ବୋର୍ଡ ସିବିଆଇକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ।

ଯେପରି ଭାବେ ଏହି ଦୁର୍ଘଟଣା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି। କିପରି ପରିସ୍ଥିତିରେ ଏତେବଡ ଘଟଣା ଘଟିଲା ତାହାର ତଦନ୍ତ ସିବିଆଇ ଦ୍ବାରା କରାଯିବ ବୋଲି ରେଳ ପ୍ରଶାସନ ଅନୁଭବ କଲେ। ସେଥିପାଇଁ ରେଳବାଇ ବୋର୍ଡ ଏହି ନିଷ୍ପତି କରି ସିବିଆଇ କୁ ଏହାର ତଦନ୍ତ ଦାୟିତ୍ବ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Train Accident Cause: ଭୟାବହ ଦୁର୍ଘଟଣାର କାରଣ ସଂପର୍କରେ କହିଲେ ରେଳମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ବାହାନଗାଠାରେ ହୋଇଥିବା ଭୟାବହ ଦୁର୍ଘଟଣା କିପରି ହେଲା ସେ ନେଇ ସାରା ବିଶ୍ବବାସୀ ଅନାଇ ରହିଛନ୍ତି। କାରଣ ତିନୋଟି ଟ୍ରେନ ମଧ୍ୟରେ ଧକ୍କା ସହିତ ଶହଶହ ଯାତ୍ରୀଙ୍କ ଜୀବନ ହାନି ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଚାରିଆଡେ ଚର୍ଚ୍ଚା ଏପରି ଏକ ବଡ ଦୁର୍ଘଟଣା କିପରି ହେଲା ଏବଂ ଏଥିପାଇଁ ଦାୟୀ କିଏ ?  ଏହି ପ୍ରଶ୍ନ ବର୍ତ୍ତମାନ ଚାରିଆଡେ ଘୁରି ବୁଲୁଛି।

ଏପରି କ୍ଷେତ୍ରରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ରେଳ ଦୁର୍ଘଟଣାର ଏକ ପ୍ରମୁଖ କାରଣ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଇଲୋଟ୍ରୋନିକ ଇଣ୍ଟରଲିକିଂ ର ସମସ୍ୟା ଯୋଗୁଁ ଏହି ଦୁର୍ଘଟଣା ଘଟିଲା। ତେବେ ଏଥିପାଇଁ ଯିଏ ଦାୟୀ ତାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏ ନେଇ ଅଧିକ ପଚରାଉଚୁରା କରାଯାଉଛି। ଖୁବ ଶିଘ୍ର ଏ ନେଇ ରିପୋର୍ଟ ଆସିବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏ ନେଇ ରେଲବାଇ ପକ୍ଷରୁ ଯେଉଁ ତଦନ୍ତ ଚାଲିଥିଲା ତାହା ମଧ୍ୟ ଶେଷ ହୋଇଛି। ଏ ନେଇ ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ପ୍ରକାଶ ପାଇବ। ସେଥିରେ ଜଣାପଡିବ ଯେ, ପ୍ରକୃତରେ ଏହି ଦୁର୍ଘଟଣାର କାରଣ କଣ। ଏଥିସହିତ ରେଳ କବଚ କଥା ଯାହା କୁହାଯାଉଛି ତାହା ସହିତ ଏହି ଦୁର୍ଘଟଣାର କୌଣସି ସଂପର୍କ ନାହିଁ।

ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ବର୍ତ୍ତମାନ ବାଲେଶ୍ବରରେ କ୍ୟାମ୍ପ କରି ରହିଛନ୍ତି। ସେଠାରେ ସେ ଯାତ୍ରୀ ଉଦ୍ଧାର କାର୍ଯ୍ୟ ସହିତ ବଗି ଉଠାଯିବା କାର୍ଯ୍ୟ ନିଜେ ତଦାରଖ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧ଟି ବଗିକୁ ଧାରଣାରୁ ଉଠାଯାଇଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ ଚାଲିଛି। ଦିନରାତି କର୍ମଚାରୀମାନେ ମରାମତି କାମରେ ଲାଗିଛନ୍ତି। ଖୁବ ଶିଘ୍ର ଏହି ମରାମତି କାମ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସମସ୍ତଙ୍କ ପାଇଁ ବଡ ସମସ୍ୟା ହୋଇଯାଇଛି। ଆଜି ଭୁବନେଶ୍ୱରକୁ ୧୬୦ଟି ମୃତଦେହକୁ ସ୍ଥାନାନ୍ତରିତ କରାଯାଇଛି। ଏମ୍ସ ସମେତ ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଏହି ମୃତଦେହ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ପରିଚୟ ମିଳିନଥିବା ମୃତକଙ୍କ ଡିଏନଏ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Train Accident: ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ଫୋନ୍ ଯୋଗେ କଥା ହୋଇଛନ୍ତି। ନବୀନ ପ୍ରଧାନମନ୍ତ୍ରୀଙ୍କୁ ସାମ୍ପ୍ରତିକ ପରିସ୍ଥିତି, ବିଶେଷକରି ରେଳ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ଚିକିତ୍ସା ବିଷୟରେ ସୂଚନା ଦେଇଥିଲେ।

ଓଡିଶାର ବିଭିନ୍ନ ଡାକ୍ତରଖାନାରେ ଆହତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଡାକ୍ତର ଏବଂ ଡାକ୍ତରୀ ଛାତ୍ରମାନେ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଡାକ୍ତର, ଛାତ୍ର ଏବଂ ସାଧାରଣ ଲୋକ ଆହତ ବ୍ୟକ୍ତିଙ୍କ ପାଇଁ ରକ୍ତ ଦାନ କରିବାକୁ ଆଗେଇ ଆସୁଛନ୍ତି।

ସେ କହିଛନ୍ତି ଯେ ଆମେ ଏକ ନୀତି ଅନୁସରଣ କରୁଛୁ ଯେଉଁଥିରେ ‘ପ୍ରତିଟି ଜୀବନ ମୂଲ୍ୟବାନ ଅଟେ’। ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନାକୁ ନେବା, ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଆମେ ଜୀବନ ରକ୍ଷା କରିବା ପାଇଁ କୈଣସି କ୍ଷେତ୍ରରେ ଅବହେଳା କରି ନାହୁଁ ବୋଲି ନବୀନ କହିଛନ୍ତି।

ସାମ୍ପ୍ରତିକ ପରିସ୍ଥିତି ବିଷୟରେ ବିସ୍ତୃତ ଭାବରେ ସେ କହିଛନ୍ତି ଯେ ବିଭିନ୍ନ ଡାକ୍ତରଖାନାରେ ପ୍ରାୟ ୧୧୭୫ ଜଣ ଭର୍ତ୍ତି ହୋଇଛନ୍ତି, ସେଥିମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ଆହତ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ବର୍ତ୍ତମାନ ୩୮୨ ଜଣ ଯାତ୍ରୀ ବର୍ତ୍ତମାନ ବିଭିନ୍ନ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସଙ୍କଟ ସମୟରେ ତୁରନ୍ତ ଏବଂ ଦକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆବଶ୍ୟକ ହେଲେ କୈଣସି ପ୍ରକାର ସହାୟତା ଯୋଗାଇବାକୁ କେନ୍ଦ୍ର ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସଙ୍କଟରେ ସଠିକ ପ୍ରକାରର ସହାୟତା ଏବଂ ଠିକ୍ ସମୟରେ ସହାୟତା ପାଇଁ ସେ ଓଡିଶାବାସୀଙ୍କୁ ପ୍ରଶଂସା କରିଥିଲେ।